Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଶେଷ ହେଲା କୋର୍ଟ କଟକଣା, କର୍ମି ପାଳନ କଲେ ମୁକ୍ତି ଦିବସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଜି ସୁପ୍ରିମ କୋର୍ଟ କଟକଣା ଶେଷ ହୋଇଛି। ଜଗଦ୍ଦେବଙ୍କୁ ଏକ ବର୍ଷ ପାଇଁ ନିଜ ନିର୍ବାଚନ ମଣ୍ଡଳି ପ୍ରବେଶ ଉପରେ ରୋକ ଲଗାଯାଇଥିଲା। ସେହି କଟକଣା ଆଜି ଶେଷ ହେଲା। ଏହି ପରିପ୍ରେକ୍ଷୀରେ ବିଧାୟକଙ୍କ ସମର୍ଥକମାନେ ଚିଲିକାରେ ପାଳନ କରିଛନ୍ତି ମୁକ୍ତି ଦିବସ।

ବିଧାୟକଙ୍କ ପ୍ରତିନିଧି ଜୟନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବାଣପୁର ବାଇପାସ ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ଏହି ମୁକ୍ତି ଦିବସ ପାଳନ ହୋଇଥିଲା। ଏଥିରେ ଏକାଧିକ ନିର୍ବାଚିତ ବିଜେଡି ଜନ ପ୍ରତନିଧିମାନେ ଉପସ୍ଥିତ ଥିଲେ। ଆସନ୍ତା 28 ତାରିଖରେ ବିଧାୟକ ନିଜ ନିର୍ବାଚନ ମଣ୍ଡଳି ଚିଲିକା ଆସିବେ ଏବଂ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ବିଧାୟକ ବାଲୁଗାଁରୁ ବାଣପୁର ମା’ ଭଗବତୀ ମନ୍ଦିର ଦର୍ଶନ କରି ପଲଟନ ପଡିଆ ଯିବେ ଏବଂ ସେଠାରେ ତାଙ୍କୁ ବିଭିନ୍ନ ପାଇକ ସଂଗଠନ ଏବଂ ସମର୍ଥକଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି କୁହାଯାଇଥିଲା। ଅନୁରୂପ ଭାବେ ବିଧାୟକଙ୍କ ଉପରୁ  ଶିଘ୍ର ଦଳୀୟ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ କର୍ମିମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ତେବେ ଆଜିର ଉକ୍ତ ବୈଠକରେ ବହୁ ଛାମୁଆ ବିଜେଡି ନେତା ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି। ସେମାନଙ୍କୁ କୁଆଡେ ଶଙ୍ଖ ଭବନରୁ ଡାକରା ଆସିଥିବାର ଆଲୋଚନା ହେଉଛି। ବିଧାୟକଙ୍କ ରାଲି ବନ୍ଦ କରିବା ପାଇଁ କୁଆଡେ ଚାପ ପ୍ରୟୋଗ କରାଯାଉଛି ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାର ବିଜେଡି ରାଜନୀତିରେ ଯଦି ନୋ ରଘୁନାଥ, ନୋ ଜଗଦ୍ଦେବ, ତେବେ ଆଉ କିଏ ???

ସୀତାରାମ ଅଗ୍ରୱାଲ

ବାଣପୁର: ଚିଲିକାର ବିଜେଡି ରାଜନୀତିରେ ବର୍ତ୍ତମାନ ଘଡିକେ ଘୋଡା ଛୁଟୁଛି। କିଏ ସେ ବିଜେଡିର ନେତୃତ୍ବ ନେବ ତାହା ବର୍ତ୍ତମାନ କାହା ପାଖରେ ଖବର ନାହିଁ। ଏପରିକି ଚିଲିକା ଗସ୍ତରେ ଆସିଥିବା ବିଜେଡିର ମଙ୍ଗୁଆଳମାନେ ମଧ୍ୟ ଏ କଥାକୁ ସ୍ପଷ୍ଟ କଲେ ନାହିଁ। ଫଳରେ କର୍ମି ଆଗରୁ ଯେପରି ହତାସ ଥିଲେ ତାହା ପୁଣି ବୃଦ୍ଧି ପାଇଛି।

