ଅହମଦାବାଦ : ଅହମଦାବାଦଠାରେ ଚାଲିଥିବା ପାରା ଆର୍ଚେରୀ ୱାର୍ଲ୍ଡ ସିରିଜ୍ ଷ୍ଟେଜ୍-୩ର ତୃତୀୟ ଦିନରେ ଭାରତୀୟ ଆର୍ଚରମାନେ ଦମ୍ଦାର ପ୍ରଦର୍ଶନ କରି ୨ଟି ସ୍ୱର୍ଣ୍ଣ ଏବଂ ୧ଟି ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ରିକର୍ଭରେ ହରବିନ୍ଦର ସିଂହ-ବିଜୟ ସୁଣ୍ଡି ଏବଂ ପୁରୁଷ କମ୍ପାଉଣ୍ଡ୍ରେ ତୋମାନ କୁମାର-ଶ୍ୟାମ ସୁନ୍ଦର ସ୍ୱାମୀଙ୍କ ଯୋଡ଼ି ସ୍ୱର୍ଣ୍ଣ ଜିତି ଚାମ୍ପିଅନ୍ ହୋଇଛନ୍ତି। ଅନ୍ୟପଟେ, ମହିଳା ରିକର୍ଭ ଟିମ୍ରେ ଭାବନା-ପୂଜା ଯୋଡ଼ି ଫାଇନାଲ୍ରେ ଚୀନ୍ଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।
ପୁରୁଷ କମ୍ପାଉଣ୍ଡ୍ ଫାଇନାଲ୍ରେ ଡିଫେଣ୍ଡିଂ ୱାର୍ଲ୍ଡ ଚାମ୍ପିଅନ୍ ତୋମାନ କୁମାର ଓ ଶ୍ୟାମ ସୁନ୍ଦର ସ୍ୱାମୀଙ୍କ ଯୋଡ଼ି ଏକତରଫା ଭାବେ ଇରାକର ଅବାସ କଧିମ ଓ ଅନୱ ଅଲଦାଭୋଦଙ୍କୁ ୧୫୨-୧୩୯ ପଏଣ୍ଟ୍ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ପୁରୁଷ ରିକର୍ଭ ଫାଇନାଲ୍ରେ ହରବିନ୍ଦର ସିଂହ ଓ ବିଜୟ ସୁଣ୍ଡି ୬-୨ରେ ସ୍ଲୋଭାକିଆର ଭେହଇଡ୍ ଇଭାନ୍ ଓ ଡେନିସ୍ ଇଭାନ୍ଙ୍କୁ ହରାଇଛନ୍ତି। ଭାରତୀୟ ଯୋଡ଼ି ପ୍ରଥମ ସେଟ୍ରେ ୩୪-୩୭ରେ ପଛୁଆ ରହିବା ପରେ ଦମଦାର ପ୍ରତ୍ୟାବର୍ତ୍ତନ କରି ଲଗାତାର ତିନୋଟି ସେଟ୍ ଜିତି ନେଇଥିଲେ। ତୃତୀୟ ସେଟ୍ରେ ଟୋକିଓ ଅଲିମ୍ପିକ୍ ବ୍ରୋଞ୍ଜ୍ ଏବଂ ପ୍ୟାରିସ୍ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ହରବିନ୍ଦର ଲଗାତାର ତିନୋଟି ୧୦ ପଏଣ୍ଟ୍ ହାସଲ କରି ମ୍ୟାଚ୍କୁ ଭାରତ ସପକ୍ଷରେ ଆଣିଥିଲେ।
ମହିଳା ରିକର୍ଭ ଟିମ୍ ଫାଇନାଲ୍ରେ ଭାରତର ଭାବନା ଓ ପୂଜାଙ୍କ ଯୋଡ଼ି ଚୀନ୍ଠାରୁ ୬-୦ରେ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି ମହିଳା କମ୍ପାଉଣ୍ଡ୍ ଟିମ୍ର ବ୍ରୋଞ୍ଜ୍ ପଦକ ମୁକାବିଲାରେ ଶୀତଲ ଦେବୀ ଓ ପାୟଲ ନାଗଙ୍କ ଯୋଡ଼ି ଚୀନ୍ର ୱାଙ୍ଗ୍ ହୁଇଟିଙ୍ଗ୍ ଓ ଗାଓ ଫାଗକ୍ସିୟାଙ୍କଠାରୁ ହାରି ପଦକରୁ ବଞ୍ଚିତ ହୋଇଛନ୍ତି।


