Categories
ଆଜିର ଖବର ରାଜ୍ୟ ଖବର

ନିରଞ୍ଜନ ରଥଙ୍କୁ ଅଦାଲତ ଝଟକା: ଅନ୍ତରୀଣ ରହିତାଦେଶ ଆବେଦନ ଖାରଜ

କଟକ: ଲୋକସେବକ ମଣ୍ଡଳର ପୂର୍ବତନ ଆଜୀବନ ସଦସ୍ୟ ନିରଞ୍ଜନ ରଥଙ୍କୁ ଲାଗିଛି ଅଦାଲତର ଝଟକା। ଲୋକସେବକ ମଣ୍ଡଳ ପକ୍ଷରୁ ତାଙ୍କ ପ୍ରତି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇବାକୁ ଶ୍ରୀରଥ ଅଦାଲତର ଦ୍ୱାରସ୍ଥ ହୋଇଥିବା ବେଳେ ଅଦାଲତ ଉକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି।

ଜିମ୍‍ସାରରେ ପରିଚାଳନାଗତ ବିଭ୍ରାଟ, ପାଣ୍ଠି ଦୁରୁପଯୋଗ ଏବଂ ଅନ୍ୟାନ୍ୟ ଅନିୟମିତତା ସଂକ୍ରାନ୍ତରେ ଲୋକସେବକ ମଣ୍ଡଳ ନିକଟରେ ଗୁରୁତର ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଲୋକସେବକ ମଣ୍ଡଳର କାର୍ଯ୍ୟନିର୍ବାହୀ ପରିଷଦ ପକ୍ଷରୁ ୨୦୨୩ ଅକ୍ଟୋବର ୨୭ ରେ ଅନୁଷ୍ଠିତ ବୈଠକରେ ଅଡିଟରଙ୍କ ସହିତ ୩ଜଣିଆ ସଦସ୍ୟଙ୍କ ଦ୍ୱାରା ଏକ ତଦନ୍ତ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି କମିଟି ଦ୍ୱାରା ୨୦୨୪ ଜାନୁଆରୀ ୨୪ରେ ମିଳିଥିବା ରିପୋର୍ଟରେ ଜିମ୍‍ସାରରେ ଏକାଧିକ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଦର୍ଶାଯାଇଥିଲା।

ଏହି ରିପୋର୍ଟ ଉପରେ ଲୋକସେବକ ମଣ୍ଡଳର ଷ୍ଟାଣ୍ଡିଂ କମିଟି ଓ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଉପସ୍ଥାପିତ ହେବା ସହ ଏହା ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟନିର୍ବାହୀ ପରିଷଦ (ଇସି) ସଦସ୍ୟମାନଙ୍କ ମତାମତ ନେବା ପରେ ଲୋକସେବକ ମଣ୍ଡଳର ସଭାପତି ଏ ପ୍ରସଙ୍ଗରେ ଅନୁସନ୍ଧାନ ପାଇଁ ଉପଯୁକ୍ତ ସଂସ୍ଥାର ସହାୟତା ନେବାକୁ ନିଷ୍ପତ୍ତି ନେଇଥିଲେ। ଲୋକସେବକ ମଣ୍ଡଳ ସମ୍ବିଧାନର ଧାରା ୮ରେ ଧାର୍ଯ୍ୟ ବ୍ୟବସ୍ଥା ଅନୁସାରେ ସଭାପତିଙ୍କ ଉପରେ ନ୍ୟସ୍ତ କ୍ଷମତା ବଳରେ ସଭାପତି ନିରଞ୍ଜନ ରଥଙ୍କୁ କୋଷାଧ୍ୟକ୍ଷ ପଦରୁ ଅବ୍ୟାହତି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ।