ପ୍ରକୃତରେ ଚିଲିକାରେ ବିଜେଡିରୁ କିଏ ଟିକେଟ ପାଇବ ତାହା ଏବେ କେହି କହିପାରିବେ ନାହିଁ। ହେଲେ ବିଜେଡିର କିଏ ମଙ୍ଗ ଧରିବା ତାହାକୁ ସ୍ପଷ୍ଟ କରିବାରେ ବଡବଡିଆ ନେତାଙ୍କର କିଛି ଅସୁବିଧା ନାହିଁ। ହେଲେ ସେ କଥା ମଧ୍ୟ କେହି କହୁ ନାହାଁନ୍ତି। ଖାଲି ଏତିକି କହିଲେ ଯେ ଚିଲିକାରେ ନେତା କେହି ନାହଁନ୍ତି। ଆମର ଜଣେ ନେତା ସେ ହେଉଛନ୍ତି ନବୀନ ପଟ୍ଟନାୟକ। ଏହି କଥାଟି ଏକ ଭିନ୍ନ ପ୍ରକାରର ଇଙ୍ଗିତ କରିଛି। କାରଣ ଆମର କେବଳ ଜଣେ ନେତା ବୋଲି କହିବା ଠିକ୍, ହେଲେ ଚିଲିକାରେ କେହି ନେତା ନାହାଁନ୍ତି କହିବା କଥାଟିକୁ ନେଇ ଚର୍ଚ୍ଚା ଚାଲିଛି।

ଚିଲିକାକୁ ଗତ ଅଠର ତାରିଖରେ ରାଜ୍ୟର ବରିଷ୍ଠ ନେତାମାନେ ଆସିଲେ। ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ବେଗୁନିଆ ବିଧାୟକ ଏବଂ ରାଜ୍ୟସଭା ସାଂସଦ ଆସି ବୈଠକ କଲେ। ହେଲେ ଆଶ୍ଚର୍ଯ୍ୟର କଥା କଣ ହେଲା କେଜାଣି ସେହି ବୈଠକରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଡକାଗଲା ନାହିଁ। ସେହିପରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ନୀ ସ୍ବାଗତିକାଙ୍କୁ ମଧ୍ୟ ଡକାଗଲା ନାହିଁ। ତେଣୁ ଚିଲିକାରେ କେହି ନେତା ନାହିଁନ୍ତି ବୋଲି ଏହି ବୈଠକ ହିଁ ପ୍ରମାଣିତ କରିଛି।

ଏହାର କିଛିଦିନ ପୂର୍ବରୁ ଭୁବନେଶ୍ବରର ଶଙ୍ଖ ଭବନରେ ଯେଉଁ ଖୋର୍ଦ୍ଧା ଜିଲ୍ଲା ବୈଠକ ଥିଲା ସେଥିରେ ଉଭୟ ରଘୁନାଥ ଏବଂ ସ୍ବାଗତିକା ଯୋଗ ଦେଇଥିଲେ। ସେହି ବୈଠକ ଦେଖି ଚିଲିକା କର୍ମି ଭାବିଲେ କଣ ଗୋଟିଏ ବୁଝାମଣା ହୋଇଛି। ହେଲେ ତାହାର କିଛି ଦିନ ପରେ ଚିଲିକା ବୈଠକରେ ଉଭୟଙ୍କୁ ଡକା ନ ଯିବାକୁ ନେଇ ସେହି ବୁଝାମଣା ଅବୁଝାମଣା ବୋଲି ସ୍ପଷ୍ଟ ହେଲା।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୈଠକ ପରେ ଆଉ ଏକ ବୈଠକ ଭୁବନେଶ୍ବରରେ କରାଯାଇଥିଲା। ସେହି ବୈଠକରେ କୁଆଡେ ରଘୁନାଥ ଏବଂ ବିଭୂତି ବଳବନ୍ତରାୟଙ୍କ ମଧ୍ୟରେ ଝଗଡା ଲାଗିଲା। ଏହାପରେ ସେଠାରେ ଉପସ୍ଥିତ ଥିବା ଚିଲିକା ନେତାମାନେ ଏକାସ୍ବରରେ ରଘୁନାଥଙ୍କୁ ଗାଳି କରିଥିଲେ।

ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡି ଆପଣଙ୍କ ପାଇ ହାରିଲା ବୋଲି ରଘୁନାଥଙ୍କ ମୁହଁ ଆଗରେ କହିଲେ। ରଘୁନାଥଙ୍କ ଉପରେ ନେତାମାନଙ୍କ ଅସନ୍ତୋଷ ଦେଖି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ  ଖପ୍ପା ହେଲେ। ରଘୁନାଥଙ୍କୁ ତୁରନ୍ତ ବୈଠକରୁ ବାହାରି ଯିବା ପାଇଁ ସେ କହିଲେ।

