Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ସିନେମା

‘ଦ ମ୍ୟାଜିକ୍ ଅଫ୍ ଏଆଇ’ ଶୀର୍ଷକ ଏମଆଇଏଫଏଫ୍ ଆଲୋଚନା

ମୁମ୍ବାଇ: ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମଆଇଏଫଏଫ) ୨୦୨୪ରେ ଚଳଚ୍ଚିତ୍ର ଉଦ୍ୟୋଗ ଉପରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଏକ ବୌଦ୍ଧିକ ପ୍ୟାନେଲ ଆଲୋଚନା ହୋଇଥିଲା। ‘ଦ ମ୍ୟାଜିକ୍ ଅଫ୍ ଏଆଇ’ ଶୀର୍ଷକ ଏହି ଅଧିବେଶନରେ ଚଳଚ୍ଚିତ୍ର ନିର୍ମାଣରେ ଏଆଇ ଟେକ୍ନୋଲୋଜିର ପରିସର, ପ୍ରୟୋଗ ଏବଂ ନୈତିକ ବିଚାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଲୋଚନାରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ଏଆଇର ଲାଭ ଏବଂ ସମ୍ଭାବ୍ୟ ତ୍ରୁଟି ବିଷୟରେ ଆଲୋଚନା କରିଥିଲେ ଏବଂ ଶିଳ୍ପ ଉପରେ ଏହାର ପ୍ରଭାବର ଏକ ବିସ୍ତୃତ ସମୀକ୍ଷା କରିଥିଲେ।

ବିଶେଷଜ୍ଞମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ଜଗତର ଜଣାଶୁଣା ବ୍ୟକ୍ତିବିଶେଷ ଏବଂ ଏଆଇ ବିଶେଷଜ୍ଞଙ୍କ ସମେତ ତ୍ରିବେନ୍ଦ୍ରମର ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ଏଆଇ ବିଶେଷଜ୍ଞ; ସୋସାଇଟି ଅଫ୍ ମୋସନ୍ ପିକ୍ଚର୍ ଆଣ୍ଡ ଟେଲିଭିଜନ ଇଞ୍ଜିନିୟର୍ସ, ଇଣ୍ଡିଆର ଅଧ୍ୟକ୍ଷ ତଥା ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନର ବୈଷୟିକ ପରାମର୍ଶଦାତା ଉଜ୍ଜ୍ୱଳ ନିର୍ଗୁଡକର; ଫାୟାରଫ୍ଲାଇ କ୍ରିଏଟିଭ୍ ଷ୍ଟୁଡିଓର ସହପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସନତ ପି.ସି. ଏବଂ ଚିତକାରା ବିଶ୍ୱବିଦ୍ୟାଳୟର ଆନିମେସନ୍ ଆଣ୍ଡ ଡିଜାଇନ୍ ଡିନ୍ ସଞ୍ଜୟ ଜାଙ୍ଗିଡ୍। ଏହି ଅଧିବେଶନକୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନ ବିଜ୍ଞାନ ପ୍ରସାର ସହ କାର୍ଯ୍ୟ କରୁଥିବା ବିଜ୍ଞାନ ଯୋଗାଯୋଗକାରୀ ତଥା ବିଜ୍ଞାନ ଚଳଚ୍ଚିତ୍ର କ୍ୟୁରେଟର ଡ. ନିମିଷ କପୁର ପରିଚାଳନା କରିଥିଲେ।

ଶଙ୍କର ରାମକ୍ରିଷ୍ଣନ୍ ଚଳଚ୍ଚିତ୍ର ନିର୍ମାଣରେ ଏଆଇ ଆଣିଥିବା ଦକ୍ଷତା ଉପରେ ଆଲୋକପାତ କରି କହିଥିଲେ ଯେ, ଏଆଇ ପ୍ରତ୍ୟେକ କାମ ପାଇଁ ଆବଶ୍ୟକ ସମୟକୁ ହ୍ରାସ କରି ଚଳଚ୍ଚିତ୍ର ସେଟ୍ ରେ ଅନେକ କାର୍ଯ୍ୟକୁ ସଠିକ୍ ଭାବରେ ପରିଚାଳନା କରିପାରିବ । ସେ ଦର୍ଶାଇଛନ୍ତି ଯେ ଏଆଇ ମାନବ ଶ୍ରମର ଆବଶ୍ୟକତାକୁ ହ୍ରାସ କରୁଥିବା ବେଳେ ଏହା ଲୋକମାନଙ୍କୁ ଟେକ୍ନୋଲୋଜି ଉପରେ ଅତ୍ୟଧିକ ନିର୍ଭରଶୀଳ କରିବାର ବିପଦ ମଧ୍ୟ ରହିଛି । ଏଆଇ ମାତ୍ର ଗୋଟିଏ କ୍ଲିକ୍ ରେ ସବୁ ପ୍ରକାର କାମ ପରିଚାଳନା କରିପାରିବ, କିନ୍ତୁ ଏହା ଆମ ପାଇଁ କାମ କରି ଆମକୁ ଅଳସୁଆ କରିବାର କ୍ଷମତା ମଧ୍ୟ ରଖିଛି ବୋଲି ସେ କହିଛନ୍ତି।

ଉଜ୍ଜ୍ୱଲ ନିର୍ଗୁନକର ପ୍ରଯୁକ୍ତି ଦ୍ରୁତ ବିକାଶ ଏବଂ ନିରନ୍ତର ଅପଡେଟ୍ ର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଭବିଷ୍ୟବାଣୀ କରିବା ପାଇଁ ଡାଟାରେ ଢାଞ୍ଚା ଉପରେ ନିର୍ଭର କରୁଥିବା ପାରମ୍ପରିକ ଏଆଇ ଏବଂ ନୂତନ, ସମାନ ଡାଟା ସୃଷ୍ଟି କରିବା ପାଇଁ ଉପଲବ୍ଧ ଡାଟାରୁ ଶିଖିଥିବା ଜେନେରେଟିଭ୍ ଏଆଇ ମଧ୍ୟରେ ପାର୍ଥକ୍ୟ ବିଷୟରେ ସେ ବର୍ଣ୍ଣନା କରିଥିଲେ । ଚଳଚ୍ଚିତ୍ର ଜଗତରେ ନବାଗତ ଏବଂ କ୍ଷୁଦ୍ର ନିର୍ମାତାମାନଙ୍କ ପାଇଁ ସମାନ ସୁଯୋଗ ଦେବା ପାଇଁ ଏଆଇର ସମ୍ଭାବନା ଉପରେ ସେ ଆଲୋକପାତ କରିଥିଲେ। ଷ୍ଟୋରିବୋର୍ଡ ପ୍ରସ୍ତୁତ ହେଲେ ଏଆଇ କିପରି ପ୍ରକଳ୍ପ ପାଇଁ ଆବଶ୍ୟକ ଉପାଦାନ ପରାମର୍ଶ ଦେଇପାରିବ ସେ ବିଷୟରେ ଶ୍ରୀ ନିର୍ଗୁଙ୍କର କହିଥିଲେ, କିନ୍ତୁ ଏହାକୁ ନୈତିକ ଭାବରେ ବ୍ୟବହାର କରାଯିବା ଆବଶ୍ୟକ ବୋଲି ସେ ସତର୍କ କରାଇ ଦେଇଥିଲେ ।

ସନତ ପିସି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଆତ୍ମଚିନ୍ତା ବା ସେଲ୍ଫ ଥିଙ୍କିଙ୍ଗ୍‌ ଦକ୍ଷତା ଏବଂ ଚଳଚ୍ଚିତ୍ରରେ କାହାଣୀ କୁ ବୃଦ୍ଧି କରିବାରେ ଏହାର ଭୂମିକା ବିଷୟରେ ଆଲୋଚନା କରିଥିଲେ । କୌଣସି ସଫ୍ଟୱେର କିମ୍ବା ଟେକ୍ନୋଲୋଜି କିପରି ମଣିଷ ଦ୍ୱାରା ନିୟନ୍ତ୍ରିତ ହୁଏ ଏବଂ ଆମର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରାଯାଇପାରିବ ସେ ବିଷୟରେ ଦାୟିତ୍ୱପୂର୍ଣ୍ଣ ବ୍ୟବହାରର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ । ଏଆଇକୁ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରିବା ଆମର ଦାୟିତ୍ୱ ବୋଲି ସେ ଦର୍ଶକମାନଙ୍କୁ ମନେ ପକାଇ ଦେଇଥିଲେ।

ସଞ୍ଜୟ ଜାଙ୍ଗିଡ ଏଆଇର ସମ୍ଭାବ୍ୟ ପ୍ରଭାବକୁ ବିଦ୍ୟୁତ୍, ଇଣ୍ଟରନେଟ୍ ଏବଂ ମୋବାଇଲ୍ ଫୋନ୍ ଭଳି ଅତୀତର ବୈଷୟିକ ବିପ୍ଳବ ସହିତ ତୁଳନା କରିଥିଲେ। ସେ ନୈତିକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିବା ସହ ଏଆଇକୁ ସର୍ଟକଟ ଭାବରେ ବ୍ୟବହାର ନ କରିବାକୁ ଚେତାବନୀ ଦେଇଥିଲେ । ‘‘ଯଦି ଆପଣ ଅଳିଆ ପକାଇବେ, ତେବେ ଆପଣ ଅଳିଆ ହିଁ ପାଇବେ। ଆମେ ଏଆଇକୁ ସତର୍କତାର ସହ ଏବଂ କେବଳ ଭଲ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିବା ଉଚିତ,’’ ସେ କହିଥିଲେ।

ନୈତିକ ବିଚାର ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାରର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ଚଳଚ୍ଚିତ୍ର ଶିଳ୍ପରେ ବିପ୍ଳବ ଆଣିବା ପାଇଁ ଏଆଇର ସାମର୍ଥ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷଜ୍ଞମାନଙ୍କର ଅନ୍ତର୍ଦୃଷ୍ଟି ଏଆଇର ଯୁଗରେ ଚଳଚ୍ଚିତ୍ର ନିର୍ମାଣର ଭବିଷ୍ୟତ ଉପରେ ମୂଲ୍ୟବାନ ଦୃଷ୍ଟିକୋଣ ପ୍ରଦାନ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ଜିପିଏଆଇ ଶିଖର ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବୈଶ୍ୱିକ ସହଭାଗିତା (ଜିପିଏଆଇ) ଶିଖର ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରୀୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଛନ୍ତି। ଜିପିଏଆଇ ହେଉଛି ଏକ ବହୁ-ଅଂଶୀଦାର ଆଧାରିତ ପ୍ରୟାସ ଯେଉଁଥିରେ ୨୯ ଟି ସଦସ୍ୟ ଦେଶ ଏଆଇ ସମ୍ବନ୍ଧୀୟ ପ୍ରାଥମିକତା ଉପରେ ଅତ୍ୟାଧୁନିକ ଗବେଷଣା ଏବଂ ପ୍ରୟୋଗ କାର୍ଯ୍ୟକଳାପକୁ ସମର୍ଥନ କରି ଏଆଇ କ୍ଷେତ୍ରରେ ବିଷୟବସ୍ତୁ ଏବଂ ଅଭ୍ୟାସ ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୨୪ରେ ଭାରତ ଜିପିଏଆଇର ମୁଖ୍ୟ ଅଧ୍ୟକ୍ଷତା ଦାୟିତ୍ୱ ନିର୍ବାହ କରୁଛି।

