Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଧାନସଭା ଆସନରେ ପୁଣି ବିଜେପି ଆଗରେ ରହିଛି, ପଛରେ ପଡିଛି ବିଜେଡି

ଭୁବନେଶ୍ବର: ଓଡିଶା ବିଧାନସଭାରେ ବର୍ତ୍ତମାନ ଗଣନା ଅନୁସାରେ ବିଜେପି ଆଗରେ ରହିଛି। ପଛରେ ପଡିଯାଇଛି ବିଜେଡି। ସେହିପରି କଂଗ୍ରେସର ପ୍ରଦର୍ଶନ ଭଲ ନାହିଁ। ବର୍ତ୍ତମାନ ଗଣନା ଅନୁସାରେ ବିଭିନ୍ନ ଦଳର ଆଗୁଆ ସ୍ଥିତି ରହିଛି ତାହା ହେଲା

ବିଜେପି- 60

ବିଜେଡି- 45

କଂଗ୍ରେସ- 10

ସିପିଆଇଏମ- 01

ଜେଏମଏମ- 01

ସ୍ବାଧୀନ- 01

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ବିଧାନସଭାରେ ବିଜେପି 38ଟି ଏବଂ ବିଜେଡି 23 ଟି ଆସନରେ ଆଗୁଆ

ଭୁବନେଶ୍ବର: ଓଡିଶା ବିଧାନସଭା ଭୋଟ ଗଣିତ ଜାରୀ ରହିଥିବା ବେଳେ ଇତି ମଧ୍ୟରେ ଏକ ଟ୍ରେଣ୍ଡ ଆସିଛି। ତାହା ହେଲା ଯେ, ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି। ଗଣତି ଅନୁସାରେ ବିଜେପି ବର୍ତ୍ତମାନ ସୁଦ୍ଧା 38 ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି 23 ଟି ଆସନରେ ଆଗୁଆ ରହିଛି।

ଫଳାଫଳ ଅନୁସାରେ ବ୍ରହ୍ମଗିରି, ପିପିଲି, ଚିଲିକା, ନିମାପଡା ପ୍ରଭୃତି ଆସନରେ ବିଜେପି ଆଗୁଆ ରହିଛି। ସେହିପରି କାକଟପୁର, ପୁରୀ, ଝାରସୁଗୁଡା, ଦେଓଗଡ ପ୍ରଭୃତି ଆସନରେ ବିଜେଡି ଏବଂ ବାସୁଦେବପୁର, ଆନନ୍ଦପୁର, ସାନଖେମୁଣ୍ଡି, ଜୟପୁରରେ କଂଗ୍ରେସ ଆଗୁଆ ରହିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଭୋଟ ଗଣତି, ପ୍ରାର୍ଥୀଙ୍କ ଛାତି ଧକ୍.. ଧକ୍…କରନେ ଲଗା…

ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାରରେ ବହୁ ପ୍ରତୀକ୍ଷିତ ତଥା ବହୁ ଲୋକଙ୍କ ଜୀଜ୍ଞାଶାର ପୂର୍ଣ୍ଣଛେଦ ପଡିବ। କାରଣ ଆସନ୍ତାକାଲି ଆସିବ ଭୋଟ ଗଣତିର ଫଳାଫଳ। କିଏ ଜିତିବ କିଏ ହାରିବ ତାହା ଆସନ୍ତାକାଲି ଜଣାପଡିବ। ଦୀର୍ଘ ଦିନ ଧରି ଖରାରେ ଟଙ୍କା ଖର୍ଚ୍ଚ କରି ଯେଉଁ ପରିଶ୍ରମ କରିଛନ୍ତି ତାହାର ଫଳାଫଳ ଆସିବ।

ସେଥିପାଇଁ ନେତା ବା ପ୍ରାର୍ଥୀମାନଙ୍କର ଛାତି ଆଜିଠାରୁ ଧକଧକ ହେବା ଆରମ୍ଭ କରିସାରିଲାଣି। ଏପରିକି କେତେକ ପ୍ରାର୍ଥୀ ଭଲରେ କିଛି ଖାଇପାରୁ ନାହାଁନ୍ତି। କିଏ ଛାତ ଉପରେ ଖାଲି ପାଗଳଙ୍କ ପରି ବୁଲୁଥିବାର ମଧ୍ୟ ଶୁଣିବାକୁ ମିଳୁଛି। ତେବେ ଯେଉଁଠି ଜିତିବାର ସମ୍ଭାବନା ଅଛି ସେମାନଙ୍କ ଅପେକ୍ଷା ଟକ୍କର ପରିସ୍ଥିତି ଥିବା ପ୍ରାର୍ଥୀମାନେ ଭାରୀ ଚିନ୍ତାରେ ଅଛନ୍ତି।

କେତେବେଳେ ସକାଳ ପାଇବ, କେତେବେଳେ ଗଣତି ଆରମ୍ଭ ହେବ, କେତେବେଳେ ମୁଁ ଆଗୁଆ ହେବି ସେ ନେଇ ସବୁ ପ୍ରାର୍ଥୀଙ୍କ ମୁଣ୍ଡ ଚକ୍କର ଖାଉଛି। ତେବେ ବହୁ ପ୍ରାର୍ଥୀ ବଡି ଭୋରରୁ ମନ୍ଦିର ଯାଇ ପ୍ରାର୍ଥନା କରିବେ ବୋଲି ଯୋଜନା କରିସାରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ନିର୍ବାଚନ, ଯାଜପୁରରେ ଆଉ ଏକ କଂପାନୀ ସିଏପିଏଫ୍ ମୁତୟନ ପାଇଁ ନିଷ୍ପତି

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ସପ୍ତମ ପର୍ଯ୍ୟାୟ ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ଅତିରିକ୍ତ ଏକ କମ୍ପାନୀ ସିଏପିଏଫ୍ ମୁତୟନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିଷ୍ପତି ଗ୍ରହଣ କରିଛନ୍ତି।

ଏହା ପୂର୍ବରୁ ଯାଜପୁର ଜିଲ୍ଲାରେ ୨୦ କମ୍ପାନୀ ସିଏପିଏଫ୍ ମୁତୟନ ପାଇଁ ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନର ଅତିରିକ୍ତ ଏକ କମ୍ପାନୀ ସିଏପିଏଫ୍ ମୁତୟନ ପରେ ଜିଲ୍ଲାରେ ମୋଟ ୨୧ କମ୍ପାନୀ ସିଏପିଏଫ୍ ମୁତୟନ ହୋଇ ରହିବେ।

