Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ଚିକିତ୍ସା ପାଇଁ ନବି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଛାଡ଼ କଲେ ଓଡିଶା ସରକାର

ଭୁବନେଶ୍ୱର: କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହୁଣୀ ବାବଦ ୬୧ ଲକ୍ଷ ୫ ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟ ଛାଡ଼ କରାଯାଇଛି।

ଏପ୍ରିଲ୍ ୧୨ ତାରିଖ ୨୦୨୧ ଠାରୁ ନଭେମ୍ବର ୨୭ ତାରିଖ ୨୦୨୧ ପର୍ଯ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ ୮ ଟି ରୁମ୍ ଓ ଗୋଟିଏ ଡର୍ମିଟୋରିରେ ମହାନଗର ନିଗମର ଡାକ୍ତର ଓ ନର୍ସଙ୍କ ମାନେ ଦୀର୍ଘ ୭ ମାସରୁ ଅଧିକ ସମୟ ରହି କୋଭିଡ ଚିକିତ୍ସା କରୁଥିଲେ। ଓଡ଼ିଶା ସରକାର ବର୍ତ୍ତମାନ ଏହା ବାବଦ ଦେୟ ଛାଡ଼ କରିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ ପ୍ରଥମ ଲହରୀ ସମୟରେ ମଧ୍ୟ ନବୀ ମୁମ୍ୱାଇ ମହାନଗର ନିଗମର ୨ କୋଟି ୧୬ ହଜାର ଟଙ୍କା ଛାଡ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ନିୟମିତ ନହଲେ, ଆନ୍ଦୋଳନକୁ ଓହ୍ଲାଇବ ସଂଘ: ରାଜ୍ୟ ସଭାପତି ପଞ୍ଚାନନ

ଭୁବନେଶ୍ବର: ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରାୟ ୪୦୦୦ ହଜାର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ୨୦୧୫ ମସିହା ଜୁନ୍ ମାସରେ ନିଯୁକ୍ତି ଦିଆଯାଇଥିଲା। ୬ ମାସ କାର୍ଯ୍ୟ କରିବାପରେ ଆକସ୍ମିକ ଭାବରେ ତାଙ୍କୁ ପୁଣି ବିନା ଦୋଷରେ ଛଟେଇ କରିଦିଆଗଲା। କୌଣସି ଦୋଷ ନଥାଇ ସରକାର ତାଙ୍କୁ ନିଜ ଦୋଷ ଲୁଚାଇବାକୁ ଯାଇ ଛଟେଇ କଲେ। ଛଟେଇ ହେବା ପରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ରାଜରାସ୍ତାକୁ ଆସି ସରକାରଙ୍କୁ ନିଜର ହକ୍ ମାଗିଥିଲେ।

ପୁନଃ ନିଯୁକ୍ତି ନିମନ୍ତେ ରାଜ ରାସ୍ତାରେ ଦିର୍ଘ ଦିନ ଧରି ବସିବା ପରେ ସରକାର ପୁନଃଶ୍ଚ ୨୦୧୬ ଏପ୍ରେଲ୍ ମାସରେ ନିଯୁକ୍ତି ଦେଲେ। ସେହି ସମୟ ମଧ୍ୟରେ ଶିକ୍ଷକମାନେ ନାନାଦି ଦୁଶ୍ଚିନ୍ତା ମଧ୍ୟରେ ନିଜର ଦିନ କାଟିଥିଲେ। ଯେତେବେଳେ ନିଯୁକ୍ତି ପୁନଃ ପାଇଲେ ଭାବିଥିଲେ ଏବେ ଦୁଃଖ ଗଲା।

କିନ୍ତୁ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଦୁଃଖ କେବେ କମିବା ବଦଳରେ ବଢି ବଢି ଚାଲିଛି। ସରକାରଙ୍କର ନିୟମ ଅନୁସାରେ ଯେଉଁ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସନ୍ତୋଷଜନକ ଭାବେ କାର୍ଯ୍ୟ କରି ୬ ବର୍ଷ ଚାକିରି ସମୟ ପୂରଣ କରିବେ ତାଙ୍କୁ ୬ ବର୍ଷ ପୂରଣ ଦିନଠାରୁ ହିଁ ନିୟମିତ କରାଯିବ ଏବଂ ସମସ୍ତ ସୁବିଧା ସୁଯୋଗ ନିୟମିତ ସରକାରୀ କର୍ମଚାରୀ ଭାବରେ ସେ ପାଇପାରିବେ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ସରକାରୀ ନିୟମକୁ ସରକାର ନିଜେ ହିଁ ଭାଙ୍ଗୁଛନ୍ତି।

୨୦୧୬ ରେ ଛଟେଇ ପରେ ପୁନଃ ନିଯୁକ୍ତି ପାଇଥିବା ପ୍ରାୟ ୪୦୦୦ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ୨୦୨୨ ଅପ୍ରେଲ ମାସରେ ୬ ବର୍ଷ ଚାକିରି ସମୟ ପୂରଣ କରିଥିଲେ ମଧ୍ୟ ସରକାର ସେମାନଙ୍କୁ ନିୟମିତ କରିବାପାଇଁ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିନାହାନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ଠାରୁ ଆରମ୍ଭ କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟଳୟରୁ ମଧ୍ୟ ଏଥିନିମନ୍ତେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ ନକରିବା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ବ୍ୟଥିତ କରିଛି।

ନିୟମିତ ସମୟ ପୂରଣ ହୋଇଥିଲେ ମଧ୍ୟ ସେମାନେ ନିୟମିତ କର୍ମଚାରୀ ଭାବରେ କୌଣସି ସୁବିଧା ସୁଯୋଗ ପାଇପାରୁନାହାନ୍ତି। ଏଥି ନିମନ୍ତେ ରାଜ୍ୟ ସଂଘ ତରଫରୁ ବହୁ ବାର ବିଭାଗୀୟ ମନ୍ତ୍ରୀ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ ବୋଲି ରାଜ୍ୟ ସଂଘର ମହା ସଚିବ ବିଶ୍ୱଜିତ୍ ବିଶ୍ଵାଳ କହିଛନ୍ତି।

ସରକାର ୭ ଦିନ ଭିତରେ ଏହି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ କରିବା ପାଇଁ କୌଣସି ନିଷ୍ପତି/କାର୍ଯ୍ୟପନ୍ଥା ଗ୍ରହଣ ନକଲେ ରାଜ୍ୟ ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଳାଇବ ବୋଲି ରାଜ୍ୟ ସଂଘର ସଭାପତି ପଞ୍ଚାନନ ଜେନା ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି।

ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ସରକାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି କିନ୍ତୁ ସେମାନଙ୍କୁ ତାଙ୍କର ମୌଳିକ ଅଧିକାର ଦେବାରେ ସରକାର ଅବହେଳା କାହିଁକି କରୁଛନ୍ତି ବୋଲି ରାଜ୍ୟ ସଂଘର ସଂପାଦକ ଅର୍ନ୍ତଯ୍ୟାମୀ ବେହେରା, ଅକ୍ଷୟ ସତନାମି, ଦାମୋଦର ମହାନନ୍ଦ, ବିନୋଦ ମିଶ୍ର, ମନୋହର ଦାସ, ପ୍ରତାପ ସାମଲ, ବସନ୍ତ କୌଶଲ୍ୟ, ମାନସ ମିଶ୍ର, ପ୍ରମୁଖ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୃଷକଙ୍କ ପାଇଁ ଖୁସି ଖବର: ଆସନ୍ତାକାଲି କାଳିଆ ଟଙ୍କା ଦେବେ ରାଜ୍ୟସରକାର

ଭୁବନେଶ୍ବର: ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ଖୁସି ଖବର ଆଣିଛନ୍ତି। ଆସନ୍ତାକାଲି ଅକ୍ଷୟ ତୃତୀୟାରେ ହିତାଧିକାରୀଙ୍କ ଆକାଉଣ୍ଟରେ ରାଜ୍ୟ ସରକାର କାଳିଆ ଟଙ୍କା ଜମା କରିବେ। ହିତାଧିକାରୀଙ୍କୁ ରାଜ୍ୟସରକାର ଏକ ବର୍ଷର କାଳିଆ ଟଙ୍କା ପ୍ରଦାନ କରିବେ। ଏହି ସୂଚନା ପାଇବା ପରେ ହିତାଧିକାରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗ ସହ ମିଶି ଜେଡଏସଆଇ ପକ୍ଷରୁ ନିଆଯାଉଛି ପଦକ୍ଷେପ

