Categories
ଆଜିର ଖବର ରାଜ୍ୟ ଖବର

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ ସୁଲତା ଦେଓ, କଲେ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ସାକ୍ଷାତ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ। ନିକଟରେ ଉପରାଷ୍ଟ୍ରପତିଙ୍କ ପ୍ରତି ହୋଇଥିବା ଅପମାନ ଉପରେ ଦୁଃଖ ପ୍ରକାଶ କରିଥିଲେ। ସଂସଦ ଭବନ ପରି ଏକ ପବିତ୍ର ସ୍ଥାନରେ ସଦସ୍ୟମାନେ ଏପରି ଥଟ୍ଟା ପରିହାସକୁ ସେ ତୀବ୍ର ନିନ୍ଦା କରିଥିଲେ।

ଉପରାଷ୍ଟ୍ରପତିଙ୍କୁ ବିଭିନ୍ନ ସମୟରେ ବିଜେଡି ରାଜ୍ୟସଭା ସାଂସଦମାନେ ସାକ୍ଷାତ କରି ତାଙ୍କୁ ନେଇ ହୋଇଥିବା ଥଟ୍ଟା ପରିହାସକୁ ତୀବ୍ର ନିନ୍ଦା କରିଛନ୍ତି। ଗତକାଲି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସୁଜିତ କୁମାର ପ୍ରମୁଖ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦମାନେ, ଗତକାଲି ଘଟଣାର କଲେ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ: ଗତକାଲି ସଂସଦ ଭବନରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଯେପରି ମିମିକ୍ରି କରାଗଲା ସେଥିରେ ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସାଂସଦ। ଆଜି ଉପରାଷ୍ଟ୍ରପତିଙ୍କୁ ବିଜେଡି ସାଂସଦ ବିଭିନ୍ନ ସମୟରେ ଭେଟି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସୁଜିତ କୁମାର ପ୍ରମୁଖ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ବିଜେଡି ସାଂସଦମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ସଂସଦ ପରି ପବିତ୍ର ସ୍ଥାନରେ ଏପରି ଅଶୋଭନୀୟ କାର୍ଯ୍ୟ କରିବା ଦୁଃଖଦାୟକ ବୋଲି ସେମାନେ କହିଥିଲେ।

ଗତକାଲି ବିରୋଧୀ ଦଳର ସଦସ୍ୟମାନେ ସାଂସଦଙ୍କୁ ନିଳମ୍ବିତ କରିବା ପ୍ରତିବାଦରେ ସଂସଦ ଭବନରେ ଆନ୍ଦୋଳନ କରିଥିଲେ। ଏଥିରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଅଙ୍ଗିଭଙ୍ଗିଙ୍କୁ ନକଲ କରି ଅଭିନୟ କରିଥିଲେ। ଏହା ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବା ସହିତ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଉପରାଷ୍ଟ୍ରପତିଙ୍କୁ କଂଗ୍ରେସ ନେତାଙ୍କ ସମର୍ଥନ: ଟିଏମସି ସାଂସଦଙ୍କ ଭିଡିଓ ଦେଖି କହିଲେ ‘ଦେଶ କ୍ଷମା କରିବ ନାହିଁ’

ନୂଆଦିଲ୍ଲୀ: ଆଜି ସଂସଦରେ ୪୯ ଲୋକସଭା ସାଂସଦଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଧିବେଶନ ପାଇଁ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏହି ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ରାଜ୍ୟସଭା ଏବଂ ଲୋକସଭା ସାଂସଦ ଅଛନ୍ତି। ସାଂସଦଙ୍କ ନିଲମ୍ବନ ପରେ ରାଜନୈତିକ ବାକ୍ୟ ଏବେ ବୃଦ୍ଧି ପାଉଛି। କିନ୍ତୁ ସେପଟେ କିଛି କଂଗ୍ରେସ ନେତା ଖୋଲାଖୋଲି ଭାବେ ବିଜେପି ସପକ୍ଷରେ ବାହାରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଉପରେ କଂଗ୍ରେସ ନେତା ପ୍ରମୋଦ କୃଷ୍ଣ ପ୍ରତିକ୍ରିୟା ରଖିଛନ୍ତି।

ପ୍ରମୋଦ କୃଷ୍ଣ କହିଛନ୍ତି ଯେ, ‘ଉପରାଷ୍ଟ୍ରପତିଙ୍କୁ ଉପହାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ “ଗଣତନ୍ତ୍ର” ର ପରିହାସ। ସେମାନଙ୍କୁ ଦେଶ କ୍ଷମା କରିବ ନାହିଁ। ବାସ୍ତବରେ କଂଗ୍ରେସ ନେତାଙ୍କ ଏହି ପ୍ରତିକ୍ରିୟା ଏକ ଭାଇରାଲ ଭିଡିଓ ପରେ ଆସିଛି। ଭିଡିଓରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ସଂସଦ ପରିସରରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ମିମିକ୍ରୀ କରୁଥିବା ନଜର ଆସିଛନ୍ତି। ତେବେ ଏହାର ଜବାବରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ କହିଛନ୍ତି ଯେ, ସଦବୁଦ୍ଧି ଆସୁ, କିଛି ତ ସୀମା ରହିବା ଆବଶ୍ୟକ।

ବାସ୍ତବରେ ସଂସଦରେ ସାଂସଦଙ୍କୁ ନିଲମ୍ବନ କରାଯିବା ପରେ ବିରୋଧୀ ଦଳର ସାଂସଦମାନେ ସଂସଦ ଗୃହ ପରିସରରେ ବିରୋଧ କରୁଛନ୍ତି। ଏହି ସମୟ ମଧ୍ୟରେ ଅନ୍ୟ ବିରୋଧୀ ଦଳର ସାଂସଦମାନେ କଲ୍ୟାଣ ବାନାର୍ଜୀଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ବାଚସ୍ପତି ଜଗଦୀପ ଧନଖଡଙ୍କ ମିମିକ୍ରୀ କରୁଥିବା ଦେଖୁଥିଲେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଠିଆ ହୋଇ ମିମିକ୍ରୀକୁ ଦେଖୁଛନ୍ତି। ତାଙ୍କ ସହ ବିରୋଧ କରୁଥିବା ସମସ୍ତ ବିରୋଧୀ ସାଂସଦ ମଧ୍ୟରେ ଉପସ୍ଥିତ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ଗୁଜରାଟର ଗାନ୍ଧୀନଗର ଗସ୍ତରେ ଯିବେ ଉପରାଷ୍ଟ୍ରପତି 

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ଗୁଜରାଟର ଗାନ୍ଧୀନଗର ଗସ୍ତ କରିବେ।

ଶ୍ରୀ ଧନଖଡ଼ ରାଜ୍ୟର ନିଜର ଏକଦିବସୀୟ ଯାତ୍ରା ଅବସରରେ ଗାନ୍ଧୀ ନଗରରେ ଭାରତୀୟ ସନଦୀ ଲେଖାକାର ସଂସ୍ଥାନ (ICAI) ଦ୍ବାରା ଆୟୋଜିତ ‘ଗ୍ଲୋବାଲ ପ୍ରଫେସନାଲ ଆକାଉଣ୍ଟାଣ୍ଟସ୍ ସମ୍ମିଳନୀ’ର ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

Categories
ବିଶେଷ ଖବର

ସାମ୍ବାଦିକ ଓ ଗଣମାଧ୍ୟମ ପେସାଦାରମାନେ ସତ୍ୟର ସିଦ୍ଧାନ୍ତ ପ୍ରତି ଅଧିକ ପ୍ରତିବଦ୍ଧ ହେବା ଦରକାର: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ଜାତୀୟ ପ୍ରେସ୍ ଦିବସ ଅବସରରେ ଗଣମାଧ୍ୟମ ଜଗତକୁ ଶୁଭେଚ୍ଛା ଜଣାଇଛନ୍ତି। ‘‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’’ ବିଷୟବସ୍ତୁ ଉପରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଥିଲେ ଯେ ଆଜି ଦାୟିତ୍ୱସମ୍ପନ୍ନ ସାମ୍ବାଦିକତା ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇବାର ଦିନ। ଯେହେତୁ ଭାରତ ଆଉ ମାତ୍ର କିଛି ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି କେବଳ ଭାରତର ରୂପାନ୍ତର କାହାଣୀକୁ ଲୋକଲୋଚନକୁ ଆଣିବାରେ ନୁହେଁ, ବରଂ ବିଭିନ୍ନ କ୍ଷେତ୍ର ଓ ଦେଶର ୧୦୦ କୋଟି ଲୋକଙ୍କ ଆଶା, ଆକାଂକ୍ଷାକୁ ପ୍ରକାଶିତ କରିବାରେ ଗଣମାଧ୍ୟମ ଗଠନମୂଳକ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ଶ୍ରୀ ଠାକୁର କହିଥିଲେ ଯେ ଜାତୀୟ ପ୍ରେସ୍ ଦିବସ ଆମ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଉତ୍ସର୍ଗୀକୃତ ସାମ୍ବାଦିକଙ୍କ ଅକ୍ଳାନ୍ତ ପ୍ରତିବଦ୍ଧତାକୁ ସମ୍ମାନ ଦେଇଥାଏ।

ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି ମନ୍ତ୍ରୀ କହିଥିଲେ ଯେ ଆମେ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଠିଆ ହୋଇଛୁ ଏବଂ ପ୍ରଯୁକ୍ତିର ଅଗ୍ରଗତି ଦ୍ୱାରା ପରିଚାଳିତ ଦ୍ରୁତ ବୈଶ୍ୱିକ ବିକାଶ ଦେଖୁଛୁ। ଡିଜିଟାଲ ଯୁଗ ଏକ ନୂତନ ଧାରା ଆରମ୍ଭ କରିଛି ଯେଉଁଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଖବର ବିଷୟବସ୍ତୁ ସୃଷ୍ଟି ପାଇଁ ଅଧିକ ବ୍ୟବହୃତ ହେଉଛି। ଏଆଇ ନିଶ୍ଚିତ ଭାବରେ ଖବର ସଂଗ୍ରହ ବା ରିପୋର୍ଟିଂରେ ଏକ ନୂତନ ଦିଗ ଯୋଡିଥିବା ବେଳେ ଏହାର ସୀମିତ ସାମର୍ଥ୍ୟକୁ ଚିହ୍ନିବା ଜରୁରୀ। ସମ୍ବାଦ ସଂଗ୍ରହ ଏବଂ ଖବର ପ୍ରସାରଣ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିବା ସହିତ ମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଜଣେ ସମ୍ପାଦକ ଆଣିଥିବା ବର୍ଷ ବର୍ଷର ଅଭିଜ୍ଞତା, ପ୍ରସଙ୍ଗ ଓ ତଦାରଖର ସୂକ୍ଷ୍ମତା ସର୍ବଦା ଏଆଇଠାରୁ ଏକ ପାଦ ଆଗରେ ରହିବ । ଏଆଇ ମଡେଲଗୁଡ଼ିକ ଯେପରି ସେମାନଙ୍କ ପ୍ରଶିକ୍ଷଣ ତଥ୍ୟରୁ ପକ୍ଷପାତିତା ଗ୍ରହଣ ନ କରନ୍ତି ତାହା ସୁନିଶ୍ଚିତ କରିବା ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଆହ୍ୱାନଗୁଡ଼ିକର ପ୍ରଭାବଶାଳୀ ମୁକାବିଲା ଏବଂ ସାମ୍ନା କରିବା ଆମର ସାମୂହିକ ଦାୟିତ୍ୱ। ସାମ୍ବାଦିକତାର ଅଖଣ୍ଡତା ବଜାୟ ରଖିବା ଏବଂ ଗଣମାଧ୍ୟମରେ ଏଆଇର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ସେ କହିଥିଲେ।

କେତେକ ପାଶ୍ଚାତ୍ୟ ସଂସ୍ଥା ଯେଉଁ ନକାରାତ୍ମକ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, ସେ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ ଆମେ ଗଣମାଧ୍ୟମର ସ୍ୱାଧୀନତାକୁ ପାଳନ କରୁଥିଲେ ମଧ୍ୟ ଯେଉଁମାନେ ଆମ ରାଷ୍ଟ୍ରର ଭାବନାକୁ କ୍ଷୁଣ୍ଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପ୍ରତି ଆମେ ଆଖି ବୁଜିପାରିବୁ ନାହିଁ। ଏପରି କିଛି ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମ ରହିଛି ଯେଉଁମାନେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ ଲଗାତାର ମିଥ୍ୟା ପ୍ରଚାର କରୁଛନ୍ତି।

ଏଭଳି କାହାଣୀକୁ ଖଣ୍ଡନ କରିବା, ମିଥ୍ୟାକୁ ଉନ୍ମୋଚନ କରିବା ଏବଂ ସତ୍ୟର ବିଜୟ ସୁନିଶ୍ଚିତ କରିବା ଆମର ସାମୂହିକ ଦାୟିତ୍ୱ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏବଂ ଏହାର ଗଣମାଧ୍ୟମର ଚିତ୍ରଣକୁ ନେଇ କେତେକ ପାଶ୍ଚାତ୍ୟ ପକ୍ଷପାତିତା ଦ୍ୱାରା ପ୍ରସାରିତ କ୍ରମାଗତ ଭୁଲ ଧାରଣାକୁ ଦୂର କରିବା ଗୁରୁତ୍ୱପୂର୍ଣ୍ଣ। ଔପନିବେଶିକ ମାନସିକତା ପ୍ରାୟତଃ ଧାରଣାକୁ ଖରାପ କରିଥାଏ, କିନ୍ତୁ ଆମେ ଦୃଢ଼ତାର ସହ କହିଥାଉ ଯେ ଆମର ଗଣମାଧ୍ୟମ ପରିଦୃଶ୍ୟ ଗତିଶୀଳ, ପ୍ରତିଫଳିତ ଏବଂ ନିଜର ଯୋଗ୍ୟତା ଉପରେ ଠିଆ ହୋଇଛି।

