Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ଓକିଲଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଜିଲ୍ଲାର ସମସ୍ତ ଓକିଲ ସଂଘ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ତେଜୁଛି ଓକିଲଙ୍କୁ ଆକ୍ରମଣକାରୀଙ୍କ ଗିରଫ ଦାବି। ସମର୍ଥନ ଜଣାଇଲେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଓକିଲ ସଂଘ। ଚଳିତ ମାସ ୧୭ ତାରିଖ ଦିନ ବାଣପୁର କୋର୍ଟ ପରିସରରେ ବାଣପୁର ଓକିଲ ସଂଘ ଉପସଭାପତି ପଦ୍ମଜା ପଟ୍ଟନାୟକଙ୍କୁ ସ୍ଥାନୀୟ ଗାଲୁଆ ପଞ୍ଚାୟତ ସରପଞ୍ଚ କୋର୍ଟ ପରିସରରେ ମାଡ଼ ମାରିବା ସହ ସମୂହ ଓକିଲ ସଂଘକୁ ଗାଳିଗୁଲଜ କରିଥିବାର ବାଣପୁର ଥାନାରେ ଓକିଲ ସଂଘ ପକ୍ଷରୁ ଏକ ଲିଖିତ ଅଭିଯୋଗ ଦିଆଯାଇଥିଲା। ଅନୁରୂପ ଭାବେ ସରପଞ୍ଚଙ୍କ ସମର୍ଥକଙ୍କ ପକ୍ଷରୁ ମଧ୍ୟ ଏକାଧିକ ଓକିଲଙ୍କ ବିରୋଧରେ ଏକ ପାଲଟା ଅଭିଯୋଗ କରାଯାଇଥିଲା।

ତେବେ ପୋଲିସ ଉଭୟ କେଶ ରୁଜୁ କରିଥିବା ବେଳେ ଓକିଲମାନେ ସୋମବାର ଠାରୁ ବାଣପୁର କୋର୍ଟରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ବାଣପୁରର ଉଭୟ କୋର୍ଟ କାର୍ଯ୍ୟ ଆଜିକୁ ମିଶାଇ ଚାରି ଦିନ ହେଲା ଅଚଳ ଅଛି। ଓକିଲଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଗିରଫଦାରୀ ଦାବି ନେଇ କୋର୍ଟ କାର୍ଯ୍ୟ ବନ୍ଦ ରହିଛି।

ସେହିଭଳି ଆଜି ବାଣପୁର ଓକିଲ ସଂଘର ଏକ ବରିଷ୍ଠ ପ୍ରତିନିଧିମଣ୍ଡଳି ଭୁବନେଶ୍ୱର ଜିଲ୍ଲା ଜଜ ଓ ଖୋର୍ଦ୍ଧା ଏସପିଙ୍କୁ ଭେଟି ଉକ୍ତ ବିଷୟରେ ଅବଗତ କରାଇବା ସହ ଆକ୍ରମଣକାରୀଙ୍କୁ ଯଥାଶୀଘ୍ର ଗିରଫ ଏବଂ କୋର୍ଟ ପରିସରରେ ଓକିଲମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି କରିଛନ୍ତି। ଜିଲ୍ଲା ଜଜ ଓକିଲମାନଙ୍କ ସୁରକ୍ଷା ପାଇଁ କୋର୍ଟ ପରିସରରେ ଦୁଇ ଜଣ ପୋଲିସ କର୍ମୀ ମୁତୟନ ହେବେ ବୋଲି କହିଥିବା ବେଳେ ଅତିରିକ୍ତ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ ବୋଲି ଏସପି କହିଛନ୍ତି।

ତେବେ ବାଣପୁର ଓକିଲ ସଂଘର ଉକ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲାର ସମସ୍ତ ଓକିଲ ସଂଘ। ଆଜିଠାରୁ ଚିଲିକା ଓକିଲ ସଂଘ ସ୍ଥାନୀୟ କୋର୍ଟକୁ ତିନି ଦିନିଆ ବନ୍ଦ ଡାକରା ଦେଇଥିବା ବେଳେ ଆଗକୁ ଟାଙ୍ଗୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱର ଓକିଲ ସଂଘ ମଧ୍ୟ ସେମାନଙ୍କ ସ୍ଥାନୀୟ କୋର୍ଟକୁ ବନ୍ଦ ରଖିବେ ବୋଲି ସମସ୍ତ ବାର ଆସୋସିଏସନର କର୍ମକର୍ତ୍ତା କହିଛନ୍ତି।

