Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବାଣିଜ୍ୟିକ ଖଣି ନିଲାମୀର ଦ୍ୱିତୀୟ ଦିନରେ ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି

ଭୁବନେଶ୍ଵର: ସିଏମଏସପି ଆଇନ ଏବଂ ଏମଏମଡିଆର ଆଇନର ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଦ୍ୱିତୀୟ ପ୍ରୟାସ ଅଧୀନରେ ବାଣିଜ୍ୟିକ କୋଇଲା ଖଣିର ନିଲାମୀ ମାର୍ଚ୍ଚ ୩୦, ୨୦୨୨ରେ ଆରମ୍ଭ ହୋଇଥିଲା। ଏହି କ୍ରମରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଇ-ନିଲାମୀର ଦ୍ୱିତୀୟ ଦିନରେ ଦୁଇଟି ଏମଏମଡିଆର କୋଇଲା ଖଣି ନିଲାମ କରାଯାଇଛି। ଏହି ଦୁଇଟି ହେଲା ଘୋଗରପାଲି ଏବଂ ଏହାର ଗଭୀର ସମ୍ପ୍ରସାରଣ କୋଇଲା ଖଣି। କୋଇଲା ଖଣିର ବିବରଣୀ ନିମ୍ନରେ ଦିଆଗଲା:-

ଉଭୟ କୋଇଲା ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଉତ୍ତୋଳନ କରାଯିବ।

ଏଗୁଡ଼ିକର ମୋଟ ଗଚ୍ଛିତ ଖଣିଜ ଦ୍ରବ୍ୟ ପରିମାଣ ୧୨୮୮.୨୮ ନିୟୁତ ଟନ ରହିଛି।

ଏହି ଦୁଇଟି ଖଣିର ପିଆରସି ଦର ବାର୍ଷିକ ୨୦ ନିୟୁତ ଟନ୍‌ ରହିଛି।

Categories
ବିଶେଷ ଖବର ବ୍ୟବସାୟ

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ କ୍ୟାପଟିଭ୍ ଓ ବାଣିଜ୍ୟିକ କୋଇଲା ବ୍ଲକର ଉତ୍ପାଦନ 79 ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏବଂ ମନୋନୀତ କର୍ତ୍ତୃପକ୍ଷ 6 ଜୁଲାଇ 2022 ରେ ପ୍ରକଳ୍ପ  ପ୍ରସ୍ତାବକଙ୍କ ଉପସ୍ଥିତିରେ ଆର୍ଥିକ ବର୍ଷ 2022-23 ର ପ୍ରଥମ ତିନିମାସ ମଧ୍ୟରେ କୋଇଲା ବ୍ଲକ୍‌ ଗୁଡ଼ିକର ଉତ୍ପାଦନ ସମୀକ୍ଷା କରିଛନ୍ତି। ପ୍ରଥମ ତିନିମାସ ସମୟରେ ସମୁଦାୟ 27.7 ମିଲିୟନ ଟନ୍ କୋଇଲା ଉତ୍ପାଦନ ହୋଇଛି। ଏହା ଆର୍ଥିକ ବର୍ଷ 2021-22 ର ସମାନ ଅବଧିରେ ଉତ୍ପାଦିତ 15.5 ମିଲିୟନ ଟନ କୋଇଲାରୁ 79 ପ୍ରତିଶତ ଅଧିକ ଅଟେ।

ମନ୍ତ୍ରଣାଳୟ କୋଇଲା ଉତ୍ପାଦନରେ ଏତେ ଅଧିକ ବୃଦ୍ଧି କରିଥିବାରୁ କୋଇଲା ବ୍ଲକ୍ ଆବଣ୍ଟକମାନଙ୍କର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ଏହା ସହିତ, ଏହା ଆଶା କରିଛନ୍ତି ଯେ ଆର୍ଥିକ ବର୍ଷ 2022-23 ର ଦ୍ବିତୀୟ ତ୍ରୟମାସରେ କୋଇଲା ବ୍ଲକ୍ ରୁ 32 ମିଲିୟନ ଟନ୍ ଉତ୍ପାଦନର ଲକ୍ଷ ପ୍ରାପ୍ତ କରାଯିବ। ଏହା ବ୍ୟତୀତ ଏହାର ପ୍ରଶଂସା କରାଯିବା ସହିତ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ବାଣିଜ୍ୟିକ ନିଲାମୀ ସଂସ୍କାର ଅନ୍ତର୍ଗତ 2021 ରେ ନିଲାମ କରାଯାଇଥିବା ଦୁଇଟି ଖଣି କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଏଥିରୁ ପ୍ରଥମ ତ୍ରୟମାସରେ 1.57 ନିୟୁତ ଟନ୍ ର ଉତ୍ପାଦନ କରାଯାଇଛି।

ବର୍ତ୍ତମାନ ସମୁଦାୟ 36 କ୍ୟାପଟିଭ୍ ଏବଂ ବାଣିଜ୍ୟିକ ଖଣିରୁ କୋଇଲା ଉତ୍ପାଦନ ହେଉଛି। ସେହିପରି ଆଶା କରାଯାଉଛି ଯେ ଚଳିତ ବର୍ଷ ଅତି କମରେ ଆଉ 12 ଟି ନୂଆ ଖଣିରେ ଉତ୍ପାଦନ ଆରମ୍ଭ ହୋଇଯିବ। ଏହା ଦେଶରେ କୋଇଲାର ଚାହିଦାକୁ ପୂରଣ କରିବାରେ ନିଜର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ।