ସମଗ୍ର ବିଶ୍ୱ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ବିତର୍କ କରୁଥିବା ବେଳେ ଆସନ୍ତା ବର୍ଷ ଜିପିଏଆଇ ଶିଖର ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରୁଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ। ଏହି କ୍ଷେତ୍ରରେ ସାମ୍ନାକୁ ଆସୁଥିବା ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଦିଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଷ୍ଟ୍ରକୁ ଦିଆଯାଇଥିବା ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ଏଆଇର ବିଭିନ୍ନ ଶିଳ୍ପ ନେତାଙ୍କ ସହ କଥାବାର୍ତ୍ତା କରିବା ଏବଂ ଜିପିଏଆଇ ଶିଖର ସମ୍ମିଳନୀ ବିଷୟରେ ଆଲୋଚନା କରିବା ପ୍ରସଙ୍ଗ ମନେ ପକାଇଥିଲେ। ଛୋଟ ହେଉ କି ବଡ଼ ସବୁ ଦେଶ ଉପରେ ଏଆଇର ପ୍ରଭାବ ପଡ଼ିଛି ବୋଲି ସେ କହିଛନ୍ତି ଏବଂ ଏ ଦିଗରେ ସତର୍କତାର ସହ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଛନ୍ତି। ଜିପିଏଆଇ ଶିଖର ସମ୍ମିଳନୀରେ ହୋଇଥିବା ଆଲୋଚନା ମାନବିକତାର ମୂଳଦୁଆକୁ ଦିଗଦର୍ଶନ ଦେବ ଏବଂ ସୁରକ୍ଷିତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଏଆଇ ପ୍ରତିଭା ଏବଂ ଏଆଇ ସମ୍ବନ୍ଧୀୟ ଚିନ୍ତାଧାରା କ୍ଷେତ୍ରରେ ଭାରତ ପ୍ରମୁଖ ରାଷ୍ଟ୍ର । ଭାରତୀୟ ଯୁବକମାନେ ଏଆଇ ଟେକ୍ନୋଲୋଜିର ପରୀକ୍ଷଣ ଓ ସୀମାକୁ ଆଗକୁ ବଢ଼ାଉଥିବାରୁ ଭାରତରେ ଏକ ଜୀବନ୍ତ ଏଆଇ ଭାବନା ଦୃଶ୍ୟମାନ ହେଉଛି ବୋଲି ସେ କହିଛନ୍ତି। ଶିଖର ସମ୍ମିଳନୀରେ ଏଆଇ ପ୍ରଦର୍ଶନୀରେ ପ୍ରଦର୍ଶିତ ବିଭିନ୍ନ ପ୍ରଯୁକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୁବକମାନେ ଟେକ୍ନୋଲୋଜି ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀ ନିକଟରେ ଆରମ୍ଭ ହୋଇଥିବା ଏଆଇ କୃଷି ଚାଟ୍‌ବୋଟ୍‌ ବିଷୟରେ ସୂଚନା ଦେଇଥିଲେ ଯାହା କୃଷକମାନଙ୍କୁ କୃଷିର ବିଭିନ୍ନ ଦିଗରେ ସାହାଯ୍ୟ କରିବ । ସ୍ୱାସ୍ଥ୍ୟ ସେବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ କ୍ଷେତ୍ରରେ ଏଆଇର ବ୍ୟବହାର ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

‘‘ଭାରତର ବିକାଶ ମନ୍ତ୍ର ହେଉଛି ‘ସବ୍ କା ସାଥ ସବକା ବିକାଶ'” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ସରକାର ସମସ୍ତଙ୍କ ପାଇଁ ଏଆଇ ଭାବନା ସହିତ ନିଜର ନୀତି ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ । ସାମାଜିକ ବିକାଶ ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଏଆଇର ସାମର୍ଥ୍ୟର ସର୍ବାଧିକ ଫାଇଦା ଉଠାଇବାକୁ ସରକାର ପ୍ରୟାସ କରୁଥିବା ବେଳେ ଏହାର ଦାୟିତ୍ୱପୂର୍ଣ୍ଣ ଏବଂ ନୈତିକ ବ୍ୟବହାର ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିବା ଏବଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଥିବା ଏଆଇ ମିଶନ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯାହାର ଲକ୍ଷ୍ୟ ଏଆଇର କମ୍ପ୍ୟୁଟିଂ କ୍ଷମତା ପ୍ରତିଷ୍ଠା କରିବା । ଏହା ଦ୍ୱାରା ଭାରତରେ ଷ୍ଟାର୍ଟଅପ୍ ଏବଂ ଉଦ୍ଭାବକମାନଙ୍କୁ ଉନ୍ନତ ସେବା ମିଳିବ ଏବଂ କୃଷି, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା କ୍ଷେତ୍ରରେ ଏଆଇ ଆପ୍ଲିକେସନକୁ ପ୍ରୋତ୍ସାହନ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶିକ୍ଷାପ୍ରଶିକ୍ଷଣ ଅନୁଷ୍ଠାନ ମାଧ୍ୟମରେ ଟାୟର ୨ ଏବଂ ୩ ସହରରେ ଏଆଇ ସମ୍ବନ୍ଧୀୟ ଦକ୍ଷତା ପହଞ୍ଚାଇବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏଆଇ ପଦକ୍ଷେପକୁ ପ୍ରୋତ୍ସାହିତ କରୁଥିବା ଭାରତର ଜାତୀୟ ଏଆଇ ପୋର୍ଟାଲ ବିଷୟରେ ପ୍ରଧାନମନ୍ତ୍ରୀ ଏଆଇଆରଏଡବ୍ଲ୍ୟୁଏଟି ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ । ସେ ସୂଚନା ଦେଇଥିଲେ ଯେ ପ୍ରତ୍ୟେକ ଗବେଷଣା ପରୀକ୍ଷାଗାର, ଶିଳ୍ପ ଏବଂ ଷ୍ଟାର୍ଟଅପ୍ ପାଇଁ ଖୁବ୍ ଶୀଘ୍ର ଏକ ସାଧାରଣ ପ୍ଲାଟଫର୍ମ ଖୋଲାଯିବ ।

ଏଆଇର ଗୁରୁତ୍ୱ ଉପରେ ଜୋର୍‌ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭବିଷ୍ୟତ ଗଠନ ପାଇଁ ଏଆଇ ସବୁଠାରୁ ବଡ ଆଧାର ପାଲଟିଛି । ଏଆଇ ଯେହେତୁ ଲୋକଙ୍କୁ ସଂଯୋଗ କରିପାରିବ, ଏହା କେବଳ ଆର୍ଥିକ ବିକାଶକୁ ସୁନିଶ୍ଚିତ କରିବ ନାହିଁ ବରଂ ଏହା ସମାନତା ଓ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବ। ସେ ଏଆଇକୁ ଅଧିକ ସମାବେଶୀ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଏଆଇର ବିକାଶ ଯାତ୍ରା ଯେତେ ଅଧିକ ସମାବେଶୀ ହେବ, ଫଳାଫଳ ସେତେ ଅଧିକ ସମାବେଶୀ ହେବ। ଗତ ଶତାବ୍ଦୀରେ ବୈଷୟିକ ଜ୍ଞାନକୌଶଳର ଅସମାନ ଉପଲବ୍ଧତା ସମାଜରେ ଅସମାନତାକୁ ଆହୁରି ବଢ଼ାଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଏହାକୁ ଏଡ଼ାଇବା ପାଇଁ ବୈଷୟିକ ଜ୍ଞାନକୌଶଳରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅବହେଳା କରାଯିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଆଇ ବିକାଶର ଦିଗ ସମ୍ପୂର୍ଣ୍ଣ ଭାବେ ମାନବିକ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ନିର୍ଭର କରିବ। ଦକ୍ଷତା ସହିତ ଭାବପ୍ରବଣତା, ପ୍ରଭାବ ସହିତ ନୈତିକତାକୁ ସ୍ଥାନ ଦେବା ଆମ ଉପରେ ନିର୍ଭର କରିଥାଏ ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଯେକୌଣସି ବ୍ୟବସ୍ଥାକୁ ସ୍ଥାୟୀ କରିବା ପାଇଁ ଏହାକୁ ପରିବର୍ତ୍ତନଶୀଳ, ସ୍ୱଚ୍ଛ ଏବଂ ବିଶ୍ୱସନୀୟ କରିବା ଜରୁରୀ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏଆଇ ପରିବର୍ତ୍ତନଶୀଳ କିନ୍ତୁ ଏହାକୁ ଅଧିକରୁ ଅଧିକ ସ୍ୱଚ୍ଛ କରିବା ଆମ ଉପରେ ନିର୍ଭର କରେ। ବ୍ୟବହାର କରାଯାଉଥିବା ତଥ୍ୟକୁ ସ୍ୱଚ୍ଛ ଏବଂ ପକ୍ଷପାତମୁକ୍ତ ରଖିବା ଏକ ଭଲ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏଆଇର ବିକାଶ ଯାତ୍ରାରେ କେହି ପଛରେ ପଡ଼ିବେ ନାହିଁ ବୋଲି ସବୁ ଦେଶମାନଙ୍କୁ ଆଶ୍ୱାସନା ଦେବା ଜରୁରୀ ବୋଲି ସେ କହିଛନ୍ତି। ଏଆଇ ଉପରେ ବିଶ୍ୱାସ ସେତେବେଳେ ବୃଦ୍ଧି ପାଇବ ଯେତେବେଳେ ସମ୍ପୃକ୍ତ ନୈତିକ, ଆର୍ଥିକ ଏବଂ ସାମାଜିକ ଦିଗପ୍ରତି ଧ୍ୟାନ ଦିଆଯିବ । ଏହାର ଏକ ଉପାୟ ହେଉଛି ଦକ୍ଷତା ଏବଂ ପୁନରୁଦ୍ଧାରକୁ ଏଆଇ ଅଭିବୃଦ୍ଧି ଧାରାର ଏକ ଅଂଶ କରିବା ବୋଲି ସେ କହିଛନ୍ତି। ଡାଟା ସୁରକ୍ଷା ଏବଂ ଦକ୍ଷିଣ ବିଶ୍ୱ ବା ଗ୍ଲୋବାଲ୍‌ ସାଉଥ୍‌କୁ ଆଶ୍ୱାସନା ମଧ୍ୟ ଅନେକ ଚିନ୍ତା ଦୂର କରିବ ।

ଏଆଇର ନକାରାତ୍ମକ ଦିଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ଏହା ଏକବିଂଶ ଶତାବ୍ଦୀରେ ବିକାଶର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେବାର ସାମର୍ଥ୍ୟ ରଖିଛି, ତଥାପି ଏହାର ନକାରାତ୍ମକ ଦିଗ ବିନାଶରେ ମାରାତ୍ମକ ଭୂମିକା ଗ୍ରହଣ କରିପାରିବ । ଡିପ୍ ଫେକ୍, ସାଇବର ସିକ୍ୟୁରିଟି, ଡାଟା ଚୋରି ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକ ଏଆଇ ଉପକରଣର ଦୁରୂପଯୋଗ କରିବା ଭଳି ଆହ୍ୱାନ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଏହାର ମୁକାବିଲା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଦାୟିତ୍ୱବାନ ମାନବ-କେନ୍ଦ୍ରୀତ ଏଆଇ ପ୍ରଶାସନ ପାଇଁ ଏକ ଢାଞ୍ଚା ସୃଷ୍ଟି କରିବାକୁ ଭାରତର ପ୍ରସ୍ତାବ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଜି-୨୦ ନୂଆଦିଲ୍ଲୀ ଘୋଷଣାନାମା ‘ଏଆଇ ନୀତି’ ପ୍ରତି ସମସ୍ତ ସଦସ୍ୟ ରାଷ୍ଟ୍ରର ପ୍ରତିବଦ୍ଧତାକୁ ଦୋହରାଇଛି। ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗରେ ବୁଝାମଣା, ପ୍ରୋଟୋକଲ ଭଳି ଏକାଠି କାମ କରିବା, ଉଚ୍ଚ ବିପଦପୂର୍ଣ୍ଣ କିମ୍ବା ଛାମୁଆଁ ଏଆଇ ଉପକରଣର ପରୀକ୍ଷଣ ଏବଂ ବିକାଶ ସମେତ ଏଆଇର ନୈତିକ ବ୍ୟବହାର ପାଇଁ ଏକ ଢାଞ୍ଚା ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦୃଢ଼ ବିଶ୍ୱାସ, ପ୍ରତିବଦ୍ଧତା, ସମନ୍ୱୟ ଏବଂ ସହଯୋଗର ଆବଶ୍ୟକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱକୁ ଏହି ଦିଗରେ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ ନ କରିବାକୁ ଆହ୍ୱାନ ଦେଇଥିଲେ । ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆମକୁ ବୈଶ୍ୱିକ ଢାଞ୍ଚା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ମାନବିକତାର ସୁରକ୍ଷା ପାଇଁ ଏହା କରିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି।

