Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିବସକୁ ୧୫ ଦିନ ଧରି ପାଳନ କରିବ ବିଜେପି, ଜାଣନ୍ତୁ କେଉଁ ଦିନ କଣ ଅଛି କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ହେଉଛି ସେପ୍ଟେମ୍ବର ୧୭ ତାରିଖ। ଏହି ଦିନରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବାପକ୍ଷ ଭାବେ ପାଳନ କରାଯିବ। ଏହି ସମୟ ମଧ୍ୟରେ ବିଜେପିର କାର୍ଯ୍ୟକର୍ତାମାନେ ବିଭିନ୍ନ ସେବା କାର୍ଯ୍ୟକରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିବେ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି, ସେପ୍ଟେମ୍ବର ୧୭ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସେବା ପକ୍ଷରେ ବିଭନ୍ନ ପ୍ରକାର ସେବା କାର୍ଯ୍ୟ କରାଯିବ । ପ୍ରଥମ ଦିନ ଓ ଏହାର ପୂର୍ବଦିନ ଅର୍ଥାତ୍ ସେପ୍ଟେମ୍ବର ୧୬, ୧୭ ରେ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ନେଇ  ପ୍ରଧାନମନ୍ତ୍ରୀଙ୍କ ଜୀବନୀ, ଉଦ୍ଦେଶ୍ୟ ଓ ଦେଶର ପ୍ରଗତିରେ ତାଙ୍କ ଯୋଗଦାନ ଉପରେ ଆଲୋଚନା କରାଯିବ। ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ କାର୍ଯ୍ୟକ୍ରମ କରାଯିବ।

୧୭ ତାରିଖରେ ଜିଲାସ୍ତରରେ ମୋଦିଜୀଙ୍କ କର୍ତ୍ତୁତ୍ୱ ଏବଂ ନେତୃତ୍ୱକୁ ନେଇ ଭିଡିଓ ଏବଂ ଫଟୋଚିତ୍ର ପ୍ରଦର୍ଶନ କରାଯିବ। ୧୮ ରୁ ୨୦ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତରଫରୁ ସମସ୍ତ ବିଧାନସଭା କ୍ଷେତ୍ରରେ ରକ୍ତଦାନ ଶିବିର ଆୟୋଜନ କରାଯିବ। ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ କୃଷକ ମୋର୍ଚ୍ଚା ତରଫରୁ ସମସ୍ତ ଶକ୍ତି କେନ୍ଦ୍ର ସ୍ତରରେ ପର୍ଯ୍ୟାବରଣ ଉପରେ ଗୁରୁତ୍ୱ ଦିଆଯାଇ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ।

ସେପ୍ଟେମ୍ବର ୧୮ରୁ ୨୪ ଏବଂ ଅକ୍ଟୋବର ୨ ରେ ମଣ୍ଡଳସ୍ତରରେ ଦଳ ଓ ସ୍ୱଚ୍ଛ ଭାରତ ପ୍ରକୋଷ୍ଠ ତରଫରୁ ସମସ୍ତ ମନ୍ଦିର, ଧାର୍ମିକ ସ୍ଥଳ, ଜଳାଶୟ, ପୁଷ୍କରିଣୀ ଏବଂ ପାର୍କ ଆଦି ସ୍ଥାନରେ ସଫେଇ କରାଯିବ। ସେପ୍ଟେମ୍ବର ୨୦ରେ ଓବିସି ମୋର୍ଚ୍ଚା ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା ପକ୍ଷରୁ ୨୧ ରେ ଅନୁସୂଚିତଜାତି ଓ ଜନଜାତି ମୋର୍ଚ୍ଚା ପକ୍ଷରୁ ବ୍ଲକସ୍ତରରେ ବିଦ୍ୟାଳୟ ଏବଂ ଡାକ୍ତରଖାନା ପରିସରରେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯିବ।

