ବୃହତ ବିଜୟ ସହ ସିରିଜ ଜିତିଲା ଟିମ୍ ଇଣ୍ଡିଆ, ଜାଣନ୍ତୁ ଅହମ୍ମଦାବାଦରେ ନ୍ୟୁଜିଲ୍ୟାଣ୍ଡ କିପରି ହେଲା ଧରାଶାୟୀ

Published: Feb 1, 2023, 11:54 pm IST

ଅହମ୍ମଦାବାଦ: ଅନ୍ତିମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୬୮ ରନ୍‌ ବ୍ୟବଧାନରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଏଥି ସହିତ, ଏହି ବିଜୟ ପରେ ଟିମ୍ ଇଣ୍ଡିଆ ୩ ଟି-୨୦ ମ୍ୟାଚ୍ ସିରିଜ୍ କୁ ୨-୧ ରେ ଜିତିଛି। ଏହାପୂର୍ବରୁ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୪ ରନ୍ ସଂଗ୍ରହ କରିଥିଲା। ଏଥି ସହିତ ନ୍ୟୁଜିଲ୍ୟାଣ୍ଡର ଇନିଂସ ୧୨.୧ ଓଭରରେ ମାତ୍ର ୬୬ ରନରେ ସୀମିତ ରହିଥିଲା।

ଓପନର୍ ଶୁବମାନ ଗିଲ ଭାରତ ପାଇଁ ୬୩ ବଲରେ ୧୨୬ ରନର ଅପରାଜିତ ପାଳି ଖେଳିଥିଲେ। ସେ ତାଙ୍କ ଇନିଂସରେ ୧୨ ଟି ଚୌକା ଓ ୭ ଟି ଛକା ମାରିଥିଲେ। ଏହା ବ୍ୟତୀତ ରାହୁଲ ତ୍ରିପାଠୀ ୨୨ ବଲରେ ୪୪ ରନ୍ ସଂଗ୍ରହ କରିଥିଲେ। ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ଟି ବଲରେ ୩୦ ରନ୍ ସଂଗ୍ରହ କରିଥିଲେ। ସେହିଭଳି ସୂର୍ଯ୍ୟକୁମାର ଯାଦବ ୧୩ ଟି ବଲରେ ୨୪ ରନ୍ କରିଥିଲେ। ତେବେ ଭାରତୀୟ ଦଳର ଓପନର୍ ଇଶାନ କିଶନ ଶସ୍ତାରେ ପ୍ୟାଭିଲିୟନକୁ ଫେରିଥିଲେ। ଇଶାନ କିଶ ୩ ବଲରୁ ମାତ୍ର ୧ ରନ୍ ସ୍କୋର କରିପାରିଥିଲେ।

ଭାରତୀୟ ଦଳର ବିଶାଳ ଟାର୍ଗେଟ ଆଗରେ ନ୍ୟୁଜିଲ୍ୟାଣ୍ଡ ଦଳ ତାସ ପରି ଗୋଟିଏ ପରେ ଗୋଟିଏ ଛାଡି ପଡିଥିଲେ। ଟିମ୍ ଇଣ୍ଡିଆର ବୋଲରମାନେ ନୂଆ ବଲ ସହିତ ମାରାତ୍ମକ ବୋଲିଂ କରିଥିଲେ। ବିଶେଷ କରି ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂ ପାୱାରପ୍ଲେରେ ଚମତ୍କାର ବୋଲିଂ କରିଥିଲେ। କିୱି ବ୍ୟାଟ୍ସମ୍ୟାନ୍ ମାନେ ଭାରତୀୟ ଦ୍ରୁତ ବୋଲରଙ୍କ ସାମ୍ନାରେ ବିଫଳ ହୋଇଥିଲେ। ନ୍ୟୁଜିଲାଣ୍ଡ ଦଳର ଅଧା ଖେଳାଳି ୨୧ ରନ୍ ରେ ପାଭିଲିୟନକୁ ଫେରିଥିଲେ। ଏହିପରି କିୱି ଇନିଂସ ୧୨.୧ ଓଭରରେ ୬୬ ରନରେ ସମସ୍ତ ୱିକେଟ ହରାଇଥିଲେ।

Related posts