Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଓଜନ ଏବଂ ମାପନ ଉପକରଣ ନିର୍ମାତା/ରପ୍ତାନିକାରୀଙ୍କୁ କେନ୍ଦ୍ର ସରକାରଙ୍କ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୈଧ ମାପ ବିଜ୍ଞାନ ବିଭାଗ ଜରିଆରେ ଓଜନ ଓ ମାପନ ଉପକରଣ ନିର୍ମାତା ଓ ରପ୍ତାନିକାରୀ ମାନଙ୍କୁ ୬୩ଟି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏସବୁ ନୋଟିସ ଜରିଆରେ ସେମାନଙ୍କ ଠାରୁ ଅନୁପାଳନ ବିବରଣୀ ମଗାଯାଇଛି। ବିଶେଷ କରି ଇ-କମର୍ସ ପ୍ଲାଟଫର୍ମରେ କାରବାର କରୁଥିବା ଉତ୍ପାଦନକାରୀ/ ରପ୍ତାନିକାରୀ/ ବିକ୍ରେତାମାନଙ୍କ ଠାରୁ ମଡେଲର ଅନୁମୋଦନ, ଉତ୍ପାଦନ, ରପ୍ତାନିକାରୀ/ ଡିଲର ଲାଇସେନ୍ସ ଏବଂ ଓଜନ ନିକିତି ଯାଞ୍ଚର ବିବରଣୀ ମଗାଯାଇଛି।

କେତେକ ଓଜନ ଓ ମାପନ ଉପକରଣ ଉତ୍ପାଦନକାରୀ/ରପ୍ତାନିକାରୀମାନେ ଆଇନରେ ଥିବା ବ୍ୟବସ୍ଥାକୁ ପାଳନ ନକରି ମଣିଷ ଓଜନ ମେସିନ ଏବଂ ରୋଷେଇ ଘର ପାଇଁ ବ୍ୟବହୃତ ନିକିତି ଆଦି ବିକ୍ରି କରୁଛନ୍ତି। ଇ-କମର୍ସ ସାଇଟରେ ଏଭଳି ଅନଧିକୃତ ଭାବେ ବିକ୍ରି କାରଣରୁ କେବଳ ଗ୍ରାହକମାନେ ଉଚିତ୍ ସେବାରୁ ବଞ୍ଚିତ ହେଉନାହାନ୍ତି ବରଂ ସରକାର ମଧ୍ୟ ରାଜସ୍ୱ କ୍ଷତି ସହୁଛନ୍ତି।

ଗ୍ରାହକମାନଙ୍କ ହିତ ରକ୍ଷା ଏବଂ ସଂରକ୍ଷଣ ନିମନ୍ତେ, ବୈଧ ମାପ ଆଇନ, ୨୦୦୯ ଅଧୀନରେ ଓଜନ ଓ ମାପନ ଉପକରଣର ନିର୍ମାତା/ରପ୍ତାନିକାରୀମାନେ ସେମାନଙ୍କର ଓଜନ ଓ ମାପ ଉପକରଣର ମଡେଲ (ଧାରା ୨୨) ପାଇଁ ଅନୁମତି ନେବାର ଆବଶ୍ୟକତା ରହିଛି। ସେହିପରି ଧାରା ୨୩ ଅନୁଯାୟୀ ସେମାନଙ୍କୁ ନିର୍ମାଣ ଲାଇସେନ୍ସ ଏବଂ ଧାରା ୧୯ ଅନୁଯାୟୀ ରପ୍ତାନିକାରୀ ପଞ୍ଜିକରଣ କରାଇବା ଜରୁରି। ଏହାଛଡ଼ା ଧାରା ୨୪ ଅଧୀନରେ ଓଜନ ଓ ମାପ ଉପକରଣର ଯାଞ୍ଚ/ ଷ୍ଟାମ୍ପିଙ୍ଗ କରାଯିବାର ମଧ୍ୟ ଆବଶ୍ୟକତା ରହିଛି।
ଆହୁରି ବୈଧ ମାପ (ପ୍ୟାକେଜ ହୋଇଥିବା ଉତ୍ପାଦ), ନିୟମାବଳୀ ୨୦୧୧ର ବ୍ୟବସ୍ଥା (ନିୟମ ୬) ଅନୁଯାୟୀ ଓଜନ ଏବଂ ମାପନ ଉପକରଣ ସମ୍ପର୍କରେ ଆଗୁଆ ପ୍ୟାକେଜିଂ ବେଳେ କିମ୍ବା ଇ-କମର୍ସ ପ୍ଲାଟଫର୍ମରେ ଘୋଷଣାନାମା ପ୍ରଦାନ କରିବାର ଆବଶ୍ୟକତା ରହିଛି।

ଗ୍ରାହକଙ୍କ ହିତ ରକ୍ଷା ପାଇଁ ଓଜନ ଓ ମାପ ଉପକରଣ ମଡେଲକୁ ମଞ୍ଜୁରି, ନିର୍ମାଣ ଲାଇସେନ୍ସ/ ରପ୍ତାନିକାରୀଙ୍କ ପଞ୍ଜୀକରଣ ଏବଂ ଓଜନ ଓ ମାପ ଉପକରଣର ଯାଞ୍ଚ/ଷ୍ଟାମ୍ପିଙ୍ଗ ବାଧ୍ୟତାମୂଳକ। ଏହା ଓଜନ, ମାପ ତଥା ଓଜନ ମାପନ ଓ ସଂଖ୍ୟା ଆଧାରରେ ବିକ୍ରି ହେଉଥିବା ଅନ୍ୟ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟକୁ ନିୟନ୍ତ୍ରଣ କରିବା ଲାଗି ମଧ୍ୟ ଅତି ଜରୁରି। ପୂର୍ବରୁ ପ୍ୟାକେଜ୍ ହୋଇଥିବା ଉତ୍ପାଦ/ ଇ-କମର୍ସ ପ୍ଲାଟଫର୍ମ ଉପରେ ଉତ୍ପାଦ ସମ୍ପର୍କରେ ଘୋଷଣା କରାଯିବା ମଧ୍ୟ ବାଧ୍ୟତାମୂଳକ, ଯାହାଫଳରେ ଗ୍ରାହକମାନେ ସୂଚିତ ହୋଇ ସଠିକ ନିଷ୍ପତ୍ତି ନେଇପାରିବେ।

ନିର୍ମାତା/ଉତ୍ପାଦନକାରୀମାନେ ନିର୍ମାଣ, ରପ୍ତାନି, ବିକ୍ରି, ବିତରଣ ହେଉଥିବା ଓଜନ ଏବଂ ମାପ ଉପକରଣ ସଂଖ୍ୟାର ରେକର୍ଡ ରଖିବାର ଆବଶ୍ୟକତା ରହିଛି। ଏସବୁ ସାମଗ୍ରୀର ଯାଞ୍ଚ ପାଇଁ ସରକାରଙ୍କୁ ପଇଠ କରାଯାଉଥିବା ଶୁଳ୍କର ରେକର୍ଡ ମଧ୍ୟ ରଖାଯିବା ଜରୁରି।

ବୈଧ ମାପ ଆଇନର ଏହିସବୁ ବ୍ୟବସ୍ଥାର ଉଲ୍ଲଙ୍ଘନ କ୍ଷେତ୍ରରେ, ଧାରା ୩୨ (ମଡେଲ ପାଇଁ ମଞ୍ଜୁରି ନେବାରେ ବିଫଳତା କ୍ଷେତ୍ରରେ), ଧାରା ୪୫ (ବିନା ଲାଇସେନ୍ସରେ ଓଜନ ଏବଂ ମାପ ଉପକରଣ ନିର୍ମାଣ ପାଇଁ ଜୋରିମାନା), ଧାରା ୩୮ (ଓଜନ କିମ୍ବା ମାପ ଉପକରଣ ରପ୍ତାନିକାରୀମାନେ ପଞ୍ଜିକରଣ ନକରିବା କ୍ଷେତ୍ରରେ ଜୋରିମାନା), ଧାରା ୩୩ (ଓଜନ କିମ୍ବା ମାପର ବିନା ଯାଞ୍ଚରେ ବ୍ୟବହାର ପାଇଁ ଜୋରିମାନା) ଏବଂ ଧାରା ୩୬ (ଅଣ-ମାନକୀକୃତ ପ୍ୟାକେଜ ପାଇଁ ଜୋରିମାନା ଆଦି) ଅଧୀନରେ ଜୋରିମାନା କିମ୍ବା ଜେଲ ଦଣ୍ଡାଦେଶ ଅଥବା ଉଭୟ ଦଣ୍ଡାଦେଶର ବ୍ୟବସ୍ଥା ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଖାଇବା ତେଲର ନିଟ୍ ପରିମାଣ ଓ ତାହାର ଓଜନ ଘୋଷଣା କରିବାକୁ ତେଲ ଉତ୍ପାଦକମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତାପମାତ୍ରା ବିନା ଖାଇବା ତେଲର ନିଟ୍ ପରିମାଣ ଓ ତାହାର ଓଜନ ଘୋଷଣା କରିବାକୁ କେନ୍ଦ୍ର ସରକାର ଖାଇବା ତେଲ ଉତ୍ପାଦକ, ପ୍ୟାକର ଓ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ଘୋଷଣାନାମା ପ୍ରକାଶ ପାଇବାର ଛ’ମାସ ମଧ୍ୟରେ, ଅର୍ଥାତ୍ ଆସନ୍ତା ୨୦୨୩ ଜାନୁୟାରୀ ୧୫ତାରିଖ ସୁଦ୍ଧା ନିଜର ଲେବଲ ସଂଶୋଧନ କରି ପ୍ରତି ପ୍ୟାକେଟ, ଟିଣ ବା ବୋତଲରେ ରହୁଥିବା ଖାଇବା ତେଲର ଉଭୟ ପରିମାଣ (ତାପମାତ୍ରା ବିନା) ଓ ଓଜନ ଦର୍ଶାଇବାକୁ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ସମ୍ପୃକ୍ତ ପକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି।

୨୦୧୧ର ମାପ ଓ ଓଜନ ଆଇନ (ପ୍ୟାକେଟ କରା ସାମଗ୍ରୀ ସଂକ୍ରାନ୍ତ) ଅନୁସାରେ ଖାଉଟିଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୂର୍ବରୁ ପ୍ୟାକେଟ ହୋଇଥିବା ସବୁ ସାମଗ୍ରୀର ପ୍ରକୃତ ଓଜନ ଓ ପରିମାଣ ସେହି ପ୍ୟାକେଟର ଲେବଲ ଉପରେ ଲେଖିବା ବାଧ୍ୟତାମୂଳକ। ସେହି ପ୍ୟାକେଟର ଲେବଲ ଉପରେ ଖାଇବା ତେଲର ପରିମାଣ ଓ ଓଜନ ପ୍ରକୃତରେ କେତେ ତାହାକୁ ପ୍ରସ୍ତୁତକର୍ତ୍ତା, ପ୍ୟାକର ଓ ଆମଦାନୀକାରୀଙ୍କୁ ଉଲ୍ଲେଖ କରିବାକୁ ପଡିବ। ଏହାର ଅର୍ଥ ପ୍ରକୃତରେ ଉଭୟ ଲିଟର ଓ ଗ୍ରାମରେ ଏସବୁ ସାମଗ୍ରୀର ମୂଲ୍ୟ ଲେଖିବାକୁ ହେବ। ଏବେ ଅନେକ ଖାଇବା ତେଲ ଉତ୍ପାଦନକାରୀ କମ୍ପାନୀ ତେଲର ନିଟ୍ ବା ପ୍ରକୃତ ପରିମାଣର ଓଜନ ଘୋଷଣା କରିବାବେଳେ ନିଜ ଆଡୁ ଏକତରଫା ଭାବେ ତାପମାତ୍ରା ଉଲ୍ଲେଖ କରୁଛନ୍ତି। ତାପମାତ୍ରା ଉଲ୍ଲେଖ ରହିଲେ ତେଲର ଓଜନ ଲିଟର ଓ ଗ୍ରାମରେ ସମାନ ରହିବ ନାହିଁ। ପ୍ରକୃତରେ ଖାଉଟି ଯେତିକି ଓଜନର ତେଲ ପାଇଁ ପଇସା ଦେଉଛି ତାକୁ ସେତିକି ମିଳୁନାହିଁ।

ଏବେ ଉତ୍ପାଦକ, ପ୍ୟାକର ଓ ଆମଦାନୀକାରୀ ପ୍ୟାକେଟରେ ନିଟ୍ ପରିମାଣ ଉଲ୍ଲେଖ କରିବାବେଳେ ପ୍ୟାକିଂ ସମୟରେ ତେଲର ତାପମାତ୍ରାକୁ ଉଲ୍ଲେଖ କରୁଛନ୍ତି ଏବଂ ଏଥିସହିତ ଏହାର ପରିମାଣ ଦର୍ଶାଉଛନ୍ତି। କେତେକ ଉତ୍ପାଦକ ତାପମାତ୍ରାକୁ ଅତି ଅଧିକ ୬୦୦ ସେଲସିୟସ ଉଲ୍ଲେଖ କରୁଛନ୍ତି। ଏହା ଫଳରେ ବନସ୍ପତି ଭଳି ସାମଗ୍ରୀର ବାସ୍ତବ ଓଜନ ଓ ପରିମାଣରେ ଫରକ ରହୁଛି। ଉଦାହରଣ ସ୍ୱରୂପ ଗୋଟିଏ ଲିଟର ବନସ୍ପତିକୁ ବିଭିନ୍ନ ତାପମାତ୍ରାରେ ମାପିଲେ ଏହାର ଓଜନ ଓ ପରିମାଣ ଭିନ୍ନ ଭିନ୍ନ ହେଉଛି। ସୋୟାବିନ୍ ତେଲ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଘଟୁଛି। ନିମ୍ନରେ ପ୍ରଦତ୍ତ ଟେବୁଲରୁ ଏହି ପାର୍ଥକ୍ୟ ବୁଝା ପଡିବ।
କ୍ରମିକ ସଂଖ୍ୟା ତାପମାତ୍ରା ଗ୍ରାମରେ ଓଜନ