ଏଆଇକୁ ଏକ ବିଶ୍ୱବ୍ୟାପୀ ଅଭିଯାନ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଆଇର ବିଶ୍ୱସନୀୟତା ବଢ଼ାଇବା ପାଇଁ କିଛି ପ୍ରଶ୍ନ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଯେପରିକି ଏଆଇ ଉପକରଣଗୁଡିକର ପରୀକ୍ଷଣ ଏବଂ ପ୍ରଶିକ୍ଷଣ ପାଇଁ ଡାଟା ସେଟ୍, କୌଣସି ଉତ୍ପାଦକୁ ବଜାରକୁ ଛାଡିବା ପୂର୍ବରୁ ପରୀକ୍ଷଣର ଅବଧି ଏବଂ ସମୟ । କୌଣସି ସୂଚନା କିମ୍ବା ଉତ୍ପାଦକୁ ଏଆଇ ଦ୍ୱାରା ସୃଷ୍ଟ ବୋଲି ଦର୍ଶାଇ ଚିହ୍ନିତ କରିବା ପାଇଁ ଏକ ସଫ୍ଟୱେର ୱାଟରମାର୍କ ପ୍ରଚଳନ କରାଯାଇପାରିବ କି ବୋଲି ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ।

ସରକାରଙ୍କ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରମାଣ ଭିତ୍ତିକ ନିଷ୍ପତ୍ତି ନେବା ପାଇଁ ବିଭିନ୍ନ ଯୋଜନାର ତଥ୍ୟ ଅନୁସନ୍ଧାନ କରିବା ପରାମର୍ଶ ଦେଇଥିଲେ। ଏଥିସହିତ ଏଆଇ ଉପକରଣଗୁଡ଼ିକୁ ପ୍ରଶିକ୍ଷଣ ଦେବା ପାଇଁ ଏହି ଡାଟା ବ୍ୟବହାର କରାଯାଇପାରିବ କି ନାହିଁ ତାହା ଦେଖିବାକୁ କହିଥିଲେ । ସେ ପ୍ରଶ୍ନ କରିଥିଲେ ଯେ ଏପରି ଏକ ଅଡିଟ୍ ବ୍ୟବସ୍ଥା ହୋଇପାରିବ କି ଯାହା ଏଆଇ ଉପକରଣଗୁଡିକୁ ସେମାନଙ୍କ କ୍ଷମତା ଅନୁଯାୟୀ ଲାଲ, ହଳଦିଆ କିମ୍ବା ସବୁଜ ବର୍ଗରେ ବର୍ଗୀକୃତ କରିପାରିବ। “ଆମେ ଏକ ସଂସ୍ଥାଗତ ବ୍ୟବସ୍ଥା ସ୍ଥାପନ କରିପାରିବା କି ଯାହା ସହାୟକ ନିଯୁକ୍ତି ସୁନିଶ୍ଚିତ କରିବ? ଆମେ ମାନକ ବୈଶ୍ୱିକ ଏଆଇ ଶିକ୍ଷା ପାଠ୍ୟକ୍ରମ ଆଣିପାରିବା କି? ଏଆଇ ଭିତ୍ତିକ ଭବିଷ୍ୟତ ପାଇଁ ଲୋକଙ୍କୁ ପ୍ରସ୍ତୁତ କରିବା ପାଇଁ ଆମେ ମାନଦଣ୍ଡ ସ୍ଥିର କରିପାରିବା କି?”, ପ୍ରଧାନମନ୍ତ୍ରୀ ନିଜର ଅନୁସନ୍ଧିତ୍ସା ବ୍ୟକ୍ତ କରି କହିଥିଲେ।

ଭାରତରେ ଶତାଧିକ ଭାଷା ଏବଂ ହଜାର ହଜାର ଉପଭାଷାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଡିଜିଟାଲ ସମାବେଶୀତା ବୃଦ୍ଧି ପାଇଁ ସ୍ଥାନୀୟ ଭାଷାରେ ଡିଜିଟାଲ ସେବା ଉପଲବ୍ଧ କରାଇବା ପାଇଁ ଏଆଇ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଲୁପ୍ତ ହୋଇଯାଉଥିବା କଥିତ ଭାଷାଗୁଡ଼ିକୁ ପୁନରୁଦ୍ଧାର କରିବା, ସଂସ୍କୃତ ଭାଷାର ସମୃଦ୍ଧ ଜ୍ଞାନ ଭିତ୍ତିଭୂମି ଏବଂ ସାହିତ୍ୟକୁ ଆଗେଇ ନେବା ଏବଂ ବୈଦିକ ଗଣିତର ହଜିଯାଇଥିବା ଅଧ୍ୟାୟଗୁଡ଼ିକୁ ପୁନର୍ବାର ସଂଗ୍ରହ କରିବା ପାଇଁ ସେ ଏଆଇ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଜିପିଏଆଇ ଶିଖର ସମ୍ମିଳନୀ ବିଚାର ବିନିମୟ ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ଏବଂ ପ୍ରତ୍ୟେକ ପ୍ରତିନିଧିଙ୍କ ପାଇଁ ଏକ ଶ୍ରେଷ୍ଠ ଶିଖିବାର ଅନୁଭୂତି ସାବ୍ୟସ୍ତ ହେବ । ଆସନ୍ତା ଦୁଇ ଦିନ ମଧ୍ୟରେ ଆପଣ ଏଆଇର ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିବେ। ମୁଁ ଆଶା କରୁଛି ଯେ ସମ୍ମିଳନୀର ଫଳାଫଳ କାର୍ଯ୍ୟକାରୀ ହେଲେ ନିଶ୍ଚିତ ଭାବରେ ଏକ ଦାୟିତ୍ୱବାନ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ମାର୍ଗ ପ୍ରଶସ୍ତ ହେବ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଜିପିଏଆଇର ବିଦାୟୀ ଅଧ୍ୟକ୍ଷ ଏବଂ ଜାପାନ ସରକାରଙ୍କ ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ନୀତି ସମନ୍ୱୟ ଉପମନ୍ତ୍ରୀ ହିରୋସି ୟୋଶିଦା ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ କ୍ରିଷ୍ଣନ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଜିପିଏଆଇ ହେଉଛି ୨୯ଟି ସଦସ୍ୟ ଦେଶ ସହିତ ଏକ ବହୁ-ଅଂଶୀଦାର ଆଧାରିତ ପଦକ୍ଷେପ, ଯାହାର ଲକ୍ଷ୍ୟ ହେଉଛି ଏଆଇ ସମ୍ବନ୍ଧୀୟ ପ୍ରାଥମିକତା ଉପରେ ଅତ୍ୟାଧୁନିକ ଗବେଷଣା ଏବଂ ପ୍ରୟୋଗ କାର୍ଯ୍ୟକଳାପକୁ ସମର୍ଥନ କରି ଏଆଇ ଉପରେ ବିଷୟବସ୍ତୁ ଏବଂ ଅଭ୍ୟାସ ମଧ୍ୟରେ ରହିଥିବା ବ୍ୟବଧାନକୁ ପୂରଣ କରିବା। ୨୦୨୪ରେ ଭାରତ ଜିପିଏଆଇର ମୁଖ୍ୟ ଅଧ୍ୟକ୍ଷ ରହିଛି। ୨୦୨୦ରେ ଜିପିଏଆଇର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ, ଜିପିଏଆଇର ବର୍ତ୍ତମାନର ଆଗାମୀ ସହଅଧ୍ୟକ୍ଷ ଏବଂ ୨୦୨୪ରେ ଜିପିଏଆଇର ମୁଖ୍ୟ ଅଧ୍ୟକ୍ଷ ଭାବରେ, ଭାରତ ଡିସେମ୍ବର ୧୨-୧୪, ୨୦୨୩ ପର୍ଯ୍ୟନ୍ତ ବାର୍ଷିକ ଜିପିଏଆଇ ଶିଖର ସମ୍ମିଳନୀ ଆୟୋଜନ କରୁଛି ।

ସମ୍ମିଳନୀରେ ଏଆଇ ଏବଂ ବିଶ୍ୱ ସ୍ୱାସ୍ଥ୍ୟ, ଶିକ୍ଷା ଓ ଦକ୍ଷତା, ଏଆଇ ଓ ଡାଟା ଗଭର୍ଣ୍ଣାନ୍ସ ଏବଂ ଏମଏଲ କର୍ମଶାଳା ଭଳି ବିଭିନ୍ନ ବିଷୟ ଉପରେ ଏକାଧିକ ଅଧିବେଶନ ଆୟୋଜନ କରାଯିବ। ଶିଖର ସମ୍ମିଳନୀର ଅନ୍ୟ ଆକର୍ଷଣ ଗୁଡିକ ମଧ୍ୟରେ ଗବେଷଣା ସିମ୍ପୋଜିୟମ, ଏଆଇ ଗେମଚେଞ୍ଜର୍ସ ଆୱାର୍ଡ ଏବଂ ଇଣ୍ଡିଆ ଏଆଇ ଏକ୍ସପୋ ଅନ୍ତର୍ଭୁକ୍ତ।

ଏହି ସମ୍ମିଳନୀରେ ବିଭିନ୍ନ ଦେଶରୁ ୫୦ରୁ ଅଧିକ ଜିପିଏଆଇ ବିଶେଷଜ୍ଞ ଏବଂ ୧୫୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ।  ଏହାବ୍ୟତୀତ ଇଣ୍ଟେଲ, ରିଲାଏନ୍ସ ଜିଓ, ଗୁଗୁଲ, ମେଟା, ଏଡବ୍ଲୁଏସ, ୟୋଟା, ନେଟୱେବ, ପେଟିଏମ, ମାଇକ୍ରୋସଫ୍ଟ, ମାଷ୍ଟରକାର୍ଡ, ଏନଆଇସି, ଏସଟିପିଆଇ, ଇମର୍ସ, ଜିଓ ହାପ୍ଟିକ, ଭଶିନି ଇତ୍ୟାଦି ବିଶ୍ୱର ପ୍ରମୁଖ ଏଆଇ ସଂସ୍ଥାର ପ୍ରତିନିଧିମାନେ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାବ୍ୟତୀତ ଯୁବ ଏଆଇ ଏବଂ ଷ୍ଟାର୍ଟଅପ୍ ଅଧୀନରେ ବିଜେତା ହୋଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କର ଏଆଇ ମଡେଲ୍ ଏବଂ ସମାଧାନ ମଧ୍ୟ ପ୍ରଦର୍ଶନ କରିବେ।

******

P.S.

