Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାରେ ଖୋଲିବ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଓଡ଼ିଶାରେ ୮ଟି ଏବଂ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଏହି ନୂଆ ବିଦ୍ୟାଳୟ ମଞ୍ଜୁର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଭାରତ ସରକାର ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ସମ୍ପ୍ରସାରଣ ପାଇଁ ପ୍ରାୟ ୫୮୭୨ କୋଟି ଟଙ୍କା ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରାୟ ୨୩୫୯ କୋଟି ଟଙ୍କା ଖର୍ଚ୍ଚ କରିବେ।  ଏହା ଦ୍ୱାରା ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ। ପ୍ରତିଷ୍ଠା ହେବାକୁ ଥିବା ସ୍ଥାନରେ ଶିକ୍ଷାର ଭିତ୍ତିଭୂମିର ବିକାଶ ହେବ। ଛାତ୍ରଛାତ୍ରୀ ବିଶେଷ ଭାବରେ ଏସସି, ଏସଟି ଓ ଓବିସି ବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ। ବିଦ୍ୟାଳୟ ସ୍ତରରେ ଶିକ୍ଷାର ମାନରେ ଉନ୍ନତି ହେବ। ଛାତ୍ରଛାତ୍ରୀଙ୍କ ମାନସିକ, ଶାରିରୀକ, କ୍ରିଟିକାଲ ଥିଙ୍କିଂ ସହ ବୌଦ୍ଧିକ କ୍ଷମତା ବିକଶିତ ହେବ। ସ୍ଥାନୀୟ ଅଞ୍ଚଳରେ ଅନେକ ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡ଼ିଶାର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ଅନୁଗୋଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକ, ଢେଙ୍କାନାଳର କାମାକ୍ଷାନଗର, ଖୋର୍ଦ୍ଧା ଜିଲ୍ଲାର ଆଇଟିବିପି ଖୋର୍ଦ୍ଧା, କୋରାପୁଟ ଜିଲ୍ଲାର ଜୟପୁର, ବଲାଙ୍ଗୀର ଜିଲ୍ଲାର ରେଲଓ୍ୱେ ଟିଟିଲାଗଡ଼ ଓ ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ହେବାର ନିଷ୍ପତି ଦ୍ୱାରା ସ୍ଥାନୀୟ ଲୋକମାନଙ୍କର ଥିବା ଦୀର୍ଘ ଦିନର ଆଶା ଓ ଆପେକ୍ଷା ପୂରଣ ହେବାକୁ ଯାଉଛି। ଓଡ଼ିଶାରେ ଶିକ୍ଷାର ବିକାଶ ଓ  ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ଏହି ନିର୍ଣ୍ଣୟ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ରେଳ ବିକାଶ ପାଇଁ 73,723 କୋଟି ମଞ୍ଜୁର: ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରେଳମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶାରେ ରେଳ ବିକାଶ ପାଇଁ 73,723 କୋଟି ଟଙ୍କା ମଞ୍ଜୁର ହୋଇଛି। ଯାହାକୁ ନେଇ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଖୁସିବ୍ୟକ୍ତ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ରେଳ ମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।

ସେ ଆଜି ‘ଏକ୍ସ’ ରେ ଲେଖିଛନ୍ତି ଯେ, ”ଓଡ଼ିଶାରେ ରେଳ ବିକାଶ ପାଇଁ 73,723 କୋଟି ଟଙ୍କା ମଞ୍ଜୁର କରିଥିବାରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଓଡ଼ିଶାର ଅର୍ଥନୈତିକ ହିତକୁ ବଜାୟ ରଖାଯିବ। ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜୁର କରାଯାଇଛି। ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ 107 କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ତିନିଟି ରେଳ ମଣ୍ଡଳ ରହିବ। ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର 59 ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଅଛି।

ମୋଦୀ 3.0 ସମୟରେ 19,289 କୋଟି ଟଙ୍କା ବ୍ୟୟ ଅଟକଳରେ 8 ଟି ନୂତନ ରେଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରାଯାଇଛି।

୧. ଗୁଣୁପୁର-ଥେରୁବାଲି ନୂତନ ରେଳ ଲାଇନ

୨. ଜୁନାଗଡ଼ ରୋଡ଼-ନବରଙ୍ଗପୁର ନୂତନ ରେଳ ଲାଇନ

୩. ମାଲକାନଗିରି-ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂତନ ରେଳ ଲାଇନ

୪. ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳ ଲାଇନ

୫. ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂତନ ରେଳ ଲାଇନ

୬. ବୁଡ଼ାମରା-ଚାକୁଳିଆ ନୂତନ ରେଳ ଲାଇନ

୭. ସରଡ଼େଗା-ଭାଲୁମୁଡା ନୂତନ ଦୋହରୀକରଣ ରେଳ ଲାଇନ

୮. ବରଗଡ଼ ରୋଡ଼-ନୂଆପଡା ରୋଡ଼ ନୂତନ ରେଳ ଲାଇନ

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ନକ୍ସଲ ମୁକାବିଲାରେ ବିଏସଏଫର ସଫଳତା

ଭୁବନେଶ୍ୱର: ଓଡ଼ିଶାର ନକ୍ସଲ ପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବଳ (ବିଏସଏଫ) ଧନଜୀବନ ସୁରକ୍ଷା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି । ବିଏସଏଫର ସଫଳତାକୁ ନେଇ ଆଜି ମହାନିରୀକ୍ଷକ ସିଡି ଅଗ୍ରୱାଲ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବିଏସଏଫ ଚଳିତ ବର୍ଷ ୩ଜଣ କୁଖ୍ୟାତ ନକ୍ସଲଙ୍କୁ ନିପାତ କରିଛି। ସେହିପରି ୨୪ ଜଣ ହାର୍ଡକୋର ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ କରିଛି । ବିଏସଏଫର ସର୍ଚ୍ଚ ଅପରେସନରେ ୩୪ଟି ଆଇଡିଡି, ୧୧୭ଟି ଗ୍ରେନେଡ୍‌ ଏବଂ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି । ବିଏସଏଫର ସହଯୋଗରେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଏବେ ରାଜ୍ୟର ମୁଖ୍ୟଧାରା ସହ ଯୋଡ଼ି ହୋଇଛି ।

ଗୁରୁପ୍ରିୟା ସେତୁ ଦ୍ୱାରା ୧୫୧ଟି ଗାଁର ୩୧ ହଜାର ବାସିନ୍ଦା ଉପକୃତ ହୋଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲବାଦର ବିଲୋପ ପାଇଁ ବିଏସଏଫ ସଂକଳ୍ପବଦ୍ଧ ବୋଲି ଆଇଜି ଶ୍ରୀ ଅଗ୍ରୱାଲ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଇନ୍ଦ୍ରାବତୀ ନଦୀରୁ ଦୁଇଟି ମହାଶିର ପ୍ରଜାତିର ମାଛ ଆବିଷ୍କୃତ

ଭୁବନେଶ୍ଵର: ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ଗବେଷକମାନେ ଦକ୍ଷିଣ ଓଡିଶାର ଇନ୍ଦ୍ରାବତୀ ନଦୀରୁ ଦୁଇଟି ମହାଶିର ପ୍ରଜାତିର ମାଛ ଆବିଷ୍କାର କରିଛନ୍ତି। ଏହି ମାଛ ସାୟପ୍ରିନୟଡ୍ ପ୍ରଜାତିର ଏବଂ ଏମାନଙ୍କ ଶରୀର ଅପେକ୍ଷାକୃତ ବଡ। ଏମାନଙ୍କ ଦେହର କାତି ମଧ୍ୟ ବଡ ବଡ। ସାଧାରଣତଃ ଏହି ମାଛମାନଙ୍କୁ ଭାରତୀୟ ନଦୀର ରାଜା କୁହାଯାଏ। ଏମାନେ ବିଶ୍ବର ୨୦ଟି ବୃହତ ମାଛ ପରିବାରର ସଦସ୍ୟ। ପ୍ରଫେସର ଶରତ କୁମାର ପଲିତାଙ୍କ ନେତୃତ୍ବରେ ଗବେଷକ ଦଳ ଏହି ମାଛର ସନ୍ଧାନ ପାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ ନବମ ଓଡ଼ିଶା କଳା ଓ ସାହିତ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ଵର: ନବମ ଓଡ଼ିଶା କଳା ଓ ସାହିତ୍ୟ ମହୋତ୍ସବ ଭୁବନେଶ୍ୱର ଠାରେ ଆରମ୍ଭ ହୋଇଛି। ଏହି ୪ ଦିନ ବ୍ୟାପୀ ମହୋତ୍ସବ ରେ ପ୍ରଥମ ତିନି ଦିନ ଦେଶ ବିଦେଶରୁ ଆସିଥିବା ସାହିତ୍ୟିକ ମାନେ କବିତା, ଉପ ନ୍ୟାସ, ନାଟକ, ଅନୁବାଦ ଓ ଅନ୍ୟାନ୍ୟ ସୃଜନତ୍ମକ କଳା ଉପରେ ଆଲୋଚନା କରିବେ।

୪ର୍ଥ ଦିବସରେ କୋଣାର୍କ ବେଳା ଭୂମିରେ କବିତା ପାଠ ଉତ୍ସବ ” କବିତା ଜନ୍ତାଳ” ସହ ଏହି ଉତ୍ସବ ଉଦଯାପିତ ହେବ। ଚଳିତ ବର୍ଷ ଏହି ଉତ୍ସବରେ ୬ ଟି ଦେଶରୁ ସାହିତ୍ୟିକ ଓ ସମାଲୋଚକ ମାନେ ଯୋଗଦେଇଛନ୍ତି।

ଶୁକ୍ରବାର ଉଦ୍ଘାଟନୀ ଉତ୍ସବରେ ଉଦ୍ଘଟକ ଭାବରେ ଜ୍ଞାନପୀଠ ବିଜେତା ବିଶିଷ୍ଟ ସାହିତ୍ୟିକ ଦାମୋଦର ମଉଜ ଯୋଗ ଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ବିଭିନ୍ନ ଦିଗ ତଥା ଏହାକୁ ଲୋକାଭିମୁଖୀ କରିବାରେ ଏହି ଭଳି ମହୋତ୍ସବର ପ୍ରାସଙ୍ଗିକତା ରହିଛି ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ବନଜ ଦେବୀ, ଏମ କେ ଅଜୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଡକ୍ଟର ସତ୍ୟ ମହାନ୍ତିଙ୍କ ରାଜନୀତି ଓ ଅର୍ଥନୀତି ପରିଚାଳନା ପୁସ୍ତକ ଓ ଅନ୍ୟାନ୍ୟ ପୁସ୍ତକକୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟ କ୍ରମରେ ମହୋତ୍ସବର ନିର୍ଦ୍ଦେଶକ ମନୁ ଦାସ ଅଧ୍ୟକ୍ଷତା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାରେ ସାମୁଦ୍ରିକ ମତ୍ସ୍ୟ ବିକାଶ ପାଇଁ ଦୀର୍ଘ ୪୮୦ କିମି ଉପକୂଳରେ ନିଷେଧାଦେଶ

ଭୁବନେଶ୍ଵର: ଭାରତ ସରକାରଙ୍କ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ମତ୍ସ୍ୟ ସମ୍ପଦ ସଂରକ୍ଷଣ ଏବଂ ସାମୁଦ୍ରିକ ମତ୍ସ୍ୟଚାଷର ସ୍ଥିରତା ପାଇଁ ପୂର୍ବ ଉପକୂଳ ସହିତ ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ଉପକୂଳରେ ଏପ୍ରିଲ ୧୫ ରୁ ଜୁନ୍ ୧୪ ପର୍ଯ୍ୟନ୍ତ ବାର୍ଷିକ ମାଛଧରା କାର୍ଯ୍ୟକଳାପ ଉପରେ ଏକସମାନ ନିଷେଧାଦେଶ ଲାଗୁ କରୁଛି। ଏହାବ୍ୟତୀତ, ଓଡ଼ିଶା ସରକାର ପ୍ରତିବର୍ଷ ନଭେମ୍ବର ୧ ରୁ ମେ ୩୧ ମଧ୍ୟରେ ଅଲିଭ୍ ରିଡଲେ କଇଁଛ ସଂରକ୍ଷଣ ପାଇଁ ଓଡ଼ିଶା ଉପକୂଳର ୧୨୦ କିଲୋମିଟର ଅଞ୍ଚଳରେ (ଗହିରମଥା ସାମୁଦ୍ରିକ ବନ୍ୟପ୍ରାଣୀ ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ଋଷିକୁଲ୍ୟା ନଦୀ ମୁହାଣ ଏବଂ ଧାମରା ନଦୀ ମୁହାଣ) ମାଛ ଧରିବା ଉପରେ ପ୍ରତିବନ୍ଧକ ଲଗାଇଥାନ୍ତି। ଓଡ଼ିଶା ସରକାର ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଅତ୍ୟଧିକ ମାଛଧରା ଘଟଣା ହ୍ରାସ କରିବା ପାଇଁ ଗତ ଦୁଇ ଦଶନ୍ଧି ଧରି ଯାନ୍ତ୍ରିକ ମାଛଧରା ଜାହାଜର ଫ୍ଲିଟ୍ ଆକାର ବୃଦ୍ଧି କରାଯାଇ ନାହିଁ।

ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଅଧୀନରେ ରାଜ୍ୟରେ ସାମୁଦ୍ରିକ ମତ୍ସ୍ୟଚାଷ ସମେତ ମାଛଚାଷ ଏବଂ ଜଳଚର ଚାଷର ବିକାଶ ପାଇଁ ଓଡ଼ିଶା ସରକାର ଏବଂ ଅନ୍ୟାନ୍ୟ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।

ପିଏମଏମଏସୱାଇ ଅଧୀନରେ ଓଡ଼ିଶାର ମତ୍ସ୍ୟ ସମ୍ପଦର ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମତ୍ସ୍ୟଚାଷ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ/ବିପଦ ଥିବା ଅବଧିରେ ଜୀବିକା ଏବଂ ପୁଷ୍ଟିକର ସହାୟତା ପାଇଁ ଓଡ଼ିଶାର ସକ୍ରିୟ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ସାମାଜିକ-ଆର୍ଥିକ ଦୃଷ୍ଟିରୁ ପଛୁଆ ୨୪ ହଜାର ପରିବାରକୁ ବାର୍ଷିକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥାଏ। ଏହାବ୍ୟତୀତ ଓଡ଼ିଶା ଉପକୂଳରେ ଷ୍ଟକ୍‌ ବୃଦ୍ଧି ଏବଂ ଦୀର୍ଘସ୍ଥା ସାମୁଦ୍ରିକ ମାଛ ଧରାକୁ ପ୍ରୋତ୍ସାହନ ଦେବା ଲାଗି ଓଡ଼ିଶା ସରକାରଙ୍କୁ ୯୩ ୟୁନିଟ୍ ଆର୍ଟିଫିସିଆଲ୍‌ ରିଫ୍‌ ମଞ୍ଜୁର କରାଯାଇଛି।

ବିଗତ ପାଞ୍ଚ ବର୍ଷ ମଧ୍ୟରେ ପିଏମଏମଏସୱାଇ ଅଧୀନରେ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗା (ବଦଳି) ଏବଂ ଜାଲ ପାଇଁ ଆର୍ଥିକ ସହାୟତା ପାଇଁ ପ୍ରସ୍ତାବକୁ ଓଡ଼ିଶା ସରକାରଙ୍କୁ ୫.୨୩ କୋଟି ଟଙ୍କାର କେନ୍ଦ୍ରୀୟ ଅଂଶ ସହିତ ୧୭.୨୮ କୋଟି ଟଙ୍କାର ମୋଟ ପ୍ରକଳ୍ପ ଖର୍ଚ୍ଚ ଉପରେ ୫୬୦ ୟୁନିଟ୍‌ ପାଇଁ ଆର୍ଥିକ ସହାୟତା ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି ଏବଂ ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ଦାବି ଆଧାରରେ କେନ୍ଦ୍ରୀୟ ଅଂଶ ଜାରି କରାଯାଇଛି। ଓଡ଼ିଶା ସରକାର ସୂଚନା ଦେଇଛନ୍ତି ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ୨୦୧ ଜଣ ମତ୍ସ୍ୟଜୀବୀଙ୍କୁ ଡଙ୍ଗା ଏବଂ ଜାଲ ବଦଳାଇବା ପାଇଁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଭାରତ ସରକାରଙ୍କ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଅଧୀନରେ ୪୯.୭୧୬ କୋଟି ଟଙ୍କାର କେନ୍ଦ୍ରୀୟ ଅଂଶ ସହିତ ୮୨.୮୬ କୋଟି ଟଙ୍କାର ଖର୍ଚ୍ଚରେ ଓଡ଼ିଶାର ପୁରୀ ଜିଲ୍ଲା ନୂଆଗଡ଼ (ଅସ୍ତରଙ୍ଗ)ରେ ମାଛଧରା ବନ୍ଦର ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ପିଏମଏମଏସୱାଇର କେନ୍ଦ୍ରୀୟ କ୍ଷେତ୍ର ଉପାଦାନ ଅନ୍ତର୍ଗତ ୧୦୦% କେନ୍ଦ୍ରୀୟ ଅଂଶଧନ ସହିତ ୯୯.୭୫ କୋଟି ଟଙ୍କାର ବ୍ୟୟରେ ପାରାଦୀପ ମାଛଧରା ବନ୍ଦରର ଆଧୁନିକୀକରଣ ଏବଂ ଉନ୍ନତିକରଣ ପାଇଁ ପାରାଦୀପ ପୋର୍ଟ ଟ୍ରଷ୍ଟର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।

ଆଜି କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଓରଫ ଲଲନ ସିଂ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ସୂଚନା ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ ମତ୍ସ୍ୟ ସମ୍ବନ୍ଧୀୟ ୪୫୮ଟି ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ୩୦୮୫ ଜଣ ମହିଳା ମତ୍ସ୍ୟ ଚାଷୀଙ୍କୁ ଆଧୁନିକ ମତ୍ସ୍ୟ କୌଶଳରେ ତାଲିମ ଦିଆଯାଇଛି ବୋଲି ଓଡ଼ିଶା ସରକାର ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଅଧୀନରେ ଭାରତ ସରକାରଙ୍କ ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମତ୍ସ୍ୟ ବିଭାଗ ଓଡ଼ିଶା ସମେତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ‘ପ୍ରଶିକ୍ଷଣ, ସଚେତନତା, ପ୍ରଦର୍ଶନ ଏବଂ ଦକ୍ଷତା ବିକାଶ’ ନାମକ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା କାର୍ଯ୍ୟକାରୀ କରୁଛି। ପିଏମଏମଏସୱାଇ ଅଧୀନରେ ୧୦୦% କେନ୍ଦ୍ରୀୟ ସହାୟତା ରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ (ଏନଏଫଡିବି)କୁ ନୋଡାଲ ସଂଗଠନ ଭାବରେ ମନୋନୀତ କରାଯାଇଛି। ୩୪୬୦ ଜଣ ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀଙ୍କୁ ତାଲିମ ଦେବା ପାଇଁ ପିଏମଏମଏସୱାଇ ଅଧୀନରେ ଓଡ଼ିଶାର ମତ୍ସ୍ୟ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବେସରକାରୀ ସଂସ୍ଥା ସମେତ ବିଭିନ୍ନ ସଂସ୍ଥାକୁ ୬୫ଟି ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁମୋଦନ କରାଯାଇଛି।

ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଲୋକପ୍ରିୟ ଜିଓ ଏୟାରଫାଇବର ସହ ଓଡ଼ିଶାରେ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ସୁଦୃଢ଼ କଲା ଜିଓ

ଭୁବନେଶ୍ୱର: ଓଡ଼ିଶାରେ ଜିଓର ଲୋକପ୍ରିୟ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଜିଓ ଏୟାରଫାଇବରର ବଢୁଥିବା ଚାହିଦା ସହିତ ଓୟାରଲାଇନ କ୍ଷେତ୍ରରେ ନିଜର ଅଗ୍ରଣୀ ସ୍ଥିତିକୁ ସୁଦୃଢ କରିଛି ରିଲାଏନ୍ସ ଜିଓ। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ନିକଟରେ ପ୍ରକାଶିତ ହୋଇଥିବା ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୪ ସେପ୍େଟମ୍ବର ମାସରେ ଜିଓ ରାଜ୍ୟରେ ସର୍ବାଧିକ ୧୫୮୦୦ ରୁ ଅଧିକ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଯୋଡିବା ସହିତ ରାଜ୍ୟରେ ମୋଟ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୩.୫୬ ଲକ୍ଷରେ ପହଞ୍ଚିଛି । ଏଥିସହିତ ଜିଓ ରାଜ୍ୟର ପ୍ରଥମ ଅପରେଟର ଭାବରେ ୩.୫ ଲକ୍ଷରୁ ଅଧିକ ଓୟାରଲାଇନ ଗ୍ରାହକ ହାସଲ କରିଛି।

ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ, ଅସୀମିତ ୱାଇଫାଇ ଏବଂ ବିଶ୍ୱସ୍ତରୀୟ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି।

ରାଜ୍ୟର ସମସ୍ତ ଛୋଟ ବଡ ସହର ଓ ନଗର ସହିତ ହଜାର ହଜାର ଗ୍ରାମଗୁଡିକରେ ଭରସାଯୋଗ୍ୟ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଜରିଆରେ ଡିଜିଟାଲ ଲାଇଫଲାଇନ ପାଲଟିଛି ଜିଓ ଏୟାରଫାଇବର । ଜିଓ ଏହାର ଲୋକପ୍ରିୟ ଜିଓ ଏୟାରଫାଇବର ସେବା ମାଧ୍ୟମରେ ଶହ ଶହ ଦୁର୍ଗମ ଗାଁରେ ନିର୍ଭରଯୋଗ୍ୟ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ କରାଇଛି।

ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ତ୍ୱରାନ୍ୱିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଶେଷ ମାଇଲ୍ ଅପ୍ଟିକାଲ୍‌-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁଁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍‌, ସ୍ମାର୍ଟ ହୋମ୍ ସେବା, ୱାଇଫାଇ ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି। ସାରା ଓଡ଼ିଶାରେ ଏବେ ୩.୫୬ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଉପଭୋକ୍ତା ରହିଛନ୍ତି।

ସୂଚନାଯୋଗ୍ୟ ଯେ, ଜିଓ ଦୀର୍ଘ ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ରହିଆସିଛି। ଓଡିଶା ଟେଲିକମ କ୍ଷେତ୍ରରେ ୪୫ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ୫୨ ପ୍ରତିଶତ ରାଜସ୍ୱ ବଜାର ଅଂଶ ସହିତ ଏକ ନମ୍ବର ସ୍ଥାନରେ ରହିଥିବା ଜିଓର ରାଜ୍ୟରେ ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ରହିଛି। ଡିଜିଟାଲ୍ ଅନ୍ତର୍ଭୂକ୍ତିକରଣକୁ ତ୍ୱରାନ୍ୱିତ କରିବା ପାଇଁ ଏହାର ନିରନ୍ତର ଉଦ୍ୟମର ଅଂଶସ୍ୱରୂପ ରିଲାଏନ୍ସ ଜିଓ ଏହାର ୪ଜି / ୫ଜି ନେଟୱାର୍କ ସହିତ ଓଡିଶାର ହଜାର ହଜାର ଦୁର୍ଗମ ଗ୍ରାମଗୁଡିକୁ ଡିଜିଟାଲ ସେବା ସହିତ ସଂଯୁକ୍ତ କରିଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ରହିଥିବା ଡିଜିଟାଲ ବୈଷମ୍ୟକୁ ଦୂର କରିବା ପାଇଁ ଏହାର ନିରନ୍ତର ପ୍ରୟାସ ମାଧ୍ୟମରେ ଜିଓ ଓଡ଼ିଶାର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ଏହାର ହାଇ ସ୍ପିଡ୍ ଡାଟା ନେଟୱାର୍କ ସ୍ଥାପନ କାର୍ଯ୍ୟ ଜାରି ରଖିଛି। ଜିଓର ନିର୍ଭରଯୋଗ୍ୟ ଡାଟା ନେଟୱାର୍କ ଅନେକ ଦୁର୍ଗମ ଅଂଚଳର ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କର ତ୍ୱରିତ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ପଥ ପରିଷ୍କାର କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମହକୁଛି ଓଡ଼ିଶାର ବାସନା ଚାଉଳ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ବାସନା ଚାଉଳର ବାସ୍ନା ଏବେ ଦିଲ୍ଲୀରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ଚାଷୀଙ୍କ ଦ୍ୱାରା ଅମଳ ହୋଇଥିବା ବିଭିନ୍ନ କିସମର ସୁଗନ୍ଧିତ ଚାଉଳ କିଣିବାକୁ ଗ୍ରାହକମାନେ ଆଗ୍ରହ ପ୍ରକାଶ କରୁଛନ୍ତି।

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ମଣ୍ଡପ’ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇଛି। ଗୋଟିଏ ଷ୍ଟଲରେ ବିଭିନ୍ନ ପ୍ରକାର କୃଷି ଉତ୍ପାଦ ମଧ୍ୟରେ ବାଦଶାହା ଭୋଗ, ନୂଆ କଳାଜିରା, ସୁଗନ୍ଧା ଆଦି ବିଭିନ୍ନ କିସମର ଚାଉଳ ପ୍ରଦର୍ଶନ କରାଯିବା ସହ ବିକ୍ରି କରାଯାଉଛି। ଜୈବିକ ପଦ୍ଧତିରେ ଅମଳ ହୋଇଥିବା ଏହିସବୁ ସୁଗନ୍ଧିତ ଚାଉଳର ବେଶ ଚାହିଦା ରହିଛି।

“ଓଡ଼ିଶା ମଣ୍ଡପ ସବୁଠୁ ସୁନ୍ଦର ଲାଗୁଛି। ତା’ସହ ଏଠାରେ ଥିବା ଷ୍ଟଲରେ ବିଭିନ୍ନ ପ୍ରକାର ବାସ୍ନା ଚାଉଳ ମିଳୁଛି। ଆମେ ବାସୁମତୀ ଚାଉଳ ଖାଉଥିବାରୁ ସୁଗନ୍ଧିତ ନୂଆ କଳାଜିରା ଚାଉଳ ନେଉଛୁ,” କହିଛନ୍ତି ପ୍ରବାସୀ ଓଡ଼ିଆ ମଧୁସୂଦନ ପଲାଇ।

ବର୍ତ୍ତମାନ ରାଜ୍ୟର ୧୩ଟି ଜିଲ୍ଲାରେ ୮ ପ୍ରକାର ବାସନା ଚାଉଳ ଚାଷ କରାଯାଉଛି। ଏଥିପାଇଁ ଚାଷୀମାନଙ୍କୁ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଇନ୍‌ପୁଟ ଓ ବୈଷ ୟିକ ସହାୟତା ଦିଆଯାଉଛି। ଚଳିତ ବର୍ଷ ନୂଆଦିଲ୍ଲୀର ବାଣିଜ୍ୟ ମେଳାରେ ପ୍ରାୟ ୨.୮ ମେଟ୍ରିକ୍ ଟନ୍ ସୁଗନ୍ଧିତ ଚାଉଳ ବିକ୍ରି ହେବ ବୋଲି କୃଷି ବିଭାଗ ଆକଳନ କରିଛି।

“ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ବିଭିନ୍ନ ପ୍ରକାର ଉତ୍ପାଦର ପ୍ରଦର୍ଶନ ଓ ବିକ୍ରି ପାଇଁ ଏକ ଅପୂର୍ବ ସୁଯୋଗ। ଚଳିତବର୍ଷ କୃଷି ବିଭାଗ ଷ୍ଟଲରେ ଆମେ ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ସୁଗନ୍ଧିତ ଚାଉଳ ରଖିଛୁ। ତା’ସହିତ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଓଡ଼ିଶାର ଲୋକପ୍ରିୟ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଖାଦ୍ୟ ଦିଲ୍ଲୀର ଗ୍ରାହକମାନେ ପସନ୍ଦ କରୁଛନ୍ତି। ଜାତୀୟସ୍ତରର ବାଣିଜ୍ୟ ମେଳାରେ ଏଭଳି ଯୋଗଦାନ ଓଡ଼ିଶାର ଚାଷୀମାନଙ୍କୁ ବିଶେଷ ଉତ୍ସାହିତ କରିବ,” କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ।

‘ଓଡ଼ିଶା ମଣ୍ଡପ’ରେ ଆଉ ଏକ ଆକର୍ଷଣ ହେଉଛି କୃଷି ବିଭାଗର ‘ଶ୍ରୀ ଅନ୍ନ ଅଭିଯାନ’ ଅଧୀନରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ପାରମ୍ପରିକ ଓ ଆଧୁନିକ ଖାଦ୍ୟ ପଦାର୍ଥ । ତା’ ଭିତରେ ରହିଛି ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ଯେପରିକି ମାଣ୍ଡିଆ ଲଡୁ, ବିସ୍କୁଟ, ମିସ୍କଚର, ନମକିନ୍‌, ନୁଡୁଲ୍‌ସ ଇତ୍ୟାଦି। ‘ଓଡ଼ିଶା ମଣ୍ଡପ’କୁ ବୁଲି ଆସୁଥିବା ପ୍ରବାସୀ ଓଡ଼ିଆ ଏବଂ ବିଭିନ୍ନ ପ୍ରଦେଶର ଲୋକେ ଏହିସବୁ ଜିନିଷ ଆଗ୍ରହର ସହ କିଣି ନେଉଛନ୍ତି।

“ଓଡ଼ିଶା ମଣ୍ଡପରୁ ମୁଁ ହଳଦୀ କିଣିଛି। ତା’ସହ ବିଭିନ୍ନ ପ୍ରକାରର ବାସମତୀ ଚାଉଳ ରହିଥିବା ମଧ୍ୟ ଦେଖିଲି। ବିଶେଷକରି, ଓଡ଼ିଶାର କଳାଜିରା ଚାଉଳ ବିଷୟରେ ଆଗରୁ ମୁଁ ଶୁଣିଥଲି। ତାହା ଏଠାରେ ବିକ୍ରି ହେଉଥିବା ଦେଖି ମତେ ଖୁସି ଲାଗିଲା। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ,” କହିଛନ୍ତି ବାଣିଜ୍ୟ ମେଳା ବୁଲି ଆସିଥିବା ଉତ୍ତର ପ୍ରଦେଶର ଡି କେ ଶର୍ମା।

ବିଭାଗୀୟ ସୂଚନା ଅନୁଯାୟୀ ଗତବର୍ଷ ଓଡ଼ିଶା ଷ୍ଟଲରେ ଦେଢ଼ କୁଇଣ୍ଟାଲରୁ ଅଧିକ ମିଲେଟ୍ ସାମଗ୍ରୀ ବିକ୍ରି ହୋଇଥିଲା। ଏଥର ତାହା ୪ କୁଇଣ୍ଟାଲ ହେବ ବୋଲି ଆକଳନ ରଖାଯାଇଛି। ସେହିପରି ଅନ୍ୟାନ୍ୟ କୃଷି ଉତ୍ପାଦ ମଧ୍ୟରେ ହଳଦୀ, ଝୁଣା ଓ ଲେମନ୍ ଗ୍ରାସ୍ ତେଲ ଇତ୍ୟାଦିକୁ କୃଷି ବିଭାଗ ଷ୍ଟଲରୁ ଗ୍ରାହକମାନେ କିଣୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଲୋକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ‘କରୁଣା ସିଲ୍କ’

ନୂଆଦିଲ୍ଲୀ/ଭୁବନେଶ୍ୱର: ରେଶମ ପୋକକୁ ନମାରି କ୍ରୁରତାହୀନ ଉପାୟରେ ଖୋସାରୁ ସିଲ୍କ ଉତ୍ପାଦନ କରି ଓଡ଼ିଶା ଯେଉଁ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା, ସେଥିରେ ଏକ ନୂଆ ବିଷୟ ଯୋଡ଼ି ହୋଇଛି। ଏହି ପଦ୍ଧତିରେ ବାହାରୁଥିବା ରେଶମ ସୂତାରେ ଏବେ କୌଣସି ପ୍ରକାର କୃତ୍ରିମ ରଙ୍ଗ ନ ମିଶାଇ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ‘କରୁଣା ସିଲ୍କ’ର କପଡ଼ା ପ୍ରସ୍ତୁତ କରାଯାଉଛି। ଏହି କପଡ଼ାରୁ ତିଆରି ଆଧୁନିକ ପୋଷାକ ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗ୍ରାହକଙ୍କ ଆଦର ଲାଭ କରିଛି।

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଚାଲିଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଏହି ମେଳାର ‘ଓଡ଼ିଶା ମଣ୍ଡପ’ରେ ରାଜ୍ୟର ବିଭିନ୍ନ ହସ୍ତକଳା ଓ ହସ୍ତତନ୍ତ, ଜନଜାତି କଳାକୃତି ଏବଂ ଗ୍ରାମୀଣ ଉତ୍ପାଦ ଆଦି ପ୍ରଦର୍ଶନ ଓ ବିକ୍ରି ହେଉଛି। ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ‘ଅମ୍ଳାନ’ ଆଉଟ୍‌ଲେଟ୍‌ରେ ‘କରୁଣା ସିଲ୍କ’ ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ଓ ଆଧୁନିକ ପୋଷାକ ବିକ୍ରି କରାଯାଉଛି। ତା’ ମଧ୍ୟରେ ରହିଛି ଶାଢ଼ି, କପଡ଼ା ଏବଂ ରେଡିମେଡ୍ ଜ୍ୟାକେଟ୍।

‘କରୁଣା ସିଲ୍କ’ ଉତ୍ପାଦନର ଏହି ଅଭିନବ ପଦ୍ଧତିକୁ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ରାଜ୍ୟ ସରକାର ପ୍ରଦର୍ଶନ କରୁଛନ୍ତି। ଓଡ଼ିଶାର ଯାଜପୁର ଜିଲ୍ଲା ଗୋପାଳପୁର ଅଂଚଳର ବୁଣାକାରମାନେ ‘ଓଡ଼ିଶା ମଣ୍ଡପ’ର ଲାଇଭ୍ ଡେମନଷ୍ଟ୍ରେସନ୍ ଭାଗରେ ବସି ପାରମ୍ପରିକ ତନ୍ତ ସାହାଯ୍ୟରେ କପଡ଼ା ବୁଣୁଛନ୍ତି। ଦେଶ ବିଦେଶର ପର୍ଯ୍ୟଟକ, ବିଶେଷକରି ଭାରତୀୟ ପୋଷାକପ୍ରେମୀ ଏଥିପ୍ରତି ଆକର୍ଷିତ ହେବା ସହ ଏହି ଅଭିନବ ସିଲ୍କ ବିଷୟରେ ଅଧିକ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

“ଓଡ଼ିଶାର ‘କରୁଣା ସିଲ୍କ’ ବିଷୟରେ ମୁଁ ପ୍ରଥମଥର ପାଇଁ ବାଣିଜ୍ୟ ମେଳାରୁ ଜାଣିବାକୁ ପାଇଲି। ରେଶମ ପୋକକୁ ନମାରି ଏବଂ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର ନକରି ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ଏଭଳି ସିଲ୍କ ପ୍ରସ୍ତୁତ କରିବା ପ୍ରଶଂସାଯୋଗ୍ୟ”, କହିଛନ୍ତି ମେଳା ବୁଲିବାକୁ ଆସିଥିବା ଦିଲ୍ଲୀର ଉଦିତ ଜୈନ।

“କରୁଣା ସିଲ୍କର ପୋଷାକ ଦିଲ୍ଲୀବାସୀଙ୍କୁ ଭାରି ପସନ୍ଦ ଆସୁଛି। କାରଣ ଏହା ତନ୍ତ ତିଆରି। ତା’ ସାଙ୍ଗକୁ ଏଥିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରାଯାଉ ନାହିଁ। ବାଣିଜ୍ୟ ମେଳାକୁ ଆସୁଥିବା ଲୋକେ ଏହାର ଲାଇଭ୍ ଡେମୋ ଦେଖିବା ପରେ ଏହି ପୋଷାକ ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହ ଦେଖାଉଛନ୍ତି”, କହିଛନ୍ତି ସେରିଫେଡ୍ ପକ୍ଷରୁ ମେଳାର ‘ଅମ୍ଳାନ’ ଆଉଟ୍‌ଲେଟ୍‌ରେ ଥିବା ବାବୁଲି ଦାସ।

ଓଡ଼ିଶାରେ ୪ ପ୍ରକାର ରେଶମ କୀଟର ଚାଷ କରାଯାଉଛି। ସେଗୁଡ଼ିକ ହେଲା ଏରି, ମଲବେରୀ, ଟସର ଏବଂ ମୁଗା। ରାଜ୍ୟରେ ପ୍ରଥମେ ଏରି ବା ଏଣ୍ଡିପୋକ ସୂତାରୁ ‘କରୁଣା ସିଲ୍କ’ ପ୍ରସ୍ତୁତ କରାଯାଉଥିଲା। ଏବେ ସମସ୍ତ ୪ ପ୍ରକାର ରେଶମ ଖୋସାରୁ ଏହି ସିଲ୍କ ପ୍ରସ୍ତୁତ କରାଯାଉଛି। ସାଧାରଣତଃ ରେଶମ ପୋକର ଖୋସାକୁ ପ୍ରଥମେ ଗରମ ପାଣିରେ ସିଝାଇ ସେଥିରୁ ସୂତା ବାହାର କରାଯାଏ। ସେହି ସୂତାରୁ ରେଶମ ପୋଷାକ ତିଆରି ହୁଏ‌। ଗରମ ପାଣିରେ ସିଝାଇବା ବେଳେ ଖୋସାରେ ଥିବା ପୋକର ମୃତ୍ୟୁ ହୁଏ।

ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଗୋଟିଏ ମଲବେରୀ ସିଲ୍କ ଶାଢ଼ି ପ୍ରସ୍ତୁତି ପାଇଁ ୧୦ରୁ ୨୦ ହଜାର ଖୋସା ଦରକାର ପଡ଼ିଥାଏ। ସେହିପରି ଗୋଟିଏ ଟସର ସିଲ୍କ ଶାଢ଼ି ପାଇଁ ୫ରୁ ୭ ହଜାର ପର୍ଯ୍ୟନ୍ତ ଖୋସା ଦରକାର ପଡ଼େ। ଅର୍ଥାତ୍ ଏଥିରେ ସେତିକି ସଂଖ୍ୟାରେ ରେଶମ କୀଟଙ୍କ ଜୀବନ ଯାଇଥାଏ।

କିନ୍ତୁ ‘କରୁଣା ସିଲ୍କ’ ପାଇଁ ରେଶମ କୀଟର ଜୀବନ ଯାଉନାହିଁ। ଏଥିପାଇଁ ଓଡ଼ିଶା କ୍ରୁରତାହୀନ ନୀତିକୁ ଆଦରିନେଇଛି। ନୂତନ ପଦ୍ଧତି ଅନୁଯାୟୀ ପୋକକୁ ନ ମାରି ଏହା ଖୋସାକୁ ଫଟାଇ ପ୍ରଜାପତି ରୂପରେ ଉଡ଼ିଯିବା ପାଇଁ ଛାଡ଼ି ଦିଆଯାଏ। ପରେ ସେହି ଖୋସାକୁ ଆଣି ସେଥିରୁ ସୂତା ବାହାର କରାଯାଏ।

ଗତ କିଛି ବର୍ଷ ଧରି ‘କରୁଣା ସିଲ୍କ’ ପଦ୍ଧତିରେ ବାହାରୁଥିବା ସୂତାରୁ ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ’ ପ୍ରସ୍ତୁତ କରାଯାଉଛି। ଖୋର୍ଦ୍ଧା ନିକଟରେ ଥିବା ରାଉତପଡ଼ା ଅଂଚଳର ବୁଣାକାରମାନେ ଏହି ସୂତାରେ ଆବଶ୍ୟକ ରଙ୍ଗ ଦେଇ ମହାପ୍ରଭୁଙ୍କ ପାଇଁ ଆକର୍ଷଣୀୟ ଖଣ୍ଡୁଆ ପାଟ ବୁଣିଥାଆନ୍ତି। ଏହି ପାଟରେ ଜୟଦେବଙ୍କ ‘ଗୀତଗୋବିନ୍ଦ’ର ପଂକ୍ତି ବୁଣାଯାଇଥାଏ।

‘କରୁଣା ସିଲ୍କ’ର ନୂଆ ଧାରା ହିସାବରେ ଏବେ ଖୋସାରୁ ବାହାରୁଥିବା ସୂତାରେ କୌଣସି ପ୍ରକାର ରାସାୟନିକ ରଙ୍ଗ ନ ମିଶାଇ ତାକୁ ପ୍ରାକୃତିକ ଭାବେ ବ୍ୟବହାର କରାଯାଉଛି। କୌଣସି କୃତ୍ରିମ ରଙ୍ଗ ମିଶି ନଥିବା ଏହି ପୋଷାକ ଏବେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ହୋଇପାରିଛି।

“ବାଣିଜ୍ୟ ମେଳାରେ ପ୍ରଦର୍ଶିତ ‘କରୁଣା ସିଲ୍କ’ ମତେ ବେଶି ଆକର୍ଷିତ କଲା। ପୋକକୁ ନମାରି ଖୋସାରୁ ରେଶମ ସଂଗ୍ରହ କରିବା ସହ ବୟନ ଶିଳ୍ପ କ୍ଷେତ୍ରରେ କ୍ରୁରତାହୀନ ନୀତିର ଏହା ଏକ ସୁନ୍ଦର ପ୍ରୟୋଗ। ଏକଥା ଆଜି ସାରା ଦେଶକୁ ଦେଖାଇଦେଇଛି ଆମ ରାଜ୍ୟ ଓଡ଼ିଶା”, ଓଡ଼ିଶା ମଣ୍ଡପ ବୁଲି ଆସିବା ଅବସରରେ କହିଛନ୍ତି ଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନନ୍ତ ଓଝା।

ଆଗାମୀ ଦିନରେ ‘କରୁଣା ସିଲ୍କ’ ପ୍ରସ୍ତୁତ ପୋଷାକ ପାଇଁ କିପରି ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇପାରିବ, ସେ ଦିଗରେ କାମ କରୁଛି ଓଡ଼ିଶା। ଆମ୍ବ ଓ ପଣସ ଗଛର ଛାଲି, ଗେଣ୍ଡୁଫୁଲ ଓ କୁଙ୍କୁମ ଲଟାର ଫଳରୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ବିଭିନ୍ନ ରଙ୍ଗ ‘କରୁଣା ସିଲ୍କ’ରୁ ତିଆରି ଆଧୁନିକ ପୋଷାକକୁ ରଙ୍ଗିନ ଓ ଆକର୍ଷଣୀୟ କରିବ।

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରୋତ୍ସାହନରେ ରାଜ୍ୟର ୨୨ଟି ଜିଲ୍ଲାରେ ବିଭିନ୍ନ ପ୍ରକାର ରେଶମ ଚାଷ କରାଯାଉଛି। ସେହିପରି ଖୋର୍ଦ୍ଧାର ରାଉତପଡ଼ା, କଟକର ନୂଆପାଟଣା ଏବଂ ଯାଜପୁରର ଗୋପାଳପୁର ଅଂଚଳର ବୁଣାକାରମାନେ ପାରମ୍ପରିକ ଓ ଆଧୁନିକ ରେଶମ ଶାଢ଼ି, କପଡ଼ା ଏବଂ ବିଭିନ୍ନ ପ୍ରକାର ପୋଷାକ ତିଆରି କରୁଛନ୍ତି।

‘କରୁଣା ସିଲ୍କ’ର କ୍ରୁରତାହୀନ ଏବଂ ରଙ୍ଗହୀନ କିସମ ଓଡ଼ିଶାର ଏକ ଅଭିନବ ପ୍ରୟାସ। ଏହା ଭାରତୀୟ ବୟନ ଶିଳ୍ପ ଦୁନିଆରେ ରେଶମ ଉତ୍ପାଦନକୁ ପରିବେଶ ଅନୁକୂଳ ଓ ଦୀର୍ଘସ୍ଥାୟୀ କରିବା ସହ ଓଡ଼ିଶାର ରେଶମ ଚାଷୀ ଏବଂ ଏହି ଶିଳ୍ପ ସହ ଯୋଡ଼ି ହୋଇଥିବା ଲୋକଙ୍କ ଜୀବିକାକୁ ସୁଦୃଢ଼ କରିବାରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ ପୂର୍ବତଟ ରେଳପଥ ଆରମ୍ଭ କରିବ କବଚ ସ୍ଥାପନ କାର୍ଯ୍ୟ

ଭୁବନେଶ୍ଵର: ପୂର୍ବତଟ ରେଳପଥ ଓଡିଶାର ରାଣୀତାଲ (ଭଦ୍ରକ) ଏବଂ ଆନ୍ଧ୍ରପ୍ରଦେଶର ଦୁଭାଡା (ବିଶାଖାପାଟନମ୍) ମଧ୍ୟରେ 595 କିଲୋମିଟରର ଦୂରତା ବିଶିଷ୍ଟ ରେଳ ମାର୍ଗରେ ଉନ୍ନତ କବଚ ପ୍ରଣାଳୀ ସ୍ଥାପନ ପାଇଁ ଯୋଜନା କରି ଏକ ପ୍ରମୁଖ ସୁରକ୍ଷା ଉନ୍ନତି ପ୍ରକଳ୍ପ ଆରମ୍ଭ କରିଛି, ଯାହା ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅଟେ। ଏଥିପାଇଁ ସର୍ଭେ, ଡିଜାଇନ୍, ଯୋଗାଣ, ସ୍ଥାପନ, ପରୀକ୍ଷଣ, ଏବଂ କବଚ ଉପକରଣର କାର୍ଯ୍ୟକ୍ଷମ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଆନୁମାନିକ ମୂଲ୍ୟ 280 କୋଟି ସହିତ ଏହି କବଚ କାର୍ଯ୍ୟ ପାଇଁ ଟେଣ୍ଡର ଆମନ୍ତ୍ରଣ କରାଯାଇଛି।

ବ୍ୟସ୍ତବହୁଳ ତଥା ଗୁରୁତ୍ୱପୂର୍ଣ୍ଣ ରେଳ କରିଡରରେ ସୁରକ୍ଷା ବୃଦ୍ଧି କରାଇବା ପାଇଁ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ଟ୍ରେନ୍ ଧକ୍କା ଏଡାଇବା ପ୍ରଣାଳୀ ବା କବଚ ପ୍ରଣାଳୀ ସ୍ଥାପନ ଏକ ପ୍ରମୁଖ ପ୍ରାଥମିକତା ଅଟେ। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅବଶିଷ୍ଟ ରେଳ ସେକ୍ସନ ଗୁଡିକରେ କବଚ ସଂସ୍ଥାପନ ପାଇଁ ଏକ ବିସ୍ତୃତ ଆକଳନ ଚାଲିଛି। ନିରାପତ୍ତାକୁ ବୃଦ୍ଧି କରାଇବା ପାଇଁ ପୂର୍ବତଟ ରେଳପଥ ମଧ୍ୟ ମାନବ ତ୍ରୁଟିକୁ କମ୍ କରିବା ପାଇଁ ଆଧୁନିକ ସିଗନାଲ୍ ଏବଂ ଇଣ୍ଟରଲକ୍ ସିଷ୍ଟମ୍ ଉପରେ ଧ୍ୟାନ ଦେଉଛି।