୧-୨୧ଡିଗ୍ରୀ ସେଲସିୟସ ୯୧୯.୧
୨- ୩୦ଡିଗ୍ରୀ ସେଲସିୟସ ୯୧୩.୦
୩- ୪୦ଡିଗ୍ରୀ ସେଲସିୟସ ୯୦୬
୪- ୫୦ଡିଗ୍ରୀ ସେଲସିୟସ ୮୯୯.୪
୫- ୬୦ଡିଗ୍ରୀ ସେଲସିୟସ ୮୯୨.୬

ଅତଏବ ଖାଇବା ତେଲର ପ୍ରକୃତ ଓଜନ ଭିନ୍ନ ଭିନ୍ନ ତାପମାତ୍ରାରେ ପ୍ୟାକେଜ ବେଳେ ଅଲଗା ରହୁଛି। ତେଣୁ ଖାଉଟି ପ୍ୟାକେଟ ତେଲ କିଣିବାବେଳେ ଲିଟର ବା କେଜି ପିଛା ଯେତିକି ପଇସା ଦେଉଛନ୍ତି ସେହି ଅନୁସାରେ ପ୍ରକୃତ ଓଜନର ସାମଗ୍ରୀ ପାଉନାହାନ୍ତି। ତେଣୁ ପ୍ୟାକେଟ କରିବାବେଳେ ଖାଇବା ତେଲର ତାପମାତ୍ରା କେତେ ତାହା ନିର୍ଦ୍ଦିଷ୍ଟଭାବେ ବିକ୍ରି ପାଇଁ ଉଦ୍ଦିଷ୍ଟ ପ୍ୟାକେଟରେ ଉଲ୍ଲେଖ କରିବାକୁ ସରକାର ସବୁ ଉତ୍ପାଦକ, ପ୍ୟାକେଟ ପ୍ରସ୍ତୁତକାରୀ ଏବଂ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖାଉଟିଙ୍କୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସରକାର ଏହି ପଦକ୍ଷେପ ନେଇଛନ୍ତି। (ପିଆଇବି)

Categories
ଆଜିର ଖବର ଜାତୀୟ ଖବର

ରୋହିଙ୍ଗ୍ୟା ବେଆଇନ ବିଦେଶୀ: କେନ୍ଦ୍ର ସରକାର ଦେଲେ ଏଭଳି ନିର୍ଦ୍ଦେଶ

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ବେଆଇନ ବିଦେଶୀମାନଙ୍କ ସଂକ୍ରାନ୍ତରେ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ସଂକ୍ରାନ୍ତରେ ଏହା ସ୍ପଷ୍ଟ କରି ଦିଆଯାଇଛି ଯେ, ନୂଆଦିଲ୍ଲୀର ବାକରୱାଲା ଠାରେ ରୋହିଙ୍ଗ୍ୟା ବେଆଇନ ପ୍ରବାସୀମାନଙ୍କୁ ଇଡବ୍ଲ୍ୟୁଏସ୍‍ ଫ୍ଲାଟ ଯୋଗାଇବା ପାଇଁ ଗୃହ ମନ୍ତ୍ରଣାଳୟ (ଏମଏଚଏ) କୌଣସି ନିର୍ଦ୍ଦେଶ ଦେଇନାହିଁ। ରୋହିଙ୍ଗ୍ୟାମାନଙ୍କୁ ଏକ ନୂତନ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦିଲ୍ଲୀ ସରକାର ପ୍ରସ୍ତାବ ଦେଇଛନ୍ତି। ତେବେ ରୋହିଙ୍ଗ୍ୟା ବେଆଇନ ବିଦେଶୀମାନେ କାଞ୍ଚନ କୁଞ୍ଜ, ମଦନପୁର ଖଡର ଅଞ୍ଚଳରେ ବର୍ତ୍ତମାନ ଯେଭଳି ରହିବେ ତାହା ନିଶ୍ଚିତ କରିବାକୁ ଏମ୍‍ଏଚଏ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି, କାରଣ ଏମ୍‍ଏଚ୍‍ଏ ବିଦେଶ ମନ୍ତ୍ରାଳୟ ଜରିଆରେ ବେଆଇନ ବିଦେଶୀମାନଙ୍କୁ ଦେଶାନ୍ତରୀକରଣ ଲାଗି ସମ୍ପୃକ୍ତ ଦେଶ ସହିତ ଯୋଗାଯୋଗରେ ଅଛି।

ବେଆଇନ ବିଦେଶୀମାନଙ୍କୁ ଆଇନ ଅନୁଯାୟୀ ଦେଶାନ୍ତରୀକରଣ କରାଯିବା ପର୍ଯ୍ୟନ୍ତ ଅଟକ କେନ୍ଦ୍ରରେ ରଖାଯିବ। ଦିଲ୍ଲୀ ସରକାର ବର୍ତ୍ତମାନର ରହଣି ସ୍ଥାନକୁ ଅଟକ କେନ୍ଦ୍ର ଭାବରେ ଘୋଷଣା କରି ନାହାଁନ୍ତି। ତୁରନ୍ତ ଏଭଳି ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ ସରକାରମାନଙ୍କୁ ଦୁଇଟି କିସ୍ତିରେ ୧ ଲକ୍ଷରୁ ଉର୍ଦ୍ଧ୍ଵ କୋଟିର ଟିକସ ହସ୍ତାନ୍ତର, ଓଡିଶାକୁ କେତେ?

ନୂଆଦିଲ୍ଲୀ/ଭୁବନେଶ୍ବର: ରାଜ୍ୟ ସରକାରମାନଙ୍କୁ ଟିକସ ହସ୍ତାନ୍ତର (ଡିଭୋଲ୍ୟୁସନ)ର ଦୁଇଟି କିସ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର। ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ୧୦ ଅଗଷ୍ଟ, ୨୦୨୨ରେ କେନ୍ଦ୍ର ସରକାର ୧,୧୬,୬୬୫.୭୫ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି। ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ ମିଳିଛି।

ପୁଞ୍ଜି ଏବଂ ବିକାଶମୂଳକ ବ୍ୟୟକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟମାନଙ୍କର କ୍ଷମତା ବୃଦ୍ଧି ସକାଶେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଅନୁରୂପ ଅଧିକ ପରିମାଣର ଟିକସ ଡିଭୋଲ୍ୟୁସନ ରାଜ୍ୟମାନଙ୍କୁ ଜାରି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ନୂଆ ମେଡିକାଲ କଲେଜ ସବୁକୁ କାର୍ଯ୍ୟକ୍ଷମ କରିବା କାମର ପ୍ରଗତି ସମୀକ୍ଷା

ନୂଆଦିଲ୍ଲୀ: ଦେଶର ୧୪ଟି ରାଜ୍ୟରେ ବର୍ତ୍ତମାନର ସଦର ମହକୁମା ହସ୍‌ପିଟାଲ ସହିତ ସମ୍ପୃକ୍ତ ନୂଆ ମେଡିକାଲ କଲେଜଗୁଡିକୁ ଯଥାଶୀଘ୍ର  କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି। ଏସବୁ ନୂଆ ମେଡିକାଲ  କଲେଜ ସ୍ଥାପନ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅର୍ଥ ଯୋଗାଇ ଦେଉଛନ୍ତି। ସମ୍ପୃକ୍ତ ପାଣ୍ଠିକୁ ତୁରନ୍ତ ବିନିଯୋଗ କରି ସେସବୁ ମେଡିକାଲ କଲେଜଗୁଡିକରେ ସ୍ନାତକ ପାଠ୍ୟକ୍ରମ ଯଥାଶୀଘ୍ର ଆରମ୍ଭ କରିବାକୁ  କୁହାଯାଇଛି।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ  ଉଚ୍ଚସ୍ତରୀୟ ବୈଠକରେ ଏହି ନୂଆ ମେଡିକାଲ କଲେଜଗୁଡିକର ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହି ମେଡିକାଲ କଲେଜଗୁଡିକର ପ୍ରଗତି ଅତ୍ୟନ୍ତ ମନ୍ଥର ଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉଦ୍‌ବେଗ ପ୍ରକାଶ କରିଥିଲେ।

ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମ୍ପୃକ୍ତ ୧୪ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବ  ଓ ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶକମାନେ ଯୋଗଦେଇଥିଲେ।

ଏହି କେନ୍ଦ୍ରୀୟ ଯୋଜନାରେ ଦେଶରେ ୧୫୭ ନୂଆ ମେଡିକାଲ କଲେଜ ସ୍ଥାପନ କରିବାକୁ ୨୦୧୪ରୁ ନିଷ୍ପତ୍ତି ଗ୍ରହଣ କରାଯାଇ ତିନିଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଆଜିର ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ, ହିମାଚଳପ୍ରଦେଶ, ହରିୟାଣା, ଝାଡଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ମେଘାଳୟ, ମିଜୋରାମ, ଓଡିଶା, ନାଗାଲାଣ୍ଡ, ପଞ୍ଜାବ, ଜାମ୍ମୁ ଓ କାଶ୍ମୀର ଏବଂ ଆଣ୍ଡାମାନ ନିକୋବରର ସ୍ୱାସ୍ଥ୍ୟ ସଚିବ ଏବଂ ଡିଏମ୍‌ଇଟିମାନେ ଯୋଗଦେଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏସବୁ ରାଜ୍ୟର ମେଡିକାଲ କଲେଜର ମନ୍ଥର ପ୍ରଗତି ଘେନି ଉଦ୍‌ବେଗ ପ୍ରକାଶ କରିବା ସହିତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରି ୨୦୨୩-୨୪ ଶିକ୍ଷାବର୍ଷରୁ ମେଡିକାଲ ୟୁଜି ଶିକ୍ଷା ଆରମ୍ଭ କରିବାକୁ ଗୁରୁତ୍ୱ ଦେଇଥିଲେ। ସେ ଆହୁରି କହିଥିଲେ ଯେ ଏହି ଯୋଜନାକୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେଣୁ ଏହି ସମୟ ସୀମା ସୁଦ୍ଧା ନୂଆ ମେଡିକାଲ କଲେଜ ସବୁର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାଠପଢା ଆରମ୍ଭ ହେବା ଜରୁରୀ।

ବୈଠକର ସୂଚନା ଅନୁସାରେ ଏହି ଯୋଜନାରେ ସମ୍ପୃକ୍ତ ୧୪ ରାଜ୍ୟ ଓ ଦୁଇ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ୭୫୦୦କୋଟି ଟଙ୍କା ଯୋଗାଣ ବ୍ୟବସ୍ଥା କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟସେବା ପାଇଁ ମାନବ ସମ୍ବଳ ଯୋଜନା ଓ ମେଡିକାଲ ଶିକ୍ଷା ବାବଦରେ ଏହି ଅର୍ଥ ପ୍ରଦାନ ବ୍ୟବସ୍ଥା କରାଯାଇଛି। ତେବେ ସମ୍ପୃକ୍ତ ନୂଆ ମେଡିକାଲ କଲେଜଗୁଡିକର ନିର୍ମାଣ କାର୍ଯ୍ୟରେ ମନ୍ଥରତା ଯୋଗୁଁ ରାଜ୍ୟ ସରକାରମାନେ ସେ ବାବଦ ଅର୍ଥ କେନ୍ଦ୍ର ସରକାରଙ୍କଠାରୁ ନେଉନାହାନ୍ତି। ସମ୍ପୃକ୍ତ ରାଜ୍ୟମାନଙ୍କର ବରାଦ ବିନା ଏହି ଅର୍ଥ କେନ୍ଦ୍ର ସରକାର ଯେଗାଇବାରେ ଅସୁବିଧା ସୃଷ୍ଟି ହେଉଛି। ତେଣୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ନୂଆ ମେଡିକାଲ କଲେଜ ନିର୍ମାଣ ବାବଦ ଖର୍ଚ୍ଚର ବିନିଯୋଗ ପ୍ରମାଣପତ୍ର ତୁରନ୍ତ ଦାଖଲ କରି କେନ୍ଦ୍ର ନିକଟରୁ ଟଙ୍କା ନେବାକୁ ପରାମର୍ଶ ଦିଆଯାଇଛି। ଯେତେଶୀଘ୍ର ବିନିଯୋଗ ପ୍ରମାଣପତ୍ର ସମ୍ପୃକ୍ତ ରାଜ୍ୟମାନେ ଦେବେ କେନ୍ଦ୍ର ସରକାର ସେତେ ଶୀଘ୍ର ଅର୍ଥ ଯୋଗାଇ ଦେବେ।

ନୂଆ ମେଡିକାଲ କଲେଜଗୁଡିକର ନିର୍ମାଣ କାର୍ଯ୍ୟର ବାସ୍ତବ ସ୍ଥିତି, ପ୍ରଗତି ଓ ଆର୍ଥିକ  ସ୍ଥିତି ସମ୍ପର୍କରେ ତୁରନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପୋର୍ଟାଲରେ ତଥ୍ୟ ଉପସ୍ଥାପନ କରିବାକୁ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି।

ସମୀକ୍ଷା ବୈଠକ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ନୂଆ ମେଡିକାଲ କଲେଜଗୁଡିକର କୋଠାବାଡି ନିର୍ମାଣ କାର୍ଯ୍ୟରେ ନୂତନ ଟେକ୍‌ନୋଲୋଜି ଓ ସାମଗ୍ରୀ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଇସ୍ପାତ ଢାଞ୍ଚା ବ୍ୟବହାର କରିବା ସହିତ ନୂଆ ଟେକ୍‌ନୋଲୋଜିର ଉପଯୋଗ କରି ସମ୍ପୃକ୍ତ କୋଠାଗୁଡିକର ଊର୍ଜା ସଂରକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପାରମ୍ପରିକ ଟେକ୍ନୋଲୋଜି ପରିବର୍ତ୍ତେ ନୂଆ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କଲେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ଆହୁରି ମଧ୍ୟ ଭବନ ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଭାବେ ଉପଲବ୍ଧ ଗ୍ରୀନ୍ ଟେକ୍ନୋଲୋଜି ବ୍ୟବହାର କରିବାକୁ ସମ୍ପୃକ୍ତ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