ଭାରତର ଗଣମାଧ୍ୟମ ଏହାର ସାଂସ୍କୃତିକ ସମୃଦ୍ଧିର ପ୍ରତିଫଳନ କରିଥାଏ। ବିଶ୍ୱ ସ୍ତରୀୟ ଆଲୋଚନାରେ ଏହାର ଅବଦାନ ପାଇଁ ଆମେ ଗର୍ବ କରିବା ଉଚିତ୍ । ଭାରତରେ ଏକ ସକ୍ରିୟ ଓ ସ୍ୱାଧୀନ ଗଣମାଧ୍ୟମ ରହିଛି, ଯାହା ବିବିଧ ସ୍ୱର ଏବଂ ମତାମତ ପାଇଁ ଏକ ମଞ୍ଚ ପ୍ରଦାନ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟାନ୍ୟ ବୃତ୍ତି ସହିତ କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ପ୍ରବେଶ କରିଥିବା ଗଣମାଧ୍ୟମକୁ ସତର୍କ କରାଇ ମନ୍ତ୍ରୀ କହିଛନ୍ତି ଯେ ଆମେ ଏପରି ଏକ ଦୁନିଆରେ ରହୁଛୁ ଯେଉଁଠାରେ ଏକ ବଟନ୍ କ୍ଲିକ୍ କରି ଭୁଲ ସୂଚନା ପ୍ରସାରିତ ହୋଇପାରିବ। ଆମ ସରକାର ଗଣମାଧ୍ୟମକୁ ଏକ ସଚେତନ ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରନ୍ତି। ରୋମାଞ୍ଚକର ଖବର ପ୍ରସାରଣକୁ ଏଡାଇବା ଏବଂ ଆମ ସମାଜର ଢାଞ୍ଚାକୁ କ୍ଷତି ପହଞ୍ଚାଇବା ଭଳି ଖବର ଠାରୁ ଦୂରେଇ ରହିବା ପ୍ରତି ଗଣମାଧ୍ୟମ ଯତ୍ନବାନ ହେବା ଉଚିତ୍ । ଭାରତୀୟ ଗଣମାଧ୍ୟମ ଆମ ଦେଶର ସ୍ୱାର୍ଥର ସୁରକ୍ଷା କରିବା ଉଚିତ୍ ଏବଂ ଭାରତ ବିରୋଧୀ ମତକୁ ସ୍ଥାନ ପ୍ରଦାନ କରିବା ଠାରୁ ଦୂରେଇ ରହିବା ଉଚିତ ଯାହା ଆମର ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିପାରେ ।

ଏହି ଅବସରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍ ଏକ ମୁକ୍ତ ଓ ଦାୟିତ୍ୱସମ୍ପନ୍ନ ପ୍ରେସ୍ ସାମ୍ବାଦିକତା ନୈତିକତା ଓ ମାନଦଣ୍ଡକୁ ପାଳନ କରିବା ସୁନିଶ୍ଚିତ କରି ରାଷ୍ଟ୍ର ସେବାରେ ପ୍ରେସ୍ ର ଭୂମିକା ସୁନିଶ୍ଚିତ କରିବାରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ଭୂମିକାକୁ ପ୍ରଶଂସା କରିଥିଲେ। ଉଭୟ ଭିତରେ ଓ ବାହାରେ ଘଟୁଥିବା ପରିବର୍ତ୍ତନକୁ ନିରନ୍ତର ଭାବେ ଗ୍ରହଣ କରିବାକୁ ସେ ଗଣମାଧ୍ୟମକୁ ଆହ୍ୱାନ ଦେଇଥିଲେ। କପିରାଇଟ୍, ସୃଜନଶୀଳତା, ମୌଳିକତା ଏବଂ ଚୋରି ମାମଲାରେ ଏଆଇର ଉଲ୍ଲଂଘନ ବିରୋଧରେ ମନ୍ତ୍ରୀ ସତର୍କ କରାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ସବୁ ଟେକ୍ନୋଲୋଜି ପରି ଏଆଇ ପାଇଁ ମଧ୍ୟ ନୈତିକ ମାନବିକ ତଦାରଖର ଆବଶ୍ୟକତା ରହିଛି।

ଏହି ଅବସରରେ ମୁଖ୍ୟ ଅତିଥି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଥିଲେ ଯେ ମିଥ୍ୟା ଖବର, ଜାଣିଶୁଣି ଭୁଲ ଓ ଖରାପ ସୂଚନା, ରାଜନୈତିକ ଅଭିଳାଷ ଓ ପସନ୍ଦ, କ୍ଷମତା ଦଲାଲ ଭୂମିକା ଗ୍ରହଣ କରିବାର ପ୍ରବୃତ୍ତି ଓ ଆର୍ଥିକ ଚିନ୍ତାଧାରା ଆଜି ଗଣମାଧ୍ୟମ ପ୍ରତି ଲୋକଙ୍କ ଆସ୍ଥାକୁ କ୍ଷୁର୍ଣ୍ଣ କରିଛି। ବିଶ୍ୱସନୀୟତା ହେଉଛି ଆଜି ଗଣମାଧ୍ୟମ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ଆହ୍ୱାନ ଏବଂ ଏହା ଆଶ୍ଚର୍ଯ୍ୟଜନକ ଯେ ଏହି ଦିଗକୁ ଅଣଦେଖା କରାଯାଉଛି।

ଏହି ବିଷୟବସ୍ତୁ ଉପରେ ଉପରାଷ୍ଟ୍ରପତି କହିଥିଲେ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଆବିର୍ଭାବ ଆମର ଖବର, ସୂଚନା ଏବଂ ମନୋରଞ୍ଜନ ଗ୍ରହଣ ଏବଂ ବ୍ୟବହାର କରିବାର ଶୈଳୀକୁ ବଦଳାଇ ଦେଇଛି। ଏଆଇ ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି। ଏଥିସହିତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରିବା ଏବଂ ସମାଜରେ ବିଶୃଙ୍ଖଳା ଓ ଅସ୍ଥିରତା ସୃଷ୍ଟି କରିବା ପାଇଁ ଭୁଲ ସୂଚନା ପ୍ରସାର, ଡିପ୍ ଫେକ୍, ଇକୋ ଚେମ୍ବର ସୃଷ୍ଟି ଏବଂ ସୂଚନାର ମାଇକ୍ରୋ ଟାର୍ଗେଟିଂ ଭଳି ଅନେକ ଆହ୍ୱାନ ଓ ନୈତିକ ପ୍ରଶ୍ନ ନେଇ ଏହା ପହଞ୍ଚିଛି। ଏହି ଆହ୍ୱାନର ମୁକାବିଲା କରି ସାମ୍ବାଦିକ ଏବଂ ଗଣମାଧ୍ୟମ ପେସାଦାରଙ୍କ ଦାୟିତ୍ୱ ବିସ୍ତାରିତ ହୋଇଛି, ଯେଉଁଥିପାଇଁ ସତ୍ୟ, ସଠିକତା ଏବଂ ଉତ୍ତରଦାୟିତ୍ୱର ନୀତି ପ୍ରତି ଅଧିକ ପ୍ରତିବଦ୍ଧତାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଶ୍ରୀ ଧନଖଡ଼ କହିଥିଲେ ଯେ ଯଦିଓ ଏଆଇ ଦ୍ୱାରା କ୍ଷତି ହେବାର ସମ୍ଭାବନା ଅଛି, ତଥାପି ଆମକୁ ସ୍ୱୀକାର କରିବାକୁ ହେବ ଯେ ଏହି ପ୍ରଯୁକ୍ତି ଏଠାରେ ରହିବା ପାଇଁ ଆସିଛି ଏବଂ ଆମକୁ ପରିବର୍ତ୍ତିତ ପରିଦୃଶ୍ୟ ସହିତ ଖାପ ଖୁଆଇବାକୁ ହେବ। ଆମ ସାମର୍ଥ୍ୟରେ ଉନ୍ନତି ଆଣିବା ପାଇଁ ଏକ ଉପକରଣ ଭାବରେ ଏଆଇର ପରିବର୍ତ୍ତନଶୀଳ ସମ୍ଭାବନାକୁ ବ୍ୟବହାର କରିବା ସହିତ ଏହାର ଅପବ୍ୟବହାର ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍। ସେ ଆହୁରି ମଧ୍ୟ କହିଛନ୍ତି ଯେ ସାମ୍ବାଦିକ ଏବଂ ଗଣମାଧ୍ୟମ ସଂସ୍ଥାମାନେ ସଚ୍ଚୋଟତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତଥ୍ୟ ଯାଞ୍ଚ, ଉତ୍ସ ଯାଞ୍ଚ ଏବଂ ସମ୍ପାଦକୀୟ ସ୍ୱାଧୀନତା ବଜାୟ ରଖିବା ପୂର୍ବଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଆମେ ଏଆଇକୁ ଏକ ମୁକ୍ତ ଏବଂ ଜୀବନ୍ତ ଗଣମାଧ୍ୟମ ମୂଳଦୁଆ ଥିବା ମୂଲ୍ୟବୋଧ ସହିତ ବୁଝାମଣା କରିବାକୁ ଅନୁମତି ଦେବା ଉଚିତ୍ ନୁହେଁ। ଏଆଇ ଏକ ଶକ୍ତିଶାଳୀ ଅସ୍ତ୍ର ହୋଇପାରେ, କିନ୍ତୁ ଏହା ମାନବୀୟ ସ୍ପର୍ଶ, ସତ୍ୟ ପ୍ରତି ପ୍ରତିବଦ୍ଧତା ଏବଂ ସାମ୍ବାଦିକମାନଙ୍କର ଅତୁଟ ସମର୍ପଣ ହିଁ ଗଣମାଧ୍ୟମକୁ ଆମ ସମାଜରେ ଭଲ ପାଇଁ ଏକ ଶକ୍ତି ରେ ପରିଣତ କରିବ ବୋଲି ଶ୍ରୀ ଧନଖଡ଼ ଗୁରୁତ୍ୱାରୋପ କରିଥିଲେ। ଏଆଇର ନିଜସ୍ୱ ଆହ୍ୱାନ ଓ ନୈତିକ ପ୍ରଶ୍ନ ଅଛି; ସାମ୍ବାଦିକ ଓ ଗଣମାଧ୍ୟମ ପେସାଦାରମାନେ ସତ୍ୟର ସିଦ୍ଧାନ୍ତ ପ୍ରତି ଅଧିକ ପ୍ରତିବଦ୍ଧତା ପାଇଁ ସଂକଳ୍ପବଦ୍ଧ ହେବା ଦରକାର ବୋଲି ସେ କହିଥିଲେ।

ଜି-୨୦ ଶେର୍ପା ଅମିତାଭ କାନ୍ତ ଏହି ଅବସରରେ କହିଥିଲେ ଯେ ବୈଷୟିକ ଜ୍ଞାନକୌଶଳକୁ ମାନବ ପ୍ରତିଭାର ବିକାଶ ଭାବରେ ଦେଖୁଥିବା ଗଣମାଧ୍ୟମ ସଂସ୍ଥାମାନେ ଅନୁସନ୍ଧାନମୂଳକ ଏବଂ ପ୍ରାମାଣିକ ସାମ୍ବାଦିକତାକୁ ପୁନର୍ଜୀବିତ କରିବାରେ ସକ୍ଷମ ହୋଇଛନ୍ତି। ଏଥିସହିତ ଗଣମାଧ୍ୟମରେ ଅନିୟନ୍ତ୍ରିତ ଏଆଇ ବ୍ୟବହାର ଆମ ଗଣତନ୍ତ୍ରରେ କ’ଣ କ୍ଷତି ପହଞ୍ଚାଇପାରେ ସେ ବିଷୟରେ ସଚେତନ ହେବା ଜରୁରୀ ବୋଲି ସେ କହିଛନ୍ତି। ଏଆଇ ସହାୟତାରେ ବ୍ୟକ୍ତିଗତ ଖବର ସଂଗ୍ରହ କରିବା ଆମ ସମାଜରେ ଇକୋ ଚେମ୍ବର ସୃଷ୍ଟି କରିବାର ବିପଦ ରହିଛି ଯାହା ଆମର ବିଭିନ୍ନ ଦୃଷ୍ଟିକୋଣକୁ ସୀମିତ କରିଥାଏ।

ଏହି କାର୍ଯ୍ୟକ୍ରମରେ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ଅଧ୍ୟକ୍ଷତା କରିଥିଲେ।

Categories
ବିଶେଷ ଖବର

ଉପରାଷ୍ଟ୍ରପତିଙ୍କ ମନ୍ତବ୍ୟ ପରେ ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମନ୍ତବ୍ୟ ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ବିଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର କହିଛନ୍ତି ଯେ ଦେଶର ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ଦିନ ଦୂର ନୁହେଁ।

୨୦୧୦ମସିହାରେ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲେ ହେଁ ଲୋକସଭାରେ ଏହାକୁ ଅନୁମୋଦନ ନ ମିଳିବାରୁ ଏହା ଅଚଳ ହୋଇଯାଇଥିଲା।

ଉପରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପରେ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆଗତ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି, ଯାହାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

ମଙ୍ଗଳବାର ଦିନ ତେଲେଙ୍ଗାନାର ଏମଏଲସି ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ମଧ୍ୟ ସଂସଦରେ ପ୍ରତିନିଧିତ୍ୱ କରୁଥିବା ସମସ୍ତ ୪୭ଟି ରାଜନୈତିକ ଦଳର ସଭାପତିଙ୍କୁ ଏକ ଚିଠି ଲେଖି ରାଜନୈତିକ ମତଭେଦକୁ ଦୂର କରି ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ ପାରିତ କରିବାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଛନ୍ତି।
୧୯୯୬ମସିହାରେ ଦେବେଗୌଡ଼ା ସରକାର ପ୍ରଥମେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ପାଇଁ ଏକ ବିଲ ଆଗତ କରିଥିଲେ। ଏହାପରେ ୟୁପିଏ ସରକାର ୨୦୦୮ ମସିହାରେ ସମ୍ବିଧାନ (ଅଷ୍ଟମ ସଂଶୋଧନ) ବିଲ ନାମରେ ପରିଚିତ ଏହି ବିଲକୁ ପୁନଃ ଆଗତ କରିଥିଲେ।

୨୦୧୦ମସିହାରେ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲା, କିନ୍ତୁ ପଞ୍ଚଦଶ ଲୋକସଭାରେ ଏହି ବିଲ ପାରିତ ହୋଇପାରିନଥିଲା ଏବଂ ଏହା ଭଙ୍ଗ ହେବା ପରେ ଏହା ଅଚଳ ହୋଇଯାଇଥିଲା। ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଭଳି ଦଳ ଏହି ବିଲକୁ ବର୍ତ୍ତମାନର ରୂପରେ ବିରୋଧ କରି ‘କୋଟା ଭିତରେ ସଂରକ୍ଷଣ’ ଦାବି କରିଛନ୍ତି। ଦଳିତ, ପଛୁଆ, ଅତ୍ୟନ୍ତ ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା ଉଚିତ ବୋଲି ଦଳଗୁଡ଼ିକ ଯୁକ୍ତି ବାଢ଼ିଛନ୍ତି। ଆରଜେଡି କହିଛି ଯେ ଯଦି ଏହି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ ମହିଳାଙ୍କ ପାଇଁ ସଂରକ୍ଷଣ ୫୦%କୁ ବୃଦ୍ଧି କରିବାକୁ ପଡ଼ିବ ତେବେ ଏହାର କୌଣସି ଅସୁବିଧା ନାହିଁ, କିନ୍ତୁ ସଂରକ୍ଷଣରେ ସଂରକ୍ଷଣ ବିନା ଏହା “ଅର୍ଥହୀନ” ଅଟେ।

ସମ୍ବିଧାନ ସଂଶୋଧନ ହୋଇଥିବାରୁ ଲୋକସଭାରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ। ୨୦୧୪ରେ ଏହା ବିଜେପିର ନିର୍ବାଚନୀ ଇସ୍ତାହାରର ଏକ ଅଂଶ ଥିଲା ଏବଂ ଏହା ଗୃହୀତ ହେବାଦ୍ୱାରା ଦଳ ମହିଳାଙ୍କ ଭୋଟକୁ ସୁଦୃଢ଼ କରିବାରେ ସହାୟକ ହେବ।