ତତସହିତ କୋର୍ଟ ପରିସରରେ ଓକିଲଙ୍କୁ ଆକ୍ରମଣ ଏବଂ ଗାଳିଗୁଲଜ କରିବା ଏକ ସାଙ୍ଘାତିକ ଅପରାଧ ଏବଂ ଏହାକୁ ଜିଲ୍ଲାର ସମସ୍ତ ବାର ଦୃଢ଼ଭାବେ ନିନ୍ଦା କରିବା ସହ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବାଣପୁର ଓକିଲ ସଂଘ ସଭାପତି ପ୍ରଭାତ ପଟ୍ଟଯୋଶୀ ଓ ସମ୍ପାଦକ ଜଗନ୍ନାଥ ଭୋଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘ ପକ୍ଷରୁ ନୂତନ ବିଚାରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବିଚାର ବିଭାଗୀୟ ଅଦାଲତରେ ଦୁଇ ନୂତନ ବିଚାରପତି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ମନୋରଞ୍ଜନ ମିଶ୍ର ବରିଷ୍ଠ ଦେୱାନୀ ଜଜ ଭାବେ ଯୋଗଦାନ କରିଥିବା ବେଳେ ସିଦ୍ଧାର୍ଥ ଶଙ୍କର ସେନାପତି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଭାବେ ଯୋଗ ଦେଇଛନ୍ତି।

ଏହି ଅବସରରେ ବାଣପୁର ଓକିଲ ସଂଘ ତରଫରୁ ଉଭୟ ବିଚାରପତିଙ୍କ ନିମନ୍ତେ ସଂଘର କକ୍ଷ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ କୋଭିଡ଼ ନିୟମ ଅନୁଯାୟୀ ଆୟୋଜିତ ହୋଇଥିଲା। ସଂଘର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଭାତ କୁମାର ପଟ୍ଟଜୋଶୀ ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ଜଗନ୍ନାଥ ଭୋଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ନିଜର ବକ୍ତବ୍ୟ ରଖିଥିଲେ।

ସଂଘର ଅନ୍ୟାନ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଉପ ସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ ତଥା ଅନ୍ୟାନ ବରିଷ୍ଠ ସଭ୍ୟମାନେ ଉପସ୍ଥିତି ଥିଲେ। ଆଜିର ଆୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ ସଚ୍ଚିତ ମିଶ୍ର, ରଞ୍ଜନ କୁମାର ବେଦମତ୍ତା , ରାମଚନ୍ଦ୍ର ପଲେଇ, ସୁଧୀର ପ୍ରଧାନ, ଦିଲ୍ଲୀପ ପାଣିଗ୍ରାହୀ, ସୁନୀଲ ମହାପାତ୍ର ଏବଂ ଜଗଦୀଶ ପଟ୍ଟନାୟକ ଆଦି ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ସ୍ୟାଟ ବାର୍ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର: ୨୭.୩.୨୦୨୧ ରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ସ୍ୟାଟ ବାର୍‌, ଭୁବନେଶ୍ୱର ସଭାପତି ଭାବେ ସୁଧୀର ଚରଣ ମହାନ୍ତି ନିର୍ବାଚିତ ହୋଇଛନ୍ତି। ରଣଜିତ ମହାନ୍ତି, ସୁଧାଂଶୁ ଶେଖର ପ୍ରତାପ ଓ ଗୋବିନ୍ଦ ଚନ୍ଦ୍ର ପାଇକରାୟ ଯଥାକ୍ରମେ ସମ୍ପାଦକ, ଉପସଭାପତି ଓ ସହ ସମ୍ପାଦକ ଭାବେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି।

