ନୂଆଦିଲ୍ଲୀ: କଲମ୍ବିଆର ତାରକା ଫୁଟବଲର୍ ଜେମ୍ସ ରୋଡ୍ରିଗେଜ୍ ଅନ୍ତର୍ଜାତୀୟ ଫୁଟ୍ବଲ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୩୫ ବର୍ଷୀୟ ରୋଡ୍ରିଗେଜ୍ ଦୀର୍ଘ ୧୫ ବର୍ଷ ଧରି ଜାତୀୟ ଦଳର ପ୍ରତିନିଧିତ୍ୱ କରିବା ପରେ ଏହି ଯାତ୍ରାରେ ବିରାମ ଲଗାଇଛନ୍ତି। ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରି ସେ ଲେଖିଛନ୍ତି, “ଦେଶର ଜର୍ସି ପିନ୍ଧିବା ମୋ ପାଇଁ ଏକ ସ୍ୱପ୍ନ ଓ ବଡ଼ ଦାୟିତ୍ୱ ଥିଲା। ସମସ୍ତ ହସ-କନ୍ଦା ଓ କଷ୍ଟକର ମୁହୂର୍ତ୍ତ ପରେ ଏବେ ଏହି ସୁନ୍ଦର ଅଧ୍ୟାୟର ଅନ୍ତ ଘଟାଇବାର ସମୟ ଆସିଯାଇଛି।” ୨୦୧୧ ଅକ୍ଟୋବରରେ ବଲିଭିୟା ବିପକ୍ଷରେ ଡେବ୍ୟୁ କରିଥିବା ରୋଡ୍ରିଗେଜ୍ ଦେଶ ପାଇଁ ମୋଟ ୧୩୧ଟି ମ୍ୟାଚ୍ ଖେଳି ୩୧ଟି ଗୋଲ୍ ଦେବା ସହ ୪୩ଟି ଗୋଲ୍ରେ ସହାୟତା କରିଛନ୍ତି। ୨୦୧୪ ବିଶ୍ୱକପ୍ରେ ଆକର୍ଷଣୀୟ ପ୍ରଦର୍ଶନ କରି ଗୋଲ୍ଡେନ୍ ବୁଟ୍ ହାସଲ କରିବା ସହ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ନିଜକୁ ସ୍ଥାପିତ କରିଥିଲେ। ସେ କଲମ୍ବିଆ ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଥିଲେ। ୨୦୧୪, ୨୦୧୮ ଓ ୨୦୨୬ ବିଶ୍ୱକପ୍ରେ ଦେଶର ପ୍ରତିନିଧିତ୍ୱ କରିଥିଲେ। ୨୦୨୪ କୋପା ଆମେରିକାରେ କଲମ୍ବିଆକୁ ଫାଇନାଲ୍ରେ ପହଞ୍ଚାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ୨୦୨୬ ବିଶ୍ୱକପ୍ର ରାଉଣ୍ଡ ଅଫ୍ ୧୬ରେ ସ୍ୱିଜରଲାଣ୍ଡ ବିପକ୍ଷ ମ୍ୟାଚ୍ଟି ଜାତୀୟ ଦଳ ପାଇଁ ତାଙ୍କ କ୍ୟାରିୟର୍ର ଶେଷ ମ୍ୟାଚ୍ ସାବ୍ୟସ୍ତ ହୋଇଛି।


