ନରେନ୍ଦ୍ର ସିଂହ ତୋମର, କେନ୍ଦ୍ର କୃଷିମନ୍ତ୍ରୀ
ଭାରତର ୧୪୦ କୋଟି ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସାରର ନିରନ୍ତର ଯୋଗାଣ ଏବଂ ସୁପରିଚାଳନା ଏକାନ୍ତ ଅପରିହାର୍ଯ୍ୟ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ରସାୟନ ଓ ସାର ମନ୍ତ୍ରଣାଳୟ କୃଷି କ୍ଷେତ୍ରରେ ସାରର ଅସମ ବ୍ୟବହାରଜନିତ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛି। ଏଥିରେ ସାର ଓ ଉର୍ବରକ ବ୍ୟବହାରରେ ଭାରସାମ୍ୟ ରକ୍ଷା, ସରକାରୀ ଏବଂ ବିଶେଷଜ୍ଞଙ୍କ ହସ୍ତକ୍ଷେପ, ଟେକ୍ନୋଲୋଜି ପ୍ରୟୋଗ, ନୀତିଗତ ହସ୍ତକ୍ଷେପ, ଆର୍ଥିକ ସହାୟତା ପ୍ରଦାନ, ପୁଞ୍ଜିନିବେଶ, ଯୋଗାଣ, ମୂଲ୍ୟ ମିଶ୍ରଣ ଆଦି ଅନ୍ୟତମ। ଏସବୁ ପ୍ରୟାସର ପ୍ରମୁଖ ଉଦ୍ଦେଶ୍ୟ ହେଲା ଭାରତୀୟ କୃଷିରେ ଢାଞ୍ଚାଗତ ସଂସ୍କାର ଆଣିବା।
ଭାରତୀୟ କୃଷି କ୍ଷେତ୍ରର ଜରୁରୀ ଆବଶ୍ୟକତାକୁ ବିଚାରକୁ ନେଇ ୨୦୨୩ ଜୁନ୍ ୨୮ତାରିଖରେ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବିଭିନ୍ନ ପଦକ୍ଷେପ ଓ ଯୋଜନାକୁ ଅନୁମୋଦନ କରିଛି। ଏଥିରେ ୟୁରିଆ ସବ୍ସିଡି ଯୋଜନାକୁ ସ୍ୱୀକୃତି ମିଳିଛି। ଏହା ଛଡା କୃଷି କ୍ଷେତ୍ରରେ ଜୈବିକ ସାରର ବ୍ୟବହାର ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଛି। କୃଷିକ୍ଷେତ୍ର ପାଇଁ ସିସିଇଏ ଏହି କାର୍ଯ୍ୟକ୍ରମ ବାବଦରେ ୩୭୦, ୧୨୮ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରିଛି। ଏହା ଫଳରେ ଦେଶର ପ୍ରାୟ୧୨କୋଟି ଚାଷୀ ଉପକୃତ ହେବେ। ଏହି ଚାଷୀଙ୍କର ମୋଟ ଚାଷ ଜମି ପରିମାଣ ୧୪୧ ବିଲିୟନ ହେକ୍ଟର। ଏହି ପଦକ୍ଷେପରୁ ଦେଶର କୃଷକ ଓ କୃଷି ପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ଠା ଓ ଅଙ୍ଗୀକାର ସ୍ପଷ୍ଟ ଜାଣି ହୁଏ।
ୟୁରିଆ ସବ୍ସିଡି ଯୋଜନାର ସମ୍ପ୍ରସାରଣ:- ସିସିଇଏ ୟୁରିଆ ସବ୍ସିଡି ଯେଜନାକୁ ୨୦୨୫ ମାର୍ଚ୍ଚ ୩୧ତାରିଖ ଯାଏ ବୃଦ୍ଧି କରିଛି। ଏଥି ପାଇଁ ୩୬୮, ୬୭୬ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରାଯାଇଛି। ଏହି ସମ୍ପ୍ରସାରଣରେ ୨୦୨୨-୨୩ ଓ ୨୦୨୪-୨୫ ଆର୍ଥିକ ବର୍ଷ ଅନ୍ତର୍ଭୁକ୍ତ ହୋଇଛି। ଏହାଛଡା ଦେଶର ୟୁରିଆ ଉତ୍ପାଦନକୁ ବଢାଇବାକୁ ମୋଦୀ ସରକାର ଗୁରୁତ୍ୱ ଦେଇଛି। ୨୦୧୪ରେ ଦେଶରେ ୟୁରିଆ ଉତ୍ପାଦନ କ୍ଷମତା ୨୦୭.