
ଓ୍ବେଲିଙ୍ଗଟନ୍ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍ରେ ଭାରତ 165 ରନ୍ ସଂଗ୍ରହ କରିଛି । ସିରିଜ୍ ବିଜୟୀ ହୋଇ ସାରିଥିବା ଭାରତୀୟ ଦଳ ଏହି ମ୍ୟାଚ୍ ନିମନ୍ତେ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସଞ୍ଜୁ ସାମ୍ସନ୍ ଏବଂ ଓ୍ବାଶିଂଟନ୍ ସୁନ୍ଦରଙ୍କୁ ଖେଳାଇଥିଲା । ନିର୍ଭରଯୋଗ୍ୟ ଭାରତୀୟ ଟପ୍ ଅର୍ଡର ଏହି ମ୍ୟାଚ୍ରେ ଫେଲ୍ ମାରିଥିବା ବେଳେ ମନୀଷ ପାଣ୍ଡେଙ୍କ ଚମତ୍କାର 50 ରନ୍ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ 165 ରନ୍ ସଂଗ୍ରହ କରିଥିଲା । ଚମତ୍କାର ଫର୍ମରେ ରହିଥିବା ଓପ୍ନର କେଏଲ୍ ରାହୁଲ୍ 26 ବଲ୍ରୁ 39 ରନ୍ ସଂଗ୍ରହ କରିଥିବା ବେଳେ ଶେଷ ଭାଗରେ ଶାର୍ଦ୍ଦୁଲ୍ ଠାକୁର 15 ବଲ୍ରୁ 20 ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ । ଗୋଟିଏ ପଟୁ ଓ୍ବିକେଟ୍ ଖସି ଚାଲିଥିଲେ ମଧ୍ୟ ମନୀଷ ପାଣ୍ଡେ 36ଟି ବଲ୍ର ସମ୍ମୁଖୀନ ହୋଇ 3ଟି ଚୌକା ସହାୟତାରେ 50 ରନ୍ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଇଶ୍ ସୋଧୀ 26 ରନ୍ ବିନିମୟକରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ହାମିସ ବେନଟ୍ ଦୁଇଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । (ଏଜେନ୍ସୀ)