ନିର୍ବାଚନକୁ ଶୃଙ୍ଖଳା ରୂପେ ସମ୍ପାଦନା କରିଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅନନ୍ତ କୁମାର ଆଚାର୍ଯ୍ୟ ଏବଂ ସହ-ନିର୍ବାଚନ ଅଧିକାରୀ କବିତା ମହାନ୍ତି, ରଶ୍ମିତା ରାଉତରାୟ ଓ ଜ୍ଞାନରଞ୍ଜନ ତ୍ରିପାଠୀଙ୍କୁ ସ୍ୟାଟ ବାର୍ ତରଫରୁ ଅଶେଷ ସାଧୁବାଦ ଅର୍ପଣ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାବାଳିକା ଅପହରଣ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ବାଣପୁର ଓକିଲ ସଂଘର ଧର୍ମଘଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ପୋଲିସ ଜଣେ ନାବାଳିକା ଝିଅକୁ ଅପହରଣକାରୀକୁ ଧରିବାରେ ବିଫଳ ହୋଇଥିବାରୁ ଓକିଲ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଏପରି ଅତି ସମ୍ବେଦନଶୀଳ ଘଟଣାକୁ ନେଇ ପୋଲିସର ତଦନ୍ତ ଉପରେ ଓକିଲ ସଙ୍ଘ ସନ୍ଦେହ କରିଛି। ଏନେଇ ଆଜି ବାଲୁଗାଁ ପୋଲିସ ବିରୋଧରେ ବାଣପୁର ଓକିଲ ସଂଘ ଧର୍ମଘଟରେ ବସିଛି।

ଘଟଣାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତସିଂହାରପୁର ଗ୍ରାମର ଜନୈକ ଓକିଲ ସୁକାନ୍ତ ପ୍ରଧାନଙ୍କ ନାବାଳିକା ଝିଅକୁ ନିକଟସ୍ଥ ଆଙ୍କୁଲାଚଟି ଗ୍ରାମର ଆକାଶ ସୁନ୍ଦରାୟ ନାମକ ବ୍ୟକ୍ତି ଅପହରଣ କରିଥିବା ଅଭିଯୋଗ ହୋଇଥିଲା।

ବାପା ସୁକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଗତ ମାସ ୩ ତାରିଖ ରାତି ୮ ଟା ସମୟରେ ଏକ ନୀଳ ରଙ୍ଗର ମୋଟର ସାଇକେଲରେ ଆକାଶ ଆସି ତାଙ୍କ ଝିଅକୁ ଅପହରଣ କରିନେଇଥିଲା। ସୁକାନ୍ତ ଏନେଇ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରି ସିଡିପିଓ ଓ ଏସପିଙ୍କୁ ଅବଗତ କରାଇଥିଲେ। ମାସାଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସିର ଅବହେଳାକୁ ନେଇ ପିତା ସୁକାନ୍ତ ବାଣପୁର ଓକିଲ ସଂଘକୁ ସମସ୍ତ ଘଟଣା ଜଣାଇଥିଲେ।

ବାଣପୁର ଓକିଲ ସଂଘ ପୋଲିସର କାର୍ଯ୍ଯାନୁଷ୍ଠାନ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଆଜି ସଂଘର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ରମେଶ ବିଷୋୟୀଙ୍କ ସଭାପତିତ୍ୱରେ ସମ୍ପାଦକ ଶ୍ୟାମସୁନ୍ଦର ମିଶ୍ର, ଗୌରୀଶଙ୍କର ଷଡଙ୍ଗୀ, ଜଗନ୍ନାଥ ଭୋଳ ଓ ସଙ୍ଘର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତରେ ଏକ ଜରୁରୀକାଳୀନ ସାଧାରଣ ବୈଠକ କରାଯାଇଥିଲା। ଉକ୍ତ ବୈଠକରେ ଯେ ପର୍ଯ୍ୟନ୍ତ ବାଲୁଗାଁ ପୋଲିସି ଝିଅକୁ ଉଦ୍ଧାର ନ କରିଛି ଏବଂ ଅଭିଯୁକ୍ତ ଆକାଶକୁ ଗିରଫ ନକରିଛି ସେପର୍ଯ୍ଯନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାଣପୁର ଓକିଲ ସଂଘ ଧର୍ମଘଟ ଜାରି ରଖିବ ବୋଲି ନିଷ୍ପତ୍ତି ନେଇଛି।