ଏହା ସହ ସାମଗ୍ରିକ ଭାବରେ ଏହି ପର୍ଯ୍ୟାୟ ପାଇଁ ମୁତୟନ ହୋଇଥିବା ସିଏପିଏଫ୍ କମ୍ପାନୀ ସଂଖ୍ୟା ୧୨୬ କୁ ବୃଦ୍ଧି ପାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୧୦,୫୧୫ଟି ମତଦାନ କେନ୍ଦ୍ର, ୯୪ ଲକ୍ଷ ୪୮ ହଜାର ମତଦାତା

ଭୁବନେଶ୍ବର: ଓଡିଶାର ତୃତୀୟ ତଥା ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ।  ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ରରେ ଏହି ନିର୍ବାଚନ ହେବ। ସେଗୁଡିକ ହେଲା ସମ୍ବଲପୁର, କେଉଁଝର (ଏସ୍‌.ଟି.), ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର। ସେହିପରି ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଆସନ୍ତାକାଲି ମତଦାନ ହେବ।

ଏହି ପର୍ଯ୍ୟାୟରେ ଛଅଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୮,୨୯,୬୬୦ ପୁରୁଷ, ୪୬,୧୭,୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୫୬ ରହିଛି । ଏମାନଙ୍କ ମଧ୍ୟରେ ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮,୪୫,୫୦୩ ଜଣ ଯୁବ ମତଦାତା ରହିଛନ୍ତି ।

ମତଦାନ କେନ୍ଦ୍ର

ଏହି ପର୍ଯ୍ୟାୟରେ ମୋଟ ୧୦,୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି। ମତଦାନ କେନ୍ଦ୍ର ପିଛା ପ୍ରାୟ ୮୯୬ ଜଣ ମତାଦାତା ରହିଛନ୍ତି। ପ୍ରାୟ ୧୫୦୦ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ହେବ ଏବଂ ୩୦ଟି ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦୦୦ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍‌ ବୁଥ୍‌) ରହିଛି । ଏହି ପର୍ଯ୍ୟାୟରେ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସମସ୍ତ ପୋଲିଂ ଷ୍ଟେସନ୍‌ ଲୋକେସନ୍‌ରେ ଜଣେ ଲେଖାଏଁ ସେ୍ୱଚ୍ଛାସେବୀ ଓ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ ହୋଇଛନ୍ତି।

ମୋଟ ପ୍ରାର୍ଥୀ ସଂଖ୍ୟା

ସମ୍ବଲପୁର, କେଉଁଝର (ଏସ୍‌.ଟି.), ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ମୋଟ ୬୪ ଜଣ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ପ୍ରାର୍ଥୀଙ୍କ ସଂଖ୍ୟା ୫୫ ଥିବା ବେଳେ ମହିଳା ସଂଖ୍ୟା ୯ ରହିଛନ୍ତି । ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୩୮୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ  ପୁରୁଷ-୩୩୯ ଓ ମହିଳା-୪୪ ପ୍ରାର୍ଥୀ ରହିଛନ୍ତି ।

ଇଭିଏମ୍‌ ଓ ଭିଭିପାଟ୍‌

ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୧୩୨୭୨ଟି ବାଲାଟ୍‌ ୟୁନିଟ୍‌, ୧୩୪୨୫ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୧୪୪୨୭ଟି ଭିଭିପାଟ କମିଶନିଂ ହୋଇଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁ ୧୩୩୬୫ଟି ବାଲାଟ ୟୁନିଟ୍‌, ୧୩୫୧୮ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୧୪୬୦୪ଟି ଭିଭିପାଟ୍‌ କମିଶନିଂ ହୋଇଛି ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧା ବିଜେଡି ଜନସମାବେଶରେ ସାଂସଦ ଅପରାଜିତାଙ୍କ ମୁଖା ଖୋଲି ଦେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଆଜି ବିଜେଡି ତରଫରୁ ଖୋର୍ଦ୍ଧାର ହାବେଳି ପଡିଆରେ ଆୟୋଜିତ ହୋଇଥିଲା ବିରାଟ ଜନସମାବେଶ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ନିବେଦନ କରିଥିଲେ। ତେବେ ଏହି ସମାବେଶରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମୁଖା ଖୋଲି ଦେଇଥିଲେ।

ଏହି ଜନସମାବେଶରେ ପାଣ୍ଡିଆନ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ତୀବ୍ର ଆକ୍ରମଣ କରିଥିଲେ। ସେ କହିଥିଲେ ଯେ, ଆଜି ସାଂସଦ ବିଭିନ୍ନ ଖବର କାଗଜରେ ତାଙ୍କର ରିପୋର୍ଟ କାର୍ଡର ଲିଫଲେଟ ପ୍ରଦାନ କରିଛନ୍ତି। ତାହାକୁ ଦେଖିଲେ ବଡ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଏଥିରେ ପ୍ରଥମେ ଲେଖାଯାଇଛି ଯେ, ଜାତୀୟ ରାଜପଥ ନିର୍ମାଣରେ ୬ ହଜାର ୪୦୦ କୋଟି ଟଙ୍କା ଆସିଛି। ତେବେ ଏଥିରେ ସାଂସଦଙ୍କ ଭୂମିକା କଣ ବୋଲି ହସିହସି ପାଣ୍ଡିଆନ ଲୋକଙ୍କୁ କହିଥିଲେ।

ସେ କହିଥିଲେ ଯେ, ଜାତୀୟ ରାଜପଥ ପାଇଁ କେନ୍ଦ୍ର ସରକାର ପଇସା ଦେଉଛନ୍ତି, ସେ ସାଂସଦ ନ ଥିଲେ ମଧ୍ୟ ଆସିଥାଆନ୍ତା। ହେଲେ ଏହା ସାଂସଦଙ୍କ ସଫଳତା କିପରି ହେଲା ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ। ସେହିପରି ସେ କହିଥିଲେ ଯେ, ଆପଣଙ୍କର ସାଂସଦ କଳିଙ୍ଗ ଷ୍ଟାଡିୟମରେ ଏକ ଫୁଟ ୱେ ବ୍ରିଜ କରିଛନ୍ତି। ଆପଣ ଏବେ ଯାଆନ୍ତୁ ସେଥିରେ କେହି ଯାଉ ନାହାଁନ୍ତି। ସେହିପରି ସେ ସେଥିରେ ଲେଖିଛନ୍ତି ଯେ ସେ କେତେକ ସ୍ଥାନରେ ଲାଇଟ ଲଗାଇଛନ୍ତି। ମନ୍ଦିରକୁ ୱାଟର କୁଲର ଦେଇଛନ୍ତି। ଏହା କଣ ସାଂସଦଙ୍କ ସଫଳତା କି ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ।

