Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗାଁ ରେ ଛାୟୀ ଯାଇଛି କିଡନୀ ରୋଗ, ଆତଙ୍କରେ ଗ୍ରାମବାସୀ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ପୁରା ଗାଁରେ ଛାୟୀ ଯାଇଛି କିଡନୀ ରୋଗ। ଆତଙ୍କରେ ଗ୍ରାମବାସୀ। ଜଣେ ନୁହେଁ କି ଦୁଇ ଜଣ ନୁହଁ, ସାରା ଗ୍ରାମର ପରିବାରରେ ଖେଳିଯାଇଛି କିଡନୀ ରୋଗ। ଏବେ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଟିପିଗୁଡା ପଞ୍ଚାୟତ ଟେକପରା ଓ ଭିର୍କା ପଡ଼ାଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଗ୍ରାମରେ ଏ ପର୍ଯ୍ୟନ୍ତ ତିରିଶରୁ ଉର୍ଦ୍ଧ୍ଵ କିଡନୀ ରୋଗୀ ଚିହ୍ନଟ ହୋଇଥିବା ବେଳେ ତା’ ମଧ୍ୟରୁ ୮/୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ପ୍ରକାଶ କରନ୍ତି। ତେବେ କୋଉ କାରଣରୁ ଗାଁ ରେ କିଡନୀ ରୋଗୀ ସଂଖ୍ୟା ହୁହୁ ହୋଇ ବଢୁଛି କାରଣ ଅସ୍ପଷ୍ଟ ଥିବାବେଳେ ଦୂଷିତ ଜଳ ଯୋଗୁଁ ବ୍ୟାପୁ ଥିବା ଅନୁମାନ କରାଯାଏ।

ଗ୍ରାମରେ ଥିବା ନଳକୂପରୁ ବ୍ୟବହାର କରୁଥିବା ପାଣି ଫ୍ଲୋରାଇଡଯୁକ୍ତ ଥିବା ବେଳେ ଗ୍ରାମବାସୀ ଦୀର୍ଘ ଦୁଇ କିଲୋମିଟର ଦୂର ଯାଇ ଏକ ନଦୀରୁ ପାଣି ଆଣିଥାନ୍ତି। କିଛି ବର୍ଷ ତଳେ ଏକ ଡ଼ାକ୍ତରୀ ଟିମ୍ ମଧ୍ୟ ଉକ୍ତ ଗ୍ରାମକୁ ଆସି ପରୀକ୍ଷା ନିରୀକ୍ଷା କରି ଫେରିଛନ୍ତି। ହେଲେ ଆଜିଯାଏ ଆଖିଦୃଶିଆ ପଦକ୍ଷେପ ପ୍ରଶାସନ ପକ୍ଷରୁ ଗ୍ରହଣ କରି ନାହିଁ। ଯାହା ଗ୍ରାମବାସୀଙ୍କ ଭିତରେ କ୍ଷୁବ୍ଧ ପ୍ରକାଶ ପାଇଛି।

ଗାଁ ରେ ଅନେକ ନେତା ରାଜନେତା ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କ ପାଦ ପଡିଛି। ହେଲେ କୌଣସି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଏପରି କି ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ, ମନ୍ତ୍ରୀଙ୍କୁ ଗ୍ରାମବାସୀ ଲିଖିତ ଜଣାଇ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ, ଯାହା ଏବେ ଗ୍ରାମରେ ଉଦବେଗ ଦେଖା ଦେଇଛି।

ସାଧାରଣ ଭାବେ ଗ୍ରାମର ଅଧିକାଂଶ ଗରିବ ହୋଇଥିବା ବେଳେ ମୂଲ ଲାଗିଲେ ପେଟରେ ଦାନା ପଡେ। ଏଭଳି ସ୍ଥିତିରେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ଏହାର ପ୍ରତିକାର ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ଦାବି ହେଉଛି।