ଖେଳରତ୍ନ ପୁରସ୍କାର ପାଇଁ ରୋହିତଙ୍କ ନାମ ସୁପାରିଶ କଲା ବିସିସିଆଇ

Published: May 30, 2020, 8:25 pm IST

ନୂଆଦିଲ୍ଲୀ : ଖେଳରତ୍ନ ପୁରସ୍କାର ପାଇଁ ବିସିସିଆଇ ପକ୍ଷରୁ ରୋହିତ ଶର୍ମାଙ୍କ ନାମ ସୁପାରିଶ କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ଅନ୍ୟ 3 ଜଣ ଖେଳାଳିଙ୍କ ନାମ ସୁପାରିଶ କରିଛି ବିସିସିଆଇ । ଏହି ତାଲିକାରେ ଦୁଇ ଜଣ ପୁରୁଷ ଖେଳାଳି ରହିଥିବା ବେଳେ ଜଣେ ମହିଳା ଖେଳାଳି ରହିଛନ୍ତି । ଇଶାନ୍ତ ଶର୍ମା, ଶିଖର ଧଓ୍ବନ୍‌ ଏବଂ ଦୀପ୍ତି ଶର୍ମାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛି ବିସିସିଆଇ ।

ଭାରତୀୟ ଦିନିକିଆ ଦଳର ଉପ ଅଧିନାୟକ ରହିଥିବା ରୋହିତ ଶର୍ମା କ୍ଷୁଦ୍ର ଫର୍ମାଟରେ ଭାରତର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି । ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । 2019 କ୍ୟାଲେଣ୍ଡର ବର୍ଷରେ ରୋହିତ ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ବେଳେ ବିଶ୍ବକପ୍‌ର 9ଟି ମ୍ୟାଚ୍‌ରେ 648 ରନ୍‌ ସଂଗ୍ରହ କରିଥିଲେ । ଏହା ସହିତ ରୋହିତ ଟି 20ରେ 4ଟି ଶତକ ମଧ୍ୟ ହାସଲ କରିଛନ୍ତି ।

ରୋହିତଙ୍କ ଓପନିଂ ପାର୍ଟନର ଶିଖର ଧଓ୍ବନ୍‌ ଏବଂ ଭାରତର ଏକ ନମ୍ବର ଟେଷ୍ଟ ବୋଲର ଇଶାନ୍ତ ଶର୍ମାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଥିବା ବେଳେ ମହିଳା ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶନିବାର ଏହି 4 ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । (ଏଜେନ୍ସି)

Related posts