ଆପଣଙ୍କ ସାଂସଦ ପୂର୍ବରୁ ଆଇଏଏସ ଥିଲେ, ଖୋର୍ଦ୍ଧାର ଜିଲ୍ଲାପାଳ ଥିଲେ, ବିଏମସି କମିଶନର ଥିଲେ। ସେ କଣ ଜାଣନ୍ତି ନାହିଁ କି ଜଣେ ସାଂସଦର କାମ କଣ। ବର୍ତ୍ତମାନ ଗତ ପାଞ୍ଚ ବର୍ଷରେ ସାଂସଦ ଯେତିକି କାମ କରିଛନ୍ତି ତାହା ଆମର ସରପଞ୍ଚମାନେ ସେତିକି କରିପାରୁଛନ୍ତି ବୋଲି ପାଣ୍ଡିଆନ ଲୋକଙ୍କୁ କହିଥିଲେ। ରାସ୍ତାରେ ଲାଇଟ ଲଗାଇବା, ମନ୍ଦିରକୁ ୱାଟର ଫିଲଟର ଦେବା ପାଇଁ କଣ ଆପଣଙ୍କୁ ଲୋକେ ସାଂସଦ କରିଥିଲେ କି ବୋଲି ପଣ୍ଡିଆନ କହିଥିଲେ।

ଭୁବନେଶ୍ୱର ସାଂସଦ ଭାବେ ସହରକୁ ମେଟ୍ରୋ ଆଣିବା, ରିଙ୍ଗ ରୋଡ଼ କରି ଆଖପାଖ ଅଞ୍ଚଳକୁ ଭୁବନେଶ୍ୱର ସହିତ ଯୋଡ଼ିବା, ଏହାଦ୍ୱାରା ଭୁବନେଶ୍ୱର ସହିତ ପାରିପାର୍ଶ୍ୱିକ ଅଞ୍ଚଳ
ଯଥା – ଖୋର୍ଦ୍ଧା, ବେଗୁନିଆ, ଜଟଣୀ ଆଦି ଅଞ୍ଚଳର ମଧ୍ୟ ଉନ୍ନତି ହୋଇପାରିବ।ଭୁବନେଶ୍ୱରର ଅଭିବୃଦ୍ଧି ସମ୍ଭାବନାକୁ ବଢ଼ାଇବା ହେଉଛି ତାଙ୍କ କାମ, କିନ୍ତୁ ସେ ଛୋଟ ଛୋଟ କାମରେ ଲାଗିଛନ୍ତି। ଭୋପାଲ, ବେଙ୍ଗାଲୁରୁ ଓ ଜୟପୁରରେ ରାଜଧାନୀ ଅଞ୍ଚଳର ବିଜେପି ସାଂସଦମାନେ ସେମାନଙ୍କ ଅଞ୍ଚଳ ପାଇଁ ବଡ଼ ବଡ଼ ପ୍ରୋଜେକ୍ଟ ଆଣିପାରିଛନ୍ତି। ହେଲେ ଭୁବନେଶ୍ବର ସାଂସଦ ତାହା କରିପାରି ନାହାଁନ୍ତି।

ସେ କହିଥିଲେ ଯେ, ସାଂସଦ ଭାବେ ଆମର ଆଶା ଥିଲା ସେ ଭୁବନେଶ୍ୱର ପାଇଁ ଆଇଟି ପାର୍କ, ସଫ୍ଟୱାୟର ପାର୍କ, ସି ଫୁଡ ପାର୍କ, ମାନ୍ୟୁଫାକଚରିଂ ପାର୍କ, ଟେକ୍ସଟାଇଲ ପାର୍କ ଆଦି ଅନେକ ଶିଳ୍ପ ଆଣିବେ। ସାଂସଦ ଭାବେ ଯୁବଗୋଷ୍ଠୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତାଙ୍କର କର୍ତ୍ତବ୍ୟ। କିନ୍ତୁ ଆପଣଙ୍କ ସାଂସଦ ଆପଣଙ୍କ ପାଇଁ କ’ଣ କରିଛନ୍ତି ତାହା ଜଣାପଡ଼ୁନାହିଁ  ନାହିଁ ବୋଲି ପାଣ୍ଡିଆନ କହିଥିଲେ। ଏହାପରେ ସେ ରାଜ୍ୟ ସରକାର ଭୁବନେଶ୍ବର ପାଇଁ ଯାହା ଯାହା କରିଛନ୍ତି ତାହାର ହିସାବ ଦେଇଥିଲେ।

ପାଣ୍ଡିଆନଙ୍କ ସାଂସଦ ଅପରାଜିତାଙ୍କ ଏପରି ମୁଖ୍ୟା ଖୋଲିବା ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ତାମିଲନାଡୁ ଲୋକ କଣ ଚୋର ? ରତ୍ନ ଭଣ୍ଡାର ଚାବି ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ନୂଆଦିଲ୍ଲୀ: ରତ୍ନ ଭଣ୍ଡାର ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ ଦୃଢ ନିନ୍ଦା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ କଣ ପାଇଁ ଚୋରୀ ହୋଇଥିବା ରତ୍ନ ଭଣ୍ଡାରର ଚାବି ତାମିଲନାଡୁରେ ଅଛି ବୋଲି କହିଲେ। ତାହା ହେଲେ  ତାମିଲନାଡୁ ଲୋକେ କଣ ଚୋର ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ। ଦୟାକରି ପ୍ରଧାନମନ୍ତ୍ରୀ ତାମିଲ ବିରୋଧୀ ମନ୍ତବ୍ୟରୁ ଦୂରେଇ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ କହିଛନ୍ତି।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡିଶାର ଏକ ନିର୍ବାଚନ ସଭାରେ କହିଛନ୍ତି ଯେ, ଚୋରୀ ହୋଇଥିବା ପ୍ରଭୃ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ ଅଛି। ଏହାର ଅର୍ଥ ସେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ସହିତ ତାମିଲନାଡୁ ଲୋକଙ୍କୁ ଆଘାତ କରିଛନ୍ତି। ଜଣେ ପ୍ରଧାନମନ୍ତ୍ରୀ ଭାବେ ଏପରି କହିବା ଠିକ ନୁହେଁ ବୋଲି ଷ୍ଟାଲିନ କହିଛନ୍ତି। ବିଜେପି କର୍ମିଙ୍କୁ ଉତ୍ସାହିତ କରିବା ପାଇଁ ତାମିଲନାଡୁ ଲୋକଙ୍କୁ ଅପମାନିତ କରିବା ଠିକ ନୁହେଁ।

