Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରେ “ଆଶିର୍ବାଦ” ଯୋଜନାରେ ମିଳିଲା ଆର୍ଥିକ ସହାୟତା

ରମେଶ ମହାନ୍ତି
ଜଗତସିଂହପୁର: କରୋନା ମହାମାରୀ ସମୟରେ ପିତାମାତା କିମ୍ବା ପରିବାରର ମୁଖ୍ୟ ଆୟକାରୀ ଅଭିଭାବକଙ୍କ ମୃତ୍ୟୁ ହୋଇଥିବା ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଆଶିର୍ବାଦ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗତ ୧.୪.୨୦୨୦ ମସିହା ଠାରୁ ପିତାମାତା ଉଭୟ କିମ୍ବା ଜଣଙ୍କୁ ହରାଇଥିବା ପିଲାମାନଙ୍କୁ ସରକାର ଏହି ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ପିତମାତା ଦୁଇଜଣଙ୍କୁ ହରାଇଥିବା ୧୮ ବର୍ଷରୁ କମ୍ ପିଲାମାନଙ୍କୁ ମାସିକ ୨୫୦୦ ଟଙ୍କା ଏବଂ ପିତାମାତାଙ୍କ ମଧ୍ୟରୁ ଜଣଙ୍କୁ ଯାହାକି ପରିବାରର ମୁଖ୍ୟ ଆୟକାରୀଙ୍କୁ ହରାଇଥିବା ପିଲାମାନଙ୍କ କ୍ଷେତ୍ରରେ ମାସିକ ୧୫୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଜୁଲାଇ ମାସରେ ମୋଟ୍ ୫୪ଜଣ ପିଲାଙ୍କୁ ପ୍ରଥମଥର ଆଶିର୍ବାଦ ଯୋଜନାରେ ସାମିଲ୍ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥି ମଧ୍ୟରୁ ଜଗତସିଂହପୁର ବ୍ଲକରୁ ୧୧ଜଣ, ତିର୍ତ୍ତୋଲ ବ୍ଳକରୁ ୮ଜଣ, ବିରିଡ଼ି ବ୍ଲକରୁ ୫ଜଣ, କୁଜଙ୍ଗ ବ୍ଲକରୁ ୪ଜଣ, ବାଲିକୁଦା ବ୍ଲକରୁ ୧୧ଜଣ, ଏରସମା ବ୍ଲକରୁ ୩ଜଣ, ନାଉଗାଁ ବ୍ଲକରୁ ୪ଜଣ ଏବଂ ରଘୁନାଥପୁର ବ୍ଲକରୁ ୮ଜଣ ପିଲାଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଜିଲ୍ଲାପାଳ ଏହି ଯୋଜନାର ସମୀକ୍ଷା କରି ସି.ଡି.ପି.ଓ ଓ ଡି.ସି.ପି.ଓ ସମସ୍ତ କର୍ମଚାରୀଙ୍କୁ ଏହି ଯୋଜନାକୁ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଦ୍ୟାବଧି ଜିଲ୍ଲାରେ ମୋଟ୍ ୫୧୬ଜଣ ପିଲାଙ୍କୁ ଏହି ଯୋଜନାରେ ସାମିଲ୍ କରିବା ପାଇଁ ଚିହ୍ନଟ କରାଯାଇଛି।

ନିର୍ଦ୍ଧାରିତ ଦରଖାସ୍ତ ଫର୍ମରେ ସେମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରାଯାଇ ବିଧିବଦ୍ଧ ତଦନ୍ତ ପୂର୍ବକ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆଗାମୀ ଦିନରେ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସୋଆରେ ପାଳିତ ହେଲା ୭୨ତମ ବନମହୋତ୍ସବ ସପ୍ତାହ

ଭୁବନେଶ୍ୱର: କରୋନା ମହାମାରୀ ଏବଂ ତଦଜନିତ ଲକଡାଉନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନଏସଏସ ଶାଖା ନିଆରା ଢ଼ଙ୍ଗରେ ବନମହୋତ୍ସବ ପାଳନ କରିଛି। ସୋଆ ଏନଏସଏସ ବ୍ୟୁରୋ ପକ୍ଷରୁ “ଇଚ ୱାନ, ପ୍ଲାଂଟ ୱାନ’ (ଗୋଟିଏ ପିଲା, ଗୋଟିଏ ଗଛ) ଶ୍ଳୋଗାନରେ ଅନୁପ୍ରାଣିତ ହୋଇ ପ୍ରାୟ ୫୦୦ ସ୍ୱେଚ୍ଛାସେବୀ ନିଜ ଘରର ଚତୁଃପାଶ୍ୱର୍ ଏବଂ ନିକଟବର୍ତୀ ଅଂଚଳରେ ବିଭିନ୍ନ ପ୍ରକାରର ଚାରା ରୋପଣ
କରିଛନ୍ତି।

ବନମହୋତ୍ସବ ସପ୍ତାହ ଅବସରରେ ଜୁଲାଇ ୧ ରୁ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଏଥି ନିମନ୍ତେ ଆୟୋଜିତ ୱେବିନାରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ ଯଦି ପ୍ରକୃତି ଡାଇନୋସୋର ଭଳି କେତେକ ପ୍ରଜାତିର ଜୀବକୁ ଲୋପକରିପାରେ ମଣିଷ ବା କାହିଁକି ନିଶ୍ଚିହ୍ନ ନହେବ? ଯେଉଁଭଳି ଭାବରେ ପାଣି ଓ ପବନ ଦୂଷିତ ହେବାରେ ଲାଗିଛି ଓ ଜଙ୍ଗଲ ସମ୍ପଦର କ୍ଷୟ ଘଟୁଛି, ସାବଧାନ ନହେଲେ ବଂଚିବା ଅସମ୍ଭବ ବୋଲି ପ୍ରଫେସର ମହାପାତ୍ର କହିଥିଲେ।

ଏହି ଅବସରରେ ମୁଖ୍ୟବକ୍ତାଭାବେ ଯୋଗଦେଇ ଓଡ଼ିଶା ପରିବେଶ କଂଗ୍ରେସର ପ୍ରତିଷ୍ଠାତା ସମ୍ପାଦକ ସୁଦର୍ଶନ ଦାସ କହିଥିଲେ ଯେ ମଣିଷ ଆଜି ଛିଡା ହୋଇଛି ପ୍ରଶ୍ନର ଦୋଛକିରେ, ଆର୍ଥିକ ପ୍ରଗତି ଆଗେ ନା ପରିବେଶ ସୁରକ୍ଷା ଆଗେ? ଏହି ପ୍ରଶ୍ନର ସମାଧାନରେ ନିହିତ ରହିଛି ଆମର ଅସ୍ତିତ୍ୱ। ଆଗ ବଂଚିଲେ ଯାଇ ଯାବତୀୟ ପ୍ରଗତିର ମୂଲ୍ୟ ରହିଛି।

ସୋଆର ଆଉଟରିଚ କାର୍ଯ୍ୟକ୍ରମ ସମ୍ପର୍କରେ ଖୁସି ବ୍ୟକ୍ତ କରି ବନମହୋତ୍ସବ, ବୃକ୍ଷ ରୋପଣ ସହିତ ଜଳ ସଂରକ୍ଷଣ ଉପରେ ମଧ୍ୟ ସୋଆ ଏନଏସଏସ କାର୍ଯ୍ୟ ଜାରି ରଖୁ ବୋଲି ସେ କହିଥିଲେ।

ସୋଆର ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏନଏସଏସ ସଂଯୋଜକ ପ୍ରଫେସର ନଚିକେତା ଶର୍ମା ବୃକ୍ଷରୋପଣ କାର୍ଯ୍ୟକ୍ରମର ଏକ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନସେସର ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଉଭୟ ଗୁଗୁଲ ମିଟ୍ ଓ ୟୁଟ୍ୟୁବରେ ପ୍ରସାରିତ କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ସୋଆ ଛାତ୍ରଛାତ୍ରୀ, ଡିନ ଓ ପ୍ରୋଗ୍ରାମ ଅଫିସର ଯୋଗଦେଇଥିଲେ।

Categories
ଆଞ୍ଚଳିକ

ବାଣପୁରରେ ସ୍ଵତନ୍ତ୍ର ଟୀକାକରଣ: ଔଷଧ ଦୋକାନୀ ଏବଂ ସେବାୟତମାନଙ୍କୁ ଦିଆଗଲା ପ୍ରଥମ ଡୋଜ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ କବଳରୁ ରକ୍ଷା ପାଇବାକୁ ହେଲେ ଟୀକାକରଣ ଅପରିହାର୍ଯ୍ୟ ହୋଇପଡିଛି। ଏଥିନିମନ୍ତେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସମସ୍ତ ନାଗରିକମାନଙ୍କ ଟୀକାକରଣକୁ ପ୍ରାଥମିକତା ଦେଉଛନ୍ତି। ତେବେ ଆଗଧାଡିର କରୋନା ଯୋଦ୍ଧା ତାଲିକାରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ରାଜ୍ୟ ସରକାର ସାମିଲ କରିଥିବା ବେଳେ ଚବିଶ ଘଣ୍ଟା ରୋଗୀଙ୍କୁ ସଂଜୀବନୀ ଯୋଗାଉଥିବା ସାରା ରାଜ୍ୟର ଔଷଧ ଦୋକାନୀମାନେ ଏଥିରୁ ବାଦ ପଡିଛନ୍ତି। ଯାହାଦ୍ୱାରା ସେମାନଙ୍କୁ ଆଗ ଧାଡ଼ିର ଯୋଦ୍ଧାଙ୍କ ଭଳି ସ୍ୱତନ୍ତ୍ର ଟୀକାକରଣରେ ସାମିଲ କରାଯାଇନଥିଲା। ହେଲେ ଏହାକୁ ତୀବ୍ର ବିରୋଧ କରିଥିଲା ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ। ଯାହାଫଳରେ ନିକଟରେ ରାଜ୍ୟ ଅତରିକ୍ତି ଶାସନ ସଚିବ ସମସ୍ତ ଜିଲ୍ଲପାଳ ଏବଂ ମ୍ୟୁନିସିପାଲ କମିଶନରମାନଙ୍କୁ ରାଜ୍ୟର ସମସ୍ତ ଔଷଧ ଦୋକାନୀ ଏବଂ ସେମାନଙ୍କ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକାକରଣ କରେଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ଅନୁରୂପ ଭାବେ ନିକଟରେ ସମସ୍ତ ସେବାୟତମାନଙ୍କୁ ମଧ୍ୟ ଟୀକାକରଣ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସ୍ୱତନ୍ତ୍ର ଟୀକାକରଣର ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ବାଣପୁର ଅଞ୍ଚଳର ବହୁ ମେଡ଼ିସିନ ଦୋକାନୀ ଏବଂ ସେମାନଙ୍କ କର୍ମଚାରୀମାନେ ପ୍ରଥମ ଡୋଜ ଟୀକା ନେଇଥିଲେ। ସେହିପରି ଭାବେ ବାଣପୁର ଅଞ୍ଚଳର ବହୁ ସେବାୟତ ଏବଂ ପୂଜକମାନେ ମଧ୍ୟ ପ୍ରଥମ ଡୋଜ ଟୀକା ନେଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର ପରିଚାଳନା କରିଥିବା ବେଳେ ଅନ୍ୟ ମେଡିକାଲ କର୍ମଚାରୀ ମାନେ ସହଯୋଗ କରିଥିଲେ।

ଶୃଙ୍ଖଳିତ ଟୀକାକରଣ ନିମନ୍ତେ ଟୀକା କେନ୍ଦ୍ର ପରିସରରେ ମା’ ଭଗବତୀ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବାଣପୁର-ବାଲୁଗାଁର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସମ୍ପାଦକ ଦିଲ୍ଲୀପ କୁମାର ହୋତା, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ଦକ୍ଷେଶ୍ୱର-ଭଗବତୀ ଏଣ୍ଡାଉମେଣ୍ଟର କର୍ମଚାରୀ ମାନେ ଉପସ୍ଥିତି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ୯୭ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ଉପଯୁକ୍ତ ଚିକିତ୍ସା, ସେବା ଓ ଯତ୍ନ ମିଳିଲେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନା ମହାମାରୀକୁ ଅନାୟସରେ ପରାସ୍ତ କରିପାରିବେ ତାହା ପୁଣି ଥରେ ପ୍ରମାଣିତ ହୋଇଛି ଜଣେ ୯୭ ବର୍ଷୀୟା ବୃଦ୍ଧାଙ୍କ କ୍ଷେତ୍ରରେ। ସମ୍ କୋଭିଡ ହସ୍ପିଟାଲ୍‌ରୁ ପୁଣି ଜଣେ ବୟୋଜ୍ୟେଷ୍ଠ।। ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବାଲେଶ୍ୱର ଅଂଚଳର ଶ୍ରୀମତି ଚଂଚଳା ବେହେରା ଗତ ଜୁନ୍ ମାସ ୧୮ ତାରିଖରେ କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ସେ ଉଚ୍ଚ ରକ୍ତଚାପ ଓ ଶ୍ୱାସଜନିତ ସମସ୍ୟା ଯୋଗୁଁ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ପୂର୍ବରୁ ହୃଦରୋଗ ଜନିତ ସମସ୍ୟା ରହିଥିବାରୁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଆଯାଇଥିଲା।

ତେବେ ସମ୍ କୋଭିଡ୍ ଟିମ୍‌ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଚିକିତ୍ସା, ସେବା ଓ ଯତ୍ନ ଫଳରେ ଦୀର୍ଘ ୨୦ ଦିନ ପରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଚଂଚଳା। ସେ ସୁସ୍ଥ ହେବା ପରେ ଘରକୁ ଯିବା ସମୟରେ ସମ୍ କୋଭିଡ ଟିମ୍‌କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ତାଙ୍କ ବୋହୁ ଶ୍ରୀମତି ତପସ୍ୱିନୀ ବେହେରା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଲଳିତ କଳା ଏକାଡେମୀର କର୍ମଶାଳାରେ ସାମିଲ ହେଲେ ଚିତ୍ରଶିଳ୍ପୀ ସୁଧୀର ସ୍ୱାଇଁ

କନ୍ଦର୍ପ ବେହେରା
ରେଢାଖୋଲ: କରୋନା ମହାମାରୀ ସମୟରେ ସାରା ଦେଶର ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଓଡିଶାର ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଓଡିଶା ଲଳିତ କଳା ଏକାଡେମୀ, ଭୁବନେଶ୍ୱର ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ଅନ୍ ଲାଇନ୍ ଚିତ୍ରକଳା କର୍ମଶାଳା।

ଏହି ଚିତ୍ରକଳା କର୍ମଶାଳାରେ ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମର ଯୁବ ଚିତ୍ରଶିଳ୍ପୀ ସୁଧୀର କୁମାର ସ୍ୱାଇଁ ମନୋନୀତ ହୋଇଛନ୍ତି। ଏହି କର୍ମଶାଳାକୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଏଥିରେ ଲଳୀତ କଳା ଏକାଡେମୀର ସଚିବ ପଂଚାନନ ସାମଲ ଜୁମ୍ ମିଟ୍ କୁ ପରିଚାଳନା କରିଥିବା ବେଳେ ସଂସ୍କୃତି ବିଭାଗର ସଚିବ ବିଷ୍ନୁପଦ ସେଠୀ, ଉପସଭାପତି ଶ୍ରୀନିବାସ ପଢିଆରୀ, ସଭାପତି ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି କର୍ମଶାଳା ଜୁନ୍ ୩୦ ତାରିଖରୁ ଆରମ୍ଭ ହୋଇ ୪ ଜୁଲାଇ ପର୍ଯ୍ୟନ୍ତ ଚାଲିଥିବା ବେଳେ ମନୋନୀତ ଚିତ୍ରଶିଳ୍ପୀମାନେ ନିଜ ବାସଭବନରେ ରହି ଚିତ୍ର ଆଙ୍କିଥିଲେ। ଏହି ଚିତ୍ରକଳାରେ ଶିଳ୍ପୀ ସୁଧିର କୁମାର ସ୍ୱାଇଁ ଭାଗ ନେଇ “ଶ୍ରୀଜଗନ୍ନାଥ ଓ ରଥଯାତ୍ରା” ଉପରେ ଆଧାରିତ ଚିତ୍ରକୁ ଆଙ୍କି ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଛନ୍ତି।

ସେହି ପରି ଗ୍ରାଫିକସ୍ କଳାରେ ୧୩ ଜଣଙ୍କ ମଧ୍ୟରୁ ସୁଧୀର ମଧ୍ୟ ମନୋନୀତ ହୋଇଛନ୍ତି। ତାଙ୍କର ଚିତ୍ରକଳାକୁ ଆର୍ଟ ଗ୍ୟାଲେରୀରେ ସ୍ଥାନ ଦିଆଯିବ। ଆଗାମୀ ରଥଯାତ୍ରା ସମୟରେ ସୁଧୀରଙ୍କ ଚିତ୍ରକଳାକୁୁ ଲୋକାର୍ପିତ କରାଯିବ।

ସୂଚନା ଥାଉକି ପୂର୍ବରୁ ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ମହାମାରୀ କରୋନାକୁ ଆଧାର କରି ଚିତ୍ରକଳା ପ୍ରତିଯୋଗୀତାରେ ସୁଧୀର ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ। ସେ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଯୋଡାରେ ଚିତ୍ରକଳା ବିଭାଗରେ ଅଧ୍ୟାପନା କରୁଛନ୍ତି। ସେ ଭିନ୍ନ ଭିନ୍ନ ସମୟରେ ସାଂପ୍ରତିକ ଘଟଣା ବଳିକୁ ଆଧାର କରି ବିଭିନ୍ନ ଯାଗାରେ ଚିତ୍ରକଳା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ ବହୁ ଅନୁଷ୍ଠାନରୁ ମଧ୍ୟ ଚିତ୍ରପାଇଁ ପୁରସ୍କୃତ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ମାମଲା ବଢୁଥିବା 6ଟି ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପଠାଇଲା ସ୍ୱତନ୍ତ୍ର ଦଳ

ନୂଆଦିଲ୍ଲୀ, ଏବେ ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାକୁ ଲାଗିଥିବା ବେଳେ ଓଡ଼ିଶା ସମେତ ୬ଟି ରାଜ୍ୟରେ ସଂକ୍ରମଣ କମୁନାହିଁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓଡ଼ିଶା ଏବଂ ଅନ୍ୟ ୫ଟି ରାଜ୍ୟକୁ ଟିମ୍ ପଠାଇଛନ୍ତି । ଏହି କେନ୍ଦ୍ରୀୟ ଟିମ୍ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରକୁ ମଧ୍ୟ ଯାଇଛନ୍ତି।

ଓଡ଼ିଶାକୁ ପଠାଯାଇଥିବା ଟିମର ନେତୃତ୍ୱ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଏ ଡାନ୍ ନେଉଛନ୍ତି । କୋଭିଡ ମହାମାରୀର ମୁକାବିଲା ଏବଂ ପରିଚାଳନା ଲାଗି ରାଜ୍ୟଗୁଡ଼ିକ ଉଦ୍ୟମ ଜାରି ରଖିଥିବା ବେଳେ କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସେମାନଙ୍କୁ ଏ ବାବଦରେ ସହଯୋଗ ଯୋଗାଇଦେବେ ।

କେନ୍ଦ୍ର ସରକାର ‘ସମ୍ପୂର୍ଣ୍ଣ ସରକାର’ ଏବଂ ‘ସମ୍ପୂର୍ଣ୍ଣ ସମାଜ’ ଦୃଷ୍ଟିକୋଣ ସହିତ ଏହି ବିଶ୍ୱ ମହାମାରୀ ବିରୋଧରେ ଲଢ଼େଇର ନେତୃତ୍ୱ ନେଉଛନ୍ତି । କୋଭିଡ ପରିଚାଳନା ପାଇଁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ପ୍ରୟାସକୁ ମଜଭୁତ କରିବା ସକାଶେ ଜାରି ରହିଥିବା ଉଦ୍ୟମ ଭାବେ କେନ୍ଦ୍ର ସରକାର ସମୟ ସମୟରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପରିଦର୍ଶନ ନିମନ୍ତେ କେନ୍ଦ୍ରୀୟ ଟିମ ମୁତୟନ କରୁଛନ୍ତି ।

ଏହି କେନ୍ଦ୍ରୀୟ ଟିମ୍ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି ଏବଂ ସେମାନଙ୍କ ସମ୍ମୁଖରେ ଆସୁଥିବା ଆହ୍ୱାନ ଓ ପ୍ରସଙ୍ଗକୁ ପ୍ରତ୍ୟକ୍ଷ ଭାବେ ସମୀକ୍ଷା କରି ସୂଚନା ହାସଲ କରୁଛନ୍ତି । ଏହାଦ୍ୱାରା ସେମାନଙ୍କର କାର‌୍ୟ୍ୟକଳାପକୁ ଆହୁରି ମଜଭୁତ କରାଯାଇ ପାରିବ ଏବଂ ଯଦି କିଛି ପ୍ରତିବନ୍ଧକ ବା ବାଧା ରହିଥାଏ, ତାହା ଦୂର ହୋଇପାରିବ ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଆଜି ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରରେ ଟିମ୍ ମୁତୟନ କରିଛନ୍ତି । ଏହି ରାଜ୍ୟଗୁଡ଼ିକରେ ଏବେ କୋଭିଡ-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ମଣିପୁରକୁ ପଠାଯାଇଥିବା ଟିମର ନେତୃତ୍ୱ ଇଏମଆରର ଅତିରିକ୍ତ ଡିଡିଜି ଓ ନିର୍ଦ୍ଦେଶକ ଡ. ଏଲ୍ ସ୍ୱସ୍ତିଚରଣ ନେଉଥିବା ବେଳେ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ପ୍ରଫେସର ଡ. ସଞ୍ଜୟ ସାଧୁଖାନଙ୍କ ନେତୃତ୍ୱରେ ଏକ ଟିମ୍ ଅରୁଣାଚଳ ପ୍ରଦେଶ ପଠାଯାଇଛି ।