ସୋମବାର ଜୟପୁରର ଏକ କଲେଜରେ ‘ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭାଗିଦାରୀ’ ଶୀର୍ଷକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଧନଖଡ଼ କହିଥିଲେ ଯେ ସେହିଦିନ ଦୂର ନୁହେଁ ଯେତେବେଳେ ସମ୍ବିଧାନରେ ସଂଶୋଧନ ମାଧ୍ୟମରେ ମହିଳାମାନେ ସଂସଦ ଏବଂ ବିଧାନସଭାରେ ସେମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ପାଇବେ। ଖୁବଶୀଘ୍ର ଏହି ସଂରକ୍ଷଣ ଦିଆଗଲେ ୨୦୪୭ ପୂର୍ବରୁ ଭାରତ ବିଶ୍ୱ ଶକ୍ତିରେ ପରିଣତ ହେବ ବୋଲି ସେ କହିଛନ୍ତି।

ପ୍ରଶାସନ, କର୍ପୋରେଟ ଜଗତ ଓ ସେନା ସମେତ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ନୂଆ ନୂଆ ମଡେଲ ତିଆରି କରୁଥିବାରୁ ମହିଳାଙ୍କ ପାଇଁ ଆକାଶ ହେଉଛି ସୀମା ବୋଲି ଶ୍ରୀ ଧନଖଡ଼ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମଙ୍ଗଳବାର ଭାରତ ରାଷ୍ଟ୍ର ସମିତି ନେତ୍ରୀ ତଥା ପୂର୍ବତନ ଲୋକସଭା ସାଂସଦ କେ କବିତା ତାଙ୍କ ଚିଠିରେ କହିଛନ୍ତି ଯେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଏକ ସ୍ୱତନ୍ତ୍ରତାର ବିଷୟ ନୁହେଁ ବରଂ ଏକ ଅଧିକ ସମାନ ଏବଂ ସନ୍ତୁଳିତ ରାଜନୈତିକ ଦୃଶ୍ୟପଟ୍ଟ ସୃଷ୍ଟି କରିବାର ଏକ ମାଧ୍ୟମ। ଏହି ମାମଲାର ଜରୁରୀକୁ ସ୍ୱୀକାର କରି ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିବାକୁ ସେ ସମସ୍ତ ଦଳକୁ ଅନୁରୋଧ କରିଛନ୍ତି।

ଗତ ଜୁଲାଇ ମାସରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସରକାର ରାଜ୍ୟସଭାରେ କହିଥିଲେ ଯେ ମହିଳା ସଂରକ୍ଷଣ ବିଲ ସଂସଦକୁ ଅଣାଯିବା ପୂର୍ବରୁ ସମସ୍ତ ରାଜନୈତିକ ଦଳର ସହମତି ଆଧାରରେ ସତର୍କତାର ସହ ବିଚାର କରାଯିବାର ଆବଶ୍ୟକତା ରହିଛି। ଏହାର ଉତ୍ତରରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ ଯେ ଲିଙ୍ଗଗତ ନ୍ୟାୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି।

Categories
ବିଶେଷ ଖବର

ଏକକ ନାଗରିକ ସଂହିତାର କାର୍ଯ୍ୟକାରିତାରେ ବିଳମ୍ବ ହେଲେ ଆମ ମୂଲ୍ୟବୋଧ କ୍ଷତିଗ୍ରସ୍ତ ହେବ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‌ (ୟୁସିସି) ଭାରତ ଓ ତାହାର ଜାତୀୟତାବାଦକୁ ଅଧିକ ସୁଦୃଢ କରି ଏକତା ସୂତ୍ରରେ ବାନ୍ଧିବ। ୟୁସିସି ଲାଗୁ କରିବାରେ ଅଧିକ ବିଳମ୍ବ ହେଲେ ଏହା ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ। ଆଜି ଆସାମର ଗୁଆହାଟୀ ଆଇଆଇଟିର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଛନ୍ତି ଯେ ଦେଶ ଶାସନରେ ରାଷ୍ଟ୍ରଶାସନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ( ଡିପିଏସ୍‌ପି)ର ମୌଳିକ ଭୂମିକା ରହିଛି। ତଦନୁସାରେ ଆଇନ/ନିୟମ ପ୍ରଣୟନ କରିବା ରାଷ୍ଟ୍ରର କର୍ତ୍ତବ୍ୟ। ଏହି ଡିପିଏସ୍‌ପି ଅଧୀନରେ ପଞ୍ଚାୟତ, ସମବାୟ, ଶିକ୍ଷାଧିକାର ଭଳି କେତେକ ନୀତି  ଆଇନର ରୂପ ନେଇଛି। ତେଣୁ ଏବେ ସମ୍ବିଧାନର ଧାରା-୪୪ର କାର୍ଯ୍ୟକାରିତା ପାଇଁ ବର୍ତ୍ତମାନ  ସମୟ ଆସିଯାଇଛି।

ଭାରତର ଭାବମୂର୍ତ୍ତିକୁ କ୍ଷୂଣ୍ଣ କରିବା ଭଳି ଅପଚେଷ୍ଟା ଓ ବାରମ୍ବାର ଦେଶ ବିରୋଧୀ କାହାଣୀର ଅବତାରଣାକୁ ସେ ନିନ୍ଦା କରିବା ସହ ଏଭଳି କାର୍ଯ୍ୟରେ ଲିପ୍ତ ତତଙ୍କୁ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ ଏବେ ଭାରତ  ବିରୋଧୀ କାହାଣୀ କହୁଥିବା ତତ୍ୱମାନଙ୍କୁ ଠିକଣା ଜବାବ ଦେବାର ସମୟ ଆସିଛି।

ଉପରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ,’ ଆମ ଦେଶର ସାର୍ବଭୌମତ୍ୱ ଓ ପ୍ରତିଷ୍ଠାକୁ ଦୁର୍ବଳ କରିବା ପାଇଁ କୌଣସି ବିଦେଶୀ ଶକ୍ତିକୁ ସୁଯୋଗ ଦିଆଯିବ ନାହିଁ। ସେ ଭାରତର ଗଣତନ୍ତ୍ରକୁ ପ୍ରାଚୀନତମ, ବୃହତ୍ତମ, ସବୁଠୁ ସଫଳ ଓ ଜୀବନ୍ତ ଗଣତନ୍ତ୍ର ଭାବେ ବର୍ଣ୍ଣନା କରି ଏହା ବୈଶ୍ୱିକ ଶାନ୍ତି ଓ ସଦ୍‌ଭାବନାକୁ ସୁଦୃଢ କରୁଛି ବୋଲି କହିଛନ୍ତି। ଆମର ସାମ୍ବିଧାନିକ ପ୍ରତିଷ୍ଠାନ ସମୂହ ଉତ୍କୃଷ୍ଟ ତଥା ତଥା ପ୍ରସ୍ଫୁଟିତ ଗଣତନ୍ତ୍ରକୁ ଆଘାତ କରିବା ଭଳି କୌଣସି କାମକୁ ଆମେ ବରଦାସ୍ତ କରିିବୁ ନାହିଁ।”

ସେ ଏହା କହିଛନ୍ତି ଯେ ଏବେ ଦେଶରେ ଦୁର୍ନୀତିକୁ ପ୍ରଶୟ ଦିଆଯାଉନାହିଁ। ଦୁର୍ନୀତିଗସ୍ତଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ସରକାର ଅବଲମ୍ବନ କରୁଛନ୍ତି। ଏବେ ଦୁର୍ନୀତିମୁକ୍ତ ଭାରତ ଗଠନ ପାଇଁ ସମସ୍ତେ ଆଗେଇ ଆସିବା ସହିତ ଦୁର୍ନୀତିମୁକ୍ତ ସମାଜଗଠନ ପାଇଁ କାମ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଯେ “ଦୁର୍ନୀତି ଗଣତନ୍ତ୍ର ବିରୋଧୀ। ଏହା କୁଶାସନ ଏବଂ ଆମ ଅଭିବୃଦ୍ଧିର ପରିପନ୍ଥୀ। ଏକ ଦୁର୍ନୀତି ମୁକ୍ତ ସମାଜ ଅଭିବୃଦ୍ଧିର ନିରାପଦ ପଥ।” କିଛି ଲୋକ ଦୁର୍ନୀତି ଅଭିଯୋଗରେ ଧରାପଡିବା ପରେ ଆଇନଗତ ପ୍ରତିକାର ନ କରି ରାସ୍ତାକୁ ଓହ୍ଳାଇ ଯେଉଁ ବିକ୍ଷୋଭ ଓ ପ୍ରତିବାଦ କରୁଛନ୍ତି ଉପରାଷ୍ଟ୍ରପତି ତାହାକୁ ନାପସନ୍ଦ କରିଛନ୍ତି।

ଭାରତୀୟ ହେବାର ଗୌରବ ଅନୁଭବ କରିବା ସହିତ ଛାତ୍ରଛାତ୍ରୀମାନେ ଏହାର ଐତିହାସିକ ଉପଲବ୍ଧିକୁ ନେଇ ଗର୍ବ କରିବାକୁ ଉପରାଷ୍ଟ୍ରପତି କହିଛନ୍ତି। ଛାତ୍ର ସମାଜ ମାନେ ଅର୍ଥନୀତିକୁ ଜାତୀୟତାବାଦ ଓ ଦେଶ ପ୍ରତି ଅଙ୍ଗୀକୃତ ହେବା ସହିତ ରାଷ୍ଟ୍ର ଓ ଜାତୀୟତାକୁ ନ୍ୟୁନ କରି ବ୍ୟକ୍ତିଗତ ଆର୍ଥିକ ଲାଭରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ବାବା ସାହେବ ଆମ୍ବେଦକରଙ୍କ ବାଣୀ ଉଦ୍ଧାର କରି ସେ ବିଦ୍ୟାର୍ଥୀମାନଙ୍କୁ କହିଛନ୍ତି ଯେ “ତୁମେମାନେ ପ୍ରଥମେ ଓ ଶେଷରେ ମଧ୍ୟ ଭାରତୀୟ ହିଁ ହେବା ଉଚିତ। ଭାରତୀୟ ହେବା ଛଡା ଅନ୍ୟ ଗତି ନାହିଁ।”

ସମାବର୍ତ୍ତନ ଭାଷଣରେ ଉପରାଷ୍ଟ୍ରପତି ଶ୍ରୀ ଧନକର ଆହୁରି କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ସହନଶୀଳ ହେବା ଆବଶ୍ୟକ। ସେମାନେ ଅନ୍ୟମାନଙ୍କର ଦୃଷ୍ଟିକୋଣକୁ ଅଧିକ ବିଚାର କରି ଦେଖିବା ଉଚିିତ। ଅନେକ ସମୟରେ ଅନ୍ୟମାନଙ୍କ ଦୃଷ୍ଟିକୋଣ ହିଁ ନିର୍ଭୁଲ ହୋଇଥାଏ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଉପରାଷ୍ଟ୍ରପତି ଶ୍ରୀ ଧନକର ଡକ୍ଟର ସୁଦେଶ ଧନକରଙ୍କୁ ସହିତ ଗୁଆହାଟୀର ପ୍ରଖ୍ୟାତ କାମାଖ୍ୟା ମନ୍ଦିରକୁ ଯାଇ ମା’ କାମାଖ୍ୟା ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପରେ ସେ ଆଇଆଇଟି ଗୁଆହାଟିର ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ।

ଆସାମର ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ, ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା, ଗୁଆହାଟି ଆଇଆଇଟିର ପରିଚାଳନା ମଣ୍ଡଳର ସଦସ୍ୟଗଣ, ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ରାଜୀବ ମୋଦୀ, ବରିଷ୍ଠ ପ୍ରଫେସର ପରମେଶ୍ୱର ଆୟାର ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩: ୧୫ ହଜାର ଯୋଗ ଅନୁସନ୍ଧିତ୍ସୁଙ୍କ ନେତୃତ୍ୱ ନେବେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଜବଲପୁର ଠାରେ ୨୧ ଜୁନ୍ ଦିନ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ ପାଳନ କାଳରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜାତୀୟ ସମାରୋହର ନେତୃତ୍ୱ ନେବେ। ଏହି ଅବସରରେ ମଧ୍ୟ ପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଯାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଆୟୁଷ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ର ଭାଇ ଏବଂ ରାଜ୍ୟର ଅନେକ ଗଣ୍ୟମାନ୍ୟ ଅତିଥି ଏଥିରେ ଉପସ୍ଥିତ ରହି ସାଧାରଣ ଯୋଗ ମାର୍ଗଦର୍ଶିକା ପାଳନ କରିବେ।

ଏହି ମୁଖ୍ୟ କାର୍ଯ୍ୟକ୍ରମରେ ପ୍ରାୟ ୧୫ ହଜାର ବ୍ୟକ୍ତି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଆଇଡିୱାଇର ବାର୍ତ୍ତା ହେଉଛି ‘ବସୁଧୈବ କୁଟୁମ୍ବକମ୍ ନିମନ୍ତେ ଯୋଗ’, ଯେଉଁଥିରେ କି ଭାରତର ସାମାଜିକ – ସାଂସ୍କୃତିକ ଐତିହ୍ୟ ନିହିତ ରହିଛି।

ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ଯୋଗୁ ଗତ ନଅ ବର୍ଷ ମଧ୍ୟରେ ଯୋଗ ପୃଥିବୀର କୋଣ ଅନୁକୋଣରେ ପହଂଚି ପାରିଛି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୁ୍ୟର୍କର ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳନର ନେତୃତ୍ୱ ନେବେ। ଏଥିରେ ଯୋଗ ପ୍ରତି ଅଙ୍ଗୀକାରବଦ୍ଧତା ସ୍ୱରୂପ ୧୮୦ରୁ ଅଧିକ ଦେଶର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦୁଇଟି ଦେଶ ଗସ୍ତର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ “ମୁଁ ଜୁନ୍ ୨୧ ତାରିଖ ଦିନ ଜାତିସଂଘର ମୁଖ୍ୟାଳୟ ଠାରେ ଜାତିସଂଘର ନେତୃତ୍ୱ ଓ ଆନ୍ତର୍ଜାତିକ ଗୋଷ୍ଠୀର ସଦସ୍ୟଙ୍କ ସହ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ ପାଳନ କରିବି। ମୁଁ ଏହି ସ୍ୱତନ୍ତ୍ର ସମାରୋହ ପାଳନ ପାଇଁ ଅପେକ୍ଷା କରୁଛି ଯେଉଁଠି ଡିସେମ୍ବର ୨୦୧୪ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପ୍ରସ୍ତାବକୁ ସମର୍ଥନ ମିଳିଥିଲା ”

ଆଇଡିୱାଇ ୨୦୨୩ ପାଳନ ପ୍ରସ୍ତୁତି ୩ ମାର୍ଚ୍ଚ ୨୦୨୩ ଦିନ ୧୦୦ ଦିନର ଅବଗଣନା ସହ ଆୟୁଷ ମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ସେହିଦିନ ଠାରୁ ପ୍ରତିଦିନ ଅବଗଣନା ପାଳନ କରାଯାଇଛି। ସରକାରୀ ସଂସ୍ଥା ସହ ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ଆରମ୍ଭ ହୋଇଥିବା ଏହି ଅଭିଯାନ ୨୧ ଜୁନ, ୨୦୨୩ ଦିନ ଉଦଯାପିତ ହେବ। ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ଯୋଗର ମହାସାଗର ମୁଦ୍ରିକା ଭଳି ଅନନ୍ୟ ବୈଶିଷ୍ଟ୍ୟ ରହିବ। ଭାରତୀୟ ନୌସେନା ବନ୍ଧୁ ଭାବାପନ୍ନ ଦେଶଗୁଡ଼ିକର ମହାସାଗର ବକ୍ଷରେ ଭାରତୀୟ ନୌସେନା ଓ ମର୍ଚ୍ଚାଣ୍ଟ ଜାହାଜ ସହ ସେମାନଙ୍କ ବନ୍ଦର ଓ ନୌବହରରେ ସିୱାଇପିର ପରୀକ୍ଷାମଳକ ପ୍ରଦର୍ଶନ କରିବେ।

ସୁମେରୁ ଠାରୁ ଆଣ୍ଟାର୍କଟିକା ପର୍ଯ୍ୟନ୍ତ ଯୋଗ ଆଉ ଏକ ବୈଶିଷ୍ଟ ଥିବାବେଳେ, ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଜାତିସଂଘ ସଦସ୍ୟ ଦେଶର ପ୍ରମୁଖ ଦ୍ରାଘିମା ରେଖା ଅଞ୍ଚଳରେ ସିୱାଇପି ଆୟୋଜନ କରିବେ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧ ଅଞ୍ଚଳରେ ଯୋଗାଭ୍ୟାସ କରାଯିବ। ସୁମେରୁର ଭାରତୀୟ ଗବେଷଣା ଘାଟି ହିମାଦ୍ରୀ ଓ ଆଣ୍ଟାର୍କଟିକାର ଗବେଷଣା ଘାଟି ଭାରତୀ ଠାରେ ଏହା ଆୟୋଜିତ ହେବ। ଯୋଗ ଭାରତମାଳାର ମଧ୍ୟ ପରିକଳ୍ପନା କରାଯାଇଛି, ଯେଉଁଠି ଭାରତୀୟ ସଶସ୍ତ୍ର ସେନା ଆଇଟିବିପି, ବିଏସଏଫ, ବିଆରଓ ସହ ମିଶି ଯୋଗର ପରୀକ୍ଷାମୂଳକ ପ୍ରଦର୍ଶନ କରିବେ। ସେହିପରି ଯୋଗ ସାଗରମାଳାରେ ଭାରତୀୟ ତଟରେଖାରେ ଯୋଗ ପ୍ରଦର୍ଶିତ ହେବ । ଆଇଏନଏସ ବିକ୍ରାନ୍ତର ବିମାନ ଉଡ଼ାଣ ଡେକରେ ପ୍ରତରିକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ଯୋଗ ପ୍ରଦର୍ଶିତ ହେବ।

ଜାତୀୟ ସ୍ତରରେ ଚଳିତବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ‘ହର ଆଙ୍ଗନ ଯୋଗ’ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଗ୍ରାମୀଣ ସ୍ତରରେ ଯୋଗାଭ୍ୟାସ ହେଉଛି ଏହାର ମୂଳ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ମୋଦୀ ଗାଁ ସରପଞ୍ଚମାନଙ୍କୁ ଲେଖିଥିବା ତାଙ୍କ ପତ୍ରରେ ଜୁନ୍ ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ନିଜ ଗ୍ରାମବାସୀଙ୍କ ସହ ପୁରା ଦମରେ ପାଳନ କରିବାକୁ ନିବେଦନ କରିଛନ୍ତି। ଯେକୌଣସି ଗ୍ରାମବାସୀ ସେମାନଙ୍କ ନିକଟସ୍ଥ ଅଙ୍ଗନବାଡ଼ି, ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ଏବଂ ବିଦ୍ୟାଳୟରେ ଯୋଗ ଦିବସ ପାଳନ କରିପାରିବେ। ଦୁଇ ଲକ୍ଷ ସାଧାରଣ ସେବା କେନ୍ଦ୍ର, ଜାତୀୟ ଆୟୁଷ ମିଶନ ଅଧୀନସ୍ଥ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର, ଆୟୁଷ ଗ୍ରାମ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବେ। ଜନସାଧାରଣ ପ୍ରାୟ ୫୦ ହଜାର ଅମୃତ ସରୋବର ନିକଟରେ ଏକାଠି ହୋଇ ଯୋଗାଭ୍ୟାସ କରିପାରିବେ।

ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ସହ ମିଶି ‘ଯୋଗ ମାଇଁ ପ୍ରାଇଡ୍’ ଶୀର୍ଷକ ଏକ ଫଟୋ ଉତ୍ତୋଳନ ପ୍ରତିଯୋଗିତା ମାଇଁ ଗଭ୍ ପ୍ଲାଟଫର୍ମରେ ଆୟୋଜନ କରୁଛି। ଜାତୀୟ ଓ ଆନ୍ତର୍ଜାତିକ ଅଂଶଗ୍ରହଣକାରୀମାନେ ଯୋଗାସନ କରୁଥିବା ଚିତ୍ର ଶିରୋନାମା ସହ ପଠାଇପାରିବେ। ଏହିସବୁ ଶ୍ରେଣୀରେ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗୀମାନଙ୍କ ପାଇଁ ପୁରସ୍କାର ପାଇବାର ମଧ୍ୟ ସମ୍ଭାବନା ରହିଛି।

ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟସ୍ଥଳୀରେ ୱାଇ-ବ୍ରେକ ବ୍ୟବସ୍ଥା ମଧ୍ୟ ଚଳିତ ବର୍ଷ ପ୍ରବର୍ତ୍ତିତ ହୋଇଛି। ଚାପମୁକ୍ତ ହୋଇ ପ୍ରଫୁଲ୍ଲ ମନରେ କାମରେ ମନଦେବା ଏହାର ଉଦେଶ୍ୟ। କାର୍ଯ୍ୟସ୍ଥଳୀରେ ଚୌକିରେ ବସି ଚଳିତ ବର୍ଷ ୱାଇ-ବ୍ରେକଇୱାର୍କପ୍ଲେସ-ୟୋଗା ଇନ୍ ଚେୟାର ମଧ୍ୟ କରିହେବ । ସମସ୍ତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ସେମାନଙ୍କ କର୍ମଚାରୀମାନେ ଚୌକିରେ ବସି ଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ପୂର୍ଣ୍ଣ ସରକାରୀ ସହଯୋଗରେ ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଭାରତ ସରକାରଙ୍କ ସମସ୍ତ ପ୍ରମୁଖ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଜାତୀୟ ଓ ଆନ୍ତର୍ଜାତିକ ପ୍ରମୁଖ ଯୋଗ ପ୍ରତିଷ୍ଠାନ ଓ ସଂଗଠନ, ବିଶ୍ୱବିଦ୍ୟାଳୟ, ସଶସ୍ତ୍ର ସେନା, ଏନଏସଏସ ଓ ଏନୱାଇକେ ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ୨୦୨୩ ଆନ୍ତର୍ଜାତିକ ଯୋଗ ଦିବସର ବିଭିନ୍ନ କାର୍ଯ୍ୟକଳାପରେ ଭାଗ ନେଇ ସାରିଛନ୍ତି। ଏଥିସହ ଭାରତୀୟ ଦୂତାବାସ, ଜାତିସଂଘ ସଦସ୍ୟ ରାଷ୍ଟ୍ର ମଧ୍ୟ ୨୧ ଜୁନ ୨୦୨୩ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବେ।

Categories
ବିଶେଷ ଖବର

ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ ଉପରାଷ୍ଟ୍ରପତି: ଗଞ୍ଜାମ ଜିଲ୍ଲାକୁ ମିଳିବ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର

ଭୁବନେଶ୍ଵର/ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ୧୭ ଜୁନ୍ ୨୦୨୩ରେ ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ (ଡିଓଡବ୍ଲ୍ୟୁଆର୍, ଆର୍ଡି ଏବଂ ଜିଆର୍) ଦ୍ୱାରା ନୂଆଦିଲ୍ଲୀର ବିଜ୍ଞାନ ଭବନ, ପ୍ଲେନାରୀ ହଲରେ ଆୟୋଜିତ ଏକ ପୁରସ୍କାର ବିତରଣ ସମାରୋହରେ ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ। ୧୧ ଟି ବର୍ଗକୁ ଅନ୍ତର୍ଭୁକ୍ତ କରି ଚତୁର୍ଥ ଜାତୀୟ ଜଳ ପୁରସ୍କାର, ୨୦୨୨ ପାଇଁ ବିଭାଗ ମିଳିତ ବିଜେତାଙ୍କ ସମେତ ମୋଟ ୪୧ ବିଜେତାଙ୍କ ନାମ ଘୋଷଣା କରିଛି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶସ୍ତି ପତ୍ର ଏବଂ ଟ୍ରଫି ସହିତ କିଛି ନିର୍ଦ୍ଦିଷ୍ଟ ବର୍ଗରେ ମଧ୍ୟ ନଗଦ ପୁରସ୍କାର ପ୍ରଦାନ କରାଯିବ।

ଶ୍ରେଷ୍ଠ ରାଜ୍ୟ ପାଇଁ ପ୍ରଥମ ପୁରସ୍କାର ମଧ୍ୟପ୍ରଦେଶକୁ ପ୍ରଦାନ କରାଯିବ; ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ପ୍ରଦାନ କରାଯିବ; ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ପୁରସ୍କାର ତେଲେଙ୍ଗାନାର ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାର ଜଗନ୍ନାଥପୁରମ୍ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯିବ; ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍, ଚଣ୍ଡିଗଡ଼କୁ ଶ୍ରେଷ୍ଠ ସହରୀ ସ୍ଥାନୀୟ ସଂସ୍ଥା ପୁରସ୍କାର ପ୍ରଦାନ କରାଯିବ; ହରିୟାନାର ଗୁରୁଗ୍ରାମ ସ୍ଥିତ ଆଡଭାନ୍ସ ୱାଟର ଡାଇଜେଷ୍ଟ ପ୍ରାଇଭେଟ ଲିମିଟେଡକୁ ସର୍ବୋତ୍ତମ ମିଡିଆ ପୁରସ୍କାର ପ୍ରଦାନ କରାଯିବ; ଗୁଜରାଟର ମେହସାନାସ୍ଥିତ ଜାମିୟତପୁରା ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପ୍ରଦାନ କରାଯିବ; କ୍ୟାମ୍ପସ୍ ବ୍ୟବହାର ପାଇଁ ସର୍ବୋତ୍ତମ ଅନୁଷ୍ଠାନ ଭାବେ ଜାମ୍ମୁ କାଶ୍ମୀରର ରିୟାସି ସ୍ଥିତ ଶ୍ରୀ ମାତା ବୈଷ୍ଣୋ ଦେବୀ ଧର୍ମପୀଠ ବୋର୍ଡକୁ ପୁରସ୍କାର ପ୍ରଦାନ କରାଯିବ; ବିହାରର ବେଗୁସରାଇସ୍ଥିତ ବରୌଣି ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ସର୍ବୋତ୍ତମ ଉଦ୍ୟୋଗ ପୁରସ୍କାର ପ୍ରଦାନ କରାଯିବ; ରାଜସ୍ଥାନର ଉଦୟପୁରର ଅର୍ପଣ ସେବା ସଂସ୍ଥାନକୁ ଶ୍ରେଷ୍ଠ ଏନଜିଓ ପୁରସ୍କାର ପ୍ରଦାନ କରାଯିବ; ଗୁଜରାଟର ନର୍ମଦା, ସଞ୍ଜିବନୀ ପିଆତ୍ ସହକାରୀ ମଣ୍ଡଳୀ ଲିମିଟେଡ୍କୁ ସର୍ବୋତ୍ତମ ଜଳ ବ୍ୟବହାରକାରୀ ସଂଘ ପୁରସ୍କାର ପ୍ରଦାନ କରାଯିବ; ଏବଂ ସିଏସଆର୍ କାର୍ଯ୍ୟକଳାପ ପାଇଁ ସର୍ବୋତ୍ତମ ଉଦ୍ୟୋଗ ଭାବେ ଉତ୍ତରପ୍ରଦେଶର ନୋଏଡା ସ୍ଥିତ ଏଚସିଏଲ୍ ଟେକ୍ନୋଲୋଜିଜ୍ ଲିମିଟେଡ୍କୁ ପୁରସ୍କାର ପ୍ରଦାନ କରାଯିବ।

ଚତୁର୍ଥ ଜାତୀୟ ଜଳ ପୁରସ୍କାର, ୨୦୨୨ ପାଇଁ ପୁରସ୍କାର ପ୍ରାପକ ମାନଙ୍କର ତାଲିକା ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ।

ସରକାରଙ୍କର ଏକ ‘ଜଳ ସମୃଦ୍ଧ ଭାରତ’ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଚାଲିଥିବା ଦେଶବ୍ୟାପି ଅଭିଯାନର ଏକ ଅଂଶ ଭାବରେ ଜାତୀୟ ଜଳ ପୁରସ୍କାର ବିଭିନ୍ନ ବ୍ୟକ୍ତିବିଶେଷ ତଥା ସଂଗଠନ ଦ୍ୱାରା କରାଯାଇଥିବା ଉତ୍ତମ କାର୍ଯ୍ୟ ଏବଂ ପ୍ରୟାସକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଇଥାଏ। ଏହା ଜଳର ମହତ୍ତ୍ୱ ବିଷୟରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଅଭିଳାଷ ରଖେ ଏବଂ ସେମାନଙ୍କୁ ସର୍ବୋତ୍ତମ ଜଳ ବ୍ୟବହାର ଅଭ୍ୟାସ ଗ୍ରହଣ କରିବାକୁ ଉତ୍ସାହିତ କରିବାକୁ ଚେଷ୍ଟା କରିଥାଏ। ଏହି କାର୍ଯ୍ୟକ୍ରମ ସବୁ ଲୋକ ଏବଂ ସଂଗଠନ ଗୁଡିକୁ ଏକ ଦୃଢ଼ ସହଭାଗିତା ସୃଷ୍ଟି କରିବା ପାଇଁ ଏବଂ ଜଳ ଉତ୍ସ ସଂରକ୍ଷଣ ଏବଂ ପରିଚାଳନା କାର୍ଯ୍ୟକଳାପରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଅଧିକ ମଜଭୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିଥାଏ।

ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଜଳ ଶକ୍ତି ମନ୍ତ୍ରଣାଳୟ ଜାତୀୟ ସ୍ତରରେ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ବିଷୟରେ ସଚେତନତା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ଦେଶରେ ଜଳ ସମ୍ପଦ ପରିଚାଳନା ଦିଗରେ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରିବାକୁ ବିଭିନ୍ନ ହିତାଧିକାରୀ ମାନଙ୍କୁ ଉତ୍ସାହିତ କରିବାର ଉଦ୍ଦେଶ୍ୟ ସହିତ ଏକ ସମନ୍ୱିତ ଜାତୀୟ ଜଳ ପୁରସ୍କାର ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ବିବେଚନା କରାଯାଇଥିଲା।