 

Categories
ଆଜିର ଖବର ଜାତୀୟ ଖବର

ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବାର୍ଷିକ ବିଶ୍ୱସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଗ୍ଲୋବାଲ ପାର୍ଟନରସିପ୍ ଅନ୍ ଆର୍ଟିଫିସିଆଲ୍ଇଣ୍ଟେଲିଜେନ୍ସ (ଜିପିଏଆଇ) ସମିଟ୍ / (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେବିଶ୍ୱସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀ) କୁ ଉଦ୍‌ଘାଟନ କରିବେ।

ଜିପିଏଆଇ ହେଉଛି ୨୯ଟି ସଦସ୍ୟ – ଦେଶ ସହିତ ଏକ ବହୁ – ଅଂଶୀଦାରପଦକ୍ଷେପ, ଯାହାର ଲକ୍ଷ୍ୟ ହେଉଛି ଏଆଇ ସମ୍ବନ୍ଧୀୟ ପ୍ରାଥମିକତା ଉପରେଅତ୍ୟାଧୁନିକ ଗବେଷଣା ଏବଂ ପ୍ରୟୋଗ କାର୍ଯ୍ୟକଳାପକୁ ସମର୍ଥନ କରି ଏଆଇଉପରେ ସନ୍ଦର୍ଭ ଏବଂ ଏହାର ବ୍ୟବହାରିକତା ମଧ୍ୟରେ ଥିବା ବ୍ୟବଧାନକୁ ପୂରଣକରିବା। ୨୦୨୪ରେ  ଭାରତ ହେଉଛି ଜିପିଏଆଇର ପ୍ରମୁଖ ଅଧ୍ୟକ୍ଷ ରାଷ୍ଟ୍ର। ୨୦୨୦ ମସିହାରେ ଜିପିଏଆଇର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ, ଜିପିଏଆଇର ବର୍ତ୍ତମାନରଆଗାମୀ ସମର୍ଥନ ଅଧ୍ୟକ୍ଷ ଏବଂ ୨୦୨୪ରେ ଜିପିଏଆଇର ମୁଖ୍ୟ ଅଧ୍ୟକ୍ଷ ଭାବରେ, ଭାରତ ଡିସେମ୍ବର ୧୨ ରୁ ୧୪, ୨୦୨୩ ପର୍ଯ୍ୟନ୍ତ ବାର୍ଷିକ ଜିପିଏଆଇ ଶିଖର ସମ୍ମିଳନୀଆୟୋଜନ କରୁଛି।

ଏହି ସମ୍ମିଳନୀରେ ଏଆଇ ଏବଂ ବିଶ୍ୱ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଦକ୍ଷତା, ଏଆଇ ଏବଂଡାଟା ଗଭର୍ଣ୍ଣାନ୍ସ ଏବଂ ଏମଏଲ କର୍ମଶାଳା ଭଳି ବିଭିନ୍ନ ବିଷୟ ଉପରେ ଏକାଧିକଅଧିବେଶନ ଆୟୋଜନ କରାଯିବ। ଶିଖର ସମ୍ମିଳନୀର ଅନ୍ୟାନ୍ୟ ଆକର୍ଷଣ ଗୁଡିକମଧ୍ୟରେ ଗବେଷଣା ଆଲୋଚନାଚକ୍ର , ଏଆଇ ଗେମଚେଞ୍ଜର୍ସ ପୁରସ୍କାର ଏବଂଇଣ୍ଡିଆ ଏଆଇ ପ୍ରଦର୍ଶନୀ ଅନ୍ତର୍ଭୁକ୍ତ।

ଏହି ସମ୍ମିଳନୀରେ ବିଭିନ୍ନ ଦେଶରୁ ୫୦ରୁ ଅଧିକ ଜିପିଏଆଇ ବିଶେଷଜ୍ଞ ଏବଂ ୧୫୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ। ଏହାବ୍ୟତୀତ ଇଣ୍ଟେଲ, ରିଲାଏନ୍ସ ଜିଓ, ଗୁଗୁଲ, ମେଟା, ଏଡବ୍ଲୁଏସ, ୟୋଟା, ନେଟୱେବ, ପେଟିଏମ, ମାଇକ୍ରୋସଫ୍ଟ, ମାଷ୍ଟରକାର୍ଡ, ଏନଆଇସି, ଏସଟିପିଆଇ, ଇମର୍ସ, ଜିଓ ହାପ୍ଟିକ୍‌, ଭାଷିଣୀ ଇତ୍ୟାଦି ବିଶ୍ୱର ପ୍ରମୁଖଏଆଇ ଗେମଚେଞ୍ଜରମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାବ୍ୟତୀତ ୟୁବା ଏଆଇ ଏବଂ ଷ୍ଟାର୍ଟଅପ୍ ଅଧୀନରେ ବିଜେତା ହୋଇଥିବାଛାତ୍ରଛାତ୍ରୀମାନେ ସେମାନଙ୍କର ଏଆଇ ମଡେଲ୍ ଏବଂ ସମାଧାନ ପ୍ରଦର୍ଶନ କରିବେ।

Categories
ବିଶେଷ ଖବର

ଏଆଇର ନୈତିକ ବ୍ୟବହାରକୁ ନେଇ ବିଶ୍ୱ ପ୍ରଶ୍ନର ସମ୍ମୁଖୀନ ହୋଇଛି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଯୁଗରେ ଲୋକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅନେକ ଆକର୍ଷଣୀୟ ଦିଗର ସମ୍ମୁଖୀନ ହେଉଛନ୍ତି ବୋଲି ପ୍ରଧାନ ବିଚାରପତି ଧନଞ୍ଜୟ ଯଶବନ୍ତ ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ବ୍ୟକ୍ତିତ୍ୱ ମଧ୍ୟରେ ଏକ ଜଟିଳ ପରସ୍ପର ସମ୍ପର୍କ ରହିଛି ଯେଉଁଠାରେ ଆମେ ଉଭୟ ଦାର୍ଶନିକ ପ୍ରତିଫଳନ ଏବଂ ବ୍ୟବହାରିକ ବିଚାର ଆବଶ୍ୟକ କରୁଥିବା ଅଜ୍ଞାତ ଅଞ୍ଚଳରେ ଯାତାୟାତ କରୁଛୁ ବୋଲି ସେ କହିଛନ୍ତି। ସାଉଦି ଆରବରେ ନାଗରିକତା ପାଇଥିବା ଏକ ମାନବ ରୋବଟ ସୋଫିଆର ଉଦାହରଣ ଦେଇ ପ୍ରଧାନ ବିଚାରପତି କହିଛନ୍ତି, ‘ଏଆଇ ଏବଂ ବ୍ୟକ୍ତିତ୍ୱର ସଂଯୋଗ ଉପରେ ବିଚାର କରିବା ସମୟରେ ଆମେ ଏହି ପ୍ରଯୁକ୍ତିର ନୈତିକ ବ୍ୟବହାର ବିଷୟରେ ମୌଳିକ ପ୍ରଶ୍ନର ସମ୍ମୁଖୀନ ହେଉଛୁ। ବଞ୍ଚିବା, ନିଶ୍ୱାସ ନେବା ଏବଂ ଚାଲିବା ସମସ୍ତ ମଣିଷ ସେମାନଙ୍କ ପରିଚୟ ଆଧାରରେ ବ୍ୟକ୍ତିତ୍ୱ ଏବଂ ନାଗରିକତା ପାଇବାକୁ ହକ୍ଦାର କି ନାହିଁ ତାହା ଆମକୁ ଚିନ୍ତା କରିବାକୁ ପଡ଼ିବ।’

୩୬ତମ ‘ଲ ଏସିଆ’ ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରି ପ୍ରଧାନ ବିଚାରପତି ଏହା କହିଛନ୍ତି, ଯେଉଁଠାରେ ସେ ‘ପରିଚୟ, ବ୍ୟକ୍ତିଗତ ଏବଂ ରାଜ୍ୟ – ସ୍ୱାଧୀନତାର ନୂତନ ମାର୍ଗ’ ଉପରେ ବକ୍ତବ୍ୟ ରଖିଥିଲେ ଏବଂ ଏଆଇର ବିଭିନ୍ନ ଦିଗ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ଆଇନଜୀବୀ, ବିଚାରପତି, ଆଇନଜୀବୀ ଏବଂ ଆଇନ ସଂଗଠନର ଏକ ଆଞ୍ଚଳିକ ସଂଘ ଲ ଏସିଆ ଏସିଆ ପ୍ରଶାନ୍ତ ମହାସାଗରୀୟ ଆଇନଗତ ପ୍ରଗତିର ସ୍ୱାର୍ଥ ଏବଂ ଚିନ୍ତାକୁ ପ୍ରୋତ୍ସାହିତ କରେ।

ପ୍ରଧାନ ବିଚାରପତି କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ ପରିଚୟ ଏବଂ ଏହାକୁ ରାଜ୍ୟ ସ୍ୱୀକାର କରିବାଦ୍ୱାରା ସେମାନେ କେଉଁ ସମ୍ବଳ ପାଇବାରେ ସକ୍ଷମ ଅଟନ୍ତି ଏବଂ ସେମାନଙ୍କର ଅଭିଯୋଗ ଉପସ୍ଥାପନ କରିବା ଏବଂ ସେମାନଙ୍କର ଅଧିକାର ଦାବି କରିବାର କ୍ଷମତା ନିର୍ଦ୍ଧାରଣ କରନ୍ତି।

ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସ୍ୱାଧୀନତା ଜଣେ ବ୍ୟକ୍ତିଙ୍କୁ ନିଜ ପାଇଁ ଚୟନ କରିବାକୁ ଏବଂ ଜୀବନର ଗତିପଥ ପରିବର୍ତ୍ତନ କରିବାକୁ ଅନୁମତି ଦେଇଥାଏ, ଯେତେବେଳେ କି ପରିଚୟ ବ୍ୟକ୍ତିର ଏଜେନ୍ସି ଏବଂ ଜୀବନ ପସନ୍ଦ ସହିତ ଜଡ଼ିତ ହୋଇଥାଏ। ଓକିଲ ଭାବରେ ଆମେ ନିରନ୍ତର ଏହି ଛକ ଏବଂ ଲୋକଙ୍କ ଜୀବନ ସୁଯୋଗକୁ ସୀମିତ କିମ୍ବା ସମ୍ପ୍ରସାରଣ କରିବାରେ ରାଜ୍ୟର ଭୂମିକାର ସମ୍ମୁଖୀନ ହେଉଛୁ। ରାଜ୍ୟ ଏବଂ ସ୍ୱାଧୀନତା ମଧ୍ୟରେ ସମ୍ପର୍କକୁ ବ୍ୟାପକ ଭାବରେ ବୁଝାଯାଇଥିବା ବେଳେ ପରିଚୟ ଏବଂ ସ୍ୱାଧୀନତା ମଧ୍ୟରେ ସମ୍ପର୍କ ସ୍ଥାପନ ଏବଂ ବର୍ଣ୍ଣନା କରିବାର କାର୍ଯ୍ୟ ଅସମ୍ପୂର୍ଣ୍ଣ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତା ପାରମ୍ପରିକ ଭାବରେ ବ୍ୟକ୍ତିର ଆତ୍ମନିର୍ଣ୍ଣୟ ସ୍ୱାଧୀନତା ସହିତ ସରକାରୀ ହସ୍ତକ୍ଷେପର ଅଭାବ ଭାବରେ ବ୍ୟାଖ୍ୟା କରାଯାଇଛି। ତେବେ ଆଧୁନିକ ପଣ୍ଡିତମାନେ ଦାବି କରିଛନ୍ତି ଯେ ସାମାଜିକ ଶୃଙ୍ଖଳା ଓ ପୂର୍ବାଗ୍ରହକୁ ବଜାୟ ରଖିବାରେ ରାଜ୍ୟର ଭୂମିକାକୁ ଅଣଦେଖା କରାଯାଇପାରିବ ନାହିଁ।