ଭୁବନେଶ୍ଵର: ଓଡ଼ିଶାରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସଂରକ୍ଷଣ ପାଇଁ ବ୍ୟାପକ ଟ୍ୟାଗିଂ ଓ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଛି। ଏଥିପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରାଣୀ ସର୍ବେକ୍ଷଣ (ଜେଡଏସଆଇ) ସଂସ୍ଥା ଏବଂ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ଅଧୀନ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୦୨୧ ଠାରୁ କାର୍ଯ୍ୟ ଆରମ୍ଭ କରାଯାଇଛି। ଜେଡଏସଆଇର ନିର୍ଦ୍ଦେଶକ ଡକ୍ଟର ଧୃତି ବାନାର୍ଜୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବାର୍ଷିକ ତଥ୍ୟ ସଂଗ୍ରହ, ଟ୍ୟାଗିଂ ଏବଂ ଟ୍ୟାଗ୍‌ ରିକ୍ୟାପଚର ପ୍ରକ୍ରିୟା ମାଧ୍ୟମରେ ଏହି ବିରଳ ପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ କରିବା ଏହି  କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଅଲିଭ ରିଡଲେଙ୍କ ତଥ୍ୟ ସଂଗ୍ରହ କାର୍ଯ୍ୟ ଅତିକମରେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ଡକ୍ଟର ବାନାର୍ଜୀ ସୂଚନା ଦେଇଛନ୍ତି।

ଜେଡଏସଆଇର ବୈଜ୍ଞାନିକ ତଥା ଅଧିକାରୀ ଡକ୍ଟର ଅନୀଲ ମହାପାତ୍ର କହିଛନ୍ତି ଯେ, ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ବସା ଠାବ କରିବା, ଖାଦ୍ୟସ୍ଥାନ ଜାଣିବା, ସେମାନଙ୍କର ମିଳନ ପରବର୍ତ୍ତୀ ପ୍ରବାସକୁ ଅନୁଧ୍ୟାନ କରିବା, ଗତିବିଧି ଅନୁଧ୍ୟାନ କରିବା, ପ୍ରଜନନ ସମୟ ଓ ବିକାଶ ଆଦି ପାଇଁ ଏହି ଅଧ୍ୟୟନରେ ରିକ୍ୟାପ୍ଚର ପଦ୍ଧତି ଉପଯୋଗ କରାଯାଉଛି। ଏଥିପାଇଁ ଅଲିଭ ରିଡଲେଙ୍କ ଠାରେ ଧାତବ ଫ୍ଲିପର ଟ୍ୟାଗ ସଂଯୋଗ କରାଯାଇ ସେମାନଙ୍କର ଗତିବିଧି ଅନୁଧ୍ୟାନ କରାଯାଉଥିବା ସେ କହିଛନ୍ତି। ଓଡ଼ିଶା ଉପକୂଳରେ ଜାନୁଆରୀ ୨୦୨୧ ପରଠାରୁ ମୋଟ୍‌ ୮୪୫୦ଟି କଇଁଛଙ୍କର ଟ୍ୟାଗିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୮୮ଟି କଇଁଛ ଯୋଡ଼ା, ୮୨୫୨ ମାଈ ଏବଂ ୧୯୮ଟି ଅଣ୍ଡିରା କଇଁଛଙ୍କ ଟ୍ୟାଗିଂ କରାଯାଇଛି।

ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଅନୁଧ୍ୟାନ କରିବା, ସେମାନଙ୍କର ବିକାଶ ପାଇଁ ଦାୟୀ ପରିବେଶଗତ ପ୍ରଭାବକୁ ନିରୀକ୍ଷଣ କରିବା ଏବଂ ଓଡ଼ିଶା ଉପକୂଳରେ ଅଲିଭ ରିଡଲେ କଇଁଛଙ୍କ ସଂରକ୍ଷଣ ଓ ପରିଚାଳନା କରିବା ଏହି ଅଧ୍ୟୟନର ମୂଳ ଉଦ୍ଦେଶ୍ୟ। ଦୀର୍ଘସ୍ଥାୟୀ ଭିତ୍ତିରେ ଓଡ଼ିଶା ଏବଂ ଦେଶରେ ବିରଳ ଅଲିଭରିଡଲେଙ୍କ ସଂରକ୍ଷଣ ପାଇଁ ତଥ୍ୟ ସଂଗ୍ରହ ସହିତ ରାତ୍ରିକାଳୀନ ପାଟ୍ରୋଲିଂ ମଧ୍ୟ କରାଯାଉଛି। ଏହି ଅଧ୍ୟୟନ ମାଧ୍ୟମରେ ଦୀର୍ଘକାଳୀନ ଭିତ୍ତିରେ ଅଲିଭ ରିଡଲେଙ୍କ ଜୀବ ବିଜ୍ଞାନ ଏବଂ ବ୍ୟବହାର ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଲକ୍ଷ୍ୟ ରଖାଯାଇଛି। ବଙ୍ଗୋପସାଗର ଉପକୂଳବର୍ତ୍ତୀ ଓଡ଼ିଶାର ଗହିରମଥା, ଦେବୀ ଏବଂ ଋଷିକୂଲ୍ୟା ମୁହାଣକୁ ଅଲିଭ ରିଡଲେଙ୍କ ନିରାପଦ ବାସସ୍ଥଳୀ ଭାବେ ବିବେଚନା କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଓସିପିଏଲ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ବର: ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି।

ଆଜି ଏହି ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶକ୍ତି ସଚିବ ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କାର ଏକ ଚେକ୍‌ ମୁଖ୍ୟ ଶାସନ ସଚିବ ସୁରେଶ ମହାପତ୍ରଙ୍କୁ ପ୍ରଦାନ କରିଥିଲେ। ଓସିପିଏଲ୍‌ର ଲାଭାଂଶରୁ ଏହି ଅର୍ଥ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଓସିପିଏଲ୍ ର ସିଇଓ ସାରିପୁତ୍ତ ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଫିସର୍ ମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଓସିପିଏଲ ବହୁତ କମ୍ ସମୟ ମଧ୍ୟରେ ରାଜ୍ୟର ଏକ ପ୍ରମୁଖ ଲାଭଦାୟକ ସରକାରୀ ଉଦ୍ୟୋଗ ଭାବେ ପରିଗଣିତ ହୋଇଛି। ଦେଶରେ କୋଇଲା ସଙ୍କଟ ସମୟରେ ଓସିପିଏଲ୍ ଏବର୍ଷ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟଠାରୁ ଅଧିକ କୋଇଲା ଉତ୍ପାଦନ କରିଛି। ଏହି କୋଇଲା ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିଛି।

ଓସିପିଏଲ୍, ସୁନ୍ଦରଗଡ ଜିଲ୍ଲାର ମହିଳା ଏବଂ ଯୁବଗୋଷ୍ଠି ମାନଙ୍କର ସଶକ୍ତିକରଣ ପାଇଁ ବିଭିନ୍ନ ପନ୍ଥା ମାଧ୍ୟମରେ ନିରନ୍ତର ଉଦ୍ୟମ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ରାଜ୍ୟରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଜାନୁଆରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ। ରାଜ୍ୟରେ ୨୭ ହଜାର ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସମ୍ମେଟିଭ-୧ ପରୀକ୍ଷା ଥିବା ସ୍କୁଲ ୧୦ ତାରିଖରୁ ଖୋଲିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଏଥିପାଇଁ ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ ୯ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ରାସନ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ ଏସଓପି ବିଭାଗ ଦ୍ଵାରା ସୂଚିତ କରାଯିବ ବୋଲି କୁହାଯାଇଛି।

 