ତଦନୁସାରେ, ଡିଓଡବ୍ଲ୍ୟୁଆର୍, ଆର୍ଡି ଏବଂ ଜିଆର୍ ଦ୍ୱାରା ୨୦୧୮ ରେ ପ୍ରଥମ ଜାତୀୟ ଜଳ ପୁରସ୍କାର ଆରମ୍ଭ କରାଯାଇଥିଲା। ଦ୍ୱିତୀୟ ଏବଂ ତୃତୀୟ ଜାତୀୟ ଜଳ ପୁରସ୍କାର ୨୦୧୯ ଏବଂ ୨୦୨୦ ବର୍ଷ ପାଇଁ ଦିଆ ଯାଇଥିଲା। କୋଭିଡ୍ ମହାମାରୀ କାରଣରୁ ୨୦୨୧ ମସିହାରେ ଏହି ପୁରସ୍କାର ପ୍ରଦାନ କରା ଯାଇନଥିଲା।

୨୦୨୨ ମସିହାରେ ଗୃହ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରୀୟ ପୁରସ୍କର ପୋର୍ଟାଲରେ ୩୦ ଜୁଲାଇ, ୨୦୨୨ ରେ ୪ର୍ଥ ଜାତୀୟ ଜଳ ପୁରସ୍କାର ପାଇଁ ଆବେଦନର ଆହ୍ୱାନ ଆରମ୍ଭ କରା ଯାଇଥିଲା। ୩୧ ଅକ୍ଟୋବର ୨୦୨୨ ରେ ଅନ୍ତିମ ତାରିଖ ସୁଦ୍ଧା ମୋଟ ୮୬୮ ଆବେଦନ ପତ୍ର ଗ୍ରହଣ କରା ଯାଇଥିଲା। ଆବେଦନ ଗୁଡିକ ଯାଞ୍ଚ କରାଯାଇ ତାହାର ମୂଲ୍ୟାଙ୍କନ କରାଯାଇଥିଲା। ତାଲିକାଭୁକ୍ତ ହୋଇଥିବା ଆବେଦନ ଗୁଡ଼ିକର ତୃଣମୂଳ ସ୍ତରର ସତ୍ୟତା ଯାଂଚ କେନ୍ଦ୍ରୀୟ ଜଳ ଆୟୋଗ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଦ୍ୱାରା କରାଯାଇଥିଲା, ଏହା ପରେ ପୁରସ୍କାର ପାଇଁ ସମସ୍ତ ୧୧ ବର୍ଗକୁ ଅନ୍ତର୍ଭୁକ୍ତ କରି ମିଳିତ ବିଜେତାଙ୍କ ସମେତ ୪୧ ବିଜେତାଙ୍କୁ ଚୟନ କରାଯାଇଛି।

Categories
ବିଶେଷ ଖବର

ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ଉପରେ ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ନୂଆଦିଲ୍ଲୀ ଠାରେ ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ଉପରେ ଆୟୋଜିତ ଦିନିକିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ଦେଶର ୧୦୦ କୋଟି ଲୋକଙ୍କ ନିକଟରେ ପହଞ୍ଚିବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟର ଆରମ୍ଭ ହୋଇଥିଲା ଯାହାକି ଦେଶର ଭାଗ୍ୟ ବଦଳାଇ ଦେଇଥିଲା। ଏହି ପର୍ଯ୍ୟାୟ ଦେଶକୁ ନିରନ୍ତର ବିକାଶ ଏବଂ ଅବିରାମ ପ୍ରଗତି ପଥରେ ଆଗେଇ ନେଇଥିଲା। ମେଣ୍ଟ ସରକାରକୁ ବିକାଶ ପାଇଁ ଏକ ବାଧକ ବୋଲି ଅଭିହିତ କରି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଭାରତରେ ଏକ ସ୍ଥିର ସରକାର ପ୍ରତିଷ୍ଠା ହୋଇଥିଲା। ସଂସଦରେ ଗୋଟିଏ ଦଳକୁ ସଂଖ୍ୟାଗରିଷ୍ଠତା ମିଳିଥିଲା। ସେ ଆହୁରି କହିଥିଲେ ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ ମନ କୀ ବାତ ଜରିଆରେ ଜନସାଧାରଣଙ୍କ ସହିତ ବ୍ୟକ୍ତିଗତ ଭାବେ ମତବିନିମୟ କରିବା ଲାଗି ଏକ ପ୍ରୟୋଗ କରିଥିଲେ। ଏହି ପ୍ରୟୋଗର ଆଉ ଏକ ପରିଣାମ ମିଳିଥିଲା, ତାହା ହେଉଛି ଯୋଗାଯୋଗର ପୁରାତନ ମାଧ୍ୟମ ରେଡିଓ ପୁଣିଥରେ ଲୋକଲୋଚନକୁ ଆସିପାରିଥିଲା।

ସମ୍ପୂର୍ଣ୍ଣ ଭାବେ ଅଣରାଜନୈତିକ ହୋଇଥିବାରୁ ଏହି ମାସିକ ରେଡିଓ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏପରି କାର୍ଯ୍ୟକ୍ରମ ୧୦୦ ଅଧ୍ୟାୟ ପୂରଣ କରିବା ବାସ୍ତବରେ ପ୍ରଶଂସନୀୟ। ସେ ମନ କୀ ବାତକୁ ଆମ ସଭ୍ୟତାଗତ ଆଦର୍ଶର ଏକ ପ୍ରତିଫଳନ ଭାବେ ଅଭିହିତ କରିଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମ ପରେ ଆୟୋଜିତ ଅଧ୍ୟାୟଗୁଡ଼ିକ ବିଷରେ ଆଲୋଚନା କରି ଉପରାଷ୍ଟ୍ରପତି କହିଥିଲେ ଯେ, ବର୍ତ୍ତମାନ ନାରୀ ଶକ୍ତିଙ୍କ ପାଇଁ ସବୁଠୁ ଶ୍ରେଷ୍ଠ ସମୟ ଏବଂ ମହିଳାମାନେ ସଫଳତାର ନୂଆ ଶିଖର ଛୁଇଁପାରୁଛନ୍ତି। ଆମର ରାଷ୍ଟ୍ରପତି ଜଣେ ଅସାଧାରଣ ପ୍ରତିଭାସମ୍ପନ୍ନ ଆଦିବାସୀ ମହିଳା। ସାଂସ୍କୃତିକ ଭାବେ ସମୃଦ୍ଧ ଦେଶ ନିଜର ଯୋଗଦାନକୁ ଭୁଲି ଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ନିଜର ମନ କୀ ବାତ୍‌ କାର୍ଯ୍ୟକ୍ରମ ଜରିଆରେ ପୁଣିଥରେ ସେହି ଭାବନାକୁ ଜାଗ୍ରତ କରିବା ପ୍ରଶଂସାଯୋଗ୍ୟ ବୋଲି ଉପରାଷ୍ଟ୍ରପତି କହିଥିଲେ।

ଶ୍ରୀ ଧନଖଡ଼ କହିଥିଲେ ଯେ ୨୦୪୭ରେ ଭାରତ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ ସେହି ସମୟରେ ଭାରତ@୧୦୦ର ସ୍ଥିତି କ’ଣ ହେବ ସେଥିପାଇଁ ମନ କୀ ବାତ୍‌ @୧୦୦ ଜରିଆରେ ଏକ ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରାଯାଇଛି। ଦେଶରୁ ନକାରାତ୍ମକ ଭାବନା ଦୂର କରିବା ଓ ସକାରାତ୍ମକତା ଜାଗ୍ରତ କରିବାରେ ଏହି କାର୍ଯ୍ୟକ୍ରମର ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏପରି ସମୟ ଥିଲା ଭାରତ ଆଶା ହରାଇଥିଲା ଏବଂ ବିଶ୍ୱବ୍ୟାପୀ ଆମର ଛବି ମଳିନ ପଡ଼ିଯାଇଥିଲା, କିନ୍ତୁ ଏବେ ଭାରତ କିଭଳି ଶୀର୍ଷ ଛୁଇଁପାରିଛି ତାହା ଆମେ ସମସ୍ତେ ଦେଖିପାରୁଛୁ।

ଅତି କମ ସମୟ ମଧ୍ୟରେ ମନ କୀ ବାତ୍‌ କାର୍ଯ୍ୟକ୍ରମ ସ୍ଥାନୀୟ କାରୀଗର, ପ୍ରତିଭା ଓ କୌଶଳକୁ ପ୍ରସିଦ୍ଧି ଦେଇଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭାଜିତ ଦେଶ ନିଜ ପ୍ରତିଭାକୁ ଉପଯୋଗ କରିବାକୁ ସକ୍ଷମ ହେନଥିବା ସମୟରେ ଏହି କାର୍ଯ୍ୟକ୍ରମ ଦେଶର ବିବିଧତା ମଧ୍ୟରେ ଏକତା ଭାବନାକୁ ଜାଗ୍ରତ କରିପାରିଛି। ଏହା ଜନଆନ୍ଦୋଳନର ଏକ ଅଗ୍ରଦୂତ ଯାହାର ଉଦାହରଣ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଆହ୍ୱାନ ସମୟରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଆମ ଜନସାଧାରଣଙ୍କ ମଧ୍ୟରେ ଆଶାଆକାଂକ୍ଷା ଜାଗ୍ରତ କରିବା ସହିତ ସେମାନଙ୍କୁ ଆଗକୁ ବଢ଼ିବା ଲାଗି ଅନୁପ୍ରାଣିତ କରିଥିବା ଉପରାଷ୍ଟ୍ରପତି କହିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ମନ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ନେଇ ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟକ୍ରମ ଭାରତର ସାଧାରଣ ଜନତାଙ୍କ ସଫଳତାକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ଏଥିପାଇଁ ଚୟନ କରାଯାଇଥିବା ମାଧ୍ୟମ ପ୍ରକୃତରେ ଏକ ଗଣମାଧ୍ୟମ।

ମନ କୀ ବାତର ବିଭିନ୍ନ ଅଧ୍ୟାୟରେ ଉଲ୍ଲେଖ କରାଯାଇଥିବା ୧୦୬ ଜଣ ଅତିଥିମାନଙ୍କର ଉପସ୍ଥିତି ପାଇଁ କେନ୍ଦ୍ର ମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ସେ ଆହୁରି କହିଥିଲେ ଯେ ମନ କୀ ବାତର ୯୯ଟି ଅଧ୍ୟାୟରେ ୭୦୦ରୁ ଅଧିକ ଲୋକ ଏବଂ ସଂଗଠନର ସଫଳତା ବିଷୟରେ ଉଲ୍ଲେଖ କରାଯାଇଛି। ସରକାର ଖେଲୋ ଇଣ୍ଡିଆ ଅଭିଯାନ ଜରିଆରେ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ଲାଗି ଚେଷ୍ଟା କରିଥିବା ବେଳେ ମନ କୀ ବାତ୍‌ ସେମାନଙ୍କର ସଫଳତାକୁ ଦେଶର ଘରେ ଘରେ ପହଞ୍ଚାଇ ପାରିଛି।

ମନ କୀ ବାତ୍‌ ଜନସାଧାରଣଙ୍କ ବ୍ୟବହାରକୁ ପ୍ରଭାବିତ କରିବା ଲାଗି ଏକ ବ୍ୟବସ୍ଥା ଭାବେ କାମ କରିଛି ବୋଲି ଆଇଆଇଏମ ରୋହତକର ସର୍ବେକ୍ଷଣରୁ ଜଣାପଡ଼ିଛି। ଏହାର ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ନିଜ ଛୋଟ ଝିଅର ଅଙ୍ଗଦାନ କରିଥିବା ଏକ ଦମ୍ପତିଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ନିଜର ମନ କୀ ବାତ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିଲେ ଯାହାକି ଦେଶର ପ୍ରତ୍ୟେକ ପରିବାରକୁ ପ୍ରଭାବିତ କରିଥିଲା।

ଶ୍ରୀ ଠାକୁର କହିଥିଲେ ଯେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରିବା ସମୟରେ ଆମେ ଦେଶର ଛୋଟ ଛୋଟ ସ୍ଥାନରେ ପ୍ରସ୍ତୁତ ଉପହାର ବିଦେଶୀ ଅତିଥିମାନଙ୍କୁ ଦେଇଥାନ୍ତି, ଏହା ଭାରତର କୋଣଅନୁକୋଣରେ ପ୍ରସ୍ତୁତ ଉତ୍ପାଦକୁ ବିଶ୍ୱସ୍ତରରେ ପରିଚିତି ଓ ପ୍ରସିଦ୍ଧି ଦେଇଥାଏ। ବିଶ୍ୱବ୍ୟାପୀ କରାଯାଇଥିବା ଏକାଧିକ ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଭାବେ ମାନ୍ୟତା ମିଳିଛି, ଏହା କେବଳ ମନ କୀ ବାତ୍‌ ଭଳି କାର୍ଯ୍ୟକ୍ରମ କାରଣରୁ ହୋଇପାରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ନିକଟରେ ଆପ୍‌ଲ୍‌ ସିଇଓ ଟିମ୍‌ କୁକ୍‌ ଭାରତ ଗସ୍ତରେ ଆସିଥିବା ସମ୍ପର୍କରେ ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଆଜି ସାରା ବିଶ୍ୱ ଭାରତକୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଚାହୁଁଛି ଏବଂ ଏହାର ଅର୍ଥବ୍ୟବସ୍ଥା ବୈଶ୍ୱିକ ନିରାଶା ସମୟରେ ଆଶାର ଏକ ଆଲୋକବର୍ତ୍ତିକା ସାଜିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ରେଡିଓ କାର୍ଯକ୍ରମ ପାଇଁ ଦେଶବାସୀଙ୍କ ଠାରୁ ମତାମତ ଲୋଡ଼ିଥାନ୍ତି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ମନ କୀ ବାତର ମାତ୍ର ୧୫ଟି ଅଧ୍ୟାୟ ପାଇଁ  ୬୧ ହଜାର ମତାମତ ମିଳିଥିଲା। ୨୦୧୭ରେ ଏହି କାର୍ଯ୍ୟକ୍ରମ ଅଧିକ ସମ୍ପ୍ରସାରିତ ହୋଇଥିଲା ଏବଂ ଏହାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ପ୍ରସାରଣ କରାଯାଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମରେ ୧୦୬ ଜଣ ସଫଳ ବ୍ୟକ୍ତିବିଶେଷ ଯୋଗ ଦେବା ପ୍ରଧାନମନ୍ତ୍ରୀଙ୍କ ସାମୁଦାୟିକ ସହଭାଗିତା ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ଯାହାକି ସାମାଜିକ ପରିବର୍ତ୍ତନର ଏକ ବାହକ। ଲୋକମାନଙ୍କୁ ଅନୁପ୍ରାଣିତ କରିବା ଓ ସଶକ୍ତ କରିବା ଲାଗି ମନ କୀ ବାତର ସାମାଜିକ ପ୍ରଭାବକୁ ସେ ପ୍ରଶଂସା କରିଥିଲେ। ଆକାଶବାଣୀର ଇତିହାସରେ ମନ କୀ ବାତ୍‌ ସବୁଠାରୁ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ହୋଇପାରିଛି ବୋଲି ସେ କହିଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ପତ୍ନୀ ଡକ୍ଟର ସୁଦେଶ ଧନଖଡ଼, ପ୍ରସାର ଭାରତୀ ସିଇଓ ଗୌରବ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି ମନ କୀ ବାତ୍‌ର ଯାତ୍ରା ବିଷୟରେ ଉଲ୍ଲେଖ କରୁଥିବା ‘ମନ କୀ ବାତ୍‌ ଆଟ୍‌ ୧୦୦ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଏହାଛଡ଼ା ପ୍ରସାରଣ ଭାରତୀର ପୂର୍ବତନ ସିଇଓ ଏସ.ଏସ ଭେମ୍ପତିଙ୍କ ରଚିତ ପୁସ୍ତକ ‘କଲେକ୍ଟିଭ୍‌ ସ୍ପିରିଟ୍‌, କଂକ୍ରିଟ୍‌ ଆକ୍ସନ’କୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହି ପୁସ୍ତକରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଜନସାଧାରଣଙ୍କ ସହିତ ସାମାଜିକ, ଆର୍ଥିକ, ପରିବେଶ, ସାଂସ୍କୃତିକ, ସ୍ୱାସ୍ଥ୍ୟ ଓ ଫିଟନେସ ଭଳି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ ବିଷୟରେ ବର୍ଣ୍ଣନା କରାଯାଇଛି।