ପ୍ରଧାନମନ୍ତ୍ରୀ କାହିଁକି ତାମିଲଙ୍କ ପ୍ରତି ଏତେ ଘୃଣାଭାବ ପୋଷଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଷ୍ଟାଲିନ। ସେ କହିଛନ୍ତି ଯେ ତାମିଲନାଡୁ ଗସ୍ତ ସମୟରେ ତାମିଲ ଭାଷା ଏବଂ ତାମିଲଙ୍କ ବୁଦ୍ଧି ବିଷୟରେ ଶ୍ରୀ ମୋଦୀ ଉଚ୍ଚକୋଟୀର ପ୍ରଶଂସା କରୁଛନ୍ତି। ହେଲେ ବାହାର ରାଜ୍ୟରେ କିନ୍ତୁ ତାମିଲଙ୍କୁ ଚୋର ଭାବରେ ଚିତ୍ରଣ କରୁଛନ୍ତି। ସେ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଓଡିଶାରେ ଏପରି ତାମିଲ ବିରୋଧୀ ଭାଷଣ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଦୟାକରି ଏପରି ଡବଲ ଷ୍ଟାଣ୍ଡାର୍ଡ ଗୁଣ ପରିତ୍ୟାଗ କରନ୍ତୁ ବୋଲି ଶ୍ରୀ ଷ୍ଟାଲିନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ, ପ୍ରଥମେ ପ୍ରଭୃ ଜଗନ୍ନାଥଙ୍କୁ କଲେ ଦର୍ଶନ

ପୁରୀ: ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରେ ଏକ ବିଶାଳ ରୋଡ ସୋ କରିଛନ୍ତି। ସେ ଶ୍ରୀମନ୍ଦିରରୁ ବାହାରି ମେଡିକାଲ ଛକ ପର୍ଯ୍ୟନ୍ତ ବିଶାଳ ଜନସମାବେଶକୁ ହାତ ହଲାଇ ପଦ୍ମଫୁଲରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ଏକ ସୁସଜ୍ଜିତ ଗାଡିରେ ମୋଦୀଙ୍କ ସହିତ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଏବଂ ସଭାପତି ମନମୋହନ ସାମଲ ସାଥୀରେ ଅଛନ୍ତି।

ବଡଦାଣ୍ଡର ଦୁଇପଟେ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଦେଖିବା ପାଇଁ ସମାଗମ ହୋଇଛି। ଏଥିସହିତ ବିଭିନ୍ନ ସ୍ଥାନରେ ମଞ୍ଚ କରାଯାଇ ପୁରୀ ଲୋକସଭା କ୍ଷେତ୍ରରେ ଥିବା ବିଜେପି ବିଧାୟକ ପ୍ରାର୍ଥୀମାନେ ଛିଡା ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଓଡିଶୀ ନୃତ୍ୟ ସହିତ ପଶୁନୃତ୍ୟ ପ୍ରଭୃତିର ଆୟୋଜନ କରାଯାଇଛି।

ଆଜି ସକାଳେ ପ୍ରଧାନମନ୍ତ୍ରୀ ପୁରୀରେ ପହଞ୍ଚିବା ପରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜୀୟୁଙ୍କ ଦର୍ଶନ କରିଥିଲେ। ସେହି ସମୟରେ ତାଙ୍କ ସହିତ ଥିଲେ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ପୁରୀ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଏବଂ ସେବାୟତମାନେ। ମୋଦୀ ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କ ଦର୍ଶନ କରିବା ସହିତ ମନ୍ଦିର ପ୍ରଦୀକ୍ଷଣ କରିଥିଲେ। ଏହାପରେ ସେ ରୋଡ ସୋ ରେ ସାମିଲ ହୋଇଥିଲେ। ଏହାପରେ ମୋଦୀ ଅନୁଗୁଳ ଏବଂ କଟକ ଜନସଭାରେ ଯୋଗଦେଇ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବରଗଡରେ ଶାଢୀ ବାଣ୍ଟୁଛି ବିଜେପି, ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲା ବିଜେଡି

ଭୁବନେଶ୍ବର: ବିଜେପି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଛି ବିଜେଡି। ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀ ଭୋଟରଙ୍କୁ ଶାଢୀ ବାଣ୍ଟୁଥିବାର ଅଭିଯୋଗ କରିଛି ବିଜେଡି। ଏ ନେଇ ବିଜେଡି ତରଫରୁ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି।

ଏଥିରେ କୁହାଯାଇଛି ଯେ, ବରଗଡରେ ସୋମବାରରେ ନିର୍ବାଚନ ପାଇଁ ବର୍ତ୍ତମାନ ପ୍ରଚାର ବନ୍ଦ ଅଛି। ହେଲେ ଏହି ନିରବ ସମୟରେ ବିଜେପି କର୍ମୀ ଭୋଟରଙ୍କୁ ଶାଢୀ ବାଣ୍ଟୁଥିବାର ପ୍ରମାଣ ମିଳିଛି। ଏହା ନିର୍ବାଚନ ଆଚରଣ ବିଧିର ସଂପୂର୍ଣ୍ଣ ଉଲ୍ଲଘନ ବୋଲି ବିଜେଡି କହିଛି। ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉ ବୋଲି ଦଳ ଦାବୀ କରିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଶେଷରେ ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାସ, ଜାଣନ୍ତୁ କେଉଁ ଦଳକୁ ଯିବେ

ଭୁବନେଶ୍ବର: ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଂଜନ ଦାସ। ସେ ଆଜି ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ମୋ ଉପରେ ମୋର ନେତାଙ୍କ ଆସ୍ଥା ରହିଲା ନାହିଁ। ସେଥିପାଇଁ ସେହି ଦଳରେ ଆଉ ରହିବା ଉଚିତ ମନେକଲି ନାହିଁ। ସେଥିପାଇଁ ଇସ୍ତଫା ଦେଲି ବୋଲି କହିଛନ୍ତି ସମୀର।

