ବାଣପୁର: ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କୃଷକ ସାଥି ନୀଳାଦ୍ରୀ ଭୂଷଣ ମିଶ୍ରଙ୍କ ଅକାଳ ବିୟୋଗ ଘଟିଛି। ବାଣପୁର ଅଞ୍ଚଳର ନୀଳାଦ୍ରୀ ଭୂଷଣ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଜଣେ ଦକ୍ଷ ଚାଷୀ ଭାବେ ସୁନାମ ଅର୍ଜ୍ଜନ କରିଥିଲେ। ସୋମବାର ବିଳମ୍ବିତ ରାତ୍ରିରେ ତାଙ୍କର ହୃଦଘାତ ଯୋଗୁଁ ପରଲୋକ ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ପାରାଳାଖେମୁଣ୍ଡିରେ କୃଷି ବିଭାଗରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ସାନ ଭାଇଙ୍କ ଘରକୁ ୩/୪ ଦିନ ପୂର୍ବେ ଯାଇଥିବା ବେଳେ ହଠାତ ସେ ସେଠାରେ ଅଚେତ ହୋଇ ତଳେ ପଡିଯାଇଥିଲେ। ନୀଳାଦ୍ରୀଙ୍କୁ ତୁରନ୍ତ ସେଠାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରକାଶ ଥାଉ ଯେ, ଜଣେ ଉଚ୍ଚ ଶିକ୍ଷିତ ଏବଂ ଦକ୍ଷ ଚାଷୀ ଭାବେ ସେ ବାଣପୁର ବ୍ଲକର କୃଷି ବିଭାଗ ସହ ଯୋଗସୂତ୍ର ରକ୍ଷା କରି ଅତ୍ୟାଧୁନିକ ଉପାୟରେ କିପରି ଉନ୍ନତମାନର ଚାଷ କାର୍ଯ୍ୟ କରାଯାଇପାରିବ, ସେନେଇ ସେ ସର୍ବଦା ଚେଷ୍ଟା କରୁଥିଲେ। ସେ ବାଣପୁର ବ୍ଲକରେ ଦୀର୍ଘ ୧୫ ରୁ ଉର୍ଦ୍ଧ୍ଵ ବର୍ଷ ଧରି କୃଷକ ସାଥି ଭାବେ କାର୍ଯ୍ୟ କରୁଥିଲେ। ଜଣେ ସରଳ, ପରୋପକାରୀ, ମେଳାପୀ, ମିଷ୍ଟଭାଷୀ ଭାବେ ସେ ବାଣପୁର ବ୍ଲକର ସମସ୍ତ କୃଷି ଅଧିକାରୀ ଏବଂ ଶତାଧିକ ଚାଷୀଙ୍କ ନିକଟରେ ପରିଚିତ ଥିଲେ।
ତେବେ ନୀଳାଦ୍ରୀଙ୍କ ବିୟୋଗରେ ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଭଳି ଏକ ଦୁଃଖଦ ଖବର ଶୁଣି ବାଣପୁରର କୃଷକ ସାଥି ପରିବାର ସଂପୂର୍ଣ୍ଣ ଭାଙ୍ଗିପଡିଛି। ନୀଳାଦ୍ରିଙ୍କ ପରଲୋକରେ ବାଣପୁର କୃଷି ବିଭାଗ ଶୋକ ବ୍ୟକ୍ତ କରିବା ସହିତ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛି ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛି।