Categories
ଆଜିର ଖବର

‘କ୍ଷେତ ପୋଖରୀ’: ଚାଷୀଙ୍କ ଦୀର୍ଘସ୍ଥାୟୀ ଜୀବିକା ଓ ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଲାଗି ବିଶେଷ ପଦକ୍ଷେପ

ଭୁବନେଶ୍ୱର/ସୁନ୍ଦରଗଡ଼: ବଣ ପାହାଡ଼ଘେରା ତଥା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନେ ଧାନ ସହିତ ବିଭିନ୍ନ ପ୍ରକାରର ଋତୁକାଳୀନ ଫସଲ କରିଥାନ୍ତି। ତେଣୁ ଭଲ ଫସଲ ଅମଳ ପାଇଁ ଜଳସେଚନର ଆବଶ୍ୟକତା ରହିଥିବାରୁ ଚାଷୀଙ୍କ ଜମିରେ କ୍ଷେତ ପୋଖରୀ ଖୋଳାଯାଉଛି। ଏହି କାର୍ଯ୍ୟକ୍ରମ ଚାଷୀମାନଙ୍କ ଜୀବିକାରେ ଉନ୍ନତି ଆଣିବା ସହିତ ଭୂତଳ ଜଳସ୍ତର ହ୍ରାସକୁ ନିୟନ୍ତ୍ରଣ ଓ ମୃତ୍ତିକା ସଂରକ୍ଷଣ ଲାଗି ବିଶେଷ ସହାୟକ ହେଉଛି।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲିଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍‌ସି) ଆର୍ଥିକ ସହାୟତା ଯୋଗାଇ ଦେଉଛି।

ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ ଏହି ପ୍ରକଳ୍ପ କରାଯାଉଛି। ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ପରେ କ୍ଷେତ ପୋଖରୀ ନିର୍ମାଣ ଲାଗି ହିତାଧିକାରୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୬୨ଟି କ୍ଷେତ ପୋଖରୀ ଖୋଳାଯାଇଛି। ତା\’ ଭିତରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଅଧୀନରେ ୨୩୮ଟି ରହିଥିବା ବେଳେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ ୨୪ଟି ପ୍ରକଳ୍ପ ରହିଛି। ଏଥିପାଇଁ ଓମ୍ବାଡସି ଆର୍ଥିକ ସହାୟତା ଯୋଗାଇ ଦେଇଛି।

“ମୋର ୫ ଏକର ଜମି ଅଛି। ଆଗରୁ ଜଳସେଚନ ସୁବିଧା ନଥିବାରୁ ଏଥିରେ ଭଲ ଚାଷ ହେଉ ନଥିଲା। ଏବେ ଫାର୍ମ ପଣ୍ଡ ଖୋଳିବା ଫଳରେ ମୁଁ ବିଭିନ୍ନ ପ୍ରକାରର ପନିପରିବା ଚାଷ କରୁଛି। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ମୋ\’ ପରିବାର ଭଲରେ ଚଳୁଛି,” କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ମଙ୍ଗସପୁର ଗ୍ରାମର ସଂଯୁକ୍ତା ପଟେଲ।

ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ସଂଯୁକ୍ତା ପଟେଲ ନିଜ ଜମିରେ ଫାର୍ମ ପଣ୍ଡ ବା କ୍ଷେତ ପୋଖରୀ (୨୨ ମିଟର ଙ୍ଘ ୨୨ ମିଟର) କରିଛନ୍ତି । ସଂଯୁକ୍ତାଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ଅନେକ ହିତାଧିକାରୀ ନିଜ ଜମିରେ କ୍ଷେତ ପୋଖରୀ କରୁଛନ୍ତି । ଏହା ଦ୍ୱାରା ସେମାନଙ୍କ ଦୀର୍ଘସ୍ଥାୟୀ ଜୀବିକା ସୁନିଶ୍ଚିତ ହେବା ସହ ସେମାନଙ୍କ ଜୀବନ ଧାରଣ ମାନରେ ବିଶେଷ ପରିବର୍ତ୍ତନ ଆସିପାରୁଛି ।

“ଆଗରୁ ଆମ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା । ଫାର୍ମ ପଣ୍ଡ ହେବା ଫଳରେ ଚାଷଜମିକୁ ସବୁ ସମୟରେ ପାଣି ମିଳୁଛି । ବିଭିନ୍ନ ଫସଲ ବିକ୍ରି କରି ମୁଁ ବାର୍ଷିକ ୧ ଲକ୍ଷ ଟଙ୍କା ପାଉଛି । ଫଳରେ ଆମ ପରିବାରର ଆର୍ଥିକ ସ୍ଥିତିରେ ବେଶ୍ ଉନ୍ନତି ଆସିପାରିଛି,” କହିଛନ୍ତି ସଂଯୁକ୍ତା ପଟେଲ ।

