ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ, ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଠାରୁ ପିଚ୍ ଏବଂ ପାଣିପାଗ ସ୍ଥିତି

Published: Sep 6, 2022, 10:39 am IST

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ରେ ଆଜି ଭାରତୀୟ ଦଳ ସୁପର-୪ ପର୍ଯ୍ୟାୟରେ ଦ୍ୱିତୀୟ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ପାକିସ୍ତାନ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ମ୍ୟାଚ୍ ଜିତିବା ପରେ ହିଁ ଭାରତୀୟ ଦଳର ଫାଇନାଲରେ ପ୍ରବେଶ କରିବାର ଆଶା ଅକ୍ଷୁର୍ଣ୍ଣ ରହିବ। ଅନ୍ୟପକ୍ଷରେ ଶ୍ରୀଲଙ୍କାର ଦଳ ଆଫଗାନିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ୍ ଜିତିଛି। ଏଭଳି ପରିସ୍ଥିତିରେ ଏହି ମ୍ୟାଚ୍ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ ରଖିବା ଦିଗରେ ଶ୍ରୀଲଙ୍କାର ଉଦ୍ୟମ ହେବ।

ପିଚ୍ ଏବଂ ପାଣିପାଗ ରିପୋର୍ଟ: ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କାର ଏହି ମ୍ୟାଚ୍ ଖେଳାଯିବ। ବର୍ତ୍ତମାନ ସମୟରେ ଏହି ପିଚ ଉପରେ କାକର ଅଧିକ ପ୍ରଭାବ ପକାଇବ ନାହିଁ। ଏହା ସତ୍ତ୍ୱେ ଦ୍ଵିତୀୟରେ ବ୍ୟାଟିଂ କରୁଥିବା ଦଳ ଲଗାତର ଜିତୁଛି। ଏଠାରେ ଅନୁଷ୍ଠିତ ଗତ ୧୯ ଟି ମ୍ୟାଚ ମଧ୍ୟରୁ ୧୭ ଟିରେ ପଛରେ ବ୍ୟାଟିଂ କରୁଥିବା ଦଳ ଜିତିଛି। ଗତ ଦୁଇଟି ମ୍ୟାଚ୍‌ରେ ମଧ୍ୟ ୧୮୦+ ସ୍କୋର ଟାର୍ଗେଟକୁ ମଧ୍ୟ ହାସଲ କରାଯାଇଛି। ଏଭଳି ପରିସ୍ଥିତିରେ ଆଜି ମଧ୍ୟ ଟସ୍ ନିର୍ଣ୍ଣାୟକ ଭୂମିକାରେ ରହିବ। ପାଣିପାଗ ବିଷୟରେ କହିବାକୁ ଗଲେ, ଦୁବାଇରେ ଏହି ସମୟରେ ବହୁତ ଗରମ ଅନୁଭୂତ ହେବ। ମ୍ୟାଚ୍ ସମୟରେ ମଧ୍ୟ ତାପମାତ୍ରା ପ୍ରାୟ ୩୩ ଡିଗ୍ରୀ ରହିବ।

ସମ୍ଭାବ୍ୟ ଏକାଦଶ ଖେଳାଳି: ଋଷଭ ପନ୍ତ, ରବି ବିଷ୍ନୋଇ ଏବଂ ଦୀପକ ହୁଡା ଗତ ଥର ଭାରତୀୟ ଦଳରେ ସୁଯୋଗ ପାଇଥିଲେ। ଏଥର ଖେଳାଳି ଏକାଦଶକୁ ପୁନର୍ବାର ପରିବର୍ତ୍ତନ କରିବା ସମ୍ଭାବନା ରହିଛି। କାର୍ତ୍ତିକଙ୍କୁ ପନ୍ତଙ୍କ ସ୍ଥାନରେ ଖେଲାଯାଇପାରେ। ଏଥି ସହିତ ଆବେଶ ଖାନଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ନିଶ୍ଚିତ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳରେ କୌଣସି ପରିବର୍ତ୍ତନ ସମ୍ଭାବନା ଦେଖାଯାଉନାହିଁ।

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ, ଆବେଶ ଖାନ।

ଶ୍ରୀଲଙ୍କା: କୁସଲ ମେଣ୍ଡିସ୍, ପାଥୁମ୍ ନିଶଙ୍କା, ଚରିତ ଅସଲଙ୍କା, ଭାନୁକା ରାଜପକ୍ଷ, ଧନୁସ୍କା ଗୁନାଥିଲାକା, ଦାସୁନ୍ ଶାନାକା, ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାତ୍ନେ, ମହିଷ ତୀକ୍ଷଣା, ମଥୀଶା ପାଥିରାନା, ଦିଲଶାନ ମାଦୁଶଙ୍କା।

Related posts