ଏହି ଦିନିକିଆ କାର୍ଯ୍ୟକ୍ରମରେ ନାରୀ ଶକ୍ତି, ବିରାସତ କା ଉଠାନ, ଜନ ସମ୍ବାଦ ସେ ଆତ୍ମନିର୍ଭରତା ଓ ଆହ୍ୱାନ ସେ ଜନ ଆନ୍ଦୋଳନ ଆଦି ବିଷୟବସ୍ତୁ ଉପରେ ଚାରିଟି ଅଧିବେଶନ ଆୟୋଜନ କରାଯାଉଛି।

ସୂଚନା ଯୋଗ ଯେ ୩୦ ଏପ୍ରିଲ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ପ୍ରସାରଣ କରାଯିବ।

Categories
ବିଶେଷ ଖବର

ସଂସଦର ଶୀତ ଅଧିବେଶନ ଆରମ୍ଭରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆରମ୍ଭରେ ଆଜି (୦୭-୧୨-୨୦୨୨) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଉଦ୍ବୋଧନ ଦେବା ସହ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି।

ଦେଶରେ ସମସ୍ତ ନାଗରିକ ଓ ସଂସଦ ସଦସ୍ୟଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ପ୍ରଥମେ ଅଭିନନ୍ଦନ ଜଣାଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଉପରାଷ୍ଟ୍ରପତିଙ୍କ ସମ୍ମାନଜନକ ପଦବୀ ଉପରେ ଆଲୋକପାତ କରି ସେ କହିଲେ, ଏହି ପଦବୀ ଲକ୍ଷ ଲକ୍ଷ ଜନସାଧାରଣଙ୍କ ନିମନ୍ତେ ଏକ ପ୍ରେରଣା।

ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆଜିର ଦିବସରେ ସଶସ୍ତ୍ର ସେନା ପତାକା ଦିବସ ପଡୁଥିବାରୁ ସଦନର ସମସ୍ତ ସଦସ୍ୟଙ୍କ ପକ୍ଷରୁ ସଶସ୍ତ୍ର ସେନାକୁ ଅଭିବାଦନ ଜଣାଇଥିଲେ। ଉପରାଷ୍ଟ୍ରପତିଙ୍କ ଜନ୍ମସ୍ଥାନ ଝୁନଝୁନର ସ୍ମରଣ କରି ପ୍ରଧାନମନ୍ତ୍ରୀ ଝୁନଝୁନର ଅନେକ ପରିବାର ଦେଶ ସେବାରେ ଅଗ୍ରଣୀ ଭୂମିକା ନେଇଥିବା ପ୍ରକାଶ କରିଥିଲେ। ସେ ଉପରାଷ୍ଟ୍ରପତିଙ୍କ ଅନ୍ତରଙ୍ଗ ସମ୍ପର୍କ ଯବାନ ଓ କିଷାନମାନଙ୍କ ସହ ଥିବା ଉପରେ ଆଲୋକପାତ କରି କହିଥିଲେ ଯେ “ ଆମର ଉପରାଷ୍ଟ୍ରପତି ହେଉଛନ୍ତି ଜଣେ ଚାଷୀର ପୁଅ ଓ ସେ ସୈନିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ, ସେଥିପାଇଁ ସେ ଉଭୟ ଯବାନ ଓ କିଷାନମାନଙ୍କ ଅନ୍ତରଙ୍ଗ ବନ୍ଧୁ।”

ରାଜ୍ୟସଭା ଦୁଇଟି ଅବିସ୍ମରଣୀୟ ଘଟଣା ସମୟରେ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସ୍ୱାଧୀନତାର ଅମୃତ କାଳରେ ପ୍ରବେଶ କରିବା ସହ ଜି-୨୦ ଶିଖର ବୈଠକରେ ଅଧ୍ୟକ୍ଷତା କରିବାର ସୁଯୋଗ ପାଇଛି। ନବ ଭାରତର ବିକାଶ ଛଡା ଭାରତ ବିଶ୍ୱର ଗତି ନିର୍ଦ୍ଧାରଣ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। “ଆମ ଗଣତନ୍ତ୍ର, ଆମ ସଂସଦ ଓ ଆମ ସଂସଦୀୟ ପଦ୍ଧତିରେ ଏହି ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି” ବୋଲି ସେ କହିଥିଲେ।

ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଉପ ରାଷ୍ଟ୍ରପତି ପଦବୀର ମିଆଦ ଆଜଠାରୁ ଆନୁଷ୍ଠାନିକଭାବେ ଆରମ୍ଭ ହେଉଥିବା ବିଷୟ ଅବତାରଣା କରି ପ୍ରଧାନମନ୍ତ୍ରୀ ସଂସଦର ଉପର ସଦନ ଉପରେ ନ୍ୟସ୍ତ ଦାୟିତ୍ୱ ହେଉଛି ସାଧାରଣ ଜନତାଙ୍କ ସମସ୍ୟା ବୋଲି କହିଥିଲେ। “ ଏହି ସମୟରେ ଭାରତ ଏହି ଦାୟିତ୍ୱକୁ ହୃଦୟଙ୍ଗମ କରୁଛି ଓ ଏଥିପ୍ରତି ଅଙ୍ଗୀକାରବଦ୍ଧ” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ ଯେ ଭାରତର ସମ୍ମାନୀୟ ଆଦିବାସୀ ସମାଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜରିଆରେ ଏହି ଗୁରତ୍ୱପୂର୍ଣ୍ଣ ସମୟରେ ଦେଶକୁ ମାର୍ଗଦର୍ଶନ ଦେଉଛି। ସେ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏକ ଅବହେଳିତ ଶ୍ରେଣୀରୁ ଆସି ମଧ୍ୟ ଏପରି ସର୍ବୋଚ୍ଚ ସ୍ଥାନରେ କିପରି ପହଂଚି ପାରିଥିଲେ, ତାହାର ଅବତାରଣା କରିଥିଲେ।
ସମ୍ମାନ ଓ ଭକ୍ତିର ସହ ଅଧ୍ୟକ୍ଷଙ୍କ ଆସନ ଆଡକୁ ଚାହିଁ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ସମ୍ପଦ ବଳରେ ଜଣେ ଯାହା ଚାହିଁବ ତାହା ହାସଲ କରିପାରିବ ନାହିଁ, ବରଂ ତାହା ଅଭ୍ୟାସ ଓ ଉପଲବ୍ଧି ଦ୍ୱାରା ଯେ ସମ୍ଭବ ଆପଣଙ୍କ ଜୀବନ ତାହା ପ୍ରମାଣ କରିଛି।” ରାଷ୍ଟ୍ରପତିଙ୍କ ସୁପ୍ରିମକୋର୍ଟର ତିନିଦଶନ୍ଧିର ଜଣେ ବରିଷ୍ଠ ଆଇନଜୀବୀ ଅଭିଜ୍ଞତାର ନଜିର ଦେଇ ପ୍ରଧାନମନ୍ତ୍ରୀ ଟିକେ ହାଲୁକା ଢଙ୍ଗରେ କହିଥିଲେ ଯେ ସେ ଗୃହରେ ଅଦାଲତରେ ଅନୁପସ୍ଥିତି ଅନୁଭବ କରିବେ ନାହିଁ କାରଣ ରାଜ୍ୟସଭାରେ ଅନେକ ସଦସ୍ୟ ଏପରି ଅଛନ୍ତି ଯେଉଁମାନେ ତାଙ୍କୁ ସୁପ୍ରିମକୋର୍ଟରେ ଦେଖୁଥିଲେ।

ସେ ପୁଣି କହିଥିଲେ ଯେ ‘ଆପଣ ବିଧାୟକରୁ ସଂସଦ ସଦସ୍ୟ, କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟପାଳ ଭୂମିକା ତୁଲାଇ ସାରିଛନ୍ତି।” ଏ ସମସ୍ତ ଭୂମିକାରେ ଗୋଟିଏ କଥା ଯାହା ସମାନ ଥିଲା, ତାହା ହେଉଛି ଦେଶର ବିକାଶ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ନିଷ୍ଠା ବୋଲି ସେ କହିଥିଲେ। ଉପରାଷ୍ଟ୍ରପତି ଭାବେ ଉପରାଷ୍ଟ୍ରପତି ନିର୍ବାଚନରେ ପାଇଥିବା ଶତକଡା ୭୫ଭାଗ ଭୋଟ ତାଙ୍କ ପ୍ରତି ଅନ୍ୟମାନଙ୍କ ଆନୁଗତ୍ୟର ପ୍ରମାଣ ବୋଲି ଶ୍ରୀ ମୋଦି କହିଥିଲେ। “ନେତୃତ୍ୱର ପ୍ରକୃତ ସଂଜ୍ଞା ହେଉଛି ଅଗ୍ରଣୀ ଭୂମିକା ଓ ରାଜ୍ୟସଭା ପରିପ୍ରେକ୍ଷୀରେ ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। କାରଣ ଏକ ସ୍ୱଚ୍ଛ ଉପାୟରେ ଗଣତାନ୍ତ୍ରିକ ନିଷ୍ପତ୍ତିକୁ ଫଳପ୍ରଦ କରିବା ହେଉଛି ଗୃହର ଦାୟିତ୍ୱ।

ଗୃହର ମର୍ଯ୍ୟାଦା ବୃଦ୍ଧି ପାଇଁ ସଦସ୍ୟମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ୱର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୃହ ଦେଶର ମହାନ୍ ଗଣତାନ୍ତ୍ରିକ ଐତିହ୍ୟର ରକ୍ଷାକର୍ତ୍ତା ଓ ଏହାର ଶକ୍ତି ଭାବେ ବିବେଚିତ ହୋଇଥାଏ। ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀ ମଧ୍ୟ କେବେ କେମିତି ରାଜ୍ୟସଭା ସଦସ୍ୟଭାବେ କାର୍ଯ୍ୟ କରିବା ଉପରେ ସେ ଆଲୋକପାତ କରିଥିଲେ। ଉପରାଷ୍ଟ୍ରପତିଙ୍କ ମାର୍ଗଦର୍ଶନରେ ଏହି ଗୃହ ଏହାର ମର୍ଯ୍ୟାଦା ଓ ଗରିମା ଅତୁଟ ରଖିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । “ଗୃହରେ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ଆଲୋଚନା ଗଣତନ୍ତ୍ରର ଜନନୀଭାବେ ଆମର ଗର୍ବକୁ ଆହୁରି ଶକ୍ତିଶାଳୀ କରିବ” ବୋଲି ସେ କହିଥିଲେ।

ଅଭିଭାଷଣର ଉଦ୍ଯାପନରେ ପ୍ରଧାନମନ୍ତ୍ରୀ କିପରି ପୂର୍ବତନ ଉପରାଷ୍ଟ୍ରପତି ତଥା ଅଧ୍ୟକ୍ଷ ଗତ ଅଧିବେଶନରେ ତାଙ୍କର ପଦବିନ୍ୟାସ ଓ ମିତ୍ରାକ୍ଷର ସଦସ୍ୟମାନଙ୍କୁ ହସର ଖୋରାକ୍ ଯୋଗାଇଥିଲା ତାହାର ସ୍ମୃତିଚାରଣ କରିଥିଲେ। “ମୁଁ ନିଶ୍ଚିତ ଯେ ଆପଣ ପ୍ରତ୍ୟୁପନ୍ନମତିତା କେବେ ମଧ୍ୟ ଆପଣଙ୍କଠାରୁ ଖସିଯିବ ନାହିଁ ଓ ଆପଣ ଗୃହକୁ ତାହାର ସୁବିଧା ନେଇ ଚାଲିଥିବେ” ବୋଲି କହି ପ୍ରଧାନମନ୍ତ୍ରୀ ଅଭିଭାଷଣଣର ପରିସମାପ୍ତି ଘଟାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉପରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ବିଜେଡିର ଦୁଇ ବରିଷ୍ଠ ସାଂସଦ

ନୂଆଦିଲ୍ଲୀ: ଆଜି ବିଜୁ ଜନତା ଦଳ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଅଭିନନ୍ଦନ ଦିଆଯାଇଛି। ଦଳର ଦୁଇ ବରିଷ୍ଠ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର ଅଭିନନ୍ଦନ କରିଛନ୍ତି। ଏହି ଦୁଇ ସାଂସଦ ଉପରାଷ୍ଟ୍ରପତି ଭବନ ଯାଇ ଜଗଦୀପ ଧନଖଡଙ୍କୁ ଅଭିନନ୍ଦନ ସହିତ ଉପହାର ମଧ୍ୟ ପ୍ରଦାନ କରିଛନ୍ତି।

ନିକଟରେ ଜଗଦୀପ ଧନଖଡ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କୁ ଯେଉଁଦିନ ଏନଡିଏର ପ୍ରାର୍ଥୀ ଭାବେ ଘୋଷଣା କରାଗଲା ସେତେବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଦେଇଥିଲେ। ଯାହା ଫଳରେ ତାଙ୍କର ବିଜୟ ନିଶ୍ଚିତ ହୋଇଥିଲା।

Categories
ବିଶେଷ ଖବର

ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଆଜି (୧୧-ଠ୮-୨ଠ୨୨) ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି। ଜଣେ ସ୍ୱନାମଧନ୍ୟ ଆଇନଜ୍ଞ ଓ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଶ୍ରୀ ଧନଖଡ଼ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଶପଥ ପାଠ କରାଇଥିଲେ।