Categories
ଆଜିର ଖବର ରାଜ୍ୟ ଖବର

‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ୫-‘ଟି’ ଉପକ୍ରମରେ ‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକାରିତା ନିମନ୍ତେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ‘ପ୍ରୟାସ’ ଯୋଜନା ଅଧୀନରେ ଏସ୍‌ଟି, ଏସ୍‌ସି, ଓବିସି ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ଯୁବବର୍ଗଙ୍କୁ ନିଯୁକ୍ତିଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ୩୨ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ସହିତ ବିଭାଗୀୟ ନିର୍ଦ୍ଦେଶକ (ଏସ୍‌ଟି) ଓ ବିଭାଗୀୟ ନିର୍ଦ୍ଦେଶକ (ଏସ୍‌ସି) ବିଭାଗ ପକ୍ଷରୁ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ମସିହା ମାର୍ଚ୍ଚ ୨ ତାରିଖରେ ‘ପ୍ରୟାସ’ ଯୋଜନାର ଶୁଭାରମ୍ଭ କରିଥିଲେ। ସେହିଦିନଠାରୁ ୧୦୫ଟି ବ୍ୟାଚ୍‌ରେ ୩୧୫୦ ଜଣ ଏସ୍‌ସି, ଏସ୍‌ଟି ଯୁବବର୍ଗଙ୍କୁ ସଫଳତାର ସହ ତାଲିମ ସହିତ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପ୍ରଦାନ କରାଯାଇଛି।

ଏହି ଉତ୍ସବରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସଭାପତିତ୍ୱ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ବିଭାଗୀୟ ନିର୍ଦ୍ଦେଶକ(ଏସ୍‌ଟି) ତଥା ସିଇଓ, ଓଟିିଡିଏସ୍‌ ଗୁହା ପୁନମ୍‌ ତାପସ କୁମାର, ନିୟୋଜନ ନିର୍ଦ୍ଦେଶାଳୟ ତଥା ସିଇଓ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ରେଘୁ ଜି., ବିଭାଗୀୟ ନିର୍ଦ୍ଦେଶକ (ଏସ୍‌ସି) ଲକ୍ଷ୍ମଣ କୁମାର ମଲ୍ଲିକ ଏବଂ ଓଏଫ୍‌ଏସ୍‌ଡିସିର ଜେନେରାଲ ମ୍ୟାନେଜର ଉପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ଯୁଗ୍ମସଚିବ ନଭଲ୍‌ଜିତ୍‌ କପୁର, ପିଏ, ଆଇଟିଡିଏ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀମାନେ ଯୋଗଦେଇଥିଲେ।

ସଂପ୍ରତି ଓଡ଼ିଶା ଜନଜାତି ବିକାଶ ସମିତି (ଓଟିଡିଏସ୍‌)ଏବଂ ଓଡ଼ିଶା ଜାତି ଓ ଜନଜାତି ଆର୍ଥିକ ବିକାଶ ସମବାୟ ସଂସ୍ଥା (ଓଏସ୍‌ଏଫ୍‌ଡିସି) ପକ୍ଷରୁ ମିଶନ ମୋଡ୍‌ରେ ମିଳିତ ଭାବେ ‘ପ୍ରୟାସ’ ଯୋଜନାରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ବିଭାଗ ପକ୍ଷରୁ ଜୁନ୍‌, ୨୦୨୨ ସୁଦ୍ଧା ୧୩,୦୨୦ ଜଣ ଏସ୍‌ସି, ଏସ୍‌ଟି ଏବଂ ଓବିସି ଯୁବବର୍ଗଙ୍କୁ ଦକ୍ଷତା ତାଲିମ ଓ ନିଯୁକ୍ତି ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ପ୍ଲେସ୍‌ମେଣ୍ଟ ଲିଙ୍କଡ୍‌ ଏମ୍ପ୍ଲୟବିଲିଟି ଟ୍ରେନିଂ ଯୋଜନା ଅଧୀନରେ ଏନ୍‌ଏସ୍‌ଡିସି ଦ୍ୱାରା ସ୍ୱୀକୃତିପ୍ରାପ୍ତ ପାଠ୍ୟକ୍ରମ ସହିତ ସଫଫ ସ୍କିଲ୍‌ ଟ୍ରେନିଂ ମଧ୍ୟ ପ୍ରଦାନ କରାଯାଉଛି। ଜିଲ୍ଲାସ୍ତରରେ ପିଏ, ଆଇଟିଡିଏ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ପ୍ରଶିକ୍ଷଣ କେନ୍ଦ୍ରରେ ନିୟମିତ ଗସ୍ତ କରି ସେମାନଙ୍କର ପ୍ରଶିକ୍ଷାର୍ଥୀଙ୍କ ସୁରକ୍ଷା ନିମନ୍ତେ ସୁସ୍ଥ ବାତାବରଣ ନିଶ୍ଚିତ କରିବେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ବୈଷୟିକ ସହାୟତାରେ ‘ପ୍ରୟାସ’ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଅର୍ଥସେବାର ପନ୍ଦର ଅଧିକାରୀ ସ୍ୱତନ୍ତ୍ର ସଚିବ ପଦବୀକୁ ହେଲେ ଉନ୍ନୀତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ୧୫ଜଣ ଅର୍ଥସେବା ଅଧକାରୀଙ୍କ ସ୍ୱତନ୍ତ୍ର ସଚିବ ପଦକୁ ଉନ୍ନିତ ହୋଇଛନ୍ତି। ଅର୍ଥ ବିଭାଗର ନୋଟିଫିକେଶନ ନଂ-୨୦୦୮୭/ଏଫ୍ ତା ୨୯.୭.୨୧ ଅନୁସାରେ ନିହାର ରଞ୍ଜନ ସ୍ୱାଇଁ, ମଧୁସୂଦନ ଏକାଡ଼େମୀର ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି, କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସ୍ ଦିଲ୍ଲୀପ କୁମାର ଶତପଥୀ, ସ୍ଥାନୀୟ ପାଣ୍ଠିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ ନିକଟରେ ଓଡ଼ିଶା ଅର୍ଥ ସେବା କ୍ୟାଡ଼ର ପୁର୍ନଗଠିତ କରାଯାଇ ୧୦୪ଟି ନୂତନ ପଦବୀ ସୃଷ୍ଟି କରାଯାଇଥିଲା। ଏହି ପୁର୍ନଗଠନ ଦ୍ୱାରା ସ୍ଥାନୀୟ ପାଣ୍ଠି କ୍ଷେତ୍ରରେ ଅଧିକ ସ୍ୱଚ୍ଛତା, ଦ୍ରବ୍ୟକର ଓ ସେବା କର ଆଦାୟ ଏବଂ ତଦାରଖ ସହିତ ଟ୍ରେନିଂ ଏବଂ ଆର୍ଥିକ ସଂସ୍କାର କ୍ଷେତ୍ରରେ ଅଧିକ ଅଗ୍ରଗତି କରାଯାଇ ପାରିବ।

ଏହି ପୁନର୍ଗଠନ ଦ୍ୱାରା ଅର୍ଥ ସେବା ଅଧିକାରୀ ମାନଙ୍କର ବହୁତ ଦିନର ଦାବି ପୂରଣ କରିବା ସହିତ ସରକାରଙ୍କର ବିଭିନ୍ନ ବିଭାଗରେ ଆର୍ଥିକ ସୁପରିଚାଳନା ସଠିକ୍ ଭାବରେ କରାଯାଇ ପାରିବ।

Categories
ବିଶେଷ ଖବର ରାଜ୍ୟ ଖବର

ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ କଟକଣା: ଜାଣନ୍ତୁ କ’ଣ ରହିଛି ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଂଶିକ ଲକଡାଉନ ଜାରି ରହିଛି। ଆସନ୍ତାକାଲି ଠାରୁ ଏହି ଆଂଶିକ ଲକଡାଉନର କଟକଣା ସମାପ୍ତ ହେଉଛି। ତେବେ କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଆସନ୍ତା ୧୫ ଦିନ ତଥା ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନକୁ ବୃଦ୍ଧି କରିଛନ୍ତି। ଆଜି ପ୍ରେସ ବାର୍ତ୍ତାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଘୋଷଣା କରିଛନ୍ତି। ରାଜ୍ୟକୁ ଦୁଇଟି କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। ଗୋଟିଏ ‘ଏ’ କ୍ୟାଟାଗୋରୀ ଏବଂ ଦ୍ଵିତୀୟଟି ‘ବି’ କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। କ୍ୟାଟାଗୋରୀ ‘ଏ’ ଜିଲ୍ଲାରେ ୨୦ ଟି ଜିଲ୍ଲାକୁ ରଖାଯାଇଥିବା ବେଳେ କ୍ୟାଟାଗୋରୀ ‘ବି’ ରେ ୧୦ ଟି ଜିଲ୍ଲାକୁ ରଖାଯାଇଛି।