ସମୀର ଦାସ ତିନିଥର ନିମାପଡାରୁ ବିଧାୟକ ଭାବେ ନିର୍ବାଚନତ ହୋଇଛନ୍ତି। ସେ ପ୍ରଥମ ୨୦୦୯ ପରେ ୨୦୧୪ ଏବଂ ଶେଷରେ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ହେଲେ ବିଜେଡି ଏଥର ସମୀର ରଞ୍ଜନ ଦାସଙ୍କ ଟିକେଟ୍ ଦେଇ ନ ଥିଲା। ତାଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କ ଦଳ ଲଢିବାକୁ ସୁଯୋଗ ଦେଇଛି। ଯାହାକୁ ନେଇ ସମୀର ଅସନ୍ତୁଷ୍ଟ ଥିଲେ। ତେବେ ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶାର ୫ ଲୋକସଭା ୩୫ଟି ବିଧାନସଭାରେ ହେବ ନିର୍ବାଚନ, ଗତଥର ବାଜି ମାରିଥିଲା ବିଜେଡି

ଭୁବନେଶ୍ବର: ଆସନ୍ତାକାଲି ଦେଶର ପଞ୍ଚମ ପର୍ଯ୍ୟାୟ ଏବଂ ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ଓଡିଶାର ୫ ଗୋଟି ସଂସଦୀୟ କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ପାଞ୍ଚୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ।

ତେବେ ଏହି ନିର୍ବାଚନରେ କିଏ କେତେ ଆସନ ହାସଲ କରିବ ଭିନ୍ନ କଥା। ହେଲେ ଗତଥର ଏହିସବୁ ଆସନରେ ବିଜେଡି ବାଜିମାତ କରିଥିଲା। ନିର୍ବାଚନ ହେବାକୁ ଥିବା ଏହି ୩୫ଟି ବିଧାନସଭାରେ ବିଜେଡି ଏକାକୀ ୨୬ ଟି ଆସନରେ ଜିତିଥିବା ବେଳେ ବିଜେପି କଂଗ୍ରେସ ୪ଟି ଲେଖାଏଁ ଆସନରେ ଜିତିଥିଲେ। ବିଜେପି ତଲସରା, ଲୋଇସିଂହା, ସୁନ୍ଦରଗଡ ଏବଂ  ବୀରମିତ୍ରପୁରରେ ଜିତିଥିଲା। ସେହିପରି ଗତ ନିର୍ବାଚନରେ କଂଗ୍ରେସ ରାଜଗାଙ୍ଗପୁର, ବଲାଙ୍ଗିରୀ, କଣ୍ଟାବାଞ୍ଜୀ ଏବଂ ସାନଖେମୁଣ୍ଡି ଆସନରେ ବିଜୟ ଲାଭ କରିଥିଲା। ଏକମାତ୍ର ବଣେଇ ଆସନଟି ସିପିଆଇଏମ ଜିତିଥିଲା।

ନିର୍ବାଚନ ହେବାକୁ ଯାଉଥିବା ୫ ଗୋଟି ଲୋକସଭା ଆସନ ମଧ୍ୟରୁ ଗତ ନିର୍ବାଚନରେ ବିଜେଡି ଦୁଇଟି ଆସନରେ ବିଜୟ ଲାଭ କରିଥିଲା। ସେଦୁଇଟି ହେଲା କନ୍ଧମାଳ ଆସ୍କା। ସୁନ୍ଦରଗଡ, ବଲାଙ୍ଗୀର, ବରଗଡରେ ବିଜେପି ବିଜୟଲାଭ କରିଥିଲା।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଲା ପାଣ୍ଡିଆନଙ୍କ ଫଳାଫଳ, ବିଜେଡିକୁ ମିଳିବ ଏତିକି ଆସନ

ଭୁବନେଶ୍ବର: ଗତକାଲି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ 4ଟି ଲୋକସଭା ଏବଂ 28ଟି ବିଧାନସଭାରେ ନିର୍ବାଚନ ହୋଇଛି। ତେବେ ଭୋଟ ଗ୍ରହଣ ପରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ଚାଲିଛି ଅଙ୍କକଷା। ଏହା ଭିତରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଫଳାଫଳକୁ ନେଇ ଆସିଛି ଏକ ତଥ୍ୟ। ଏଥିରେ ସେ ଲୋକସଭା ଏବଂ ବିଧାନସଭାରେ ବିଜେଡି କେତେ ସିଟ ପାଇବ ତାହା କହିଛନ୍ତି।

ପାଣ୍ଡିଆନଙ୍କ ତଥ୍ୟ ଅନୁସାରେ ଓଡିଶାରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ 4ଟି ଲୋକସଭା ଆସନରୁ ବିଜେଡି ସବୁ ଆସନରେ ବିଜୟଲାଭ କରିବ। ସେହିପରି 28ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି 24 ଆସନରେ ବିଜୟଲାଭ କରିବ ବୋଲି ସେ କହିଛନ୍ତି। ବାକି ଚାରିଟି ଆସନ ମଧ୍ୟରୁ ବିଜେପି 2 ଏବଂ କଂଗ୍ରେସ 2 ଟି ଆସନ ପାଇବ ବୋଲି କୁହାଯାଇଛି।

ସେ କହିଛନ୍ତି ଯେ, ଗତ ନିର୍ବାଚନରେ ଆମେ ଏହି ୨୮ ଆସନରୁ ୨୦ ଆସନ ଜିତିଥିଲୁ କିନ୍ତୁ ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲହରି ଅଛି, ତେଣୁ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଚୟନ କରିବେ । ଏଣୁ ଏଥର ୨୮ ଆସନରୁ ୨୪ରୁ ଅଧିକ ଆସନ ବିଜେଡି ଜିତିବ। ଲୋକସଭା ନିର୍ବାଚନରେ ଆମେ ଗତ ଥର ଅପେକ୍ଷା ବହୁ ଭଲ କରିବୁ ବୋଲି ପାଣ୍ଡିଆନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶାର ପ୍ରଥମ ନିର୍ବାଚନ, ୭୩୦୦ ଟି ମତଦାନ କେନ୍ଦ୍ରରେ ପହଞ୍ଚିଲେଣି ପୁଲିଂ ଅଧିକାରୀ

ଭୁବନେଶ୍ବର: ଆସନ୍ତାକାଲି ଓଡିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ। ଯେଉଁ ୪ଟି ଲୋକସଭାରେ ନିର୍ବାଚନ ହେବ ସେଗୁଡିକ ହେଲା କୋରାପୁଟ, ନବରଂଗପୁର, କଳାହାଣ୍ଡି ଏବଂ ବ୍ରହ୍ମପୁର।

ରାଜ୍ୟରେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅତିରିକ୍ତ କେନ୍ଦ୍ରକୁ ମିଶାଇ ମୋଟି ୭୩୦୩ ମତଦାନ କେନ୍ଦ୍ର କରାଯାଇଛି। ସେଥି ମଧ୍ୟରୁ ୭୪୮ଟି ସହରାଞ୍ଚଳ ଓ ୬୫୫୫ଟି ଗ୍ରାମାଞ୍ଚଳରେ ରହିଛି । ଏହା ମଧ୍ୟରେ ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ଏବଂ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର’ ରହିଛି ।

