Categories
ଜାତୀୟ ଖବର ବିଶେଷ ଖବର

ପ୍ରବାସୀଭାରତୀୟମାନେ ବିକଶିତ ଭାରତ ସଂକଳ୍ପର ଅବିଚ୍ଛେଦ୍ୟ ଅଙ୍ଗ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜାନୁଆରୀ ୧୦, ୨୦୨୫) ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଯୋଗ ଦେଇ ଏହାକୁ ସମ୍ବୋଧିତ କରିଛନ୍ତି ଏବଂ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ପ୍ରବାସୀ ଭାରତୀୟମାନେ ଆମ ଦେଶର ସର୍ବୋତ୍ତମ ପ୍ରତିନିଧି। ସେମାନେ କେବଳ ଏହି ପବିତ୍ର ଭୂମିରେ ଅର୍ଜିତ ଜ୍ଞାନ ଏବଂ କୌଶଳକୁ ନିଜ ସହିତ ନେଇ ନାହାଁନ୍ତି, ବରଂ ହଜାର ହଜାର ବର୍ଷ ଧରି ଆମ ସଭ୍ୟତାର ମୂଳଦୁଆ ସାଜିଥିବା ମୂଲ୍ୟବୋଧ ଏବଂ ନୈତିକତାକୁ ମଧ୍ୟ ସାଙ୍ଗରେ ବହନ କରିଛନ୍ତି। ପ୍ରଯୁକ୍ତିବିଦ୍ୟା, ଭେଷଜ, କଳା କିମ୍ବା ଉଦ୍ୟମିତା କ୍ଷେତ୍ରରେ, ପ୍ରବାସୀ ଭାରତୀୟମାନେ ଏପରି ଏକ ପ୍ରଭାବ ସୃଷ୍ଟି କରିଛନ୍ତି ଯାହାକୁ ବିଶ୍ୱ ସ୍ୱୀକାର ଏବଂ ସମ୍ମାନ କରିଥାଏ।

ରାଷ୍ଟ୍ରପତି ସମସ୍ତ ପ୍ରବାସୀ ଭାରତୀୟ ସମ୍ମାନ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ସେମାନଙ୍କ ସଫଳତାର କାହାଣୀ କେବଳ ଭାରତ ପାଇଁ ଗର୍ବର ବିଷୟ ନୁହେଁ, ବରଂ ଏହା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍କର୍ଷତା ଲାଗି ପ୍ରୟାସ କରିବା ନିମନ୍ତେ ପ୍ରେରଣା ମଧ୍ୟ ଦେଇଥାଏ। ସେ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ କ୍ରିଷ୍ଟିନ କାଙ୍ଗାଲୁଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ମହିଳା ଓ ପ୍ରବାସୀ ଭାରତୀୟଙ୍କ ଉପରେ ବିଶେଷ ଧ୍ୟାନ ଦେଇ ତାଙ୍କ ରାଷ୍ଟ୍ରର ନେତୃତ୍ୱ ନେବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ବିଶ୍ୱ ମଞ୍ଚରେ ଏକ ଉଚ୍ଚ ମାନଦଣ୍ଡ ସ୍ଥାପନ କରିଛି।

ରାଷ୍ଟ୍ରପତି ଖୁସିର ସହିତ ଉଲ୍ଲେଖ କରିଥିଲେ ଯେ ପ୍ରବାସୀ ଭାରତୀୟ ଦିବସ କେବଳ ଏକ କାର୍ଯ୍ୟକ୍ରମ ଠାରୁ ଅଧିକ ବ୍ୟାପକ ହୋଇଯାଇଛି। ସେ କହିଥିଲେ ଯେ ଏହା ଏପରି ଏକ ମଞ୍ଚ ଯେଉଁଠାରେ ଭିନ୍ନଭିନ୍ନ ବିଚାର ସମ୍ମିଳିତ ହୋଇଥାଏ, ସହଯୋଗ ସୃଷ୍ଟି ହୋଇଥାଏ ଏବଂ ଭାରତ ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବନ୍ଧନ ସୁଦୃଢ଼ ହୋଇଥାଏ।