କ୍ୟାଟାଗୋରୀ ‘ଏ’ ଜିଲ୍ଲା:

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ।

କଣ ରହିବ ବନ୍ଦ ଓ ଖୋଲା

ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ଦୋକାନ ବଜାର ଖୋଲା ରହିବ। କେବଳ ସପିଙ୍ଗ ମଲ ଏବଂ ପାର୍ଲର ବ୍ୟତୀତ ଅନ୍ୟ ସବୁ ଦୋକାନ ଖୋଲା ରହିବ। ଏହି ଜିଲ୍ଲାଗୁଡିକରେ ସପ୍ତାହନ୍ତ ସଟଡାଉନକୁ ଉଠାଇଦିଆଯାଇଛି। ହେଲେ ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି। ବସରେ ଯେତିକି ସିଟ ଥିବା ସେତିକି ଯାତ୍ରୀଙ୍କୁ ନେଇ ବସ ସେବା ଚାଲିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ଉଭୟ ଇନଡୋର ଏବଂ ଆଉଟ ଡୋର ଶୁଟିଙ୍ଗ କୁ ଅନୁମତି। ସାପ୍ତାହିକ ହାଟକୁ ଅନୁମତି ମିଳିଛି। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ।

କ୍ୟାଟୋଗରୀ “ବି” ଜିଲ୍ଲା:

ନୟାଗଡ, ପୁରୀ, କଟକ, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡା ବାଲେଶ୍ଵର ଏବଂ ଖୋର୍ଦ୍ଧା ଜିଲ୍ଲାକୁ କ୍ୟାଟୋଗରୀ “ବି” ରେ ରଖାଯାଇଛି। ଏହି ଜିଲ୍ଲାଗୁଡିକରେ ୫ ପ୍ରତିଶତରୁ ଅଧିକ ସଂକ୍ରମଣ ରହିଛି।

ତେବେ କ୍ୟାଟୋଗରୀ “ବି” ଜିଲ୍ଲାଗୁଡିକରେ ସକାଳ ୬ ଟାରୁ ଦିନ ୨ ଟା ଯାଏଁ ଦୋକାନ ବଜାର ଖୋଲା ରହିବ। କୋଭିଡ କଟକଣା ମାନି ଦୋକାନ ବଜାର ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି। ଦୋକାନ କର୍ମଚାରୀମାନେ ଗ୍ରାହକଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ପ୍ରବର୍ତ୍ତାଇବେ। ଯେଉଁ ଦୋକାନୀ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିବେ, ସେହି ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଛୋଟ ଛୋଟ ସେଲୁନକୁ ଅନୁମତି ମିଳିଛି। ପାର୍ଲାର, ସ୍ପା, ମଲ ଆଦି ବନ୍ଦ ରହିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ହେଲେ କେବଳ ଆଉଟ ଡୋର ଶୁଟିଙ୍ଗକୁ ଅନୁମତି ମିଳିଛି।

ସାପ୍ତାହିକ ହାଟକୁ ଅନୁମତି ନାହିଁ। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ। ଏହି ଜିଲ୍ଲା ଗୁଡିକରେ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ। ଏଠାରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି ନାହିଁ। ଖାଦ୍ୟ ଦୋକାନରେ ବସିକି ଖାଇବା ପାଇଁ ଅନୁମତି ନାହିଁ। ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗୁରୁତର ରୋଗୀଙ୍କ ପାଇଁ ୫ ହଜାର ୨-ଡିଜି ପାଉଚ ମଗାଇଲେ ଓଡିଶା ସରକାର

ଭୁବନେଶ୍ବର: ଓଡିଶା ସରକାର ୫ ହଜାର ୨-ଡିଜି ପାଉଚ ମଗାଇଛନ୍ତି। ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୫ ହଜାର ୨-ଡିଜି ପାଉଚ ମଗାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ବର୍ତ୍ତମାନ ଡିଆରଡିଓ ଏବଂ ଡକ୍ଟର ରେଡ୍ଡୀ ମିଳିତ ଭାବେ ଏହି ଔଷଧକୁ ପ୍ରସ୍ତୁତ କରୁଛନ୍ତି। ଏହା ଗୁରୁତର ରୋଗୀଙ୍କୁ ସୁସ୍ଥ କରିବାରେ ସହାୟକ ହେବ ବୋଲି ଦାବି କରାଯାଉଛି। ତେବେ ଏହି ଔଷଧ ଜୁନ ୧୦ ତାରିଖ ପରେ ଓଡିଶାରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ‘ୟଶ’ ନିମନ୍ତେ ଓଡିଶା ସରକାରଙ୍କୁ ସହାୟତାର ହାତ ବଢ଼େଇଲା ଆଈଏନଏସ ଚିଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ମହାବାତ୍ୟା ‘ୟଶ’ ର ମୁକାବିଲା ପାଇଁ ଭାରତୀୟ ନୌସେନା ସମ୍ପୂର୍ଣ ପ୍ରସ୍ତୁତ ଅଛି ବୋଲି ନାଭାଲ ଅଫିସର ଇନଚାର୍ଜ(ଓଡିଶା) ଏନ. ପି ପ୍ରଦୀପ ଆଜି ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଆଈଏନଏସ ଚିଲିକା ବାତ୍ୟା ‘ୟଶ’ରେ ଓଡିଶାର ବେସାମରିକ ନାଗରିକମାନଙ୍କୁ ସହଯୋଗ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି। ହଜାର ହଜାର ଜନସାଧାରଣଙ୍କ ନିମନ୍ତେ ପାଣି ଏବଂ ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ସଜାଗ ଅଛି ଆଈଏନଏସ ଚିଲିକା।