ଏହି ପର୍ଯ୍ୟାୟରେ ମୋଟ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍‌ ବୁଥ୍‌) ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ ୫୩୦୦୦ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସର୍ବମୋଟ ୭୩୦୩ଟି ବୁଥ୍‌ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ। ଏହି ମତଦାନ କେନ୍ଦ୍ରଗୁଡିକରେ ବର୍ତ୍ତମାନ ପୁଲିଂ ଅଧିକାରୀ ପହଞ୍ଚିବାରେ ଲାଗିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ, ରାସ୍ତାରେ ହଜାର ହଜାର ଲୋକେ କରୁଛନ୍ତି ସ୍ବାଗତ

ଭୁବନେଶ୍ବର: ଶେଷରେ ବହୁ ପ୍ରତୀକ୍ଷିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ ଭୁବନେଶ୍ବରରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ରାମମନ୍ଦିର ଛକରେ ଥିବା ବିଜେପି କାର୍ଯ୍ୟାଳୟରୁ ଏକ ସୁସଜ୍ଜିତ କାରରେ ଏହି ରୋଡ ସୋ ଆରମ୍ଭ କରିଛନ୍ତି। ତାଙ୍କ ସହିତ ଗାଡିରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ।

ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ରାତି 8 ଟା 30 ରେ ପହଞ୍ଚିଥିଲେ। ସେଠାରୁ ସିଧା କାରକେଡରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ନିକଟକୁ ଆସିଥିଲେ। ସେଠାରେ ତାଙ୍କୁ ସଭାପତି ସାମଲ, ଅପରାଜିତା ଷଡଙ୍ଗୀ ଏବଂ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ପ୍ରାର୍ଥୀ ସ୍ବାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ବିଜେପି କାର୍ଯ୍ୟାଳୟ ପହଞ୍ଚିବା ପୂର୍ବରୁ ତାଙ୍କ ରୋଡ ସୋ ଆଗରେ ଶହେ ମହିଳା ଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଗାଡିରେ ଛିଡା ହେବା ପରେ ମହିଳାମାନେ ଆଗେ ଆଗେ ଚାଲି ଚାଲିଯାଇଥିଲେ। ତାଙ୍କ ପଛରେ ଅନ୍ୟ ନେତାମାନେ ଯାଉଥିବାର ପରିଲକ୍ଷିତ ହୋଇଛି। ମୋଦୀ ବାଣୀବିହାର ପର୍ଯ୍ୟନ୍ତ ଏହି ରୋଡ ସୋ ରେ ଯିବେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅକ୍ଷୟ ତୃତୀୟାରେ ଧାନ ବୁଣିଲେ, ହଳ କଲେ ଖୋର୍ଦ୍ଧା କଂଗ୍ରେସ ପ୍ରାର୍ଥୀ ସୋନାଲୀ ସାହୁ

ଖୋର୍ଦ୍ଧା: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଚାଷୀ ପୁଅ ଅକ୍ଷୀ ମୁଠି ଅନୁକୂଳ କରିଥାଏ। ଅର୍ଥାତ ବର୍ଷା ଋତୁ ଆସୁଥିବାରୁ ଅକ୍ଷୟ ତୃତୀୟା ଦିନ ବୁଣାବୁଣି କାମ ଆରମ୍ଭ ହୋଇଥାଏ। ଏହା ଓଡିଶାରେ ବେଶ ପ୍ରାଚୀନ ପରଂପରା। ଏହିଦିନ ଚଷା ପୁଅ ନୂଆ ବସ୍ତ୍ର ପରିଧାନ କରି ବିଲରେ ପୂଜାପାଠ କରି ଲିପାପୋଛା ହୋଇଥିବା ଗଉଣୀରେ ଧାନ ବୁଣିଥାଏ। ହଳ ମଧ୍ୟ କରିଥାଏ।

ତେବେ ଏଥର ଏହି ପବିତ୍ର ଦିନଟି ନିର୍ବାଚନ ଋତୁରେ ପଡଥିବାରୁ ରାଜନୈତିକ ନେତାମାନେ ଏହାକୁ ହାତ ଛଡା କରି ନାହାଁନ୍ତି। ସେମାନେ ମଧ୍ୟ ସେମାନଙ୍କର ସମର୍ଥକଙ୍କ ଗହଣରେ ବିଲକୁ ଯାଇ ମୁଠି ଅନୁକୂଳ କରିଛନ୍ତି। ଠିକ ସେହିପରି ଖୋର୍ଦ୍ଧା ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସୋନାଲୀ ସାହୁ ମଧ୍ୟ ଚାଷୀଙ୍କ ପରି ମୁଠି ଅନୁକୂଳ କରିଛନ୍ତି।

ଆଜି ସକାଳୁ ଖୋର୍ଦ୍ଧାର ଲେଣ୍ଡୁ ପଞ୍ଚାୟତରେ ସେ ନିଜ ସମର୍ଥକଙ୍କ ଗହଣରେ ମୁଠି ଅନୁକୂଳ କରିଛନ୍ତି। ସୋନାଲି ବିଲରେ ପୂଜାପାଠ ପରେ ଗଉଣୀ ଧରି ଧାନ ବୁଣିଛନ୍ତି। ସେହିପରି ସେ ସାଥୀମାନଙ୍କ ସହିତ ହଳ କରିବା ଏବଂ ଟ୍ରାକ୍ଟର ଚଳାଇ ଏହି ମହାନ ପରଂପରାକୁ ପାଳନ କରିଛନ୍ତି। ଝିଅ ହୋଇ ସୋନାଲିଙ୍କର ଏହି ଉଦ୍ୟମକୁ ସେଠାକାର ଲୋକେ ବେଶ ପସନ୍ଦ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ମତଦାନରେ କେତେ ଅଛନ୍ତି ଭୋଟର, କେତୋଟି ମତଦାନ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ (ଦେଶରେ ସାମୂହିକ ଭାବରେ ସପ୍ତମ ପର୍ଯ୍ୟାୟ) ମତଦାନ ପ୍ରକ୍ରିୟା ପାଇଁ ଆନୁଷ୍ଠାନିକ ଭାବରେ ତା. ୦୭/୦୫/୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏହି ପର୍ଯ୍ୟାୟରେ ମୟୂରଭଞ୍ଜ (ଏସ୍‌.ଟି.), ବାଲେଶ୍ୱର, ଭଦ୍ରକ (ଏସ୍‌.ସି.), ଯାଜପୁର (ଏସ୍‌.ସି.), କେନ୍ଦ୍ରାପଡ଼ା ଓ ଜଗତସିଂହପୁର (ଏସ୍‌.ସି.) ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ର ପାଇଁ ମତଦାନ ପ୍ରକ୍ରିୟା ହେବ। ଏସବୁ ପାଇଁ ୧୪ ମଇ ୨୦୨୪ (ମଙ୍ଗଳବାର) ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ମଇ ୧୫ରେ ନାମାଙ୍କନ ପତ୍ର ଯାଞ୍ଚ, ମଇ ୧୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଓ ଜୁନ୍‌ ୧ରେ ମତଦାନ ତାରିଖ ରହିଅଛି ।