ସେହିଭଳି ତ୍ରିପୁରାକୁ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ପ୍ରଫେସର ଡ. ଆର୍ ଏନ୍ ସିହ୍ନା ଦିର୍ଙ୍କ ନେତୃତ୍ୱରେ ଟିମ୍ ପଠାଯାଇଥିବା ବେଳେ କେରଳ ପାଇଁ ଆରଓଏଚଏଫଡବ୍ଲ୍ୟୁର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଜିଆର୍.-୨ ଡ. ରୁଚି ଜୈନଙ୍କ ନେତୃତ୍ୱରେ ଟିମ୍ ମୁତୟନ କରାଯାଇଛି । ଓଡ଼ିଶା ନିମନ୍ତେ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଏ ଡାନଙ୍କ ନେତୃତ୍ୱରେ ଟିମ୍ ପଠାଯାଇଥିବା ବେଳେ ଛତିଶଗଡ଼ରେ ଏମସ ରାୟପୁର ସହକାରୀ ପ୍ରଫେସର ଡ. ଦିବାକର ସାହୁଙ୍କ ନେତୃତ୍ୱରେ ଟିମ୍ ମୁତୟନ କରାଯାଇଛି । ମହାମାରୀର ସଫଳ ମୁକାବିଲା ଓ ପରିଚାଳନା ନିମନ୍ତେ ରାଜ୍ୟଗୁଡ଼ିକ ଯେଉଁ ଉଦ୍ୟମ କରୁଛନ୍ତି, ଏହି ଟିମ୍ ଗୁଡ଼ିକ ସେଥିରେ ସହଯୋଗ କରିବେ ।

ଏହି ରାଜ୍ୟଗୁଡ଼ିକୁ ପଠାଯାଇଥିବା ଦୁଇ ସଦସ୍ୟବିଶିଷ୍ଟ ଉଚ୍ଚସ୍ତରୀୟ ଟିମରେ ଜଣେ ଚିକିତ୍ସକ ଓ ଜଣେ ଜନସେବା ବିଶେଷଜ୍ଞ ସାମିଲ ଅଛନ୍ତି । ଏହି ଟିମଗୁଡ଼ିକ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ତୁରନ୍ତ ଗସ୍ତ କରି କୋଭିଡ-୧୯ ପରିଚାଳନା, ବିଶେଷକରି ଟେଷ୍ଟିଙ୍ଗ, ନିରୀକ୍ଷଣ, ନିୟନ୍ତ୍ରଣ ଓ ପରିଚାଳନା ଆଦିର ସାମଗ୍ରିକ କାଯ୍ୟକାରିତାର ତଦାରଖ କରିବେ । ଏହାସହିତ କୋଭିଡ ଉପଯୁକ୍ତ ବ୍ୟବହାର ଓ ଏହାର ପ୍ରବର୍ତ୍ତନ, ହସ୍ପିଟାଲ ଶଯ୍ୟାର ଉପଲବ୍ଧତା, ଉପଯୁକ୍ତ ଲଜିଷ୍ଟିକ୍ସ ଯଥା ଆମ୍ବୁଲାନ୍ସ, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ ଆଦି, ଏବଂ ସର୍ବୋପରି କୋଭିଡ-୧୯ ଟିକାକରଣ ଅଗ୍ରଗତିର ମଧ୍ୟ ତଦାରଖ କରିବେ । ଟିମଗୁଡ଼ିକ କୋଭିଡ ସ୍ଥିତିର ତଦାରଖ ସହିତ ପ୍ରତିକାର ପଦକ୍ଷେପ ବାବଦରେ ମଧ୍ୟ ପରାମର୍ଶ ପ୍ରଦାନ କରିବେ ।

କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସ୍ଥିତିର ମୂଲ୍ୟାୟନ କରିବେ ଏବଂ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ଜନସ୍ୱାସ୍ଥ୍ୟ କାର‌୍ୟ୍ୟକଳାପ ସଂକ୍ରାନ୍ତରେ ପ୍ରତିକାର ପଦକ୍ଷେପ ଆଦି ନେଇ ପରାମର୍ଶ ପ୍ରଦାନ କରିବେ । ଏ ସଂକ୍ରାନ୍ତ ରିପୋର୍ଟର ନକଲଗୁଡ଼ିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର: ଲକଡାଉନ ସମୟରେ ଅମାନିଆଙ୍କ ଭୂସ୍ଵର୍ଗ ପାଲଟିଛି ଜିରୀପଡ଼ା

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ବର୍ତ୍ତମାନ ସମଗ୍ର ମାନବ ସମାଜକୁ ଧ୍ୱସ୍ତ ବିଧ୍ୱସ୍ତ କରିସାରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ମାତ୍ର ପନ୍ଥା ଲକଡ଼ାଉନ ଆପଣେଇଛନ୍ତି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ସଂକ୍ରମଣରେ ଏକ ନମ୍ବରରେ ରହୁଥିବାବେଳେ ଚିଲିକା ନିର୍ବାଚନମଣ୍ଡଳୀ ଏହାର ମୁକସାକ୍ଷୀ ପାଲଟିଛି। ଚିଲିକାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଉଛି।

ତେବେ ଏହାର କାରଣ ପ୍ରଶାସନ ଚି଼ହ୍ନଟ କରିପାରୁନଥିବାବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏକ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ଯାହା କୋଭିଡ଼ ସଂକ୍ରମଣକୁ ବଢେଇବାରେ ପ୍ରତ୍ୟକ୍ଷ ଭାବେ କାମ କରୁଛି। ସାଧାରଣତଃ ପୋଲିସ ଏବଂ ପ୍ରଶାସନ ସହରାଞ୍ଚଳରେ ଲକଡ଼ାଉନ ଏନ୍ଫୋର୍ସମେଣ୍ଟକୁ କଡାକଡି କରୁଥିବାବେଳେ ଗ୍ରାମାଞ୍ଚଳରେ ସେତେଟା ସମ୍ଭବ ହୋଇପାରୁନି।

ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଜିରୀପଡ଼ା ବର୍ତ୍ତମାନ କୋଭିଡ଼ ଅମାନିଆଙ୍କ ଭୂସ୍ବର୍ଗ ପାଲଟିଛି। ପ୍ରତିଦିନ ଏଠି ସହ ସହ ଲୋକମାନେ ଏକାଠି ହେଉଥିବାବେଳେ ଭୋଜି ଭାତ ଏବଂ ମଦର ଆସର ମଧ୍ୟ ଜୋରସୋରରେ ଚାଲୁଛି।

ଗୋଟେପଟେ ପ୍ରତିଦିନ ରାଜ୍ୟରେ ବହୁ ଆକ୍ରାନ୍ତଙ୍କ ପ୍ରାଣ ଯାଉଥିବାବେଳେ ଅନ୍ୟପକ୍ଷେ ଜିରୀପଡ଼ାରେ ଭୋଜିଭାତର ଅସାର ଜମିବା ସରକାରଙ୍କ କୋଭିଡ ନିୟମକୁ ଏକ ଶକ୍ତ ଚାପୁଡ଼ା ସଦୃଶ। ତେବେ ପ୍ରାୟତଃ ସହରରୁ ଲୋକେ ଜିରୀପଡ଼ା ଯାଇ ପିକିନିକ ମନାଉଥିବା ଅଭିଯୋଗ ହେଉଛି। ଗୋଟିଏ ଜାଗାରେ ଶତାଧିକ ଲୋକ ସମାଗମ ହେବା ଦ୍ଵାରା ସଂକ୍ରମଣ ବୃଦ୍ଧି ହେବାର ମୁଖ୍ୟ କାରଣ ପାଲଟିଛି।

ତେବେ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣିଥରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ ସୁଦ୍ଧା ନୀଳାଦ୍ରିପ୍ରସାଦରେ କିପରି ସରପଞ୍ଚ ଏ ସବୁ ଜାଣିପାରୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଚିଲିକାରେ କୋଭିଡ ସଂକ୍ରମଣ ବଢୁଛି, ତେବେ ଏଥିପାଇଁ  ଦାୟୀ କିଏ ବୋଲି ଚର୍ଚ୍ଚା ହେଉଛି। ବାଣପୁର ପ୍ରଶାସନ ଏବଂ ପୋଲିସ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ଗଡିଲା ରାଜସ୍ୱ ରଥ: ଘର ପାଖରେ ଲୋଗଙ୍କୁ ଯୋଗାଇବ ସେବା

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ଯୋଗୁଁ ଲକଡାଉନ ଜାରି ରହିଥିବା ବେଳେ ଏହି ସମୟରେ ଘର ପାଖରେ ଲୋକଙ୍କୁ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ପକ୍ଷରୁ ଆଜି ରାଜସ୍ବ ରଥର ଶୁଭାରମ୍ଭ ହୋଇଛି।

ତହସିଲଦାର ପୁନମ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହରିପୁର ପଞ୍ଚାୟତରୁ ଏହାର ଶୁଭାରମ୍ଭ ହୋଇଛି। ଏଥିରେ ଅନ୍ୟତମ ଅଧିକାରୀ ଭାବେ ଅତରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ଅଭିଲେଖପାଳ ପ୍ୟାରୀ ମୋହନ ପଟ୍ଟନାୟକ, କନିଷ୍ଠ ରାଜସ୍ବ ସହାୟକ ମଙ୍ଗରାଜ ବେହେରା ଏବଂ ଅନ୍ୟ ତହସିଲ କର୍ମଚାରୀମାନେ ଘରକୁ ଘର ଯାଇ ହିତାଧିକାରୀଙ୍କୁ ଜମି, ଘର ପଟ୍ଟା ଏବଂ ଅନ୍ୟାନ ପ୍ରମାଣପାତ୍ର ପ୍ରଦାନ କରୁଥିବାର ଦେଖାଯାଇଛି।

ତେବେ ଖବର ଲେଖା ହେଲା ବେଳଯାଏଁ ହିତାଧିକାରୀଙ୍କୁ ୧୭ ଟି ଜମି ପଟ୍ଟା ଏବଂ ୨୧ ଟି ପ୍ରମାଣପତ୍ର ବଣ୍ଟନ ସରିଥିବା ନେଇ ତହସିଲଦାର ସୁଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ତହସିଲର ଏପରି ପଦକ୍ଷେପ ଦ୍ୱାରା ହିତାଧିକାରୀ ମାନେ ବେଶ ଖୁସି ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