ଅନ୍ତରିଣ ପଦକ୍ଷେପ ଭାବେ ୧୮୬୭ ପ୍ରେସ୍‍ ଓ ରେଜିଷ୍ଟ୍ରେସନ ଅଫ୍‍ ବୁକ୍‍ସ ଆକ୍ଟର ବ୍ୟବସ୍ଥା ଅନୁସାରେ ୨୦୨୪ ଫେବୃଆରୀ ୨୧ ତାରିଖ ଠାରୁ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଭାବେ ଲୋକସେବକ ମଣ୍ଡଳର ସଭାପତି ନିଯୁକ୍ତି ଦେଇଛନ୍ତି। ‘ସମାଜ’, ‘ଜିମ୍‍ସାର’ ଓ ‘ସତ୍ୟବାଦୀ’ ସମେତ ଲୋକସେବକ ମଣ୍ଡଳର କୌଣସି କାର୍ଯ୍ୟରେ ନିରଞ୍ଜନ ରଥ ସଂପୃକ୍ତ ରହିବେ ନାହିଁ ବୋଲି ସଭାପତି ନିର୍ଦ୍ଦେଶ ଦେଇଥିଲେ।

ଏଥିସହ ବହୁ ଦୁର୍ନୀତି, ପ୍ରିୟାପ୍ରୀତି, ତଥ୍ୟ ଗୋପନ ଭଳି ଗୁରୁତର ଅଭିଯୋଗ ଉପରେ ପ୍ରସ୍ତାବିତ ତଦନ୍ତକୁ ଚାପ ଓ ପ୍ରଭାବମୁକ୍ତ ରଖିବା ଉଦ୍ଦେଶ୍ୟରେ ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ପଦରୁ ଶ୍ରୀ ରଥଙ୍କୁ ଗତ ମାର୍ଚ୍ଚ ୨୯ ତାରିଖରେ ସଭାପତି ନିଳମ୍ବନ କରିଥିଲେ। ଏଥିସହ ତାଙ୍କ ବିରୋଧରେ ଉଠିଥିବା ବହୁ ଗୁରୁତର ଅଭିଯୋଗର ତଦନ୍ତ ସକାଶେ ନିରପେକ୍ଷ ତଦନ୍ତ ଅଧିକାରୀଙ୍କ ନାମ ସଭାପତିଙ୍କୁ ସୁପାରିସ କରିବା ପାଇଁ ମଣ୍ଡଳର ଦୁଇ ବରିଷ୍ଠ ଆଜୀବନ ସଭ୍ୟଙ୍କୁ ସଭାପତି ଅନୁରୋଧ କରିଥିଲେ।

ଲୋକସେବକ ମଣ୍ଡଳର ଏହି କାର୍ଯ୍ୟାନୁଷ୍ଠାନ ତଥା ଦାୟିତ୍ୱରୁ ଅବ୍ୟାହତି ଓ ପରେ ନିଳମ୍ବନ ଆଦେଶ ବିରୋଧରେ ନିରଞ୍ଜନ ରଥ କଟକ ସ୍ଥିତ ବରିଷ୍ଠ ଦେୱାନୀ ବିଚାରପତି (ପ୍ରଥମ)ଙ୍କ ଅଦାଲତର ଦ୍ୱାରସ୍ଥ ହେବା ସହ ସେଠାରେ ଏକ ଦେୱାନୀ ମାମଲା ରୁଜୁ କରିଥିଲେ। ଲୋକସେବକ ମଣ୍ଡଳର ଓଡିଶା ଶାଖା ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପକୁ ରୋକିବା ଏବଂ ନିଳମ୍ବନ ଆଦେଶ ଉପରେ ଅନ୍ତରୀଣ (ମଧ୍ୟବର୍ତ୍ତୀ) ଅଙ୍କୁଶ ଲଗାଇବାକୁ ସେ ଅଦାଲତରେ ଆବେଦନ କରିଥିଲେ।