କବଚ, ଏକ ସ୍ୱଦେଶୀ ବିକଶିତ ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ୍ (ଏଟିପି) ସିଷ୍ଟମ୍ ଯାହା ଟ୍ରେନ୍ ଧକ୍କା ଏଡ଼ାଇବା ଏବଂ ବର୍ଦ୍ଧିତ ପରିଚାଳନାଗତ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଡିଜାଇନ୍ କରାଯାଇଛି। ଥରେ କାର୍ଯ୍ୟକ୍ଷମ ହୋଇଗଲେ ଏହା ସ୍ୱୟଂଚାଳିତ ବ୍ରେକିଂ, ସ୍ପିଡ୍ ରେଗୁଲେସନ୍ ପ୍ରଦାନ କରିବ ଏବଂ ମାନବ ତ୍ରୁଟିରୁ ରକ୍ଷା ପାଇବାରେ ସାହାଯ୍ୟ କରିବ, ବିଶେଷ କରି ଜରୁରୀକାଳୀନ ପରିସ୍ଥିତିରେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରଣାଳୀ ପାଇଁ ପୃଥକ ଟାୱାର ସହିତ ଟ୍ରାକ୍, ଲେଭଲ୍ କ୍ରସିଂ (LC) ଗେଟ୍ସ ଏବଂ ନିର୍ଦ୍ଧାରିତ ରେଳ ସେକ୍ସନ ସହିତ ଷ୍ଟେସନରେ ଯନ୍ତ୍ରପାତି ସ୍ଥାପନ କରାଯିବ।

ଭିତ୍ତିଭୂମି କାର୍ଯ୍ୟଗୁଡିକ ସମାପ୍ତ ହେବା ପରେ, କବଚ ଉପକରଣଗୁଡ଼ିକ ଏହି ବ୍ୟସ୍ତବହୁଳ କରିଡରରେ ଚାଲୁଥିବା ଟ୍ରେନ ଗୁଡିକରେ ଲଗାଯିବ ସହିତ ଟ୍ରେନ୍, ଷ୍ଟେସନ୍ ଏବଂ କଣ୍ଟ୍ରୋଲ୍ ସେଣ୍ଟର୍ ମଧ୍ୟରେ ପ୍ରକୃତ ସମୟର ଯୋଗାଯୋଗ ନିଶ୍ଚିତ କରିବ, ଯାହାଦ୍ୱାରା ଦୁର୍ଘଟଣାର ଆଶଙ୍କା କମ୍ ହେବ। ଏହି ପଦକ୍ଷେପ ଭାରତୀୟ ରେଳବାଇର ଭିତ୍ତିଭୂମି ଆଧୁନିକୀକରଣ, ଯାତ୍ରୀଙ୍କ ସୁରକ୍ଷା ଏବଂ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପ୍ରତିବଦ୍ଧତା ସହିତ ଅନୁରୂପ ଅଟେ।

ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗର ଏହି ଗୁରୁତ୍ୱପୂର୍ଣ୍ଣ ରେଳ ମାର୍ଗରେ କବଚ ବ୍ୟବସ୍ଥାର ସଫଳ ରୂପାୟନ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ରେଳ କାର୍ଯ୍ୟ ପାଇଁ ଏକ ମାନଦଣ୍ଡ ସ୍ଥିର କରିବ, ଯାହା ସିଗନାଲ୍ ପାସ୍ ଆଟ୍ ଡେଞ୍ଜର (SPAD) ଏବଂ ହେଡ୍-ଅନ୍ ଧକ୍କା ହେବାର ସମ୍ଭାବନାକୁ ହ୍ରାସ କରିବ। ଯାତ୍ରୀମାନଙ୍କ ପାଇଁ ଏହା ଏକ ନିରାପଦ ଭ୍ରମଣ ଅଭିଜ୍ଞତା।

ସାଙ୍କେତିକ ପ୍ରଣାଳୀ ଏବଂ କବଚ୍ ବିକାଶର ଇତିହାସ:

ଫେବୃଆରୀ 2012 ରେ, କାକୋଡକର କମିଟି ସୁପାରିଶ କଲା: ଡିଜିଟାଲ ରେଡିଓ ଆଧାରିତ ସିଗନାଲିଂ ଏବଂ ସୁରକ୍ଷା ବ୍ୟବସ୍ଥା, ETCS L-2 ସହିତ ସମାନ ଏବଂ ସମଗ୍ର ଭାରତୀୟ ରେଳବାଇର ନିୟୋଜିତ।

TCAS ବର୍ତ୍ତମାନ “କବଚ୍” ଏକ ସ୍ୱଦେଶୀ, ମଲ୍ଟି ବିକ୍ରେତା, ପାରସ୍ପରିକ କାର୍ଯ୍ୟକ୍ଷମ, ବିଫଳ ନିରାପତ୍ତା ବ୍ୟବସ୍ଥା ଭାବରେ ଧାରଣା କରାଯାଇଥିଲା।

2014-15: ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ 250 କିଲୋମିଟର ପାଇଲଟ୍ ପ୍ରୋଜେକ୍ଟ ଭାବରେ ସ୍ଥାପନ।

2015-16: ଯାତ୍ରୀବାହୀ ଟ୍ରେନରେ ପ୍ରଥମ କ୍ଷେତ୍ର ପରୀକ୍ଷା।

2017-18: କବଚ୍ ନିର୍ଦ୍ଦିଷ୍ଟକରଣ ସଂସ୍କରଣ 3.2 ଚୂଡାନ୍ତ।

2018-19: ISA ଦ୍ୱାରା SIL-4 ପ୍ରମାଣପତ୍ର ଉପରେ ଆଧାର କରି RDSO ଦ୍ୱାରା ତିନି ବିକ୍ରେତା ଅନୁମୋଦିତ।

ଜୁଲାଇ 2020 “କବଚ୍” ଏକ ଜାତୀୟ ଏଟିପି ସିଷ୍ଟମ୍ ଭାବରେ ଘୋଷିତ।

ମାର୍ଚ୍ଚ 2022 ସୁଦ୍ଧା: କବଚ୍ 1200 ରୁଟ କିଲୋମିଟରରେ ଏକ ବିସ୍ତୃତ ବିଭାଗ ଭାବରେ ସଂସ୍ଥାପିତ ହେଲା।

ମାର୍ଚ୍ଚ 2022 ରେ: ବିଭିନ୍ନ ସ୍ଥାନରେ ବ୍ୟବହାର ମାମଲା ଏବଂ ବିଭିନ୍ନ ହିତାଧିକାରୀଙ୍କ ମତାମତ ଉପରେ ଆଧାର କରି କବଚ୍ ନିର୍ଦ୍ଦିଷ୍ଟକରଣ ସଂସ୍କରଣ 4.0 ର ବିକାଶ ପାଇଁ ନିଆଯାଇଛି।

16.07.24 ରେ କବଚ୍ ସଂସ୍କରଣ 4.0 ନିର୍ଦ୍ଦିଷ୍ଟକରଣ RDSO ଦ୍ୱାରା ଅନୁମୋଦିତ।

10 ବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ସ୍ୱଦେଶୀ କବଚ୍ ପ୍ରଣାଳୀ ବିକଶିତ ହୋଇଛି।

ସେପ୍ଟେମ୍ବର 2024 ରେ: କୋଟା ଏବଂ ସୱାଇ ମାଧୋପୁର ମଧ୍ୟରେ 108 କିଲୋମିଟର ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ କବଚ୍ 4.0 ସ୍ଥାପିତ ଏବଂ କାର୍ଯ୍ୟକ୍ଷମ ହେଲା।

ଅହମ୍ମଦାବାଦ-ବରୋଦା ମଧ୍ୟରେ 84 କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗରେ ପରୀକ୍ଷା ଆରମ୍ଭ ହେଲା।

ମିଶ୍ରିତ ଟ୍ରାଫିକ୍ ଆହ୍ୱାନ, ବିଭିନ୍ନ ସ୍ପିଡ୍ ପରୀକ୍ଷଣ, ବିଭିନ୍ନ ଲୋକୋ, କୋଚିଂ ଏବଂ ୱାଗନ୍ ଷ୍ଟକ୍ ର ଚ୍ୟାଲେଞ୍ଜ / ଆହ୍ୱାନ ଗୁଡିକ ପୂରଣ କରେ।

ବିସ୍ତାର: ଲୋକୋ କବଚ୍ ଏବଂ ଟ୍ରାକ୍ ପାର୍ଶ୍ୱ କାର୍ଯ୍ୟ।

10,000 ଲୋକୋମୋଟିଭ ପାଇଁ CLW ଦ୍ୱାରା ବିଡ୍ ନିମନ୍ତ୍ରିତ:

ବିଡ୍ ଖୋଲା ହେଲା: 04.10.24। ମୂଲ୍ୟାଙ୍କନ ଅନ୍ତର୍ଗତ ଆର୍ଥିକ ବିଡ୍ ତର୍ଜମା। TDC-ନଭେମ୍ବର 2024

ଟ୍ରାକ୍ ସାଇଡ୍ କବଚ୍ କାର୍ଯ୍ୟ ପାଇଁ ଆମନ୍ତ୍ରିତ ବିଡ୍:

○ ଦିଲ୍ଲୀ-ଚେନ୍ନାଇ ଏବଂ ମୁମ୍ବାଇ- ଚେନ୍ନାଇ ରେଳ ମାର୍ଗ : 3375 ରୁଟ କିଲୋମିଟର

○ ସ୍ୱୟଂଚାଳିତ ବ୍ଲକ ରେଳ ସେକ୍ସନ (ABS): 5715 ରୁଟ କିଲୋମିଟର

ମୋଟ: 9090 ରୁଟ କିଲୋମିଟର

ଅନ୍ୟ ବିଭାଗଗୁଡିକ: 5645 ରୁଟ କିଲୋମିଟର

ଆମନ୍ତ୍ରିତ ମୋଟ ବିଡ୍: 14,735 ରୁଟ କିଲୋମିଟର

ବିଡ୍ ଖୋଲା ହେଲା: 1,105 ରୁଟ କିଲୋମିଟର, ଅବଶିଷ୍ଟ ବିଡ୍ ଖୋଲିବ- ନଭେମ୍ବର 24

2030 ସୁଦ୍ଧା କବଚ୍ ରୋଲ୍ ଆଉଟ୍ ଯୋଜନା

ମୋଟିଭ ପାୱାର ୟୁନିଟ୍: ଧୀରେ ଧୀରେ ସମସ୍ତ ୟୁନିଟ୍ କୁ ଆଚ୍ଛାଦନ କରିବା

ଟ୍ରାକ୍ ପାର୍ଶ୍ୱ କାର୍ଯ୍ୟ:

ମୋଟ ମଞ୍ଜୁରୀପ୍ରାପ୍ତ କାର୍ଯ୍ୟ: 36,000 ରୁଟ କିଲୋମିଟର

24-25 ଆର୍ଥିକ ବର୍ଷ ଅମ୍ବରେଲା ୱର୍କ୍ସ ମାଧ୍ୟମରେ : 30,000 ରୁଟ କିଲୋମିଟର ପାଇଁ ମଞ୍ଜୁର

ନିୟୋଜିତ: 1,548 ରୁଟ କିଲୋମିଟର

ଚାଲୁରହିଥିବା କାର୍ଯ୍ୟ : 3000 ରୁଟ କିଲୋମିଟର

○ନିମନ୍ତ୍ରିତ ବିଡ୍: 14,735 ରୁଟ କିଲୋମିଟର

ଯୋଜନା ହୋଇଥିବା ବିଡ୍ 25-26: 17,000 ରୁଟ କିଲୋମିଟର

ଯୋଜନା ହୋଇଥିବା ବିଡ୍ 26-27, 27-28 ପାଇଁ : 30,000 ରୁଟ କିଲୋମିଟର।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ମନ୍ତ୍ରୀମାନେ ବିଜ୍‌ନେସ୍ କ୍ଲାସରେ କରିପାରିବେ ବିମାନ ଯାତ୍ରା 

ଭୁବନେଶ୍ୱର: ଏଣିକି ରାଜ୍ୟର ମନ୍ତ୍ରୀମାନେ ବିଜ୍‌ନେସ୍ କ୍ଲାସରେ ବିମାନ ଯାତ୍ରା କରିପାରିବେ। ରାଜ୍ୟର ଉଭୟ କ୍ୟାବିନେଟ୍ ଓ ରାଷ୍ଟ୍ର ପାହ୍ୟାର ମନ୍ତ୍ରୀମାନେ ଏକ୍‌ଜକ୍ୟୁଟିଭ୍‌/ବିଜେନେସ୍ ଓ କ୍ଲବ କ୍ଲାସ ଆଦିରେ ଯାତ୍ରା କରିପାରିବେ। ସକାରୀ କାର୍ଯ୍ୟରେ ଯାତ୍ରା ପାଇଁ ମନ୍ତ୍ରୀମାନଙ୍କୁ ଏହି ସୁବିଧା ମିଳିବ। ଏନେଇ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ ରାଜ୍ୟ ଭିତରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିଲେ ବିମାନରେ ଯାଇପାରୁଥିଲେ। କିଛି ଦିନ ତଳେ ଏହି ତାଲିକାରେ ଗ୍ରୁପ୍‌-ଏ ଶ୍ରେଣୀର ଅଧିକାରୀମାନଙ୍କୁ ମଧ୍ୟ ସାମିଲ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

‘‘ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ’’ ଯୋଜନା: ଓଡ଼ିଶା ପାଇଁ ୨୦୧.୧୦ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମିତି ‘‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ’’ ଯୋଜନା ଅଧୀନରେ ଛତିଶଗଡ଼, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଇଁ ୭୨୫.୬୨ କୋଟି ଟଙ୍କାର ତିନୋଟି ପ୍ରକଳ୍ପକୁ ମଞ୍ଜୁର କରିଛି। ଏହି ସମିତି ଛତିଶଗଡ଼ ପାଇଁ ୧୪୭.୭୬ କୋଟି ଟଙ୍କା, ଓଡ଼ିଶା ପାଇଁ ୨୦୧.୧୦ କୋଟି ଟଙ୍କା ଏବଂ ପଶ୍ଚିମବଙ୍ଗ ପାଇଁ ୩୭୬.୭୬ କୋଟି ଟଙ୍କା ମଞ୍ଜୁର କରିଛି । ଉଚ୍ଚସ୍ତରୀୟ ସମିତିରେ କେନ୍ଦ୍ର ଅର୍ଥ ମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷ ସଦସ୍ୟ ରୂପେ ସାମିଲ ହୋଇଥାନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପର୍ଯ୍ୟୟ ପ୍ରଶମନକ୍ଷମ ଭାରତ ନିର୍ମାଣ ଲକ୍ଷ୍ୟକୁ ପୂରଣ କରିବା ଲାଗି ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଦେଶରେ ବିପର୍ଯ୍ୟୟର ପ୍ରଭାବୀ ପ୍ରଶମନ ସୁନିଶ୍ଚିତ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରିଛି। ଭାରତରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରଣାଳୀକୁ ମଜବୁତ କରି ବିପର୍ଯ୍ୟୟ ସମୟରେ ବ୍ୟାପକ ଧନଜୀବନ ହାନିକୁ ରୋକିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

କେନ୍ଦ୍ର ସରକାର ‘‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ବିସ୍ତାର ଏବଂ ଆଧୁନିକୀକରଣ’’ ଯୋଜନା ଲାଗି ଏନଡିଆରଏଫ ଅଧୀନରେ ୫୦୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏଥିପୂର୍ବରୁ ୧୫ଟି ରାଜ୍ୟ ନିମନ୍ତେ ୨୫୪୨.୧୨ କୋଟି ଟଙ୍କାର ମୋଟ୍ ପରିବ୍ୟୟ ପ୍ରସ୍ତାବକୁ ମଞ୍ଜୁର କରାଯାଇସାରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଚଳିତ ବର୍ଷ ରାଜ୍ୟଗୁଡ଼ିକୁ ୨୧ ହଜାର ୨୬ କୋଟି ଟଙ୍କାର ଅର୍ଥରାଶି ପୂର୍ବରୁ ଆବଣ୍ଟନ କରାଯାଇ ସାରିଛି। ଏଥିରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରୁ ୨୬ଟି ରାଜ୍ୟକୁ ୧୪ ହଜାର ୮୭୮ କୋଟି ୪୦ ଲକ୍ଷ ଟଙ୍କା, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ)ରୁ ୧୫ଟି ରାଜ୍ୟକୁ ୪,୬୩୭ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସଡିଏମଏଫ)ରୁ ୧୧ଟି ରାଜ୍ୟକୁ ୧୩୮୫ କୋଟି ୪୫ ଲକ୍ଷ ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏନଡିଏମଏଫ)ରୁ ତିନୋଟି ରାଜ୍ୟକୁ ୧୨୪ କୋଟି ୯୩ ଲକ୍ଷ ଟଙ୍କା ସାମିଲ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଜନସ୍ୱାସ୍ଥ୍ୟ ପରିଚାଳନା ପାଇଁ ଲୋକକୁ ସଶକ୍ତ କରିବାକୁ ରିଲାଏନ୍ସ ଫାଉଣ୍ଡେସନର ଉଦ୍ୟମ

ଭୁବନେଶ୍ୱର: ବାତ୍ୟା ଦାନା ପରବର୍ତ୍ତୀ ସମୟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ପ୍ରଶାସନ ଓ ତୃଣମୂଳ ସ୍ତରର ଅନୁଷ୍ଠାନଗୁଡ଼ିକ ସହ ମିଶି ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲା ସୋରଠାରେ ଜନସ୍ୱାସ୍ଥ୍ୟ ବିପଦ ପରିଚାଳନା ଉପରେ ପ୍ରଶିକ୍ଷକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗୁରୁବାର ଭଦ୍ରକ ଜିଲ୍ଲା ତିହିଡ଼ିଠାରେ ମଧ୍ୟ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ନିରାପଦ ପାନୀୟ ଜଳ, ପରିମଳ ଏବଂ ସ୍ୱଚ୍ଛତା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଥିଲା, ଯାହା ବାତ୍ୟା ପ୍ରଭାବିତ ଲୋକଙ୍କ ମଧ୍ୟରେ ରୋଗ ପ୍ରକୋପକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ସ୍ଥାନୀୟ ପ୍ରଶିକ୍ଷକମାନଙ୍କୁ ଅତ୍ୟାବଶ୍ୟକ କୌଶଳ ଓ ଜ୍ଞାନ ପ୍ରଦାନ ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶାରେ ବାତ୍ୟା ଦାନା ତଥା ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ନେଇ ଉଦ୍ୟମ ଜାରି ରଖିଛି।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାତ୍ୟା ଦାନା ଏବଂ ପରବର୍ତ୍ତୀ ବନ୍ୟା ପରିସ୍ଥିତି ଦ୍ୱାରା ପ୍ରଭାବିତ ସ୍ଥାନୀୟ ଲୋକଙ୍କୁ ଫସଲ ସୁରକ୍ଷା ପଦକ୍ଷେପ, ପ୍ରଭାବିତ ଲୋକଙ୍କୁ ରିଲିଫ ପ୍ରଦାନ ସହାୟତା ଏବଂ ଜନସ୍ୱାସ୍ଥ୍ୟ ଅଭିଯାନ ଭଳି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

ରିଲାଏନ୍ସ ଫାଉଣ୍ଡେସନର ବାତ୍ୟା ସମୟରେ ଓ ପରବର୍ତ୍ତୀ ସମୟରେ କାର୍ଯ୍ୟ ପାଇଁ ଅକ୍ଳାନ୍ତ ପ୍ରୟାସକୁ ଓଡ଼ିଶା ସରକାର ଓ ଭଦ୍ରକ ଜିଲ୍ଲା ପ୍ରଶାସନ ଉଚ୍ଚ ପ୍ରଶଂସା କରିବା ସହ ସ୍ୱୀକୃତି ପ୍ରଦାନ କରିଛନ୍ତି।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦାନା ବାତ୍ୟା ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଯାଇଥିଲା। ବାତ୍ୟା ପ୍ରଭାବିତ ଲୋକଙ୍କ ସହ ଠିଆ ହୋଇ ରିଲାଏନ୍ସ ଫାଉଣ୍ଡେସନ ସରକାର ଏବଂ ଅନ୍ୟ ସଂଗଠନ ସହ ମିଶି କ୍ଷତିଗ୍ରସ୍ତଙ୍କୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବାରେ ସାହାଯ୍ୟ କରିଛ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବାଭାବିକତା ଫେରାଇଆଣିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ଅନ୍ୟ ସଂସ୍ଥା ଏବଂ ଲୋକମାନଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିଛି। ବାତ୍ୟା ଦାନାର ପ୍ରଭାବ ଯେଭଳି ସର୍ବନିମ୍ନ ରହିବ ସେଥିନେଇ ତୁରନ୍ତ କାର୍ଯ୍ୟ କରିବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କର୍ତ୍ତୃପକ୍ଷ, ନାଗରିକ ସମାଜ ସଂଗଠନ ଏବଂ ଲୋକଙ୍କ ସହ ମିଳିତ ଭାବେ ଆଗୁଆ ପଦକ୍ଷେପ ନିଆଯାଇଥିଲା।

ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ତୁରନ୍ତ ରିଲାଏନ୍ସ ଫାଉଣ୍ଡେସନର କର୍ମଚାରୀ ଓ ଗୋଷ୍ଠୀ ସ୍ୱେଚ୍ଛାସେବୀମାନେ ଭଦ୍ରକ ଜିଲ୍ଲାରେ କର୍ତ୍ତୃପକ୍ଷଙ୍କ ସହ ହାତ ମିଳାଇ ରାସ୍ତା ଉପରେ ଭାଙ୍ଗିପଡିଥିବା ଗଛ ଓ ଅନ୍ୟ ଅବରୋଧ ସଫା କରିବା ସହ ଅତ୍ୟାବଶ୍ୟକ ଜନସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରିବା ସମେତ ବାତ୍ୟା ପରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ନେଇ ବିବିଧ ପରାମର୍ଶ ଓ ସୂଚନା ପ୍ରଦାନ କରିଥିଲେ।

Categories
Diwali ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

ଦୀପାବଳି, ଜାଣନ୍ତୁ ଏହି ଦିନ ମା କାଳୀଙ୍କୁ କାହିଁକି ପୂଜା କରାଯାଏ

ଭୁବନେଶ୍ବର: ଭାରତର ଅଧିକାଂଶ ରାଜ୍ୟରେ ଦୀପାବଳି ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ହେଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଦେବୀ କାଳୀଙ୍କୁ ଏହି ଦିନ ପୂଜା କରାଯାଇଥାଏ।

କାହିଁକି କାଳୀ ପୂଜା କରାଯାଏ

ଅସୁରମାନଙ୍କୁ ହତ୍ୟା କରିବା ପରେ ମଧ୍ୟ ଯେତେବେଳେ ମହାକାଳୀଙ୍କ କ୍ରୋଧ କମି ନଥିଲା, ଭଗବାନ ଶିବ ନିଜେ ତାଙ୍କ ପାଦତଳେ ଶୋଇଯାଇଥିଲେ। ଭଗବାନ ଶିବଙ୍କ ଶରୀରର ତାଙ୍କ ପାଦ ସ୍ପର୍ଶ କରିବା ପରେ ଦେବୀ ମହାକାଳୀଙ୍କ କ୍ରୋଧ ଭଙ୍ଗ ହେଲା। ଏହାକୁ ସ୍ମରଣ କରି ତାଙ୍କ ଶାନ୍ତ ରୂପେ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବାବେଳେ ଏହି ରାତିରେ ତାଙ୍କର ଭୟଙ୍କର ରୂପ କାଳୀଙ୍କୁ ମଧ୍ୟ ପୂଜା କରିବାର ନିୟମ କେତେକ ରାଜ୍ୟରେ ରହିଛି।

କାଳୀ ପୂଜାର ମହତ୍ତ୍ବ କ’ଣ ?

ଦୁଷ୍ଟ ଏବଂ ପାପୀମାନଙ୍କୁ ବିନାଶ କରିବା ପାଇଁ ଦେବୀ ଦୁର୍ଗା ମା କାଳୀ ଭାବରେ ଅବତାରିତ ହୋଇଥିଲେ। ବିଶ୍ୱାସ କରାଯାଏ ଯେ ମା କାଳୀଙ୍କୁ ପୂଜା କରିବା ଜୀବନର ସମସ୍ତ ଦୁଃଖ ଦୂର କରିଥାଏ। ଶତ୍ରୁମାନେ ବିନାଶ ହୁଅନ୍ତି। କୁହାଯାଏ ଯେ ମା କାଳୀଙ୍କୁ ପୂଜା କରି ରାହୁ ଗ୍ରହ ମଧ୍ୟ ଶାନ୍ତ ହୁଅନ୍ତି। ତନ୍ତ୍ର ସାଧନା ପାଇଁ ଅଧିକାଂଶ ସ୍ଥାନରେ ମା କାଳୀଙ୍କୁ ପୂଜା ମଧ୍ୟ କରାଯାଏ।

କାଳୀ ପୂଜା କିପରି କରାଯାଏ?

ମା କାଳୀଙ୍କୁ ଦୁଇଟି ଉପାୟରେ ପୂଜା କରାଯାଏ, ଗୋଟିଏ ସାଧାରଣ ଏବଂ ଅନ୍ୟଟି ହେଉଛି ତନ୍ତ୍ର ପୂଜା। ଯେକେହି ସାଧାରଣ ପୂଜା କରିପାରିବେ।

ବିଶେଷତ ମାତା କାଳୀଙ୍କ ସାଧାରଣ ପୂଜାରେ ୧୦୮ ନାଲି ମନ୍ଦାର ଫୁଲ, ୧୦୮ ବେଲପତ୍ର, ୧୦୮ ମାଟି ଦୀପ ଏବଂ ୧୦୮ ଦୁବ ଅର୍ପଣ କରିବାର ପରମ୍ପରା ଅଛି। ଏହା ସହିତ ମୌସୁମୀ ଫଳ, ମିଠା, ଖିଚିଡି, ଖିରି, ଭଜା ପନିପରିବା ଏବଂ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ମଧ୍ୟ ମା’ଙ୍କୁ ଭୋଗ ଦିଆଯାଏ। ଏହି ପୂଜା ପଦ୍ଧତିରେ ସକାଳରୁ ରାତି ପର୍ଯ୍ୟନ୍ତ ଉପବାସରେ ରହିବାକୁ ପଡେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାକୁୁ ଏକ ପ୍ରତିରକ୍ଷା ସରଞ୍ଜାମ କରିଡରରେ ପରିଣତ କରାଯାଉ: ପ୍ରତିରକ୍ଷା ବିଶେଷଜ୍ଞ

ଭୁବନେଶ୍ୱର: ଭାରତୀୟ ସେନାବାହିନୀରେ ବ୍ୟବହାର ନିମନ୍ତେ ଆବଶ୍ୟକୀୟ ଉପକରଣକୁ ନେଇ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ଦେଶ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶାକୁ ଏକ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ହବ୍‌ରେ ପରିଣତ କରିବା ନିମନ୍ତେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଶନିବାର ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଭାରତୀୟ ସେନାବାହିନୀର ପୂର୍ବତନ ଉପମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ଯେଉଁଭଳି ପର୍ଯ୍ୟାପ୍ତ ସୁଯୋଗ ରହିଛି ଏଠାରେ ସଫଳ ଭାବେ ଏକ ପ୍ରତିରକ୍ଷା ସରଞ୍ଜାମ କରିଡର ସୃଷ୍ଟି କରିହେବ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆୟୋଜିତ ‘ମିଶନ୍‌: ମେକ୍ ଇନ୍ ଓଡ଼ିଶା ଫର୍ ଡିଫେନ୍ସ ଇଣ୍ଡଷ୍ଟ୍ରୀ-ଅପର୍ଚୁନିଟିଜ୍ ଗାଲୋର’ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଲେଫ୍ଟନାଂଟ ଜେନେରାଲ ମହାନ୍ତି।

ଏହି ସମ୍ମିଳନୀକୁ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ୍‌, ସୋଆ ଏବଂ ସୋଆ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଉଦ୍ୟୋଗପତି ଏବଂ ଶିଳ୍ପ କ୍ଷେତ୍ରର ବ୍ୟକ୍ତିଙ୍କୁ ସେନାବାହିନୀର ବିଶେଷଜ୍ଞଙ୍କ ସହ ଗୋଟିଏ ମଂଚରେ ଏକିତ୍ରିତ କରିବା।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ଏଓସି-ଇନ୍ -ସି, ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ଏୟାର ମାର୍ଶାଲ ଡି.କେ. ପଟ୍ଟନାୟକ, ଡିଆର୍‌ଡିଓର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ସିଷ୍ଟମ୍‌ର ଡାଇରେକ୍ଟର ଜେନେରାଲ ଡକ୍ଟର ବି.କେ. ଦାସ, ପୂର୍ବତନ ଆଡିସ୍‌ନାଲ୍ ସର୍ଭେୟର ଜେନେରାଲ ତଥା ଓସିଏଫ୍‌ର ଚେୟାରମ୍ୟାନ ମେଜର ଜେନେରାଲ ରମେଶ ଚନ୍ଦ୍ର ପାଢ଼ୀ, ଓସିଏଫର କୋ-ଚେୟାରମ୍ୟାନ ବ୍ରିଗେଡିୟର ଏଲ୍‌.ସି. ପଟ୍ଟନାୟକ ଏବଂ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍‌ର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ତୁଷାର ସାହୁ ବକ୍ତବ୍ୟ ରଖିଥିଲେ।

ଲେଫ୍ଟନାଂଟ ଜେନେରାଲ ମହାନ୍ତି କହିଥିଲେ ଯେ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ଖଣିଜ ସମ୍ପଦ, ୪୮୦ କିଲୋମିଟର ଦୀର୍ଘ ସମୁଦ୍ରତଟ, ସଡ଼କ ଓ ପର୍ଯ୍ୟାପ୍ତ ପରିମାଣର କୁଶଳୀ କାରୀଗର ରହିଥିବା ବେଳେ ଓଡ଼ିଶାକୁ ଏକ ପ୍ରତିରକ୍ଷା ସରଞ୍ଜାମ କେନ୍ଦ୍ର ଭାବେ ଗଢ଼ି ତୋଳିବା ନେଇ ଏହି ସମ୍ମିଳନୀ ଏକ ମଂଚ ପ୍ରସ୍ତୁତ କରୁଛି।

ଓଡ଼ିଶାରେ ବିଭିନ୍ନ ପ୍ରତିରକ୍ଷା କେନ୍ଦ୍ର ଯେପରିକି ସୁନାବେଡାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍‌), ବଲାଙ୍ଗୀର ସ୍ଥିତ ଅର୍ଡନାନ୍ସ ଫ୍ୟାକ୍ଟ୍ରୀ ଏବଂ ବାଲେଶ୍ୱରର ଚାନ୍ଦିପୁରରେ ଇନ୍‌ଟରିମ୍ ଟେଷ୍ଟ ରେଞ୍ଜ (ଆଇଟିଆର୍‌) ଏବଂ ପ୍ରୁଫ୍ ଆଣ୍ଡ ଏକ୍ସପେରିମେଂଟାଲ୍ ଏଷ୍ଟାବ୍ଲିସ୍‌ମେଂଟ ରହିଛି । ପୂର୍ବ ଭାରତରେ କୌଣସି ପ୍ରତିରକ୍ଷା ଶିଳ୍ପ କରିଡର ନଥିବା ଦୃଷ୍ଟିରୁ ଓଡ଼ିଶାକୁ ଏକ ପ୍ରତିରକ୍ଷା ସରଞ୍ଜାମ ହବ୍ ଭାବେ ପରିଣତ କରିହେବ ବୋଲି ସେ କହିଥିଲେ।

ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହୃତ ହେଉଥିବା ସରଞ୍ଜାମ ଓ ଅନ୍ୟ ଉପକରଣଗୁଡ଼ିକ ନିମନ୍ତେ ହେଉଥିବା ଖର୍ଚ୍ଚ ବିଷୟରେ ଧାରଣା ସୃଷ୍ଟି କରିବାକୁ ଲେଫ୍ଟନାଂଟ ଜେନେରାଲ ମହାନ୍ତି କହିଥିଲେ ଯେ ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟର ଯୁଦ୍ଧ ଜାହାଜ ନିର୍ମାଣରେ ପ୍ରାୟ ୨୩୦୦୦ କୋଟି ଟଙ୍କା ବ୍ୟୟ କରାଯାଏ ଯାହାକି ସିକିମ ଭଳି ଗୋଟିଏ ରାଜ୍ୟର ବାର୍ଷିକ ବଜେଟର ପ୍ରାୟ ଦୁଇଗୁଣ । ଗୋଟିଏ ହେଲିକପ୍ଟର ନିର୍ମାଣରେ ୧୧୦ କୋଟି ଟଙ୍କା ଓ ଗୋଟିଏ ଅର୍ଜୁନ୍ ବ୍ୟାଟଲ ଟ୍ୟାଙ୍କ ନିମନ୍ତେ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।

ସେ କହିଥିଲେ ଯେ, ଓଡ଼ିଶାର ନୂତନ ସରକାର ଶିଳ୍ପ କ୍ଷେତ୍ରରେ ୫ ଲକ୍ଷ କୋଟି ଟଙ୍କାର ବିନିଯୋଗ ଲକ୍ଷ୍ୟ ରଖିଛନ୍ତି । ଏଥି ନିମନ୍ତେ ସରକାର ମଧ୍ୟ ୧୬୦,୦୦୦ ଏକର ପର୍ଯ୍ୟବେସିତ ଲ୍ୟାଣ୍ଡ ବ୍ୟାଙ୍କର ମଧ୍ୟ ବ୍ୟବସ୍ଥା କରିଛନ୍ତି।

ଓଡ଼ିଶାକୁ ଏକ ପ୍ରତିରକ୍ଷା ସରଞ୍ଜାମ ହବ୍‌ରେ ପରିଣତ କରିବାର ପ୍ରୟାସକୁ ପ୍ରଶଂସା କରି ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ଏହି ଉଦ୍ୟମକୁ ବାସ୍ତବ ରୂପ ଦେବା ନିମନ୍ତେ ପ୍ରଚେଷ୍ଟା ଆବଶ୍ୟକ। ଓଡ଼ିଶାରେ ବର୍ତମାନ ଯେଉଁ ସରକାର ଅଛନ୍ତି ଏହି ଉଦ୍ୟମକୁ ସମର୍ଥନ କରି ବାସ୍ତବତାର ରୂପ ଦେବେ ବୋଲି ସେ କହିଥିଲେ।

ଚାନ୍ଦିପୁର ସ୍ଥିତ ଆଇଟିଆର୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଦାସ କହିଥିଲେ ଯେ ଡିଆର୍‌ଡିଓ ପକ୍ଷରୁ ୧୦ କିଲୋମିଟର ରେଞ୍ଜର ତ୍ରିଶୁଳ ମିଜାଇଲ୍ ପ୍ରସ୍ତୁତ କରାଯାଇଥିଲା। ଏହାର ସରଞ୍ଜାମଗୁଡ଼ିକୁ ଆମେରିକା ଓ ଇସ୍ରାଏଲ୍‌ରୁ ଆମଦାନୀ କରାଯାଇଥିଲା। ଯେତେବେଳେ ଏହାର ଆମଦାନୀ ବନ୍ଦ ହୋଇଗଲା ଏହି ସାମଗ୍ରୀକୁ ସରକାର ନିଜ ଦେଶରେ ପ୍ରସ୍ତୁତ କରିବାର ନିଷ୍ପତି ନେଇଥିଲେ ଏବଂ ଏହା ଖୁବ୍ ସଫଳ ହୋଇଥିଲା।

ପରବର୍ତ୍ତୀ ସମୟରେ ୫୦୦୦ କିମି ରେଞ୍ଜର ଅଗ୍ନି ମିଜାଇଲ୍ ପ୍ରସ୍ତୁତ ହେବା ସମୟରେ ଏଥିରେ ବ୍ୟବହୃତ ସରଞ୍ଜାମଗୁଡ଼ିକୁ ଦେଶ ମଧ୍ୟରେ ହିଁ ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ରାଡାର ଓ ଟେଲିମେଟ୍ରିକ୍ ସିଷ୍ଟମରେ ବ୍ୟବହାର କରାଯାଉଥିବା ସରଞ୍ଜାମ ଏବଂ ଉତ୍ପାଦଗୁଡ଼ିକୁ ଭାରତରେ ହିଁ ପ୍ରସ୍ତୁତ କରାଯାଉଥିବା ସେ କହିଥିଲେ।

ବିଶ୍ୱରେ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହେବା ନିମନ୍ତେ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ନିଜକୁ ଦୃଢ଼ କରିବାକୁ ପଡ଼ିବ। ତେଣୁ ଏ କ୍ଷେତ୍ରରେ ସରଞ୍ଜାମ ପ୍ରସ୍ତୁତି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବ୍ରିଗେଡିୟର (ଡ) ପଟ୍ଟନାୟକ କହିଥିଲେ। ସୁନାବେଡା ସ୍ଥିତ ହାଲ୍ ବିମାନ ଇଞ୍ଜିନ୍ ପ୍ରସ୍ତୁତ କରିବା ନିମନ୍ତେ ୨୬,୦୦୦ କୋଟି ଟଙ୍କାର ଅର୍ଡର ପାଇଥିବା ସେ କହିଥିଲେ।

ଏହି ଏକ ଦିବସୀୟ ସମ୍ମିଳନୀରେ ପ୍ରତିରକ୍ଷା ସରଞ୍ଜାମ ସମ୍ବନ୍ଧୀୟ ଅନେକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ତୁଷାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପର୍ଯ୍ୟଟନ ବୃଦ୍ଧି ପାଇଁ ରେଲୱେର ଅବଦାନ: ବିଶ୍ୱ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି ଓଡିଶାର ଏହି ସ୍ଥାନ

ଭୁବନେଶ୍ଵର: ଓଡ଼ିଶା, ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ପୂର୍ବ ଛତିଶଗଡ଼ ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ବିବିଧ ପରିବେଶ ଏବଂ ଐତିହାସିକ ସ୍ଥଳୀଗୁଡ଼ିକ ବିଶ୍ୱ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି। ପୂର୍ବତଟ ରେଳପଥ ଭାରତୀୟ ରେଳର ଏକ ପ୍ରମୁଖ ଜୋନାଲ ରେଳପଥ ଭାବରେ ଏହି ଅଞ୍ଚଳର ପର୍ଯ୍ୟଟନ କ୍ଷମତାକୁ ବୃଦ୍ଧି କରିବାରେ ମୂଖ୍ୟ ଭୂମିକା ନିଭାଉଛି।  ପୂର୍ବତଟ ରେଳପଥର ସେବା ଏକ ପକ୍ଷରୁ ବର୍ଗିକୃତ ପର୍ଯ୍ୟଟନକୁ ଜୋଗାଉଥିବା ବେଳେ ଅନ୍ୟ ପକ୍ଷରୁ ଅନ୍ତର୍ଭୁକ୍ତ ଅଞ୍ଚଳଗୁଡ଼ିକର ପର୍ଯ୍ୟଟନକୁ ଆଗକୁ ବଢ଼ାଇବା ପାଇଁ ସହଯୋଗ କରୁଛି, ଯାହା ଓଡ଼ିଶା ସହିତ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ବସ୍ତର ଅଞ୍ଚଳକୁ ଏକ ସୁଦୃଢ଼ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରୁଛି।

ଚିଲିକା ହ୍ରଦ: ବୈବିଧ୍ୟର ସ୍ୱର୍ଗ

ଚିଲିକା ହ୍ରଦ, ଏସିଆର ସବୁଠାରୁ ବଡ଼ ବ୍ରାକିଶ୍ (ଉଜ୍ଜ୍ୱଳ) ଜଳର ହ୍ରଦ। ବିଦେଶାଗତ ପକ୍ଷୀ ମାନଙ୍କର ରାବ ଦର୍ଶକମାନଙ୍କ ପାଇଁ ଏକ ସ୍ୱର୍ଗସଦୃଶ ସ୍ଥାନ। ପୂର୍ବତଟ ରେଳପଥ ଏହି ଅବସରକୁ ବହୁ ଜାତୀୟ ଏବଂ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ସାହାଯ୍ୟ କରୁଛି। ବାଲୁଗାଁ ଏବଂ ଚିଲିକା ଷ୍ଟେସନ ମାଧ୍ୟମରେ ଏହାକୁ ସାରା ବିଶ୍ୱ ସହ ସଂଯୋଗ କରାଯାଇଛି।  ପର୍ଯ୍ୟାପ୍ତ ସୁବିଧା ସହିତ ପୂର୍ବତଟ ରେଳପଥ ଏହି ସ୍ଥାନକୁ ପର୍ଯ୍ୟଟନ ସ୍ୱର୍ଗରେ ପରିଣତ କରିଛି।

କୋଟ୍ଟାଭାଲାସା-କିରନ୍ଦୁଲ (କେକେ) ଏବଂ କୋରାପୁଟ-ରାୟଗଡା (କେଆର) ଲାଇନର ଘାଟ ଦୃଶ୍ୟ:

କୋରାପୁଟ-ରାୟଗଡ଼ା ଏବଂ କୋଟ୍ଟାଭାଲାସା-କିରନ୍ଦୁଲ ଲାଇନରେ ଅବସ୍ଥିତ ଘାଟ ସେକ୍ସନ ବହୁତ ସୁନ୍ଦର ଜଳପ୍ରପାତ ଏବଂ ପ୍ରାକୃତିକ ମନୋରମ ଭରା ଦୃଶ୍ୟ ଦେଖାଯାଏ। ଏହି ଆଦିମବାସୀ ଅଞ୍ଚଳଗୁଡ଼ିକ ସହିତ ଆରକୁ ଘାଟ ମାଧ୍ୟମରେ ଟ୍ରେନ ଯାତ୍ରାରେ ଅବସ୍ଥିତ, ପର୍ଯ୍ୟଟନର ଏକ ନୂଆ ଅନୁଭବ ଦିଏ।

ପୁରୀ, କୋଣାର୍କ ଏବଂ ସ୍ୱର୍ଣ୍ଣିମ ବେଳାଭୂମି:

ପୁରୀର ସ୍ୱର୍ଣ୍ଣିମ ବେଳାଭୂମି ଓ କୋଣାର୍କ ସୂର୍ଯ୍ୟ ମନ୍ଦିର, UNESCO ଦ୍ୱାରା ଆମୋଦିତ ହେବା ସହିତ ବିଶ୍ୱ ସ୍ତରରେ ପରିଚିତ ହୋଇଛି। ପୂର୍ବତଟ ରେଳପଥ ପକ୍ଷରୁ ଏହି ପର୍ଯ୍ୟଟନ ସ୍ଥଳ ଗୁଡିକର ସଂସ୍କୃତିକ ମାର୍ଗକୁ ସଂଯୋଗ କରାଯାଇଅଛି ଯାହା ଏକ ମହତ୍ୱପୂର୍ଣ୍ଣ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥାନରେ ପରିଣତ ହୋଇଛି। ବିଶେଷ ଟ୍ରେନ ସେବା ସହିତ ରଥଯାତ୍ରା ସମୟରେ ଅତ୍ୟଧିକ ରେଳ ସଂଯୋଗ କରାଯାଇଛି।

ଗୋପାଳପୁର ବେଳାଭୂମି:

ଗୋପାଳପୁରର ସଫା ବେଳାଭୂମି ଏବଂ ନୀଳ ସମୁଦ୍ର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି। ଯାହାକୁ ପୂର୍ବତଟ ରେଳପଥ ଆକର୍ଷଣୀୟ ରେଳ ମାର୍ଗରେ ସଂଯୋଗ ଯୋଗାଉଛି। ସମସ୍ତ ଅଞ୍ଚଳରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି।

ସିଆଳି ବେଳାଭୂମି, ଜଗତସିଂହପୁର

ସିଆଳି ବେଳାଭୂମି ଏକ ସଫା ସମୁଦ୍ରତଟ ହେବା ସହିତ ଏକ ସୁନ୍ଦର ଶାନ୍ତ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇଛି। ଏହି ସ୍ଥାନକୁ ପୂର୍ବତଟ ରେଳପଥ ଦ୍ୱାରା ସଂଯୋଗ କରିବା ସହ ଏହାର ପର୍ଯ୍ୟଟନକୁ ପ୍ରୋତ୍ସାହନ କରୁଛି।

ଭିତରକନିକା ଜାତୀୟ ଉଦ୍ୟାନ: ଏକ ହେନ୍ତାଳ ବଣ ଅଭୟାରଣ୍ୟ

ଭିତରକାନିକା ହେଉଛି ଭାରତର ସବୁଠାରୁ ବଡ ହେନ୍ତାଳ ବଣ ପରିସ୍ଥିତି ଯାହା ବିଭିନ୍ନ ପ୍ରାଣୀଜାତିଙ୍କର ଏନ୍ତୁଡ଼ିଶାଳ ଭାବେ ପରିଚିତ ଦେଉଥିବାବେଳେ ଲୁଣିପାଣି ଘଡ଼ିଆଳ କୁମ୍ଭୀର ମାନଙ୍କ ପାଇଁ ଉପକୃଷ୍ଟ ଅବସ୍ଥିତି ଯୋଗାଉଅଛି। ଭଦ୍ରକ ଏବଂ କଟକରୁ ପର୍ଯ୍ୟଟକମାନେ ଏହି ବାସ୍ତବିକ ପରିବେଶ ଅନ୍ତର୍ଗତ ଅଭୟାରଣ୍ୟରେ ସହଜରେ ପହଞ୍ଚି ପାରିବେ। ଇକୋ-ପର୍ଯ୍ୟଟନକୁ ବୃଦ୍ଧି କରାଇବା ପାଇଁ ଏବଂ ଏହି ପ୍ରାକୃତିକ ସ୍ଥଳକୁ ପର୍ଯ୍ୟଟକମାନଙ୍କୁ ପରିବହନ ସେବା ଯୋଗାଇଦେବାପାଇଁ ପୂର୍ବତଟ ରେଳପଥ ବିଶେଷ ଧ୍ୟାନ ଦେଇଆସୁଅଛି।

କେନ୍ଦୁଝର : ଲୁକ୍କାୟିତ ପର୍ଯ୍ୟଟନ ରତ୍ନ

କେଉଁଝର ଜିଲ୍ଲା ପାଣି ପାହାଡ଼, ଘନ ଜଙ୍ଗଲ, ଓ ପ୍ରାଚୀନ ମନ୍ଦିର ସହିତ ସମୃଦ୍ଧ। ଏଠାରେ ଖଣ୍ଡାଧାର ଜଳପ୍ରପାତ, ଘଟଗାଁ, ଗୋନାସିକା ଓ ସିତାବିଞ୍ଜି ଲୋକପ୍ରିୟ ସ୍ଥାନଗୁଡିକ ଅଛି।  ପୂର୍ବତଟ ରେଳପଥ କେଉଁଝର ପାଇଁ ସଂଯୋଗ ବୃଦ୍ଧି କରିଛି, ଯାହା ପର୍ଯ୍ୟଟକମାନେ ସହଜରେ ଦୂରଦୂରାନ୍ତ ଅଞ୍ଚଳରୁ ପହଞ୍ଚି ପାରିବେ।

