ଜିଓ ସିନେମାରେ ସିଏସ୍‌କେ-ଆର୍‌ସିବି ମ୍ୟାଚ୍ ଦେଖିଲେ ରେକର୍ଡ ୨.୪ କୋଟି ଦର୍ଶକ

Published: Apr 19, 2023, 8:45 am IST

ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଋତୁରେ ଜିଓ ସିନେମାରେ ମ୍ୟାଚ୍ ଦେଖୁଥିବା ଦର୍ଶକଙ୍କ ସଂଖ୍ୟାରେ ପ୍ରତିଦିନ ନୂଆ ରେକର୍ଡ ସ୍ଥାପନ ହେଉଛି। ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍‌କେ) ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ରେକର୍ଡ ୨.୪ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି। ଆଇପିଏଲ୍ ୨୦୨୩ ଋତୁରେ ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ଜିଓ ସିନେମାରେ ଏହା ହେଉଛି ମ୍ୟାଚ୍ ଦେଖିଥିବା ସର୍ବାଧିକ ଦର୍ଶକ ସଂଖ୍ୟା। ଏହା ପୂର୍ବରୁ ୨୦୨୩ ଏପ୍ରିଲ୍ ୧୨ରେ ଜିଓ ସିନେମାରେ ଦର୍ଶକ ସଂଖ୍ୟା ୨.୨ କୋଟିରେ ପହଂଚିଥିଲା । ସେହି ରେକର୍ଡ ସିଏସ୍‌କେ-ଆର୍‌ସିବି ମ୍ୟାଚ୍ ବେଳେ ଭାଙ୍ଗିଛି। ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ର ଶେଷ ଓଭରରେ ଦର୍ଶକ ସଂଖ୍ୟା ୨.୪ କୋଟିରେ ପହଂଚିଥିଲା। ସେହି ରୋମାଂଚକର ମ୍ୟାଚ୍‌କୁ ଚେନ୍ନାଇ ୮ ରନ୍‌ରେ ଜିତିଥିଲା।

ବିସିସିଆଇ ପକ୍ଷରୁ ଆଇପିଏଲ୍ ୨୦୨୩ ଋତୁର ଟିଭି ଓ ଡିଜିଟାଲ୍ ପ୍ରସାରଣ ଅଧିକାର ଭିନ୍ନ ଭିନ୍ନ କଂପାନିକୁ ପ୍ରଦାନ କରାଯାଇଛି। ଡିଜିଟାଲ୍‌କୁ ତାହାର ପ୍ରତ୍ୟକ୍ଷ ଲାଭ ମିଳିଛି। ଜିଓ ସିନେମା ପକ୍ଷରୁ ମାଗଣାରେ ଆଇପିଏଲ୍ ମ୍ୟାଚ୍‌ର ଷ୍ଟ୍ରିମିଂ କରାଯାଉଛି। ତାହା ଡିଜିଟାଲ୍ ପ୍ଲାଟଫର୍ମରେ ଆଇପିଏଲ୍‌ର ଦର୍ଶକ ସଂଖ୍ୟାକୁ ଆହୁରି ବଢ଼ାଇବାରେ ସହାୟକ ହୋଇଛି।

ଆଇପିଏଲ୍‌ର ୨୦୧୯ ସିଜନ୍‌ର ଫାଇନାଲ୍ ମ୍ୟାଚ୍‌କୁ ଡିଜ୍‌ନି ହଟ୍‌ଷ୍ଟାର୍‌ରେ ସର୍ବାଧିକ ୧୮.୬ ନିୟୁତ ଦର୍ଶକ ଦେଖିଥିବା ବେଳେ ଜିଓ ସିନେମାରେ ଗୋଟିଏ ଲିଗ୍ ମ୍ୟାଚ୍‌କୁ ୨.୪ କୋଟି ଲୋକ ଦେଖିଛନ୍ତି। ଆଇପିଏଲ୍ ଏବେ ଲିଗ୍ ପର୍ଯ୍ୟାୟରେ ଥିବା ବେଳେ ଜିଓ ସିନେମା ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିଛି। ଆଇପିଏଲ୍ ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରିବା ବେଳେ ଜିଓ ସିନେମାରେ ଦର୍ଶକଙ୍କ ସଂଖ୍ୟା ନୂତନ ଶିଖର ସ୍ପର୍ଶ କରିବ ବୋଲି ଆଶା କରାଯାଉଛି। ଆଇପିଏଲ୍ ମ୍ୟାଚ୍ ଦେଖିବା ଲାଗି ପ୍ରତିଦିନ ନିୟୁତାଧିକ ନୂଆ ଦର୍ଶକ ଜିଓ ସିନେମାରେ ଯୋଡ଼ି ହେଉଛନ୍ତି।

ପ୍ରାୟୋଜକ ଓ ବିଜ୍ଞାପନଦାତାଙ୍କ ଦୃଷ୍ଟିରୁ ମଧ୍ୟ ଜିଓ ସିନେମା ରେକର୍ଡ ସ୍ଥାପନ କରିଛି। ଶ୍ରେଷ୍ଠ ବିଶ୍ୱସ୍ତରୀୟ ଓ ଭାରତୀୟ ବ୍ରାଣ୍ଡ୍‌ଗୁଡ଼ିକ ଜିଓ ସିନେମା ପ୍ରତି ଆକର୍ଷିତ ହୋଇଛନ୍ତି। ଟିଭିକୁ ପଛରେ ପକାଇ ଜିଓ ସିନେମା ୨୩ଟି ପ୍ରମୁଖ ପ୍ରାୟୋଜକଙ୍କ ସହ ସହଯୋଗିତା ସ୍ଥାପନ କରିଛି।

Related posts