ତେବେ ମଧ୍ୟବର୍ତ୍ତିକାଳୀନ ରହିତାଦେଶ ଦେବାକୁ ଶ୍ରୀରଥ କରିଥିବା ଆବେଦନକୁ ଅଦାଲତ ଗ୍ରହଣ ନକରି ଖାରଜ କରିଦେଇଥିଲେ। ପ୍ରତିପକ୍ଷଙ୍କ ଉପରେ ମଧ୍ୟବର୍ତ୍ତି ଅଙ୍କୁଶ ଜାରି କରିବାର କୌଣସି ଜରୁରୀ ଆବଶ୍ୟକତା ଅନୁଭବ କରୁନାହାନ୍ତି ବୋଲି ଅଦାଲତ ତାଙ୍କ ଆଦେଶନାମାରେ (ତା.୮-୦୪-୨୦୨୪) ସ୍ପଷ୍ଟ କରିଛନ୍ତି। ଆସନ୍ତା ମଇ ୮ ତାରିଖକୁ ମୂଳ ମକଦ୍ଦମାର ଶୁଣାଣି ଧାର୍ଯ୍ୟ ହୋଇଛି।

ନିରଞ୍ଜନ ରଥଙ୍କ ଆବେଦନକୁ ଅଦାଲତ ଖାରଜ କରିଦେବା ପରେ ତାଙ୍କ ପ୍ରତି ଲୋକସେବକ ମଣ୍ଡଳର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କଣ ହେବ ତାହାକୁ ଓଡିଶାବାସୀ ଚାହିଁ ବସିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସତ୍ୟେନ୍ଦ୍ର ଜୈନଙ୍କ ଆବେଦନ ଖାରଜ, ଜେଲରେ ଉପବାସ ପାଇଁ ମିଳିବ ନାହିଁ ସ୍ୱତନ୍ତ୍ର ଖାଦ୍ୟ

ନୂଆଦିଲ୍ଲୀ: ଧାର୍ମିକ ବିଶ୍ୱାସ ଆଧାରରେ ଜେଲରେ ଖାଦ୍ୟ ଯୋଗାଇଦେବାକୁ ଅନୁରୋଧ କରି ତିହାର ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଆବେଦନକୁ ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି।ସ୍ଵତନ୍ତ୍ର ଜଜ୍ ବିକାଶ ଧୁଲ ଶୁକ୍ରବାର ଦିନ ଏହି ଆଦେଶ ଜାରି କରିବାକୁ ଯାଉଥିଲେ ମଧ୍ୟ ସେ ଏହାକୁ ନଭେମ୍ବର ୨୬ ତାରିଖ ଶନିବାର ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

ଜେଲରେ ସାଧାରଣ ଖାଦ୍ୟ ଏବଂ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଉ ନାହିଁ ବୋଲି ସତ୍ୟେନ୍ଦ୍ର ଜୈନ ଅଭିଯୋଗ କରିଥିଲେ। ଏହି ଆବେଦନପତ୍ରରେ ଦର୍ଶାଯାଇଥିଲା ଯେ, ମେ ୩୧ ତାରିଖରେ ଗିରଫ ହେବା ଦିନଠାରୁ ସେ ଜୈନ ମନ୍ଦିର ପରିଦର୍ଶନ କରିପାରିନଥିଲେ ଏବଂ ଜୈନ ଧର୍ମର ଜଣେ ଅନୁଗାମୀ ହୋଇଥିବାରୁ ସେ ଧାର୍ମିକ ଉପବାସ ପାଳନ କରୁଛନ୍ତି। କିନ୍ତୁ ତାଙ୍କୁ ରନ୍ଧା ଖାଦ୍ୟ, ଡାଲି ଏବଂ କ୍ଷୀର ଦିଆଯାଉ ନାହିଁ। ଜୈନ ଧର୍ମକୁ ମନ୍ତ୍ରୀ କଠୋର ଅନୁସରଣ କରୁଛନ୍ତି ବୋଲି ଦାବି କରାଯାଇଥିଲା।