ଅନେକ ନିର୍ମାଣକାରୀ କମ୍ପାନୀଙ୍କର ହସ୍‌ପିଟାଲ ଓ ମେଡିକାଲ କଲେଜ ନିର୍ମାଣ କ୍ଷେତ୍ରରେ ଅଭିଜ୍ଞତା ନ ଥିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର  ହୋଇଥିବା ଏହି ସମୀକ୍ଷା ବୈଠକରୁ ଜଣାପଡିଛି। ଅତଏବ ଏହି ନିର୍ମାଣ କାର୍ଯ୍ୟରେ କେବଳ ଅଭିଜ୍ଞତା ଥିବା ନିର୍ମାଣକାରୀ ସଂସ୍ଥାଙ୍କୁ ନିୟୋଜିତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ୨୦୧୪ରେ କେନ୍ଦ୍ର ସରକାର ଦେଶର ବିଭିନ୍ନ ଜିଲ୍ଲା ସଦର ମହକୁମା ହସ୍‌ପିଟାଲଗୁଡିକୁ ମେଡିକାଲ କଲେଜରେ ପରିଣତ କରିବାକୁ ଏହି ଯୋଜନା ଆରମ୍ଭ କରିଥିଲେ। ଏହି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଜିଲ୍ଲା ସଦର ମହକୁମା ହସ୍‌ପିଟାଲ ସହିତ ରେଫରାଲ ହସ୍‌ପିଟାଲଗୁଡିକୁ ମଧ୍ୟ ସାମିଲ କରାଯାଇଥିଲା। ଏଥିପାଇଁ କେନ୍ଦ୍ର ସରକାର ୬୦ଭାଗ ଓ ରାଜ୍ୟ ସରକାରଙ୍କୁ ୪୦ଭାଗ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା। ତେବେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ ସ୍ୱତନ୍ତ୍ର ଶ୍ରେଣୀର ରାଜ୍ୟଗୁଡିକ ପାଇଁ ଏହି ଅନୁପାତ ଥିଲା ୯୦:୧୦ ଭାଗ।

ମୋଟ ତିନିଟି ପର୍ଯ୍ୟାୟରେ ଏହି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ (୨୦୧୪ ) ଦେଶର ୧୩ଟି ଆକାଂକ୍ଷୀ ଜିଲ୍ଳାରେ ୫୮ଟି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ (୨୦୧୮) ଦେଶର ୬ଟି ଆକାଂକ୍ଷୀ ଜିଲ୍ଳାରେ ଆଉ ୨୪ଟି ନୂଆ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲାବେଳେ ତୃତୀୟ ପର୍ଯ୍ୟାୟରେ (୨୦୧୯) ୨୦ ଆକାଂକ୍ଷୀ ଜିଲ୍ଲାରେ ୭୫ ନୂଆ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ପ୍ରଥମ ପର୍ଯ୍ୟାୟ ଯୋଜନାରେ ସମ୍ପୃକ୍ତ ମେଡିକାଲ କଲେଜଗୁଡିକର ନିର୍ମାଣ କାର୍ଯ୍ୟ୨୦୧୯-୨୦ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ  ରଖାଯାଇଥିଲା। ଏହି ପର୍ଯ୍ୟାୟରେ କେନ୍ଦ୍ର ତାହାର ଅଂଶ ବାବଦରେ ସମ୍ପୃକ୍ତ ରାଜ୍ୟମାନଙ୍କୁ କଲେଜ ପିଛା ୧୮୯ କୋଟି ଟଙ୍କା ଯୋଗାଇ ଦେଇଛି। ମୋଟ ୫୮ଟି ନୂଆ ମେଡିକାଲ କଲେଜ ପାଇଁ ୭୫୪୧କୋଟି ୧୦ଲକ୍ଷ ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି। ମୋଟ ୫୮ଟି ମଧ୍ୟରୁ ୫୩ଟି କାର୍ଯ୍ୟକ୍ଷମ ହୋଇଛି ଓ ଅବଶିଷ୍ଟ ଆଠଟି ଏଯାଏ ସମ୍ପୂର୍ଣ୍ଣ ହୋଇନାହିଁ।

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଯୋଜନା ୨୦୧୮ରେ ଅନୁମୋଦିତ ହୋଇଥିଲା ଏବଂ ୨୦୨୧-୨୨ ମଧ୍ୟରେ ଦେଶରେ ପ୍ରତି ତିନିଟି ଲୋକସଭା ନିର୍ବାଚନମଣ୍ଡଳୀର ଅଞ୍ଚଳ ମଧ୍ୟରେ ଅତିକମ୍‌ରେ ଗୋଟିଏ ମେଡିକାଲ କଲେଜ ସ୍ଥାପନର ଲକ୍ଷ୍ୟ ରଖା ଯାଇଥିଲା। ଏଥିରେ ପ୍ରତ୍ୟେକ ମେଡିକାଲ କଲେଜ ନିର୍ମାଣ ପାଇଁ ୨୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ପର୍ଯ୍ୟାୟରେ ରାଜ୍ୟମାନଙ୍କୁ ମୋଟ ୩୬୭୫କୋଟି ଟଙ୍କା ଦେଇଛନ୍ତି ଏବଂ ଆଠଟି ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭ କରିଛି।

ତୃତୀୟ ପର୍ଯ୍ୟାୟ, ଯାହା ୨୦୧୯ରେ ଆରମ୍ଭ ହୋଇଥିଲା ସେଥିରେ ୨୦୨୩-୨୪ ସୁଦ୍ଧା ଅବଶିଷ୍ଟ ନୂଆ ମେଡିକାଲ କଲେଜଗୁଡିକୁ କାର୍ଯ୍ୟକ୍ଷମ କରିବାର ଲକ୍ଷ୍ୟ ରଖାଯାଇଥିଲା। ଏହି ପର୍ଯ୍ୟାୟରେ ପ୍ରତ୍ୟେକ ମେଡିକାଲ କଲେଜ ପାଇଁ ୩୨୫କୋଟି ଟଙ୍କା ଲେଖାଏଁ ଯୋଗାଣର ବ୍ୟବସ୍ଥା କେନ୍ଦ୍ର କରିଥିଲା। ଏ ବାବଦରେ ମୋଟ କେନ୍ଦ୍ରୀୟ ଅଂଶ ୧୫୪୯୯.୪୭କୋଟି ଟଙ୍କା ମଧ୍ୟରୁ ରାଜ୍ୟମାନଙ୍କୁ ଏ ଯାଏ ୯୩୨୪.୧୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଏହି ପର୍ଯ୍ୟାୟରେ ଏବେ ସୁଦ୍ଧା ୧୪ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି।

ଆଜିର ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ମନୋହର ଅଗ୍‌ନାନି, ଯୁଗ୍ମ ସଚିବ ହେକାଲୀ ଝିମୋମି ଓ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ସ୍ୱଧାର ଗୃହ କାର୍ଯ୍ୟକ୍ରମ ପାଇଁ ବଜେଟ ଅନୁଦାନ ବୃଦ୍ଧି, ଉପକୃତ ହୋଇଛନ୍ତି ଓଡ଼ିଶାର ମହିଳା: କେନ୍ଦ୍ର

ଭୁବନେଶ୍ୱର: ୨ଠ୨୧-୨ଠ୨୨ରୁ ୨ଠ୨୫-୨୬ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିଶନର ଅନୁମୋଦନ କ୍ରମେ ସମାଜରେ ମହିଳାମାନଙ୍କ ନିରାପତ୍ତା ଏବଂ ସଶକ୍ତିକରଣ ଦିଗରେ ‘ମିଶନ ଶକ୍ତି’ ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଛନ୍ତି। ‘ସମ୍ବଳ’ ଓ ‘ସାମର୍ଥ୍ୟ’ ନାମରେ ଏହି ଯୋଜନାରେ ଦୁଇଟି ଉପଯୋଜନା ରହିଛି। ‘ସମ୍ବଳ’ର ଏକ କାର୍ଯ୍ୟକ୍ରମ ଭାବରେ ‘ୱାନ ଷ୍ଟପ ସେଣ୍ଟର’ କାର୍ଯ୍ୟ କରୁଛି। ‘ସାମର୍ଥ୍ୟ’ ଅଧିନରେ ‘ସ୍ୱଧାର ଗୃହ’ କାର୍ଯ୍ୟ କରୁଛି। ଏସବୁ ‘ମିଶନ ଶକ୍ତି’ ଅନ୍ତର୍ଗତ କାର୍ଯ୍ୟକ୍ରମ। ପଞ୍ଚଦଶ ଅର୍ଥ କମିଶନ ଅବଧିରେ ମିଶନ ଶକ୍ତି ଅଧିନରେ ଥିବା ‘ସମ୍ବଳ’ କାର୍ଯ୍ୟକ୍ରମ ପାଇଁ ୨୯୪୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପୂର୍ବରୁ ଚତୁର୍ଦ୍ଦଶ ଅର୍ଥ କମିଶନରେ ଏହି ପରିମାଣ ୧୦୦୨ କୋଟି ଟଙ୍କା ଥିଲା।

ସେହିପରି ମିଶନ ଶକ୍ତି ଅଧିନରେ ଥିବା ‘ସାମର୍ଥ୍ୟ’ ଉପଯୋଜନା ନିମିତ୍ତ କେନ୍ଦ୍ରୀୟ ବଜେଟ ଅନୁଦାନ ୧୨,୩୧୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଚତୁର୍ଦ୍ଦଶ ଅର୍ଥ କମିଶନ ଅବଧିରେ ଏହି ପରିମାଣ ୬୬୩୪ କୋଟି ଟଙ୍କା ଥିଲା- ବିଭିନ୍ନ ରାଜ୍ୟ ମଧ୍ୟରୁ ଓଡ଼ିଶାରେ ୨୦୨୧-୨୨ ଅବଧି ମଧ୍ୟରେ ୱାନ ଷ୍ଟପ ସେଣ୍ଟରଗୁଡ଼ିକରେ ୫୩୬୬ ଜଣ ମହିଳା ଉପକୃତ ହୋଇଛନ୍ତି। ୨୦୧୫ରୁ ୨୦୨୧ ଆର୍ଥିକ ବର୍ଷ ମଧ୍ୟରେ ଏହି ସଂଖ୍ୟା ୯୩୩୭ ଥିଲା। ଠିକ୍ ସେହିପରି ସ୍ୱଧାର ଗୃହ ଯୋଜନାରେ ୨ଠ୨ଠ-୨୧ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୬୬୭ ମହିଳା ଉପକୃତ ହୋଇଛନ୍ତି। ୨ଠ୧୮-୧୯ ଏବଂ ୨ଠ୧୯-୨ଠ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୨୩୪ଠ ଲେଖାଏଁ ଥିଲା।

ଏହି ଯୋଜନାରେ ଜିଲ୍ଲା ଏବଂ ରାଜ୍ୟସ୍ତରରେ ମହିଳା ସଶକ୍ତିକରଣ ହବ୍ ପ୍ରତିଷ୍ଠା ତଥା ମହିଳାମାନଙ୍କ ଉନ୍ନତି ନିମିତ୍ତ ଖର୍ଚ୍ଚ କରାଯିବ। ଏଥିରେ ମହିଳାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି, ଧନ୍ଦାମୂଳକ ତାଲିମ, ଆର୍ଥିକ ଅନ୍ତର୍ଭୁକ୍ତି ତାଲିମ, ବିଭିନ୍ନ ସଂସା ସହ ସମ୍ପର୍କ ସ୍ଥାପନ, ମହିଳା କର୍ମଚାରୀଙ୍କ ନିରାପତ୍ତା ଏବଂ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି, ଡିଜିଟାଲ ସାକ୍ଷରତା ଆଦି ଦିଗରେ ମଧ୍ୟ ଅର୍ଥ ବ୍ୟୟ ହେବ।

ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ଉପଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ହିତାଧିକାରୀ, ଯୋଜନା କାର୍ଯ୍ୟକାରୀ କରୁଥିବା କର୍ତ୍ତୃପକ୍ଷ, ନାଗରିକ ସମାଜ ଓ ସମ୍ପୃକ୍ତ ଅନୁଷ୍ଠାନମାନଙ୍କୁ ନେଇ ଗତ ଅପ୍ରେଲ ମାସରେ ଭୁବନେଶ୍ୱର ସମେତ ଚଣ୍ଡୀଗଡ଼, ବେଙ୍ଗାଲୁରୁ, ଗୁଆହାଟୀ ଏବଂ ମୁମ୍ବାଇ ଠାରେ ସମ୍ମିଳନୀ, ଆଲୋଚନାଚକ୍ର ଆଦି ଆୟୋଜିତ ହୋଇଯାଇଛି। (ପିଆଇବି)

Categories
ବିଶେଷ ଖବର ବ୍ୟବସାୟ

ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟମାନଙ୍କୁ ମିଳିଛି ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ

ନୂଆଦିଲ୍ଲୀ: ବିଗତ ପାଞ୍ଚ ବର୍ଷ ମଧ୍ୟରେ ବସ୍ତୁ ଓ ସେବା କର (ଜିଏସଟି) କାର୍ଯ୍ୟକାରୀ କରିବା କାରଣରୁ ରାଜ୍ୟମାନଙ୍କର ହୋଇଥିବା ରାଜସ୍ବ ହାନି ବାବଦରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ଯୋଗାଇ ଦେଇଛନ୍ତି। ସମ୍ବିଧାନର ୧୦୧ତମ ସଂଶୋଧନର ଧାରା ୧୮ ଅନୁଯାୟୀ, ଜିଏସଟି ପରିଷଦର ସୁପାରିସ କ୍ରମେ ଏହି ସହାୟତା ଯୋଗାଇ ଦେଇଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷ ଠାରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷର ଅବଧି ମଧ୍ୟରେ କେନ୍ଦ୍ର ସରକାର ଏହି କ୍ଷତିପୂରଣ ଯୋଗାଇ ଦେଇଛନ୍ତି। ଅନ୍ୟପଟେ ପାଞ୍ଚ ବର୍ଷ ମଧ୍ୟରେ ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ୧୬ହଜାର ୧୬୫ କୋଟି ଟଙ୍କା ମିଳିଛି।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କ୍ଷତିପୂରଣ ଦେବା ଏବଂ ଜିଏସଟି ଅଧୀନରେ ସମ୍ବଳର ବୃଦ୍ଧି ସମ୍ପର୍କରେ ଲକ୍ଷ୍ନୌରେ ଅନୁଷ୍ଠିତ ୪୫ତମ ଜିଏସଟି ବୈଠକରେ ଆଲୋଚନା କରାଯାଇଥିଲା। ପରିଷଦର ନିଷ୍ପତ୍ତି ପରେ ଦୁଇଟି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ଜିଏସଟି ପ୍ରଣାଳୀରେ ସଂସ୍କାର ଉପରେ ମନ୍ତ୍ରୀ ଗୋଷ୍ଠୀ ଏବଂ ଦରକୁ ଯୁକ୍ତିସଙ୍ଗତ କରିବା ଲାଗି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ଦର ଯୁକ୍ତିସଙ୍ଗତ କରିବା ପରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ଏହାର ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲା। କେତେକ ଶୁଳ୍କରେ ସଂଶୋଧନ ଏବଂ ଛାଡ଼ ପାଇଁ ସୁପାରିସ କରାଯାଇଥିଲା ଯାହାକି ଚଣ୍ଡିଗଡ଼ରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା।

ମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ନିରନ୍ତର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବା କାରଣରୁ ନିକଟରେ ମାସିକ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ହାରାହାରୀ ମାସିକ ସକଳ ଜିଏସଟି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି। ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହା ୧.୧୦ ଲକ୍ଷ କୋଟି ଟଙ୍କା ରହିଥିଲା। ଚଳିତ ଆର୍ଥିକ ବର୍ଷରେ ଏଥିରେ ୩୭% ବୃଦ୍ଧି ପରିଲକ୍ଷିତ ହୋଇଥିବା ମନ୍ତ୍ରୀ କହିଥିଲେ। ମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷର ଅବଧି ଠାରୁ ଅଧିକ ସମୟ ପାଇଁ ଜିଏସଟି କ୍ଷତିପୂରଣ ଦେବା ଲାଗି କେତେକ ରାଜ୍ୟ ଅନୁରୋଧ କରିଥିଲେ।

ମନ୍ତ୍ରୀ ଆହୁରି କହିଥିଲେ ଯେ ଜିଏସଟି (ରାଜ୍ୟମାନଙ୍କୁ କ୍ଷତିପୂରଣ) ଆଇନ, ୨୦୧୭ର ଧାରା ୭ ଅନୁଯାୟୀ, ୧.୭.୨୦୧୭ରେ ଜିଏସଟି ଲାଗୁ ହେବା ପରେ ହୋଇଥିବା ରାଜସ୍ବ ହାନି ବାବଦରେ ୫ ବର୍ଷ ପାଇଁ ରାଜ୍ୟମାନଙ୍କୁ କ୍ଷତିପୂରଣ ଦିଆଯିବାର ନିୟମ ରହିଛି । ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ସମୟରେ, ୨୦୧୫-୧୬ ମୂଳ ବର୍ଷ ତୁଳନାରେ ବାର୍ଷିକ ୧୪% ଅଭିବୃଦ୍ଧି ହାରରେ ରାଜ୍ୟମାନଙ୍କର ରାଜସ୍ବକୁ ସୁରକ୍ଷା ଦିଆଯାଇଛି। ତଦନୁଯାୟୀ, ସୁରକ୍ଷିତ ରାଜସ୍ବ ବାବଦରେ ଦେଖାଦେଇଥିବା ନିଅଣ୍ଟ ଭରଣା କରିବା  ଲାଗି ରାଜ୍ୟମାନଙ୍କୁ କ୍ଷତିପୂରଣ ଦିଆଯାଇଛି।

Categories
ବିଶେଷ ଖବର

ଅଗ୍ନିପଥ ଯୋଜନା ବିବାଦ: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି, ସରକାରଙ୍କ ପକ୍ଷ ରଖିବାକୁ କେନ୍ଦ୍ରର ନିବେଦନ

ନୂଆଦିଲ୍ଲୀ: ଆଜି ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ବିଭିନ୍ନ ପିଟିସନରେ ଏହି ଯୋଜନାକୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୀକ୍ଷା କରିବାଠାରୁ ଆରମ୍ଭ କରି ଏହାକୁ ବାତିଲ କରିବା ପର୍ଯ୍ୟନ୍ତ ଏହି ଯୋଜନାକୁ ବନ୍ଦ କରିବାକୁ ଦାବି କରାଯାଇଛି। ଯେଉଁମାନେ ସଶସ୍ତ୍ର ବାହିନୀରେ ଚାକିରି ପାଇବା ପ୍ରକ୍ରିୟାରେ ଅଛନ୍ତି ସେମାନଙ୍କ ପାଇଁ ଏହି ଯୋଜନା ପ୍ରୟୋଗ କରାଯିବା ଉଚିତ ନୁହେଁ ବୋଲି ଆବେଦନକାରୀ କହିଛନ୍ତି। ସେମାନେ ୪ ବର୍ଷ ପରିବର୍ତ୍ତେ ପୁରୁଣା କାର୍ଯ୍ୟକାଳ ଅନୁଯାୟୀ ଚାକିରି ପାଇବା ଉଚିତ୍।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ମଧ୍ୟ ଏକ ସଚେତନତା ଦାଖଲ କରିଛନ୍ତି ଏବଂ ଏହାର ଶୁଣାଣି ନକରି ଏକପାଖିଆ ଆଦେଶ ନଦେବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ତିନିଟି ଆବେଦନକାରୀଙ୍କ ମଧ୍ୟରେ ହର୍ଷ ଅଜୟ ସିଂ, ମନୋହର ଲାଲ ଶର୍ମା ଏବଂ ରବିନ୍ଦ୍ର ସିଂ ଶେଖୱାତ ଅଛନ୍ତି।

ଆବେଦନରେ କ’ଣ ରହିଛି ଦାବି?:

ଏହା ଭୁଲ ଏବଂ ଦେଶର ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟକାରୀ ହୋଇଥିବା କହି ମନୋହର ଲାଲ ଶର୍ମା ଏହି ଯୋଜନା ବାତିଲ କରିବାକୁ ଦାବି କରିଛନ୍ତି। ଏଥି ସହ ହର୍ଷ ଅଜୟ ସିଂ ଦାବି କରିଛନ୍ତି ଯେ, ସରକାରର ସେହି ଯୋଜନାକୁ ପୁନଃ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଅଦାଲତ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାକୁ ସ୍ଥଗିତ ରଖନ୍ତୁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବଫର ଷ୍ଟକ ପାଇଁ ୨୦୨୨-୨୩ରେ ଚାଷୀଙ୍କ ଠାରୁ ସର୍ବାଧିକ ୨. ୫୦ ଲକ୍ଷ ଟନ୍ ପିଆଜ ସଂଗ୍ରହ

ନୂଆଦିଲ୍ଲୀ: ଅତୀତର ସବୁ ରେକର୍ଡ ଭଙ୍ଗ କରି କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷରେ ଚାଷୀଙ୍କଠାରୁ ୨.୫୦ଲକ୍ଷ ଟନ୍ ପିଆଜ ସଂଗ୍ରହ କରିଛନ୍ତି। ଭବିଷ୍ୟତରେ ତିରୋଟ ସମୟର ଆବଶ୍ୟକତା ପୂରଣ କରିବାକୁ ଏହି ପିଆଜକୁ ମହଜୁଦ (ବଫର ଷ୍ଟକ) ରଖାଯାଇଛି। ୨୦୨୧-୨୨ରେ କେନ୍ଦ୍ର ସରକାର ୨ଲକ୍ଷ ଟନ୍ ପିଆଜ ମହଜୁଦ ରଖିଥିଲେ। ଚଳିତବର୍ଷ ଏହାକୁ ଆଉ ୦.୫୦ଲକ୍ଷ ଟନ୍ ବଢାଇ ଦିଆଯାଇଛି। ଚଳିତ ରବି ଋତୁରେ ଅମଳ ହୋଇଥିବା ପିଆଜକୁ ସଂଗ୍ରହ କରି ସରକାର ଏହାର ମୂଲ୍ୟ ସ୍ଥିର ରଖିବାକୁ ଏହି ମହଜୁଦ ବ୍ୟବସ୍ଥା କରିଛନ୍ତି। ଜାତୀୟ ଭାରତୀୟ କୃଷି ସମବାୟ ବିପଣନ ସହଯୋଗ ମହାସଂଘ ବା ନାଫେଡ ସହାୟତାରେ କୃଷକ ଉତ୍ପାଦନ ସଂଗଠନ(ଏଫ୍‌ପିଓ) ମାଧ୍ୟମରେ ଏହି ପିଆଜ ସବୁ ସରକାର ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶ ଭଳି ପିଆଜ ଉତ୍ପାଦନକାରୀ ରାଜ୍ୟର ଚାଷୀଙ୍କଠାରୁ କିଣିଛନ୍ତି।

ଆସନ୍ତା ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ପିଆଜ ଉତ୍ପାଦନ ପ୍ରାୟତଃ କମ୍ ରହିବ। ଏହି ନିଅଣ୍ଟିଆ ସମୟରେ ମହଜୁଦ ରହିଥିବା ଏହି ପିଆଜକୁ ବିଭିନ୍ନ ରାଜ୍ୟ ଓ ସରକାରୀ ସଂସ୍ଥାଙ୍କୁ ଆବଶ୍ୟକତା ଅନୁସାରେ କେନ୍ଦ୍ର ଯୋଗାଇବା ସହିତ ଖୋଲା ବଜାରରେ ବିକ୍ରି ପାଇଁ ଯୋଗାଇ ଦିଆଯିବ। ତିରୋଟ ବା ନିଅଣ୍ଟିଆ ସମୟରେ ପିଆଜର ମୂଲ୍ୟ ଯେପରି ଅସ୍ୱାଭାବିକ ଭାବେ ଅତି ଅଧିକ ନ ରହେ ସେଥି ପାଇଁ ସରକାର ଦେଶର ବିଭିନ୍ନ ବଡ ବଡ ମଣ୍ଡି ଏବଂ ଅନ୍ୟାନ୍ୟ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସୁଲଭ ମୂଲ୍ୟରେ  ପିଆଜ ଖୋଲା ବଜାରକୁ ଛାଡିବେ।

ଏହି ମହଜୁଦ(ବଫର ଷ୍ଟକ) ଦ୍ୱାରା ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ସାଧିତ ହେବ। ପ୍ରଥମତଃ ଚାଷୀଙ୍କଠାରୁ ଲାଭଦାୟକ ମୂଲ୍ୟରେ ସରକାର ପିଆଜ ସଂଗ୍ରହ କରିବା ଦ୍ୱାରା ସେମାନେ ଉପକୃତ ହେବେ। ଦ୍ୱିତୀୟତଃ ସମଗ୍ର ଦେଶର ଖାଉଟିଙ୍କୁ ମଧ୍ୟ ସୁଲଭ ମୂଲ୍ୟରେ ପିଆଜ ମିଳିବ। ପିଆଜ ଏକ ପଚାସଢା ସାମଗ୍ରୀ ଏବଂ ଏହା ଅଧିକ ଦିନ ରହେ ନାହିଁ। ଏହା ଶୁଖିଯିବା ଫଳରେ ଓଜନ କମିଯାଏ, ଗଜା ହୋଇଯାଏ ଓ ପ୍ରାୟତଃ ପଚିସଢି ଯାଇଥାଏ।

ରବିଋତୁରେ ପିଆଜ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଅମଳ ହୋଇଥାଏ। ଏହି ସମୟରେ ଭାରତର ମୋଟ ପିଆଜ ଚାହିଦାର ୬୫% ଉତ୍ପାଦିତ ହୋଇଥାଏ ଏବଂ ଏହା ଖରିଫ ପିଆଜ ଅମଳ ହେବା ପର୍ଯ୍ୟନ୍ତ ଅକ୍ଟୋବର – ନଭେମ୍ବର ଯାଏ ବଜାର ଆବଶ୍ୟକତା ପୂରଣ କରେ। ଅତଏବ ନିୟମିତ ପିଆଜ ଯୋଗାଣ ପାଇଁ ଏହାର ଉପଯୁକ୍ତ ସଂରକ୍ଷଣ ଓ ଭଣ୍ଡାରଣ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ପିଆଜ ଅମଳ ପରବର୍ତ୍ତୀ କ୍ଷତିକୁ ଯଥାସମ୍ଭବ ହ୍ରାସ କରିବାକୁ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ଟେକ୍‌ନୋଲୋଜି ବିକଶିତ କରିବାକୁ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କୁ ପ୍ରସ୍ତାବ ଦେବା ସହିତ ଏ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛି। ଏଥିରେ ପିଆଜର ପ୍ରାଥମିକ ପ୍ରକ୍ରିୟାକରଣ, ଭଣ୍ଡାରଣ ଓ ମୂଲ୍ୟ ବର୍ଦ୍ଧନକୁ ଗୁୁରୁତ୍ୱ ଦିଆଯାଇଛି। ଅମଳ ପରବର୍ତ୍ତୀ କ୍ଷତିକୁ କମାଇବା ପାଇଁ କି ପ୍ରକାର ସମ୍ଭାବ୍ୟ ଉପାୟ ଓ ଟେକ୍‌ନୋଲୋଜି ବାହାର କରାଯାଇପାରିବ ସେଥିପାଇଁ ଖାଉଟି କଲ୍ୟାଣ ବିଭାଗ ୟୁଜି/ପିଜି/ସ୍ତରର ବିଦ୍ୟାର୍ଥୀ, ଗବେଷକ ଓ ଷ୍ଟାର୍ଟଅପଗୁଡିକ ସହ କଥାବାର୍ତ୍ତା କରୁଛି। ଏବେ ଯେଉଁ ଭଣ୍ଡାରଣ ଢାଞ୍ଚା ରହିଛି ତାହାର ବିକାଶ, ପ୍ରାକ୍ ଅମଳ ସ୍ତରର ଯତ୍ନ ଓ ନଷ୍ଟ ହେଉଥିବା ପିଆଜ ବର୍ଜ୍ୟବସ୍ତୁର ଉପଯୋଗ କରିବା ଉପରେ ଗବେଷଣା କରି ଉପାୟ ବାହାର କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ସରକାର ଏଥିପାଇଁ  ଯେଉଁ ପ୍ରସ୍ତାବ ଦେଇଛନ୍ତି  ତାହା ତିନିସ୍ତରୀୟ। ପ୍ରଥମେ ଏଥିପାଇଁ ଆଗ୍ରହୀ ପକ୍ଷ ସରକାରଙ୍କୁ ପ୍ରସ୍ତାବ ଦେବେ ଓ ତାହାକୁ ପରୀକ୍ଷା କରି ଦେଖାଯିବ। ଏହା ପରେ ପ୍ରସ୍ତାବର ରୂପାୟନ ଓ ଟେକ୍‌ନୋଲୋଜି ବିକାଶ ଜନିତ ପ୍ରସ୍ତାବକୁ ସରକାର ବିଚାର କରି ଦେଖିବେ। ଏହା ଯଦି ଗ୍ରହଣୀୟ ହୁଏ, ତାହେଲେ ତାହାର ନିର୍ମାଣ କରି ପରୀକ୍ଷାମୂଳକ ପ୍ରୟୋଗ ପାଇଁ ସମ୍ପୃକ୍ତ ପକ୍ଷଙ୍କୁ ଅନୁମତି ପ୍ରଦାନ କରାଯିବ। ଏହି ପ୍ରକ୍ରିୟାରେ ନିର୍ବାଚିତ ଅଂଶଗ୍ରହଣକାରୀଙ୍କୁ ପ୍ରତ୍ୟେକ ସ୍ତରରେ ଆକର୍ଷଣୀୟ ପୁରସ୍କାର ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଏହି ଯୋଜନା /କାର୍ଯ୍ୟକ୍ରମ ସମ୍ପର୍କରେ ଦେଶର ସବୁ କୃଷି ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ଟେକ୍‌ନୋଲୋଜି ବିକାଶ କ୍ଷେତ୍ରରେ ଅଧିକରୁ ଅଧିକ ପକ୍ଷ ଯେପରି ସମ୍ପୃକ୍ତ ହୁଅନ୍ତି ସେଥିପାଇଁ ସରକାର ଉତ୍ସାହିତ କରୁଛନ୍ତି। ଆଗ୍ରହୀ ପକ୍ଷ ଏଥିପାଇଁ … ମାଧ୍ୟମରେ ନିଜର ପଞ୍ଜୀକରଣ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଯଥେଷ୍ଟ ସାର ଉପଲବ୍ଧ କରିବା ଲାଗି କେନ୍ଦ୍ର ସରକାର ସଂକଳ୍ପବଦ୍ଧ: କେନ୍ଦ୍ର ମନ୍ତ୍ରୀ ଡକ୍ଟର ମାଣ୍ଡଭ୍ୟ

ବେଙ୍ଗାଲୁରୁ: କରୋନା କାରଣରୁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀ ଚଳିତ ବର୍ଷ ବେଙ୍ଗାଲୁରୁ ଠାରେ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, କେନ୍ଦ୍ର ସାର ଓ ରସାୟନ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଦୁଇ ଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଦେଶର କୃଷି ଏବଂ କୃଷକଙ୍କ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଏହି ସମ୍ମିଳନୀକୁ ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଏହି ସମ୍ମିଳନୀ ଆୟୋଜନ କରାଯାଉଥିବା ବେଳେ କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ଓ ବିଚାରବିମର୍ଶ କରାଯିବ।

ଏହି ସମ୍ମିଳନୀରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ ଏବଂ ଶୋଭା କରନ୍ଦଲାଜେ, କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଭଗୱନ୍ତ ଖୁବା, କର୍ଣ୍ଣାକଟକ କୃଷି ମନ୍ତ୍ରୀ ବି.ସି. ପାଟିଲଙ୍କ ସମେତ ରାଜ୍ୟର କୃଷି ଓ ଉଦ୍ୟାନ କୃଷି ମନ୍ତ୍ରୀମାନେ ଯୋଗ ଦେଇଛନ୍ତି। କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ସାର ସଚିବ ଆରତୀ ଆହୁଜାଙ୍କ ସମେତ ଡାଏରୀ ସଚିବ ତଥା ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ତ୍ରିଲୋଚନ ମହାପାତ୍ର, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି।

ଶ୍ରୀ ତୋମର କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ମିଶି କୃଷି କ୍ଷେତ୍ରର ଉନ୍ନତି ପାଇଁ ଯଥାସମ୍ଭବ କାର୍ଯ୍ୟ କରିଛନ୍ତି। କୃଷି କ୍ଷେତ୍ରରେ ରହିଥିବା ସମସ୍ୟା ଦୂର କରିବା ଲାଗି ଚେଷ୍ଟା କରାଯାଉଛି। ଏଥିପାଇଁ ନୀତି ନିର୍ଦ୍ଧାରଣ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଭାରତ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଥିବା କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ। ଗାଁର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁରୂପ କ୍ଷେତରେ ଯାହା ହେଉଛି ତା’କୁ ପରୀକ୍ଷାଗାର ପର୍ଯ୍ୟନ୍ତ ନେଇଯିବା – ଲେବ ଟୁ ଲେଣ୍ଡକୁ କାର୍ଯ୍ୟକାରୀ ନିମନ୍ତେ କୃଷି ମନ୍ତ୍ରୀ ଆହ୍ବାନ କରିଥିଲେ। ସେ କହିଥିଲେ ଯେ, ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାର ସବସିଡି ଆକାରରେ ବାର୍ଷିକ ପାଖାପାଖି ଅଢ଼େଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଭାରତ ସାର ଆମଦାନୀ ଉପରେ ନିର୍ଭରଶୀଳ ଥିବାରୁ ବିଦେଶରେ ଦରବୃଦ୍ଧିର ପ୍ରଭାବ ଯେପରି ଭାରତୀୟ ଚାଷୀଙ୍କ ଉପରେ ପଡ଼ିବ ନାହିଁ ତାହା କେନ୍ଦ୍ର ସରକାର ସୁନିଶ୍ଚିତ କରୁଛନ୍ତି।

ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ମେକ୍‌ ଇନ୍‌ ଇଣ୍ଡିଆ ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ନାନୋ ଫର୍ଟିଲାଇଜର ଉପରେ ଜୋର ଦେଇ ଏଥିରେ ରାଜ୍ୟମାନଙ୍କର ଭୂମିକା ରହିଥିବା ସେ କହିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ ବିଚାର ବିମର୍ଶ କରାଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ସୂଚନା ଦେଇଥିଲେ। ଡିଜିଟାଲ କୃଷି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଜାତୀୟ କୃଷି ବଜାର (ଇ-ନାମ), କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ସାଚୁରେସନ ଲକ୍ଷ୍ୟ ହାସଲ, ଅନ୍ତର୍ଜାତୀୟ ପୋଷକ-ସଶ୍ୟ ବର୍ଷ (୨୦୨୩), ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି, ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ, ନ୍ୟୁ ଏଜ୍‌ ଫର୍ଟିଲାଇଜର, ଆଇସିଏଆର ଦ୍ବାରା ବିକଶିତ ନୂଆ ପ୍ରଯୁକ୍ତି ଆଦି ବିଷୟରେ ସମ୍ମିଳନୀରେ ଆଲୋଚନା କରାଯିବ।

ସମ୍ମିଳନୀରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମାଣ୍ଡଭ୍ୟ କହିଥିଲେ ଯେ, ବର୍ତ୍ତମାନର ବିଶ୍ବ ପରିସ୍ଥିତିରେ ଭାରତକୁ ବହୁ ପରିମାଣରେ ସାର ଏବଂ ରସାୟନ ଆମଦାନୀ କରିବାକୁ ପଡ଼ୁଛି। କଞ୍ଚା ମାଲ ମଧ୍ୟ ବେଶ ମହଙ୍ଗା ରହିଛି, ଏହା ସତ୍ତ୍ବେ କେନ୍ଦ୍ର ସରକାର ଅତ୍ୟଧିକ ସବସିଡି ଦେଉଛନ୍ତି। ଡିଏପି ଉପରେ ସବସିଡିକୁ ୨୦୨୦-୨୧ରେ ୫୧୨ ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୨୦୨୨-୨୩ ଖରିଫ ଋତୁ ପାଇଁ ୨୫୦୧ ଟଙ୍କା କରି ଦିଆଯାଇଛି। ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ଡିଏପି ଦାମ୍‌ ସବୁଠୁ କମ୍‌ ରହିଛି। ଡକ୍ଟର ମାଣ୍ଡଭ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କୃଷକଙ୍କ ଉପରେ ଦରବୃଦ୍ଧିର ବୋଝ ହ୍ରାସ କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ଚାଷୀମାନଙ୍କୁ ଯଥେଷ୍ଟ ସାର ଉପଲବ୍ଧ କରିବା ଲାଗି କେନ୍ଦ୍ର ସରକାର ସଂକଳ୍ପବଦ୍ଧ କାର୍ଯ୍ୟ କରୁଛନ୍ତି। ଏବେ ଦେଶରେ ଏକ ଅଭିଯାନ ରୂପରେ ନାନୋ ଫର୍ଟିଲାଇଜର ଉପଯୋଗ ବଢ଼ାଇବାର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତରେ ସେ ରାଜ୍ୟମାନଙ୍କ ଠାରୁ ସହଯୋଗ ଲୋଡ଼ିଥିଲେ। ଚାଷୀଙ୍କ ସାର ଯେପରି ଉଦ୍ୟୋଗ ନିକଟକୁ ଚାଲି ନଯିବା ତା’ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସେ କହିଥିଲେ ଯେ ସାରା ଦେଶରେ ମଡେଲ ଆଉଟଲେଟ୍‌ ଶୀଘ୍ର ଖୋଲାଯିବ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବୋମ୍ମଇ କହିଥିଲେ ଯେ, କୃଷି ଆମ ସଂସ୍କୃତି ଏବଂ ଆମ ଅର୍ଥବ୍ୟବସ୍ଥାର ପ୍ରମୁଖ ଆଧାର। ଭାରତୀୟ କୃଷି କ୍ଷେତ୍ର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ବରେ ଗତ ୮ ବର୍ଷ ମଧ୍ୟରେ ଭାରତୀୟ କୃଷି କ୍ଷେତ୍ର ମହତ୍ବପୂର୍ଣ୍ଣ ପ୍ରଗତି ହାସଲ କରିଛି।

Categories
ଆଜିର ଖବର ଜାତୀୟ ଖବର

ବିଦ୍ରୋହୀ ବିଧାୟକମାନଙ୍କୁ ସୁରକ୍ଷା ଦେଲେ କେନ୍ଦ୍ର ସରକାର, ନିୟୋଜିତ ହେଲେ ସିଆରପିଏଫ ଯବାନ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶିବ ସୈନିକ ନିରନ୍ତର ବିରୋଧ କରୁଛନ୍ତି। ଏହି କାରଣରୁ ବିଦ୍ରୋହୀମାନେ ମହାରାଷ୍ଟ୍ର ସରକାରଙ୍କ ଠାରୁ ନିଜ ତଥା ପରିବାରର ସୁରକ୍ଷା ଦାବି କରିଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କୁହାଯାଇଛି ଯେ, ସିନ୍ଦେ ଦଳର ୧୬ ଜଣ ବିଧାୟକଙ୍କ ଘରେ କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେବେ।

ସିନ୍ଦେ ଦଳର ଆବେଦନ ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଜୁନ୍ ୨୫ ତାରିଖ ଶନିବାର ଦିନ ଏକନାଥ ସିନ୍ଦେ ଦଳ କେନ୍ଦ୍ର ଗୃହ ସଚିବ ଏବଂ ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଥିଲେ, ଯାହା ପରେ ବର୍ତ୍ତମାନ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଉଛି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ବିଧାୟକଙ୍କ ଘରେ CRPF କର୍ମଚାରୀ ନିୟୋଜିତ ହେବେ।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିବୀରଙ୍କ ନିଯୁକ୍ତି ସମ୍ପର୍କରେ ସ୍ଥଳସେନା ଜାରି କଲା ବିଜ୍ଞପ୍ତି, ଜୁଲାଇରୁ ଆରମ୍ଭ ହେବ ପଞ୍ଜୀକରଣ

ନୂଆଦିଲ୍ଲୀ: ଗୋଟିଏ ପଟେ ସେନାବାହିନୀରେ ନୂତନ ନିଯୁକ୍ତି ନେଇ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ବିରୋଧରେ ଦେଶର ଅନେକ ସ୍ଥାନରେ କ୍ରମାଗତ ବିରୋଧ ପ୍ରଦର୍ଶନ କରୁଥିବାବେଳେ ଅନ୍ୟ ପଟେ ନୂତନ ନିଯୁକ୍ତି ସମ୍ପର୍କରେ ସ୍ଥଳସେନା ଆଜି ବିଜ୍ଞପ୍ତି ଜାରି କରାଯାଇଛି। ଏଥିପାଇଁ ପଞ୍ଜୀକରଣ ଜୁଲାଇରୁ ଆରମ୍ଭ ହେବ। ସ୍ଥଳସେନାରେ ପାଞ୍ଚଟି ବିଭିନ୍ନ ବର୍ଗର ଅଗ୍ନିବୀର ବାହିନୀ ରହିବେ। ଏହି ବର୍ଗ ହେଉଛି …..

୧- ଜେନେରାଲ୍ ଡ୍ୟୁଟି, ୨- ଟେକ୍ନିକାଲ, ୩-କ୍ଲର୍କ, ୪- ଟ୍ରେଡ୍ସମ୍ୟାନର ଦୁଇଟି ଶ୍ରେଣୀ ରହିବ, ଗୋଟିଏ ଯାନ୍ତ୍ରିକ ଏବଂ ଗୋଟିଏ ସାଧାରଣ।

ଅନ୍ୟପକ୍ଷରେ ଅଗ୍ନିପଥ ଯୋଜନା ସମ୍ବନ୍ଧରେ ଭାରତ ବନ୍ଦର ବ୍ୟାପକ ପ୍ରଭାବ ଦୃଶ୍ୟମାନ ହେଉଛି। ନୂଆଦିଲ୍ଲୀ ନିକଟସ୍ଥ ଶିବାଜୀ ବ୍ରିଜରେ ଏକ ଟ୍ରେନ୍ ଅଟକି ରହିଛି। ତେବେ ପୋଲିସ ଅନେକ ଲୋକଙ୍କୁ ଗିରଫ କରି ଟ୍ରେନର ଟ୍ରାକ ସଫା କରିଛି। ଅଗ୍ନିପଥ ଯୋଜନା ବିରୋଧରେ ୧୮୧ ମେଲ ଏକ୍ସପ୍ରେସକୁ ବାତିଲ କରାଯାଇଛି। ଏହା ସହିତ ୩୪୮ ଯାତ୍ରୀବାହୀ ଟ୍ରେନ୍ ମଧ୍ୟ ବାତିଲ କରାଯାଇଛି। ରେଳ ମନ୍ତ୍ରଣାଳୟ କହିଛି ଯେ, ଏହା ବ୍ୟତୀତ ୪ ଟି ମେଲ ଏକ୍ସପ୍ରେସ ଏବଂ ୬ ଟି ପାସେଞ୍ଜର ଟ୍ରେନକୁ ଅସ୍ଥାୟୀ ଭାବରେ ବାତିଲ କରାଯାଇଛି। କୌଣସି ଟ୍ରେନ୍ ବଦଳାଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଶସ୍ତା ହେଲା ଖାଇବା ତେଲ ଦର, ଜାଣନ୍ତୁ ରିଫାଇନଡ୍ ଏବଂ ସୋରିଷ ତେଲର ମୂଲ୍ୟ କେତେ?

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଆଶ୍ବସ୍ତିକର ଖବର ଅଛି। ଖାଇବା ତେଲର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଛି। ତେଲ ଦର ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ସରକାରଙ୍କ ନିଷ୍ପତ୍ତି ପରେ ଶନିବାର ଏଫଏମସିଜି ଫାର୍ମ ଆଦାନୀ ୱିଲମାର ଏହାର ଖାଇବା ତେଲର ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛି।

ଅଡାନି ୱିଲମାର ଫର୍ଚ୍ୟୁନ୍ ରିଫାଇନଡ୍ ସୂର୍ଯ୍ୟମୁଖୀ ତେଲର ଏକ ଲିଟର ପ୍ୟାକ୍ ର ସର୍ବାଧିକ ଖୁଚୁରା ମୂଲ୍ୟ ୨୨୦ ରୁ ୨୧୦ ଟଙ୍କାକୁ ହ୍ରାସ କରିଛି ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି।

ସେହିଭଳି ଫର୍ଚ୍ୟୁନ୍ ସୋୟାବିନ୍ ଏବଂ ଫର୍ଚୁନ୍ ସୋରିଷ ତେଲର ଏକ ଲିଟର ପ୍ୟାକ୍ ୨୦୫ ରୁ ୧୯୫ ଟଙ୍କାକୁ ହ୍ରାସ କରାଯାଇଛି।

ଏହା ସହିତ କମ୍ପାନୀ କହିଛି ଯେ, ନୂତନ ମୂଲ୍ୟ ସହିତ ପ୍ୟାକେଟଗୁଡିକ ଶୀଘ୍ର ବଜାରରେ ପହଞ୍ଚିବ, ଯାହା ପରେ ଗ୍ରାହକମାନେ ଶସ୍ତା ଖାଇବା ତେଲ ପାଇପାରିବେ।

ତେଲ ମୂଲ୍ୟରେ ଏହି ହ୍ରାସ କେନ୍ଦ୍ର ସରକାରଙ୍କ ଦ୍ୱାରା ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ ହେତୁ ହୋଇଛି ବୋଲି କମ୍ପାନୀ କହିଛି। ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅଙ୍ଗସୁ ମଲିକ କହିଛନ୍ତି ଯେ, ଆମେ ଗ୍ରାହକଙ୍କୁ ସ୍ୱଳ୍ପ ମୂଲ୍ୟର ଲାଭ ପ୍ରଦାନ କରୁଛୁ। ଆମର ବିଶ୍ୱାସ ରହିଛି ଯେ କମ୍ ମୂଲ୍ୟ ମଧ୍ୟ ଚାହିଦା ବଢାଇବ।

Categories
ଆଜିର ଖବର ଜାତୀୟ ଖବର

ବିହାରର ଉପମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ପଥର ମାଡ, ଭାଙ୍ଗିଲା ଘରର କାଚ

ପାଟନା: କେନ୍ଦ୍ର ସରକାରଙ୍କ ଅଗ୍ନୀପଥ ଯୋଜନାକୁ ନେଇ ସାରା ଦେଶରେ ଯୁବକମାନେ ବିରୋଧ କରୁଛନ୍ତି। ଆଜି ଅନେକ ସ୍ଥାନରେ ଦୁର୍ବୃତ୍ତମାନେ ଟ୍ରେନରେ ନିଆଁ ଲଗାଇଦେଇଥିବା ସୂଚନା ମିଳିଛି। ଏହି ଯୋଜନା ବିରୋଧରେ ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। କିନ୍ତୁ ବିହାରର ବେତିୟାରୁ ମଧ୍ୟ ଏକ ହିଂସା ଖବର ଶୁଣିବାକୁ ମିଳିଛି।

ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେମାନେ ସୁପ୍ରିୟା ରୋଡରେ ଯାନବାହାନ ଭଙ୍ଗାରୁଜା କରିଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ରେନୁ ଦେବୀଙ୍କ ବାସଭବନରେ ପଥର ଫିଙ୍ଗିଛନ୍ତି। ତାଙ୍କ ଘରର କାଚ ଭାଙ୍ଗି ଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ବର୍ତ୍ତମାନ ଭିଡ଼କୁ ହଟାଇ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିପଥ ଯୋଜନା: ନିଯୁକ୍ତି ପ୍ରକ୍ରିୟାରେ ସଂଶୋଧନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ ନିଯୁକ୍ତି ବୟସ ସୀମାକୁ ୨୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୨୨ ବର୍ଷ ପାଇଁ ବୟସସୀମା ସମ୍ପ୍ରସାରଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ଅଗ୍ନିପଥ ଯୋଜନା ଅଧୀନରେ ସେନାବାହିନୀରେ ଯୁବକମାନଙ୍କ ନିଯୁକ୍ତି ନିମନ୍ତେ ନୂଆ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୧୭ ବର୍ଷ ୬ ମାସରୁ ୨୧ ବର୍ଷ ମଧ୍ୟରେ ନିର୍ଦ୍ଧାରଣ କରାଯାଇଥିଲା।

ତେବେ ବିଗତ ଦୁଇ ବର୍ଷ ହେବ ସେନାବାହିନୀରେ ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ସମ୍ଭବପର ହୋଇପାରି ନଥିବାରୁ ସରକାର ଗୋଟିଏ ବର୍ଷ ପାଇଁ ବୟସସୀମା କୋହଳ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ, ଅଗ୍ନିପଥ ଯୋଜନାରେ ୨୦୨୨ ବର୍ଷ ପାଇଁ ପ୍ରସ୍ତାବିତ ଅଗ୍ନିବୀରଙ୍କ ନିଯୁକ୍ତି ନିମନ୍ତେ ବୟସସୀମା ୨୩ ବର୍ଷକୁ ବୃଦ୍ଧି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ରେସନ କାର୍ଡରେ ମିଳୁଛି ଅନେକ ସୁବିଧା, ମାଗଣା ରାସନ ବ୍ୟତୀତ କେନ୍ଦ୍ର ସରକାର ଦେଉଛନ୍ତି ଏହି ସବୁ ସୁବିଧା

ନୂଆଦିଲ୍ଲୀ: ରାସନ କାର୍ଡଧାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ସ୍ୱତନ୍ତ୍ର ସୁବିଧା ଦିଆଯାଏ। ଯଦି ଆପଣଙ୍କର ଏପର୍ଯ୍ୟନ୍ତ ଏକ ରେସନ କାର୍ଡ ନାହିଁ, ତେବେ ଆପଣ ରେସନ କାର୍ଡ ଶୀଘ୍ର ପ୍ରସ୍ତୁତ କରନ୍ତୁ।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଆପଣ ଘରେ ବସି ରାସନ କାର୍ଡ ପାଇଁ ଆବେଦନ କରିପାରିବେ। ଆସନ୍ତୁ ଏହି କାର୍ଡ ମାଧ୍ୟମରେ ଆପଣ ପାଉଥିବା ବିଶେଷ ସୁବିଧାଗୁଡ଼ିକ ବିଷୟରେ ଜାଣିବା…

କେନ୍ଦ୍ର ବ୍ୟତୀତ ରାଜ୍ୟ ସରକାର ମଧ୍ୟ ସମୟ ସମୟରେ ଗରିବ ଲୋକଙ୍କୁ ରାସନ କାର୍ଡର ଅନେକ ବିଶେଷ ସୁବିଧା ଯୋଗାଇଥାନ୍ତି।

ଏହି ସମସ୍ତ ସୁବିଧା ବ୍ୟତୀତ, ଆପଣ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିବା, DL ତିଆରି କରିବା, LPG ସଂଯୋଗ ନେବା ପାଇଁ ରେସନ କାର୍ଡ ବ୍ୟବହାର କରିପାରିବେ।

Categories
ଆଜିର ଖବର

ଜୁନ ୧ ରୁ ଚିନି ରପ୍ତାନିକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଘରୋଇ ଉପଲବ୍ଧତାକୁ ବଜାୟ ରଖିବା ଏବଂ ମୂଲ୍ୟ ସ୍ଥିରତା ରକ୍ଷା ନିମନ୍ତେ ୨୦୨୧-୨୨ (ଅକ୍ଟୋବର – ସେପ୍ଟେମ୍ବର) ଅବଧିରେ ସରକାର ୧୦୦ ଏଲଏମଟି ପର୍ଯ୍ୟନ୍ତ ଚିନି ବିଦେଶକୁ ରପ୍ତାନି କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ସଂପର୍କରେ ଡିଜିଏଫଟି ପକ୍ଷରୁ ଜାରି ଆଦେଶନାମା ଅନୁସାରେ ଏହି ନିଷ୍ପତ୍ତି ଜୁନ ୧, ୨୦୨୨ ତାରିଖ ଠାରୁ ଅକ୍ଟୋବର ୩୧, ୨୦୨୨ ତାରିଖ କିମ୍ବା ତତ୍‌ ପରବର୍ତ୍ତୀ ଆଦେଶ ଯେଉଁଟି ପୂର୍ବରୁ ହେଉଥିବ, ସେପର୍ଯ୍ୟନ୍ତ ବଳବତ୍ତର ରହିବ। ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଅଧୀନସ୍ଥ ଚିନି ନିର୍ଦ୍ଦେଶାଳୟଙ୍କ ଠାରୁ ନିର୍ଦ୍ଦିଷ୍ଟ ଅନୁମତି ସହ ଚିନି ରପ୍ତାନି ପାଇଁ ଅନୁମତି ମିଳିପାରିବ। ବିଦେଶକୁ ରେକର୍ଡ଼ ପରିମାଣର ଚିନି ରପ୍ତାନି ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୨୦୧୭- ୧୮, ୨୦୧୮- ୧୯, ଏବଂ ୨୦୧୯- ୨୦ ଚିନି ଉତ୍ପାଦନ ବର୍ଷରେ ଯଥାକ୍ରମେ ପ୍ରାୟ ୬.୨ ଏଲଏମଟି, ୩୮ ଏଲଏମଟି, ଏବଂ ୫୯.୬୦ ଏଲଏମଟି ଚିନି ବିଦେଶକୁ ରପ୍ତାନି କରାଯାଇଥିଲା। ୨୦୨୦- ୨୧ ଚିନି ଉତ୍ପାଦନ ବର୍ଷରେ ୬୦ଏଲଏମଟି ଚିନି ରପ୍ତାନି କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ପ୍ରାୟ ୭୦ ଏଲଏମଟି ଚିନି ରପ୍ତାନି କରାଯାଇସାରିଛି। ଚଳିତ ୨୦୨୧- ୨୨ ଚିନି ଉତ୍ପାଦନ ବର୍ଷରେ ୯୦ ଏଲଏମଟି ଚିନି ରପ୍ତାନି କରାଯିବା ନିମନ୍ତେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇସାରିଛି ଏବଂ ସେଥି ମଧ୍ୟରୁ ଏପର୍ଯ୍ୟନ୍ତ ପ୍ରାୟ ୮୨ ଏଲଏମଟି ଚିନିକଳମାନଙ୍କରୁ ପଠାଯାଇସାରିଛି ଏବଂ ସେଥିରୁ ୭୮ ଏଲଏମଟି ଚିନି ବିଦେଶକୁ ପଠାଯାଇସାରିଛି। ଚଳିତ ୨୦୨୧- ୨୨ର ଚିନି ଉତ୍ପାଦନ ଋତୁରେ ଚିନି ରପ୍ତାନି ଐତିହାସିକ ଭାବେ ସର୍ବାଧିକ ସ୍ତର ଛୁଇଁଛି।

ସରକାର ଏବେ ଗ୍ରହଣ କରିଥିବା ନିଷ୍ପତ୍ତି ଚଳିତ ଚିନି ଋତୁ (ସେପ୍ଟେମ୍ବର ୩୦,୨୦୨୨) ଶେଷ ସୁଦ୍ଧା ଷ୍ଟକ୍‌ କ୍ଲୋଜିଂକୁ ସୁନିଶ୍ଚିତ କରିବ ଯାହାକି ୬୦- ୬୫ ଏଲଏମଟି ଏବଂ ତାହା ହେଉଛି ୨- ୩ ମାସର ଷ୍ଟକ୍‌ (ଏହି ମାସମାନଙ୍କରେ ମାସିକ ଆବଶ୍ୟକତା ୨୪ ଏଲଏମଟି ପାଖାପାଖି ହୋଇଥାଏ) ଘରୋଇ ଅବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ। କର୍ଣ୍ଣାଟକରେ ନୂତନ ଚିନି ଋତୁରେ ଆଖୁପେଡ଼ା କାମ  ଅକ୍ଟୋବର ବାସ ଶେଷ ସପ୍ତାହରେ ଆରମ୍ଭ ହୋଇଥାଏ ଏବଂ ମହାରାଷ୍ଟ୍ରରେ ତାହା ଅକ୍ଟୋବର ଶେଷ ସପ୍ତାହ ଠାରୁ ନଭେମ୍ବର ମଧ୍ୟରେ ହୋଇଥିବାବେଳେ ଉତ୍ତର ପ୍ରଦେଶରେ ତାହା ନଭେମ୍ବର ମାସରେ କରାଯାଇଥାଏ। ତେଣୁ ସାଧାରଣତଃ, ନଭେମ୍ବର ମାସ ପର୍ଯ୍ୟନ୍ତ ଗତବର୍ଷର ଷ୍ଟକ୍‌ରୁ ହିଁ ଚିନି ଯୋଗାଣ କରାଯାଇଥାଏ।

ବିଦେଶକୁ ଚିନିର ଏଭଳି ମାତ୍ରାତିରିକ୍ତ ରପ୍ତାନି ବୃଦ୍ଧିକୁ ବିଚାର କରି ଏବଂ ଦେଶର ଘରୋଇ ଚିନି ଚାହିଦା ପୂରଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଚିନି ଷ୍ଟକ୍‌ ରଖିବା ସକାଶେ ତଥା ଦେଶର ସାଧାରଣ ଲୋକଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ସରକାର ଚିନି ମୂଲ୍ୟକୁ ନିୟନ୍ତ୍ରିତ ରଖିଛନ୍ତି। ଭାରତ ସରକାର ଏହି ମର୍ମରେ ଜୁନ ୦୧, ୨୦୨୨ ତାରିଖ ଠାରୁ ବିଦେଶକୁ ଚିନି ରପ୍ତାନି ଉପରେ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରିବାକୁ ସ୍ଥିର କରିଛନ୍ତି। ବିଦେଶକୁ ଚିନି ରପ୍ତାନି କରିବା ସକାଶେ ଏହି ଅବଧି ମଧ୍ୟରେ ଚିିନିକଳମାନଙ୍କୁ ଏବଂ ରପ୍ତାନୀକାରୀମାନଙ୍କୁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଅଧୀନସ୍ଥ ଚିନି ନିର୍ଦ୍ଦେଶାଳୟ ଠାରୁ ରପ୍ତାନି ରିଲିଜ୍‌ ଅର୍ଡର (ଓଆରଓ) ପାପ୍ତ ହେବାକୁ ପଡ଼ିବ।

ସରକାର ଚିନି କ୍ଷେତ୍ରର ସ୍ଥିତି ଯେଉଁଥିରେ ଚିନି ଉତ୍ପାଦନ, ବ୍ୟବହାର, ରପ୍ତାନି ତଥା ମୂଲ୍ୟ ଧାରା ଏବଂ ପାଇକାରୀ ତଥା ଘରୋଇ ବଜାରକୁ ନିୟମିତ ଭାବେ ମନିଟର କରିଆସୁଛନ୍ତି। ଚଳିତ ବର୍ଷ ଭାରତ ବିଶ୍ୱର ସର୍ବବୃହତ୍‌ ଚିନି ଉତ୍ପାଦନକାରୀ ତଥା ଦ୍ୱିତୀୟ ବୃହତ୍ତମ ରପ୍ତାନୀକାରୀ ରାଷ୍ଟ୍ରର ମାନ୍ୟତା ହାସଲ କରିଛି। ଭାରତ ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ ଫଳରେ, ରେକର୍ଡ଼ ପରିମାଣର ଚିନି ଉତ୍ପାଦନ ସତ୍ତ୍ୱେ,  ଗତ ୨୦୨୦- ୨୧ ଚିନି ବର୍ଷରେ ୯୯.୫% ଆଖୁ ମୂଲ୍ୟ ଚାଷୀମାନଙ୍କୁ ଦିଆସରିଛି ଏବଂ ଚଳିତ ଚିନି ଋତୁ , ୨୦୨୧-୨୨ରେ ଏବେସୁଦ୍ଧା ୮୫% ଆଖୁ ମୂଲ୍ୟ ଚାଷୀମାନଙ୍କୁ ମଂଜୁର କରାଯାଇସାରିଛି। ଭାରତ ସରକାର ଘରୋଇ ବଜାରରେ ଚିନି ମୂଲ୍ୟକୁ ସ୍ଥିର ରଖିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଏବଂ ଗତ ୧୨ ମାସ ମଧ୍ୟରେ ଚିନି ମୂଲ୍ୟ ନିୟନ୍ତ୍ରଣାଧୀନ ରହିଛି। ଭାରତରେ ଚିନିର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୫୦ ଟଙ୍କାରୁ ୩୫୦୦ ଟଙ୍କା ମଧ୍ୟରେ ରହିଛି ଯଦ୍ୟପି ଖାଉଟି ମୂଲ୍ୟ ନିୟନ୍ତ୍ରଣାଧୀନ ରହିବା ସହିତ ତାହା ଦେଶର ବିଭିନ୍ନ ଭାଗରେ କିଲୋପିଛା ୩୬-୪୪ ଟଙ୍କା ମଧ୍ୟରେ ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କଞ୍ଚା ଝୋଟ ଉପରେ ଥିବା ମୂଲ୍ୟ କଟକଣା ଉଠାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଝୋଟଜାତ ସାମଗ୍ରୀ ଉତ୍ପାଦନକାରୀ ଉଦ୍ୟୋଗର ମୋଟ କାରବାରର ରପ୍ତାନୀ ଭାଗ ୩୦% କଞ୍ଚା ଝୋଟର ବଜାର ଚାହିଦା ଓ ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାର ଏହା ଉପରେ ଥିବା ମୂଲ୍ୟ କଟକଣାକୁ ଚଳିତମାସ ୨୦ତାରିଖରୁ ଉଠାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଅତଏବ ଏହି ବ୍ୟବସ୍ଥା ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ।

କଞ୍ଚା ଝୋଟ ବ୍ୟବହାରକାରୀ ବିଭିନ୍ନ ମିଲ୍ ଓ ସଂସ୍ଥାଙ୍କ ପାଇଁ ସରକାରର ୨୦୨୧ ସେପ୍ଟେମ୍ବର ୩୦ତାରିଖରୁ ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। ଏଥିରେ ଟିଡିଏସ୍ ୫ଗ୍ରେଡର କଞ୍ଚା ଝୋଟର କୁଇଣ୍ଟାଲ ପିଛା ମୂଲ୍ୟ ୬୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା।
ଝୋଟ କମିଶନର ଦପ୍ତର ପକ୍ଷରୁ ଦେଶରେ ଝୋଟର ମୂଲ୍ୟ ସମ୍ପର୍କରେ ଉଭୟ ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ବ୍ୟବସ୍ଥାରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି ତଥ୍ୟରୁ ଜଣାପଡିଲା ଯେ ବର୍ତ୍ତମାନ ଯେଉଁ ମୂଲ୍ୟରେ ଝୋଟ ବିକ୍ରି ହେଉଛି ତାହା ସରକାରୀ ଧାର୍ଯ୍ୟ କରିଥିବା ମୂଲ୍ୟର ପ୍ରାୟ ପାଖାପାଖି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଝୋଟର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ଉଠାଇ ନେଇଛନ୍ତି।

ଆଶା କରାଯାଉଛି ଯେ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଚାଷୀ, ମିଲ୍ ଓ ଝୋଟ ଏମ୍ଏସ୍ଏମ୍ଇ ଉଦ୍ୟୋଗ ଉପକୃତ ହେବେ। ଝୋଟ ଉଦ୍ୟୋଗରେ ସାତଲକ୍ଷରୁ ଅଧିକ ଲୋକ କାମ କରୁଥିବାବେଳେ ପ୍ରାୟ ୪୦ଲକ୍ଷ ଚାଷୀ ଝୋଟ ଚାଷ କରୁଛନ୍ତି। ଝୋଟର ମୂଲ୍ୟ ହ୍ରାସ ଫଳରେ ଝୋଟରୁ ପ୍ରସ୍ତୁତ ସାମଗ୍ରୀ ରପ୍ତାନୀ ବାଣିଜ୍ୟ ବଢିବ ବୋଲି ଆଶା କରାଯାଉଛି। ଝୋଟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିବା ଉଦ୍ୟୋଗର ମୋଟ କାରବାରର ପ୍ରାୟ ୩୦ ଶତାଂଶ ରପ୍ତାନୀ କରାଯାଇଥାଏ।

Categories
ବିଶେଷ ଖବର

ପାରା ମିଲିଟାରୀ ଫୋର୍ସର ୧୦୭ଟି କ୍ୟାଂଟିନ୍‌ରେ ଖଦି ଉତ୍ପାଦ ବିକ୍ରିର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ଦିଲ୍ଲୀ: କେନ୍ଦ୍ର ସରକାରଙ୍କର “ସ୍ୱଦେଶୀ” ଅଭିଯାନକୁ ଅଖିଳ ଭାରତୀୟ ସ୍ତରରେ ବ୍ୟାପକ କରିବା ନିମନ୍ତେ ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକରେ ହସ୍ତ ନିର୍ମିତ ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରାଯାଇଛି। ଗୃହ ବ୍ୟାପାର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ସୋମବାର ଦିନ ୧୦୭ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ (ସିଏପିଏଫ୍‌) କ୍ୟାଂଟିନ୍ ଗୁଡିକରେ ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରିଛନ୍ତି ଏବଂ ଏହି ଅବସରରେ ସେ କହିଛନ୍ତି ଯେ, ଦେଶରେ ସମସ୍ତ ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକ ବହୁତ ଶୀଘ୍ର ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରିବେ।

“ଗାନ୍ଧୀଜୀଙ୍କ ନିମନ୍ତେ ଖଦି ସ୍ୱଦେଶୀର ପ୍ରତୀକ ଥିଲା ଏବଂ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରିବା ନିମନ୍ତେ ଏକ ସାଧନ ମଧ୍ୟ ଅଟେ। ଖଦି ନିଜେ ହିଁ ଶୁଦ୍ଧତାର ଗ୍ୟାରେଂଟି ଦେଇଥାଏ। ମୁଁ ବହୁତ ଖୁସି ଯେ, ୧୦୭ ପାରା ମିଲିଟାରୀ କ୍ୟାଂଟିନ୍‌ରେ ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ ହୋଇ ଯାଇଛି ଏବଂ ବହୁତ ଶୀଘ୍ର ଖଦି ଉତ୍ପାଦ ଗୁଡିକୁ ସାରା ଦେଶରେ ସମସ୍ତ ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକରେ ଉପଲବ୍ଧ କରାଯିବ” ବୋଲି ଆସାମର ତାମୁଲପୁରରେ ବିଏସ୍‌ଏଫ୍‌ର କେନ୍ଦ୍ରୀୟ କାର୍ଯ୍ୟଶାଳା ଏବଂ ଷ୍ଟୋର୍‌ର ଭିତି ପ୍ରସ୍ତର ସ୍ଥାପନ କରିବା ଅବସରରେ ଗୃହ ମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା, କେଭିଆଇସିର ଅଧ୍ୟକ୍ଷ ବିନୟ କୁମାର ସାକ୍‌ସେନା, ଗୃହ ସଚିବ ଅଜୟ କୁମାର ଭଲ୍ଲା ଏବଂ ବିଏସ୍‌ଏଫ୍ ଏବଂ ସିଆରପିଏଫ୍‌‌ର ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀ ଶାହ ଦେଶରେ ସ୍ଥାୟୀ ଗ୍ରାମୀଣ ରୋଜଗାର ସୃଷ୍ଟି କରିବା ନିମନ୍ତେ କେଭିଆଇସିର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ କେଭିଆଇସିର ପ୍ରମୁଖ ଯୋଜନା ଗୁଡିକ, ଯେମିତିକି ମହୁ ମିଶନ, କୁମ୍ଭାର ସଶକ୍ତିକରଣ ଯୋଜନା, ଚମଡା ଏବଂ ବଢ଼େଇ ସଶକ୍ତିକରଣ ଯୋଜନା ଗୁଡିକର ଆସାମର ବୋଡୋଲ୍ୟାଣ୍ଡରେ ସ୍ଥାୟୀ ରୋଜଗାର ସୃଷ୍ଟି କରିବାର କ୍ଷମତା ରହିଛି। ସେ କହିଥିଲେ ଯେ, “ଯଦି କେଭିଆଇସି ଲୋକ ମାନଙ୍କୁ ନିଜର ସ୍ୱରୋଜଗାର କାର୍ଯ୍ୟକଳାପ ସହିତ ଜୋଡିବା ଆରମ୍ଭ କରି ଦିଏ, ଏହା ନିଶ୍ଚିତ ରୂପରେ ବୋଡୋଲ୍ୟାଣ୍ଡରେ ବେରୋଜଗାରୀ ସମସ୍ୟାକୁ ଶେଷ କରି ଦେବ ଏବଂ ଅସ୍ତଶସ୍ତ୍ର ତ୍ୟାଗ କରି ଦେଇଥିବା ବୋଡୋ ଯୁବକ ମାନଙ୍କୁ ରାଷ୍ଟ୍ରର ବିକାଶ ସହିତ ପୁଣି ଥରେ ଯୋଡି ଦେବ।” ଗୃହ ମନ୍ତ୍ରୀ ଏହି କଥା ଉପରେ ଗୁରୁତ୍ୱ ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, କେଭିଆଇସି ୨୦୨୧- ୨୨ରେ ୧.୧୫ ଲକ୍ଷ କୋଟି ଟଙ୍କା ପରିମାଣର ଐତିହାସିକ ବ୍ୟବସାୟ କରିଛି, ଯେଉଁଥିରେ ପ୍ରାୟ ୨୫୦ ପ୍ରତିଶତର ଅତ୍ୟଧିକ ଅଭିବୃଦ୍ଧି ହୋଇଛି।

ଏହା ପୂର୍ବରୁ, ସ୍ୱଦେଶୀ  ଧାରାକୁ ଆଗକୁ ବଢ଼େଇବା ନିମନ୍ତେ, ଗୃହ ମନ୍ତ୍ରୀ ସମସ୍ତ ସିଏପିଏଫ୍ କ୍ୟାଂଟିନ୍ ଗୁଡିକ ପାଇଁ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ(କେଭିଆଇସି) ମାଧ୍ୟମରେ ଅଧିକରୁ ଅଧିକ “ସ୍ୱଦେଶୀ” ଉତ୍ପାଦ ବିକ୍ରି କରିବା ବାଧ୍ୟତାମୂଳକ କରି ଦେଇଥିଲେ। ଆରମ୍ଭରେ ଜାତୀୟ ପତାକା, ସୂତା ତିଆରି ତଉଳିଆ, ମହୁ, କଚିଘନି ସୋରିଷ ତେଲ, ଧୂପକାଠି, ଦଲିଆ, ପାପଡ, ଆଚାର, ଅଁଳା ଉତ୍ପାଦ ଇତ୍ୟାଦି ସହିତ ୩୨ ପ୍ରକାରର ଉତ୍ପାଦର ଯୋଗାଣ ଦିଲ୍ଲୀ ଏନ୍‌ସିଆର୍‌, ପଞ୍ଜାବ, ହରିୟାନା, ଗୁଜରାଟ, ଉତର ପ୍ରଦେଶ, ଆସାମ ଏବଂ ଅନ୍ୟ ରାଜ୍ୟ ଗୁଡିକରେ ରହିଥିବା କ୍ୟାଂଟିନ୍ ଗୁଡିକରେ ଉପଲବ୍ଧ କରାଯିବ।

ସୋରିଷ ତେଲ, କପାରେ ତିଆରି ଦରି, ଉଲ୍‌ରେ ପ୍ରସ୍ତୁତ କମ୍ବଳର ଯୋଗାଣ ନିମନ୍ତେ ପାରାମିଲିଟାରୀ ବଳ ସହିତ କେଭିଆଇସିର ଐତିହାସିକ ବୁଝାମଣା ପରେ ଏହାର ବିକାଶ ହୋଇଥିଲା। ଏବେ ପର୍ଯ୍ୟନ୍ତ କେଭିଆଇସି ବିଭିନ୍ନ ପାରା ମିଲିଟାରୀ ବଳକୁ ପ୍ରାୟ ୧୭ କୋଟି ଟଙ୍କାର ଉତ୍ପାଦ ସଫଳତାର ସହିତ ଯୋଗାଣ କରିଛି। ଯୋଗାଣରେ ୫.୫୦ କୋଟି ଟଙ୍କାର ୩ ଲକ୍ଷ କିଲୋଗ୍ରାମ୍ (୩୦୦୦ ମେଟ୍ରିକ୍ ଟନ୍‌) କଚି ଘନି ସୋରିଷ ତେଲ, ୧୧ କୋଟି ଟଙ୍କା ମୂଲ୍ୟର ୨.୧୦ ଲକ୍ଷ କପାର ଦରି, ୪୦ ଲକ୍ଷ ଟଙ୍କା ମୂଲ୍ୟର ଉଲ୍ ତିଆରି କମ୍ବଳ ସାମିଲ୍ ଅଟେ।

ବିଶେଷ ରୂପରେ, ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକ ଖଦି ଉତ୍ପାଦକୁ ବିକ୍ରି କରିବା ନିମନ୍ତେ ଏକ ବଡ ପ୍ଲାଟଫର୍ମ (ମଂଚ) ପ୍ରଦାନ କରିବେ ଏବଂ ଏହାର ସିଧାସଳଖ ପ୍ରଭାବ କେଭିଆଇସିର ଉତ୍ପାଦନ ଏବଂ ବିକ୍ରି ଉପରେ ପଡିବ। ପାରା ମିଲିଟାରୀ ବଳକୁ ଖଦି ଉତ୍ପାଦ ଗୁଡିକର ଏକ ବିସ୍ତୃତ ଶୃଙ୍ଖଳାର ଯୋଗାଣ କରିବା ନିମନ୍ତେ ବ୍ୟବସ୍ଥା ଉପରେ କାର୍ଯ୍ୟ କରାଯାଉଛି, ଯେଉଁଥିରେ ଖଦି କପଡା ଏବଂ ରେଡିମେଡ୍ ପୋଷାକ, ସୌନ୍ଦର୍ଯ୍ୟ ପ୍ରସାଧନ ଏବଂ ଖାଇବା ଯୋଗ୍ୟ ଏବଂ ହର୍ବାଲ୍ ଉତ୍ପାଦ ସାମିଲ୍ ହେବ।

Categories
ବିଶେଷ ଖବର ବ୍ୟବସାୟ

ସୁନା ଅଳଙ୍କାର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲ୍‌ମାର୍କିଂ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ନିମନ୍ତେ ସୁନା ଅଳଙ୍କାର ଓ ସୁନା କଳାକୃତି (ସଂଶୋଧନ) ଆଦେଶ, ୨୦୨୨ ଜୁନ ପହିଲା, ୨୦୨୨ ଠାରୁ ଲାଗୁ ହେବ।

ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂରେ ୨୦, ୨୩ ଏବଂ ୨୪ କ୍ୟାରେଟ୍‌ ସୁନା ଅଳଙ୍କାର/କଳାକୃତିକୁ ସାମିଲ କରାଯିବ। ଭାରତୀୟ ମାନକ (ଆଇଏସ) ୧୪୧୭ ଏବଂ ପ୍ରଥମ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ଆଦେଶକୁ କାର୍ଯ୍ୟକାରୀ କରାଯିବା ପରେ ବାଧ୍ୟତାମୂଳକ ହଲମାର୍କିଂ ବ୍ୟବସ୍ଥା ଅଧୀନରେ ଏଏଚସି ପ୍ରତିଷ୍ଠା ହୋଇଥିବା ୩୨ଟି ନୂଆ ଜିଲ୍ଲାରେ ଯେପରି ଉଲ୍ଲେଖ କରାଯାଇଛି ସେହିପରି ଭାବେ ଦ୍ୱିତୀୟ ପର୍ଯ୍ୟାୟ ହଲମାର୍କିଂକୁ କାର୍ଯ୍ୟକାରୀ କରାଯିବ।

ବିଆଇଏସର ୱେବସାଇଟ୍‌ www.bis.gov.in  ଜିଲ୍ଲାଗୁଡ଼ିକର ତାଲିକା ଦିଆଯାଇଛି।

ଏପ୍ରିଲ ୪, ୨୦୨୨ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

୨୩ ଜୁନ୍‌ ୨୦୨୧ ଠାରୁ ଦେଶର ୨୫୬ଟି ଜିଲ୍ଲାରେ ଭାରତୀୟ ମାନକ ବ୍ୟୁରୋ ଦ୍ବାରା ବାଧ୍ୟତାମୂଳକ ବିଆଇଏସ ହଲମାର୍କିଂକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି। ଏଥିରେ ଦୈନିକ ଏଚୟୁଆଇଡିରେ ୩ ଲକ୍ଷରୁ ଅଧିକ ସୁନା ଉପକରଣକୁ ହଲମାର୍କ କରାଯାଉଛି।

ସାଧାରଣ ଗ୍ରାହକ ଯେକୌଣସି ବିଆଇଏସ ମାନ୍ୟତା ପ୍ରାପ୍ତ ଏସେଇଂ ଏଣ୍ଡ ହଲମାର୍କିଂ ସେଣ୍ଟର (ଏଏଚସି)ରେ ସେମାନଙ୍କର ହଲମାର୍କ ହୋଇନଥିବା ସୁନା ଅଳଙ୍କାରର ଶୁଦ୍ଧତା ପରୀକ୍ଷା କରିପାରିବେ। ଏଥିପାଇଁ ଗ୍ରାହକଙ୍କୁ ଅନୁମତି ଦେବା ଲାଗି ବିଆଇଏସ ଏକ ବ୍ୟବସ୍ଥା କରିଛି।

ଏଏଚସି ସାଧାରଣ ଗ୍ରାହକଙ୍କ ସୁନା ଅଳଙ୍କାରକୁ ପ୍ରାଥମିକତା ଭିତ୍ତିରେ ପରୀକ୍ଷା କରିବ ଏବଂ ସେମାନଙ୍କୁ ଏକ ଟେଷ୍ଟ ରିପୋର୍ଟ ଦେବ। ଏହି ଟେଷ୍ଟ ରିପୋର୍ଟ ଗ୍ରାହକଙ୍କୁ ସେମାନଙ୍କ ଅଳଙ୍କାରର ଶୁଦ୍ଧତା ସମ୍ପର୍କରେ ସୁନିଶ୍ଚିତ କରିବ। ଫଳରେ ଗ୍ରାହକମାନେ ସେମାନଙ୍କ ପାଖରେ ପଡ଼ିରହିଥିବା ସୁନା ଅଳଙ୍କାରକୁ ବିକ୍ରି କରିବାକୁ ଚାହିଁଲେ ଏହି ସୁଦ୍ଧତା ପରୀକ୍ଷା ରିପୋର୍ଟ ସେମାନଙ୍କ ପାଇଁ ବେଶ ଉପଯୋଗୀ ହେବ।

୪ଟି ପର୍ଯ୍ୟନ୍ତ ସୁନା ଅଳଙ୍କାର ପାଇଁ ୨୦୦ ଟଙ୍କା ଶୁଳ୍କ ନିଆଯିବ। ୫ କିମ୍ବା ତା’ଠାରୁ ଅଧିକ ସଂଖ୍ୟକ ସୁନା ଅଳଙ୍କାର ଓ ସାମଗ୍ରୀ ପାଇଁ ଗୋଟିଏକୁ ୪୫ ଟଙ୍କା ଲେଖାଏଁ ନିଆଯିବ।

ବିଆଇଏସର ୱେବସାଇଟ୍‌ www.bis.gov.in.ହୋମ ପେଜରେ ଗ୍ରାହକଙ୍କ ସୁନା ଅଳଙ୍କାର ପରୀକ୍ଷା ପାଇଁ ବିସ୍ତୃତ ମାର୍ଗଦର୍ଶିକା ଏବଂ ବିଆଇଏସ ମାନ୍ୟତାପ୍ରାପ୍ତ ଏଏଚସିଗୁଡ଼ିକର ତାଲିକା ଦିଆଯାଇଛି।

ଗ୍ରାହକଙ୍କ ଦ୍ବାରା କ୍ରୟ କରାଯାଇଥିବା ଏଚୟୁଆଇଡି ନମ୍ବର ବିଶିଷ୍ଟ ହଲମାର୍କ ସୁନା ଅଳଙ୍କାରର ପ୍ରାମାଣିକତା ଓ ଶୁଦ୍ଧତାକୁ ବିଆଇଏସ କେୟାର ଆପ୍‌ରେ ଥିବା ‘ଭେରିଫାଏ ଏଚୟୁଆଇଡି’କୁ ବ୍ୟବହାର କରି ମଧ୍ୟ ପରୀକ୍ଷା କରାଯାଇ ପାରିବ। ଏହି ଆପ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି।

Categories
ବିଶେଷ ଖବର

ପୁଣି ୧୬ ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କଲେ କେନ୍ଦ୍ର ସରକାର: ପାକିସ୍ତାନରୁ ହେଉଥିଲା ସଞ୍ଚାଳିତ

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୬ ଟି ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲକୁ ବ୍ଲକ୍ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ସମ୍ବନ୍ଧୀୟ ମିଥ୍ୟା ଘଟଣାକୁ ପ୍ରଚାର ପ୍ରସାର କରୁଥିବା ଯୋଗୁଁ ଏହି ସବୁ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ୧୬ ଟି ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟରୁ ୧୦ ଟି ଭାରତୀୟ ଏବଂ ୬ ଟି ପାକିସ୍ଥାନରୁ କାର୍ଯ୍ୟ କରୁଥିଲା। ଆଇଟି ନିୟମ ୨୦୨୧ ଅନୁଯାୟୀ ଜରୁରୀକାଳୀନ କ୍ଷମତା ପ୍ରୟୋଗ କରି ଭାରତ ସରକାର ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକୁ ଅବରୋଧ କରିଛନ୍ତି। ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ଜାତୀୟ ବିରୋଧୀ ଦୃଷ୍ଟିକୋଣ, ସାମ୍ପ୍ରଦାୟିକ ଘୃଣା ଏବଂ ଭାରତରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ। ଏହି ଚ୍ୟାନେଲଗୁଡିକରେ ୬୮ କୋଟିରୁ ଅଧିକ ସବସ୍କ୍ରାଇବର ଥିଲେ।

ଏହା ପୂର୍ବରୁ ଏପ୍ରିଲ୍ ୫ ତାରିଖରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୨୨ ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପ୍ରଥମ ଥର ଥିଲା ଯେ, ଆଇଟି ନିୟମ ୨୦୨୧ ଅଧୀନରେ ପ୍ରଥମ ଥର ପାଇଁ ୧୮ ଟି ଭାରତୀୟ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ୍ କୁ ବ୍ୟାନ କରାଯାଇଥିଲା। ଏହି ସମୟରେ ପାକିସ୍ତାନର ୪ ଟି ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲକୁ ମଧ୍ୟ ବନ୍ଦ କରାଯାଇଥିଲା। ଦର୍ଶକଙ୍କୁ ବିଭ୍ରାନ୍ତ କରିବା ପାଇଁ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ଟିଭି ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ଲୋଗୋ ଏବଂ ନକଲି ଥମ୍ବନେଲ ବ୍ୟବହାର କରିଥିଲେ। ଏହା ବ୍ୟତୀତ ୩ ଟି ଟ୍ୱିଟର ଆକାଉଣ୍ଟ, ୧ ଫେସବୁକ୍ ଆକାଉଣ୍ଟ ଏବଂ ଏକ ନ୍ୟୁଜ୍ ୱେବସାଇଟ୍ ମଧ୍ୟ ବ୍ଲକ୍ କରାଯାଇଥିଲା।

ଭାରତ ସରକାର କହିଥିଲେ ଯେ, ଏପ୍ରିଲ୍ ୫ ତାରିଖରେ, ଅବରୋଧିତ ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ମୋଟ ଦର୍ଶକଙ୍କ ସଂଖ୍ୟା ୨୬୦ କୋଟିରୁ ଅଧିକ ଥିଲେ। ଜାତୀୟ ନିରାପତ୍ତା, ଭାରତର ବୈଦେଶିକ ସମ୍ପର୍କ ତଥା ଜନ ଶୃଙ୍ଖଳା ଦୃଷ୍ଟିରୁ ସମ୍ବେଦନଶୀଳ ବିଷୟ ଉପରେ ସୋସିଆଲ ମିଡିଆରେ ମିଥ୍ୟା ଖବର ଏବଂ ସୁଚିନ୍ତିତ ପ୍ରଚାର ପ୍ରସାର ପାଇଁ ସେଗୁଡିକୁ ଅପବ୍ୟବହାର କରାଯାଉଥିଲା।