ଭାରତ ବନାମ ଅଷ୍ଟ୍ରେଲିଆ: ହାର୍ଦ୍ଦିକଙ୍କ ଲଢୁଆ ବ୍ୟାଟିଂ ବଳରେ ଟି-ଟ୍ୱେଣ୍ଟି ସିରିଜ କବଜା କଲା ବିରାଟ ବାହିନୀ

Published: Dec 6, 2020, 6:07 pm IST

ସିଡନୀ: ଆଜି ଭାରତୀୟ ଦଳ ଦ୍ଵିତୀୟ ଟି-ଟ୍ୱେଣ୍ଟି ମ୍ୟାଚକୁ ଦୁଇଟି ବଲ ବାକି ଥାଇ ବିଜୟ ଲାଭ କରିଛି। ଭାରତ ଏହି ମ୍ୟାଚକୁ ୬ ୱିକେଟରେ ବିଜୟ ଲାଭ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲଢୁଆ ବ୍ୟାଟିଂ ବଳରେ ବିରାଟ ବାହିନୀ ଏହି ସଫଳତା ପାଇଛି। ଏହା ସହିତ ଭାରତ  ଆଉ ଗୋଟିଏ ମ୍ୟାଚ ପୂର୍ବରୁ ୨-୦ ରେ ସିରିଜକୁ ଜିତି ନେଇଛି। ହାର୍ଦ୍ଦିକଙ୍କ ଦମଦାର ବ୍ୟାଟିଂ ଯୋଗୁଁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷଣା କରାଯାଇଛି। ସେ ମାତ୍ର ୨୨ ଟି ବଲରେ ୪୨ ରନ ସଂଗ୍ରହ କରିଥିଲେ। ସେହିପରି ଶିଖର ଧାବନ ୩୬ ଟି ବଲରେ ଧୂଆଁଧାର ବ୍ୟାଟିଂ କରି ୫୨ରନ ସଂଗ୍ରହ କରିଥିବା ବେଳେ ଅଧିନାୟକ ବିରାଟ କୋହିଲିଙ୍କ ଉପଯୋଗୀ ୨୪ ଟି ବଲରେ ୪୦ ରନ ଦଳକୁ ବିଜୟୀ କରିବାରେ ସହାୟ ହୋଇଥିଲା।

ତେବେ ଭାରତ ଦଳରେ ଦ୍ଵିତୀୟ ପଦାର୍ପଣ ମ୍ୟାଚରେ ଖେଳୁଥିବା ଦ୍ରୁତ ବୋଲର ଟି. ନଟରାଜନ ୪ ଓଭର ବୋଲିଂ କରି ମାତ୍ର ୨୦ ରନ ଦେଇ ଦୁଇଟି ୱିକେଟ ଅକ୍ତିଆର କରିଥିଲେ।

ପୂର୍ବରୁ ଅଷ୍ଟ୍ରେଲିଆ ଦଳ ୨୦ ଓଭର ଖେଳି ୫ ଟି ୱିକେଟ ହରାଇ ୧୯୪ ରନ କରିଥିଲା। ଯାହାକି ଭାରତ ୧୯.୪ ଓଭରରେ ୪ ଟି ୱିକେଟ ହରାଇ ୧୯୫ ରନ କରି ବିଜୟ ଲାଭ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ୱାଡେ ୩୨ ଟି ବଲରେ ୫୮ ରନ କରିଥିବା ବେଳେ ଷ୍ଟିଭ ସ୍ମିଥ ୩୮ ବଲରେ ୪୬ ରନ ଏବଂ ହେନ୍ରୀକ୍ସ ୧୮ ବଲରେ ୨୬ ରନ ସଂଗ୍ରହ କରିଥିଲେ।

Related posts