ଶପଥ ଗ୍ରହଣ କରିବା ପୂର୍ବରୁ ଶ୍ରୀ ଧନଖଡ଼ ଆଜି ସକାଳେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। “ପୂଜ୍ୟ ବାପୁଙ୍କୁ ସମ୍ମାନ ପ୍ରଦର୍ଶନ କରି ନିଜକୁ ଅନୁପ୍ରାଣିତ ଓ ଉତ୍ସାହୀ ହୋଇ ରାଜଘାଟର ପୂଣ୍ୟ ପରିବେଶରେ ଭାରତର ସେବା ପାଇଁ ବ୍ରତୀ ହେବେ” ବୋଲି ଟ୍ୱିଟ୍ କରିଛନ୍ତି।

ଜଗଦୀପ ଧନଖଡ଼ଙ୍କ ସମ୍ପର୍କରେ ସମ୍ୟକ ସୂଚନା ନିମ୍ନରେ ପ୍ରଦତ୍ତ ହୋଇଛି

ଶ୍ରୀ ଧନଖଡ଼ ତାଙ୍କର ପ୍ରାଥମିକ ଶିକ୍ଷା କିଥନା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଲାଭ କରିଥିଲେ। ତା’ପରେ ସେ ଗର୍ଧନାର ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଚିତ୍ତୋରଗଡ଼ର ସୈନିକ ସ୍କୁଲରୁ ଶିକ୍ଷା ଲାଭ କରିଥିଲେ। ମହାବିଦ୍ୟାଳୟ ଶିକ୍ଷା ପାଇଁ ଶ୍ରୀ ଧନଖଡ଼ ମହାରାଜା କଲେଜରେ ଯୋଗଦେଇ ପଦାର୍ଥ ବିଜ୍ଞାନ ସମ୍ମାନ ସହ ବିଏସସି ଉତ୍ତୀର୍ଣ୍ଣ ହେଲେ। ତା’ପରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ହେଲେ।

ଜଗଦୀପ ଧନଖଡ଼ ଜଣେ ଆଇନଜୀବୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ତାଙ୍କ ବଂଶର ପ୍ରଥମ ବୃତ୍ତିଧାରୀ ହେବା ସତ୍ତ୍ୱେ ସେ ଦେଶର ଜଣେ ବିଶିଷ୍ଟ ଆଇନ ବିଶାରଦ ଭାବେ ଖ୍ୟାତି ଅର୍ଜନ କରିଥିଲେ। ୧୯୯ଠ ମସିହାରେ ସେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବରିଷ୍ଠ ଆଡଭୋକେଟ ମାନ୍ୟତା ପାଇଥିଲେ। ତା’ ପରଠାରୁ ଜଗଦୀପ ଧନଖଡ଼ ସୁପ୍ରିମକୋର୍ଟରେ ପ୍ରାଥମିକ ଆଇନ ବ୍ୟବସାୟ କରୁଥିଲେ। ଇସ୍ପାତ, କୋଇଲା, ଖଣିଜ ଓ ଅନ୍ତର୍ଜାତୀୟ ବାଣିଜ୍ୟିକ ମଧ୍ୟସ୍ଥତା ଇତ୍ୟାଦି ତାଙ୍କର ପ୍ରମୁଖ କ୍ଷେତ୍ର ଥିଲା। ସେ ଦେଶର ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ନ୍ୟାୟିକ ସେବା କରିବା ସହ ଜୁଲାଇ ୩ଠ, ୨ଠ୧୯ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ରାଜ୍ୟର ବରିଷ୍ଠତମ ଆଡଭୋକେଟ ଭାବେ କାର୍ଯ୍ୟ କରିଥିଲେ। ଆଇନ ବୃତ୍ତି କାଳରେ ଶ୍ରୀ ଧନଖଡ଼ ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନ ଜୟପୁରର ସର୍ବକନିଷ୍ଠ ସଭାପତି ଭାବେ ୧୯୮୭ ମସିହାରେ ନିର୍ବାଚିତ ହୋଇଥିଲେ। ବର୍ଷକ ପରେ ସେ ୧୯୮୮ରେ ରାଜସ୍ଥାନ ବାର କାଉନସିଲର ଜଣେ ସଦସ୍ୟ ମଧ୍ୟ ହୋଇ ପାରିଥିଲେ।

ସଂସଦ ସାଧାରଣ ଜୀବନ

ଜଗଦୀପ ଧନଖଡ଼ ୧୯୮୯ରେ ଝୁନଝୁନ ସଂସଦୀୟ କ୍ଷେତ୍ରରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ପରେ ସେ ୧୯୯ଠ ମସିହାରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ। ୧୯୯୩ ମସିହାରେ ସେ ଆଜମେର ଜିଲ୍ଲା କିଶନଗଡ଼ ନିର୍ବାଚନ ମଣ୍ଡଳୀରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଧାୟକ ଭାବେ ଶ୍ରୀ ଧନଖଡ଼ ଲୋକସଭା ଓ ରାଜସ୍ଥାନ ବିଧାନସଭାର ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। କେନ୍ଦ୍ରମନ୍ତ୍ରୀ ଭାବେ ସେ ସଂସଦୀୟ ପ୍ରତିନିଧି ଦଳର ଉପନେତା ଭାବେ ୟୁରୋପୀୟ ସଂସଦକୁ ଯାଇଥିଲେ। ଜୁଲାଇ ୨ଠ୧୯ରେ ଶ୍ରୀ ଧନଖଡ଼ ପଶ୍ଚିମବଙ୍ଗ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ।

ବ୍ୟକ୍ତିଗତ ବୃତ୍ତାନ୍ତ

ନାମ: ଜଗଦୀପ ଧନଖଡ଼

ପିତାଙ୍କ ନାମ: ସ୍ୱର୍ଗତଃ ଗୋଲଖ ଚାନ୍ଦ

ମାତାଙ୍କ ନାମ: ସ୍ୱର୍ଗତଃ କେଶରୀ ଦେବୀ

ଜନ୍ମ ତାରିଖ: ମେ’ ୧୮, ୧୯୫୧

ଜନ୍ମ ସ୍ଥାନ: ଗ୍ରାମ- କିଥନା, ଜିଲ୍ଲା ଝୁନଝୁନ, ରାଜସ୍ଥାନ

ବୈବାହିକ ସ୍ଥିତି: ବିବାହିତ (୧୯୭୯ ମସିହା)

ପତ୍ନୀଙ୍କ ନାମ: ଡକ୍ଟର ସୁଦେଶ ଧନଖଡ଼

ସନ୍ତାନ: ଏକମାତ୍ର କନ୍ୟା (ଶ୍ରୀମତୀ କାମନା)

ପୁସ୍ତକ ପଠନ ପ୍ରବୀଣ ଶ୍ରୀ ଧନଖଡ଼ ମଧ୍ୟ ଜଣେ କ୍ରୀଡ଼ାପ୍ରେମୀ। ସେ ରାଜସ୍ଥାନ ଅଲିମ୍ପିକ ସଂଘ ଓ ରାଜସ୍ଥାନ ଟେନିସ୍ ସଂଘର ସଭାପତି ଥିଲେ। ସଂଗୀତ ଓ ଭ୍ରମଣରେ ତାଙ୍କର ଅନ୍ୟତମ ରୁଚି ରହିଛି। ସେ ଯୁକ୍ତରାଷ୍ଟ, କାନାଡ଼ା, ୟୁକେ, ଇଟାଲୀ, ସ୍ୱିଜରଲାଣ୍ଡ, ଜର୍ମାନୀ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଚୀନ, ହଂକଂ ଓ ସିଙ୍ଗାପୁର ଇତ୍ୟାଦି ଦେଶ ସମେତ ଅନେକ ରାଷ୍ଟ୍ର ଗସ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଉପରାଷ୍ଟ୍ରପତିଙ୍କୁ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମାନନୀୟ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କୁ ନୂଆଦିଲ୍ଲୀ ଠାରେ ବ୍ୟକ୍ତିଗତ ଭାବେ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି।

ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ଶ୍ରୀ ନାଇଡୁଙ୍କୁ ଭେଟିବା ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଷ୍ଟେଟ୍ସ ମ୍ୟାନ ଶ୍ରୀ ନାଇଡୁଙ୍କ ଉଭୟ ଲୋକସଭା ଏବଂ ରାଜ୍ୟସଭା ଗୃହରେ ସେବା କାର୍ଯ୍ୟ ଥିଲା ଅନନ୍ୟ। ଶ୍ରୀ ନାଇଡୁ ଗଣତାନ୍ତ୍ରିକ ପରମ୍ପରାକୁ ଉର୍ଦ୍ଧ୍ୱରେ ରଖି ଗୃହ କାର୍ଯ୍ୟକୁ ଯେପରି ପରିଚାଳନା କରିଥିଲେ, ସେଥିପାଇଁ ସେ ଜନପ୍ରିୟ ହେବା ସହ ସବୁ ଦଳ ଦ୍ୱାରା ପ୍ରଶଂସାର ପାତ୍ର ହୋଇଥିଲେ। ତାଙ୍କ ଭଳି ଜଣେ ଆଦର୍ଶ ଓ ବିଦ୍ୱାନ ବ୍ୟକ୍ତିଙ୍କ ସ୍ନେହ ଓ ପାଣ୍ଡିତ୍ୟର ମୁଁ ଲାଭ ପାଇଛି। ସଂସଦରେ ତାଙ୍କର ଉଚ୍ଚାରଣ ଶୈଳୀ ଏବଂ ଉପାଖ୍ୟାନ ସ୍ମରଣୀୟ ହୋଇ ରହିବ। ଶ୍ରୀ ନାଇଡୁଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନିରନ୍ତର ମାର୍ଗଦର୍ଶନ ଆଗକୁ ମଧ୍ୟ ରହିବା ନେଇ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Categories
ବିଶେଷ ଖବର

ମାର୍ଗରେଟ୍ ଅଲଭାଙ୍କୁ ପରାସ୍ତ କରି ଜଗଦୀପ ଧନଖଡ ହେଲେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ତଥା ବଙ୍ଗଳାର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ହେବେ। ଶନିବାର ଭୋଟ୍ ଦେବା ପରେ ସନ୍ଧ୍ୟା ୭.୪୦ ରେ ଧନଖଡଙ୍କୁ ନିର୍ବାଚିତ ଘୋଷଣା କରାଯାଇଥିଲା ଏବଂ ସନ୍ଧ୍ୟା ୬ ଟାରୁ ଗଣନା ଆରମ୍ଭ ହୋଇଥିଲା। ଗତ ଉପରାଷ୍ଟ୍ରପତି ନିର୍ବାଚନରେ ​​ଜଗଦୀପ ଧନଖଡ ଭେଙ୍କୟା ନାଇଡୁଙ୍କ ଠାରୁ ଏକ ବଡ଼ ବିଜୟ ପଞ୍ଜିକରଣ କରିଛନ୍ତି। ଧନଖଡ ୭୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଛନ୍ତି। ଭେଙ୍କୟା ନାଇଡୁ ପାଖାପାଖି ୬୮ ପ୍ରତିଶତ ଭୋଟ୍ ପାଇଥିଲେ। ସୂଚନାନୁସାରେ, ଜଗଦୀପ ଧନଖଡ ୫୨୮ ଭୋଟ୍ ଏବଂ ମାର୍ଗରେଟ୍ ଆଲଭା ୧୮୨ ଭୋଟ୍ ପାଇଥିଲେ। ୧୫ ଟି ଭୋଟ୍ ଅବୈଧ ବୋଲି ଜଣାପଡିଛି। ଏଥି ସହିତ, ମାର୍ଗରେଟ୍ ଅଲଭାଙ୍କୁ ବିରୋଧୀ ଦଳ ମଧ୍ୟରେ ଏକତାର ଅଭାବକୁ ସହିବାକୁ ପଡିଲା ଏବଂ ସେ ପରାସ୍ତ ହେଲେ। ଉପରାଷ୍ଟ୍ରପତି ନିର୍ବାଚନ ୨୦୨୨ ପାଇଁ ମତଦାନ ଶନିବାର ସକାଳ ୧୦ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିଥିଲା। ଉପରାଷ୍ଟ୍ରପତି ନିର୍ବାଚନରେ ​​୭୨୫ ସାଂସଦ ଭୋଟ୍ ଦେଇଥିଲେ। ଆଜି ପ୍ରାୟ ୯୩ ପ୍ରତିଶତ ସାଂସଦ ଭୋଟ୍ ଦେଇଥିବାବେଳେ ୫୫ ଜଣ ସାଂସଦ ଭୋଟ୍ ଦେଇନାହାଁନ୍ତି।

ଏହି ୫୫ ଅନୁପସ୍ଥିତ ସାଂସଦଙ୍କ ମଧ୍ୟରୁ ୩୪ ଟି ଟିଏମସିରୁ, ବିଜେପି-ଏସପି ଏବଂ ଶିବସେନାରୁ ୨ ଜଣ ଲେଖାଏଁ ଏବଂ ଜଣେ ବିଏସପିରୁ ଆସିଛନ୍ତି। ୩୬ ସାଂସଦଙ୍କ ସହ ତୃଣମୂଳ କଂଗ୍ରେସ (ଟିଏମସି) ନିର୍ବାଚନରେ ​​ଭୋଟ୍ ନଦେବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଶୁଭେନ୍ଧୁ ଅଧିକାରୀଙ୍କ ପିତା ଶିଶିର ଅଧିକାରୀ ଏବଂ ଦିବେନ୍ଦୁ ଅଧିକାରୀ ଭୋଟ୍ ଦେଇଥିଲେ। ଅର୍ଥାତ୍ ୩୪ ଜଣ ଟିଏମସି ସାଂସଦ ଭୋଟ୍ ଦେଇନଥିଲେ। ଦୁଇ ବିଜେପି ସାଂସଦ ଭୋଟ୍ ଦେଇନାହାଁନ୍ତି। ସନି ଦେଓଲ ଏବଂ ସଞ୍ଜୟ ଧୋତ୍ରେ ଭୋଟ୍ ଦେଇ ନାହାଁନ୍ତି। ରାଷ୍ଟ୍ରପତି ନିର୍ବାଚନରେ ​​ସେ ଭୋଟ୍ ମଧ୍ୟ ଦେଇପାରିନଥିଲେ।

Categories
ବିଶେଷ ଖବର

ଭାରତରେ ଉପରାଷ୍ଟ୍ରପତି ହେବାର ଯୋଗ୍ୟତା କ’ଣ? ଜାଣନ୍ତୁ ସାମ୍ବିଧାନିକ ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତର ବର୍ତ୍ତମାନର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବ। ବର୍ତ୍ତମାନ ନୂତନ ରାଷ୍ଟ୍ରପତି ଚୟନ ପ୍ରକ୍ରିୟା ଚାଲିଛି। ଯେଉଁଥିପାଇଁ ଆଜି ମତଦାନ ହୋଇଥିଲା। ତେବେ ଉପରାଷ୍ଟ୍ରପତି ହେବାର ଯୋଗ୍ୟତା କ’ଣ ଏବଂ ଏଥିପାଇଁ ସମ୍ବିଧାନରେ କ’ଣ ବ୍ୟବସ୍ଥା ଅଛି,ଆସନ୍ତୁ ଜାଣିବା…

କିଏ ଭାରତର ଉପରାଷ୍ଟ୍ରପତି ହୋଇପାରିବ:

