ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ଆଥ୍ଲେଟ୍ସ କମିଶନ୍ ଗଠିତ ହୋଇଛି। ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ତାରା ବ୍ୟାଡ୍ମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ଏହି କମିଶନ୍ର ଅଧ୍ୟକ୍ଷ ନିର୍ବାଚିତ ହୋଇଥିବାବେଳେ ଭାରତୀୟ ପୁରୁଷ ହକି ଟିମ୍ କ୍ୟାପ୍ଟେନ୍ ହରମନପ୍ରୀତ୍ ସିଂହ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରିଟର୍ଣ୍ଣି ଅଫିସର୍ ଏମାନଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା କଥା ଘୋଷଣା କରିଛନ୍ତି। ଏହା ବ୍ୟତୀତ ଷ୍ଟାର୍ ୱେଟ୍ଲିଫ୍ଟର ମୀରାବାଇ ଚାନୁ ଏବଂ ସୁଇମର୍ ସାଜନ ପ୍ରକାଶଙ୍କୁ ଆଇଓଏର ଜେନେରାଲ୍ ବଡିରେ ଆଥ୍ଲେଟ୍ ପ୍ରତିନିଧି ଭାବେ ମନୋନୀତ କରାଯାଇଛି। ଶୁକ୍ରବାର ରିଟର୍ଣ୍ଣି ଅଫିସର୍ ସଞ୍ଜୟ କେ. ଶ୍ରୀବାସ୍ତବ ଚାରି ଖେଳାଳିଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ଘୋଷିତ କରିଛନ୍ତି।
ସିନ୍ଧୁ ଏବଂ ହରମନ୍ପ୍ରୀତ୍ଙ୍କୁ ଆଇଓଏର ନୂଆ କାର୍ଯ୍ୟକାରିଣୀ ପରିଷଦରେ ମଧ୍ୟ ସ୍ଥାନ ମିଳିବ। ଏହାର ଗଠନ ଡିସେମ୍ବର ୫ରେ ହେବାକୁ ଥିବା ଭାରତୀୟ ଅଲିମ୍ପିକ୍ ସଂଘ ନିର୍ବାଚନ ପରେ କରାଯିବ। ସେହିପରି ମୀରାବାଇ ଚାନୁ ଓ ସାଜନ୍ ପ୍ରକାଶଙ୍କୁ ଆଇଓଏ ନିର୍ବାଚନରେ ମତଦାନ କରିବାର ଅଧିକାର ମିଳିବ। ଚାରି ଖେଳାଳିଙ୍କ କାର୍ଯ୍ୟକାଳ ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ଅର୍ଥାତ୍ ଚାରିବର୍ଷର ହେବ। ଏହା ପୂର୍ବରୁ ନଭେମ୍ବର ୩ ତାରିଖରେ ସିନ୍ଧୁ, ହରମନ୍ପ୍ରୀତ୍, ଚାନୁ ଓ ସାଜନ୍ଙ୍କ ସମେତ ୧୦ ଖେଳାଳି ଆଇଓଏ ଆଥ୍ଲେଟ୍ସ କମିଶନ୍ର ସଦସ୍ୟ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ପୂର୍ବତନ ଆଥ୍ଲେଟ୍ ସୁଧା ସିଂହଙ୍କ ନିର୍ବାଚନ ଦୌଡ଼ରୁ ହଟିବା ପରେ ୧୦ ଆସନ ପାଇଁ କେବଳ ୧୦ ପ୍ରାର୍ଥୀ ହିଁ ରହିଥିଲେ। ଏହା ମଧ୍ୟରେ ପାଞ୍ଚ ପୁରୁଷ ଏବଂ ପାଞ୍ଚ ମହିଳା ଖେଳାଳି ସାମିଲ।


