ନୂଆଦିଲ୍ଲୀ: ଏଫ୍ଆଇଏଚ୍ (FIH) ପ୍ରୋ ଲିଗ୍ ୨୦୨୬-୨୭ ପାଇଁ କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆସନ୍ତା ଡିସେମ୍ବର ୮ ତାରିଖରୁ ଆରମ୍ଭ ହୋଇ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ ଆସନ୍ତା ବର୍ଷ ଫେବୃଆରୀ ମାସରେ ନିଜ ନିଜର ଘରୋଇ ମ୍ୟାଚ୍ଗୁଡ଼ିକ ଖେଳିବେ।
ଘୋଷଣା ଅନୁଯାୟୀ, ଭାରତୀୟ ମହିଳା ଦଳ ଫେବୃଆରୀ ୨୩ରୁ ୨୮ ଏବଂ ପୁରୁଷ ଦଳ ଫେବୃଆରୀ ୧୩ରୁ ୨୮ ମଧ୍ୟରେ ଘରୋଇ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ତାରିଖ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମ୍ୟାଚ୍ ଆୟୋଜନ ହେବାକୁ ଥିବା ଭେନ୍ୟୁ (କ୍ରୀଡ଼ାଙ୍ଗନ) ସ୍ଥିର ହୋଇନାହିଁ। ଭାରତୀୟ ପୁରୁଷ ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ଜର୍ମାନୀ, ଆର୍ଜେଣ୍ଟିନା, ଗ୍ରେଟ୍ବ୍ରିଟେନ୍ ଓ ସ୍ପେନ୍ ବିପକ୍ଷରେ ମୁହାଁମୁହିଁ ହେବାକୁ ଥିବା ବେଳେ ମହିଳା ଦଳ ଗ୍ରେଟ୍ବ୍ରିଟେନ୍ ଓ ସ୍ପେନ୍କୁ ଭେଟିବ।
ସୂଚନାଯୋଗ୍ୟ, ନିକଟରେ ହରମନ୍ପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ହକି ଦଳ ଲଗାତାର ଦ୍ୱିତୀୟ ଥର ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲା। ଅପରପକ୍ଷରେ, ମହିଳା ଦଳ ଫାଇନାଲ୍ରେ ଗତ ସଂସ୍କରଣର ଚାମ୍ପିଅନ୍ ଚୀନ୍କୁ ୧-୦ ଗୋଲ୍ରେ ପରାସ୍ତ କରି ଦୀର୍ଘ ୪୪ ବର୍ଷ ପରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିବାର ଗୌରବ ଅର୍ଜନ କରିଥିଲା। ଏହି ସଫଳତା ସହ ଉଭୟ ଦଳ ୨୦୨୮ ଲସ୍ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିସାରିଛନ୍ତି।


