ଖାଇବା ତେଲର ନିଟ୍ ପରିମାଣ ଓ ତାହାର ଓଜନ ଘୋଷଣା କରିବାକୁ ତେଲ ଉତ୍ପାଦକମାନଙ୍କୁ ନିର୍ଦ୍ଦେଶ

Published: Aug 25, 2022, 7:41 pm IST

ନୂଆଦିଲ୍ଲୀ: ତାପମାତ୍ରା ବିନା ଖାଇବା ତେଲର ନିଟ୍ ପରିମାଣ ଓ ତାହାର ଓଜନ ଘୋଷଣା କରିବାକୁ କେନ୍ଦ୍ର ସରକାର ଖାଇବା ତେଲ ଉତ୍ପାଦକ, ପ୍ୟାକର ଓ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ଘୋଷଣାନାମା ପ୍ରକାଶ ପାଇବାର ଛ’ମାସ ମଧ୍ୟରେ, ଅର୍ଥାତ୍ ଆସନ୍ତା ୨୦୨୩ ଜାନୁୟାରୀ ୧୫ତାରିଖ ସୁଦ୍ଧା ନିଜର ଲେବଲ ସଂଶୋଧନ କରି ପ୍ରତି ପ୍ୟାକେଟ, ଟିଣ ବା ବୋତଲରେ ରହୁଥିବା ଖାଇବା ତେଲର ଉଭୟ ପରିମାଣ (ତାପମାତ୍ରା ବିନା) ଓ ଓଜନ ଦର୍ଶାଇବାକୁ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ସମ୍ପୃକ୍ତ ପକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି।

୨୦୧୧ର ମାପ ଓ ଓଜନ ଆଇନ (ପ୍ୟାକେଟ କରା ସାମଗ୍ରୀ ସଂକ୍ରାନ୍ତ) ଅନୁସାରେ ଖାଉଟିଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୂର୍ବରୁ ପ୍ୟାକେଟ ହୋଇଥିବା ସବୁ ସାମଗ୍ରୀର ପ୍ରକୃତ ଓଜନ ଓ ପରିମାଣ ସେହି ପ୍ୟାକେଟର ଲେବଲ ଉପରେ ଲେଖିବା ବାଧ୍ୟତାମୂଳକ। ସେହି ପ୍ୟାକେଟର ଲେବଲ ଉପରେ ଖାଇବା ତେଲର ପରିମାଣ ଓ ଓଜନ ପ୍ରକୃତରେ କେତେ ତାହାକୁ ପ୍ରସ୍ତୁତକର୍ତ୍ତା, ପ୍ୟାକର ଓ ଆମଦାନୀକାରୀଙ୍କୁ ଉଲ୍ଲେଖ କରିବାକୁ ପଡିବ। ଏହାର ଅର୍ଥ ପ୍ରକୃତରେ ଉଭୟ ଲିଟର ଓ ଗ୍ରାମରେ ଏସବୁ ସାମଗ୍ରୀର ମୂଲ୍ୟ ଲେଖିବାକୁ ହେବ। ଏବେ ଅନେକ ଖାଇବା ତେଲ ଉତ୍ପାଦନକାରୀ କମ୍ପାନୀ ତେଲର ନିଟ୍ ବା ପ୍ରକୃତ ପରିମାଣର ଓଜନ ଘୋଷଣା କରିବାବେଳେ ନିଜ ଆଡୁ ଏକତରଫା ଭାବେ ତାପମାତ୍ରା ଉଲ୍ଲେଖ କରୁଛନ୍ତି। ତାପମାତ୍ରା ଉଲ୍ଲେଖ ରହିଲେ ତେଲର ଓଜନ ଲିଟର ଓ ଗ୍ରାମରେ ସମାନ ରହିବ ନାହିଁ। ପ୍ରକୃତରେ ଖାଉଟି ଯେତିକି ଓଜନର ତେଲ ପାଇଁ ପଇସା ଦେଉଛି ତାକୁ ସେତିକି ମିଳୁନାହିଁ।

ଏବେ ଉତ୍ପାଦକ, ପ୍ୟାକର ଓ ଆମଦାନୀକାରୀ ପ୍ୟାକେଟରେ ନିଟ୍ ପରିମାଣ ଉଲ୍ଲେଖ କରିବାବେଳେ ପ୍ୟାକିଂ ସମୟରେ ତେଲର ତାପମାତ୍ରାକୁ ଉଲ୍ଲେଖ କରୁଛନ୍ତି ଏବଂ ଏଥିସହିତ ଏହାର ପରିମାଣ ଦର୍ଶାଉଛନ୍ତି। କେତେକ ଉତ୍ପାଦକ ତାପମାତ୍ରାକୁ ଅତି ଅଧିକ ୬୦୦ ସେଲସିୟସ ଉଲ୍ଲେଖ କରୁଛନ୍ତି। ଏହା ଫଳରେ ବନସ୍ପତି ଭଳି ସାମଗ୍ରୀର ବାସ୍ତବ ଓଜନ ଓ ପରିମାଣରେ ଫରକ ରହୁଛି। ଉଦାହରଣ ସ୍ୱରୂପ ଗୋଟିଏ ଲିଟର ବନସ୍ପତିକୁ ବିଭିନ୍ନ ତାପମାତ୍ରାରେ ମାପିଲେ ଏହାର ଓଜନ ଓ ପରିମାଣ ଭିନ୍ନ ଭିନ୍ନ ହେଉଛି। ସୋୟାବିନ୍ ତେଲ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଘଟୁଛି। ନିମ୍ନରେ ପ୍ରଦତ୍ତ ଟେବୁଲରୁ ଏହି ପାର୍ଥକ୍ୟ ବୁଝା ପଡିବ।
କ୍ରମିକ ସଂଖ୍ୟା ତାପମାତ୍ରା ଗ୍ରାମରେ ଓଜନ

୧-୨୧ଡିଗ୍ରୀ ସେଲସିୟସ ୯୧୯.୧
୨- ୩୦ଡିଗ୍ରୀ ସେଲସିୟସ ୯୧୩.୦
୩- ୪୦ଡିଗ୍ରୀ ସେଲସିୟସ ୯୦୬
୪- ୫୦ଡିଗ୍ରୀ ସେଲସିୟସ ୮୯୯.୪
୫- ୬୦ଡିଗ୍ରୀ ସେଲସିୟସ ୮୯୨.୬

ଅତଏବ ଖାଇବା ତେଲର ପ୍ରକୃତ ଓଜନ ଭିନ୍ନ ଭିନ୍ନ ତାପମାତ୍ରାରେ ପ୍ୟାକେଜ ବେଳେ ଅଲଗା ରହୁଛି। ତେଣୁ ଖାଉଟି ପ୍ୟାକେଟ ତେଲ କିଣିବାବେଳେ ଲିଟର ବା କେଜି ପିଛା ଯେତିକି ପଇସା ଦେଉଛନ୍ତି ସେହି ଅନୁସାରେ ପ୍ରକୃତ ଓଜନର ସାମଗ୍ରୀ ପାଉନାହାନ୍ତି। ତେଣୁ ପ୍ୟାକେଟ କରିବାବେଳେ ଖାଇବା ତେଲର ତାପମାତ୍ରା କେତେ ତାହା ନିର୍ଦ୍ଦିଷ୍ଟଭାବେ ବିକ୍ରି ପାଇଁ ଉଦ୍ଦିଷ୍ଟ ପ୍ୟାକେଟରେ ଉଲ୍ଲେଖ କରିବାକୁ ସରକାର ସବୁ ଉତ୍ପାଦକ, ପ୍ୟାକେଟ ପ୍ରସ୍ତୁତକାରୀ ଏବଂ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖାଉଟିଙ୍କୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସରକାର ଏହି ପଦକ୍ଷେପ ନେଇଛନ୍ତି। (ପିଆଇବି)

Related posts