ଏହା ବ୍ୟତୀତ ପ୍ରକଳ୍ପ ପ୍ରସ୍ତାବକ ନିଜର ପ୍ରଚେଷ୍ଟା ଏବଂ ସମ୍ମୁଖୀନ ହେଉଥିବା ଆହ୍ବାନ ବିଷୟରେ ମଧ୍ୟ ସୂଚନା ପ୍ରଦାନ କଲେ। ସେହିପରି କୋଇଲା ମନ୍ତ୍ରଣାଳୟ ଏହି ବିଷୟର ସମାଧାନରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଆଶ୍ବାସନା ପ୍ରଦାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁନ୍ ୨୦୨୨ରେ କୋଇଲା ଉତ୍ପାଦନରେ ୩୨.୫୭ ପ୍ରତିଶତ ବୃଦ୍ଧି

ଦିଲ୍ଲୀ: ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍‌ଟି) ଥିବା ବେଳେ ଜୁନ୍ ୨୦୨୨ରେ ତାହା ୩୨. ୫୭ ପ୍ରତିଶତ ବୃଦ୍ଧି ପାଇ ୬୭.୫୯ ଏମ୍‌ଟି ହୋଇ ଯାଇଛି। କୋଇଲା ମନ୍ତ୍ରଣାଳୟର ଅସ୍ଥାୟୀ ପରିସଂଖ୍ୟାନ ଅନୁସାରେ, ଏହି ବର୍ଷ ଜୁନ୍ ମାସରେ, କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍‌), ସିଙ୍ଗାରେନୀ କୋଲିଆରିଜ୍ କମ୍ପାନୀ ଲିମିଟେଡ୍ (ଏସ୍‌ସିସିଏଲ୍‌) ଏବଂ କାପଟିଭ କୋଇଲା ଖଣି ଗୁଡିକ ୫୧.୫୬ ଏମ୍‌ଟି, ୫.୫୬ ଏମ୍‌ଟି ଏବଂ ୧୦.୪୭ ଏମ୍‌ଟି ଉତ୍ପାଦନ କରି ଯଥାକ୍ରମେ ୨୮.୮୭ ପ୍ରତିଶତ, ୫.୫୦ ପ୍ରତିଶତ ଏବଂ ୮୩.୫୩ ପ୍ରତିଶତର ଅଭିବୃଦ୍ଧି ଉଲ୍ଲେଖ କରିଛନ୍ତି। ଶୀର୍ଷ ୩୭ଟି କୋଇଲା ଖଣି ଗୁଡିକ ମଧ୍ୟରୁ ୨୨ଟି ଖଣିରୁ ୧୦୦ ପ୍ରତିଶତରୁ ଅଧିକ ଉତ୍ପାଦନ କରାଯାଇଥିବା ବେଳେ ଅନ୍ୟ ନଅଟି ଖଣି ଗୁଡିକର ଉତ୍ପାଦନର ପରିମାଣ ୮୦ରୁ ୧୦୦ ପ୍ରତିଶତ ମଧ୍ୟରେ ରହିଛି।

ସମାନ ସମୟରେ , ଅର୍ଥାତ୍ ଜୁନ୍ ୨୦୨୨ରେ କୋଇଲା ଯୋଗାଣରେ ୨୦.୬୯ ପ୍ରତିଶତ ବୃଦ୍ଧି ଘଟି ୭୫.୪୬ ଏମ୍‌ଟି ହୋଇ ଯାଇଛି, ଅପରପକ୍ଷରେ ଜୁନ୍ ୨୦୨୧ରେ ଏହି ଯୋଗାଣର ପରିମାଣ ୬୨.୫୩ ଏମ୍‌ଟି ରହିଥିଲା। ଜୁନ୍ ୨୦୨୨ ସମୟରେ ସିଆଇଏଲ୍ ଏବଂ ଆବଦ୍ଧ କୋଇଲା ଖଣି / ଅନ୍ୟାନ୍ୟ କ୍ରମଶଃ ୫୮.୯୮ ଏବଂ ୧୧.୦୫ ଏମ୍‌ଟି କୋଇଲା ପଠାଇ ଏହି କ୍ଷେତ୍ରରେ ୧୫.୨୦ ପ୍ରତିଶତ ଏବଂ ୮୮.୨୩ ପ୍ରତିଶତ ଅଭିବୃଦ୍ଧି ଉଲ୍ଲେଖ କରିଛନ୍ତି। ଏସ୍‌ସିସିଏଲ୍ ଏହି ମାସରେ ୦.୪୬ ପ୍ରତିଶତର ନକାରାତ୍ମକ ବୃଦ୍ଧି କରିଛି।

ବିଦ୍ୟୁତ୍‌ର ଚାହିଦା କ୍ଷେତ୍ରରେ ଅଭିବୃଦ୍ଧି କାରଣରୁ ଜୁନ୍ ୨୦୨୧ରେ ୪୯.୬୨ ଏମ୍‌ଟି ତୁଳନାରେ ଏହି ବର୍ଷ ଜୁନ୍ ମାସରେ ବିଦ୍ୟୁତ୍ ଉପଯୋଗୀତା ଯୋଗାଣ କ୍ଷେତ୍ରରେ  ୩୦.୭୭ ବୃଦ୍ଧି ଘଟି ୬୪.୮୯ ଏମ୍‌ଟି ହୋଇ ଯାଇଛି।

ଜୁନ୍ ୨୦୨୧ ତୁଳନାରେ ଜୁନ୍ ୨୦୨୨ରେ କୋଇଲା ଆଧାରିତ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ୨୬.୫୮ ପ୍ରତିଶତର ଅଭିବୃଦ୍ଧି ଘଟିଛି। ଜୁନ୍ ୨୦୨୨ରେ ମୋଟ୍ ବିଦ୍ୟୁତ୍ ଉତ୍ପାଦନ ୨୦୨୧ ତୁଳନାରେ ୧୭.୭୩ ପ୍ରତିଶତ ଅଧିକ ରହିଛି। ତଥାପି, କୋଇଲା ଆଧାରିତ ବିଦ୍ୟୁତ୍ ଉତ୍ପାଦନ ମେ ୨୦୨୨ରେ ୯୮୬୦୯ ଏମ୍‌ୟୁ ତୁଳନାରେ ଜୁନ୍ ୨୦୨୨ରେ ୯୫୮୮୦ ଏମ୍‌ୟୁ ରହିଛି ଏବଂ ଏହି କ୍ଷେତ୍ରରେ ୨.୭୭ ପ୍ରତିଶତ ନକାରାତ୍ମକ ବୃଦ୍ଧି ହୋଇଛି। ମୋଟ୍ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ଜୁନ୍ ୨୦୨୨ରେ ହ୍ରାସ ପାଇ ୧୩୮୯୯୫ ଏମ୍‌ୟୁ ହୋଇ ଯାଇଛି, ଯାହା ମେ’ ୨୦୨୨ରେ ୧୪୦୦୫୯ ଏମ୍‌ୟୁ ଥିଲା ଏବଂ ଏଥିରେ ୦.୭୬ ପ୍ରତିଶତ ନକାରାତ୍ମକ ବୃଦ୍ଧି ଘଟିଛି।

Categories
ଆଜିର ଖବର ଜାତୀୟ ଖବର

କୋଇଲା ଖଣିର ନିଲାମୀ ନିମନ୍ତେ କୋଇଲା ମନ୍ତ୍ରଣାଳୟକୁ ମିଳିଲା ୩୮ଟି ବିଡ୍

ନୂଆଦିଲ୍ଲୀ/ଭୁବନେଶ୍ବର: ବାଣିଜ୍ୟିକ କୋଇଲା ଖଣି ନିଲାମୀର ତିନୋଟି ପର୍ଯ୍ୟାୟରେ କୋଇଲା ମନ୍ତ୍ରଣାଳୟକୁ ମୋଟ୍‌ ୩୮ଟି ଅଫଲାଇନ୍‌ ବିଡ୍‌ ମିଳିଛି। ନିଲାମୀର ପଞ୍ଚମ ପର୍ଯ୍ୟାୟରେ, ୧୫ଟି କୋଇଲା ଖଣି ପାଇଁ ୨୮ଟି ଅଫଲାଇନ୍‌ ବିଡ୍‌ ହସ୍ତଗତ ହୋଇଛି। ଅନ୍ୟପକ୍ଷରେ ୮ଟି କୋଇଲା ଖଣି ପାଇଁ ୨ କିମ୍ବା ତତୋଧିକ ବିଡ୍‌ ପ୍ରାପ୍ତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ତୃତୀୟ ପର୍ଯ୍ୟାୟ ନିଲାମୀର ଦ୍ୱିତୀୟ ପ୍ରୟାସ ଅଧୀନରେ ମୋଟ ୯ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା। ଏଥିରେ ୬ଟି କୋଇଲା ଖଣି ପାଇଁ ୬ଟି ବିଡ୍‌ ମିଳିଛି। ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ, ମୋଟ୍‌ ୪ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା। ୩ଟି କୋଇଲା ଖଣି ପାଇଁ ୪ଟି ବିଡ ହସ୍ତଗତ ହୋଇଛି।

ବାଣିଜ୍ୟିକ କୋଇଲା ନିଲାମୀର ପଞ୍ଚମ ପର୍ଯ୍ୟାୟ, ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଏବଂ ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ କ୍ଷମତାପ୍ରାପ୍ତ ପ୍ରାଧିକରଣ ଭାବେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩୦ ମାର୍ଚ୍ଚ, ୨୦୨୨ରେ କୋଇଲା ଖଣି ନିଲାମ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ସବୁ କୋଇଲା ଖଣି ପାଇଁ ଅନଲାଇନ ବୈଷୟିକ ବିଡ୍‌ ଦାଖଲ କରିବାର ଶେଷ ତାରିଖ ୨୭ ଜୁନ୍‌ ୨୦୨୨, ଦିନ ୧୨ଟା ରଖାଯାଇଥିଲା। ସେହିପରି ଅଫଲାଇନ୍‌ ବିଡ୍‌ ଦାଖଲର ଶେଷ ତାରିଖ ଭାବେ ୨୭ ଜୁନ୍‌ ୨୦୨୨, ଅପରାହ୍ଣ ୪ଟା ନିର୍ଦ୍ଧାରଣ କରାଯାଇଥିଲା।

ନିଲାମୀ ପ୍ରକ୍ରିୟାର ଅଂଶବିଶେଷ ସ୍ୱରୂପ ମିଳିଥିବା ଅନଲାଇନ ବିଡଗୁଡ଼ିକୁ ୨୮ ଜୁନ, ୨୦୨୨ ପୂର୍ବାହ୍ନ ୧୦ଟା ଠାରୁ ଖୋଲାଯିବ। ଆଗ୍ରହୀ ସମ୍ଭାବ୍ୟ ବିଡର୍ସଙ୍କ ଉପସ୍ଥିତିରେ ଟାଗୋର ଚାମ୍ବର୍ସ, ସ୍କୋପ କମ୍ପ୍ଲେକ୍ସ, ନୂଆଦିଲ୍ଲୀ– ୧୧୦୦୦୩ ଠାରେ ଅନଲାଇନ୍‌ ବିଡ୍‌ ଖୋଲାଯିବ।

Categories
ବିଶେଷ ଖବର

ପିଏମ୍ ଗତିଶକ୍ତି ଯୋଜନାରେ ୧୩ଟି ରେଳ ପ୍ରକଳ୍ପ ହାତକୁ ନେଲା କୋଇଲା ମନ୍ତ୍ରଣାଳୟ 

ନୂଆଦିଲ୍ଲୀ: କୋଇଲା ପରିବହନ କ୍ଷେତ୍ରରେ ପରିବେଶ ପ୍ରଦୂଷଣକୁ ରୋକିବା ଏବଂ ଖଣି ଅଞ୍ଚଳରୁ ବିଭିନ୍ନ ଲକ୍ଷ୍ୟ ସ୍ଥଳକୁ ତ୍ୱରିତ କୋଇଲା ପହଂଚାଇବା ଉପରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି। ଏହି ପ୍ରୟାସରେ ସଡକ ପଥରେ କୋଇଲା ପରିବହନକୁ ଯଥେଷ୍ଟ ହ୍ରାସ କରି ରେଳ ପରିବହନକୁ ବଢାଇବାକୁ ମନ୍ତ୍ରଣାଳୟ ଉଦ୍ୟମ କରୁଛି। ସେଥିପାଇଁ କୋଇଲା ମନ୍ତ୍ରଣାଳୟ ନୂଆ କୋଇଲାଖଣି ଇଲାକାରେ ନୂତନ ବ୍ରଡଗେଜ ରେଳପଥ ନିର୍ମାଣ କରିବାକୁ ଯୋଜନା କରୁଛି। ଏଥିରେ କୋଇଲା ବୋଝେଇ ସ୍ଥଳ ପର୍ଯ୍ୟନ୍ତ ରେଳପଥର ସଂପ୍ରସାରଣ କରଯିବ। ଆବଶ୍ୟକସ୍ଥଳେ କେତେକ ସ୍ଥାନରେ ରେଳଲାଇନକୁ ଦୋହରା ଓ ତିନିଟିକିଆ କରିବାକୁ ମନ୍ତ୍ରଣାଳୟ ଚିନ୍ତା କରୁଛି। ଯଥା ସମ୍ଭବ ଅଧିକରୁ ଅଧିକ କୋଇଲା ପରିବହନ ରେଳଯୋଗେ କରିବାକୁ ବିଚାର କରାଯାଉଛି।

୨୦୨୧ ଅକ୍ଟୋବରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ୍ ଗତିଶକ୍ତି ଯୋଜନାର ଶୁଭାରମ୍ଭ ହୋଇଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ମିଳିତ ପ୍ରୟାସରେ ଦେଶର ଭିତ୍ତିଭୂମି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦିଆଯାଇଥିଲା। ସଂଯୋଗ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ମନ୍ତ୍ରଣାଳୟ ନିଜ  ନିଜ ମଧ୍ୟରେ ସମନ୍ୱୟ ଓ ସହଯୋଗ ରକ୍ଷା କରି ଏହାକୁ କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ଏହି ପ୍ରକ୍ରିୟାରେ ରାଜ୍ୟ ସରକାରମାନଙ୍କୁ ମଧ୍ୟ ସମ୍ପୃକ୍ତ କରାଯାଇଛି ଓ ଏଥିପାଇଁ ବୈଷୟିକ ତଥା ଅନ୍ୟାନ୍ୟ ସହାୟତା ବିଭିନ୍ନ ପ୍ରକଳ୍ପ ନିମନ୍ତେ ଯୋଗାଇ ଦିଆଯାଉଛି।

ପିଏମ୍ ଗତିଶଣକ୍ତି ଯୋଜନାର ଲକ୍ଷ୍ୟ ଭିତ୍ତିରେ କୋଇଲା ମନ୍ତ୍ରଣାଳୟ ୧୩ଟି ବହୁମୁଖୀ (ମଲ୍ଟି ମୋଡାଲ) ରେଳ ସଂଯୋଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ପ୍ରତ୍ୟେକ ପ୍ରକଳ୍ପରେ ଥିବା ଭିତ୍ତିଭୂମିର ଅଭାବକୁ ପ୍ରଥମେ ଚିହ୍ନଟ କରାଯାଇ ତା’ ପରେ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଉଛି। ହାଇ ଇମ୍ପ୍ୟାକ୍ଟ ପ୍ରୋଜେକ୍ଟ (ଅତି ପ୍ରଭାବଶାଳୀ ପ୍ରକଳ୍ପ) ଭାବେ ୪ଟି ଚିହ୍ନଟ କରାଯାଇ ଇତିମଧ୍ୟରେ ତାହାର ମାନଚିତ୍ରକୁ ଏନ୍‌ଏମ୍‌ପି ପୋର୍ଟାଲରେ ସ୍ଥାନିତ କରାଯାଇଛି।  ଏହି ଚାରିଟି ପ୍ରକଳ୍ପ ଓଡିଶା ଓ ଝାଡଖଣ୍ଡରେ କାର୍ଯ୍ୟକାରୀ ହେବ।

ସମ୍ପୃକ୍ତ ରେଳପ୍ରକଳ୍ପ ନିର୍ମିତ ହେଲେ କୋଇଲା ଖଣି ଅଞ୍ଚଳରୁ ଦେଶର ବିଭିନ୍ନ ସ୍ଥାନକୁ କୋଇଲ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଏହା ଦ୍ୱାରା ବ୍ୟାବସାୟିକ ତ୍ତଭିତ୍ତିରେ  କୋଇଲ ଉତ୍ତୋଳନ କରୁଥିବା କମ୍ପାନୀ ଓ କୋଇଲା ପରିବହନ ପାଇଁ ଉତ୍ତମ ସୁବିଧା ପାଇବେ। ରେଳଯୋଗେ କୋଇଲା ପରିବହନ ଅଧିକ ହେଲେ ବାୟୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇବ ଏବଂ ପରିବେଶ ସୁରକ୍ଷିତ ହେବ। (ପିଆଇବି)

 

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ: ଅତିରିକ୍ତ ସଚିବ

ନୂଆଦିଲ୍ଲୀ: ଶକ୍ତି, ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ସହ ମିଶି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବର ଠାରେ ଜାତୀୟ ଖଣିଜ କଂଗ୍ରେସ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଖଣି ମନ୍ତ୍ରଣାଳୟର ସଚିବ ଅନୀଲ କୁମାର ଜୈନ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ। ସେ କାର୍ଯ୍ୟକ୍ରମର ସଫଳତା କାମନା କରିବା ସହିତ ସବୁ ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଜାତୀୟ ଖଣିଜ କଂଗ୍ରେସରୁ ଫଳପ୍ରଦ ପରିଣାମ ପ୍ରାପ୍ତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ।

ଜାତୀୟ ଖଣିଜ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭିକେ ତିୱାରୀ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ତିୱାରୀ କହିଥିଲେ ଯେ, ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମିଶନ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି। ଭବିଷ୍ୟତରେ କୋଇଲା ବାଷ୍ପୀକରଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। କୋଇଲା ଜଳାଇବା ତୁଳନାରେ ଏହାକୁ ଏକ ସ୍ବଚ୍ଛ ଇନ୍ଧନ ବିକଳ୍ପ ଭାବେ ବିବେଚନା କରାଯାଉଛି। କୋଇଲାରେ ଥିବା ରାସାୟନିକ ଉପାଦାନକୁ ବାଷ୍ପୀକରଣ ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ ବୋଲି ଅତିରିକ୍ତ ସଚିବ ଶ୍ରୀ ତିୱାରୀ କହିଥିଲେ।

ସେ ଆହୁରି କହିଥିଲେ ଯେ, ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ ଫଳରେ ଅଧିକ କୋଇଲା ପୁନରୁଦ୍ଧାର ବା ରିକଭରୀ ହୋଇପାରୁଛି। ଖଣି ଖନନ କାର୍ଯ୍ୟରେ ନମନୀୟତା ଆସିଛି ଓ ଉତ୍ପାଦକତା ବୃଦ୍ଧି ପାଇଛି। ଅଧିକ ନିରାପତ୍ତା ସୁନିଶ୍ଚିତ ହେବା ସହିତ ଖର୍ଚ୍ଚ କମିଛି। ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ପାଇଁ କମ୍ପାନୀମାନେ ନୂତନ ଜ୍ଞାନକୌଶଳକୁ ଆପଣାଇବା ସହିତ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିବାର ଆବଶ୍ୟକତା ରହିଛି। ଏହି କ୍ଷେତ୍ରରେ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ସଚିବ କହିଥିଲେ।

ଆଲୁମିନିୟମ କ୍ଷେତ୍ରରେ ରହିଥିବା ସମସ୍ୟା ସମ୍ପର୍କରେ ଶ୍ରୀ ତିୱାରୀ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଭବିଷ୍ୟତର ଆବଶ୍ୟକତା ପାଇଁ ଭାରତ ନିକଟରେ ୩୮୯୬ ନିୟୁତ ଟନ୍‌ ବକ୍ସାଇଟ୍‌ ଉତ୍ସ ଖଚ୍ଛିତ ହୋଇ ରହିଛି। ତେବେ ଭାରତୀୟ ଖଣିଜ ଭଣ୍ଡାରରେ ଏହାର ମାତ୍ର ୧୭ ପ୍ରତିଶତ, ଅର୍ଥାତ୍‌ ୬୫୬ ନିୟୁତ ଟନ୍‌ ବକ୍ସାଇଟ୍‌ ମହଜୁଦ ରହିଛି। ତେଣୁ ବକ୍ସାଇଟ୍‌ ଉତ୍ପାଦନକୁ ବଢ଼ାଇବା ଲାଗି ଏସବୁ ଉତ୍ସକୁ ପ୍ରାମାଣିକ ବକ୍ସାଇଟ୍‌ ଭଣ୍ଡାରରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଉଚ୍ଚ ମାନର ଉତ୍ପାଦ ତିଆରି କରିବା ଲାଗି ସ୍କାର୍ପ ବ୍ୟବହାର କରିବା ନିମନ୍ତେ ଆମେ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି।

ଅତିରିକ୍ତ ସଚିବ କୋଇଲାରୁ ହାଇଡ୍ରୋଜେନ ଉତ୍ପାଦନ ପାଇଁ ରୋଡମ୍ୟାପ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଭାରତର ହାଇଡ୍ରୋଜେନ ଆବଶ୍ୟକତା ବାର୍ଷିକ ୬.୭ ନିୟୁତ ଟନ୍‌ ଥିବା ବେଳେ ୨୦୩୦ ବେଳକୁ ଏହା ୧୧.୭ ନିୟୁତ ଟନକୁ ବୃଦ୍ଧି ପାଇବାର ଆବଶ୍ୟକତା ରହିଛି। ବିଶୋଧନାଗାର ଏବଂ ସାର କାରଖାନାଗୁଡ଼ିକ ଏବେ ହାଇଡ୍ରୋଜେନର ସବୁଠୁ ବଡ଼ ଉପଭୋକ୍ତା ହୋଇ ରହିଛନ୍ତି, ଯାହାକି ଏବେ ପ୍ରାକୃତିକ ବାଷ୍ପରୁ ଉତ୍ପାଦନ ହେଉଛି । କୋଇଲା ବାଷ୍ଠୀକରଣ ପ୍ରକ୍ରିୟାରେ କୋଇଲା ମାଧ୍ୟମରେ ଏହା ଉତ୍ପାଦନ କରାଯାଇପାରିବ ବୋଲି ସେ କହିଥିଲେ।

ଶ୍ରୀ ତିୱାରୀ କହିଥିଲେ ଯେ, ଏହି କ୍ଷେତ୍ରରେ ବିଚାରବିମର୍ଶ କରିବା ଏବଂ ଆବଶ୍ୟକ ସୁଧାର ଆଣିବା ଲାଗି ଏଭଳି ସମ୍ମିଳନୀ ଏକ ସୁଯୋଗ ଆଣି ଦେବ। ସେ କହିଥିଲେ ଯେ ଆମେ ଏହି କ୍ଷେତ୍ରର ବ୍ୟବସାୟୀକରଣ ଆରମ୍ଭ କରିଛୁ, ଯାହାକି ଉନ୍ନତ ଫଳାଫଳ ପ୍ରଦାନ କରୁଛି। ଦୋହରା ମଞ୍ଜୁରି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି; ଖଣି ଆବଣ୍ଟନ ପ୍ରକ୍ରିୟାକୁ ଅନଲାଇନ କରାଯାଇଛି ଏବଂ ବାଷ୍ପୀକରଣ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ସବୁ ଆଡ଼ୁ ଏହି କ୍ଷେତ୍ରକୁ ସମର୍ଥନ ଯୋଗାଇ ଦେବା ଲାଗି ଆମେ ଚେଷ୍ଟା କରୁଛୁ ବୋଲି ସେ କହିଥିଲେ।

ବିଶ୍ବ ଖଣିଜ କଂଗ୍ରେସର ଭାରତୀୟ ଜାତୀୟ କମିଟି ପକ୍ଷରୁ ଆୟୋଜନ କରାଯାଉଥିବା ଜାତୀୟ ଖଣିଜ କଂଗ୍ରେସରେ ୨୦ଟି ପ୍ରମୁଖ କମ୍ପାନୀର ଶିଳ୍ପ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଛନ୍ତି। ଖଣିଜ ଉତ୍ତୋଳନ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ, ଆଲୁମିନିୟମ ଓ ଇସ୍ପାତ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ କୋଇଲା ବାଷ୍ପୀକରଣ ଓ କୋଇଲାରୁ ହାଇଡ୍ରୋଜେନ ପାଇଁ ରୋଡମ୍ୟାପ ନେଇ ଏଥିରେ ଆଲୋଚନା ହୋଇଛି। ଶନିବାର ଦିନ, ପ୍ରତିନିଧିମାନେ ଅନୁଗୁଳରେ ଥିବା ଜେଏସପିଏଲର କୋଇଲା ବାଷ୍ପୀକରଣ କାରଖାନା ପରିଦର୍ଶନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଚତୁର୍ଥ ପର୍ଯ୍ୟାୟ ବାଣିଜ୍ୟିକ ନିଲାମୀ ଅଧୀନରେ ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି 

ଭୁବନେଶ୍ଵର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଚାରିଟି ରାଜ୍ୟର ୫ଟି କୋଇଲା ଖଣିର ବାଣିଜ୍ୟିକ ନିଲାମ କରାଯାଇଛି। ଏଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି- ଉତ୍କଳ ବି-୧ ଏବଂ ବି-୨ ରହିଛି। ଏହି ଦୁଇଟି ଖଣିକୁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍‌ ନିଲାମ ସୂତ୍ରରେ ନେଇଛି। ଦୁଇଟି ଖଣିର ପିଆରସି କ୍ଷମତା ବା ସର୍ବାଧିକ କୋଇଲା ଉତ୍ପାଦନ କ୍ଷମତା ବାର୍ଷିକ ୮.୦୦୦ ନିୟୁତ ଟନ୍‌ ହୋଇଥିବା ବେଳେ ଏଥିରେ ମୋଟ୍‌ ୩୪୭.୦୮ ନିୟୁତ ଟନ୍‌ ଭୂଗର୍ଭ କୋଇଲା ଗଚ୍ଛିତ ହୋଇ ରହିଛି। ଖଣିର ପିଆରସି କ୍ଷମତାକୁ ଆଧାର କରି ଏହି ଦୁଇଟି ଖଣିରୁ ବାର୍ଷିକ ୧୧୦୭.୦୫ କୋଟି ଟଙ୍କାର ରାଜସ୍ୱ ଆୟ ହୋଇପାରିବ ବୋଲି ଅନୁମାନ କରାଯାଇଛି। ଦୁଇଟି ଖଣିରେ ୧୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧୦ ହଜାର ୮୧୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାର ଦୁଇଟି ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କୋଇଲା ଖଣିର ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି।

କୋଇଲା ମନ୍ତ୍ରଣାଳୟ ଦ୍ଵାରା ଇ-ନିଲାମୀ ପ୍ରକ୍ରିୟାରେ ଏସବୁ କୋଇଲା ଖଣିର ବାଣିଜ୍ୟିକ ନିଲାମୀ ସମ୍ପାଦନ କରାଯାଇଛି। କୋଇଲା ଖଣି ଗୁଡ଼ିକର ବାଣିଜ୍ୟିକ ନିଲାମୀ ପାଇଁ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଟେଣ୍ଡର ଆହ୍ଵାନକାରୀ ନୋଟିସ (ଏନଆଇଟି) ଜାରି କରାଯାଇଥିଲା। କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) –ସିଏମ (ଏସପି) ଆଇନ, ୨୦୧୫ ଅଧୀନରେ ନିଲାମୀର ୧୪ତମ ପର୍ଯ୍ୟାୟ ଏବଂ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) –ଏମଏମଡିଆର ଆଇନ, ୧୯୫୭ ଅଧୀନରେ ଏସବୁ କୋଇଲା ଖଣିର ନିଲାମୀ ନିମନ୍ତେ ଡିସେମ୍ବର ୧୬, ୨୦୨୧ରେ ଏନଆଇଟି ଜାରି କରାଯାଇଥିଲା। ଏମଏସଟିସି ପ୍ଲାଟଫର୍ମ ଜରିଆରେ ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧, ୨୦୨୨ରେ ଅନୁଷ୍ଠିତ ଇ-ନିଲାମୀ ପ୍ରକ୍ରିୟାରେ ମୋଟ ପାଞ୍ଚଟି ସିଏମଏସପି କୋଇଲା ଖଣିକୁ ନିଲାମୀ ନିମନ୍ତେ ରଖାଯାଇଥିଲା।

ନିଲାମୀରେ ସାମିଲ ଥିବା ସମସ୍ତ ୫ଟି କୋଇଲା ଖଣି ସମ୍ପୂର୍ଣ୍ଣ ଭାବେ ଅନ୍ୱେଷଣ କରାଯାଇଥିବା କୋଇଲା ଖଣି ହୋଇଥିବା ବେଳେ ଏସବୁ ଖଣିର ଭୂଗର୍ଭ ଭଣ୍ଡାରରେ ମୋଟ୍‌ ୬୬୫.୦୮ ନିୟୁତ ଟନ୍‌ କୋଇଲା ଗଚ୍ଛିତ ରହିଛି। ଏଗୁଡ଼ିକର ପିଆରସି କ୍ଷମତା ବାର୍ଷିକ ୧୪.୭୫୬ ନିୟୁତ ଟନ୍‌ ରହିଛି।

ବାଣିଜ୍ୟିକ କୋଇଲା ଖଣି ନିଲାମୀ ପ୍ରକ୍ରିୟା ଅଧୀନରେ ଏବେ ସୁଦ୍ଧା ମୋଟ୍‌ ୪୭ଟି କୋଇଲା ଖଣି ନିଲାମ ହୋଇସାରିଛି। ଏଥିରେ ଚତୁର୍ଥ ପର୍ଯ୍ୟାୟରେ ନିଲାମୀ ହୋଇଥିବା ଏହି ୫ଟି କୋଇଲା ଖଣି ମଧ୍ୟ ସାମିଲ ରହିଛି। ବର୍ତ୍ତମାନ ସୁଦ୍ଧା ନିଲାମ ହୋଇସାରିଥିବା କୋଇଲା ଖଣିଗୁଡ଼ିକର ସର୍ବମୋଟ୍‌ ପିଆରସି କ୍ଷମତା ବାର୍ଷିକ ୧୦୧.୪୦୪ ନିୟୁତ ଟନ୍‌ ରହିଛି।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କୋଲ ଇଣ୍ଡିଆ ଲିମିଟେଡର ଇନୋଭେଟିଭ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ବ୍ୟବସ୍ଥା ଉଦଘାଟିତ

ନୂଆଦିଲ୍ଲୀ, ପ୍ରଥମ ଥର ପାଇଁ କୋଇଲା ମନ୍ତ୍ରଣାଳୟ ଅଧୀନ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ)ରେ ଇନୋଭେଟିଭ୍ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ (ଆରପିଏଏସ) ବ୍ୟବସ୍ଥା କାଯ୍ୟକାରୀ ହୋଇଛି। ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ରେ ଏହି ବ୍ୟବସ୍ଥାକୁ ଗତକାଲି ଉଦଘାଟନ କରାଯାଇଛି।

ଏହାକୁ ଏମସିଏଲର ଇନୋଭେସନ ସେଲ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ବାରା ଡିଜାଇନ କରାଯାଇଛି। ରିମୋଟ ମନିଟରିଂ ପାଇଁ “ବିହଙ୍ଗମ” ନାମରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ମୁମ୍ବାଇସ୍ଥିତ ଡ୍ରୋନ ନିର୍ମାଣ, ରୋବୋଟିକ୍ସ ଏବଂ ଅଟୋମେସନ ଷ୍ଟାର୍ଟଅପ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି।

ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଏହି ପ୍ରୟାସ ଦ୍ବାରା କମ୍ପାନୀ ଇଣ୍ଟରନେଟ ମାଧ୍ୟମରେ ରିୟଲ-ଟାଇମ ଭିଡିଓ ପର‌୍ୟ୍ୟନ୍ତ ପହଞ୍ଚିବାରେ ସକ୍ଷମ ହୋଇପାରିବ। ସେହିପରି ଖଣିରେ ଡ୍ରୋନ ଏବଂ ଅନ୍ୟ ଆନୁସଙ୍ଗିକ ଉପକରଣର ସମ୍ଭାବ୍ୟ ଉପଯୋଗ ପାଇଁ ଏହା ମାର୍ଗ ପ୍ରଶସ୍ତ କରିବ।
କୋଲ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ ଅଗ୍ରଓ୍ବାଲ ୨୮୫.୦୫ କୋଟି ଟଙ୍କାର ପ୍ରଥମ ମାଇଲ ସଂଯୋଗ (ଏଫଏମସି) ପ୍ରକଳ୍ପ-ଲକଜୁରା ସାଇଲୋର ଶିଳାନ୍ୟାସ କରିଛନ୍ତି।

ଏହାଦ୍ବାରା ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ର ବାର୍ଷିକ କୋଇଲା ପ୍ରେରଣ କ୍ଷମତା ୧୫ ମିଲିୟନ ଟନ ପର‌୍ୟ୍ୟନ୍ତ ବୃଦ୍ଧି ପାଇବ। କୋଲ ଇଣ୍ଡିଆ ଅଧ୍ୟକ୍ଷ ମଧ୍ୟ ସମଲେଶ୍ବରୀ ଓଏସପିରେ ଚାରିଟି ଶହେ ଟନ ଡମ୍ପର ଏବଂ ଗୋଟିଏ ମୋବାଇଲ ଜଳ ସିଞ୍ଚନ ସେବାର ଶୁଭାରମ୍ଭ କରିଥିଲେ।

ଦୀର୍ଘସ୍ଥାୟୀ ଖନନ ଲକ୍ଷ୍ୟକୁ ଆଗକୁ ବଢ଼ାଇ, ଏମସିଏଲ ମୋଟ ୩,୬୦୦ କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ ଜରିଆରେ ପ୍ରଦୂଷଣମୁକ୍ତ ଅତ୍ୟାଧୁନିକ ରେକ ଲୋଡିଂ ସିଷ୍ଟମ ପ୍ରଦାନ କରିବା ଲାଗି ନଅଟି ଏମଏମସି ପ୍ରକଳ୍ପ କାର‌୍ୟ୍ୟକାରୀ କରିଛି। ଏହାଦ୍ବାରା ବାର୍ଷିକ ୧୨୬ ମିଲିୟନ ଟନ ପ୍ରେରଣ କ୍ଷମତା ବୃଦ୍ଧି ପାଇବ, ଏହା ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।

ଏମସିଏଲ ୧୯୯୯ରେ ପରିବେଶ ଅନୁକୂଳ ଭୂତଳ ଖଣିଜ ପ୍ରଯୁକ୍ତି ପ୍ରଚଳନ କରିବାରେ ପ୍ରଥମ କୋଇଲା କମ୍ପାନୀ ଥିଲା। ୬୬ ସରଫେସ ମାଇନର୍ସମାନଙ୍କୁ ନେଇ ସବୁଠୁ ବଡ଼ କୋଇଲା କମ୍ପାନୀ ଭାବେ ଏମସିଏଲ ମୋଟ କୋଇଲା ଉତ୍ପାଦନରେ ୯୫ ପ୍ରତିଶତ ଯୋଗଦାନ ଦେଇଥାଏ।