୫୪ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ୨୦୨୨-୨୩ରେ ୨୮୩. ୭୪ଲକ୍ଷ ମେଟ୍ରିକ ଟନ୍ରେ ପହଂଚିଥିଲା। ଏହି ଉତ୍ପାଦନ ବୃଦ୍ଧି ଫଳରେ ସରକାରଙ୍କ ୟୁରିଆ ସବ୍ସିଡି ଯୋଜନା ଅଧିକ ସଫଳ ହେବ। ସବୁ ଚାଷୀ ସୁଲଭ ମୂଲ୍ୟରେ ଆବଶ୍ୟକ ପରିମାଣର ୟୁରିଆ ସାର ପାଇବେ।
ନାନୋ ୟୁରିଆ ବ୍ୟବସ୍ଥାର ସୁଦୃଢୀକରଣ:-ଭାରତ ଦେଶୀ ଜ୍ଞାନକୌଶଳରେ ବିଶ୍ୱର ପ୍ରଥମ ତରଳ ନାନୋ ୟୁରିଆ ବିକଶିତ କରିଛି। ଏହାର ବ୍ୟାବସାୟିକ ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଛି। କମ୍ ମୂଲ୍ୟରେ ଏହି ପରିବେଶ ଚାଷ ଅନୁକୂଳ ୟୁରିଆ ଚାଷୀଙ୍କୁ ଯୋଗାଇଦେବା ବ୍ୟବସ୍ଥା ଏହା ଫଳରେ ସୁନିଶ୍ଚିତ ହୋଇଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ୭୬.୫ ନିୟୁତ ବୋତଲ(ପ୍ରାୟ ୩୩. ୬ ଲକ୍ଷ ମେଟ୍ରିକ ଟନ ପାରମ୍ପରିକ ୟୁରିଆ ସହ ସମାନ) ତରଳ ୟୁରିଆ ଦେଶରେ ଉତ୍ପାଦିତ ହୋଇଛି। ସେଥି ମଧ୍ୟରୁ ୫୪.୨ ନୟୁତ ବୋତଲୟୁରିଆ ବିକ୍ରି ହୋଇଛି। ୨୦୨୫-୨୬ ସୁଦ୍ଧାର ୮ଟି ନାନୋ ୟୁରିଆ କାରଖାନାରୁ ଉତ୍ପାଦନ ଆରମ୍ଭ ହେବ ଏବଂ ସେସବୁର ମୋଟ ଉତ୍ପାଦନ କ୍ଷମତା ୪୪୦ନିୟୁତ ବୋତଲ। ଚାଷୀଙ୍କୁ ମଧ୍ୟ ନାନୋ ଡିଏପି ସହିତ ପରିଚିତ କରାଗଲାଣି। ଏହା ପାରମ୍ପରିକ ଡିଏପି ସାରଠାରୁ ଶସ୍ତା ଏବଂ ଅଧିକ ପ୍ରଭାବଶାଳୀ।
ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ସରକାର ଛ’ଟି ୟୁରିଆ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିଛନ୍ତି। ସେଗୁଡିକ ହେଲା ରାଜସ୍ଥାନର କୋଟାସ୍ଥିତ ଚମ୍ବଲ ଫର୍ଟିଲାଇଜର ଲିଃ, ପଶ୍ଚିମ ବଙ୍ଗର ପାନାଗଡସ୍ଥିତ ମାଟିକ୍ସ ଲିମିଟେଡ, ତେଲଙ୍ଗାନାର ରାମଗୁଣ୍ଡମ, ଉତ୍ତରପ୍ରଦେଶର ଗୋରଖପୁର, ଝାଡଖଣ୍ଡର ସିନ୍ଦ୍ରି ଓ ବିହାରର ବାରାଉଣି। ଏହି ଦେଶୀ ନାନୋ ୟୁରିଆ ପ୍ଲାଣ୍ଟ ଫଳରେ ଭାରତର ସାମ୍ପ୍ରତିକ ୟୁରିଆ ଆମଦାନୀ ଯଥେଷ୍ଟ ହ୍ରାସ ପାଇବ ଓ ଏ କ୍ଷେତ୍ରରେ ଭାରତ ୨୦୨୫-୨୬ ସୁଦ୍ଧା ଆତ୍ମନିର୍ଭରଶୀଳ ହେବ।