ରାଷ୍ଟ୍ରପତି କହିଲେ ଯେ ୨୦୪୭ ମସିହା ସୁଦ୍ଧା ଆମ ଦେଶ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ଜାତୀୟ ଅଭିଯାନ ଯେଉଁଥିରେ ବିଦେଶରେ ରହୁଥିବା ବ୍ୟକ୍ତିଙ୍କ ସମେତ ପ୍ରତ୍ୟେକ ଭାରତୀୟଙ୍କ ସକ୍ରିୟ ଏବଂ ଉତ୍ସାହୀ ଅଂଶଗ୍ରହଣ ଆବଶ୍ୟକ। ସେ କହିଥିଲେ ଯେ ପ୍ରବାସୀ ଭାରତୀୟମାନେ ଏହି ସଂକଳ୍ପର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେମାନଙ୍କର ବିଶ୍ବବ୍ୟାପୀ ଉପସ୍ଥିତି ସେମାନଙ୍କୁ ଏକ ଅନନ୍ୟ ଦୃଷ୍ଟିକୋଣ ପ୍ରଦାନ କରିଥାଏ ଏବଂ ସେମାନଙ୍କର ସଫଳତା ଏକ ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ସାକାର କରିବାରେ ସହାୟକ ହୋଇଥାଏ।

ଭାରତର କାଳଜୟୀ ଦର୍ଶନ “ବସୁଧୈବ କୁଟୁମ୍ବକମ୍” ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଲେ ଯେ ଏହି ପରିକଳ୍ପନା ଏପରି ଏକ ପରିବେଶ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ, ଯାହା କେବଳ ଆମର ଆବଶ୍ୟକତା ପୂରଣ କରିବ ନାହିଁ, ବରଂ ବିଶ୍ୱର କଲ୍ୟାଣ ଦିଗରେ ମଧ୍ୟ ସହାୟକ ହେବ। ଆମେ ଏପରି ଏକ ରାଷ୍ଟ୍ର ହେବାକୁ ଚାହୁଁଛୁ ଯାହା ସାମାଜିକ ନ୍ୟାୟ ଓ ପରିବେଶ ପରିଚାଳନା ସହିତ ଆର୍ଥିକ ପ୍ରଗତିକୁ ସନ୍ତୁଳିତ କରିବ ତଥା ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବ। ସେ କହିଥିଲେ ଯେ ଏହି ଲକ୍ଷ୍ୟ ହାସଲ କରିବାରେ ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ରାଷ୍ଟ୍ରପତି କହିଥିଲେ, ଯେତେବେଳେ ଆମେ ଆମ ପ୍ରବାସୀ ଭାରତୀୟ ପରିବାରର ସଫଳତାକୁ ପାଳନ କରୁଛୁ, ସେତେବେଳେ ଆମେ ମଧ୍ୟ ଆଶା ଓ ସଂକଳ୍ପର ସହିତ ଭବିଷ୍ୟତକୁ ଅପେକ୍ଷା କରିବା ଉଚିତ। ମିଳିତ ଭାବେ, ଆମେ ଏକ ବିକଶିତ ଭାରତ ନିର୍ମାଣ କରିପାରିବା, ଏପରି ଏକ ରାଷ୍ଟ୍ର ଯାହା ବିଶ୍ୱ ମଞ୍ଚରେ ଶୀର୍ଷରେ ରହିବ ଏବଂ ବିଶ୍ୱ ପାଇଁ ଅଶାର ଆଲୋକବର୍ତ୍ତିକା ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ପୁଲିସ ବାହିନୀର କାର୍ଯ୍ୟଭାର ହ୍ରାସ କରିବାକୁ ପ୍ରଯୁକ୍ତିର ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୦ ନଭେମ୍ବରରୁ ୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ପୁଲିସ ମହାନିର୍ଦ୍ଦେଶକ/ ମହାନିରୀକ୍ଷକମାନଙ୍କର ୫୯ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି।

ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ବଣ୍ଟନ କରିଛନ୍ତି। ତାଙ୍କର ଉଦଯାପନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସମ୍ମିଳନୀରେ ସୁରକ୍ଷା ଆହ୍ୱାନର ଜାତୀୟ ଏବଂ ଅନ୍ତର୍ଜାତୀୟ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଛି। ଏହି ସମ୍ମିଳନୀର ଆଲୋଚନାରୁ ବାହାରିଥିବା ମୁକାବିଲା ରଣନୀତି ଉପରେ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଡିଜିଟାଲ ଠକେଇ, ସାଇବର ଅପରାଧ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ପ୍ରଯୁକ୍ତି କାରଣରୁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବିପଦ, ବିଶେଷକରି ସାମାଜିକ ଏବଂ ପାରିବାରିକ ସମ୍ପର୍କକୁ ବ୍ୟାହତ କରିବା ପାଇଁ ଅବିକଳ ନକଲ ବା ଡିପ୍‌ ଫେକର  ବ୍ୟବହାର ଆଶଙ୍କା ଉପରେ ଚିନ୍ତା ପ୍ରକଟ କରିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ‘ଆକାଂକ୍ଷୀ ଭାରତ’କୁ ନେଇ ଦେଶର ଦ୍ୱିଗୁଣିତ ଏଆଇ ଶକ୍ତିକୁ ଉପଯୋଗ କରି ଏହି ଆହ୍ୱାନକୁ ସୁଯୋଗରେ ପରିଣତ କରିବାକୁ ସେ ପୁଲିସ ନେତୃତ୍ୱଙ୍କୁ ଆହ୍ୱାନ ଦେଇଥିଲେ।

ସେ ସ୍ମାର୍ଟ ପୁଲିସ ପ୍ରଶାସନର ମନ୍ତ୍ରକୁ ଅଧିକ ବିସ୍ତାର କରିବା ସହ ପୁଲିସକୁ ରଣନୀତିକ, ନିଷ୍ଠାପର, ଅନୁକୂଳ, ବିଶ୍ୱସନୀୟ ଓ ସ୍ୱଚ୍ଛ ହେବାକୁ ଆହ୍ୱାନ ଦେଇଛନ୍ତି। ସହରାଞ୍ଚଳ ପୁଲିସ ବ୍ୟବସ୍ଥାରେ ଗ୍ରହଣ ଯାଇଥିବା ପଦକ୍ଷେପକୁ ପ୍ରଶଂସା କରି ଦେଶର ୧୦୦ଟି ସହରରେ ପ୍ରତ୍ୟେକ ପଦକ୍ଷେପକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ। ପୁଲିସ ବାହିନୀର କାର୍ଯ୍ୟଭାର ହ୍ରାସ କରିବା ନିମନ୍ତେ ପ୍ରଯୁକ୍ତିର ବ୍ୟବହାର ପାଇଁ ସେ ଆହ୍ୱାନ ଦେବା ସହ ଥାନାକୁ ସମ୍ବଳ ଆବଣ୍ଟନର କେନ୍ଦ୍ର ବିନ୍ଦୁ କରିବାକୁ ପରାମର୍ଶ ଦେଇଥିଲେ।

କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରିବାରେ ହ୍ୟାକାଥନର ସଫଳତା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏକ ଜାତୀୟ ପୁଲିସ ହାକାଥନ ଆୟୋଜନ ଉପରେ ମଧ୍ୟ ବିଚାରବିମର୍ଶ କରିବାକୁ ପରାମର୍ଶ ଦେଇଥିଲେ। ବନ୍ଦର ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଏବଂ ଏଥିପାଇଁ ଭବିଷ୍ୟତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅତୁଳନୀୟ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଠାରୁ ଆରମ୍ଭ କରି ଥାନା ସ୍ତର ପର୍ଯ୍ୟନ୍ତ ସମଗ୍ର ସୁରକ୍ଷା ପ୍ରତିଷ୍ଠାନରେ ଆସନ୍ତା ବର୍ଷ ତାଙ୍କର ୧୫୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଶ୍ରୀ ମୋଦୀ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ପୁଲିସ ଭାବମୂର୍ତ୍ତି, ପେସାଦାର ମନୋଭାବରେ ସୁଧାର ଏବଂ ସାମର୍ଥ୍ୟ ବିକାଶ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ଓ ହାସଲ କରାଯାଇପାରିଲେ ସର୍ଦ୍ଦାର ପଟେଲଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ମିଳିପାରିବ। ‘ବିକଶିତ ଭାରତ’ର ପରିକଳ୍ପନା ସହ ନିଜକୁ ଆଧୁନିକୀକରଣ ଓ ପୁନର୍ଗଠନ କରିବାକୁ ସେ ପୁଲିସ ବାହିନୀକୁ ଆହ୍ୱାନ ଦେଇଥିଲେ।