ଜେଲ ପ୍ରଶାସନ ଏହି ଅଭିଯୋଗକୁ ଅସ୍ୱୀକାର କରି କୋର୍ଟଙ୍କୁ କହିଛନ୍ତି ଯେ, କୌଣସି କଏଦୀଙ୍କୁ ପ୍ରଶାସନ ବିଶେଷ ସୁବିଧା ଦେବ ବୋଲି ଆଶା କରିବା ଭୁଲ ଅଟେ। ଜେଲ ପ୍ରଶାସନ ଦାବି କରିଛି ଯେ, ସମସ୍ତ ବନ୍ଦୀଙ୍କୁ ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଯୋଗାଇ ଦିଆଯାଉଛି ଏବଂ ଜାତି, ଧର୍ମ ଏବଂ ବର୍ଣ୍ଣ ଆଧାରରେ କୌଣସି ଭେଦଭାବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହାଇକୋର୍ଟରୁ ଉଦ୍ଧବ ଠାକରେଙ୍କୁ ଝଟକା: ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରୁ ଉଦ୍ଧବ ଠାକରେଙ୍କୁ ଏକ ଝଟକା ଲାଗିଛି। ନିର୍ବାଚନ ଆୟୋଗ (ECI) ଙ୍କ ନିଷ୍ପତ୍ତି ବିରୋଧରେ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଶିବସେନାର ନାମ ଏବଂ ନିର୍ବାଚନ ଚିହ୍ନ ଫ୍ରିଜ୍ କରିଥିବା ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଉଦ୍ଧବ ଠାକରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ କହିଛନ୍ତି ଯେ, ନିର୍ବାଚନ ଆୟୋଗ ଶୀଘ୍ର ଚିହ୍ନ ଏବଂ ଦଳ ବଣ୍ଟନ କାର୍ଯ୍ୟ ଶେଷ କରିବା ଉଚିତ।

ମହାରାଷ୍ଟ୍ରରେ ଉପ-ନିର୍ବାଚନ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଦଳର ଉଭୟ ଦଳକୁ ଅସ୍ଥାୟୀ ଭାବରେ ଏକ ନୂତନ ନାମ ଏବଂ ନିର୍ବାଚନ ଚିହ୍ନ ପ୍ରଦାନ କରିଥିଲେ। ଉଦ୍ଧବ ଠାକରେ ତାଙ୍କ ପିଟିସନରେ କହିଥିଲେ ଯେ, ସେ ୩୦ ବର୍ଷ ଧରି ଦଳ ଚଳାଉଛନ୍ତି, କିନ୍ତୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ତାଙ୍କ ପିତା ଦେଇଥିବା ନାମ ଏବଂ ନିର୍ବାଚନ ସଙ୍କେତ ବ୍ୟବହାର କରିବାରେ ଅସମର୍ଥ। ସେ କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତି ଯୋଗୁଁ ଦଳର ରାଜନୈତିକ କାର୍ଯ୍ୟକଳାପ ସମାପ୍ତ ହୋଇଛି। କୋର୍ଟରେ ହାଜର ହେବା ପରେ ଉଦ୍ଧବଙ୍କ ଓକିଲ କହିଛନ୍ତି ଯେ, ମାମଲା ସମାପ୍ତ ନହେବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଏହି ଚିହ୍ନକୁ ଫ୍ରିଜ୍ କରିପାରିବେ ନାହିଁ।

ତେବେ ନିର୍ବାଚନ ଚିହ୍ନ ଏବଂ ଦଳର ନାମ ବଣ୍ଟନ ସହ ଜଡିତ ପ୍ରକ୍ରିୟା ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି। ବାସ୍ତବରେ ଉଭୟ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ଶିବସେନାର ନାମ ଏବଂ ଚିହ୍ନ ଦାବି କରିଥିଲେ।