ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ କରିବା ସହ ଓଡ଼ିଶାର ପାରମ୍ପରିକ ଓ ଦେଶୀ ଖାଦ୍ୟଶସ୍ୟକୁ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ରେ ପରିଣତ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ଏକ ଆଧୁନିକ “ଚାଉଳ ଏବଂ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା” ପ୍ରତିଷ୍ଠା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଥା ପର୍ଯ୍ୟଟନ ବିଭାଗର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମିଳିତ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ କରାଯାଇଛି। ଏହି ବୈଠକରେ ଫିଲିପାଇନ୍ସସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ନେସେ ଶ୍ରୀନିବାସୁଲୁ, କୃଷି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ୍ ରାମଚନ୍ଦ୍ର ଜାଧବ ଏବଂ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ମାନସୀ ନିମ୍ଭାଲ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।
ପ୍ରସ୍ତାବିତ ଯୋଜନା ଅନୁଯାୟୀ, ୩,୮୪୫ ବର୍ଗ ମିଟର ପରିମିତ ବିଶାଳ ଅଞ୍ଚଳରେ ଏହି ଆଧୁନିକ କାରଖାନା ନିର୍ମାଣ କରାଯିବ। ଏହି ପ୍ରକଳ୍ପଟି କେବଳ ସରକାରୀ ସ୍ତରରେ ସୀମିତ ନରହି ଚାଷୀ, କୃଷକ ଉତ୍ପାଦକ ସଂଗଠନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବେସରକାରୀ ସହଯୋଗୀ ସଂସ୍ଥା ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକର ମିଳିତ ସହଭାଗିତାରେ ପରିଚାଳିତ ହେବ। ଚାଷୀମାନଙ୍କୁ ଉନ୍ନତ ପ୍ରଶିକ୍ଷଣ, ଗୁଣାତ୍ମକ ଦେଶୀ ବିହନ ଯୋଗାଣ ଏବଂ ଉତ୍ପାଦିତ ସାମଗ୍ରୀ ପାଇଁ ସିଧାସଳଖ ବଜାର ସଂଯୋଗ ସୁବିଧା ଯୋଗାଇଦେଇ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ଆଣିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଯୋଜନା ଅଧୀନରେ ରାଜ୍ୟର ୨୯ଟି ସ୍ଥାନୀୟ ଦେଶୀ ଧାନ କିସମର ଗୁଣବତ୍ତା ପରୀକ୍ଷା କରାଯାଇଛି, ଯେଉଁଥିରେ କମ୍ ଶର୍କରା ସ୍ତର ବା ସ୍ୱଳ୍ପ ଗ୍ଲାଇସେମିକ୍ ସୂଚକାଙ୍କ, ଉଚ୍ଚ ପ୍ରୋଟିନ୍, ସୁବାସ ଏବଂ ଉତ୍କୃଷ୍ଟ କୁଟାଣ କ୍ଷମତା ରହିଛି। ବିଶେଷ କରି ସ୍ୱାସ୍ଥ୍ୟକର କମ୍ ଗ୍ଲାଇସେମିକ୍ ସୂଚକାଙ୍କ ଯୁକ୍ତ ଚାଉଳ, ପ୍ରସିଦ୍ଧ କଳାଜିରା ଧାନ ଏବଂ ବୈଦେଶିକ ରପ୍ତାନି ପାଇଁ ସ୍ୱତନ୍ତ୍ର କଳା ଚାଉଳ ପ୍ରକ୍ରିୟାକରଣ ନିମନ୍ତେ କାରଖାନାରେ ନିର୍ଦ୍ଦିଷ୍ଟ ୟୁନିଟ୍ ସ୍ଥାପନ କରାଯିବ। କେବଳ ଚାଉଳ ପ୍ରସେସିଂ ମଧ୍ୟରେ ଏହି ପ୍ରକଳ୍ପ ସୀମାବଦ୍ଧ ନରହି, ଏଥିରେ ବିବିଧ ମାଣ୍ଡିଆ ଚୂଡ଼ା, ମୋଟା ଗବେଷଣାଧୀନ ଚାଉଳ ଚୂଡ଼ା, ଜିରା କୁକିଜ୍ ଏବଂ ବିଭିନ୍ନ ବେକରୀ ସାମଗ୍ରୀ ପ୍ରସ୍ତୁତ କରାଯିବ। ଏହିସବୁ ଉତ୍ପାଦଗୁଡ଼ିକୁ “ସୁଭଦ୍ରା ଶକ୍ତି ବଜାର” ମାଧ୍ୟମରେ ବିକ୍ରି କରାଯିବା ସହ ଦେଶ ଓ ବିଦେଶର ବଜାରକୁ ରପ୍ତାନି କରିବାର ବ୍ୟବସ୍ଥା କରାଯିବ। ଆଧୁନିକ ଶିଳ୍ପ ଭିତ୍ତିଭୂମି ଓ ଗୋଷ୍ଠୀଗତ ସହଭାଗିତାର ଏହି ନୂତନ ପ୍ରୟାସ ଓଡ଼ିଶାର କୃଷି ଉତ୍ପାଦକୁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ଦେବା ସହିତ ସ୍ଥାନୀୟ ଚାଷୀ ଓ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ବଡ଼ ଭୂମିକା ଗ୍ରହଣ କରିବ।


