ନାବାଳିକା ଅପହରଣ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ବାଣପୁର ଓକିଲ ସଂଘର ଧର୍ମଘଟ

Published: Dec 16, 2020, 9:13 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ପୋଲିସ ଜଣେ ନାବାଳିକା ଝିଅକୁ ଅପହରଣକାରୀକୁ ଧରିବାରେ ବିଫଳ ହୋଇଥିବାରୁ ଓକିଲ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଏପରି ଅତି ସମ୍ବେଦନଶୀଳ ଘଟଣାକୁ ନେଇ ପୋଲିସର ତଦନ୍ତ ଉପରେ ଓକିଲ ସଙ୍ଘ ସନ୍ଦେହ କରିଛି। ଏନେଇ ଆଜି ବାଲୁଗାଁ ପୋଲିସ ବିରୋଧରେ ବାଣପୁର ଓକିଲ ସଂଘ ଧର୍ମଘଟରେ ବସିଛି।

ଘଟଣାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତସିଂହାରପୁର ଗ୍ରାମର ଜନୈକ ଓକିଲ ସୁକାନ୍ତ ପ୍ରଧାନଙ୍କ ନାବାଳିକା ଝିଅକୁ ନିକଟସ୍ଥ ଆଙ୍କୁଲାଚଟି ଗ୍ରାମର ଆକାଶ ସୁନ୍ଦରାୟ ନାମକ ବ୍ୟକ୍ତି ଅପହରଣ କରିଥିବା ଅଭିଯୋଗ ହୋଇଥିଲା।

ବାପା ସୁକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଗତ ମାସ ୩ ତାରିଖ ରାତି ୮ ଟା ସମୟରେ ଏକ ନୀଳ ରଙ୍ଗର ମୋଟର ସାଇକେଲରେ ଆକାଶ ଆସି ତାଙ୍କ ଝିଅକୁ ଅପହରଣ କରିନେଇଥିଲା। ସୁକାନ୍ତ ଏନେଇ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରି ସିଡିପିଓ ଓ ଏସପିଙ୍କୁ ଅବଗତ କରାଇଥିଲେ। ମାସାଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସିର ଅବହେଳାକୁ ନେଇ ପିତା ସୁକାନ୍ତ ବାଣପୁର ଓକିଲ ସଂଘକୁ ସମସ୍ତ ଘଟଣା ଜଣାଇଥିଲେ।

ବାଣପୁର ଓକିଲ ସଂଘ ପୋଲିସର କାର୍ଯ୍ଯାନୁଷ୍ଠାନ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଆଜି ସଂଘର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ରମେଶ ବିଷୋୟୀଙ୍କ ସଭାପତିତ୍ୱରେ ସମ୍ପାଦକ ଶ୍ୟାମସୁନ୍ଦର ମିଶ୍ର, ଗୌରୀଶଙ୍କର ଷଡଙ୍ଗୀ, ଜଗନ୍ନାଥ ଭୋଳ ଓ ସଙ୍ଘର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତରେ ଏକ ଜରୁରୀକାଳୀନ ସାଧାରଣ ବୈଠକ କରାଯାଇଥିଲା। ଉକ୍ତ ବୈଠକରେ ଯେ ପର୍ଯ୍ୟନ୍ତ ବାଲୁଗାଁ ପୋଲିସି ଝିଅକୁ ଉଦ୍ଧାର ନ କରିଛି ଏବଂ ଅଭିଯୁକ୍ତ ଆକାଶକୁ ଗିରଫ ନକରିଛି ସେପର୍ଯ୍ଯନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାଣପୁର ଓକିଲ ସଂଘ ଧର୍ମଘଟ ଜାରି ରଖିବ ବୋଲି ନିଷ୍ପତ୍ତି ନେଇଛି।

Related posts