ଅପରପକ୍ଷେ ଚିଲିକାର ଜନସାଧାରଣଙ୍କୁ କରୋନା ମହାମାରୀ ସମୟରେ ଅଯଥାରେ ଘରୁ ନବାହାରିବା ତହସିଲଦାର ସୁଶ୍ରୀ ମହାପାତ୍ର କହିଛନ୍ତି। ସଦାବେଳେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ସାନିଟାଇଜର ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି ତହସିଲଦାର।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ଲାକ ଫଙ୍ଗସ୍ ଠାରୁ ହ୍ବାଇଟ ଫଙ୍ଗସ୍ ଅଧିକ ବିପଦ: ବିହାରରେ ଚିହ୍ନଟ ହେଲେ ୪ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ମହାମାରୀର ସ୍ଥିତି ଏବେ ଉଦବେଗଜନକ ଥିବା ବେଳେ ବ୍ଲାକ ଫଙ୍ଗସ୍ ସାରା ଦେଶକୁ ଚିନ୍ତାରେ ପକାଇଛି। ଏହି ରୋଗର ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ମହାମାରୀ ଘୋଷଣା କରିବାକୁ ରାଜ୍ୟ ସରକାର ସୁପାରିସ କରିଛନ୍ତି। ହେଲେ ଆଜି ୪ ଜଣ ହ୍ଵାଇଟ ଫଙ୍ଗସ୍ ରୋଗୀ ବିହାରର ପାଟଣାରେ ଚିହ୍ନଟ ହୋଇଛନ୍ତି। କିନ୍ତୁ ଦେଶରେ ଏବେ ହ୍ବାଇଟ ଫଙ୍ଗସ୍ ଚିହ୍ନଟ ହେବା ପରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏହି ରୋଗ ସମଗ୍ର ଶରୀରକୁ ସଂକ୍ରମଣ ହେଉଥିବାରୁ ବ୍ଲାକ ଫଙ୍ଗସ୍ ଠାରୁ ଏହି ରୋଗ ଅଧିକ ବିପଦ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହା ମଣିଷ ଶରୀରର ନଖ, ଚରମ, ପାଟି, ଫୁସଫୁସ, ପାକସ୍ଥଳୀ, ଯକୃତ, ଗୁପ୍ତାଙ୍ଗ, ବ୍ରେନ ଆଦି କୁ ସଂକ୍ରମଣ ହୋଇ କ୍ଷତି ପହଞ୍ଚାଉଛି। ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କୁ ଏହି ରୋଗ ସଂକ୍ରମଣ ହେଉଥିବା ସମ୍ଭାବନା ଅଧିକ ରହିଛି। ପ୍ରାଥମିକ ଅବସ୍ଥାରୁ ଏହି ରୋଗର ଚିକିତ୍ସା ଆରମ୍ଭ କରାନଗଲେ, ଏହି ଅଧିକ ବିପଦ ସୃଷ୍ଟି କରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଯୁବକଙ୍କ ମୃତ୍ୟୁ ପରେ ଛୁଇଁଲେନି ସମ୍ପର୍କୀୟ: ପିପିଇ କିଟ୍ ପିନ୍ଧି ଶବ ସତ୍କାର କଲେ ବାଲୁଗାଁ ଏସଡିପିଓ

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ବର୍ତ୍ତମାନ ସାରା ଦେଶକୁ ଏମିତି ଗ୍ରାସିଛି ଯେ ମଣିଷ ମାନବିକତା ଭୁଲିଯାଉଛି। ଏହି ସମୟରେ ଏମିତି ଅନେକ ଦୃଶ୍ୟ ସାମ୍ନାକୁ ଆସୁଛି ଯାହା ମନକୁ ବିଚଳିତ କରିଦେଉଛି। କେଉଁଠି ନିଜ ପୁଅ ବାପାର ଶବକୁ ଛୁଁଉନି ତ କେଉଁଠି ବାପା ପୁଅର ଶବକୁ ଛୁଇଁବାକୁ ଡରୁଛି। କରୋନା ସଂକ୍ରମଣକୁ ଡରି ନିଜ ସମ୍ପର୍କୀୟମାନେ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଉନଥିବା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ମଣିଷକୁ ମଣିଷର ଘୃଣା ଏତେ ପରିମାଣର ବଢିଯାଇଛି ଯେ, ସେ ଭୁଲିଯାଉଛି ମାନବିକତା।

ଏପରି ଏକ ହୃଦୟବିଦାରକ ଦୃଶ୍ୟ ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। କରୋନା ସନ୍ଦେହରେ ଜଣେ ମୃତ ବ୍ୟକ୍ତିଙ୍କୁ ତାଙ୍କ ସମ୍ପର୍କୀୟ ଦେଖିବାକୁ ପାଖ ମାଡିଲେନି ଏପରିକି ଗ୍ରାମବାସୀ ମାନେ ସ୍ମଶାନରେ ଦାହ ପାଇଁ ଅନୁମତି ମଧ୍ୟ ଦେଲେନି। ଶେଷରେ ଦେବଦୁତ ଭାବେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ଉଦ୍ୟମ ଏବଂ ଚିଲିକା ପ୍ରଶାସନର ସହଯୋଗରେ ମୃତବ୍ୟକ୍ତିଙ୍କ ସସମ୍ମାନେ ଶବସତ୍କାର କରାଯାଇଛି।

ସୂଚନା ମୁତାବକ, ଚିଲିକା ବ୍ଲକ କୁମାଣ୍ଡଳ ପଞ୍ଚାୟତ ସରଳସିଂ ଗ୍ରାମର ଦିବାକର ବାରିକ(୨୫) ତାଙ୍କ ମା’ଙ୍କ ସହ କରଡ଼ି ଗ୍ରାମରେ ରୁହନ୍ତି। ଗରିବ ଘର ହୋଇଥିବାରୁ ପୁଅ ଏକ କୁକୁଡ଼ା ଫାର୍ମରେ କାମ କରି ଯାହା ଦରମା ପାଏ ସେଥିରେ ମା ପୁଅ ଚଳନ୍ତି। ତେବେ ଗତକାଲି ଦିବାକରଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କ ମାଙ୍କ ସହ ସେ ସକାଳୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସୂଚନା ମୁତାବକ, ଦିବାକରଙ୍କୁ ଦୀର୍ଘ ଦିନ ଧରି ଜ୍ୱର ହେଉଥିଲା।  ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗତକାଲି ତାଙ୍କୁ ଔଷଧ ଯୋଗାଇଦିଆଯାଇଥିଲା ଏବଂ କୋଭିଡ ଟେଷ୍ଟ ପାଇଁ କୁହାଯାଇଥିଲା। ହେଲେ ସେ ଟେଷ୍ଟ ନକରି ଘରକୁ ପଳାଇଯାଇଥିଲେ।

ଅପରାହ୍ନରେ ସେ ଗାଁ ରେ ଠିଆ ହୋଇଥିଲା ସମୟରେ ହଠାତ ଟଳିପଡ଼ିଥିଲେ। ଏ ଖବର ଗ୍ରାମ ଅଙ୍ଗନବାଡି ଦିଦି ବାଲୁଗାଁ ମେଡିକାଲକୁ ଜଣାଇବାରୁ ତାଙ୍କୁ ୧୦୮ ଯୋଗେ ବାଲୁଗାଁ ମେଡିକାଲ ଅଣାଯାଇଥିଲା। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ବାଲୁଗାଁ ମେଡିକାଲ ଅଧିକାରୀ ସୂଚନା ଦେଇଥିଲେ।

ତେବେ କରୋନା ସନ୍ଦେହରେ ଦିବାକରଙ୍କ ଶବକୁ ତାଙ୍କ ସମ୍ପର୍କୀୟ ଦେଖିବାକୁ ଆସିଲେ ନାହିଁ। ଏପରିକି ଶବ ସତ୍କାର ପାଇଁ ମଧ୍ୟ ଗ୍ରାମବାସି ବିରୋଧ କରିବାରୁ ପାଖାପାଖି ଦୀର୍ଘ ୬ ଘଣ୍ଟା ନିଜ ବାଢୁଅ ପୁଅର ଶବକୁ ନେଇ ବାଲୁଗାଁ ମେଡିକାଲ ପରିସରରେ ତାଙ୍କ ମା କାନ୍ଦୁଥିବାର ଦେଖାଯାଇଥିଲା।

ଏ ଖବର ପାଇ ଆମ ପ୍ରତିନିଧି ତୁରନ୍ତ ସ୍ଥାନୀୟ ଏବଂ ପୋଲିସ ପ୍ରଶାସନକୁ ସହଯୋଗ ପାଇଁ ଅନୁରୋଧ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସଙ୍ଗେ ସଙ୍ଗେ ବାଲୁଗାଁ ଏସଡ଼ିପିଓ ଏବଂ ଆଇଆଇସି ମେଡିକାଲ ପରିସରରେ ପହଁଚି ମୃତକଙ୍କ ମା’ ଙ୍କୁ ଆଶ୍ୱାସନା ଦେଇଥିଲେ।  ତେବେ ଚିଲିକା ତହସିଲଦାର ଏବଂ ବିଡ଼ିଓଙ୍କ ହସ୍ତକ୍ଷେପ କ୍ରମେ ଦିବାକରଙ୍କ ଶବ ସତ୍କାର ନିମନ୍ତେ ସ୍ଥାନୀୟ ଆଖୁପୋଖରିଆ ସ୍ମଶାନ ଠିକ ହୋଇଥିଲା ଏବଂ ଶବ ଦାହ ନିମନ୍ତେ ଆବଶ୍ୟକ ସରଞ୍ଜାମ ଯୋଗାଇଦିଆଯାଇଥିଲା।

ହେଲେ ଏ ସବୁ କାର୍ଯ୍ୟ ହେଲା ବେଳକୁ ରାତି ୧୨ଟା ବାଜିଯାଇଥିଲା। କୋଭିଡ ସନ୍ଦେହରେ ଦିବାକରଙ୍କ ଶବ ସତ୍କାର ନିମନ୍ତେ କେହି ବି ଆଗକୁ ନଆସିବାରୁ ଖୋଦ ବାଲୁଗାଁ ଏସଡ଼ିପିଓ ପିପିଇ କିଟ ପିନ୍ଧି ସ୍ଥାନୀୟ ସମାଜସେବୀ ଜୀନା ପଣ୍ଡା, ସାମ୍ବାଦିକ ଶକ୍ତି ମହାପାତ୍ର ଏବଂ ମେଡିକାଲ କର୍ମଚାରୀ ଦିଲ୍ଲୀପ ବେହରାଙ୍କ ସହଯୋଗରେ ଦିବାକରଙ୍କ ଶବକୁ ସମ୍ମାନ ସହ ସତ୍କାର କରିଥିଲେ।

ଅନ୍ୟପକ୍ଷରେ ବାଲୁଗାଁ ଥାନାଧିକାରୀ ରାତି ତମାମ ଶବ ସତ୍କାର ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସ୍ମଶାନ ରେ ପ୍ରହରା ଦେଇଥିଲେ। ତେବେ ପ୍ରଶାସନର ଏପରି କାର୍ଯ୍ୟକୁ ସମସ୍ତେ ଭୂୟାଁସୀ ପ୍ରଶଂସା କରିବା ସହ ବାଲୁଗାଁ ଏସଡ଼ିପିଓଙ୍କ ବଦାନ୍ୟତାକୁ ସାଧୁବାଦ ଜଣାଇଛନ୍ତି।  ପ୍ରାୟତଃ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଉପରେ ଜନସାଧାରଣଙ୍କ ଆକ୍ରୋଶ ମନୋଭାବ ରହୁଥିବାବେଳେ ଏହି ଘଟଣା ଉଭୟ ଜନସାଧାରଣ ଏବଂ ପ୍ରଶାସନ ମଧ୍ୟରେ ସମ୍ପର୍କର ସେତୁ ବାନ୍ଧିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଅନୁରୂପ ଭାବେ ଦିବାକରଙ୍କ ମା’ ଗରିବ ଅସହାୟ ହୋଇଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କ ଥଇଥାନ ତଥା ରକ୍ଷଣାବେକ୍ଷଣ ନିମନ୍ତେ ବ୍ୟବସ୍ଥା କରାଗଲେ ସେ ଉପକୃତ ହୋଇପାରନ୍ତେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମସ୍ତ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଉପଲବ୍ଧ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି

ଭୁବନେଶ୍ୱର: ସରକାର ଆଜିର କରୋନା ମହାମାରୀ ସମୟରେ ସମସ୍ତ କରୋନା ଓ ଅଣକରୋନା ରୋଗୀଙ୍କୁ ମାଗଣା ଗୁଣାତ୍ମକ ଚିକିତ୍ସା ଉପଲବ୍ଧ କରାନ୍ତୁ। ଏହା ହିଁ ଆଜିର ସମୟର ଆହ୍ୱାନ ଓ ଏକ ଲୋକ କଲ୍ୟାଣକାରୀ ସରକାରଙ୍କ ଠାରୁ ରାଷ୍ଟ୍ରର ଜନଗଣଙ୍କ ଆଶା।

ଏହି ସମୟରେ ସରକାର ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଜୀବନ ବଞ୍ଚାଇବାର ଦାୟିତ୍ୱକୁ ପ୍ରମୁଖତା ଦିଅନ୍ତୁ। ଆଜି ସାମ୍ବାଦିକ ଭବନ ପରିସରରେ ସମ୍ବାଦିକ ସମ୍ମିଳନୀ କରି ଏ ନେଇ ବକ୍ତବ୍ୟ ରଖିଥିଲେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।

ସେ କହିଥିଲେ ଯେ, କରୋନା ମହାମାରୀକୁ ନେଇ ସରକାର ବହୁତ ପ୍ରଚାରର ସତର୍କତା କରୁଥିଲେ ହେଁ ପ୍ରକୃତପକ୍ଷେ ପର୍ଯ୍ୟାପ୍ତ ତ ଛାଡ଼ ସର୍ବନିମ୍ନ ସ୍ୱାସ୍ଥ୍ୟସେବା କରୋନା ରୋଗୀଙ୍କ ପାଇଁ ସଙ୍କଟ କାଳରେ ଉପଲବ୍ଧ କରାଇ ପାରୁନାହାଁନ୍ତି। ଅକ୍ସିଜେନ ଅଭାବରୁ ଅନେକ ରୋଗୀଙ୍କ ଜୀବନ ଅକାଳରେ ଚାଲିଯିବା ଆମ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ଜଳଜଳ କରି ଦେଖାଇଦେଇଛି। ସବୁଠୁ ବେଶୀ ଅସୁବିଧାର ସମ୍ମୁ୍‌ଖୀନ ହେଉଛନ୍ତି କରୋନା ଅଣସଂକ୍ରମିତ ରୋଗୀ। କରୋନା ସଂକ୍ରମଣ କାଳରେ ଅଣସଂକ୍ରମିତ ରୋଗୀମାନ ବି ଚିକିତ୍ସା ସୁବିଧା ପାଇବା କଥା। ମାତ୍ର ସେମାନେ ଅବହେଳା ଓ ଉପେକ୍ଷାର ଶିକାର ହୋଇ ବହୁବିଧ ଯନ୍ତ୍ରଣାର ସାମ୍ନା କରୁଛନ୍ତି।

ସେହିଭଳି ଯଦି କୋଭିଡ୍ ଗ୍ରାଫ ଅଧିକ ଶିଖରକୁ ଛୁଉଁଛି ଓ ପରିସ୍ଥିତି ସଙ୍ଗୀନ ହେଉଛି ତେବେ ସରକାର ତୁରନ୍ତ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କରି ପୁଞ୍ଜିପତିଙ୍କ ଠାରୁ ସ୍ୱତନ୍ତ୍ର କ୍ଷମତା ବଳରେ ଅଧା ଅର୍ଥ ନେଇଆସନ୍ତୁ। କରୋନ ସମୟରେ ଅନ୍ୟମାନଙ୍କ ଅପେକ୍ଷା ଶିଳ୍ପପତିମାନଙ୍କୁ ସରକାର ଅଧିକ ପ୍ୟାକେଜ ଦେଇଥିଲା ବେଳେ ଏବଂ ସିଏସ୍‌ଆର ଫଣ୍ଡ ଅର୍ଥ ପିଏମ୍ କେୟାର ପାଣ୍ଠିକୁ ଦେଇ ସେମାନେ ଖସି ଯାଇଥିବା ବେଳେ ଏବେ ଦେଶର ବିପଦ ବେଳେ ମୁଣ୍ଡ ଦେଖାନ୍ତୁ। ନିଜେ ସରକାର ଘୋଷଣା କରିଛନ୍ତି ଜୀବନ ସବୁଠାରୁ ମୂଲ୍ୟବାନ। ଜନମଙ୍ଗଳକାରୀ ରାଷ୍ଟ୍ରର ଦାୟିତ୍ୱ ଓ କର୍ତ୍ତବ୍ୟ ହେଉଛି ଖାଦ୍ୟ, ବସ୍ତ୍ର, ବାସଗୃହ ଓ ଶିକ୍ଷା ସ୍ୱାସ୍ଥ୍ୟର ସୁନିଶ୍ଚିତ ବ୍ୟବସ୍ଥା କରିବା।

ଆଜିର କରୋନା ମହାମାରୀ ସମୟରେ ଜୀବନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସରକାର ଜୀବନର ସୁରକ୍ଷା ପାଇଁ ସବୁଠାରୁ ଅଧିକ ଦାୟିତ୍ୱସମ୍ପନ୍ନ ସରକାର ଭାବରେ କରୋନା ଏବଂ କରୋନା ବାହାର ରୋଗୀମାନଙ୍କର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରିବା ସହିତ ଏହି ସମୟକୁ ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ବ୍ୟାପାର ନାମରେ ଏକାଠି ହୋଇଥିବା ପୁଞ୍ଜିର ଏକାଧିକାର ଓ ବୌଦ୍ଧିକ ଏକାଧିକାରକୁ ସମାପ୍ତ କରି ସମସ୍ତ ଅର୍ଥକୁ ଚିକିତ୍ସା ଖର୍ଚ୍ଚରେ ଉପଯୋଗ କରିବା ଉଚିତ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନବନିର୍ମାଣ କୃଷକ ସଂଗଠନ ଚାଷୀର ହିତ ପାଇଁ ସବୁବେଳେ ସ୍ୱର ଉଠାଇ ଆସୁଥିଲେ ମଧ୍ୟ ଆଜି ସାରା ଦେଶର ସାଧାରଣ ବ୍ୟକ୍ତିର ଜୀବନକୁ ମହତ୍ତ୍ୱ ଦେଇ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପିତ କରୁଛି।

(୧) କରୋନା ସଂକ୍ରମିତ ଓ ଅଣସଂକ୍ରମିତ ଉଭୟ ରୋଗୀଙ୍କ ଚିକିତ୍ସା ସରକାର ମାଗଣାରେ ଉପଲବ୍ଧ କରାନ୍ତୁ।

(୨) ଘରୋଇ ହସ୍ପିଟାଲ ମାନଙ୍କରେ ମାଗଣା ଚିକିତ୍ସା ଉପଲବ୍ଧ ହେଉ।

(୩) ସ୍କୁଲ୍ କଲେଜଠାରୁ ଆରମ୍ଭ କରି ଖାଲିଥିବା ସମସ୍ତ ବିଲ୍‌ଡ଼ିଙ୍ଗ ଗୁଡ଼ିକୁ କରୋନା ଏବଂ ଅନ୍ୟ ରୋଗୀମାନଙ୍କ ପାଇଁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯାଉ।

(୪) ଜରୁରୀକାଳୀନ ପରିସ୍ଥିତି ମାଧ୍ୟମରେ ସରକାର ବୌଦ୍ଧିକ ଅଧିକାର ଓ ପୁଞ୍ଜିଗତ ଏକାଧିକାରକୁ ସମାପ୍ତ କରାଯାଇ ବ୍ୟାପାରକୁ ସେବାମୁଖୀ କରାଯିବା ସହ ରାଷ୍ଟ୍ରପତି ସମର୍ପିତ କରାଯାଉ। ସେହି ଅର୍ଥରେ ସାଧାରଣ ବ୍ୟକ୍ତିଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯାଇ ଜୀବନକୁ ସୁରକ୍ଷିତ କରାଯାଉ।

(୫) ଶିକ୍ଷିତ ଯୁବକମାନଙ୍କୁ ପ୍ରଶିକ୍ଷିତ କରାଯାଇ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ଭାବେ ବିନିଯୋଗ କରାଯାଉ।

ଉକ୍ତ ଦାବିସମୂହକୁ ପୂରଣ ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଆଜିର ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଉମାକାନ୍ତ ଭାରତ, ସହ ସଂଯୋଜକ ନିମାଇଁ ରାୟ, ରଶ୍ମୀରଞ୍ଜନ ସ୍ୱାଇଁ, ଯୁବଛାତ୍ର ସଂଗଠକ ମନୱର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ମହାମାରୀ ପ୍ରକୋପରୁ ଉଦ୍ଧାର ପାଇଁ ଗୋବର୍ଦ୍ଧନପୁରରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ

ରମେଶ ମହାନ୍ତି
ଜଗତସିଂହପୁର: କରୋନା ମହାମାରୀର ଦୃତ ସଂକ୍ରମଣ ଯୋଗୁ ବିଶ୍ୱରେ ହାହାକାର ପଡିଥିବା ବେଳେ ଏହି ମହାମାରୀର ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ବିଶ୍ୱଶାନ୍ତି ମହାଯଜ୍ଞ କରାଯାଉଥିବା ଦେଖିବାକୁ ମିଳିଛି। କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠକୋଟ ପଞ୍ଚାୟତ ସ୍ଥିତ ବାଣସରା ଗୋବର୍ଦ୍ଧନପୁର ମାତାମଠ ଠାରେ ଗତ ୧୮ ତାରିଖ (ରବିବାର) ଠାରୁ ୩୯ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ନାମଯଜ୍ଞ ଆରମ୍ଭ ହୋଇଛି।