ତତ ସହିତ ନାଗରିକମାନଙ୍କୁ ରିଲିଫ ଯୋଗାଣ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ନୌସେନାର ବିଭିନ୍ନ ଟିମ ପ୍ରସ୍ତୁତ ହୋଇସାରିଛି। ଓଡିଶା ସରକାରଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଆଈଏନଏସ ଚିଲିକା ତାର ସେବା କାର୍ଯ୍ୟ ଆରମ୍ଭ କରିଦେବ। ଗତ ମଇ ୨୪ ତାରିଖରୁ ଭାରତୀୟ ନୌସେନା ଓଡ଼ିଶା ସରକାରଙ୍କ ସହ ପ୍ରତ୍ୟକ୍ଷ ଭାବେ ସମ୍ପର୍କରେ ଅଛି। ଏଥି ନିମନ୍ତେ ଆଈଏନଏସ ଚିଲିକାରେ ଏକ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଇଛି। ତତସହିତ ଉକ୍ତ କଣ୍ଟ୍ରୋଲ ରୁମ ଧାମରା, ଗୋପାଳପୁର ଏବଂ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହଯୋଗରେ ବାତ୍ୟା ସମୟରେ ସମୁଦ୍ରର ତଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ଜାହାଜ ଗୁଡିକର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଇଞ୍ଜିନିୟରିଂ ଏବଂ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ କରିଛନ୍ତି। କରୋନା କଟକଣା ଯୋଗୁଁ ହଷ୍ଟେଲ ବନ୍ଦ ରହିଥିବାର ହଷ୍ଟେଲ ଫି’ ଛାଡ କରାଯାଇଛି। ହଷ୍ଟେଲ ଏପ୍ରିଲ ମାସ ୨୦୨୦ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ୧୭ ହଜାର ୧୨ ଜଣ ଛାତ୍ରଛାତ୍ରୀଙ୍କ ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କା ହଷ୍ଟେଲ ଫି’ ଛାଡ କରିଛନ୍ତି ରାଜ୍ୟ ସରକାର। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଏନେଇ ସୂଚନା ଦେଇଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ‘ବଡ଼ା ଖାନା’ କାର୍ଯ୍ୟକ୍ରମ ଉଦଘାଟିତ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ସହରର ସଫେଇ କର୍ମଚାରୀମାନଙ୍କୁ ଉତ୍ସାହିତ ଏବଂ ସମ୍ମାନିତ କରିବା ଉଦ୍ଦେଶ୍ୟରେ ‘ବଡ଼ା ଖାନା’ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି। ରାଜ୍ୟର ପ୍ରତ୍ୟେକ ୟୁ.ଏଲ.ବି ରେ ଏହି କାର୍ଯ୍ୟକ୍ରମ ପ୍ରତି ମାସରେ ଗୋଟାଏ ଥର ଆୟୋଜନ କରାଯିବ। ୟୁ.ଏଲ.ବି କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତ୍ୟେକ ସଫେଇ କର୍ମଚାରୀମାନଙ୍କୁ ମାସରେ ଗୋଟିଏ ଦିନ ଭୋଜନ ପରିବେଷଣ କରାଯିବ।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ.ଏ.ସି ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ‘ବଡ଼ା ଖାନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ  ପ୍ରଶାନ୍ତ ଜଗଦ୍ଦେବ, ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ, ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରି, ସାନିଟେସନ ଏକ୍ସପର୍ଟ, ସି.ଓ, ସି.ଏମ୍.ଏମ୍, ୱାର୍ଡ ଅଫିସର, ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ବିଜ୍ଞାପିତ ପରିଷଦର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଏବଂ ପରିଷଦର ସମସ୍ତ ସଫେଇ କର୍ମଚାରୀମାନଙ୍କ ମନୋବଳ ବଢାଇବା ଉଦ୍ଦେଶ୍ୟରେ ଅତିଥିମାନେ ସମସ୍ତ ସଫେଇ କର୍ମଚାରୀମାନଙ୍କୁ ନିଜ ହାତରେ ଭୋଜନ ପରିବେଷଣ କରିଥିଲେ। ପରିଶେଷରେ ସମସ୍ତ ସଫେଇ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ‘ବଡ଼ ଖାନା’ କାର୍ଯ୍ୟକ୍ରମ ଉଦଘାଟିତ: ସଫେଇ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସଡ଼ିପିଓ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ସହରର ସଫେଇ କର୍ମଚାରୀମାନଙ୍କୁ ଉତ୍ସାହିତ ଏବଂ ସମ୍ମାନିତ କରିବା ଉଦ୍ଦେଶ୍ୟରେ ‘ବଡ଼ ଖାନା’ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି। ରାଜ୍ୟର ପ୍ରତ୍ୟେକ ୟୁ.ଏଲ.ବି ରେ ଏହି କାର୍ଯ୍ୟକ୍ରମ ପ୍ରତି ମାସରେ ଗୋଟାଏ ଥର ଆୟୋଜନ କରାଯିବ। ୟୁ.ଏଲ.ବି କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତ୍ୟେକ ସଫେଇ କର୍ମଚାରୀମାନଙ୍କୁ ମାସରେ ଗୋଟିଏ ଦିନ ଭୋଜନ ପରିବେଷଣ କରାଯିବ। ଏହା ସହିତ ଜଣେ ଶ୍ରେଷ୍ଠ ସଫେଇ କର୍ମଚାରୀଙ୍କୁ ଚୟନ କରାଯାଇ ତାଙ୍କୁ ସମ୍ମାନିତ କରାଯିବ।

ଏହି ପରିପ୍ରେକ୍ଷୀରେ ପ୍ରଥମଥର ଭାବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ.ଏ.ସି ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ‘ବଡ଼ ଖାନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବାଲୁଗାଁ ଏସ.ଡ଼ି.ପି.ଓ ମାନସ ରଞ୍ଜନ ବାରିକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବାଲୁଗାଁ ଆଇ.ଆଇ.ସି ରମାକାନ୍ତ ମାହାଲିକ ଏବଂ ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ଯୋଗଦେଇଥିଲେ।

ସମସ୍ତ ଅତିଥିମାନେ ପରିଷଦର ସମସ୍ତ ସଫେଇ କର୍ମଚାରୀମାନଙ୍କୁ ନିଜ ହାତରେ ଭୋଜନ ପରିବେଷଣ କରିଥିଲେ। ପରିଶେଷରେ ମୁଖ୍ୟ ଅତିଥି ବାଲୁଗାଁ ଏନ.ଏ.ସି ର ଜୁଲାଇ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ବିଗତ ଛଅ ମାସର ଚୟନ ହୋଇଥିବା ଶ୍ରେଷ୍ଠ ଛଅ ଜଣ ସଫେଇ କର୍ମଚାରୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏହି ସମୟରେ ଏନ.ଏ.ସି ର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଅନ୍ତରେ ସମସ୍ତ ସଫେଇ କର୍ମଚାରୀମାନେ ବେଶ ଭାବବିହୋଳ ହୋଇପଡିଥିବା ଦେଖିବାକୁ ମିଳିଥିଲା। ଏବଂ ସମସ୍ତେ ଅତିଥିମାନଙ୍କୁ ବିଶେଷ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଥିଲେ। ତେବେ ପ୍ରତି ମାସରେ ସଫେଇ କର୍ମଚାରୀମାନଙ୍କ ମନୋବଳ ବଢାଇବା ପାଇଁ ଏନ.ଏ.ସି ତରଫରୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବାଲୁଗାଁ ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୃଷକ ଆନ୍ଦୋଳନ ଚାଲିଥିବା ବେଳେ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଦିଲ୍ଲୀରେ କେନ୍ଦ୍ର ସରକାର ବିରୋଧରେ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଏପଟେ ରାଜ୍ୟ ସରାକର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କ ଆୟ ଦ୍ୱିଗୁଣିତ ପାଇଁ ଏମଏସପି ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହିଛନ୍ତି। ରାଜ୍ୟ ସରକାର ଏମଏସ ସ୍ୱାମୀ ନାଥନ କମିଟି ସୁପାରିଶ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରିବ। ଏନେଇ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି। ଏହା ସହିତ ଉତ୍ପାଦନ ମୂଲ୍ୟ ତୁଳନାରେ ନ୍ୟୁନତମ ସମର୍ଥନ ମୂଲ୍ୟ ୫୦ ପ୍ରତିଶତ ଅଧିକ ହେବା ଦରକାର ବୋଲି କ୍ୟାବିନେଟରେ ନିର୍ଣ୍ଣୟ କରାଯାଇଛି।

ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଫି ଷ୍ଟ୍ରକଚର କମିଟି ଅଧ୍ୟକ୍ଷ ନିଯୁକ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି। ଜଣେ ଅବସରପ୍ରାପ୍ତ ଜଜ୍ ବିପିୟୁଟି କୁଳପତିଙ୍କ ସ୍ଥାନରେ ଅଧ୍ୟକ୍ଷ ରହିବେ ବୋଲି ନିଷ୍ପତି ନିଆଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଜଣେ ଅବସରପ୍ରାପ୍ତ ଜଜ୍ ଅଧ୍ୟକ୍ଷ ହେବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହା ସହିତ ବରଗଡ଼ ଜିଲ୍ଲାରେ ୨ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୫୦୮ କୋଟି ଓ ୨୧୫ କୋଟିର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ସ୍କୁଲ ବନ୍ଦ କରି ଓଡ଼ିଶା ସରକାର ସଂବିଧାନର ୨୧(କ) ଉଲ୍ଲଂଘନ କରୁଛନ୍ତି: ଚନ୍ଦ୍ରଶେଖର ନାଇଡ଼ୁ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶିକ୍ଷା ଅଧିକାର ଆଇନ ଭାରତ ସଂସଦର ଏକ ନିୟମ ଯେଉଁଥିରେ ୬ ବର୍ଷରୁ ୧୪ ବର୍ଷ ବୟସର ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଥିଲା। ଏହାଦ୍ୱାରା ଭାରତ ୧୩୫ଟି ଦେଶ ମଧ୍ୟରୁ ଗୋଟିଏ ହେଲା। ଆର୍‌ଟିଇ ଆକ୍ଟ ମୁକ୍ତ ଏବଂ ବାଧ୍ୟତାମୂଳକ ଶବ୍ଦଗୁଡ଼ିକୁ ଅନ୍ତର୍ଭୁକ୍ତ କରେ। ମାଗଣା ଶିକ୍ଷାର ଅର୍ଥ ହେଉଛି ଯେକୌଣସି ଶିଶୁ ତାଙ୍କ ପିତାମାତାଙ୍କ ଦ୍ୱାରା ଏକ ବିଦ୍ୟାଳୟରେ ଆଡ଼ମିଶନ ହୋଇଥିବ ଯେଉଁଠାରେ କୌଣସି ଦେୟ ପ୍ରଦାନ ହେବ ନାହିଁ। ଏହାସହ ଫ୍ରେମୱାର୍କ ଆର୍‌ଟିଆଇ ଅଧିନିୟମ ଅନୁଯାୟୀ ସଂବିଧାନର ଧାରା ୨୧(କ)ରେ ଦର୍ଶାଯାଇଥିବା ଏହି ମୌଳିକ ଶିଶୁ ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଏକ ଆଇନଗତ ଦାୟିତ୍ୱ ନିର୍ବାହ କରେ।

