ଭୁବନେଶ୍ବର: ଭାରତର ପ୍ରତିଷ୍ଠିତ ଇମାମୀ ଗ୍ରୁପ ଦ୍ବାରା ପରିଚାଳିତ ଆମ୍ରି ହସପିଟାଲ ବିକ୍ରୀ ହୋଇଗଲା। ଏହାକୁ କିଣିଲେ ମଣିପାଲ ହେଲଥ୍ ଇଣ୍ଟରପ୍ରାଇଜେସ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି କଂପାନୀ ପ୍ରାୟ ୨୩୫୦ କୋଟି ଟଙ୍କା ମୂଲ୍ୟରେ ଏମଆରଆଇ ବା ଆମ୍ରି ହସ୍ପିଟାଲର ଇମାମି ଗ୍ରୁପ୍ର ଅଂଶଧନ ହାସଲ କରିବାକୁ ଯାଉଛି।
ଇମାମୀ ଗ୍ରୁପର ପୂର୍ବ ଭାରତରେ ତିନୋଟି ଆମ୍ରି ହସପିଟାଲ ରହିଛି। ଦୁଇଟି କୋଲକାତାରେ ଥିବା ବେଳେ ଗୋଟିଏ ଭୁବନେଶ୍ବରରେ ରହିଛି। ଏହି ତିନୋଟି ହସପିଟାଲକୁ ଇମାମୀ ଗ୍ରୁପ ବିକ୍ରି କରିଦେଇଛି। ବର୍ତ୍ତମାନ ଭୁବନେଶ୍ବର ହସପିଟାଲରେ ମନିପାଲର କର୍ମଚାରୀମାନେ ଆସି ବସୁଥିବାର ଜଣାପଡିଛି। ଏହି ଡିଲ ହେବା ପରେ ଆମ୍ରି ହସପିଟାଲର ମୁଖ୍ୟ ଥିବା ନିଳଞ୍ଜନା ମୁଖାର୍ଜୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କଳିଙ୍ଗ ହସପିଟାଲର ମୁଖ୍ୟ ଭାବେ ଯୋଗ ଦେଇଛନ୍ତି।
ମଣିପାଲ ଦୁଇଟି ଭାଗରେ ଅମ୍ରିର ଅଂଶଧନ କ୍ରୟ କରିବ। ପ୍ରଥମେ ବୃହତ ପ୍ରତିଶତ ରାଶି ପଇଠ କରିବ, ଏହାପରେ ଅବଶିଷ୍ଟ ପ୍ରାୟ ଏକ ବର୍ଷ ପରେ ଦିଆଯିବ ବୋଲି ଡିଲର ନିକଟତର ସୂତ୍ରରୁ ପ୍ରକାଶ। ଏଥିରେ ରହିଛି ଯେ, ଇମାମି ବିରୋଧରେ ବିଚାରାଧୀନ ସମସ୍ତ ମାମଲାଗୁଡିକୁ ମଣିପାଲ ହେଲଥ୍ ପ୍ରତ୍ୟାହାର କରିବ।
ଗତ ବର୍ଷ ମଣିପାଲ ଆମ୍ରିକୁ କିଣିବା ପାଇଁ ବୁଝାମଣା ହୋଇଥିଲା ହେଲେ ପରବର୍ତ୍ତି ସମୟରେ ତାହା ବାତିଲ ହୋଇଗଲା। ଏହାକୁ ନେଇ ମଣିପାଲ ଇମାମୀ ଗ୍ରୁପ ବିରୋଧରେ ବିଭିନ୍ନ ମାମଲା ଋଜୁ କରିଛି। ରାଜି ହୋଇଥିବା ଏକ ବିକ୍ରୟ ଯୋଜନାକୁ ଫେରିବା ପାଇଁ ମଣିପାଲ ଇମାମିଙ୍କ ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଥିଲା।
ତେବେ ଅନ୍ୟ ଏକ ସୁତ୍ର ଅନୁସାରେ ମଣିପାଲ ହେଲଥକୁ ସିଙ୍ଗାପୁରର ଏକ କଂପାନୀ ଅଧିଗ୍ରହଣ କରିଛି। ସିଙ୍ଗାପୁର ବେସରକାରୀ ଇକ୍ୱିଟି ପ୍ରମୁଖ ‘ଟେମାସେକ’ ୪ ବିଲିୟନ ଡଲାର ବା ୩୨,୮୦୦ କୋଟି ଟଙ୍କା ମୂଲ୍ୟରେ ମନିପାଲ ହେଲଥ ଏଣ୍ଟରପ୍ରାଇଜେସରେ ଏକ ନିୟନ୍ତ୍ରିତ ଅଂଶ କିଣିବ ବୋଲି ବ୍ୟାଙ୍କ ସୂତ୍ରରୁ ପ୍ରକାଶ।
ତେବେ ଏ ସବୁ କାରାବାର ସଂପର୍କରେ ବ୍ୟବସାୟ ଦୃଷ୍ଟିକୋଣରୁ ଉଭୟ କଂପାନୀ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।