ଭୁବନେଶ୍ବର: କଟକର ପ୍ରସିଦ୍ଧ ଦଶହରା ଦେଖିବାକୁ ଆସିଥିବା ଦୁଇ ଜଣ ଯୁବ କ୍ରୀଡ଼ାବିତ୍ଙ୍କୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜୀବନ ହରାଇବାକୁ ପଡ଼ିଛି। କଟକ-ଭୁବନେଶ୍ୱର ଜାତୀୟ ରାଜପଥର କଟକ ସଦର ଥାନା ଅନ୍ତର୍ଗତ ନୂଆଗଡ଼ ନିକଟରେ ଏକ ଅଜଣା ଗାଡ଼ିର ଭୟଙ୍କର ଧକ୍କା ହେବାରୁ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବଂ କ୍ରୀଡ଼ାଜଗତରେ ଶୋକର ଛାୟା ଖେଳିଯାଇଛି।
ମୃତକଦ୍ୱୟ ହେଲେ ଅତାବିରା ଥାନା ଅଞ୍ଚଳର ମଳୟ ବାରିକ ଏବଂ ଭବାନିପାଟଣାର ଦଣ୍ଡପତି ଜୟରାମ। ଉଭୟେ ପରସ୍ପରର ଭଲ ସାଙ୍ଗ ଥିଲେ ଏବଂ ଭୁବନେଶ୍ୱରରେ ରହି ନିଜର ଆଥଲେଟିକ୍ସ ଅଭ୍ୟାସ ସହ କ୍ରୀଡ଼ା ଜୀବନକୁ ଆଗକୁ ବଢ଼ାଉଥିଲେ। ଆଶା ଓ ଉତ୍ସାହ ଭରା ସ୍ୱପ୍ନକୁ ଆଖିରେ ଧରି ସେମାନେ ବାଇକ୍ ଯୋଗେ କଟକକୁ ଦଶହରା ପର୍ବ ବୁଲିବାକୁ ଆସିଥିଲେ। କିନ୍ତୁ କାହାକୁ ବା ଜଣାଥିଲା ଯେ ଏହି ବୁଲାବୁଲି ସେମାନଙ୍କ ଜୀବନର ଶେଷ ଯାତ୍ରା ପାଲଟିଯିବ ବୋଲି।
ବୁଧବାର ବିଳମ୍ବିତ ରାତିରେ ଯେତେବେଳେ ସେମାନେ ଫେରୁଥିଲେ, ସେହି ସମୟରେ ନୂଆଗଡ଼ ନିକଟରେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ସେମାନଙ୍କ ବାଇକ୍କୁ ପଛରୁ ଏକ ଜୋରଦାର ଧକ୍କା ଦେଇଥିଲା। ଧକ୍କାଟି ଏତେ ଜୋର୍ରେ ହୋଇଥିଲା ଯେ ଉଭୟ ଆଥଲେଟ୍ ରାସ୍ତା ଉପରେ ଛିଟିକି ହୋଇ ପଡ଼ିଯାଇ ଗୁରୁତର ଭାବେ ଆହତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ କଟକ ସଦର ପୋଲିସ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଥିଲା। କିନ୍ତୁ ମେଡିକାଲରେ ପହଞ୍ଚିବା ପରେ ସେଠାକାର ଡାକ୍ତର ଉଭୟଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ଏହି ଦୁର୍ଘଟଣା ଖବର ପାଇବା ପରେ ମୃତକଙ୍କ ପରିବାରବର୍ଗଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ିଯାଇଛି। କ୍ରୀଡ଼ାକ୍ଷେତ୍ରରେ କିଛି ଭଲ କରିବାର ସ୍ୱପ୍ନ ଦେଖୁଥିବା ଦୁଇ ପ୍ରତିଭାବାନ ଯୁବକଙ୍କ ଏପରି ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିବା ସହ ଘଟଣାର ବୈଷୟିକ ଏବଂ ପାରିପାର୍ଶ୍ୱିକ ତଦନ୍ତ ଜାରି ରଖିଛି। ଧକ୍କା ଦେଇଥିବା ଅଜଣା ଗାଡ଼ିଟିକୁ ଚିହ୍ନଟ କରିବା ପାଇଁ ଆଖପାଖର ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି।