ଓଡ଼ିଶାର ବିଜେଡ଼ି ସରକାର ଚଳିତ ଶିକ୍ଷାବର୍ଷରୁ ସମଗ୍ର ରାଜ୍ୟରେ ୧୪ହଜାର ୫୦୦ ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବାବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ଗଂଜାମ ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ ହେବାକୁ ଯାଉଛି। ଯାହା ଭାରତୀୟ ସଂବିଧାନର ୨୧(କ) ଧାରାର ଖୋଲାଖୋଲି ଉଲ୍ଲଂଘନ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ନାଇଡ଼ୁ କହିଛନ୍ତି। ସମଗ୍ର ରାଜ୍ୟରେ ଏତେ ସଂଖ୍ୟକ ସ୍କୁଲ ବନ୍ଦ ହେବା ଫଳରେ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ପରିସଂଖ୍ୟାନରୁ ଜଣାପଡ଼ିଛି ଓଡ଼ିଶାର ଲିଟରେସି ରେଟ୍ ଜାତୀୟ ହାରଠାରୁ ପଛରେ, ତେଣୁ ସାଧାରଣ ଲୋକମାନଙ୍କ ଅବଗତି ନିମନ୍ତେ ପ୍ରଭାବିତ ଛାତ୍ରଛାତ୍ରୀ ଓ କେତେ ସଂଖ୍ୟକ ଶିକ୍ଷକ ଓ ତତ୍ ସଂପର୍କିତ ମାନବ ସମ୍ବଳ ପ୍ରଭାବିତ ହେବେ ଏ ସଂପର୍କରେ ଏକ ଶ୍ୱେତପତ୍ର ରାଜ୍ୟ ସରକାର ପ୍ରକାଶ କରନ୍ତୁ ବୋଲି ଶ୍ରୀ ନାଇଡ଼ୁ ଦାବି କରିଛନ୍ତି। ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମାଧ୍ୟମରେ ପୃଷ୍ଟିକର ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା, ଯାହା ଛାତ୍ରଛାତ୍ରୀଙ୍କ ସୁସ୍ଥ ସ୍ୱାସ୍ଥ୍ୟ ଗଠନରେ ମଧ୍ୟ ସହାୟକ ହେଉଥିଲା। ରାଜ୍ୟରେ ଏହି ୧୪୫୦୦ ସ୍କଲ ବନ୍ଦ ହେବା ଫଳରେ ସେସବୁ ଜମି ଓ ସ୍କଲ ଘର ରିୟଲ ଇଷ୍ଟେଟ ମାଫିଆଙ୍କ ହାତକୁ ଚାଲିଯିବର ସମ୍ଭାବନା ରହିଚି। ନଚେତ୍ ଏହା ଜୁଆ ଓ ମଦ ଆଡ୍ଡା ବନିଯିବାର ସମ୍ଭାବନା ରହିଛି। ଯାହା ଓଡ଼ିଶା ଭଳି ଶାନ୍ତ ପ୍ରିୟ ସମାଜରେ ଅରାଜକତା ସୃଷ୍ଟି କରିବା ସଂଭାବନା ରହିଛି।

ଏହା ସହିତ ରାଜ୍ୟ ସରକାରଙ୍କ ଏହିଭଳି ନିଷ୍ପତ୍ତି ଘରୋଇ ଶିକ୍ଷାନୁଷ୍ଠାନଙ୍କୁ ବେଶ୍ ଉତ୍ସାହିିତ କରିବ, ଶିକ୍ଷା କ୍ଷେତ୍ରରେ ଘରୋଇ ଶିକ୍ଷାନୁଷ୍ଠାନମାନେ ଏକାଧିକାର ସାବ୍ୟସ୍ତ କରିବେ। ତେଣୁ ଗଂଜାମ ଓ ଗଜପତି ଜିଲ୍ଲାବାସୀଙ୍କ ତରଫରୁ ଦାବି କରାଯାଉଛି ଯେ ତୁରନ୍ତ ସରକାର ଏ ସଂପର୍କିତ ଏକ ଶ୍ୱେତପତ୍ର ଜାରି କରି ସତ୍ୟ ସମସ୍ତଙ୍କୁ ଜଣାନ୍ତୁ। ଓଡ଼ିଶାବାସୀ ବାରମ୍ବାର ବିଜେଡ଼ି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ନିରଙ୍କୁଶ କ୍ଷମତା ପ୍ରଦାନ କରିବା ପରେ ଏକ ଶିକ୍ଷିତ, ସୁନ୍ଦର, ସ୍ୱାସ୍ଥ୍ୟ, ଆର୍ଥିକ ବିକାଶ ହେବା ଭଳି ସମାଜ ଗଠନ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ନୁହେଁ କି ବୋଲି ପ୍ରଶ୍ନ ଉଠିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ଦ୍ଵାରା  ଅନଲକ ୪.୦ ର ଗାଇଡଲାଇନ ଜାରି: ହଟିବ ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ତରଫରୁ ସେପ୍ଟେମ୍ବର ମାସ ପାଇଁ ଅନଲକ ୪.୦ ର  ଗାଇଡଲାଇନ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ସପ୍ତାହନ୍ତ ସଟଡାଉନକୁ ହଟାଯାଇଥିବା ବେଳେ ରାତ୍ରୀକାଳୀନ କର୍ଫ୍ୟୁ କଟକଣାକୁ ମଧ୍ୟ କୋହଳ କରାଯାଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କେବଳ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ଲାଗୁ ରହିବ। ତେବେ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ଆଦେଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନକୁ ବାଦ ଦେଲେ ଅନ୍ୟ ସବୁ ଅଞ୍ଚଳରେ ଲକଡାଉନ କଟକଣା ରହିବ ନାହିଁ।

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଅନ୍ତର୍ଜାତୀୟ ବିମାନ ଚଳାଚଳ ପୂର୍ବପରି ବନ୍ଦ ରହିବ। ସେହିପରି ସିନେମା ହଲ, ସୁଇମିଙ୍ଗ ପୁଲ, ଥିଏଟର, ଅଡିଟୋରିୟମ ବନ୍ଦ ରହିବା ପାଇଁ ଗାଇଡଲାଇନ ଜାରି ହୋଇଥିବା ବେଳେ ସେପ୍ଟେମ୍ବର ୨୧ ତାରିଖ ଠାରୁ ଓପନ ଏୟାର ଥିଏଟର ଖୋଲିବାକୁ ଅନୁମତି ମିଳିଛି। ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ରହିବ। ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ କୌଣସି ବଡ ଜନ ସମାବେଶ ବନ୍ଦ ରହିବ।

ବାହାଘର କାର୍ଯ୍ୟକ୍ରମରେ ୫୦ ଜଣଙ୍କୁ ଅନୁମତି ମିଳିଥିବା ବେଳେ  ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ୨୦ଜଣଙ୍କୁ ଅନୁମତି ମିଳିଛି। ରାଜ୍ୟ ଭିତରେ କିମ୍ବା ରାଜ୍ୟ ବାହାରକୁ ଯିବା ଆସିବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ସେହିପରି ଘରୋଇ ଯାନବାହାନ ଏବଂ ମାଲ ପରିବହନ ପାଇଁ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ। ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ବସ ଚଳାଚଳକୁ ଅନୁମତି ଦିଆଯାଇଛି।