ଏହି ଛଅଗୋଟି ସଂସଦୀୟ କ୍ଷେତ୍ର ଅଧିନରେ ଅନ୍ୟ ପର୍ଯ୍ୟାୟ ତୁଳନାରେ ସର୍ବାଧିକ ମତଦାତା, ଯୁବ ମତଦାତା ଓ ସର୍ବାଧିକ ମତଦାନ କେନ୍ଦ୍ର ରହିଅଛି । ଉକ୍ତ ପର୍ଯ୍ୟାୟରେ ସର୍ବମୋଟ ୯୯୫୫୫୫୬ (ପୁରୁଷ-୫୦୮୫୫୩୮, ମହିଳା-୪୮୬୯୩୩୧, ତୃତୀୟ ଲିଙ୍ଗ-୬୮୭) ଜଣ ମତଦାତା ୧୦୮୫୭ଟି ମତଦାନ କେନ୍ଦ୍ରରେ ମତଦାନ କରିବେ । ଏଠାରେ ୨୫ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ଏହି ପର୍ଯ୍ୟାୟରେ ମୋଟ ୨୫୬୦୦୭ ପ୍ରଥମ ଥର ମତଦାତା (୧୮-୧୯ ବର୍ଷ), ୨୦୪୮୭୦୫ ଯୁବ ମତଦାତା (୨୦-୨୯ ବର୍ଷ) ରହିଛନ୍ତି । ଏହି ପର୍ଯ୍ୟାୟରେ ସର୍ବମୋଟ ମତଦାତା ଲିଙ୍ଗ ଅନୁପାତ ୯୫୭ ରହିଅଛି।

ଏହି ଛଅଗୋଟି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରୁ ସି-ଭିଜିଲ୍‌ ମାଧ୍ୟମରେ ୦୧/୦୩/୨୦୨୪ରୁ ୦୬/୦୫/୨୦୨୪ ମଧ୍ୟରେ ୨୪୦୮ ଗୋଟି ଅଭିଯୋଗ ପ୍ରାପ୍ତ ହୋଇଥିବାବେଳେ ୨୪୦୧ ଗୋଟି ଅଭିଯୋଗ ପାଇଁ ବିଧି ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇସାରିଛି । ୦୧ ମାର୍ଚ୍ଚ ୨୦୨୪ରୁ ୦୬ ମଇ ୨୦୨୪ ପର୍ଯ୍ୟନ୍ତ ମୋଟ ୨୭୯୩ ଲକ୍ଷ ଟଙ୍କାର ସାମଗ୍ରୀ ଓ ଟଙ୍କା ଜବତ କରାଯାଇସାରିଛି ।

ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇସାରିଛି ଏବଂ ପ୍ରତିଟି ବୁଥ୍‌ରେ ମୁକ୍ତ, ଅବାଧ, ସ୍ୱଚ୍ଛ ନିର୍ବାଚନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚିତ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସମସ୍ତ ମତଦାତା ମତଦାନ କରି ନିଜ ନିଜର ଗଣତାନ୍ତ୍ରିକ କର୍ତ୍ତବ୍ୟ ନିର୍ବାହ କରିବା ସହ ଆମ ଦେଶର ସର୍ବବୃହତ ଗଣତାନ୍ତ୍ରିକ ମହାପର୍ବରେ ଅଂଶୀଦାର ହେବା ପାଇଁ ସେ ନିବେଦନ କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରେ ନିର୍ବାଚନ ପୂର୍ବରୁ ପୋଲିସର ଫ୍ଲାଗ ମାର୍ଚ୍ଚ, ଆଇନ ଶୃଙ୍ଖଳା ପ୍ରତି କଡା ନଜର

ଚିଲିକା : ଖୋର୍ଦ୍ଧା ଜିଲ୍ଲାରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଆକ୍ସନ ମୋଡ଼ରେ ରହିଛି ଜିଲ୍ଲା ପୋଲିସ। ଏସପି ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ସଜାଗ ରହିଛି ପୋଲିସ। ଏହି ପରିପ୍ରେକ୍ଷୀରେ ଏସପିଙ୍କ ନିର୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନ ରେ ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ଥାନା ଅଞ୍ଚଳରେ ଜାରି ରହିଛି କଡ଼ା ପାଟ୍ରୋଲିଂ।

ଆଜି ଦିନତମାମ ଆଇଆଇସି ଶ୍ରୀ ଦେବତାଙ୍କ ନେତୃତ୍ୱରେ ବାଣପୁର ଥାନାର ସମସ୍ତ ପୋଲିସ କର୍ମଚାରୀ ଏବଂ ଏକ ପ୍ଲାଟୁନ ସିଏପିଏଫ ଦ୍ୱାରା ଥାନା ଅଞ୍ଚଳର ବହୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ବିଶେଷ କରି ବାଣପୁର ଏନଏସି, ଭେଟେଶ୍ୱର, ଭୀମପୁର, ସାନ ହନ୍ତୁଆଡ଼, ବାଁଳେଇ, ସାନ ସିରେଇପୁର ଆଦି ଗ୍ରାମରେ ଉକ୍ତ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି।

ଆଗାମୀ ସାଧାରଣ ନିର୍ବାଚନ କିପରି ଅବାଧ, ନିରପେକ୍ଷ ଓ ଭୟମୁକ୍ତ ଭାବେ ପରିଚାଳିତ ହେବ ତାହାକୁ ଗୁରୁତ୍ୱ ଦେଇଛନ୍ତି ଏସପି। ଏହି ପରିପ୍ରେକ୍ଷୀରେ ବାଣପୁର ଥାନାଧିକାରୀ ଆଜି ଦିନ ତମାମ ସହର ଏବଂ ଗ୍ରାମାଞ୍ଚଳ ରେ ଡାକବାଜି ଯନ୍ତ୍ର ଦ୍ୱାରା ନାଗରିକ ମାନଙ୍କ ମନୋବଳ ବଢାଇବା ସହ ନିର୍ଭୟରେ ମତଦାନ କରିବା ପାଇଁ ଅନୁରୋଧ କରିଥିଲେ।