ବାସ୍ତବରେ ଯଦି ରାଜ୍ୟ ଏଥିରେ ହସ୍ତକ୍ଷେପ ନ କରେ, ତେବେ ସାମାଜିକ ଓ ଅର୍ଥନୈତିକ ପୁଞ୍ଜି ଥିବା ସମ୍ପ୍ରଦାୟଗୁଡ଼ିକ ଐତିହାସିକଭାବେ ଅବହେଳିତ ହୋଇଥିବା ସମ୍ପ୍ରଦାୟ ଉପରେ ଆଧିପତ୍ୟ ପ୍ରୟୋଗ କରିପାରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଆହୁରି କହିଛନ୍ତି ଯେ ପାରମ୍ପରିକ, ଉଦାରବାଦୀ ଆଦର୍ଶରେ ଯେଉଁମାନେ ଜାତି, ଜାତି, ଧର୍ମ, ଲିଙ୍ଗ କିମ୍ବା ଯୌନ ଆଭିମୁଖ୍ୟ କାରଣରୁ ଅବହେଳାର ସମ୍ମୁଖୀନ ହୁଅନ୍ତି, ସେମାନେ ସର୍ବଦା ଅତ୍ୟାଚାରର ସମ୍ମୁଖୀନ ହୁଅନ୍ତି ଯାହା ସାମାଜିକ ପ୍ରଭାବଶାଳୀଙ୍କୁ ଅଧିକ କ୍ଷମତା ପ୍ରଦାନ କରିଥାଏ।

ପ୍ରଧାନ ବିଚାରପତି ଇଂରାଜୀ ଦାର୍ଶନିକ ଜନ୍ ଷ୍ଟୁଆର୍ଟ ମିଲଙ୍କ ସ୍ୱାଧୀନତା ଉପରେ ୧୮୫୯ ମସିହାର ପୁସ୍ତକକୁ ମଧ୍ୟ ଉଦାହରଣ ଦେଇଥିଲେ, ଯେଉଁଥିରେ ଲେଖକ ସ୍ୱାଧୀନତା ଏବଂ କର୍ତ୍ତୃପକ୍ଷ ଏବଂ ରାଜ୍ୟର ଅତ୍ୟାଚାର ମଧ୍ୟରେ ଐତିହାସିକ ଲଢ଼େଇ ବିଷୟରେ ବର୍ଣ୍ଣନା କରିଥିଲେ, ଯାହା ତାଙ୍କ ମତରେ ଲୋକଙ୍କ ସ୍ୱାଧୀନତାଦ୍ୱାରା ନିୟନ୍ତ୍ରିତ ହେବା ଆବଶ୍ୟକ।
ଲେଖକ କର୍ତ୍ତୃପକ୍ଷ ନିୟନ୍ତ୍ରଣକୁ ଦୁଇଟି ବ୍ୟବସ୍ଥାରେ ବିଭକ୍ତ କରିଥିଲେ। ପ୍ରଥମତଃ, ନାଗରିକମାନଙ୍କର ଆବଶ୍ୟକତା ଅଧିକାର ଏବଂ ଦ୍ବିତୀୟତଃ ଶାସନ ପଥର ପ୍ରଭାବ ପ୍ରତି ସମ୍ପ୍ରଦାୟ ସହମତି ପ୍ରକାଶ କରିବା ପାଇଁ ସାମ୍ବିଧାନିକ ନିୟନ୍ତ୍ରଣ ରହିବା ଆବଶ୍ୟକ।

ପ୍ରଧାନ ବିଚାରପତି ସ୍ୱାଧୀନତାର ଧାରଣାକୁ ଆହୁରି ବର୍ଣ୍ଣନା କରି କହିଲେ, ‘ମୋ ନାକ ଆରମ୍ଭ ହେଉଥିବା ସ୍ଥାନରେ ତୁମର ମୁଠି ବୁଲାଇବାର ଅଧିକାର ଶେଷ ହୋଇଯାଏ।’
ସିଜେଆଇ ଶେଷରେ କହିଛନ୍ତି ଯେ, ‘ଆମକୁ ଆମର ଦୃଷ୍ଟିକୋଣକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଉଦାହରଣସ୍ୱରୂପ, ଲୋକସାର୍ବଭୌମତ୍ୱର ଧାରଣାରେ ବହୁଳତା ଏବଂ ବିବିଧତା ମୌଳିକ ହେବା ଆବଶ୍ୟକ।’

Categories
ଆଜିର ଖବର ରାଜ୍ୟ ଖବର

“ନୂତନ ଭାରତର ନୂତନ ଶିକ୍ଷା ନୀତି ଅଭିଯାନ” ର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସମ୍ବଲପୁର: ବିକଶିତ ଏବଂ ଭବ୍ୟ ଭାରତ ଶିକ୍ଷା ମାଧ୍ୟମରେ ହିଁ ହୋଇପାରିବ ବୋଲି ଆଜି ସମ୍ବଲପୁର ଶାସନ ପାବନ ସରୋବର ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ “ନୂତନ ଭାରତର ନୂତନ ଶିକ୍ଷା ନୀତି ଅଭିଯାନ” ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ ପକ୍ଷରୁ ଆଧ୍ୟାତ୍ମିକ ସଶକ୍ତୀକରଣ ମାଧ୍ୟମରେ ଭାରତକୁ ବଢାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ରାଷ୍ଟ୍ରୀୟ ଅଭିଯାନକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୨୦ରେ ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ଗୋଟିଏ ସମୟରେ ଆମ ଦେଶ ସୁନାର ଭାରତ ଥିଲା। ମାତ୍ର ଲମ୍ବା ସମୟର ପରାଧୀନତା କାରଣରୁ ଏଥିରେ ଅଧୋଗତି ଦେଖାଗଲା। ଏହାକୁ ସୁଧାରିବା ଦିଗରେ ବ୍ରହ୍ମାକୁମାରୀ ଅନୁଷ୍ଠାନର ଆଧ୍ୟାତ୍ମିକ ସଶକ୍ତୀକରଣ ମାଧ୍ୟମରେ ଭାରତକୁ ବଢାଇବା ଲକ୍ଷ୍ୟରେ “ନୂତନ ଭାରତର ନୂତନ ଶିକ୍ଷା ନୀତି ଅଭିଯାନ” ସମ୍ବଲପୁରରୁ ଆରମ୍ଭ ହେବା ଖୁସିର ବିଷୟ।

ଦେଶରେ ୧୪୦ କୋଟି ନାଗରିକଙ୍କ ମଧ୍ୟରୁ ୩ ରୁ ୨୩ ବର୍ଷ ବୟସର ପ୍ରାୟ ୫୦ କୋଟି ନାଗରିକ ଅଛନ୍ତି । ବର୍ତ୍ତମାନ ସମୟରେ ଚ୍ୟାଲେଞ୍ଜ୍ ହେଉଛି ସେମାନଙ୍କୁ ଆମେ ମନୁଷ୍ୟ କରିବା ନା ମେସିନ୍ ବନାଇବା ? ଆଜି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦରକାର ନା ଏଚଆଇ ବା ହୁମ୍ୟାନ ଇଣ୍ଟେଲିଜେନ୍ସ ଦରକାର। ଏହାର ଗୋଟିଏ ସୂତ୍ର ଆଧ୍ୟାତ୍ମିକତା। ଭାରତକୁ ଏକବିଂଶ ଶତାବ୍ଦୀରେ ଭବ୍ୟ ଓ ବିକଶିତ କରିବାର ଚାବିକାଠି ହେବା ଶିକ୍ଷା। ଦେଶରେ ସମାନତା ଓ ଦାରିଦ୍ୟକୁ ମୂଳତ୍ପାଟନ କରିବାର ଏକମାତ୍ର ପୁଞ୍ଜି ଶିକ୍ଷା। ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସମାଜରେ ନିରନ୍ତର ଶିକ୍ଷା ଜାରୀ ରଖିବାର ପରମ୍ପରା ପ୍ରଶଂସନୀୟ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ମଧ୍ୟ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ।

Categories
ବିଶେଷ ଖବର

ସାମ୍ବାଦିକ ଓ ଗଣମାଧ୍ୟମ ପେସାଦାରମାନେ ସତ୍ୟର ସିଦ୍ଧାନ୍ତ ପ୍ରତି ଅଧିକ ପ୍ରତିବଦ୍ଧ ହେବା ଦରକାର: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ଜାତୀୟ ପ୍ରେସ୍ ଦିବସ ଅବସରରେ ଗଣମାଧ୍ୟମ ଜଗତକୁ ଶୁଭେଚ୍ଛା ଜଣାଇଛନ୍ତି। ‘‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’’ ବିଷୟବସ୍ତୁ ଉପରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଥିଲେ ଯେ ଆଜି ଦାୟିତ୍ୱସମ୍ପନ୍ନ ସାମ୍ବାଦିକତା ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇବାର ଦିନ। ଯେହେତୁ ଭାରତ ଆଉ ମାତ୍ର କିଛି ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି କେବଳ ଭାରତର ରୂପାନ୍ତର କାହାଣୀକୁ ଲୋକଲୋଚନକୁ ଆଣିବାରେ ନୁହେଁ, ବରଂ ବିଭିନ୍ନ କ୍ଷେତ୍ର ଓ ଦେଶର ୧୦୦ କୋଟି ଲୋକଙ୍କ ଆଶା, ଆକାଂକ୍ଷାକୁ ପ୍ରକାଶିତ କରିବାରେ ଗଣମାଧ୍ୟମ ଗଠନମୂଳକ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ଶ୍ରୀ ଠାକୁର କହିଥିଲେ ଯେ ଜାତୀୟ ପ୍ରେସ୍ ଦିବସ ଆମ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଉତ୍ସର୍ଗୀକୃତ ସାମ୍ବାଦିକଙ୍କ ଅକ୍ଳାନ୍ତ ପ୍ରତିବଦ୍ଧତାକୁ ସମ୍ମାନ ଦେଇଥାଏ।

ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି ମନ୍ତ୍ରୀ କହିଥିଲେ ଯେ ଆମେ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଠିଆ ହୋଇଛୁ ଏବଂ ପ୍ରଯୁକ୍ତିର ଅଗ୍ରଗତି ଦ୍ୱାରା ପରିଚାଳିତ ଦ୍ରୁତ ବୈଶ୍ୱିକ ବିକାଶ ଦେଖୁଛୁ। ଡିଜିଟାଲ ଯୁଗ ଏକ ନୂତନ ଧାରା ଆରମ୍ଭ କରିଛି ଯେଉଁଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଖବର ବିଷୟବସ୍ତୁ ସୃଷ୍ଟି ପାଇଁ ଅଧିକ ବ୍ୟବହୃତ ହେଉଛି। ଏଆଇ ନିଶ୍ଚିତ ଭାବରେ ଖବର ସଂଗ୍ରହ ବା ରିପୋର୍ଟିଂରେ ଏକ ନୂତନ ଦିଗ ଯୋଡିଥିବା ବେଳେ ଏହାର ସୀମିତ ସାମର୍ଥ୍ୟକୁ ଚିହ୍ନିବା ଜରୁରୀ। ସମ୍ବାଦ ସଂଗ୍ରହ ଏବଂ ଖବର ପ୍ରସାରଣ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିବା ସହିତ ମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଜଣେ ସମ୍ପାଦକ ଆଣିଥିବା ବର୍ଷ ବର୍ଷର ଅଭିଜ୍ଞତା, ପ୍ରସଙ୍ଗ ଓ ତଦାରଖର ସୂକ୍ଷ୍ମତା ସର୍ବଦା ଏଆଇଠାରୁ ଏକ ପାଦ ଆଗରେ ରହିବ । ଏଆଇ ମଡେଲଗୁଡ଼ିକ ଯେପରି ସେମାନଙ୍କ ପ୍ରଶିକ୍ଷଣ ତଥ୍ୟରୁ ପକ୍ଷପାତିତା ଗ୍ରହଣ ନ କରନ୍ତି ତାହା ସୁନିଶ୍ଚିତ କରିବା ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଆହ୍ୱାନଗୁଡ଼ିକର ପ୍ରଭାବଶାଳୀ ମୁକାବିଲା ଏବଂ ସାମ୍ନା କରିବା ଆମର ସାମୂହିକ ଦାୟିତ୍ୱ। ସାମ୍ବାଦିକତାର ଅଖଣ୍ଡତା ବଜାୟ ରଖିବା ଏବଂ ଗଣମାଧ୍ୟମରେ ଏଆଇର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ସେ କହିଥିଲେ।