କ୍ଷେତ ପୋଖରୀ ଖୋଳାଯିବା ଫଳରେ ଚାଷଜମି ଆଉ ଆଗଭଳି ପଡ଼ିଆ ପଡୁନାହିଁ । ବର୍ଷ ସାରା ପୋଖରୀରେ ପାଣି ସଂରକ୍ଷିତ ହୋଇ ରହୁଥିବାରୁ ଜମିରେ ବିଭିନ୍ନ ପ୍ରକାରର ଫସଲ ହେଉଛି । ଏହାକୁ ବିକ୍ରି କରି ଚାଷୀମାନେ ଭଲ ଦି\’ ପଇସା ରୋଜଗାର କରିପାରୁଛନ୍ତି ।
ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଅନେକ ସମୟରେ ମୌସୁମୀ ବର୍ଷାରେ ଅନିୟମିତତା ଦେଖାଦେଉଛି । ପୁଣି ଯେତିକି ବର୍ଷା ହେଉଛି ସବୁ ପାଣି ନଦୀ, ସମୁଦ୍ରକୁ ବହିଯାଉଛି । ଅନ୍ୟପକ୍ଷରେ ଜନସଂଖ୍ୟା ବୃଦ୍ଧି ଫଳରେ ଭୂତଳ ଜଳର ବ୍ୟବହାର ମଧ୍ୟ ବଢ଼ି ଚାଲିଛି । ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ଭୂତଳ ଜଳସ୍ତର ବୃଦ୍ଧି ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଓମ୍ବାଡ୍‌ସି ପାଣ୍ଠି ସହାୟତାରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ କ୍ଷେତ ପୋଖରୀ ସହିତ ଜଳ ଅମଳ ପ୍ରକଳ୍ପ, ଆଡ଼ି ବନ୍ଧ ଓ ସୋଲାର ଚାଳିତ ଗଭୀର ନଳକୂପ କରାଯାଉଛି । ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଓ ମୃତ୍ତିକା ସଂରକ୍ଷଣ ଆଦିରେ ଏହିସବୁ ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡ୍‌ସିର ୨୭ତମ “ବୋର୍ଡ ଅଫ୍ ଡାଇରେକ୍ଟର୍ସ” ବୈଠକ

ଭୁବନେଶ୍ୱର: ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ୨୭ତମ ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ତଥା ଓମ୍ବାଡ୍‌ସି ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଓମ୍ବାଡସି ସହାୟତାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ, ଓମ୍ବାଡ୍‌ସି ସିଇଓ ଜି ରାଜେଶଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଓମ୍ବାଡ୍‌ସି ସିଇଓ ରାଜ୍ୟର ୮ଟି ଖଣି ପ୍ରଭାବିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ସୂଚନା ଦେଇଥିଲେ।

ଓମ୍ବାଡ୍‌ସି ସିଇଓ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଜନକଲ୍ୟାଣ କାର୍ଯ୍ୟକ୍ରମ ଚାଲିଛି । ପଞ୍ଚାୟତିରାଜ ଓ ପାନୀୟଜଳ, ସ୍କୁଲ ଓ ଗଣଶିକ୍ଷା, ଗୃହ ଏବଂ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କୃଷି ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହଯୋଗରେ ବିଭିନ୍ନ ପ୍ରକଳ୍ପ କାମ ହାତକୁ ନିଆଯାଇଛି । ଓମ୍ବାଡ୍‌ସି ପାଣ୍ଠିରୁ ଏଥିପାଇଁ ଆର୍ଥିକ ସହାୟତା ଦିଆଯାଉଛି ।

ଏହି ପ୍ରକଳ୍ପ ଭିତରୁ ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଯେଉଁସବୁ ସଫଳତା ମିଳିଛି ସେ ବିଷୟରେ ସିଇଓ ଜି ରାଜେଶ ବୈଠକରେ କହିଥିଲେ । ଏହାସହ ଗୃହ ନିର୍ମାଣ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ସିଏଏମପିଏ ପାଣ୍ଠିର ବିନିଯୋଗ ଏବଂ ପ୍ରକଳ୍ପର କାର୍ଯ୍ୟକାରିତା ବିଷୟରେ ମଧ୍ୟ ବୋର୍ଡକୁ ଓମ୍ବାଡସି ସିଇଓ ସୂଚନା ଦେଇଥିଲେ ।

ଏହାଛଡ଼ା ବୈଠକରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ରାସ୍ତା ସଂଯୋଗୀକରଣ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଲାଗୁ ହେବାକୁ ଥିବା ୮ଟି ନୂତନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ତୃଣମୂଳ ସ୍ତରରେ ପ୍ରକଳ୍ପଗୁଡ଼ିକର ସଠିକ କାର୍ଯ୍ୟାନ୍ୱୟନ ପାଇଁ ଏକ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଓମ୍ବାଡସି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ୨୦୨୨-୨୩ ବର୍ଷ ଲାଗି ଓମ୍ବାଡସିର ଆନୁଆଲ ରିପୋର୍ଟ, ସୂଚନା ପୁସ୍ତିକା ଏବଂ ସ୍ୱୱତନ୍ତ୍ର ୱେବସାଇଟ୍ ଉନ୍ମୋଚନ କରାଯାଇଥିଲା ।

ଓମ୍ବାଡ୍‌ସି ସହାୟତାରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଲାଗି ସରକାରୀ ଆଇଟିଆଇ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନର ନବୀକରଣ କରାଯାଉଛି । ଏହାସହ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ପାଇଁ ସରକାରୀ ସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି । ତା\’ଛଡ଼ା ରାସ୍ତା ସଂଯୋଗୀକରଣ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସହିତ ଲୋକଙ୍କ ଜୀବିକା ପାଇଁ ମାଛଚାଷ, ଛେଳି ଓ ବ୍ରଏଲର କୁକୁଡ଼ା ପାଳନ ଆଦିକୁ ପ୍ରୋତ୍ସାହନ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଉପକୃତ ହୋଇଥିବା ହିତାଧିକାରୀମାନଙ୍କୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଭିଡିଓକୁ ମୁଖ୍ୟ ଶାସନ ସଚିବ ଉନ୍ମୋଚନ କରିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀଙ୍କ ସହ ଓମ୍ବାଡ୍‌ସିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।