ବାଣପୁର ପୋଲିସ ସଦାସର୍ବଦା ଜନସାଧାରଣଙ୍କ ସହ ଅଛି ଏବଂ ଯଦି କୌଣସି ବ୍ୟକ୍ତି ବିଶେଷ ଥାନାଧିକାରୀଙ୍କ ସହାୟତା ଲୋଡିବାକୁ ଚାହୁଁଛନ୍ତି ଅବା ସୂଚନା ଦେବାକୁ ଚାହୁଁଛନ୍ତି ତେବେ ସେ ନିର୍ଦ୍ବନ୍ଦରେ ଥାନାଧିକାରୀଙ୍କୁ ଭେଟିପାରିବେ ବୋଲି ଆଇଆଇସି ଶ୍ରୀ ଦେବତା କହିଛନ୍ତି। ତେବେ ଏହି ଫ୍ଲାଗ ମାର୍ଚ୍ଚ ଓ ପାଟ୍ରୋଲିଙ୍ଗ ଦ୍ୱାରା ଦ୍ୱାରା ବାଣପୁର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଭୋଟରଙ୍କ ମନରେ ସକାରାତ୍ମକ ପ୍ରଭାବ ପଡିଥିବା ଅନୁମେୟ ହେଉଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ପ୍ରଚାର ସମୟରେ ଅସୁସ୍ଥ ହେଲେ ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ନେବେ ବିଶ୍ରାମ

ଭୁବନେଶ୍ବର: ବର୍ତ୍ତମାନ ଓଡିଶାର ଯେଉଁ କେତୋଟି ଲୋକସଭା ନିର୍ବାଚନ ଟକ୍କର ହେଉଛି ସେଥିମଧ୍ୟରୁ ଗୋଟିଏ ହେଉଛି କେନ୍ଦ୍ରାପଡା। ଏହି ନିର୍ବାଚନ ମଣ୍ଡଳିରେ ବିଜେପିର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କ ସହିତ ମୁକାବିଲା ହେଉଛି ବିଜେଡିର ଅଂଶୁମାନ ମହାନ୍ତିଙ୍କ ସହିତ। ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଅସୁସ୍ଥ ହୋଇଛନ୍ତି।

ପ୍ରଚାର ସମୟରେ ବୈଜୟନ୍ତ ହଠାତ ଆଖିରେ ଯନ୍ତ୍ରଣା ଅନୁଭବ କଲେ। ପରେ ଡାକ୍ତରଙ୍କୁ ଦେଖାଇବା ପରେ ତୁରନ୍ତ ଅପରେସନର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦିଆଗଲା। ସେହି ଅନୁସାରେ ଡାକ୍ତର ବୈଜୟନ୍ତ ପଣ୍ଡା ଆଖିରେ ଅପରେସନ କରିଛନ୍ତି। ସେଥିପାଇଁ ସେ କିଛିଦିନ ବିଶ୍ରାମ କରିବେ ବୋଲି ଡାକ୍ତର କହିଥିବାରୁ ସେ ପ୍ରଚାରରୁ ଦୂରେଇ ରହିବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରୁ ଇସ୍ତଫା ଦେଲେ ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ

ଭୁବନେଶ୍ବର: ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ଆଇଟି ବିଭାଗର ଉପଦେଷ୍ଠା ଅନୁଭବ ପଟ୍ଟନାୟକ। ସେ ଆଜି ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି।

ଆଜି ବିଜେଡି ଖଣ୍ଡପଡାର ପ୍ରାର୍ଥୀ ଘୋଷଣା କରିଛି। ସେଠାରେ ଅନୁଭବ ଆଶାୟୀ ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଇ ନାହିଁ। ତାଙ୍କ ପରିବର୍ତ୍ତେ ନୂଆ ପ୍ରାର୍ଥୀ ସାବିତ୍ରୀ ପ୍ରଧାନଙ୍କୁ ଦଳ ଟିକେଟ ଦେଇଛି। ଏହାର ପ୍ରତିବାଦରେ ଅନୁଭବ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି।

ବିଜେଡିରୁ ଟିକେଟ ପାଇବା ପାଇଁ ଅନୁଭବ ବହୁଥର ନବୀନ ନିବାସ ଆସି ଶୀର୍ଷ ନେତୃତ୍ବଙ୍କ ସହିତ କଥା ହୋଇଛନ୍ତି। ହେଲେ ଶେଷ ମୂହୁର୍ତ୍ତରେ ତାଙ୍କ ଉପରେ ଦଳ ଭରସା କରିପାରି ନାହିଁ। ଗତକାଲି ସେ ଏକ ସେଟ ନାମାଙ୍କନ ପତ୍ର ନେଇଥିବାର ଜଣାଯାଇଛି। ଯେତେଦୂର ଆଶା ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା, ସତ୍ୟବାଦୀରୁ ମନୋଜ ରଥ

ଭୁବନେଶ୍ବର: ଆଜି କଂଗ୍ରେସ ତରଫରୁ ଓଡିଶାର 4ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏ ନେଇ ଏଆଇସିସି ତରଫରୁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ସେହି ତାଲିକା ଅନୁସାରେ ଯେଉଁମାନଙ୍କ ନାମ ଘୋଷଣା ହୋଇଛି ସେମାନେ ହେଲେ

ସତ୍ୟବାଦୀ- ମନୋଜ ରଥ

ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ

ଭୁବନେଶ୍ବର ମଧ୍ୟ- ପ୍ରକାଶ ଚନ୍ଦ୍ର ଜେନା

ଭୁବନେଶ୍ବର ଉତ୍ତର- ଅଶୋକ ଦାସ

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା, କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକ, ସମ୍ବଲପୁର ପ୍ରାର୍ଥୀ ପରିବର୍ତ୍ତନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର 5ମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ଖୋଦ ବିଜେଡି ସଭାପତି ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ। ସେ ହିଞ୍ଜିଳି ସହିତ କଣ୍ଟାବାଞ୍ଜିରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଛି।

ସେହିପରି ସମ୍ବଲପୁର ଓ ରେଢାଖୋଲ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ଏଥିରେ ରେଢାଖୋଲରେ ବିଜେଡି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ସମ୍ବଲପୁର ଆସନରେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି।