Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ପୁଣି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ, କଲେଜ ଛାତ୍ରଙ୍କୁ ହତ୍ୟା, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ୩ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣା ରାଜ୍ୟବାସୀଙ୍କ ମନରୁ ଏଯାବତ ଲିଭିନଥିବା ବେଳେ ଆଜି ପୁଣି ବାଣପୁର ଥାନା ଅଞ୍ଚଳରେ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ କଲେଜ ପଢୁଆ ଛାତ୍ରଙ୍କ ଶବକୁ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି ବାଣପୁର ପୋଲିସ। ଛାତ୍ର ଜଣକ ହେଉଛନ୍ତି ବାଣପୁର ଥାନା ବଡ଼ହନ୍ତୁଆଡ଼ ଗ୍ରାମ ଖମାର ସାହିର ପ୍ରଶାନ୍ତ ମହାପାତ୍ରଙ୍କ ପୁତ୍ର ଆଶୁତୋଷ ମହାପାତ୍ର (୧୭)।

ଆଶୁତୋଷ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷରେ ପାଠ ପଢୁଥିଲେ। ତେବେ ସୋମବାର ପୂର୍ବାହ୍ନରେ ଆଶୁତୋଷଙ୍କୁ ଦୁର୍ବୁତ୍ତମାନେ ଅପହରଣ କରି ନେଇଯାଇଥିବା ବାଣପୁର ଥାନାରେ ଗତକାଲି ଆଶୁତୋଷଙ୍କ ମାତା ଅନୁପମା ମହାପାତ୍ର ଲିଖିତ ଅଭିଯୋଗ କରିଥିଲେ। ଦୁର୍ବୁତ୍ତମାନେ ଆଶୁତୋଷଙ୍କ ଫୋନରୁ ବାରମ୍ବାର ଆଶୁତୋଷ ଙ୍କ ପିତାଙ୍କ ଫୋନକୁ ଏକାଧିକ ମେସେଜ ପଠାଇଥିଲେ, ଯେଉଁଥିରେ ତାଙ୍କ ପୁଅ ସୁରକ୍ଷିତ ଅଛି ଏବଂ ପାଞ୍ଚ ଲକ୍ଷ ଟଙ୍କା ଦେଲେ ପୁଅକୁ ଛାଡ଼ିବୁ ବୋଲି କହିଥିଲେ।

ତେବେ ଏହା ପୋଲିସର ନିଦ ହଜାଇଦେଇଥିଲା। ବିଗତ ଦୁଇ ଦିନ ହେବ ପୋଲିସ ଉକ୍ତ ଘଟଣାରେ ଏକାଧିକ ବ୍ୟକ୍ତିଙ୍କୁ ଜେରା କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଗତକାଲି ଠାରୁ ଅଭିଯୁକ୍ତ କାହ୍ନା ପ୍ରଧାନଙ୍କୁ ଅଟକ ରଖି ପଚରାଉଚୁରା କରିବାରୁ ସେ ଆଶୁତୋଷଙ୍କ ହତ୍ୟା କରି କୂଅରେ ପକେଇଦେଇଥିବା ସ୍ୱୀକାର କରିଥିଲେ।

ଦୀକ୍ଷିତପଡ଼ା ଓ ଖଣତ ଗ୍ରାମ ମଧ୍ୟବର୍ତ୍ତୀ ଅଞ୍ଚଳର କାହ୍ନାଙ୍କ ଏକ ଅର୍ଦ୍ଧନିର୍ମିତ ଘରେ ଅପହରଣ କରି ରଖିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଦଉଡି ଜରିଆରେ ବେକକୁ ଚିପି ହତ୍ୟା କରି ଉକ୍ତ କୂଅ ମଧ୍ୟକୁ ଫୋପାଡ଼ିଦେଇଥିବାର ଜଣାପଡିଛି।

ଆଜି ଅପରାହ୍ନରେ ବାଲୁଗାଁ ଏସଡିପିଓ ଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ଟିମ ସମ୍ପୃକ୍ତ ଅଞ୍ଚଳକୁ ଅଭିଯୁକ୍ତଙ୍କ ସହ ଯାଇ ସିନ ରିକ୍ରିଏସନ କରିଥିବା ବେଳେ କୂଅରୁ ଆଶୁତୋଷଙ୍କ ମୃତ ଶରୀରକୁ ଉଦ୍ଧାର କରିଛନ୍ତି। ତେବେ କାହ୍ନା କଣ ପାଇଁ ଆଶୁତୋଷଙ୍କୁ ମାରିଲେ ତାହା ଏଯାବତ ସ୍ପଷ୍ଟ ହୋଇପାରିନାହିଁ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ୟୁକ୍ରେନର ଯାତ୍ରୀବାହୀ ବିମାନକୁ ଆଫଗାନିସ୍ତାନରୁ କରାଗଲା ଅପହରଣ

କାବୁଲ: ଆଫଗାନିସ୍ତାନରେ ଏକ ୟୁକ୍ରେନର ବିମାନକୁ ଅପହରଣ କରାଯାଇଛି। ବିମାନଟି ଅପହରଣ ହୋଇଥିବା ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ଦାବି କରିଛନ୍ତି। ଦାବି ହେଉଛି ଯେ, ୟୁକ୍ରେନ ବିମାନ ନିଜ ଲୋକଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତର କରିବାକୁ ଆସିଥିଲା। ବିମାନଟି ଅପହରଣ ପରେ ଇରାନକୁ ନିଆଯାଇଛି ବୋଲି ଦାବି କରାଯାଇଛି। ବିମାନରେ ମୋଟ ୮୩ ଜଣ ଯାତ୍ରୀ ଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ନିଖୋଜ ଝିଅ ୧୦ ବର୍ଷ ପରେ ଘରକୁ ଫେରିଲା: ଅପହରଣ କରି ନେଇଥିବା ମହିଳା ନାମରେ ଥାନାରେ ଅଭିଯୋଗ

କନ୍ଦର୍ପ ବେହେରା
ରେଢାଖୋଲ: ନିଖୋଜ ହେବାର ଦଶବର୍ଷ ପରେ ଜଣେ ଏଗାର ବର୍ଷ ବୟସର ବାଳିକା ନିଜର ଜନ୍ମ ମାଟିକୁ ଫେରିଛନ୍ତି। ଅପହରଣ କରିନେଇଥିବା ମହିଳାଙ୍କ ନାମରେ ଏନେଇ ରେଢାଖୋଲ ଥାନାରେ ଏକ ଗୁରୁତର ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଲୁହାପଙ୍କ ପଂଚାୟତର ଖରସାଳି ଗ୍ରାମରେ ଏପରି ଘଟଣା ସାମ୍ନା ଆସିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଲୁହାପଙ୍କ ପଂଚାୟତର ଖରସାଳି ଗ୍ରାମର ଆଦିବାସୀ ବାଳିକା ସବିତା କିସାନ୍। ସେ ୧୦ ବର୍ଷ ତଳେ ରେଢାଖୋଲ ବଜାରକୁ ଯାଇଥିବା ବେଳେ ତାଙ୍କର ଜଣେ ସଂପର୍କିୟା ମହିଳା ନିଶା ବଟିକା ଦେଇ ତାଙ୍କୁ ଅପହରଣ କରିନେଇଥିଲେ। ସେ ବାଳିକାକୁ ଗୋପାଳ ସାହୁ ନାମକ ବ୍ୟକ୍ତିଙ୍କ ଠାରେ କିଛି ଟଙ୍କା ବିନିମୟରେ ବିକ୍ରି କରିଥିଲେ ବୋଲି ବାଳିକା ଜଣଙ୍କ ଅଭିଯାଗ କରିଛନ୍ତି। ସେଇ ସମୟରେ ନାବାଳିକାର ବୟସ ମାତ୍ର ୧୧ ବର୍ଷ ହୋଇଥିଲା। ବାଳିକାର ପରିବାର ଲୋକେ ବହୁ ଯାଗା ଖୋଜା ଖୋଜି କରିଥିଲେ ମଧ୍ୟ ଝିଅକୁ ପାଇ ନ ଥିଲେ। ଏପରିକି ଥାନାରେ ମଧ୍ୟ ଅଭିଯୋଗ କରି ନ ଥିବା ଜଣା ପଡିଛି। ନିଖୋଜ ବାଳିକାର ପରିବାର ଲୋକେ ଝିଅ ନିଖୋଜ ସଂପର୍କରେ କାହିଁକି ଥାନାରେ ଅଭିଯୋଗ କରି ନ ଥିଲେ ତାହା ହିଁ ବଡ ପ୍ରଶ୍ନ !

ବାଳିକାଟି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ଏବଂ ଆଉ ଚାରିଜଣ ଝିଅ କୁ ମଧ୍ୟ ଗୋପାଳ ତାମିଲନାଡୁରେ ରଖି କୌଣସି ଏକ ଜାଗାରେ କାମ କରାଉଥିଲେ ବୋଲି ବାଳିକା ପ୍ରକାଶ କରିଛି। ଗୋପାଳର ଘର ସୋନପୁର ଜିଲ୍ଲାରେ ବୋଲି ଜଣା ପଡିଛି। ସେ ଅସୁସ୍ଥତା କାରଣରୁ ଓଡିଶା ଫେରିଆସିଥିବା ବେଳେ ଗତ କିଛିଦିନ ତଳେ ତାର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି। ବାଳିକାକୁ ଗୋପାଳର ମାଆ ନିଜ ଗାଁକୁ ଫେରିଯିବାକୁ କହିଥିଲେ ମଧ୍ୟ ତାର ସାହାସ ନ ଥିବାରୁ ଶନିବାର ଦିନ ଜନୈକ ବ୍ୟକ୍ତିଙ୍କ ସହାୟତାରେ ସେ ଓଡିଶାକୁ ଫେରି ଆସିଥିଲେ। ଏନେଇ ଗତକାଲି ସେରେଢାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଜଣାପଡିଛି। ଖାଲି ଯେ ସବିତା ଭଳି ଝିଅ ନିଖୋଜ ହୋଇଯାଉଛନ୍ତି ତା ନୁହଁ ଏମିତି ଅଗୋଚରରେ ଅନେକ ଝିଅ ରେଢାଖୋଲ ଅଂଚଳରୁ ନିଖୋଜ ହେଇଯାଉଥିବା ଶୁଣିବାକୁ ମିଳୁଛି। ଥାନାରେ ମଧ୍ୟ ନିଖୋଜ ସଂପର୍କରେ କୌଣସି ଅଭିଯୋଗ ନ ଥିବାରୁ ପୋଲିସ୍ କିଛି କରିପାରୁ ନ ଥିବା ଜଣା ପଡିଛି। ବାହର ରାଜ୍ୟକୁ ଯାଇ ବହୁ ଝିଅ ବହୁ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି। ଏପରିକି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହି ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି। ହେଲେ ଏସବୁର ତଥ୍ୟ ପୋଲିସ୍ ପାଖରେ ନାହିଁ। କେତେକ ସ୍ଥଳରେ ପରିବାର ଲୋକେ ମଧ୍ୟ ଝିଅକୁ ବାହାର ରାଜ୍ୟକୁ ପଠାଇ ଦେଉଛନ୍ତି ଟଙ୍କା ରୋଜଗାର ପାଇଁ।