ଏହି ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ସାଇବର ଅପରାଧ, ଆର୍ଥିକ ନିରାପତ୍ତା, ପ୍ରବାସନ, ଉପକୂଳ ସୁରକ୍ଷା ଏବଂ ନିଶା କାରବାର ସମେତ ଜାତୀୟ ନିରାପତ୍ତା ସହ ଜଡ଼ିତ ବର୍ତ୍ତମାନ ଏବଂ ଭବିଷ୍ୟତର ଆହ୍ୱାନ ଉପରେ ଗଭୀର ଆଲୋଚନା ହୋଇଥିଲା। ବାଂଲାଦେଶ ଏବଂ ମିଆଁମାର ସୀମାରେ ଉପୁଜିଥିବା ନିରାପତ୍ତା ସମସ୍ୟା, ସହରାଞ୍ଚଳ ପୁଲିସର ଧାରା ଏବଂ ମନ୍ଦ ଉଦ୍ଦେଶ୍ୟପୂର୍ଣ୍ଣ ଗୁଜବ ସୃଷ୍ଟି ଭଳି ସମସ୍ୟାର ମୁକାବିଲା ପାଇଁ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହାବ୍ୟତୀତ ନୂତନ ଭାବେ ପ୍ରଣୟନ ହୋଇଥିବା ତିନୋଟି ପ୍ରମୁଖ ଅପରାଧିକ ଆଇନର କାର୍ଯ୍ୟକାରିତା, ପଦକ୍ଷେପ ଏବଂ ପୁଲିସରେ ସର୍ବୋତ୍ତମ ଅଭ୍ୟାସ ତଥା ପଡ଼ୋଶୀ ଅଞ୍ଚଳର ସୁରକ୍ଷା ସ୍ଥିତିର ସମୀକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀ ସମ୍ମିଳନୀର କାର୍ଯ୍ୟକାଳ ସମୟରେ ମୂଲ୍ୟବାନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ ଏବଂ ଭବିଷ୍ୟତ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଥିଲେ।

ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ର ମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ହାଇବ୍ରିଡ୍ ଫର୍ମାଟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକ ଏବଂ ସିଏପିଏଫ/ସିପିଓର ମୁଖ୍ୟମାନେ ବ୍ୟକ୍ତିଗତ ଭାବେ ଯୋଗ ଦେଇଥିଲେ। ଏହାବ୍ୟତୀତ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ବିଭିନ୍ନ ବରିଷ୍ଠ ପାହ୍ୟାର ପ୍ରାୟ ୭୫୦ରୁ ଅଧିକ ଅଧିକାରୀ ଆଭାସୀ ମାଧ୍ୟମରେ ସମ୍ମିଳନୀରେ ଯୋଗ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ବାଲି ଠାରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଉଦଯାପନୀ ଦିବସ। ଏହି ଅବସରରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ପଢନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପୂର୍ଣ୍ଣ ଭାଷଣ…