ଗୋବର୍ଦ୍ଧନ ଯୋଜନା ମାଧ୍ୟମରେ ଜୈବିକ ସାରକୁ ପ୍ରୋତ୍ସାହନ:- ବଜାର ବିକାଶ ସହାୟତା (ଏମ୍ଡିଓ) ଯୋଜନାର ଅଂଶସ୍ୱରୂପ ଭାରତ ସରକାର ଟନ୍ ପିଛା ୧୫୦୦ ଟଙ୍କା ମୂଲ୍ୟରେ ଜୈବିକ ସାର ଚାଷୀଙ୍କୁ ଯୋଗାଇଦେବେ। ସେ ଗୋବର୍ଦ୍ଧନ ଯୋଜନାରେ ସ୍ଥାପିତ ଜୈବିକ ସାର ଉତ୍ପାଦନ କେନ୍ଦ୍ରରୁ ଏସବୁ ସାର ଉତ୍ପାଦିତ ହେଉଛି। ଏଥିରେ ଗୋବର, ଖତ, ଫସଲର ପରିତ୍ୟକ୍ତ ଅଂଶ, ଆବର୍ଜନା ଆଦିର୍ ଜୈବିକ ସାର ପ୍ରସ୍ତୁତ କରାଯାଉଛି। ଏହି ଯୋଜନାରେ ବାୟୋଗ୍ୟାସ ଓ ଅକ୍ଷୟଶକ୍ତି ଉତ୍ପାଦନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ଏହି ଯୋଜନା ପାଇଁ ୨୦୨୩-୨୪ରୁ ୨୦୨୫-୨୬ବର୍ଷ ପାଇଁ ମୋଟ ୧,୪୫୧.୮୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିରେ ଜୈବିକ ସାରର ବିକାଶ ପାଇଁ ଆବଶ୍ୟକ ଗବେଷଣା ନିମନ୍ତେ ୩୬୦କୋଟି ଟଙ୍କାର ବ୍ୟବସ୍ଥା ରହିଛି। ସମଗ୍ର ଦେଶରେ ଏକ ଲକ୍ଷ ଅଭିନବ ଆଦର୍ଶ କୃଷି ଯନ୍ତ୍ରପାତି ସେବା କେନ୍ଦ୍ର ଖୋଲାଯାଇଛି। ଏହାର ନାମ ରଖାଯାଇଛି ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର।
ପ୍ରଧାନମନ୍ତ୍ରୀ ପ୍ରଣାମ ଯୋଜନା:- ଏହି ଯୋଜନାଟି ମାଟିର ଉର୍ବରତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ। ଏଥିରେ ପ୍ରାକୃତିକ କୃଷି ପଦ୍ଧତିକୁ ଉତ୍ସାହିତ କରିବା ଓ ରାସାୟନିକ ସାରର ସମତୁଲ ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏ ବାବଦରେ ୨୦୨୫-୨୬ରେ ଯେଉଁ ପ୍ରୋତ୍ସାହନ ରାଶି ବ୍ୟୟବରାଦ ହେବ ତାହା ୨୦୨୬-୨୭ବର୍ଷରେ ଚାଷୀଙ୍କୁ ବଣ୍ଟାଯିବ। କୃଷିକୁ ନିରନ୍ତର ଏବଂ ପୋଷଣୀୟ କରିବାକୁ ସରକାର କାଯ୍ୟକାରୀ କରୁଥିବା ଯୋଜନା ମଧ୍ୟରୁ ଏହା ଗୋଟିଏ।
ଅଭିନବ ୟୁରିଆ ଗୋଲ୍ଡ- ସିସିଇଏ ମଧ୍ୟ ‘ୟୁରିଆ ଗୋଲ୍ଡ’ ନାମରେ ନୂଆଯୁଗର ଏକ ମୂଲ୍ୟମିଶ୍ରିତ ୟୁରିଆକୁ ପ୍ରବର୍ତ୍ତନ କରିଛି। ଏଥିରେ ୟୁରିଆ ଉପରେ ସଲଫର କୋଟିଙ୍ଗ ଦିଆଯାଇଛି। ଏହି ସଲଫର ବା ଗନ୍ଧକ ଫସଲକୁ ଅତିରିକ୍ତ ପୋଷକ ତତ୍ୱ ଯୋଗାଇବ। ଏହା ଫଳରେ ଉତ୍ପାଦନ କରିବ। ୟୁରିଆ ଗୋଲ୍ଡ ସାଧାରଣ ୟୁରିଆର ବ୍ୟବହାରକୁ ହ୍ରାସ କରିବ।
ଏହା ନାଇଟ୍ରୋଜେନର ପ୍ରୟୋଗକୁ ଫସଲରେ ମନ୍ଥର କରିବା ସହିତ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ। ଏହା ଫଳରେ ଫସଲରେ ପୋଷକ ତତ୍ୱର ବ୍ୟବହାର ଅଧିକ ଭଲଭାବେ ହୋଇପାରିବ। ୟୁରିଆର ବ୍ୟବହାର ଅତି ଭଲଭାବେ କରିବା ଫସଲର ଉତ୍ପାଦକତା ବଢିବ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ।
ସିସିଇଏର ସାଂପ୍ରତିକ ନିଷ୍ପତ୍ତି କୃଷି ଓ କୃଷକର ଉନ୍ନତି ପାଇଁ ଭାରତ ସରକାରଙ୍କ ଅଙ୍ଗୀକାର ଓ କାର୍ଯ୍ୟର ଏକ ପ୍ରତିଫଳନ ମାତ୍ର। ୟୁରିଆ ସବ୍ସିଡି ଯୋଜନାର ସମ୍ପ୍ରସାରଣ, ପିଏମ୍ ପ୍ରଣାମ ଯୋଜନାର ପ୍ରବର୍ତ୍ତନ, ଗୋବର୍ଦ୍ଧନ ମାଧ୍ୟମରେ ଜୈବିକ ସାର ଉତ୍ପାଦନ ଓ ବ୍ୟବସ୍ଥାକୁ ପ୍ରୋତ୍ସାହନ ତଥା ଅଭିନବ ୟୁରିଆ ଗୋଲ୍ଡ ସ୍କିମ୍ ଆଦିର ମୁଖ୍ୟ ଉଦ୍ଦେଶ୍ୟ ହେଲା ଚାଷକୁ ଅଧିକ ପରିବେଶ ଅନୁକୂଳ ଓ ଅଧିକ ଉତ୍ପାଦନଶୀଳ କରିବା।
ଏହା ସହିତ ସରକାର ମଧ୍ୟ ଚାଷରେ ରାସାୟନିକ ସାର ବ୍ୟବହାର କ୍ଷେତ୍ରରେ ଭାରସାମ୍ୟ ରକ୍ଷା କରିବା ସହିତ ବିକଳ୍ପ ଉର୍ବରକ ଭାବେ ଅର୍ଗାନିକ, ବାୟୋ ଓ ନାନୋ ଫର୍ଟିଲାଇଜର (ସାର) ଯଥାସମ୍ଭବ ଅଧିକ ବ୍ୟବହାର କରିବାକୁ ଚାଷୀଙ୍କୁ ସଚେତନ କରୁଛନ୍ତି। ଏହି ପ୍ରୟାସର ପ୍ରମୁଖ ଲକ୍ଷ୍ୟ ହେଲା ମାଟି ମା’ର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖି ଏହାର ଉତ୍ପାଦକତା ଶକ୍ତି ବଢାଇବା।
ମୋଦୀ ସରକାରଙ୍କ ନ’ବର୍ଷର ଉତ୍ସର୍ଗୀକୃତ ସେବା ମାଧ୍ୟମରେ କୃଷି କ୍ଷେତ୍ରର ଉନ୍ନତି ଓ କୃଷକଙ୍କ କଲ୍ୟାଣ ପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତାହାକୁ ଯେ କେହି ସ୍ୱୀକାର କରିବେ।ଏସବୁ ଯୋଜନା ଓ କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ କୃଷି ଓ କୃଷକଙ୍କ ସଶକ୍ତିକରଣ ସମ୍ଭବ ହୋଇଛି। “ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ”ର ନୀତିରେ ମୋଦୀ ସରକାର କାମ କରି ଦେଶକୁ ଆଗକୁ ବଢାଉଛି। ଏଥିରେ ଚାଷୀଙ୍କ କଲ୍ୟାଣ ଅଗ୍ରାଧିକାର ପାଇଛି।
ସରକାରଙ୍କ ପ୍ରବର୍ତ୍ତିତ ନୂଆ ନୂଆ ଯୋଜନା ଦ୍ୱାରା ଚାଷୀଙ୍କ ଜୀବିକା ଉପାର୍ଜନର ସୁଯୋଗ ବଢିବ, ସେମାନେ ସମର୍ଥ ତଥା ସଶକ୍ତ ହେବେ। ପୋଷଣୀୟ କୃଷି ମଧ୍ୟ ଆବଶ୍ୟକ ପ୍ରୋତ୍ସାହନ ପାଇବ। ସର୍ବୋପରି ଏହା ଦ୍ୱାରା ସମଗ୍ର କୃଷି କ୍ଷେତ୍ରର ଉନ୍ନତି ଘଟିବ। ଏକ ସମୃଦ୍ଧ ଓ ସମାବେଶୀ ଭାରତ ନିର୍ମାଣ ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି କୃଷି କ୍ଷେତ୍ରର ଏହି ସବୁ ନୂଆ ନୂଆ ଯୋଜନା ତାହାକୁ ପୂରଣ କରିବାରେ ସହାୟକ ହେବ। ଏହି ପ୍ରକ୍ରିୟାରେ ଜାତୀୟ ବିକାଶ କ୍ଷେତ୍ରରେ ଚାଷୀମାନେ ଏକ ଗୁରୁତ୍ୱପୂର୍ଣର୍ ଭୂମିକା ନିର୍ବାହ କରିବେ।