ବୟଷ୍କ, ରୋଗୀ, ପ୍ରସୂତି, ୧୦ ବର୍ଷର କମ ପିଲାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କାର୍ଯ୍ୟକ୍ରମ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଥିବା ବେଳେ କେବଳ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଏବଂ ଖାତା ମୂଲ୍ୟାୟନ କାର୍ଯ୍ୟ ଜାରି ରହିବ। ଅନଲାଇନ ପାଠପଢା ଚାଲୁ ରହିବ। ବିଦ୍ୟାଳୟକୁ ୫୦ ପ୍ରତିଶତ ଶିକ୍ଷକ, କର୍ମଚାରୀ ଆସିବାକୁ ଅନୁମତି ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୨୧ ତାରିଖ ପରେ ଆଇଟିଆଇ, ଟ୍ରେନିଂ ଇନଷ୍ଟିଚ୍ୟୁଟ ଖୋଲାଯାଇପାରିବ। ସେଥିପାଇଁ ଜାରି ହେବ ଏସ ଓ ପି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ବିଦେଶରୁ ଫେରିଥିବା ଦୁଇ ହଜାର ଲୋକ ପଂଜିକରଣ କରିଛନ୍ତି, ସମସ୍ତେ ମାସ୍କ ପିନ୍ଧିବାର ଆବଶ୍ୟକ ନାହିଁ ବୋଲି ନିବେଦନ କଲେ ସରକାର

ଭୁବନେଶ୍ୱର : ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। ହେଲେ ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି କିମ୍ବା ଯେଉଁମାନେ ରୋଗୀ ସେବାରେ ନିୟୋଜିତ ଅଛନ୍ତି ସେମାନେ ପିନ୍ଧିବେ। ଆଜି ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ବର୍ତ୍ତମାନ ଭୟରେ ସମସ୍ତେ ମାସ୍କ ପିନ୍ଧି ଏହାର ଅଭାବ ସୃଷ୍ଟି କରୁଛନ୍ତି। ସେପରି କରିବା ଆବଶ୍ୟକ ନାହିଁ ବୋଲି ବାଗଚୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ବର୍ତ୍ତମାନ ଓଡିଶାରେ କରୋନାର ସ୍ଥିତି ସଂପର୍କରେ ମଧ୍ୟ ଅବଗତ କରାଇବା ସହିତ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ବର୍ଣ୍ଣନା କରିଥିଲେ। ସେଗୁଡିକ ହେଲା

* ଅଦ୍ୟାବଧି ଓଡ଼ିଶାରେ ୪୭ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୪୬ଟି କରୋନା ନେଗେଟିଭ୍‌ ଥିବାବେଳେ ଗୋଟିଏ ପଜିଟିଭ୍‌ ଚିହ୍ନଟ ହୋଇଛି ।

* ସଂକ୍ରମିତ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଯୋଗାଯୋଗ କରାଯାଇ ସେମାନଙ୍କୁ ପୃଥକ୍‌ବାସ ପାଇଁ ପରାମର୍ଶ ଦିଆଯାଇଛି ।

* ଗତକାଲି ୧୨ଟି ନମୁନା ପରୀକ୍ଷା କରାଯାଇଥିଲା ଏବଂ ସେସବୁ କରୋନା ନେଗେଟିଭ୍‌ ରିପୋର୍ଟ ଆସିଛି । ଆଜି ସୁଦ୍ଧା ୬ଟି ନମୁନା ପରୀକ୍ଷା କରାଯାଇଛି ଓ ସେ ସମସ୍ତ ନେଗେଟିଭ୍‌ ରିପୋର୍ଟ ଆସିଛି ।

* ଅଦ୍ୟାବଧି ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୮ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲୋସନ୍‌ରେ ରଖାଯାଇଛି ।

* ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ଗୁଡ଼ିକରେ ଆଇସୋଲେସନ୍‌ ସୁବିଧା ଉପଲବ୍ଧ ଅଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୫୪୦ଟି ଆଇସୋଲେସନ୍‌ ବେଡ୍‌ ପ୍ରସ୍ତୁତ ଅଛି ।

* ରାଜ୍ୟର ବ୍ଲକ୍‌ସ୍ତର ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍‌ ସୁବିଧା କେନ୍ଦ୍ର ଚିହ୍ନଟ କରାଯାଇଛି।

* ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲପ୍ ଲାଇନ୍‌କୁ ୧୩,୬୨୭ କଲ୍‌ ଆସିଛି।

* ଅଦ୍ୟାବଧି ବିଦେଶରୁ ଫେରିଥିବା ୨୧୩୧ ଜଣଙ୍କ ନାମ ପଞ୍ଜୀକରଣ କରାଯାଇଛି।

* ସମସ୍ତ ଧର୍ମାନୁଷ୍ଠାନ ଓ ଅଧିକ ଜନଗହଳି ହେଉଥିବା ସ୍ଥାନମାନଙ୍କରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଆଡ୍‌ଭାଇଜରୀ ଜାରି କରାଯାଇଛି।

* ତୀର୍ଥ ଯାତ୍ରୀ, ପୂଜକ, ସେବାୟତ ଏବଂ ଅନ୍ୟାନ୍ୟ ସ୍ଥାନ ଯେଉଁଠାରେ ନିରାପତ୍ତା ରକ୍ଷୀମାନେ ସଂପୃକ୍ତ ରହୁଛନ୍ତି, ସେମାନଙ୍କୁ ସୁରକ୍ଷା ଦିଆଯିବ। ଏଜେନ୍ସି/ବୋର୍ଡ/ଟ୍ରଷ୍ଟ ଓ ସରକାରୀ ପରିଚାଳନାଧୀନ ସଂସ୍ଥା ଯେଉଁଠାରେ ସେମାନେ କାର୍ଯ୍ୟ କରୁଛନ୍ତି, ସେମାନେ ଏଥିପ୍ରତି ଯଥେଷ୍ଟ ଦୃଷ୍ଟି ଦେବେ।

*ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଶ୍ରମ ଆୟୁକ୍ତଙ୍କ ତରଫରୁ ଆବଶ୍ୟକ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ଆଶ୍ରୟ ସ୍ଥଳ, କ୍ରେଚ୍‌ଗୁଡ଼ିକ ତତ୍ତ୍ୱାବଧାନ କରାଯାଉଛି ଏବଂ ନିୟମିତ ସଂକ୍ରମଣ ମୁକ୍ତ କରାଯାଉଛି ।

* ଆଧାର କେନ୍ଦ୍ରଗୁଡ଼ିକ ବନ୍ଦ କରାଯାଇଛି।

* ଓସ୍‌ଡମା ସେ୍ୱଚ୍ଛାସେବୀମାନେ ଏଟିଏମ୍‌ କାଉଣ୍ଟରଗୁଡ଼ିକରେ ସ୍ୱଚ୍ଛତା ରକ୍ଷା ପାଇଁ ବ୍ୟାଙ୍କ ଦ୍ୱାରା ନିୟୋଜିତ ସାନିଟାରୀ ଅପରେଟରମାନଙ୍କ କାର୍ଯ୍ୟ ଯାଞ୍ଚ କରିବେ ।

* ପରିବହନ ଆୟୁକ୍ତଙ୍କ ନିର୍ଦ୍ଦେଶନାମା ଅନୁସାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଡ୍ରାଇଭିଂ ଲାଇସେନ୍ସ/ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

* ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଦ୍ୟାବଧି ୬୩୨୩ଟି କୋଠାଗୃହକୁ ସାମୟିକ ଚିକିତ୍ସା ଶିବିର ପାଇଁ ଚିହ୍ନଟ କରାଯାଇଛି। ସେହିପରି ସହରାଞ୍ଚଳରେ ୨୬୧ଟି କୋଠାଘରକୁ ମଧ୍ୟ ଏହି ଉଦ୍ଦେଶ୍ୟରେ ଚିହ୍ନଟ କରାଯାଇଛି। ରାଜ୍ୟରେ ୯୭ଟି ସହରାଞ୍ଚଳ ଓ ୬୭୯୭ଟି ଗ୍ରାମପଞ୍ଚାୟତରେ ଏସବୁ ରହିଛି।

* ଯାହାର ସଂକ୍ରମଣର ସନ୍ଦେହ ରହିଛି ଏବଂ ସ୍ୱାସ୍ଥ୍ୟ କର୍ମୀ ମାସ୍କ ବ୍ୟବହାର କରିବେ । ଅନ୍ୟମାନେ ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନାହିଁ ।