କେତେକ ପାଶ୍ଚାତ୍ୟ ସଂସ୍ଥା ଯେଉଁ ନକାରାତ୍ମକ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, ସେ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ ଆମେ ଗଣମାଧ୍ୟମର ସ୍ୱାଧୀନତାକୁ ପାଳନ କରୁଥିଲେ ମଧ୍ୟ ଯେଉଁମାନେ ଆମ ରାଷ୍ଟ୍ରର ଭାବନାକୁ କ୍ଷୁଣ୍ଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପ୍ରତି ଆମେ ଆଖି ବୁଜିପାରିବୁ ନାହିଁ। ଏପରି କିଛି ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମ ରହିଛି ଯେଉଁମାନେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ ଲଗାତାର ମିଥ୍ୟା ପ୍ରଚାର କରୁଛନ୍ତି।

ଏଭଳି କାହାଣୀକୁ ଖଣ୍ଡନ କରିବା, ମିଥ୍ୟାକୁ ଉନ୍ମୋଚନ କରିବା ଏବଂ ସତ୍ୟର ବିଜୟ ସୁନିଶ୍ଚିତ କରିବା ଆମର ସାମୂହିକ ଦାୟିତ୍ୱ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏବଂ ଏହାର ଗଣମାଧ୍ୟମର ଚିତ୍ରଣକୁ ନେଇ କେତେକ ପାଶ୍ଚାତ୍ୟ ପକ୍ଷପାତିତା ଦ୍ୱାରା ପ୍ରସାରିତ କ୍ରମାଗତ ଭୁଲ ଧାରଣାକୁ ଦୂର କରିବା ଗୁରୁତ୍ୱପୂର୍ଣ୍ଣ। ଔପନିବେଶିକ ମାନସିକତା ପ୍ରାୟତଃ ଧାରଣାକୁ ଖରାପ କରିଥାଏ, କିନ୍ତୁ ଆମେ ଦୃଢ଼ତାର ସହ କହିଥାଉ ଯେ ଆମର ଗଣମାଧ୍ୟମ ପରିଦୃଶ୍ୟ ଗତିଶୀଳ, ପ୍ରତିଫଳିତ ଏବଂ ନିଜର ଯୋଗ୍ୟତା ଉପରେ ଠିଆ ହୋଇଛି।

ଭାରତର ଗଣମାଧ୍ୟମ ଏହାର ସାଂସ୍କୃତିକ ସମୃଦ୍ଧିର ପ୍ରତିଫଳନ କରିଥାଏ। ବିଶ୍ୱ ସ୍ତରୀୟ ଆଲୋଚନାରେ ଏହାର ଅବଦାନ ପାଇଁ ଆମେ ଗର୍ବ କରିବା ଉଚିତ୍ । ଭାରତରେ ଏକ ସକ୍ରିୟ ଓ ସ୍ୱାଧୀନ ଗଣମାଧ୍ୟମ ରହିଛି, ଯାହା ବିବିଧ ସ୍ୱର ଏବଂ ମତାମତ ପାଇଁ ଏକ ମଞ୍ଚ ପ୍ରଦାନ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟାନ୍ୟ ବୃତ୍ତି ସହିତ କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ପ୍ରବେଶ କରିଥିବା ଗଣମାଧ୍ୟମକୁ ସତର୍କ କରାଇ ମନ୍ତ୍ରୀ କହିଛନ୍ତି ଯେ ଆମେ ଏପରି ଏକ ଦୁନିଆରେ ରହୁଛୁ ଯେଉଁଠାରେ ଏକ ବଟନ୍ କ୍ଲିକ୍ କରି ଭୁଲ ସୂଚନା ପ୍ରସାରିତ ହୋଇପାରିବ। ଆମ ସରକାର ଗଣମାଧ୍ୟମକୁ ଏକ ସଚେତନ ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରନ୍ତି। ରୋମାଞ୍ଚକର ଖବର ପ୍ରସାରଣକୁ ଏଡାଇବା ଏବଂ ଆମ ସମାଜର ଢାଞ୍ଚାକୁ କ୍ଷତି ପହଞ୍ଚାଇବା ଭଳି ଖବର ଠାରୁ ଦୂରେଇ ରହିବା ପ୍ରତି ଗଣମାଧ୍ୟମ ଯତ୍ନବାନ ହେବା ଉଚିତ୍ । ଭାରତୀୟ ଗଣମାଧ୍ୟମ ଆମ ଦେଶର ସ୍ୱାର୍ଥର ସୁରକ୍ଷା କରିବା ଉଚିତ୍ ଏବଂ ଭାରତ ବିରୋଧୀ ମତକୁ ସ୍ଥାନ ପ୍ରଦାନ କରିବା ଠାରୁ ଦୂରେଇ ରହିବା ଉଚିତ ଯାହା ଆମର ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିପାରେ ।

ଏହି ଅବସରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍ ଏକ ମୁକ୍ତ ଓ ଦାୟିତ୍ୱସମ୍ପନ୍ନ ପ୍ରେସ୍ ସାମ୍ବାଦିକତା ନୈତିକତା ଓ ମାନଦଣ୍ଡକୁ ପାଳନ କରିବା ସୁନିଶ୍ଚିତ କରି ରାଷ୍ଟ୍ର ସେବାରେ ପ୍ରେସ୍ ର ଭୂମିକା ସୁନିଶ୍ଚିତ କରିବାରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ଭୂମିକାକୁ ପ୍ରଶଂସା କରିଥିଲେ। ଉଭୟ ଭିତରେ ଓ ବାହାରେ ଘଟୁଥିବା ପରିବର୍ତ୍ତନକୁ ନିରନ୍ତର ଭାବେ ଗ୍ରହଣ କରିବାକୁ ସେ ଗଣମାଧ୍ୟମକୁ ଆହ୍ୱାନ ଦେଇଥିଲେ। କପିରାଇଟ୍, ସୃଜନଶୀଳତା, ମୌଳିକତା ଏବଂ ଚୋରି ମାମଲାରେ ଏଆଇର ଉଲ୍ଲଂଘନ ବିରୋଧରେ ମନ୍ତ୍ରୀ ସତର୍କ କରାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ସବୁ ଟେକ୍ନୋଲୋଜି ପରି ଏଆଇ ପାଇଁ ମଧ୍ୟ ନୈତିକ ମାନବିକ ତଦାରଖର ଆବଶ୍ୟକତା ରହିଛି।

ଏହି ଅବସରରେ ମୁଖ୍ୟ ଅତିଥି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଥିଲେ ଯେ ମିଥ୍ୟା ଖବର, ଜାଣିଶୁଣି ଭୁଲ ଓ ଖରାପ ସୂଚନା, ରାଜନୈତିକ ଅଭିଳାଷ ଓ ପସନ୍ଦ, କ୍ଷମତା ଦଲାଲ ଭୂମିକା ଗ୍ରହଣ କରିବାର ପ୍ରବୃତ୍ତି ଓ ଆର୍ଥିକ ଚିନ୍ତାଧାରା ଆଜି ଗଣମାଧ୍ୟମ ପ୍ରତି ଲୋକଙ୍କ ଆସ୍ଥାକୁ କ୍ଷୁର୍ଣ୍ଣ କରିଛି। ବିଶ୍ୱସନୀୟତା ହେଉଛି ଆଜି ଗଣମାଧ୍ୟମ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ଆହ୍ୱାନ ଏବଂ ଏହା ଆଶ୍ଚର୍ଯ୍ୟଜନକ ଯେ ଏହି ଦିଗକୁ ଅଣଦେଖା କରାଯାଉଛି।

ଏହି ବିଷୟବସ୍ତୁ ଉପରେ ଉପରାଷ୍ଟ୍ରପତି କହିଥିଲେ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଆବିର୍ଭାବ ଆମର ଖବର, ସୂଚନା ଏବଂ ମନୋରଞ୍ଜନ ଗ୍ରହଣ ଏବଂ ବ୍ୟବହାର କରିବାର ଶୈଳୀକୁ ବଦଳାଇ ଦେଇଛି। ଏଆଇ ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି। ଏଥିସହିତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରିବା ଏବଂ ସମାଜରେ ବିଶୃଙ୍ଖଳା ଓ ଅସ୍ଥିରତା ସୃଷ୍ଟି କରିବା ପାଇଁ ଭୁଲ ସୂଚନା ପ୍ରସାର, ଡିପ୍ ଫେକ୍, ଇକୋ ଚେମ୍ବର ସୃଷ୍ଟି ଏବଂ ସୂଚନାର ମାଇକ୍ରୋ ଟାର୍ଗେଟିଂ ଭଳି ଅନେକ ଆହ୍ୱାନ ଓ ନୈତିକ ପ୍ରଶ୍ନ ନେଇ ଏହା ପହଞ୍ଚିଛି। ଏହି ଆହ୍ୱାନର ମୁକାବିଲା କରି ସାମ୍ବାଦିକ ଏବଂ ଗଣମାଧ୍ୟମ ପେସାଦାରଙ୍କ ଦାୟିତ୍ୱ ବିସ୍ତାରିତ ହୋଇଛି, ଯେଉଁଥିପାଇଁ ସତ୍ୟ, ସଠିକତା ଏବଂ ଉତ୍ତରଦାୟିତ୍ୱର ନୀତି ପ୍ରତି ଅଧିକ ପ୍ରତିବଦ୍ଧତାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଶ୍ରୀ ଧନଖଡ଼ କହିଥିଲେ ଯେ ଯଦିଓ ଏଆଇ ଦ୍ୱାରା କ୍ଷତି ହେବାର ସମ୍ଭାବନା ଅଛି, ତଥାପି ଆମକୁ ସ୍ୱୀକାର କରିବାକୁ ହେବ ଯେ ଏହି ପ୍ରଯୁକ୍ତି ଏଠାରେ ରହିବା ପାଇଁ ଆସିଛି ଏବଂ ଆମକୁ ପରିବର୍ତ୍ତିତ ପରିଦୃଶ୍ୟ ସହିତ ଖାପ ଖୁଆଇବାକୁ ହେବ। ଆମ ସାମର୍ଥ୍ୟରେ ଉନ୍ନତି ଆଣିବା ପାଇଁ ଏକ ଉପକରଣ ଭାବରେ ଏଆଇର ପରିବର୍ତ୍ତନଶୀଳ ସମ୍ଭାବନାକୁ ବ୍ୟବହାର କରିବା ସହିତ ଏହାର ଅପବ୍ୟବହାର ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍। ସେ ଆହୁରି ମଧ୍ୟ କହିଛନ୍ତି ଯେ ସାମ୍ବାଦିକ ଏବଂ ଗଣମାଧ୍ୟମ ସଂସ୍ଥାମାନେ ସଚ୍ଚୋଟତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତଥ୍ୟ ଯାଞ୍ଚ, ଉତ୍ସ ଯାଞ୍ଚ ଏବଂ ସମ୍ପାଦକୀୟ ସ୍ୱାଧୀନତା ବଜାୟ ରଖିବା ପୂର୍ବଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଆମେ ଏଆଇକୁ ଏକ ମୁକ୍ତ ଏବଂ ଜୀବନ୍ତ ଗଣମାଧ୍ୟମ ମୂଳଦୁଆ ଥିବା ମୂଲ୍ୟବୋଧ ସହିତ ବୁଝାମଣା କରିବାକୁ ଅନୁମତି ଦେବା ଉଚିତ୍ ନୁହେଁ। ଏଆଇ ଏକ ଶକ୍ତିଶାଳୀ ଅସ୍ତ୍ର ହୋଇପାରେ, କିନ୍ତୁ ଏହା ମାନବୀୟ ସ୍ପର୍ଶ, ସତ୍ୟ ପ୍ରତି ପ୍ରତିବଦ୍ଧତା ଏବଂ ସାମ୍ବାଦିକମାନଙ୍କର ଅତୁଟ ସମର୍ପଣ ହିଁ ଗଣମାଧ୍ୟମକୁ ଆମ ସମାଜରେ ଭଲ ପାଇଁ ଏକ ଶକ୍ତି ରେ ପରିଣତ କରିବ ବୋଲି ଶ୍ରୀ ଧନଖଡ଼ ଗୁରୁତ୍ୱାରୋପ କରିଥିଲେ। ଏଆଇର ନିଜସ୍ୱ ଆହ୍ୱାନ ଓ ନୈତିକ ପ୍ରଶ୍ନ ଅଛି; ସାମ୍ବାଦିକ ଓ ଗଣମାଧ୍ୟମ ପେସାଦାରମାନେ ସତ୍ୟର ସିଦ୍ଧାନ୍ତ ପ୍ରତି ଅଧିକ ପ୍ରତିବଦ୍ଧତା ପାଇଁ ସଂକଳ୍ପବଦ୍ଧ ହେବା ଦରକାର ବୋଲି ସେ କହିଥିଲେ।

ଜି-୨୦ ଶେର୍ପା ଅମିତାଭ କାନ୍ତ ଏହି ଅବସରରେ କହିଥିଲେ ଯେ ବୈଷୟିକ ଜ୍ଞାନକୌଶଳକୁ ମାନବ ପ୍ରତିଭାର ବିକାଶ ଭାବରେ ଦେଖୁଥିବା ଗଣମାଧ୍ୟମ ସଂସ୍ଥାମାନେ ଅନୁସନ୍ଧାନମୂଳକ ଏବଂ ପ୍ରାମାଣିକ ସାମ୍ବାଦିକତାକୁ ପୁନର୍ଜୀବିତ କରିବାରେ ସକ୍ଷମ ହୋଇଛନ୍ତି। ଏଥିସହିତ ଗଣମାଧ୍ୟମରେ ଅନିୟନ୍ତ୍ରିତ ଏଆଇ ବ୍ୟବହାର ଆମ ଗଣତନ୍ତ୍ରରେ କ’ଣ କ୍ଷତି ପହଞ୍ଚାଇପାରେ ସେ ବିଷୟରେ ସଚେତନ ହେବା ଜରୁରୀ ବୋଲି ସେ କହିଛନ୍ତି। ଏଆଇ ସହାୟତାରେ ବ୍ୟକ୍ତିଗତ ଖବର ସଂଗ୍ରହ କରିବା ଆମ ସମାଜରେ ଇକୋ ଚେମ୍ବର ସୃଷ୍ଟି କରିବାର ବିପଦ ରହିଛି ଯାହା ଆମର ବିଭିନ୍ନ ଦୃଷ୍ଟିକୋଣକୁ ସୀମିତ କରିଥାଏ।

ଏହି କାର୍ଯ୍ୟକ୍ରମରେ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ଅଧ୍ୟକ୍ଷତା କରିଥିଲେ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ ସ୍ୱାସ୍ଥ୍ୟର ୭୫ଟି ଷ୍ଟାର୍ଟ ଅପକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଘୋଷଣା

ନୂଆଦିଲ୍ଲୀ, “ଆଜାଦୀ କା ଅମୃତ ମହୋତ୍ସବ” ପାଳନ ସହିତ ତାଳଦେଇ ଟେଲି ମେଡ଼ିସିନ୍‍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ ସ୍ୱାସ୍ଥ୍ୟ କ୍ଷେତ୍ରରେ ୭୫ଟି ଷ୍ଟାର୍ଟ ଅପ୍‍ଙ୍କୁ ସରକାର ଖୁବ୍‍ ଶୀଘ୍ର ସ୍ୱତନ୍ତ୍ର ପ୍ରୋତ୍ସାହନ ଯୋଗାଇଦେବେ । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଏହା କହିଛନ୍ତି ବିଜ୍ଞାନ ଓ କାରୀଗରୀମନ୍ତ୍ରୀ ଡ ଜିତେନ୍ଦ୍ର ପ୍ରସାଦ ସିଂ। ଏହି ଯୋଜନା ସଂପର୍କରେ ଆଜି ସୂଚନା ଦେଇ କହିଛନ୍ତି ଯେ ଏ ସଂପର୍କରେ ବିରାକ ନେତୃତ୍ୱରେ ସମସ୍ତ ସଦସ୍ୟମାନଙ୍କୁ ଏହି ପରିପ୍ରେକ୍ଷୀରେ ସୂଚୀତ କରାଯାଇଛି । ‘ବିରାକ’ର ଅଧ୍ୟକ୍ଷ ଭାବେ ଏହାର ନେତୃତ୍ୱ ନେଉଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବାୟୋଟେକ୍ନୋଲୋଜି ବିଭାଗର ସଚିବ ଡକ୍ଟର ରେଣୁ ସ୍ୱରୂପ ।

ବିରାକର ବୋର୍ଡ଼ ଅଫ ଡାଇରେକ୍ଟର୍ସମାନଙ୍କ ସହ କଥାବାର୍ତ୍ତା କଲାବେଳେ ସେ କହିଛନ୍ତି ଯେ ଦେଶ ସ୍ୱାଧୀନତାର ୭୫ତମ ବର୍ଷପୂର୍ତ୍ତି ଅବସରରେ ସର୍ବଶ୍ରେଷ୍ଠ ୭୫ଟି ନବସୃଜନଙ୍କୁ ଚୟନ କରିବା ଏକ ବିରାଟ ଚାଲେଞ୍ଜ୍‍ ସଦୃଶ । ତେବେ ଏହା ଦ୍ୱାରା ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ଏହା ପ୍ରୋତ୍ସାହନ ଯୋଗାଇବ ଯେତେବେଳେକି ସମଗ୍ର ବିଶ୍ୱର ମାନବ ସମାଜ କୋଭିଡ଼ ମହାମାରୀ ଯୋଗୁ ସୃଷ୍ଟ ସମସ୍ୟାକୁ ମୁକାବିଲା କରିଆସୁଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂହ ଏହି ଅବସରରେ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ ଯେ ବରିଷ୍ଠ ଅଧିକାରୀମାନେ ଟର୍ଣ୍ଣ ଆରାଉଣ୍ଡ ସମୟକୁ ହ୍ରାସ କରିବା ଦିଗରେ ସେମାନଙ୍କର ପ୍ରୟାସ ଜାରି ରଖନ୍ତୁ ଏବଂ ଷ୍ଟାର୍ଟ ଅପମାନଙ୍କୁ ଆବଶ୍ୟକ ସମର୍ଥନ ଯୋଗାଇ ଚାଲନ୍ତୁ ଯାହା ଫଳରେ ଘରୋଇ କ୍ଷେତ୍ର ସେମାନଙ୍କର ଗୁରୁତ୍ୱ ବଜାୟ ରଖିପାରିବେ । ଏହି ଅବସରରେ ସେ ବିରାକର ବୋର୍ଡ ଅଫ୍‍ ଡାଇରେକ୍ଟର୍ସମାନଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ ସେମାନେ ଷ୍ଟାର୍ଟ ଅପ୍‍ ଆବେଦନକାରୀମାନଙ୍କୁ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ପ୍ରଦାନ କରନ୍ତୁ ଯାହା ଫଳରେ କୋଭିଡ଼ ୧୯ର ବିଭିନ୍ନ ପ୍ରସଙ୍ଗକୁ ଏକା ସଙ୍ଗେ ମୁକାବିଲା କରାଯାଇପାରିବ ।

ଷ୍ଟାର୍ଟ ଅପ୍‍ ଇଣ୍ଡିଆ ଏବଂ ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ବିରାକ ବାୟୋଟେକ୍ନୋଲୋଜି ବାତାବରଣର ବିକାଶ କ୍ଷେତ୍ରକୁ ସଦାସର୍ବଦା ପ୍ରୋତ୍ସାହନ ଓ ସମର୍ଥନ ଯୋଗାଇ ଆସୁଛି । ବିରାକ ଦେଶର ପ୍ରାୟ ୧,୫୦୦ରୁ ଅଧିକ ଷ୍ଟାର୍ଟ ଅପ୍‍, ଉଦ୍ଦ୍ୟୋଗୀ ତଥା ଏସଏମଇମାନଙ୍କୁ ୨,୧୨୮ କୋଟିରୁ ଅଧିକ ପାଣ୍ଠିଗତ ଋଣ ସହାୟତା ଯୋଗାଇ ଦେଇଛି।

ନବସୃଜନ ପାଣ୍ଠି ଯୋଗାଣ ମାଧ୍ୟମରେ ୨୦୧୨ ମସିହାରେ ମାତ୍ର ୫୦ରୁ କମ୍‍ ବାୟୋଟେକ୍ନୋଲୋଜି ଷ୍ଟାର୍ଟ ଅପ୍‍ଙ୍କୁ ୧୦ କୋଟିରୁ କମ୍‍ ଟଙ୍କାର ସହାୟତା ଯୋଗାଇ ଦିଆଯାଉଥିବାବେଳେ ଏବେ ତାହା ୨,୫୦୦ କୋଟିରୁ ଅଧିକ ଟଙ୍କାରେ ପହଞ୍ôଚଛି । ୨୦୨୪ ମସିହା ସୁଦ୍ଧା, ବିରାକ ୧୦,୦୦୦ରୁ ଅଧିକ ବିଟି ଷ୍ଟାର୍ଟ ଅପ୍‍ଙ୍କୁ ସହାୟତା ଯୋଗାଇ ଦେବାର ଲକ୍ଷ୍ୟ ରଖିଛି ।

ପୂର୍ବରୁ ଡକ୍ଟର ଜିତେନ୍ଦ୍ର ସିଂହ ବିରାକର ଇ- କାର୍ଯ୍ୟାଳୟର ଶୁଭାରମ୍ଭ କରିଥିଲେ ଏବଂ ବିରାକ ଇ- କାର୍ଯ୍ୟାଳୟ ସଫ୍ଟୱେରକୁ ଆଜିଠାରୁ କାର୍ଯ୍ୟକ୍ଷମ କରାଯାଇଛି । ବିରାକ ଇ- କାର୍ଯ୍ୟାଳୟ ଲାଇଟ୍‍ ସଫ୍ଟୱେର୍‍କୁ ଏନଆସିଏସଆଇ ସର୍ଭରରେ ୨୦୨୧ ମସିହା ଅଗଷ୍ଟ ୧ ତାରିଖ ଠାରୁ ଟେଷ୍ଟିଂ ମୋଡରେ ଅବସ୍ଥାପିତ କରାଯାଇଛି । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କହିଲେ ଯେ ଡିଜିଟାଲ ଇଣ୍ଡିଆ ମିଶନ ଏକ ମହତ୍ତ୍ୱାକା, ପ୍ରକଳ୍ପ ଯାହାକି ଦେଶର ସମୃଦ୍ଧିକୁ ସ୍ୱଚ୍ଛତା ଏବଂ ସୁଶାସନ ଜରିଆରେ ପ୍ରୋତ୍ସାହିତ କରିବ ।