– ଭାରତର ନାଗରିକ ହେବା ଆବଶ୍ୟକ।

– ନିଶ୍ଚିତ ଭାବରେ ୩୫ ବର୍ଷ ବୟସ ପୂରଣ ହୋଇସାରିଥିବ।

– ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହେବାକୁ ଯୋଗ୍ୟ

– ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ଜନ୍ମରୁ ଜଣେ ଭାରତୀୟ ହେବା ଜରୁରୀ ନୁହେଁ। ଭାରତର ଯେକୌଣସି ନାଗରିକ ଉପରାଷ୍ଟ୍ରପତି ହୋଇପାରିବେ।

ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖିବାକୁ ହେବ:

– ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଉଭୟ ଗୃହର ସଦସ୍ୟ ହେବା ଉଚିତ୍ ନୁହେଁ। ଯଦି ସେ ଉଭୟ ଗୃହର ସଦସ୍ୟ ଅଟନ୍ତି, ତେବେ ଗୃହର ସଦସ୍ୟ ଭାବରେ ତାଙ୍କ ଆସନ ଉପ-ରାଷ୍ଟ୍ରପତି ନିର୍ବାଚିତ ଦିନଠାରୁ ଖାଲି ବୋଲି ଧରାଯିବ।

– ସେ କୌଣସି ଲାଭର ପଦବୀରେ ରହିବା ଉଚିତ୍ ନୁହେଁ। ଏହିପରି ପଦବୀ ଉଭୟ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ସହ ଜଡିତ।

ଉପରାଷ୍ଟ୍ରପତି ହେଉଛନ୍ତି ରାଜ୍ୟସଭାର ଅଧ୍ୟକ୍ଷ। ଏହା ବ୍ୟତୀତ ସେ ମୃତ୍ୟୁ, ଛୁଟି କିମ୍ବା ଅନ୍ୟ କୌଣସି କାରଣରୁ ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରନ୍ତି। ଏହି ସମୟ ମଧ୍ୟରେ ତାଙ୍କୁ ସବୁ ଅଧିକାର ମିଳିଥାଏ,ଯାହା ରାଷ୍ଟ୍ରପତିଙ୍କୁ ମିଳିଥାଏ।

Categories
ଜାତୀୟ ଖବର ବିଶେଷ ଖବର

ଦିଲ୍ଲୀରେ ‘ହର ଘର ତିରଙ୍ଗା’ ବାଇକ ଶୋଭାଯାତ୍ରାକୁ ଉଦଘାଟନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ଲାଲକିଲ୍ଲା ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ସାଂସଦମାନଙ୍କର ‘ହର ଘର ତିରଙ୍ଗା’ ବାଇକ ଶୋଭଯାତ୍ରାକୁ ଉପରାଷ୍ଟ୍ରପତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ସମ୍ପୂର୍ଣ୍ଣ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ‘ହର ଘର ତିରଙ୍ଗା’ (ସବୁ ଘରେ ତ୍ରିରଙ୍ଗା ଉତ୍ତୋଳନ) ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ, ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ରାମ ମେଘୱାଲ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ମୀନାକ୍ଷୀ ଲେଖି ଏବଂ ଭି. ମୂରଲୀଧରନଙ୍କ ସମେତ ବହୁ ସଂଖ୍ୟାରେ ସାଂସଦମାନେ ଉପସ୍ଥିତ ଥିଲେ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ନିଜେ ବାଇକ ଚଳାଇ ଶୋଭଯାତ୍ରାରେ ସାମିଲ ହୋଇଥିଲେ । ଶ୍ରୀ ଠାକୁର କହିଥିଲେ ଯେ, ଦେଶକୁ ଏକଜୁଟ ରଖିବା, ଭାରତକୁ ଆଗେଇ ନେବା ଏବଂ ଆହୁରି ସୁଦୃଢ଼ କରିବାର ବାର୍ତ୍ତା ଭବିଷ୍ୟତ ପିଢ଼ିକୁ ପ୍ରଦାନ କରିବା ଲାଗି ଆଜି ବହୁ କେନ୍ଦ୍ର ମନ୍ତ୍ରୀ, ସାଂସଦ, ଯୁବ ନେତାମାନେ ଏକତ୍ରିତ ହୋଇଛନ୍ତି । ତ୍ରିରଙ୍ଗାର ଶକ୍ତି ୧୩୦ କୋଟି ଭାରତୀୟଙ୍କୁ ଏକଜୁଟ କରି ରଖିଛି । ଆଜି ଆମେ ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଏବଂ ସେମାନଙ୍କୁ ସ୍ମରଣ କରୁଛୁ । ସ୍ବାଧୀନତାର ଏହି ଅମୃତ ମହୋତ୍ସବରେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସହିତ ଭାରତର ଗୌରବ ବୃଦ୍ଧି କରିବା ଲାଗି କାର୍ଯ୍ୟ କରିବା ନିମନ୍ତେ ଆମେ ସମସ୍ତେ ଆଜି ସଂକଳ୍ପ ନେଉଛୁ ।

ଭାରତୀୟ ନାଗରିକ ଏବଂ ଜାତୀୟ ପତାକା ମଧ୍ୟରେ ରହିଥିବା ଏକ ବ୍ୟକ୍ତିଗତ ସମ୍ପର୍କକୁ ଉଜ୍ଜୀବିତ କରି ରଖିବା ଲାଗି ଭାରତ ସରକାର ‘ହର ଘର ତିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି । ନାଗରିକଙ୍କ ମନରେ ଦେଶପ୍ରେମ ଏବଂ ଜାତୀୟତା ଭାବନାକୁ ସୁଦୃଢ଼ କରିବା ଏବଂ ସ୍ବାଧୀନତାର ଅମୃତ ମହୋତ୍ସବରେ ଜନଭାଗିଦାରୀ ବଢ଼ାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉପରାଷ୍ଟ୍ରପତିଙ୍କ ଦ୍ବାରା ହାଇଦ୍ରାବାଦରେ ସମ୍ମାନିତ ହେଲେ ଡ. ପ୍ରତିଭା ରାୟ, କଲେ ପ୍ରଶଂସା

ହାଇଦ୍ରାବାଦ: ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଗତକାଲି ସମ୍ମାନିତ ହୋଇଛନ୍ତି ଓଡିଶାର ପ୍ରତିଷ୍ଠିତ ସାହିତ୍ୟିକ ଡ. ପ୍ରତିଭା ରାୟ। ହାଇଦ୍ରାବାଦରେ ଆୟୋଜିତ ଏହି ଉତ୍ସବରେ ତାଙ୍କୁ ସମ୍ମାନିତ କରିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ। ପ୍ରତିଭାଙ୍କୁ ସେ ଡକ୍ଟର ସି ନାରାୟଣ ରେଡ୍ଡୀ ଜାତୀୟ ସାକ୍ଷରତା ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ଉପରାଷ୍ଟ୍ରପତି ତାଙ୍କୁ ଫଳକ ଏବଂ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି।

ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଉପରାଷ୍ଟ୍ରପତି ଓଡିଆ ଲେଖିକା ଡ ପ୍ରତିଭା ରାୟଙ୍କୁ ବେଶ ପ୍ରସଂଶା କରିଛନ୍ତି। ସେ କହିଛନ୍ତି ଯେ, ଡ ରାୟ ହେଉଛନ୍ତି ଓଡିଆ ଭାଷାର ଜଣେ ପ୍ରତିଷ୍ଠିତ ଲେଖିକା। ସେ କହିଛନ୍ତି ଯେ ପ୍ରତିଭା ରାୟଙ୍କ ଉପନ୍ୟାସ ଏବଂ ଗଳ୍ପ ସାଧାରଣତଃ ସାମାଜିକ ଚାଳିଚଳନ ଉପରେ ପର୍ଯ୍ୟବେସିତ। ସେଥିପାଇଁ ତାଙ୍କର କୃତି ସାରା ଦେଶରେ ଲୋକପ୍ରିୟତା ହାସଲ କରିପାରିଛି। ତାଙ୍କର ଏପରି ସଫଳ ସାଧାନା ପାଇଁ ତାଙ୍କୁ ଜ୍ଞାନପୀଠ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।

ଏହି ଉତ୍ସବରେ ଉପରାଷ୍ଟ୍ରପତି କହିଛନ୍ତି ଯେ, ପ୍ରତିଭା ରାୟଙ୍କୁ ଯେଉଁ ସମ୍ମାନ ଦିଆଯାଇଛି ତାହା ହେଉଛି ଡକ୍ଟର ସି ନାରାୟଣ ରେଡ୍ଡୀ ଜାତୀୟ ସାକ୍ଷରତା ପୁରସ୍କାର। ଡକ୍ଟର ରେଡ୍ଡୀ ମଧ୍ୟ ହେଉଛନ୍ତି ଜଣେ ସୁପ୍ରତିଷ୍ଠିତ ଲେଖକ। ତେଲୁଗୁ ସାହିତ୍ୟରେ ସେ ହେଉଛନ୍ତି ଜଣେ ଯୋଗଜନ୍ମା ସାଧକ। ତାଙ୍କର ଅନନ୍ୟ ସାହିତ୍ୟକୃତି ମଧ୍ୟରେ ଗୋଟିଏ ହେଉଛି ‘ବିଶ୍ବମ୍ବର’। ଏହି ପୁସ୍ତକ ପାଇଁ ସେ ମଧ୍ୟ ଜ୍ଞାନପୀଠ ପୁରସ୍କାର ହାସଲ କରିଛନ୍ତି। ପ୍ରକୃତି ଏବଂ ମଣିଷର ସଂପର୍କକୁ ନେଇ ସେ ସୁନ୍ଦର ଭାବେ ସାହିତ୍ୟରେ ରୂପାନ୍ତରିତ କରିପାରିଛନ୍ତି।

କେବଳ ସାହିତ୍ୟ  ନୁହେଁ ଡ. ସି ନାରାୟଣ ରେଡ୍ଡୀ ଜଣେ ସାଂସଦ ଭାବରେ ମଧ୍ୟ ନିଜର କୃତିତ୍ବ ଦେଖାଇ ପାରିଛନ୍ତି। ସେ ରାଜ୍ୟସଭାରେ ଭାଷା ସାହିତ୍ୟ ଉପରେ ଅନେକ ସୃଜନଶୀଳ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ମୁଖ୍ୟତଃ ନିଜ ମାତୃଭାଷାରେ କିପରି ପାଠପଢା ଯିବ ତାହା ଉପରେ ସେ ଗୁରୁତ୍ବ ଦେଉଥିଲେ। ଏହି ଉପଲକ୍ଷେ ଡ. ସି ରେଡ୍ଡୀଙ୍କର ଏକ ପୁସ୍ତକ ‘ବ୍ୟାସ ପୂର୍ଣ୍ଣିମା’ ମଧ୍ୟ ଉନମୋଚିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

ଆଜି ରାଷ୍ଟ୍ରପତିଙ୍କୁ ବିଦାୟକାଳିନ ଭୋଜି ଦେଲେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟକାଳିନ ଭୋଜି ଦେଇଛନ୍ତି। ଆଜି ମଧ୍ୟାହ୍ନରେ ଉପରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ କେବଳ ଉପରାଷ୍ଟ୍ରପତି ଏବଂ ତାଙ୍କ ପରିବାର ସହିତ ରାଷ୍ଟ୍ରପତିଙ୍କ ପରିବାର ସଦସ୍ୟ ଥିଲେ।

ଏହି ପରିପ୍ରେକ୍ଷୀରେ ଉପରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ସମୃଦ୍ଧ ଏବଂ ସୁସ୍ଥ ଜୀବନ କାମନା କରିଥିଲେ। ଏଥିସହିତ ବିଗତ ଦିନରେ କୋବିନ୍ଦଙ୍କ ସହ ବିଭିନ୍ନ କାର୍ଯ୍ୟକୁ ମନେ ପକାଇଛନ୍ତି ଉପରାଷ୍ଟ୍ରପତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସସ୍ମିତ ପାତ୍ରଙ୍କ ସହ ନବ ନିଯୁକ୍ତ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ଉପରାଷ୍ଟ୍ରପତିଙ୍କୁ କଲେ ସାକ୍ଷାତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପରେ ପରେ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। ତାଙ୍କ ସହିତ ନବ ନିଯକ୍ତ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ମଧ୍ୟ ସାକ୍ଷାତ କରିଛନ୍ତି। ସେମାନେ ହେଲେ ଭୁବନେଶ୍ବର କଲିତା, ଇନ୍ଦୁବାଲା ଗୋସ୍ବାମୀ, ଡ ଏଲ ହନୁମନ୍ତଥୟା, ତ୍ରିଚି ଶିବା ଏବଂ ଭି ବିଜୟସାୟି ରେଡ୍ଡୀ।

ସସ୍ମିତ ଗତକାଲି ସାଂସଦ ଭାବେ ଶପଥ ଗ୍ରହଣ କରିବା ସହିତ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ମତଦାନ କରିଛନ୍ତି। ଗତ ପାଳିରେ ସସ୍ମତି ଏହି ଉପାଧ୍ୟକ୍ଷ ପ୍ୟାନେଲରେ ରହିଥିଲେ। ସେତେବେଳେ ସେ ରାଜ୍ୟସଭା ପରିଚାଳନା ବେଶ ଦକ୍ଷତାର ସହ କରିଥିବାରୁ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ତାଙ୍କୁ ପ୍ରଶଂସା କରିଥିଲେ। ଏହି ସାକ୍ଷାତ ବେଳେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉପରାଷ୍ଟ୍ରପତି ପାଇଁ ନାମାଙ୍କନ ଦାଖଲ କଲେ ଧନଖଡ, ବିଜେଡିରୁ କିଏ ହେଲା ସାମିଲ

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜଗଦୀପ ଧନଖଡ। ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ସେ ଏହି ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ସାହା, ବିଜେପି ସଭାପତି ଜେପି ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବିଜେଡି ତରଫରୁ ସାଂସଦ ପିନାକୀ ମିଶ୍ର ଏହି ନାମାଙ୍କନ ବେଳେ ଉପସ୍ଥିତ ରହିଥିଲେ।

ନାମାଙ୍କନ ଦାଖଲ ପରେ 71 ବର୍ଷିୟ ଧନଖଡ କହିଛନ୍ତି ଯେ, ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଢାଇବା ପାଇଁ ମୁଁ ସର୍ବଦା ଚେଷ୍ଟା କରିବି। ସ୍ୱପ୍ନରେ ସୁଦ୍ଧା ମୁଁ କେବେ ଭାବି ନ ଥିଲି ଯେ ମୋ ଭଳି ଜଣେ ବ୍ୟକ୍ତି ଏହି ସୁଯୋଗ ମିଳିବ। ଆସନ୍ତାକାଲି ଉପରାଷ୍ଟ୍ରପତି ପାଇଁ ନାମାଙ୍କନର ଶେଷ ତାରିଖ ରହିଛି। ଅଗଷ୍ଟ 6 ତାରିଖରେ ହେବ ମତଦାନ। ବିରୋଧୀ ଦଳ ତରଫରୁ ମାର୍ଗେଟ ଆଲଭାଙ୍କୁ ପ୍ରାର୍ଥୀ କରାଯାଇଛି।