ନୂଆଦିଲ୍ଲୀ: ଆଇପିଏଲ୍ର ଆଗାମୀ ମିଡିଆ ରାଇଟ୍ସ ସାଇକ୍ଲକୁ ଦୃଷ୍ଟିରେ ରଖି ବିସିସିଆଇ ଲିଗ୍ର ସମ୍ପ୍ରସାରଣ ପାଇଁ ବିଚାର କରୁଛି। ୨୦୨୮ ମସିହା ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଦୁଇଟି ନୂଆ ଟିମ୍ ସାମିଲ ହେବା ସମ୍ଭାବନା ଥିବାବେଳେ, ଏହି ଦୌଡ଼ରେ ପୁଣେ ଏବଂ ବଡ଼ୋଦରା ସବୁଠୁ ଆଗରେ ରହିଛନ୍ତି। ଆଇପିଏଲ୍ରେ ଶେଷଥର ପାଇଁ ୨୦୨୨ ସିଜନ୍ ପୂର୍ବରୁ ଦୁଇଟି ନୂଆ ଟିମ୍ ସାମିଲ କରାଯାଇଥିଲା। ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସୟକୁ ଆର୍ପିଏସ୍ଜି ଗ୍ରୁପ୍ ୯୪୦ ମିଲିୟନ୍ ଡଲାରରେ କିଣିଥିଲା। ସେହିପରି ଗୁଜରାଟ ଟାଇଟନ୍ସର ମାଲିକାନା ହକ୍ ସିଭିସି କ୍ୟାପିଟାଲ୍ ପାର୍ଟନର୍ସ ୭୫୦ ମିଲିୟନ୍ ଡଲାରରେ ହାସଲ କରିଥିଲା।
ରିପୋର୍ଟ ଅନୁସାରେ ନୂଆ ଫ୍ରାଞ୍ଚାଇଜିର ମୂଲ୍ୟ ୧ ବିଲିୟନ୍ ଡଲାର (ପ୍ରାୟ ୮୯୦୦ କୋଟି ଟଙ୍କା)ରୁ ଅଧିକ ହୋଇପାରେ। ଆର୍ସିବି ନିକଟରେ ୧.୭୮ ବିଲିୟନ୍ ଡଲାର ଏବଂ ରାଜସ୍ଥାନ ରୟାଲ୍ସ ୧.୬୫ ବିଲିୟନ୍ ଡଲାର ମୂଲ୍ୟରେ ବିକ୍ରି ହୋଇଥିଲା। ନୂଆ ଟିମ୍ରେ ନିବେଶ ପାଇଁ ପ୍ରାଇଭେଟ୍ ଇକ୍ୱିଟି ଫାର୍ମ, ୱେଷ୍ଟ ଏସିଆର ସାଭରେନ୍ ୱେଲ୍ଥ ଫଣ୍ଡ୍, ଆମେରିକୀୟ ଫ୍ୟାମିଲି ଅଫିସ୍ ଏବଂ ଭାରତୀୟ ବ୍ୟବସାୟୀ ଗ୍ରୁପ୍ ରୁଚି ଦେଖାଇଛନ୍ତି। ରିପୋର୍ଟରେ ପ୍ରାଇଭେଟ୍ ଇକ୍ୱିଟି ଫାର୍ମ ପରମିରାର ନାମ ମଧ୍ୟ ସାମିଲ ଅଛି।
ଦୁଇ ନୂଆ ଟିମ୍କୁ ସାମିଲ କରିବା ନେଇ ଚର୍ଚ୍ଚା ଆଇପିଏଲ୍ର ଆଗାମୀ ମିଡିଆ ରାଇଟ୍ସ ସାଇକ୍ଲ (୨୦୨୮-୨୦୩୨) ସହ ଜଡ଼ିତ। ବର୍ତ୍ତମାନ ୨୦୨୩-୨୦୨୭ ମିଡିଆ ରାଇଟ୍ସ ୬.୨ ବିଲିୟମ୍ ଡଲାରରେ ବିକ୍ରି ହୋଇଥିଲା। ନୂଆ ଟିମ୍ ସାମିଲ ହେବା ଫଳରେ ମ୍ୟାଚ୍ ସଂଖ୍ୟା ବି ବଢ଼ିବ। ଫଳରେ ବ୍ରଡ୍କାଷ୍ଟିଂ ଖର୍ଚ୍ଚ ବଢ଼ିପାରେ। ତେଣୁ ଟିମ୍ ସଂଖ୍ୟା ବୃଦ୍ଧି କରିବା ପୂର୍ବରୁ ବିସିସିଆଇକୁ ଖେଳାଳିଙ୍କ ଉପଲବ୍ଧତା, ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାଲେଣ୍ଡର୍ ଏବଂ ବ୍ରଡ୍କାଷ୍ଟର୍ଙ୍କ ଆଗ୍ରହ ପରି ଦିଗ ଉପରେ ବିଚାର କରିବାକୁ ହେବ।
ପୁଣେ ଏହା ପୂର୍ବରୁ ଦୁଇଟି ସିଜନ୍ ଖେଳିସାରିଛି। ପୁଣେ ୱାରିୟର୍ସ ଇଣ୍ଡିଆ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଲିଗ୍ର ଅଂଶବିଶେଷ ଥିଲା। ଏହାପରେ ୨୦୧୬ ଏବଂ ୨୦୧୭ରେ ରାଇଜିଂ ପୁଣେ ସୁପର୍ଜାଏଣ୍ଟ୍ସ ଆଇପିଏଲ୍ ଖେଳିଥିଲା। ୨୦୧୭ରେ ଟିମ୍ ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲା, ତେବେ ମୁମ୍ବାଇ ଠାରୁ ୧ ରନ୍ରେ ପରାଜିତ ହୋଇଥିଲା।


