ପାରାଦୀପ: ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚୀନ୍ ଅଭିମୁଖେ ଯାଉଥିବା ପଣ୍ୟବାହୀ ଜାହାଜ ଏମ୍ଭି ‘ଓସେନ୍ ୱିନର୍’ ନିଖୋଜ ହୋଇଯିବା ଘଟଣା ଚିନ୍ତା ବଢ଼ାଇଛି। ଗତ ଗୁରୁବାର ରାତି ପ୍ରାୟ ୧୦ଟା ୩୦ରେ ପାରାଦୀପ ବନ୍ଦରର ବର୍ଥ ଛାଡ଼ିଥିବା ଏହି ଜାହାଜ ସମୁଦ୍ରରେ ପ୍ରାୟ ୨୪ ଘଣ୍ଟା ଯାତ୍ରା କରିବା ପରେ ଶୁକ୍ରବାର ରାତିରୁ ନିଖୋଜ ଥିବା ସୂଚନା ମିଳିଛି।
ଜାହାଜଟି ପୋର୍ଟବ୍ଲେୟାରଠାରୁ ପ୍ରାୟ ୨୫୦ରୁ ୩୦୦ ନଟିକାଲ ମାଇଲ ଦୂରରେ, ଅର୍ଥାତ୍ ପ୍ରାୟ ୪୫୦ରୁ ୫୪୦ କିଲୋମିଟର ମଧ୍ୟରେ ଭାରତୀୟ ଜଳସୀମାରେ ଥିବା ଅନୁମାନ କରାଯାଉଛି। ଏହାକୁ ଠାବ କରିବା ପାଇଁ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ସମୁଦ୍ରରେ ବ୍ୟାପକ ସନ୍ଧାନ ଅଭିଯାନ ଚାଲିଛି।
ପାନାମାର ପତାକା ବହନ କରୁଥିବା ଏହି ଜାହାଜରେ ମୋଟ ୨୪ ଜଣ ନାବିକ ଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣ ଚୀନ୍ର, ୩ ଜଣ ମ୍ୟାନମାରର ଏବଂ ଜଣେ ବାଂଲାଦେଶୀ ନାଗରିକ ବୋଲି ଜଣାପଡ଼ିଛି। ଜାହାଜର ଟ୍ରାକିଂ ସିଷ୍ଟମ୍ରୁ ଏହାର ଗତିବିଧି ସମ୍ପର୍କରେ ସନ୍ଦେହ ହେବା ପରେ ମାଲିକପକ୍ଷ ଭାରତୀୟ ଗୁଇନ୍ଦା ବିଭାଗକୁ ସୂଚନା ଦେଇଥିବା ଜଣାପଡ଼ିଛି।
ଜାହାଜଟି ଗଭୀର ସମୁଦ୍ରରେ ବୁଡ଼ି ଯାଇଥିବା ଆଶଙ୍କା ମଧ୍ୟରେ ଉଦ୍ଧାରକାରୀ ଦଳ ତଦନୁସାରେ ସନ୍ଧାନ ଚଳାଇଛି। ଯଦି ଜାହାଜଟି ବୁଡ଼ିଥାଏ, ତେବେ ନାବିକମାନେ ଜୀବନରକ୍ଷାକାରୀ ଛୋଟ ବୋଟରେ ସମୁଦ୍ରରେ ଥାଇପାରନ୍ତି ବୋଲି ଆଶା କରାଯାଉଛି। ସେମାନଙ୍କୁ ଠାବ କରିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ଅଭିଯାନ ଜାରି ରଖିଛନ୍ତି।
ତେବେ ଜାହାଜଟି କେଉଁ ପରିସ୍ଥିତିରେ ନିଖୋଜ ହେଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଜାହାଜଟି ପାନାମାର ପତାକା ବହନ କରୁଥିବା ଏବଂ ଚୀନ୍ ଅଭିମୁଖେ ଯାଉଥିବାରୁ ଏହାକୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ସହ ଜଡ଼ିତ ଘଟଣା ବୋଲି ତୁରନ୍ତ କୁହାଯାଇପାରିବ ନାହିଁ। ତଦନ୍ତ ଓ ସନ୍ଧାନ ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
‘ଓସେନ୍ ୱିନର୍’ ନିଖୋଜ ଘଟଣା ପାରାଦୀପର ବହୁଚର୍ଚ୍ଚିତ ଏମ୍ଭି ‘ବ୍ଲାକରୋଜ’ ଜାହାଜ ଦୁର୍ଘଟଣାକୁ ପୁଣି ମନେ ପକାଇ ଦେଇଛି। ୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖରେ ପାରାଦୀପରୁ ଲୁହାପଥର ବୋଝେଇ କରି ସମୁଦ୍ରକୁ ଯାଇଥିବା ଏମ୍ଭି ‘ବ୍ଲାକରୋଜ’ ବୁଡ଼ିଯାଇଥିଲା। ଜାହାଜରେ ଥିବା ୨୬ ଜଣ ନାବିକଙ୍କ ମଧ୍ୟରୁ ପାରାଦୀପ ବନ୍ଦରର ମେରାଇନ୍ ବିଭାଗ ୨୫ ଜଣଙ୍କୁ ଉଦ୍ଧାର କରିଥିଲା। ତେବେ ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା।
ସେହି ଘଟଣାର ଦୀର୍ଘ ବର୍ଷ ପରେ ପୁଣି ପାରାଦୀପରୁ ଚୀନ୍ ଯାଉଥିବା ଏକ ଜାହାଜ ନିଖୋଜ ହେବା ନେଇ ଚିନ୍ତା ବଢ଼ିଛି। ବର୍ତ୍ତମାନ ସମସ୍ତଙ୍କ ନଜର ନୌସେନା ଓ କୋଷ୍ଟଗାର୍ଡର ସନ୍ଧାନ ଅଭିଯାନ ଉପରେ ରହିଛି। ନିଖୋଜ ଜାହାଜ ଓ ୨୪ ନାବିକଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିବା ପରେ ଘଟଣାର ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।