* ଅତ୍ୟାବଶ୍ୟକୀୟ ସାମଗ୍ରୀ ଯେପରିକି ସାନିଟାଇଜର, ତେଜରାତି ସାମଗ୍ରୀ, ଔଷଧ ଇତ୍ୟାଦି ମହଜୁଦ୍‌ (ହୋର୍ଡିଂ) କରି ନରଖିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତୋ ବାଗ୍‌ଚୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ଶ୍ରୀ ସଂଜୟ ସିଂ ଏବଂ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ସଚିବ ଶ୍ରୀ ମନୋଜ ମିଶ୍ର ଏହି ବୈଠକରେ ଉପସ୍ଥିତ ଥିଲେ।

Categories
ଆଜିର ଖବର

ଭାରତୀୟ ରେଳବାଇ ପକ୍ଷରୁ ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ ଆସନ୍ତାକାଲି

ଭୁବନେଶ୍ବର, ୧୨/୧୨: ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତାକାଲି ଅର୍ଥାତ୍‌ ଡିସେମ୍ବର ୧୩ ତାରିଖରୁ ବାଲେଶ୍ବର ଓ ହରିଦ୍ବାର ମଧ୍ୟରେ ଏକ ବରିଷ୍ଠ ନାଗରିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରାଯାଉଛି। ଓଡିଶା ସରକାରଙ୍କ ସହାୟତାରେ ଉତ୍ତର ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ତୀର୍ଥ ଭ୍ରମଣ ପାଇଁ ସହାୟକ ହେବ। ୦୮୪୧୫/୦୮୪୧୬ ଭୁବନେଶ୍ୱର-ହରିଦ୍ୱାର-ଭୁବନେଶ୍ୱର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସ୍ୱତନ୍ତ୍ର ଟ୍ରେନ ବାଲେଶ୍ୱର ଠାରୁ ଆସନ୍ତାକାଲି ପୂର୍ବାହ୍ନ ୧୧ଘ.୪୫ମି.ରେ ଛାଡି ହରିଦ୍ୱାର ଠାରେ ତା ପରଦିନ ରାତ୍ର ୧୦ଘ.୧୫ମି.ରେ ପହଞ୍ଚିବ। ଫେରିବା ବାଟରେ ଏହି ଟ୍ରେନ ହରିଦ୍ୱାର ଠାରୁ ଡିସେମ୍ବର ୧୬ ତାରିଖ ଦିନ ରାତ୍ର ୧୦ ଘଟିକାରେ ଛାଡି ବାଲେଶ୍ୱର ଠାରେ ଡିସେମ୍ବର ୧୮ ତାରିଖ ପୂର୍ବାହ୍ନ ୧୦ ଘ.୧୫ମି.ରେ ପହଞ୍ଚିବ। ଏହି ତୀର୍ଥ ସ୍ୱତନ୍ତ୍ର ଟ୍ରେନ ହିଜୀଲୀ-ଆଦ୍ରା-ଗୋମୋ-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ-ବାରଣାସୀ-ଲକ୍ଷ୍ନୋ ଓ ମୋରାଦାବାଦ ମାର୍ଗରେ ଚଳାଚଳ କରିବାକୁ ଥିବାବେଳେ ଏଥିରେ ୧୫ଟି ସ୍ଲିପର କ୍ଲାସ, ୨ଟି ଗାର୍ଡ ଭ୍ୟାନ ଓ ଗୋଟିଏ ପ୍ୟାଣ୍ଟ୍ରି କାର ଉପଲବ୍ଧ ଅଛି ।

ଓଡିଶା ରାଜ୍ୟ ସରକାରଙ୍କ ପାଇଁ ଭାରତୀୟ ରେଳବାଇ କ୍ୟାଟେରିଙ୍ଗ ଓ ଟୁରିଜିମ କର୍ପୋରେସନ (ଆଈଆରସିଟିସି) ଚଳାଚଳ କରାଯାଉଥିବାବେଳେ ପୂର୍ବତଟ ରେଳପଥ ପକ୍ଷରୁ ଏଥିପାଇଁ ଆଧାରଭୁକ୍ତ ସୁବିଧା ପ୍ରଦାନ କରାଯାଉଅଛି। ଏହି ସମୟରେ ତୀର୍ଥଯାତ୍ରୀ ମାନେ ବିଭିନ୍ନ ତୀର୍ଥସ୍ଥାନ ଯଥା ହରିଦ୍ୱାର, ମନସାଦେବୀ ମନ୍ଦିର, ହର-କି-ପୌରୀ ସହିତ ହୃଷିକେଶର ରାମଝୁଲା ଓ ଲକ୍ଷ୍ମଣଝୁଲା ଇତ୍ୟାଦି ପରିଦର୍ଶନ କରିବେ ।

ବିଭିନ୍ନ ତୀର୍ଥଯାତ୍ରା ପାଇଁ ସାଧାରଣ ଜନତା ଓ ତୀର୍ଥଯାତ୍ରୀମାନେ ଆଇଆରସିଟିସି ୱେବସାଈଟ www.irctctourism.comରେ ସୂଚନା ପାଇପାରିବା ସହିତ +୯୧ ୮୨୮୭୯୩୨୨୩୧ ନମ୍ବରରେ ମଧ୍ୟ ଫୋନ ଦ୍ୱାରା ସୂଚନା ସମ୍ବନ୍ଧରେ ଅବଗତ ହେଇପାରିବେ। (ଏଜେନ୍ସି)

Categories
ଆଜିର ଖବର

ଓଡିଶା ଚାଷିମାନଙ୍କ ପାଇଁ ଲାଗୁ ହେବ “କାଳିଶାନ”, ମିଶିଯିବ ରାଜ୍ୟର ‘କାଳିଆ’ ଏବଂ କେନ୍ଦ୍ରର ‘କିଶାନ’ ଯୋଜନା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର,05/12: ଶେଷରେ ରାଜ୍ୟ ସରକାର ଓଡିଶାରେ ପ୍ରଧାନମନ୍ତ୍ରୀ କିଶାନ ଯୋଜନାକୁ ଲାଗୁ କରିବାକୁ ନିଷ୍ପତି କରିଛନ୍ତି। ତେବେ ପୂର୍ବରୁ ରାଜ୍ୟର ନିଜସ୍ବ ଯୋଜନା କାଳିଆ ଏହି ଯୋଜନାରେ ମିଶିଯିବ ବୋଲି ନିଷ୍ପତି କରାଯାଇଛି। ଆଜି ଲୋକସେବା ଭବନରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ରାଜ୍ୟର କାଳିଆ ଯୋଜନାରେ ସରକାର ଚାଷିଙ୍କୁ 10 ହଜାର ଟଙ୍କା ଦେଇଆସୁଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ କେନ୍ଦ୍ର ତରଫରୁ 6 ହଜାର ଟଙ୍କା ଦିଆଯାଉଛି। ଯାହାକୁ ଓଡିଶାରେ ଲାଗୁ କରାଯାଇ ନାହିଁ। ତେବେ ଏହି ଦୁଇ ଯୋଜନା ମିଶିଲେ 16 ହଜାର ଟଙ୍କା ଚାଷି ପାଇବା କଥା। ହେଲେ ବର୍ତ୍ତମାନ ଚାଷୀ ମାତ୍ର 10 ହଜାର ଟଙ୍କା ପାଇବେ ବୋଲି ଜଣାପଡିଛି। କାରଣ କେନ୍ଦ୍ର ଦେଉଥିବା 6 ହଜାର ଟଙ୍କାରେ ରାଜ୍ୟର ଭାଗ ମଧ୍ୟ ରହିଛି। ଫଳରେ ଦୁଇ ଯୋଜନାରେ ବର୍ତ୍ତମାନ ଚାଷୀ ରାଜ୍ୟରୁ 4 ହଜାର ଏବଂ କେନ୍ଦ୍ରର 6 ହଜାର ମୋଟ 10 ହଜାର ପାଇବେ।ଏହି ଦୁଇ ଯୋଜନା ମିଶିବ ବୋଲି ରାଜ୍ୟ କ୍ୟାବିନେଟର ପୂର୍ବରୁ ନିଷ୍ପତି ନିଆଯାଇଛି। ତେବେ ଏହି ଯୋଜନାର ନାମ କଣ ହେବ ତାହା ଏ ପର୍ଯ୍ୟନ୍ତ ନିଷ୍ପତି କରାଯାଇ ନାହିଁ।