ବାଣପୁର: ଲକଡାଉନ ସମୟରେ ଅମାନିଆଙ୍କ ଭୂସ୍ଵର୍ଗ ପାଲଟିଛି ଜିରୀପଡ଼ା

Published: May 27, 2021, 6:15 pm IST

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ବର୍ତ୍ତମାନ ସମଗ୍ର ମାନବ ସମାଜକୁ ଧ୍ୱସ୍ତ ବିଧ୍ୱସ୍ତ କରିସାରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ମାତ୍ର ପନ୍ଥା ଲକଡ଼ାଉନ ଆପଣେଇଛନ୍ତି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ସଂକ୍ରମଣରେ ଏକ ନମ୍ବରରେ ରହୁଥିବାବେଳେ ଚିଲିକା ନିର୍ବାଚନମଣ୍ଡଳୀ ଏହାର ମୁକସାକ୍ଷୀ ପାଲଟିଛି। ଚିଲିକାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଉଛି।

ତେବେ ଏହାର କାରଣ ପ୍ରଶାସନ ଚି଼ହ୍ନଟ କରିପାରୁନଥିବାବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏକ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ଯାହା କୋଭିଡ଼ ସଂକ୍ରମଣକୁ ବଢେଇବାରେ ପ୍ରତ୍ୟକ୍ଷ ଭାବେ କାମ କରୁଛି। ସାଧାରଣତଃ ପୋଲିସ ଏବଂ ପ୍ରଶାସନ ସହରାଞ୍ଚଳରେ ଲକଡ଼ାଉନ ଏନ୍ଫୋର୍ସମେଣ୍ଟକୁ କଡାକଡି କରୁଥିବାବେଳେ ଗ୍ରାମାଞ୍ଚଳରେ ସେତେଟା ସମ୍ଭବ ହୋଇପାରୁନି।

ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଜିରୀପଡ଼ା ବର୍ତ୍ତମାନ କୋଭିଡ଼ ଅମାନିଆଙ୍କ ଭୂସ୍ବର୍ଗ ପାଲଟିଛି। ପ୍ରତିଦିନ ଏଠି ସହ ସହ ଲୋକମାନେ ଏକାଠି ହେଉଥିବାବେଳେ ଭୋଜି ଭାତ ଏବଂ ମଦର ଆସର ମଧ୍ୟ ଜୋରସୋରରେ ଚାଲୁଛି।

ଗୋଟେପଟେ ପ୍ରତିଦିନ ରାଜ୍ୟରେ ବହୁ ଆକ୍ରାନ୍ତଙ୍କ ପ୍ରାଣ ଯାଉଥିବାବେଳେ ଅନ୍ୟପକ୍ଷେ ଜିରୀପଡ଼ାରେ ଭୋଜିଭାତର ଅସାର ଜମିବା ସରକାରଙ୍କ କୋଭିଡ ନିୟମକୁ ଏକ ଶକ୍ତ ଚାପୁଡ଼ା ସଦୃଶ। ତେବେ ପ୍ରାୟତଃ ସହରରୁ ଲୋକେ ଜିରୀପଡ଼ା ଯାଇ ପିକିନିକ ମନାଉଥିବା ଅଭିଯୋଗ ହେଉଛି। ଗୋଟିଏ ଜାଗାରେ ଶତାଧିକ ଲୋକ ସମାଗମ ହେବା ଦ୍ଵାରା ସଂକ୍ରମଣ ବୃଦ୍ଧି ହେବାର ମୁଖ୍ୟ କାରଣ ପାଲଟିଛି।

ତେବେ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣିଥରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ ସୁଦ୍ଧା ନୀଳାଦ୍ରିପ୍ରସାଦରେ କିପରି ସରପଞ୍ଚ ଏ ସବୁ ଜାଣିପାରୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଚିଲିକାରେ କୋଭିଡ ସଂକ୍ରମଣ ବଢୁଛି, ତେବେ ଏଥିପାଇଁ  ଦାୟୀ କିଏ ବୋଲି ଚର୍ଚ୍ଚା ହେଉଛି। ବାଣପୁର ପ୍ରଶାସନ ଏବଂ ପୋଲିସ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Related posts