ମହାମହିମଗଣ,

ମୁଁ ପୁଣି ଥରେ ନିଜର ବନ୍ଧୁ ରାଷ୍ଟ୍ରପତି ଜୋକୋଭିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ସେ ଏହି କଠିନ ସମୟରେ ଜି-୨୦ ରାଷ୍ଟ୍ର ସମୂହକୁ କୁଶଳୀ ନେତୃତ୍ବ ପ୍ରଦାନ କରିଛନ୍ତି। ଆହୁରି ଆଜି ମୁଁ ଜି-୨୦ ସମୂହକୁ ବାଲି ଘୋଷଣାନାମାର ଅନୁମୋଦନ ପାଇଁ ଅଭିନନ୍ଦନ ଜଣାଉଛି। ଭାରତ ନିଜ ଜି-୨୦ ଅଧ୍ୟକ୍ଷତା ସମୟରେ ଇଣ୍ଡୋନେସିଆର ପ୍ରଶଂସନୀୟ ପଦକ୍ଷେପକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରିବ। ଏହି ପବିତ୍ର ଦ୍ବୀପ ବାଲିରୁ ଆମେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଅତ୍ୟନ୍ତ ଶୁଭ ସଂଯୋଗ। ଭାରତ ଏବଂ ବାଲି ମଧ୍ୟରେ ଅତି ପ୍ରାଚୀନ ସମ୍ପର୍କ ରହିଛି।

ମହାମହିମଗଣ,

ଭାରତ ଜି-୨୦ର ଦାୟିତ୍ବ ଏଭଳି ଏକ ମୁହୂର୍ତ୍ତରେ ଗ୍ରହଣ କରୁଛି ଯେତେବେଳେ ସାରା ବିଶ୍ବ ଭୂ-ରାଜନୈତିକ ଉତ୍ତେଜନା, ଆର୍ଥିକ ମାନ୍ଦାବସ୍ଥା, ଖାଦ୍ୟଶସ୍ୟ ଏବଂ ଇନ୍ଧନର ବର୍ଦ୍ଧିତ ଦର ଏବଂ ମହାମାରୀର ଦୀର୍ଘକାଳୀନ ଦୁଷ୍ପ୍ରଭାବ ସହ ଏକ ସମୟରେ ସଂଘର୍ଷ କରୁଛି। ଏଭଳି ଏକ ସମୟରେ ବିଶ୍ବ ଜି-୨୦ ଆଡ଼କୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଚାହିଁଛି। ଆଜି ମୁଁ ଏହି ଆଶ୍ବାସନା ଦେବାକୁ ଚାହୁଁଛି ଯେ ଭାରତର ଜି-୨୦ ଅଧ୍ୟକ୍ଷତା ସମାବେଶୀ, ଆକାଂକ୍ଷୀ, ନିର୍ଣ୍ଣାୟକ ଏବଂ କାର୍ଯ୍ୟାନୁଷ୍ଠାନ ଆଧାରିତ ହେବ।

ମହାମହିମଗଣ,

ଆସନ୍ତା ବର୍ଷ ଆମେ ଏହି ପ୍ରୟାସ କରିବୁ ଯେ ଜି-୨୦ ନୂଆ ବିଚାରର ପରିକଳ୍ପନା ଲାଗି, ଆହୁରି ଅଧିକ ସାମୁହିକ କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରିବା ଲାଗି, ଏକ ଗ୍ଲୋବାଲ ପ୍ରାଇମ ମୁଭର ଭାବେ କାମ କରିବ। ପ୍ରାକୃତିକ ସମ୍ବଳ ଉପରେ ମାଲିକାନା ମନୋଭାବ ଆଜି ସଂଘର୍ଷକୁ ଜନ୍ମ ଦେଉଛି। ଏହା ହିଁ ପରିବେଶ ଦୁର୍ଦ୍ଦଶାର ମୁଖ୍ୟ କାରଣ ପାଲଟିଛି। ପୃଥିବୀର ସୁରକ୍ଷିତ ଭବିଷ୍ୟତ ଲାଗି, ଟ୍ରଷ୍ଟିଶିପ ବା ସଂରକ୍ଷକ ଭାବନା ରହିବା ଏକମାତ୍ର ସମାଧାନ ଅଟେ। ଏଥିରେ ଲାଇଫ୍‌ ବା ‘ଲାଇଫଷ୍ଟାଇଟ୍‌ ଫର ଏନଭାୟରନମେଣ୍ଟ’ (ପରିବେଶ ପାଇଁ ଜୀବନଶୈଳୀ) ଅଭିଯାନ ଏକ ବଡ଼ ଯୋଗଦାନ ଦେଇପାରିବ। ଏହାର ଉଦ୍ଦେଶ୍ୟ ହେଉଛି ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଏକ ଜନ-ଆନ୍ଦୋଳନରେ ପରିଣତ କରିବା।