ଏଥିସହିତ ପରମପୂଜ୍ୟ ମହନ୍ତ ଶ୍ରୀ ଶ୍ରୀ ରାଘବ ଚରଣ ଦାସଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ୫ଦିନ ବ୍ୟାପି ମାତାମଠରେ ଚାଲିଥିବା ଏହି ବିଶ୍ୱଶାନ୍ତି ମହାଯଜ୍ଞ ଗତ ରବିବାର ଦିନ ଅଙ୍କୁରାରୋପଣ ସହ ବାସନ୍ତୀଦୁର୍ଗା ଦେବୀଙ୍କ ବିଲ୍ୱାଧିବାସ, ନାମଯଜ୍ଞ ଓ ଯଜ୍ଞଧିବାସ ଆରମ୍ଭ ହୋଇଥିବା ବେଳେ ସୋମବାର ଦିନ ବିଶ୍ୱଶାନ୍ତି ମହାଯଜ୍ଞ ଅଗ୍ନିସ୍ଥାପନ ସହ ଅହୋରାତ୍ର ନାମଯଜ୍ଞ ଚାଲିଛି। ଏଥିସହିତ ଉକ୍ତ ମହାଯଜ୍ଞ ସ୍ଥଳରେ ମାତାମଠ ସରସ୍ୱତୀ ଶିଶୁ ମନ୍ଦିରର ଉପଦେଷ୍ଟା ତଥା ଶିକ୍ଷାବିତ୍ ସୁରଥ କୁମାର ସୁତାର, ସମାଜସେବୀ ସୁନାକର ବେହେରା, କାଠକୋଟ ପଞ୍ଚାୟତର ସରପଞ୍ଚ ମିହିର ରଞ୍ଜନ ପଟ୍ଟନାୟକ, କୁଜଙ୍ଗ ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ପରିବେଶବିତ୍ ରଘୁନାଥ ସାହୁ, ସମାଜସେବୀ ବିଭୂତି ଭୂଷଣ ରାୟମହାପାତ୍ର, ଅଲେଖ ଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କୁ ମଠାଧିଶ ମହନ୍ତ ଦୟାନିଧି ଦାସ ପୁଷ୍ପଗୁଚ୍ଛ ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରି ମାଟି ମହକ ସମ୍ମାନରେ ସମ୍ମାନିତ କରିଥିଲେ।

ମାତାମଠର ମୁଖ୍ୟ ମହନ୍ତ ଦୟାନିଧି ଦାସ, ମଠର ପୂଜକ ଶୁଶାନ୍ତ ପଣ୍ଡା, ପୂଜକ ରବି ନାରାୟଣ ଦାଶ, ସନ୍ତୋଷ କୁମାର ପତି ରବି ନାରାୟଣ ପତି, ରମେଶ ଚନ୍ଦ୍ର ପରିଜା, ଶ୍ରୀକାନ୍ତ ଦାଶ, ନରେଶ ପରିଜା, ହେମନ୍ତ ସ୍ୱାଇଁ, ନିତ୍ୟାନନ୍ଦ ମଲ୍ଲ, କୁଳମଣି ପଟ୍ଟନାୟକ ପ୍ରମୁଖଙ୍କ ଆୟୋଜନରେ ଅନୁଷ୍ଠିତ ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ତିନୋଟି ଗ୍ରାମ କାଠକୋଟ, ବାଣସରା ଓ ଗୋବର୍ଦ୍ଧନପୁର ଗ୍ରାମର ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍‌ଟିମେଟ୍ ମେଡିକେୟାର ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କୁ ସାହାଯ୍ୟ କରିଥିବା କେତେକ ବରିଷ୍ଠ ନାଗରିକଙ୍କୁ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବରିଷ୍ଠ ନାଗରିକ ସଂଘ, ଓଡ଼ିଶା ଶାଖାର ସଦସ୍ୟାମାନେ ମହାମାରୀ ସମୟରେ ଲୋକମାନଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିଥିଲେ। ସେମାନଙ୍କର ଏହି ମହତ କାର୍ଯ୍ୟକୁ ସମ୍ମାନ ଜଣାଇ ସମ୍ମମ୍ ପକ୍ଷରୁ ୮ ଜଣ ବରିଷ୍ଠ ନାଗରିକଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଶନିବାର ହସ୍ପିଟାଲ୍‌ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର୍ ଡଃ ବିରାଜ ମୋହନ ମିଶ୍ର ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁଙ୍କ ସମେତ ବରିଷ୍ଠ ନାଗରିକ ବିଜୟ କୁମାର ଦାସ, ଚଟ କିଶୋର ଭୋଳ, ସୁରେନ୍ଦ୍ର କୁମାର ମିଶ୍ର, ନୃସିଂହ ଚରଣ ସାହୁ, ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର ଏବଂ ମଦନ କୁମାର ଭୂୟାଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ବ୍ରିଗେଡିଅର୍ ମିଶ୍ର ସମ୍ ଅଲ୍ଟିମେଟର ଏକ ବର୍ଷର ଯାତ୍ରା ଓ ରୋଗୀ ସେବା କ୍ଷେତ୍ରରେ ହସ୍ପିଟାଲ୍‌ର ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ। କୋଭିଡ ମହାମାରୀର କରାଳଛାୟା ସତ୍ୱେ ହସ୍ପିଟାଲ୍‌ରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାଘାତ ସୃ୍‌ଷ୍ଟି ହୋଇ ନଥିଲା ବୋଲି କହିବା ସହ ସମ୍ମମ୍‌ରେ ଉପଲବ୍ଧ ଥିବା ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।

ସେହିପରି ବରିଷ୍ଠ ନାଗରିକଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ନେଇ ହସ୍ପିଟାଲ୍‌ର ସିନିୟର କନ୍‌ସଲଟାଂଟମାନେ ଆଲୋକପାତ କରିଥିଲେ। ସବୁ ବର୍ଗର ବ୍ୟକ୍ତିଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଏକ ସ୍ୱତନ୍ତ୍ର ୟୁନିଟ୍‌ ଆରମ୍ଭ କରାଯାଇଛି।

ହସ୍ପିଟାଲ୍‌ର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର ଡଃ ଶ୍ୱେତପଦ୍ମା ଦାଶଙ୍କର ପ୍ରଚେଷ୍ଟା ଓ ନେତୃତ୍ୱ ବଳରେ ମାତ୍ର ଏକ ବର୍ଷର ଯାତ୍ରା ମଧ୍ୟରେ ସମ୍ ଅଲ୍ଟିମେଟ ମେଡିକେୟାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଆଗାମୀ ଦିନରେ ମଧ୍ୟ ଏଭଳି ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ ପ୍ରକ୍ରିୟା ଜାରୀ ରଖିବା ନେଇ ଡଃ ଦାଶ ବେଶ ଆଶାବାଦୀ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ: ସୋଆ ପ୍ରତିଷ୍ଠାତା ସଭାପତି ସମ୍ମାନିତ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋରଞ୍ଜନ ନାୟକଙ୍କୁ ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ‘ଜାତି ନନ୍ଦିଘୋଷ କନକ୍ଳେଭ’ ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।  ପ୍ରଫେସର ନାୟକଙ୍କ ପକ୍ଷରୁ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି ସୋଆର ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ।

ନନ୍ଦିଘୋଷ ଟିଭିର ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ନନ୍ଦିଘୋଷ ଟଭି ଏକ ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମଭାବେ ସଫଳତାର ସହ କାମ କରିଚାଲିଛି। ଓଡ଼ିଆ ମିଡିଆ ଜଗତରେ ନିଜ ସ୍ଥିତି ମଜବୁତ୍ କରିପାରିଛି। ଗଣତନ୍ତ୍ରରେ ମିଡିଆର ସବୁଠାରୁ ବଡ଼ ଦାୟିତ୍ୱ ହେଲା ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା କରିବା। ଲୋକଙ୍କ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

ଏହି ଚ୍ୟାନେଲ ର ୧ ବର୍ଷ ପୂର୍ତ୍ତି ହୋଇ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଚ୍ୟାନେଲ ଅତିରଞ୍ଜିତ ଖବରଠାରୁ ଦୂରରେ ରହିବ, ଅପପ୍ରଚାର ବିରୋଧରେ ଲଢ଼େଇ କରିବ ଏଵଂ ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ୱାର୍ଥ ବିଷୟରେ ସଚେତନତା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ଏହି କନକ୍ଳେଭରେ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କୁ ମଧ୍ୟ ‘ଜାତି ନନ୍ଦିଘୋଷ ସମ୍ମାନ’ ପ୍ରଦାନ କରାଯାଇଥିଲା।

ଏଥିସହିତ ଅଭିନେତା ସବ୍ୟସାଚୀ ମିଶ୍ର, ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ, ସିରାଜୁଦ୍ଦିନ କମ୍ପାନୀ ପ୍ରାଇଭେଟ୍ ଲିମିଟେଡର ଅଧ୍ୟକ୍ଷ ମହମ୍ମଦ ୟୁଶା ସିରାଜୁଦ୍ଦିନ, ଏସ୍‌ଏନ୍‌ ମହାନ୍ତି ଗ୍ରୁପ୍‌ର ଏମ୍‌ଡି ପ୍ରବୋଧ ମହାନ୍ତି, ଫାଲକନ ମେରାଇନ ଏକ୍ସପର୍ଟ ଲିମିଟେଡର ଏମ୍‌ଡି ତାରା ପ୍ରସାଦ ପଟ୍ଟନାୟକ, ଅଭିନେତ୍ରୀ ବିଜୟଲକ୍ଷ୍ମୀ ପ୍ରହରାଜ, ବାର୍କର ଯୁବ ବୈଜ୍ଞାନିକ ଓମ୍ ବିବର୍ତ୍ତ, ଐତିହାସିକ ଅନୀଲ ଧୀର, ଟ୍ୱିଟର ଗାର୍ଲ ଚାରୁବାଳା ବାରିକ, ଐତିହ୍ୟ କର୍ମୀ ପ୍ରତୀକ ପଟ୍ଟନାୟକ ଓ ଉତ୍କଳିକା କତାରଙ୍କୁ ମଧ୍ୟ ଏହି ସମ୍ମାନ ରେ ସମ୍ମାନିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ବିମାନ ବନ୍ଦର ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ବର: ବ୍ରିଟେନରେ କରୋନା ମହାମାରୀ ନୂଆ ରୂପ ନେବା ପରେ କେନ୍ଦ୍ର ସରକାର ଏନେଇ ଚିନ୍ତାରେ ପଡ଼ିଛି। ବିଭିନ୍ନ ପ୍ରକାର ପଦକ୍ଷେପ ସ୍ୱରୂପ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ତେବେ ଏହାକୁ ନେଇ ରାଜ୍ୟ ସରକାର ମଧ୍ୟ ସଜାଗ ଅଛନ୍ତି। ଭୁବନେଶ୍ବରକୁ ଆସୁଥିବା ସମସ୍ତ ବିମାନ ଉପରେ ନଜର ରଖାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ବିମାନ ବନ୍ଦରରେ ବିଦେଶ ଫେରନ୍ତାଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି।

ବିମାନ ବନ୍ଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଗୌତମ ରାୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରତ୍ୟେକ ବିଦେଶ ଫେରନ୍ତାଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ସମସ୍ତ ଏୟାରଳାଇନକୁ ଅବଗତ କରାଯାଇଛି। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ବିଦେଶ ଫେରନ୍ତା ୫୫ ବର୍ଷୀୟ ହୋଇଥିବେ ଓ ତାଙ୍କ ଶରୀରରେ ଅନ୍ୟ ରୋଗ ଥିବ ତାଙ୍କୁ ବିଏମସି ଦ୍ୱାରା ପ୍ରତିଷ୍ଠା ହୋଇଥିବା କିଓସ୍କରେ କୋଭିଡ ଆଣ୍ଟିଜେନ ଟେଷ୍ଟ କରିବା ପାଇଁ ହେବ। ଏୟାର ପୋର୍ଟ ଟର୍ମିନାଲ ପାଖରେ ଏହି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି।

ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଭୁବନେଶ୍ୱରରୁ ଉଡାଣ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏସଓପି ଜାରି କରାଯାଇଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସରକାରଙ୍କୁ ଉଚ୍ଚନ୍ୟାୟଳୟର ନିର୍ଦ୍ଦେଶ: ସ୍କୁଲ ଫି ହ୍ରାସ ନେଇ ସତ୍ୟ ପାଠ ଦାଖଲ କର

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି। ଏହି ମହାମାରୀ ସମୟରେ ଅଧିକାଂଶ ଅଭିଭାବକ ପିଲାଙ୍କ ସ୍କୁଲ ଫି ଦେବାରେ ଅସମର୍ଥ ହୋଇପଡିଛନ୍ତି। ସ୍କୁଲ ଦରମା ହ୍ରାସ କରିବା ପାଇଁ ବାରମ୍ବାର ଅଭିଭାବକଙ୍କ ପକ୍ଷରୁ ଦାବି ହେଉଥିଲା। ଏନେଇ ଉଚ୍ଚନ୍ୟାୟଳୟରେ ଏକ ମାମଲା ମଧ୍ୟ ଆବେଦନ କରାଯାଇଥିଲା। ତେବେ  ସ୍କୁଲ ଫି’ ହ୍ରାସ ଆବେଦନ ମାମଲାରେ ଉଚ୍ଚନ୍ୟାୟଳୟ ଆଜି ଶୁଣାଣି କରିଛନ୍ତି। ଏହି ପ୍ରସଙ୍ଗରେ ଉଚ୍ଚ ନ୍ୟାୟଳୟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ରାଜ୍ୟ ସରକାର  ସ୍କୁଲ ଫି କେତେ ହ୍ରାସ କରି ପାରିବେ  ସେ ସମ୍ପର୍କରେ ଜଣାଇବାକୁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି। ସରକାର ଏହି ବିଷୟରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ଡିସେମ୍ବର ୨ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମଞ୍ଚ ଦିଅ ନଚେତ୍ ସରକାରୀ ସହାୟତା ଦିଅ: ବରିଷ୍ଠ କଳାକାର ମହାସଂଘ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଂପ୍ରତି କରୋନା ମହାମାରୀ ଜନିତ ସରକାରୀ କଟକଣା ଭିତରେ ଓଡ଼ିଶାର କଳାକାର ସମାଜ ସଂପୂର୍ଣ୍ଣ ବେରୋଜଗାରୀ ହୋଇ ଆପଣା ଜୀବିକା ସାଧନାଗୁଡ଼ିକ ବ୍ରିକି ବଟା କରିଦେଲେଣି। ଏଣିକି କଳାକାର ମଡ଼କ ଆଶଙ୍କା ବଳବତ୍ତର ହେଲାଣି। ଏଭଳି ଏକ ସଙ୍କଟମୟ ସ୍ଥିତିରେ କଳାକାରଙ୍କୁ ମଂଚ ଦିଆଯାଉ ନଚେତ୍ ସରକାରୀ ସହାୟତା ଦେବାକୁ ବରିଷ୍ଠ କଳାକାର ମହାସଂଘ ଦାବି କରିଛି। ଏନେଇ ଦକ୍ଷିଣାଞ୍ଚଳ ଆର୍‌ଡ଼ିସିଙ୍କୁ ଏକ ଦାବିପତ୍ର ଦେବାର ଥିଲା। କିନ୍ତୁ ଏ ନ ମିଳିବାରୁ ଆଜି ଏକ ବୈଠକ ହଳଦିଆପଦର ଓଭରବ୍ରିଜ ତଳେ ମହାସଂଘ ସଭାପତି ନାଟ୍ୟଗୌରବ ଡା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂପ୍ରତି କଳାକାରଙ୍କୁ ମଂଚ ନତୁବା ସରକାରୀ ପ୍ରଯତ୍ନ ନିତାନ୍ତ ଆବଶ୍ୟକ ଥିବା ମତପ୍ରକାଶ ପାଇଥିଲା।

ଏଥିରେ ନାଟ୍ୟ-ବିଦ୍ୟା-ବୁଦ୍ଧି ପ୍ରଫୁଲ ବେହେରା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଲୋକକଳା ନିର୍ଦ୍ଦେଶକ ସଂଘ ସଭାପତି ଜି. ରାଜେନ୍ଦ୍ର ରେଡ୍ଡୀ, କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ନବରଙ୍ଗପୁର କଳାକାର ସଂଘ ସଭାପତି ପେଣ୍ଡ୍ରା ପ୍ରସାଦ ନାୟକ, କୋରାପୁଟ କଳାକାର ସଂଘ ସଭାପତି ବାଲାଜୀ ସାମନ୍ତରାୟ, ବରିଷ୍ଠ କଳାକାର ତଥା ସମାଜସେବୀ ବଦ୍ରି ନାରାୟଣ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଷନଙ୍କ ପରିଚାଳନାରେ ଏକ ପରିଚାଳନା କମିଟି ଗଠନ ହୋଇଥିଲା। ଉପଦେଷ୍ଟା ରୂପେ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ଦେବେନ୍ଦ୍ର ପ୍ରସାଦ ଶର୍ମା, ବଦ୍ରି ନାରାୟଣ ନାୟକ, ସଭାପତି ଭାବେ ନାଟ୍ୟଗୌରବ ଡା. ତିରୁପତି ସାହୁ, ଉପସଭାପତି ଅକ୍ଷୟ କୁମାର କର୍ଣ୍ଣ, ଅମୂଲ୍ୟ କୁମାର ମୁଣ୍ଡ, ଭଗବାନ ସାମଲ, ପେଣ୍ଡ୍ରା ପ୍ରସାଦ ନାୟକ, ବାଲାଜୀ ସାମନ୍ତରାୟ, ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ, ସହ ସଂପାଦକ ଲକ୍ଷ୍ମୀ ନାରାୟଣ ସାମଲ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଏବଂ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଭାବେ ରବୀନ୍ଦ୍ର କୁମାର ମିଶ୍ର, ଜି. ରାଜେନ୍ଦ୍ର ରେଡ୍ଡୀ, ଯୁଦ୍ଧିଷ୍ଠିର ଭଂଜ ସାମନ୍ତ, ପ୍ରଫୁଲ ବେହେରା, ଈଶ୍ୱର ମାଝୀ, ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ସଂଘର ଦାବିଗୁଡ଼ିକ ମୁଖ୍ୟମନ୍ତ୍ରୀ, ସଂସ୍କୃତି ବିଭାଗ ଓ ସଚିବଙ୍କୁ ପ୍ରଦାନ କରିବାକୁ ସ୍ଥିର ହୋଇଛି। ଏଥିରେ ୧୫ ଗୋଟି ଜିଲ୍ଲାର ପ୍ରତିନିଧିସ୍ତରୀୟ କଳାକାର ଅଂଶଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ନାଉଗାଁର “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ମୁଦୁଲି: ୬୦ ୟୁନିଟ ରକ୍ତ ସଂଗ୍ରହ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ସମସ୍ୟାର ସମାଧାନକୁ ଦୃଷ୍ଟିରେ ରଖି ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଆଜି ନାଉଗାଁ ବ୍ଲକ୍ ଅନ୍ତର୍ଗତ ତିରୁଣା ଏକତା ସ୍ପୋର୍ଟିଂ କ୍ଳବ ଏବଂ ଓଡ଼ିଆ ମୋ ପରିବାରକୁ ନେଇ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର (ଜୀବନବିନ୍ଦୁ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଫିତାକାଟି ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିସହିତ ନେହେରୁ ଯୁବକେନ୍ଦ୍ରର ସଂଯୋଜକ ନିଖିଲି କୋକୋଲା, ସହ ସଂଯୋଜକ ପବିତ୍ର ମୋହନ ସୁବୁଦ୍ଧି, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ମଧୁସୂଦନ ସାହୁ, ନାଉଗାଁ ବ୍ଲକ ଅଧକ୍ଷ ଜଗନ୍ନାଥ ଦାସ, ନାଉଗାଁ ୨ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁବଳ ବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ ଏବଂ ବିଜୁ ଜନତାଦଳ ବ୍ଲକ ସଭାପତି ସୁଜିତ କୁମାର ମଲ୍ଲିକ ପ୍ରମୂଖ ଯୋଗଦେଇ ରକ୍ତ ଦାନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିରରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏକତା ସ୍ପୋଟିଂ କ୍ଲବର ସଭାପତି ଜ୍ଞାନରଞ୍ଜନ ପରିଡା, ରାଧାଶ୍ୟାମ ସ୍ୱାଇଁ, କୋଷାଧ୍ୟକ୍ଷ ଆଲୋକ ସାହୁ, ଉପଦେଷ୍ଟା ମୁକେଶ ପରିଡା, ତୋଫାନ ପରିଡାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ତିରୁଣା ଗ୍ରାମରେ ବୃକ୍ଷରୋପଣ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର ର ପିଛା ଛାଡ଼ୁନି କରୋନା: ଆଜି ପୁଣି ଆଠଗୋଟି ଗ୍ରାମ ଏବଂ ଗୋଟାଏ ୱାର୍ଡ ହେଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ 

ବାଣପୁର: କରୋନା ମହାମାରୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ତାର କାୟା ବିସ୍ତାର କରୁଥିବା ବେଳେ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆଜି ତାରିଖରେ ବାଣପୁର ସହରାଞ୍ଚଳରେ କୋଭିଡର ୬ ଗୋଟି ଆକ୍ଟିଭ କେସ ଥିବାବେଳେ ଗ୍ରାମାଞ୍ଚଳରେ ୮୮ ଗୋଟି ଆକ୍ଟିଭ କେସ ଅଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପ୍ରଶାସନ ଜମା ବି ରିସ୍କ ନେବାକୁ ଚାହୁଁନାହିଁ। ତେଣୁ କୌଣସି ଅଂଚଳରୁ ଗୋଟାଏ ବି ପଜିଟିଭ ବାହାରିଲେ ତୁରନ୍ତ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଅଛି। ଆଜି ପୁଣି ବାଣପୁର ବ୍ଲକ ଏବଂ ଏନ.ଏ.ସି ର କିଛି ଅଂଚଳରୁ ନୂତନ ପଜିଟିଭ କେସ ଚି଼ହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ବ୍ଲକର ୮ ଗୋଟି ଗ୍ରାମ ଏବଂ ଏନ.ଏ.ସି ର ଗୋଟାଏ ୱାର୍ଡ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି।