ଏଥିସହିତ ସେପ୍ଟେମ୍ବର ୨୧ରେ ଆଇନ୍ ପ୍ରକୋଷ୍ଠ, ଉଦ୍ୟୋଗ ପ୍ରକୋଷ୍ଠ, ବୃଦ୍ଧିଜୀବୀ, ଶିକ୍ଷକ ଓ ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ଡ. ଆର୍ ବାଲସୁବ୍ରମଣ୍ୟମଙ୍କ ଦ୍ୱାରା ଲିଖିତ Power Within: The Leadership Legacy of Narendra Modi” ପୁସ୍ତକର ବିଷୟବସ୍ତୁ ଉପରେ ଆଲୋଚନା କରାଯିବ । ସେପ୍ଟେମ୍ବର ୨୩ ରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ। ଏହି ଅବସରରେ ବିଧାନସଭା ସ୍ତରରେ ୬୦ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ। ସାଂସଦ, ବିଧାୟକ, ଅନ୍ୟ ନିର୍ବାଚିତ ପ୍ରତିନିଧିମାନଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ସେପ୍ଟେମ୍ବର ୨୪ରେ ବିଧାନସଭାସ୍ତରରେ କଳା, ଚିତ୍ରାଙ୍କନ, ରଙ୍ଗୋଲି, ପ୍ରବନ୍ଧ, ସାହିତ୍ୟ-କଳା, ଗ୍ରାଫିକ୍ ଡିଜାଇନ୍ ଆଦି ପ୍ରତିଯୋଗିତା ଆୟୋଜନ କରାଯିବ। ଆତ୍ମନିର୍ଭର ଭାରତ, ବିକଶିତ ଭାରତ ୨୦୪୭, “ଗୋ ଭୋକାଲ୍ ଫର୍ ଲୋକାଲ୍‌” ଆଦି ପ୍ରସଙ୍ଗ ଉପରେ ପ୍ରଶ୍ନୋତର ପ୍ରତିଯୋଗିତା ଆୟୋଜନ କରାଯିବ।

ସେପ୍ଟେମ୍ବର ୨୫ରେ ବିଜେପିର ବିଚାର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଜୟନ୍ତୀ ଅନୁଷ୍ଠିତ ହେବ। ଏହି ଅବସରରେ ବୁଥ୍‌ସ୍ତରରେ ପଣ୍ଡିତ ଦୀନଦୟାଲଜୀଙ୍କ ଫଟୋଚିତ୍ରରେ ମାଲ୍ୟାପର୍ଣର୍ କରାଯାଇ ସ୍ମୃତିଚାରଣ କରାଯିବ। ସମସ୍ତ କାର୍ଯ୍ୟକର୍ତା ଅଳ୍ପକାଳୀନ ବିସ୍ତାରକ ରୂପେ ବୁଥ୍‌ସ୍ତରକୁ ଯାଇ ସଦସ୍ୟତା ଅଭିଯାନରେ ସାମିଲ ହେବେ। ଏହି ଅବସରରେ ଅତିକମ୍‌ରେ ୧୦୦ ସଦସ୍ୟ କରାଯିବା ପାଇଁ ପ୍ରୟାସ କରାଯିବ। ଏଥିସହ ପ୍ରାଥମିକ ସଦସ୍ୟମାନଙ୍କ ସହ ବୈଠକ ଆୟୋଜନ କରାଯିବ।

ଅକ୍ଟୋବର ୨ରେ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମଣ୍ଡଳସ୍ତରରେ ମହାତ୍ମାଗାନ୍ଧୀ ଓ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତି ନିକଟରେ ସ୍ୱଚ୍ଛତା ଅଭିଯାନ କରାଯାଇ ପୁଷ୍ପାଞ୍ଜଳି ଅର୍ପଣ କରାଯିବ। ଏହି ଦିନରେ ପ୍ରତ୍ୟେକ ପରିବାରକୁ ଖଦି ତିଆରି ବସ୍ତ୍ର କିଣିବା ପାଇଁ ସଚେତନ ସୃଷ୍ଟି କରାଯିବା ସହ ଗ୍ରାମୋଦ୍ୟଗକୁ ପ୍ରୋତ୍ସାହନ କରାଯିବ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ୬ ଜଣିଆ କମିଟି ଗଠନ କରାଯାଇଛି। ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବିମ୍ବାଧର କୁଅଁର ଏହାର ନେତୃତ୍ୱ ନେଉଥିବାବେଳେ ପୂର୍ବତନ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ସହସଂଯୋଜିକା ରହିଛନ୍ତି। ସଦସ୍ୟ ଭାବେ ଡ. ଅମୂଲ୍ୟ ଚୌଧୁରୀ, ବାସୁଦେବ ବାରିକ, ମୁକ୍ତା ସାହୁୁ ଓ ପ୍ରସନ୍ନ ପାଢ଼ୀ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବା ପାଇଁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଗାନ୍ଧୀ ଜୟନ୍ତୀର ବିଶେଷ ଅବସରରେ ମୁଁ ମହାତ୍ମା ଗାନ୍ଧୀଙ୍କୁ ପ୍ରଣାମ କରୁଛି । ତାଙ୍କ କାଳଜୟୀ ଶିକ୍ଷା ଆମ ପଥକୁ ଆଲୋକିତ କରିଚାଲିଛି। ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ସମଗ୍ର ମାନବିକତାକୁ ଏକତା ଏବଂ କରୁଣାର ଭାବନାକୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଯୋଗାଏ।