ମହାମହିମଗଣ,

ଆଜିର ଆବଶ୍ୟକତା ହେଉଛି ବିକାଶର ଲାଭ ସର୍ବ-ସ୍ପର୍ଶୀ ଏବଂ ସର୍ବ-ସମାବେଶୀ ହେଉ। ଆମକୁ କରୁଣା ଏବଂ ଏକାତ୍ମତା ଭାବନା ନେଇ ପ୍ରତ୍ୟେକ ଲୋକଙ୍କ ନିକଟରେ ବିକାଶର ଲାଭ ପହଞ୍ଚାଇବାକୁ ହେବ। ବିଶ୍ବର ବିକାଶ ମହିଳାଙ୍କ ଭାଗିଦାରୀ ବିନା ଅସମ୍ଭବ । ଆମକୁ ନିଜ ଜି-୨୦ ଏଜେଣ୍ଟରେ ମହିଳାଙ୍କ ନେତୃତ୍ବାଧୀନ ବିକାଶ ଉପରେ ପ୍ରାଥମିକତା ବଜାୟ ରଖିବାକୁ ହେବ। ଶାନ୍ତି ଓ ସୁରକ୍ଷା ବିନା ଆମର ଆଗାମୀ ପିଢ଼ି ଆର୍ଥିକ ବିକାଶ କିମ୍ବା ପ୍ରଯୁକ୍ତି ନବୋନ୍ମେଷର ଲାଭ ଗ୍ରହଣ କରିପାରିବ ନାହିଁ। ଜି-୨୦କୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ସପକ୍ଷରେ ଏକ ଦୃଢ଼ ବାର୍ତ୍ତା ଦେବାକୁ ହେବ। ଏ ସବୁ ପ୍ରାଥମିକତା, ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ – ‘‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’’-ରେ ସମ୍ପୂର୍ଣ୍ଣ ଭାବେ ସମାହିତ ହୋଇ ରହିଛି।

ମହାମହିମଗଣ,

ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଆମେ ଆମ ଦେଶର ବିଭିନ୍ନ ସହର ଏବଂ ରାଜ୍ୟରେ, ଜି-୨୦ର ବୈଠକମାନ ଆୟୋଜନ କରିବୁ। ଆମର ଅତିଥିମାନଙ୍କୁ ଭାରତର ଅଦ୍ଭୂତ ବିବିଧତା, ସମାବେଶୀ ପରମ୍ପରା ଏବଂ ସାଂସ୍କୃତିକ ସମୃଦ୍ଧିର ସମ୍ପୂର୍ଣ୍ଣ ଅନୁଭବ ମିଳିପାରିବ। ଆମେ କାମନା କରୁଛୁ ଯେ ଆପଣମାନେ ସମସ୍ତେ ‘ମଦର ଅଫ୍‌ ଡେମୋକ୍ରେସୀ’ (ଗଣତନ୍ତ୍ରର ଜନ୍ମଦାତ୍ରୀ) ଭାରତରେ ଏହି ଅଦ୍ବିତୀୟ ଉତ୍ସବରେ ସହଭାଗୀ ହେବେ। ଆମେ ସମସ୍ତେ ମିଶି ଜି-୨୦ ସମୂହକୁ ବିଶ୍ବ ପରିବର୍ତ୍ତନର ଏକ ବାହକରେ ପରିଣତ କରିପାରିବା।

ଅନେକ ଅନେକ ଧନ୍ୟବାଦ।

Categories
ଜାତୀୟ ଖବର ବିଶେଷ ଖବର

ସିଆଇଆଇ ବିଗ୍ ପିକ୍ଚର ସମ୍ମିଳନୀ: ସୂଚନା ଏବଂ ପ୍ରସାରଣ ସଚିବଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ

ନୂଆଦିଲ୍ଲୀ: ଆଜି ସିଆଇଆଇ ବିଗ୍ ପିକ୍ଚର ସମ୍ମିଳନୀର ଉଦଯାପନୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୂଚନା ଏବଂ ପ୍ରସାରଣ ସଚିବଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ଉପସ୍ଥାପନ କରାଯାଇଛି। ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁଗୁଡିକ…

1. ସାଧାରଣତଃ ଅର୍ଥନୀତି ଅପେକ୍ଷା ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରକୁ ଅଧିକ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିବାର ଆବଶ୍ୟକତା ରହିଛି କାରଣ ଏହି କ୍ଷେତ୍ର ଅର୍ଥନୀତିର ଏକ ଅଗ୍ରଣୀ କ୍ଷେତ୍ର ଏବଂ ଅର୍ଥନୀତିକୁ ଅନୁସରଣ କରିନଥାଏ।

2. ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରକୁ 100 ବିଲିୟନ ଡଲାର ବଜାର ହେବା ଦିଗରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି। ଏହି କ୍ଷେତ୍ରର ଉଜ୍ଵଳ ଭବିଷ୍ୟତ ରହିଛି।

3. ବିଷୟବସ୍ତୁ ବା କଣ୍ଟେଣ୍ଟ ଆଇନର ପରିଧି ମଧ୍ୟରେ ରହିଥିଲେ, ଯେକୌଣସି ବିଷୟବସ୍ତୁକୁ ସମର୍ଥନ ଯୋଗାଇ ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଏବଂ ଏଥିରେ କୌଣସି କଟକଣା ରହିବା ଉଚିତ୍ ନୁହେଁ। ଏହି ପ୍ରତିଶ୍ରୁତି ପାଳନ କରିବା ପାଇଁ ମନ୍ତ୍ରଣାଳୟ ପ୍ରୟାସ ଜାରି ରଖିଛି।

4. ଏଭିଜିସି ସେଣ୍ଟର ଫର ଏକ୍ସିଲେନ୍ସ କ୍ଷେତ୍ରରେ, ମନ୍ତ୍ରଣାଳୟ ପକ୍ଷରୁ ପିପିପି ମଡେଲ ଅଧୀନରେ ସରକାରଙ୍କ ହସ୍ତକ୍ଷେପକୁ ହ୍ରାସ କରିବା ଏବଂ ଉଦ୍ୟୋଗ ଜଗତର ସଂପୃକ୍ତିକୁ ବଢ଼ାଇବା ପାଇଁ ପ୍ରୟାସ କରାଯାଉଛି।

5. ପ୍ରେକ୍ଷାଳୟ ପ୍ରତିଷ୍ଠା କରିବା ପାଇଁ ରହିଥିବା ଆଇନ ବହୁ ପୁରୁଣା ଏବଂ ଏଗୁଡ଼ିକ ସିନେମାଟୋଗ୍ରାଫ ଆଇନର ସମୟରେ ପ୍ରଣୟନ କରାଯାଇଥିଲା। ପୁରୁଣାକାଳିଆ ଆଇନ ସମ୍ପର୍କରେ ପୁନଃବିଚାର କରିବା ପାଇଁ ସରକାର ରାଜ୍ୟମାନଙ୍କୁ ଅନୁରୋଧ କରିବେ।

6. ସରକାର ଆଣ୍ଟି-ପାଇରେସି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି, ପାଇରେସି ଏକ ଅପରାଧ ଏବଂ ଏହାକୁ ସମସ୍ତ ସ୍ତରରେ ଦୃଢ଼ ହସ୍ତରେ ଦମନ କରାଯିବା ଉଚିତ୍। ଡ୍ରାଫ୍ଟ ସିନେମାଟୋଗ୍ରାଫ ଆଇନରେ ପାଇରେସିରେ ସମ୍ପୃକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଡିଜିଟାଲ ମାଧ୍ୟମରେ ପାଇରେସି ଉପରେ ସିଆଇଆଇର ପ୍ରସ୍ତାବ ଉପରେ କାର୍ଯ୍ୟ କରିବା ପାଇଁ ସରକାର ଏବେ ଆଗ୍ରହ ପ୍ରକାଶ କରୁଛନ୍ତି।