ସେହି ଗ୍ରାମଗୁଡିକ ହେଲା-

ନାଚୁଣୀ ପଞ୍ଚାୟତର ଗୋରଡାଝରି ଗ୍ରାମ, କୁମାରାଙ୍ଗ ପଞ୍ଚାୟତର ଝିଣ୍ଟିକାପଲ୍ଲି ଗ୍ରାମ, ନରେନ୍ଦ୍ରପୁର ପଞ୍ଚାୟତର ବଡ଼ସିରେଇପୁର ଗ୍ରାମ, ଦାମିଆବରବରା ପଞ୍ଚାୟତର ଦାମିଆବରବରା ଗ୍ରାମ, ନନ୍ଦପୁର ପଞ୍ଚାୟତର ପଦନପୁର ଏବଂ ଅନ୍ତରକିଆରୀ ଗ୍ରାମ, ଭେଟେଶ୍ୱର ପଞ୍ଚାୟତର ଵେତୁଲି ଗ୍ରାମ, ମୋରାମୋରି ପଞ୍ଚାୟତର ସଲପଡିହ ଗ୍ରାମଗୁଡିକୁ ଏବଂ ବାଣପୁର ଏନ.ଏ.ସି ର ୧୫ ନମ୍ବର ୱାର୍ଡ କୋଟବିଦ୍ୟାଧରପୁର ଗ୍ରାମର କିଛି ଅଂଶକୁ ଆଜି ତା ୨୭.୦୯.୨୦ ଠାରୁ ତା ୦୪.୧୦.୨୦ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ବର୍ଦ୍ଧିତ ବିଦ୍ୟୁତ ଦର ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେଵ ଆମ ଜନତା ଅଧିକାର

ଭୁବନେଶ୍ବର: କରୋନା ମହାମାରୀରେ ଆର୍ଥିକ କଲବଲକୁ ବଢ଼ାଇ ଦେଇଛି ସରକାରଙ୍କ ବିଦ୍ୟତ ଶୁଳ୍କ ବୃଦ୍ଧି ଘୋଷଣା। ବର୍ତ୍ତମାନ ଅନ୍ୟ ସମସ୍ତ ରାଜ୍ୟ ଅପେକ୍ଷା ଓଡିଶାରେ ବିଦ୍ୟୁତ ଶୁଳ୍କ ଯଥେଷ୍ଟ ଅଧିକ ରହିଛି। ବିଦ୍ୟୁତ ଉତ୍ପାଦନ କରୁନଥିବା ରାଜ୍ୟଠାରୁ ମଧ୍ୟ ଏହା ଅଧିକ। କମ୍ପାନୀ ଓ କର୍ପୋରେଟମାନଙ୍କ ଠାରୁ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ନକରି ସାଧାରଣ ଗରିବ ଜନସାଧାରଣଙ୍କ ଠାରୁ ଜୋର ଜବରଦସ୍ତ ଆର୍ଥିକ ଶୋଷଣକୁ ଆଜି ଆମ ଜନତା ଅଧିକାର ଓ ଉପଭୋକ୍ତା ମହାସଂଘ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଜନଆନ୍ଦୋଳନ କରିବ ବୋଲି ଘୋଷଣା କରିଛି।

ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ବଡ଼ ବଡ଼ କମ୍ପାନୀ ଉପରେ ୫୯୬୪ କୋଟି ଟଙ୍କା ବକେୟା ପଡିଛି। ତାକୁ ଆଦାୟ ନ କରି ସାଧାରଣ ଜନତାଙ୍କ ଉପରେ ସରକାର ଦାଉ ସାଧୁଛନ୍ତି। ବିଦ୍ୟୁତ ବଣ୍ଟନ ଜନିତ ଟ୍ରାନ୍ସମିଶନ କ୍ଷତିକୁ ୮% ପର୍ଯ୍ୟନ୍ତ ଦିଲ୍ଲୀ ଭଳି ଅନ୍ୟାନ୍ୟ ରାଜ୍ୟ ବହୁପରିମାଣରେ କମାଇ ସାରିଥିବା ବେଳେ ଓଡିଶାରେ ଏ ପର୍ଯ୍ୟନ୍ତ ୩୦% ରୁ ଅଧିକ ରହିଛି। ଏହି କ୍ଷତିକୁ ନ କମାଇ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ସାଧାରଣ ଲୋକଙ୍କ ଉପରେ ତାକୁ ଲଦିଦେବା ଅତ୍ୟନ୍ତ ନିନ୍ଦନୀୟ ମାତ୍ର ଦୁଇ ମାସ ହେଲା ଦାୟିତ୍ୱ ନେଇଥିବା ଟାଟା କମ୍ପାନୀକୁ ସୁହାଇଲା ଭଳି ଏହି ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି। ଓଇଆରସିର ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କୌଣସି ନୋଟିଫିକେସନ ବାହାରିନଥିବା ବେଳେ ତରବରିଆ ଭାବେ ଏହି ଘୋଷଣା କାହା ସ୍ୱାର୍ଥରେ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛି ଆମ ଜନତା ଅଧିକାର ଓ ଉପଭୋକ୍ତା ମହାସଂଘ।

ଆଜିର ଉତ୍କଳ ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀରେ ଆମ ଜନତା ଅଧିକାରର ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି, ମୁଖପାତ୍ର ପ୍ରସନ୍ନ ବିଶୋଇ, ସଂଯୋଜକ ଭକ୍ତି ରଞ୍ଜନ ପଲାଇ, ପ୍ରଣତି ସ୍ବାଇଁ ଓ ଉପଭୋକ୍ତା ମହାସଂଘ ସଭାପତି ତଥା ଆମ ଜନତା ଅଧିକାରର କାର୍ଯ୍ୟକାରୀ ସଦସ୍ୟ ରମେଶ ଶତପଥୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ପରାସ୍ତ କଲେ ୯୧ ବର୍ଷୀୟ ବରିଷ୍ଠ ନାଗରିକ: ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ

ଭୁବନେଶ୍ୱର: କରୋନା ମହାମାରୀ ସହ ଯୁଦ୍ଧ କରି ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କଲେ ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ। ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ। ଶରୀରରେ ଅନେକ ସମସ୍ୟା ଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍‌ରେ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସଙ୍କର ସଫଳ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଶ୍ରୀ ଦାସ।

ଗତ ସେପ୍ଟେମ୍ବର ୫ ତାରିଖରେ କରୋନା ସଂକ୍ରମିତ ହେବା ପରେ ସେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପ୍ରାରମ୍ଭିକ ସ୍ତରରେ ଖୁବ୍ ଅସୁସ୍ଥ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କରୋନା ସହିତ ତାଙ୍କର ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ରହିଥିଲା। ତେବେ ହସ୍ପିଟାଲ୍‌ର ଡାକ୍ତର, ନର୍ସ ମାନେ ଆପ୍ରାଣ ଉଦ୍ୟମ କରି ତାଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ।

ଡାକ୍ତର ପ୍ରଦୀପ୍ତ କୁମାର ପାତ୍ର, ଡାକ୍ତର ଆଶୀଷ ମଲ୍ଲ, ଡାକ୍ତର ସନ୍ତୋଷ ସିଂ ଏବଂ ଡାକ୍ତର ଅରୁଣ ରଥ ପ୍ରମୁଖ ଏହି ବରିଷ୍ଠ ବ୍ୟକ୍ତିଙ୍କୁ ସୁସ୍ଥ କରିବା ପାଇଁ ଆପ୍ରାଣ ପ୍ରଚେଷ୍ଟା କରିଥିଲେ। ତାଙ୍କର ଦୁଇ ଗୋଡରେ ରଡ ଲାଗିଥିବା ବେଳେ ପରିସ୍ରା କରିବାରେ ସମସ୍ୟା ଉପୁଜୁଥିଲା ଏବଂ ପ୍ରୋଷ୍ଟେଟ୍ ସମସ୍ୟା ମଧ୍ୟ ରହିଥିଲା। କରୋନା ଆକ୍ରାନ୍ତ ହେବା ପରେ ଶ୍ୱାସ କ୍ରିୟାରେ ମଧ୍ୟ ସମସ୍ୟା ଉପୁଜିଥିଲା।

ଠିକ୍ ଭାବେ ଚାଲିପାରୁ ନଥିବା କିମ୍ବା ହାତରେ ନିଜେ ଖାଇ ପାରୁନଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ହସ୍ପିଟାଲ୍‌ରେ ଉପଯୁକ୍ତ ଯତ୍ନ ନେଇଥିଲେ ହସ୍ପିଟାଲ୍‌ର ନର୍ସମାନେ। ତାଙ୍କୁ ନିଜ ହାତରେ ଖୁଆଇଦେଇଥିଲେ କାର୍ଯ୍ୟରତ ନର୍ସ। ଉପଯୁକ୍ତ ସେବା ଶୁଶ୍ରୁଷା ଫଳରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରେସ୍ ଇନ୍‌ଫର୍ମେସନ୍ ବ୍ୟୁରୋ ଏବଂ ଆକାଶବାଣୀ କେନ୍ଦ୍ରର ଏହି ଅବସରପ୍ରାପ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା।

କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲ ଯିବା ପୂର୍ବରୁ ସେ କରୋନାକୁ ପରାସ୍ତ କରି ଘରକୁ ନିଶ୍ଚୟ ଫେରିବେ ବୋଲି କହିଥିଲେ। ତାଙ୍କର ମନୋବଳ ଏବଂ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନଙ୍କର ଚିକିତ୍ସା ଏବଂ ସେବା ଯୋଗୁଁ ସେ ଘରକୁ ଫେରିଛନ୍ତି ବୋଲି କହିଛନ୍ତି ତାଙ୍କ ଝିଅ ଶ୍ରୀମତି ଦେବଦତା ମହାପାତ୍ର। ଏଥିସହିତ ଶ୍ରୀ ଦାସ ସୁସ୍ଥ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ର କୋଭିଡ ଯୋଦ୍ଧା ଏବଂ ବିଶେଷ ଭାବେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଟ୍ୱିଟ୍ ଯୋଗେ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ତାଙ୍କ ପୁଅ ଶୁଭଙ୍କର ଦାସ। ସେହିପରି ରାଜ୍ୟରେ କୋଭିଡ ପରିଚାଳନା ନେଇ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ସେହିପରି  ସମ୍ କୋଭିଡ ହସ୍ପିଟାଲ୍‌ରୁ ଚିକିତ୍ସିତ ହେବା ପରେ ଶ୍ରୀ ଧୀରେନ୍ଦ୍ର ଦାସ ମଧ୍ୟ ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନଙ୍କର ସେବା କାର୍ଯ୍ୟକୁ ଉଚ୍ଚକୋଟୀର ପ୍ରଶଂସା କରିଛନ୍ତି। କେବଳ ଶ୍ରୀ ଦାସ ନୁହେଁ ଏହା ପୂର୍ବରୁ ଅନେକ ବୟୋଜ୍ୟେଷ୍ଠ ପୁରୁଷ ଓ ମହିଳା ସମ୍ କୋଭିଡ ହସ୍ପିଟାଲ୍‌ରୁ ଚିକିତ୍ସିତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା କେବଳ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକ୍ସଙ୍କର ନିରବଚ୍ଛିନ୍ନ ଚିକିତ୍ସା, ସେବା, ଯତ୍ନ ଏବଂ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି।

କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା ସହ ସଂକ୍ରମିତମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବା ସହ ସଠିକ୍ କୋଭିଡ ପରିଚାଳନା କରୁଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ୨୨୦୦ରୁ ଊର୍ଦ୍ଧ୍ୱ ସମ୍ କୋଭିଡ ହସ୍ପିଟାଲ୍  ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସହଯୋଗର ହାତ ବଢ଼ାଇ ଏହି ମହାମାରୀର ମୁକାବିଲା ନେଇ ନିଷ୍ଠାପର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଜନହିତକର କାର୍ଯ୍ୟ ଗ୍ରହଣ କରାଯାଉଛି।