ଭଦ୍ରକ ଓ ଯାଜପୁର : ଇତିହାସ ଓ ପ୍ରକୃତିର ସମ୍ମିଳନ

ଭଦ୍ରକ ଓ ଯାଜପୁର ଜିଲ୍ଲାଗୁଡିକ ଇତିହାସ, ଆଧ୍ୟାତ୍ମିକତା ଓ ପ୍ରାକୃତିକ ଆକର୍ଷଣର ଏକ ସମ୍ମିଳନ ପ୍ରଦାନ କରୁଅଛି କରେ। ଯାଜପୁରର ପବିତ୍ର ବିରଜା ମନ୍ଦିର ଓ ଭଦ୍ରକର ଆରଡ଼ି ସହିତ ଦୀର୍ଘ ସମୁଦ୍ର ତଟ ଓ ପୋର୍ଟ କୁ ପୂର୍ବତଟ ରେଳପଥ ରେଳ ସେବା ସହ ସଂଯୋଗ କରେ, ଯାହା ପର୍ଯ୍ୟଟକମାନଙ୍କୁ ସହଜରେ ଏହି ସଂସ୍କୃତିକ ଓ ଅତିହ୍ୟ ପୂର୍ଣ୍ଣ ସମ୍ମିଳନ ପ୍ରଦାନ କରନ୍ତି।

ଢେଙ୍କାନାଳ, ଅନୁଗୁଳ ଓ ଦେଓଗଡ଼: ସଂସ୍କୃତିକ ଓ ପ୍ରାକୃତିକ ଧନ

ଏହି ଜିଲ୍ଲାଗୁଡିକ ଅପାର ସମ୍ପଦ, ମନ୍ଦିର ଓ ପ୍ରାକୃତିକ ଦୃଶ୍ୟ ଉପରେ ଏକ ଚିତ୍ରକାର ନାମ ଗଢି ଥାଏ। ଢେଙ୍କାନାଳର କପିଳାସ ମନ୍ଦିର, ଅନୁଗୁଳ ଜିଲ୍ଲାର ସାତକୋଶିଆ ଗଣ୍ଡ ଓ ଦେଓଗଡ଼ର ପାହାଡ଼ ମାନଙ୍କର ସୁନ୍ଦରତା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ ଯେଉଁଥିରେ ପୂର୍ବତଟ ରେଳପଥ ଦୂରଦୂରାନ୍ତରୁ ଯାତ୍ରା ସୁବିଧା ପ୍ରଦାନ କରିଥାଏ।

ପଶ୍ଚିମ ଓଡିଶା: ସଂସ୍କୃତିକ ସମୃଦ୍ଧି ଓ ପ୍ରାକୃତିକ ଆଶ୍ଚର୍ଯ୍ୟ

ପଶ୍ଚିମ ଓଡିଶାର ସାଂସ୍କୃତିକ ପରମ୍ପରା ସହିତ ମନ୍ଦିର ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଅନେକ ସ୍ଥାନ ପର୍ଯ୍ୟଟକ ମାନଙ୍କୁ ଅକୃଷ୍ଟ କରିଥାଏ। ହୀରାକୁଦ ଡ୍ୟାମ, ପ୍ରାଚୀନ ମନ୍ଦିର ହରିଶଙ୍କର ଓ ନୃସିଂହନାଥ, ସମ୍ବଲପୁର ଓ ସୋନପୁରର ମନୋରମ ଦୃଶ୍ୟ ସହିତ ଅନେକ ଆକର୍ଷଣୀୟ ସ୍ଥାନ ଉପଲବ୍ଧ ଅଛି। ପୂର୍ବତଟ ରେଳପଥର ରେଳ ସେବା ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଓ ଅନ୍ୟାନ୍ୟ ଜିଲ୍ଲାଗୁଡିକୁ ସହଜ ଗମନାଗମନ ସୁବିଧା ଯୋଗାଇ ଦେଇଆସୁଅଛି।

ଉତ୍ତର ଆନ୍ଧ୍ର ପ୍ରଦେଶ: ବିଶାଖାପାଟଣା, ସିମାଞ୍ଚଳମ ଓ ବିଜୟନଗରମ

କ) ବିଶାଖାପାଟଣା: ପୂର୍ବତଟର ରତ୍ନ

ବିଶାଖାପାଟଣାକୁ “ଗତିର ସହର” ବୋଲି କୁହାଯାଏ। ଉତ୍ତର ଆନ୍ଧ୍ର ପ୍ରଦେଶରେ ଏକ ପ୍ରଧାନ ପର୍ଯ୍ୟଟନ ସ୍ଥାନ ଭାବରେ ବିଶାଖାପାଟଣା ପରିଚିତ। ରାମକୃଷ୍ଣ ବେଳାଭୂମି ଓ ରୁଷିକୋଣ୍ଡା ବେଳାଭୂମି ଭଳି ସୁନ୍ଦର ସମୁଦ୍ର ତଟ, ଏହାର ଘନ ସବୁଜିମା ଓ ଐତିହାସିକ ସ୍ଥାନଗୁଡିକ ବିଶାଖାପାଟଣାକୁ ଏକ ପ୍ରଧାନ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରେ। ପୂର୍ବତଟ ରେଳପଥର ବ୍ୟାପକ ରେଳ ସେବା ବିଶାଖାପାଟଣାକୁ କଲିକତା, ଚେନ୍ନାଇ ଓ ହାଇଦ୍ରାବାଦ ଭଳି ପ୍ରମୁଖ ସହରମାନଙ୍କ ସହିତ ସାଂସ୍କୃତିକ ସମ୍ବନ୍ଧ ଦ୍ୱାରା ଅନୁଶୀଳନ କରେ।

ଖ) ସିମାଞ୍ଚଳମ: ଏକ ପବିତ୍ର ତୀର୍ଥ ଯାତ୍ରା

ବିଶାଖାପାଟଣାରୁ କିଛି ଦୂରରେ ସିମ୍ହାଚଳମ। ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିର ପାଇଁ ଗୁରୁତ୍ୱ ରହିଛି। ସିମାଞ୍ଚଳ ପର୍ବତ ଉପରେ ଅବସ୍ଥିତ ଏହି ମନ୍ଦିର ଏକ ଅତୁଟ ଚମତ୍କାର ସ୍ଥାପତ୍ୟ। ପୂର୍ବତଟ ରେଳପଥ ସିମାଞ୍ଚଳମକୁ ସହଜ ଟ୍ରେନ ସେବା ବ୍ୟବସ୍ଥା କରିଥାଏ, ଯାହା ବିଭିନ୍ନ ପ୍ରାନ୍ତରୁ ଯାତ୍ରୀମାନଙ୍କ ପାଇଁ ସହଜ ଯାତ୍ରା ଉପଲବ୍ଧ କରାଇଥାଏ।

ଗ) ବିଜୟନଗରମ: ଇତିହାସ ଓ ପ୍ରକୃତିର ସମ୍ମିଳନ

ବିଜୟନଗରମ ଏହାର ସାଂସ୍କୃତିକ ପରମ୍ପରା ଓ ରାଜକୀୟ ଇତିହାସ ପାଇଁ ପରିଚିତ ଯାହାକି ଉତ୍ତର ଆନ୍ଧ୍ର ପ୍ରଦେଶ ପାଇଁ ଆଉ ଏକ ପର୍ଯ୍ୟଟକ ସ୍ଥଳ ଅଟେ। ବିଜୟନଗରମ କିଲ୍ଲା ଓ ନିକଟସ୍ଥ ଭିମୁଣୀପାଟଣା ବେଳାଭୂମି ପର୍ଯ୍ୟଟକ ମାନଙ୍କୁ ବୃହତ ସଂସ୍କୃତିକ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ । ପୂର୍ବତଟ ରେଳପଥର ଯାତ୍ରୀ ମାନଙ୍କୁ ରେଳ ଯାତ୍ରା ସେବା ପର୍ଯ୍ୟଟନ ଉଦ୍ୟୋଗକୁ ସହାୟତା କରିଛି।

ଛତିଶଗଡର ବସ୍ତର ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟ ଆଦିବାସୀ ସଂସ୍କୃତି ଏବଂ ଦୁଃସାହସିକ ମିଶ୍ରଣର ଭୂସ୍ବର୍ଗ :

ଛତିଶଗଡର ହୃଦୟ କହିଲେ ବସ୍ତର ଜିଲ୍ଲା, ଯାହାର ଚମତ୍କାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜୀବନ୍ତ ଆଦିବାସୀ ସଂସ୍କୃତି ଏବଂ ସମୃଦ୍ଧ ଐତିହ୍ୟ ପାଇଁ ପ୍ରସିଦ୍ଧ। ଜିଲ୍ଲାର ରାଜଧାନୀ ଜଗଦଳପୁର, ଚିତ୍ରକୁଟ ଜଳପ୍ରପାତ ସମେତ ଏହି ଅଞ୍ଚଳର କେତେକ ଚମତ୍କାର ଆକର୍ଷଣର ପ୍ରବେଶ ଦ୍ୱାର ଭାବରେ କାର୍ଯ୍ୟ କରିଥାଏ, ଯାହାକୁ ପ୍ରାୟତ ଭାରତର ନାଏଗ୍ରା ଜଳପ୍ରପାତ ସହିତ ତୁଳନା କରାଯାଇଥାଏ ଏବଂ ଶାନ୍ତ ତିରଥଗଡ ଜଳପ୍ରପାତ। ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଘର ବସ୍ତରର ସୁନ୍ଦର ଜଙ୍ଗଲ, ଇକୋ-ଟୁରିଜିମ୍ ଏବଂ ଦୁଃସାହସିକ ଜନଜାତି ସଂସ୍କୃତି ପାଇଁ ଆଦର୍ଶ। ଜିଲ୍ଲା ମଧ୍ୟ ଏକ ସାଂସ୍କୃତିକ ହବ୍ ଅଟେ, ଯାହା ପରିଦର୍ଶକମାନଙ୍କୁ ଏହାର ଆଦିବାସୀମାନଙ୍କର ଅନନ୍ୟ ରୀତିନୀତି, କଳା ଧର୍ମ ଏବଂ ପର୍ବପର୍ବାଣୀ ବିଷୟରେ ଝଲକ ପ୍ରଦାନ କରିଥାଏ। ଏହାର ଗୁମ୍ଫା, ମନ୍ଦିର ଏବଂ ବନ୍ୟଜନ୍ତୁ ଅଭୟାରଣ୍ୟ ସହିତ ବସ୍ତର ଏବଂ ଜଗଦଲପୁର ପ୍ରକୃତି, ସଂସ୍କୃତି ଏବଂ ଦୁଃସାହସିକ କାର୍ଯ୍ୟକୁ ଏକତ୍ର କରି ଏକ ଇମର୍ସିଭ୍ ଭ୍ରମଣ ଅଭିଜ୍ଞତା ପ୍ରଦାନ କରେ। ପୂର୍ବତଟ ରେଳପଥ ଦ୍ୱାରା ଏଠାକୁ ରେଳ ସେବା ପ୍ରଦାନ ପର୍ଯ୍ୟଟକ ମାନଙ୍କୁ ସୁବିଧାରେ ଏହି ସ୍ଥାନକୁ ଭ୍ରମଣ ପାଇଁ ପହଞ୍ଚାଇଥାଏ।

ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ପୂର୍ବତଟ ରେଳପଥର ନିରନ୍ତର ପ୍ରୟାସ

ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶକୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାରେ ପୂର୍ବତଟ ରେଳପଥ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପୂର୍ବତଟ ରେଳପଥ କେବଳ ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରେ ନାହିଁ ବରଂ ସୁଦୂର, ଦୃଶ୍ୟପଟ୍ଟ ଏବଂ ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକର ଉପଲବ୍ଧତାକୁ ସୁନିଶ୍ଚିତ କରେ, ଯାହା ସମଗ୍ର ଅଞ୍ଚଳରେ ପର୍ଯ୍ୟଟନ ବିକାଶକୁ ବୃଦ୍ଧି କରିଥାଏ। ଅଧିକ ପର୍ଯ୍ୟଟକ-ଅନୁକୂଳ ସେବା ପ୍ରବର୍ତ୍ତନ ପାଇଁ ସାମ୍ପ୍ରତିକ ପଦକ୍ଷେପ, ଯେପରିକି ଦୃଶ୍ୟ ମାର୍ଗରେ ଭିଷ୍ଟାଡୋମ୍ କୋଚ୍, ଲୋକପ୍ରିୟ ସ୍ଥାନଗୁଡିକରେ ଟ୍ରେନ୍ ଚଳାଚଳ ବୃଦ୍ଧି ଏବଂ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍, ଏହି ଅଞ୍ଚଳଗୁଡ଼ିକୁ ସବୁ ଋତୁରେ ଗନ୍ତବ୍ୟ ସ୍ଥଳରେ ପରିଣତ କରିବାରେ ବିଶେଷ ଅବଦାନ ରହିଛି। ପୂର୍ବତଟ ରେଳପଥର ପ୍ରୟାସ ସହିତ ପୂର୍ବ ତଟ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ର କ୍ରମାଗତ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ହୋଇଛି, ଯାହା ରାଜ୍ୟର ଅର୍ଥନୀତିକୁ ଉପକୃତ କରିବ ଏବଂ ଯାତ୍ରୀମାନଙ୍କ ଅଭିଜ୍ଞତାକୁ ସମୃଦ୍ଧ କରିବ।

ନିରବିହୀନ ସେବା ମାଧ୍ୟମରେ ପୂର୍ବତଟ ରେଳପଥ ଓଡିଶା, ଛତିଶଗଡ଼ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶର ବହୁମୁଖୀ ପର୍ଯ୍ୟଟନର ପ୍ରବେଶ ଦ୍ୱାର ଭାବରେ କାର୍ଯ୍ୟ ଜାରି ରଖିଛି, ଯାହା ଦ୍ୱାରା ସମସ୍ତ ଋତୁରେ ଯାତ୍ରୀ ଏବଂ ନୂତନ ପରିଦର୍ଶକମାନେ ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ, ସାଂସ୍କୃତିକ ସମୃଦ୍ଧତା ଏବଂ ଐତିହାସିକ ମହତ୍ତ୍ୱ ଉପଭୋଗ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁଲାଇ ମାସରେ ଓଡ଼ିଶାରେ ୧.୮୫ ଲକ୍ଷ ମୋବାଇଲ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ସ୍ଥିତି ସୁଦୃଢ କରି ରିଲାଏନ୍ସ ଜିଓ ଜୁଲାଇ ମାସରେ ରାଜ୍ୟରେ ସର୍ବାଧିକ ୧.୮୫ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ ଗ୍ରାହକ ତଥ୍ୟରୁ ଜଣାପଡିଛି।

ଟ୍ରାଇ ତଥ୍ୟ ଅନୁସାରେ ଜୁଲାଇ ମାସରେ ଓଡ଼ିଶାରେ କେବଳ ଜିଓ ଓ ବିଏସଏନଏଲ ନୂତନ ଗ୍ରାହକ ଯୋଡିଥିବା ବେଳେ ଅନ୍ୟ ଦୁଇ ଅପରେଟର ଏୟାରଟେଲ ଓ ଭୋଡାଫୋନ ଆଇଡିଆ ହଜାର ହଜାର ଗ୍ରାହକ ହରାଇଛନ୍ତି। ବିଏସଏନଏଲ ଏହି ମାସରେ ପ୍ରାୟ ୬୬୦୦୦ ନୂଆ ଗ୍ରାହକ ଯୋଡିଥିବା ବେଳେ ଏୟାରଟେଲ ୪୩୦୦୦ ଗ୍ରାହକ ହରାଇଥିବା ଏହି ତଥ୍ୟରୁ ସୂଚନା ମିଳିଛି। ଜୁଲାଇ ମାସରେ ଓଡିଶାର ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ଦୁଇ ଲକ୍ଷ ପାଞ୍ଚ ହଜାର ବୃଦ୍ଧି ପାଇ ୩.୪୩ କୋଟିରେ ପହଞ୍ଚିଛି।

ମୋବାଇଲ ଭଳି ଓୟାରଲାଇନ କ୍ଷେତ୍ରରେ ମଧ୍ୟ ଜିଓ ନିଜର ଏକ ନମ୍ବର ସ୍ଥିତି ସୁଦୃଢ କରିଛି। ଜୁଲାଇ ମାସରେ ୧୧୦୦୦ ରୁ ଅଧିକ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଯୋଡିହେବା ସହିତ ରାଜ୍ୟରେ ମୋଟ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୩.୨୧ ଲକ୍ଷରେ ପହଞ୍ଚିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ଏଥିସହିତ ଜିଓ ରାଜ୍ୟର ପ୍ରଥମ ଅପରେଟର ଭାବରେ ୩ ଲକ୍ଷରୁ ଅଧିକ ଓୟାରଲାଇନ ଗ୍ରାହକ ହାସଲ କରିଛି।

ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ବିଶ୍ୱସ୍ତରୀୟ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି।

ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି। ଲୋକପ୍ରିୟ ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁଁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି।

ଜିଓ ଦୀର୍ଘ ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ରହିଆସିଛି।

ଓଡିଶା ଟେଲିକମ କ୍ଷେତ୍ରରେ ୪୬ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ୫୨ ପ୍ରତିଶତ ରାଜସ୍ବ ବଜାର ଅଂଶ ସହିତ ଏକ ନମ୍ବର ସ୍ଥାନରେ ରହିଥିବା ଜିଓର ରାଜ୍ୟରେ ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ରହିଛି ଏବଂ ଏହା ଦ୍ରୁତ ଗତିରେ ଅପହଞ୍ଚ ଅଞ୍ଚଳଗୁଡିକୁ ଡିଜିଟାଲ ସେବା ସହିତ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ହେବ ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ଆଞ୍ଚଳିକ ବୈଠକ: ନିଯୁକ୍ତି ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଓଡ଼ିଶା, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ଆଞ୍ଚଳିକ ବୈଠକ ଆସନ୍ତା ୨୦.୦୯.୨୦୨୪ (ଶୁକ୍ରବାର) ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଶ୍ରମ ସଂସ୍କାର, ଅଣସଂଗଠିତ ଶ୍ରମିକମାନଙ୍କର ଇଶ୍ରମ-ନ୍ୟାସନାଲ ଡାଟାବେସ୍ (ଏନ୍ ଡିୟୁଡବ୍ଲ୍ୟୁ), କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ (ବିଓସିଡବ୍ଲୁ), କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ଏବଂ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଏହି ବୈଠକ ଆୟୋଜନ କରାଯାଉଛି।

କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ କର୍ଣ୍ଣାଟକ, ତାମିଲନାଡ଼ୁ, ତେଲଙ୍ଗାନା, କେରଳ, ପୁଡୁଚେରୀ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଳି ଦକ୍ଷିଣ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହିତ ପ୍ରଥମ ଆଞ୍ଚଳିକ ବୈଠକ ଆୟୋଜନ ସହିତ ଭାରତ ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କ ସହିତ ଚାଲିଥିବା ଏହି ଆଞ୍ଚଳିକ ଆଲୋଚନା ଆରମ୍ଭ ହୋଇଥିଲା । ଏହାପରେ ଚଣ୍ଡିଗଡ଼ରେ ଉତ୍ତରାଞ୍ଚଳ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପଞ୍ଜାବ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଲଦାଖ ଏବଂ ରାଜସ୍ଥାନ ସହ ଦ୍ବିତୀୟ ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଥିଲା। ପଶ୍ଚିମ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମହାରାଷ୍ଟ୍ର, ଗୋଆ, ଗୁଜରାଟ, ଦାମନ ଓ ଦିଉ ଏବଂ ଦାଦରା ଓ ନଗର ହାଭେଳି ଓ ଲାକ୍ଷାଦ୍ୱୀପ ସହିତ ତୃତୀୟ ଆଞ୍ଚଳିକ ବୈଠକ ଗୁଜରାଟର ରାଜକୋଟଠାରେ ଅନୁଷ୍ଠିତ ହୋଇଥିଲା।

ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ସଚିବ ସୁମିତା ଦାୱରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାରତ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

ଶ୍ରମ କୋଡ୍ ଅଧୀନରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଚିଠା ନିୟମାବଳୀରେ ସମନ୍ୱୟ, ନିଯୁକ୍ତି ତଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ପ୍ରସ୍ତାବିତ ନିଯୁକ୍ତି ସଂଯୁକ୍ତ ପ୍ରୋତ୍ସାହନ (ଇଏଲଆଇ) ଯୋଜନା ଉପରେ ପରାମର୍ଶ, ପ୍ରବାସୀ ଶ୍ରମିକଙ୍କ ସମେତ ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ସୁବିଧା ସହଜରେ ଉପଲବ୍ଧ କରାଇବା ପାଇଁ ଇ-ଶ୍ରମ ପୋର୍ଟାଲ୍ ‘ୱାନ୍-ଷ୍ଟପ୍ ସଲ୍ୟୁସନ୍‘ ପ୍ରତିଷ୍ଠା, ବିଓସି ଶ୍ରମିକମାନଙ୍କୁ ବିଭିନ୍ନ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାର ସୁବିଧାର ସମ୍ପ୍ରସାରଣ ଏବଂ ନ୍ୟାସନାଲ କ୍ୟାରିୟର ସର୍ଭିସ (ଏନସିଏସ) ଆଦି ପ୍ରମୁଖ ଶ୍ରମ ଓ ନିଯୁକ୍ତି ପ୍ରସଙ୍ଗ ଏହି ବୈଠକରେ ଆଲୋଚନା ହେବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ୍‌ କରିଛନ୍ତି;

“ଚା’ ପିଇବା ସହ ଆନନ୍ଦଦାୟକ ବାର୍ତ୍ତାଳାପ! ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ସହ ବସି ସେମାନଙ୍କ ଜୀବନ ଯାତ୍ରା ବିଷୟରେ ଶୁଣିଲି। ବିଶେଷ କରି ବହୁ ସଂଖ୍ୟକ ମହିଳା ଏହି ଯୋଜନାରେ ଉପକୃତ ହେଉଥିବା ଦେଖି ଖୁସି ଲାଗୁଛି। ଏହି ଯୋଜନା ଏବଂ ଏଭଳି ଅନ୍ୟ ଯୋଜନା କିପରି ଜୀବନରେ ପରିବର୍ତ୍ତନ ଆଣିଛି ସେ ବିଷୟରେ ସେମାନେ କହିଥିଲେ।”

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶା ପାଇଁ 2871 କୋଟି ମୂଲ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶା ପାଇଁ 2871 କୋଟି ମୂଲ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଥିବାବେଳେ କେତେକର ଦେଶ ପାଇଁ ଉତ୍ସର୍ଗୀକୃତ କରିଛନ୍ତି। ଏହି ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସଂଯୋଗକୁ ଦୃଢ଼ୀଭୁତ କରାଇବା ସହିତ ବ୍ୟସ୍ତବହୁଳ ରେଳ ମାର୍ଗରେ ଯାତାୟାତକୁ ସହଜ କରିବାକୁ ଏବଂ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛି। ଓଡିଶାର ଶିଳ୍ପ, ସମ୍ବଳ ସମୃଦ୍ଧ ଏବଂ ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ରେଳ ନେଟୱର୍କକୁ ମଜବୁତ କରିବା ଉପରେ ଦୃଢତାର ସହିତ ଧ୍ୟାନ ଦେଇ ଏହି ପ୍ରକଳ୍ପଗୁଡିକ ଏହି ଅଞ୍ଚଳର ଅଭିବୃଦ୍ଧି ତଥା ଜାତୀୟ ଅର୍ଥନୀତିରେ ଏକୀକରଣ ପାଇଁ ପ୍ରସ୍ତୁତ ହୋଇଛି।

ରେଳ ନେଟୱାର୍କକୁ ଆହୁରି ବୃଦ୍ଧି କରାଇବା ପାଇଁ ଚାଲୁରହିଥିବା ରେଳ ପ୍ରକଳ୍ପଗୁଡିକ ମଧ୍ୟରୁ ପ୍ରଧାନମନ୍ତ୍ରୀ ଚାରି ଗୋଟି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନକୁ ଉତ୍ସର୍ଗୀକୃତ କରିଛନ୍ତି:

1- ବିଜୟନଗରାମ-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପର ଲାଞ୍ଜିଗଡ଼ ରୋଡ୍-ଆମ୍ବାଦୋଳା-ଦୋଇକାଲୁ ରେଳ ସେକ୍ସନ (25.394 KM) ଉତ୍ସର୍ଗ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ₹432 କୋଟି। ଏହି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନ ବ୍ୟସ୍ତବହୁଳ ବିଜୟନଗରମ-ଟିଟିଲାଗଡ ମାର୍ଗରେ କ୍ଷମତା ବୃଦ୍ଧି କରିବା ସହିତ ପଶ୍ଚିମ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ। ଏହି ପ୍ରକଳ୍ପ ଉଭୟ ଯାତ୍ରୀ ଏବଂ ପଣ୍ୟ ପରିବହନ ପାଇଁ ଉପକୃତ ହେବ ଏବଂ ଯାତ୍ରୀ ଓ ପଣ୍ୟ ପରିବହନ ସୁଗମ କରିବ।

2- କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଲକ୍ଷ୍ମୀପୁର ରୋଡ୍-ସିଙ୍ଗରମ-ଟିକିରି ରେଳ ସେକ୍ସନ (22.94 KM) କୁ 260 କୋଟିରେ ନିର୍ମିତ କରାଯାଇଅଛି ଯାହା ଦକ୍ଷିଣ ଓଡ଼ିଶାରେ ଟ୍ରେନ୍ ଚଳାଚଳ କ୍ଷମତା ବୃଦ୍ଧି କରି। ଏହି ରେଳ ସେକ୍ସନ ଉତ୍ପାଦନ ସମୃଦ୍ଧ ଅଞ୍ଚଳରୁ ପ୍ରମୁଖ ବଜାର ପର୍ଯ୍ୟନ୍ତ ପରିବହନକୁ ଯଥେଷ୍ଟ ଉନ୍ନତ କରିବ ବୋଲି ଆଶା କରାଯାଏ।

3- ବୁଢାପଙ୍କ-ଶାଳଗାଁ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର 40.62 କିମି ଦୈର୍ଘ୍ୟ ଢେଙ୍କାନାଳ-ସଦାଶିବପୁର-ହିନ୍ଦୋଳ ରୋଡ଼ ରେଳ ସେକ୍ସନକୁ ପ୍ରାୟ ₹ 540 କୋଟି ବିନିମୟରେ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଜଟିଳ ଶିଳ୍ପ ମାର୍ଗରେ କ୍ଷମତାକୁ ଆହୁରି ବୃଦ୍ଧି କରିବା ସହିତ ପଣ୍ୟ ପରିବାହାନକୁ ସୁଗମ ଏବଂ ଶୀଘ୍ର ପରିବହନକୁ ସୁନିଶ୍ଚିତ କରିଦକ୍ଷତା ବୃଦ୍ଧି କରାଇବ କରିବ।

4- ବଣ୍ଡାମୁଣ୍ଡା-ରାଞ୍ଚି ଦୋହରୀକରଣ ପ୍ରକଳ୍ପର 12.5 କିମି ଦୈର୍ଘ୍ୟ ବାଙ୍ଗୁରେକେଲା-ନୋଗାଓଁ ରେଳ ସେକ୍ସନ କୁ ପ୍ରାୟ 239 କୋଟି ବିନିମୟରେ ନିର୍ମାଣ କରାଯାଇଅଛି। ଏହି ଲାଇନର ଦୋହରୀକରଣ ହେବା ଦ୍ୱାରା ଯାତାୟାତ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଓଡିଶା ଏବଂ ଝାଡଖଣ୍ଡ ମଧ୍ୟରେ ସଂଯୋଗ ବୃଦ୍ଧି ହେବ।

ଏହି ଉତ୍ସର୍ଗ ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ଚାରିଗୋଟି ରେଳ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର କରିଛନ୍ତି ଯାହା ଓଡିଶାର ରେଳ ଭିତ୍ତିଭୂମି ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ:

1- ଭୂପୃଷ୍ଠ କ୍ରସିଂକୁ ଦୂର କରିବା ପାଇଁ ସିଜୁ-ପାରାଦୀପ ଫ୍ଲାଏଓଭର (7 KM) କୁ ₹ 200 କୋଟି ମୂଲ୍ୟରେ ନିର୍ମାଣ କରାଯିବ ଯାହା ଭାରତର ପ୍ରମୁଖ ବାଣିଜ୍ୟ ହବ ମଧ୍ୟରୁ ପାରାଦୀପ ବନ୍ଦରରେ ସୁଗମ ତଥା ନିରବଚ୍ଛିନ୍ନ ଟ୍ରେନ ଚଳାଚଳକୁ ସୁନିଶ୍ଚିତ କରିବ।

2- 18.51 କିମି ଦୈର୍ଘ୍ୟ ପାରାଦୀପ-ବଡ଼ବନ୍ଧ ତୃତୀୟ ଏବଂ ଚତୁର୍ଥ ଲାଇନ ଯାହାକୁ ପ୍ରାୟ ₹ 300 କୋଟି ଟଙ୍କାରେ ନିର୍ମାଣ କରାଯିବ। ଏହା ଉଭୟ ମାଲ ପରିବହନ ଏବଂ ଯାତ୍ରୀ ଯାତାୟାତ ପାଇଁ କ୍ଷମତା ବୃଦ୍ଧି କରିବା ସହିତ ପାରାଦୀପ ବନ୍ଦର ସହିତ ସଂଯୋଗ ବୃଦ୍ଧି କରିବ।

3- 10.93 କିମି ଦୈର୍ଘ୍ୟ MCRL ଆଭ୍ୟନ୍ତରୀଣ କରିଡର ଫେଜ -1 ର ଦୋହରୀକରଣକୁ ପ୍ରାୟ ₹152 କୋଟି ମୂଲ୍ୟରେ ନିର୍ମାଣ କରାଯିବ ଯାହାଦ୍ୱାରା ଅଧିକ କୋଇଲା ଲୋଡିଂ ପାଇଁ ସୁବିଧା ପ୍ରଦାନ କରିବା ସହିତ ଏହି ଅଞ୍ଚଳରେ ଶିଳ୍ପ ଅଭିବୃଦ୍ଧିକୁ ଅଧିକ ସମର୍ଥନ କରିବ।

4- ବହୁ ପ୍ରତୀକ୍ଷିତ 41.9 କିମି ଦୈର୍ଘ୍ୟ ଜୟପୁର-ନବରଙ୍ଗପୁର ନୂତନ ରେଳ ଲାଇନକୁ ପ୍ରାୟ ₹748 କୋଟି ମୂଲ୍ୟରେ ନିର୍ମାଣ କରାଯିବ ଯାହା ଜୟପୁର ଏବଂ ନବରଙ୍ଗପୁରର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳକୁ ସଂଯୋଗ କରିବ, ଅର୍ଥନୈତିକ ଅଭିବୃଦ୍ଧି ତଥା ବଜାର ଏବଂ ସମ୍ବଳକୁ ଉନ୍ନତ ସୁବିଧା ଯୋଗାଇବ। ଏହା ସହିତ ନିଯୁକ୍ତି, ବାଣିଜ୍ୟ ଏବଂ ଗତିଶୀଳତାକୁ ପ୍ରୋତ୍ସାହିତ କରି ଏହି କ୍ଷେତ୍ରର ଅର୍ଥନୈତିକ ଉନ୍ନତିରେ ଏକ ନୂତନ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

ଏହି ପ୍ରକଳ୍ପଗୁଡ଼ିକ ଓଡିଶାର ରେଳ ନେଟୱର୍କକୁ ମଜବୁତ କରିବା ସହିତ ଯାତାୟାତ ସୁବିଧା, ଶିଳ୍ପ ହବ ସହ ସଂଯୋଗକୁ ସୁଦୃଢ଼ କରିବା ଏବଂ ପ୍ରମୁଖ ମାର୍ଗରେ କ୍ଷମତା ବୃଦ୍ଧି ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଅଛି। ବାଣିଜ୍ୟ, ଶିଳ୍ପ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ଓଡ଼ିଶା ଦେଶର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିରେ ଭାରତୀୟ ରେଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ଲାଗିଛି।

ଏହି କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଆଲ ଓରାମ ଏବଂ ଉପମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ ଏବଂ ପ୍ରଭାତୀ ପରିଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।