ବିରାକର ଏକ ଇନ୍‍ ହାଉସ୍‍ ବିରାକ ୩ଆଇ ପୋର୍ଟାଲ (inhouse BIRAC 3i portal) ରହିଛି ଯେଉଁଠାରେ ସମସ୍ତ ପ୍ରକାର ଆବେଦନ ଏବଂ ପ୍ରସ୍ତାବକୁ ଅନଲାଇନ୍‍ରେ ପୈଠ କରାଯାଇପାରିବ । ଏହି ପୋର୍ଟାଲ ୨୦୧୦ ମସିହା ଫେବୃଆରୀ ମାସରେ ଶୁଭାରମ୍ଭ କରାଯାଇଥିଲା ଏବଂ ଏହା ଏକ ସକ୍ରିୟ, ବିଶାଳ, ବିଜ୍ଞାନ ଏବଂ ନବସୃଜନ ଗବେଷଣା ପାଣ୍ଠି ପରିଚାଳନା ସକାଶେ ଏକ ଆକଳନଯୋଗ୍ୟ ପ୍ରୟୋଗସିଦ୍ଧ ସାଧନ ଯାହାର ବିଭିନ୍ନ ହିତଧାରକ ଯଥା ବିଭିନ୍ନ କମ୍ପାନୀ, ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷ ରହିଛନ୍ତି ଏବଂ ସେମାନେ ଅନଲାଇନରେ ସେମାନଙ୍କର ପ୍ରସ୍ତାବମାନ ଏଥିରେ ପୈଠ କରିପାରୁଛନ୍ତି ।

ଡିଏସଟିର ଯୁଗ୍ମ ସଚିବ ତଥା ବିରାକର ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ ଅଞ୍ଜୁ ଭାଲ୍ଲା ଏବଂ ବିରାକର ଓ ଡିବିଟିର ବରିଷ୍ଠ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଭାରତକୁ ଅଗ୍ରଣୀ ହେବା ପାଇଁ ପ୍ରକୃଷ୍ଟ ସମୟ, ଅମ୍ବାନି

ନୂଆଦିଲ୍ଲୀ / ଭୁବନେଶ୍ୱର: ଭାରତ ତାହାର ଡିଜିଟାଲ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହାର ଅବିଚ୍ଛେଦ୍ୟ ଅଂଶ ଅଟେ। ଇତିମଧ୍ୟରେ ଭାରତର ୯୯%ରୁ ଅଧିକ ଲୋକଙ୍କୁ ୪ଜି ବ୍ରଡବ୍ୟାଣ୍ଡ୍ ସେବା ଉପଲବ୍ଧ କରାଯାଇସାରିଛି। ଡାଟା ବ୍ୟବହାରରେ ଭାରତ ବିଶ୍ୱରେ ଏକନମ୍ବର ସ୍ଥାନ ଦଖଲ କରିଛି। ତାହାସହିତ ଦେଶରେ ଅପ୍‌ଟିକାଲ ଫାଇବର ନେଟୱର୍କ ସମ୍ପ୍ରସାରଣ ଦ୍ରୁତଗତିରେ ଚାଲିଛି। ସମସ୍ତ ନଗର ଓ ସହର ସମେତ ୬ଲକ୍ଷ ଗ୍ରାମ ମଧ୍ୟରୁ ପ୍ରତ୍ୟେକକୁ ଏଥିରେ ସଂଯୁକ୍ତ କରିବା ପ୍ରଚେଷ୍ଟା କରାଯାଉଛି। ଏହାଦ୍ୱାରା ଫିକ୍ସଡ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱର ଶୀର୍ଷ ରାଷ୍ଟ୍ରଗୁଡିକ ମଧ୍ୟରେ ରହିବ।

ବିଶ୍ୱସ୍ତରୀୟ ଡାଟା ସେଣ୍ଟର ସ୍ଥାପନ ସହିତ ଭାରତ କଂପ୍ୟୁଟର ଶକ୍ତିରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେଉଛି। ଆମର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟ ବ୍ୟାପକ ଡାଟା ସୃଷ୍ଟି କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଡାଟାର ଗୋପନୀୟତାକୁ ନିଶ୍ଚିତ କରିବା ଏବଂ ଦେଶର ସମ୍ବଳକୁ ସୁରକ୍ଷିତ ରଖିବା ସକାଶେ ସରକାର ଆଗାମୀ ଦିନରେ ଏକ ଦୃଢ ଡାଟା ନିୟାମକ ବିଧିବ୍ୟବସ୍ଥା ପ୍ରଣୟନ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଆଶା ପ୍ରକାଶ କରିଛନ୍ତି।

ସୋମବାର ସନ୍ଧ୍ୟାରେ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ‘ସାମାଜିକ ସଶକ୍ତିକରଣ ପାଇଁ ଦାୟିତ୍ୱସମ୍ପନ୍ନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଆରଏଆଇଏସଇ) ୨୦୨୦ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ ଦେଇ ଶ୍ରୀ ଅମ୍ବାନି ଡାଟାର ଜାତୀୟକରଣ ସକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ, ଆଗାମୀ ଦିଗରେ ଭାରତ ଡିଜିଟାଲ ପୁଞ୍ଜିକୁ ନେଇ ଅଧିକରୁ ଅଧିକ ପ୍ରତିଯୋଗିତା କରିବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରିଚାଳିତ ବିକାଶ ନିମନ୍ତେ ବିପୁଳ ଡିଜିଟାଲ ପୁଞ୍ଜିର ଫାଇଦା ଉଠାଇବାକୁ ଭାରତ ପାଖରେ ଅନନ୍ୟ ସୁଯୋଗ ରହିଥିବା ସେ କହିଥିଲେ। ଭାରତୀୟ ଅର୍ଥନୀତି ଓ ନାଗରିକ ସମାଜ ମିଳିତ ଭାବରେ ଦ୍ରୁତ ଗତିରେ ବିପୁଳ ପରିମାଣରେ ଡାଟା ସୃଷ୍ଟି କରିବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିମନ୍ତେ ଡାଟାକୁ କଞ୍ଚାମାଲ ଭାବରେ ବ୍ୟବହାର କରାଯାଇଥାଏ। ଡାଟା ମଧ୍ୟ ଏକ ପ୍ରକାରର ଡିଜିଟାଲ ପୁଞ୍ଜି ଏବଂ ଏହା ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ବଳ। ତେଣୁ ଡାଟା ସୁରକ୍ଷା ନିଶ୍ଚିତ କରିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଜରୁରୀ ଆବଶ୍ୟକତା ରହିଛି।

ଭାରତର ୧୩୦  କୋଟି ଲୋକ ଯେତେବେଳେ ଡିଜିଟାଲ ପଦ୍ଧତିରେ ସଶକ୍ତ ହେବେ ସେତେବେଳେ ସେମାନେ ନୂତନ ଡିଜିଟାଲ ଉଦ୍ୟୋଗ ବ୍ୟାପକ ଭାବେ ସୃଷ୍ଟି କରିବେ ଏବଂ ତାହା ଦ୍ରୁତତର ଅର୍ଥନୈତିକ ଅଭିବୃଦ୍ଧି, ବୃହତ୍ତର ସମୃଦ୍ଧି, ଉଚ୍ଚ ଗୁଣାତ୍ମକ ମାନର ନିଯୁକ୍ତି ସୁଯୋଗ ଏବଂ ଆମ ସମାଜର ସବୁ ସ୍ତରରେ ଉତ୍ତମ ଜୀବନଧାରଣ ମାନ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ସେ ସୂଚନା ଦେଇଥିଲେ। ଅମ୍ବାନି କହିଲେ, ପୃଥିବୀ ପୃଷ୍ଠରେ ଏକ ବୃଦ୍ଧିମାନ ଜୀବନର ଜନ୍ମ ସହିତ ଆଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ କେବଳ ତୁଳନା କରାଯାଇପାରିବ।

ଆଗାମୀ ଦଶନ୍ଧିଗୁଡିକରେ ମୋଟ ଅଣ-ଜୈବିକ ବୁଦ୍ଧିମତା ସମୁଦାୟ ମାନବ ଜାତିର ବୁଦ୍ଧିକୁ ଟପିଯିବ। କିନ୍ତୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବେହେଲେ ମଣିଷ ମସ୍ତିଷ୍କର ପ୍ରତିବଦଳ ସ୍ଥାନ ନେଇପାରିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ବରଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଚତୁର୍ଥ ଶିଳ୍ପ ବିପ୍ଳବ ସହିତ ସଂପୃକ୍ତ ଅନ୍ୟାନ୍ୟ ପ୍ରଯୁକ୍ତି ଭାରତ ତଥା ବିଶ୍ୱ ସମ୍ମୁଖରେ ଥିବା ବହୁ ଜଟିଳ ସମସ୍ୟାର ସମାଧାନ ଦିଗରେ ଆମର ସାମର୍ଥ୍ୟକୁ ପରିବ୍ୟାପ୍ତ କରିବ ବୋଲି ସେ ମତ ଦେଇଥିଲେ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତାଙ୍କ ଉଦ୍‌ବୋଧନରେ କହିଛନ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭାରତକୁ ତାହାର ଆକାଂକ୍ଷିତ ଲକ୍ଷ୍ୟ ହାସଲ ଦିଗରେ ସୁରୁଖୁରୁରେ ଅଗ୍ରସର ହେବାରେ ସମର୍ଥ କରାଇବ। ସେଥିମଧ୍ୟରେ ଦେଶକୁ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ରୂପାନ୍ତରଣ କରିବା, ଶିଳ୍ପ ଏବଂ ବ୍ୟବସାୟଗୁଡିକ ‘ଆତ୍ମନିର୍ଭର’ କରିବା ଏବଂ ନୂତନ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳରେ ଭାରତ ଆଧିପତ୍ୟ ବିସ୍ତାର କରିବା, ଭାରତୀୟ କୃଷିକ୍ଷେତ୍ରର ଆଧୁନିକିକରଣ ଏବଂ କୃଷକଙ୍କ ଆୟ ବୃଦ୍ଧି, ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଯୋଗାଣ ଆଦି ଅନ୍ତର୍ଭୁକ୍ତ।

ସେ କହିଲେ, ଭାରତୀୟ ଶିଳ୍ପ ଏବଂ ଭାରତୀୟ ଯୁବଗୋଷ୍ଠୀ ତଥା ସମୁଦାୟ ରାଷ୍ଟ୍ର ଏକ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ଅଛନ୍ତି ଯାହା ଏକ ସୁଦୃଢ, ଚିରସ୍ଥାୟୀ ଏବଂ ସମଭାବାପନ୍ନ ନୂତନ ଭାରତ ଗଠନ ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ପ୍ରୋତ୍ସାହିତ କରିବ। ତେଣୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବା ତଥା ଏହା ଯେଭଳି ପ୍ରତ୍ୟେକ ଭାରତୀୟଙ୍କ କାର୍ଯ୍ୟରେ ଲାଗିପାରିବ, ସେଥିପାଇ ପ୍ରକୃଷ୍ଟ ସମୟ ଉପନୀତ ଏବଂ ସମସ୍ତ ସାଧନ ପ୍ରସ୍ତୁତ ବୋଲି ସେ କହିଥିଲେ।

ଏହି ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଅନ୍ୟାନ୍ୟ ନେତୃବୃନ୍ଦ, ବରିଷ୍ଠ ଅଧିକାରୀ, ଭାରତୀୟ ଶିଳ୍ପ ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।