ଆମେ ସର୍ବଦା ତାଙ୍କ ସ୍ୱପ୍ନ ପୂରଣ ପାଇଁ କାର୍ଯ୍ୟ କରିବା। ତାଙ୍କ ଚିନ୍ତାଧାରା ପ୍ରତ୍ୟେକ ଯୁବକଙ୍କୁ ସେହି ପରିବର୍ତ୍ତନର ବାହକ ହେବାରେ ସକ୍ଷମ କରୁ, ଯାହାକି ସବୁବେଳେ ଏକତା ଏବଂ ସଦଭାବକୁ ପ୍ରୋତ୍ସହିତ କରିଥାଏ।’

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧାନସଭାରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ, ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ବର: ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ ଏହା ପାଳନ କରାଯାଉଛି। ସେହିପରି ଓଡିଶା ବିଧାନସଭା ପ୍ରାଙ୍ଗଣରେ ମଧ୍ୟ ଏହି ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି।ଏହି ଅବସରରେ ବିଧାନସଭା ପ୍ରାଙ୍ଗଣ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯିବା ସହିତ ଏକ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଚସ୍ପତି ପ୍ରମିଳା ମଲ୍ଲିକ, ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂ ସମେତ ବହୁ ଅତିଥି ଯୋଗଦାନ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗାନ୍ଧୀ ଜୟନ୍ତୀ ଅବସରରେ ଲୋକସେବା ଭବନରେ ସ୍ବରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ। ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି। ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ବରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି। ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପବିତ୍ର ମାଟି ଓ ଜଳ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ସ୍ବରାଜ ବୃକ୍ଷ ରୋପଣ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଶ୍ବତ୍ଥ ବୃକ୍ଷ ସାରା ଦେଶରେ ଯୁଗ ଯୁଗ ଧରି ଶାନ୍ତି, ସ୍ବାଧୀନତା ଓ ଅହିଂସାର ବାର୍ତ୍ତା ବହନ କରିଆସିଛି ଏବଂ ଯୁଗ ଯୁଗ ପାଇଁ ଏ ବାର୍ତ୍ତା ବହନ କରିଚାଲିବ। ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବୃକ୍ଷ ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ଭଗବାନ ବୁଦ୍ଧଙ୍କ ସାଧନା ସହ ଯୋଡି ହୋଇ ରହିଛି। ଗୀତାରେ ମଧ୍ୟ ଏ ବୃକ୍ଷର ବର୍ଣ୍ଣନା ରହିଛି। ଏ ବୃକ୍ଷ ଆମ ସାମାଜିକ ଓ ସାଂସ୍କୃତିକ ଜୀବନର ସାକ୍ଷୀ। ଏହା ଅତୀତରେ ଥିଲା, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବ।

ଏହି ଅବସରରେ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି, ଶ୍ରୀ ନୀଳମଣି ସାମଲ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ପ୍ରତୀକ ଭାବେ ଏକ ଅରଟ ଉପହାର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ସାମଲଙ୍କୁ ଏକ ଶାଲ୍‌ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ସାରା ରାଜ୍ୟରେ ବୁଲି ବୁଲି ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ଅହିଂସା ରଥ ଆସି ଲୋକସେବା ଭବନରେ ପହଞ୍ଚିଥିଲା। ଏହାକୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଆହିଂସା ରଥକୁ ଓଡିଶାବାସୀ ଯେଭଳି ଭାବରେ ବିପୁଳ ସ୍ବାଗତ ସମ୍ମାନ ଜଣାଇଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉତ୍କଳ ପ୍ରସଙ୍ଗ, odisha review ର ସ୍ୱତନ୍ତ୍ର ସଂଖ୍ୟା ସହିତ ଓଡିଶା ରେ ଗାନ୍ଧୀ ପୁସ୍ତକ ର ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ, ଓ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀମଣ୍ଡଳ ର ସଦସ୍ୟ ବୃନ୍ଦ ବିଧାୟକ ଗଣ ମୁଖ୍ୟ ଶାସନ ସଚିବ , ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶଦାତା ଙ୍କ ସମେତ ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ବିଶିଷ୍ଟ ଗାୟିକା ନାଜ଼ୀଆ ଆଲାମ ରାମଧୁନ ଗାନ କରିଥିଲେ।