ଏହି ଘଟଣା ଘଟିବା ପରେ ପ୍ରଣବ ପ୍ରକାଶ ଚିଲିକାରେ ବିନା ରଘୁନାଥ ବିନା ସ୍ବାଗତିକାରେ ବୈଠକ କର ବୋଲି ନିର୍ଦ୍ଦେଶ ଦେଲେ। ଫଳର ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଚିଲିକା ନେତାଙ୍କୁ ଡାକି ଜୋନ ୱାରି ବୈଠକ କଲେ। ଆଉ ସେଠାକୁ ଉଭୟଙ୍କୁ ଡାକିଲେ ନାହିଁ। ଏହି କଥା ବର୍ତ୍ତମାନ ଚିଲିକାର କର୍ମି ମହଲରେ କାନକୁ କାନ ଘୁରିବୁଲିବାରେ ଲାଗିଛି।

ପରବର୍ତ୍ତି ସମୟରେ ପ୍ରଣବ ପ୍ରକାଶ ଦାସ ଚିଲିକା ବିଧାୟକଙ୍କ ପତ୍ନୀ ସ୍ବାଗତିକାଙ୍କୁ ଡାକି କିଛି ଆଲୋଚନା କରିଛନ୍ତି। ବର୍ତ୍ତମାନ ପାଇଁ ସେ ପୂର୍ବପରି ଚିଲିକା ଦାୟିତ୍ବରେ କାର୍ଯ୍ୟ କରନ୍ତୁ ବୋଲି କୁଆଡେ ପ୍ରଣବ ପ୍ରକାଶ ଦାସ କହିଥିବାର ଶୁଣାଯାଉଛି। ଏହାପରେ ସେ ଚିଲିକାର ସମସ୍ତ ନେତାଙ୍କୁ ଭେଟି ପୁଣି ଥରେ ସକ୍ରିୟ ହେବେ ବୋଲି ଜଣାପଡିଛି। ହେଲେ ତାହା କେତେଦୂର କାର୍ଯ୍ୟକାରୀ ହେବ ସେ ନେଇ ସନ୍ଦେହ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାକୁ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଘନ ଘନ ଗସ୍ତ, ପୁଣି ହେଲା ବୈଠକ

ଚିଲିକା: ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେଡି ରାଜନୀତି ବେଶ ସକ୍ରିୟ ହୋଇପଡିଛି। ପୁଣି ଥରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଚିଲିକା ଗସ୍ତ କରିଛନ୍ତି। ସେ ନାଚୁଣୀଠାରେ ଚିଲିକା ବ୍ଲକର ଜିଲ୍ଲା ପରିଷଦ ଜୋନ  ୪, ୫, ୬ ର କର୍ମକର୍ତ୍ତାମାନଙ୍କର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଚିଲିକାରେ କିପରି ଦଳକୁ ସୁୃଦୃଢ କରାଯିବ ସେ ନେଇ ସେ ଉଦବୋଧନ ଦେଇଛନ୍ତି।

ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ୍ୟ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ଚିଲିକା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ରାଜା ଚକ୍ର, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ଏବଂ ଚିଲିକା ବ୍ଲକ ର ସମସ୍ତ ବିଜେଡି ନେତା, କର୍ମୀ, ଛାତ୍ର, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ବିଧାୟକ ପ୍ରତିନିଧି, ଏମପି ପ୍ରତିନିଧି, ସଭାପତି ଆଦି ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ପୂର୍ବରୁ ପ୍ରଣବ ପ୍ରକାଶ ନାଚୁଣୀ ଆସି ସମସ୍ତଙ୍କ ସହିତ ଆଲୋଚନା କରିଥିଲେ। ତେବେ ସେତେବେଳେ ସେ ଅଳ୍ପ ସମୟ କର୍ମିଙ୍କ ସହ ରହି ଆଲୋଚନା କରିଥିଲେ। ହେଲେ ଆଜି ସେ ସବୁ ନେତାଙ୍କ ଗହଣରେ ଦଳର ସଂଗଠନ ପାଇଁ ବିସ୍ତୁତ ଭାବେ ଆଲୋଚନା କରିଥିଲେ। ହେଲେ ଏହି ବୈଠକରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏବଂ ବିଧାୟକଙ୍କ ପତ୍ନୀ ସ୍ବାଗତିକା ଜଗଦ୍ଦେବଙ୍କୁ ଦେଖିବାକୁ ମିଳି ନ ଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ବିଜେଡିର ଟାଣୁଆ ନେତା, କିନ୍ତୁ ଉଭାନ ହେଲେ ରଘୁନାଥ ଏବଂ ସ୍ବାଗତିକା

ସୀତାରାମ ଅଗ୍ରୱାଲ

ଚିଲିକା: ଦୀର୍ଘ ସମୟ ବ୍ୟବଧାନ ପରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ ବିଜେଡିର ଟାଣୁଆ ନେତା। ସେମାନେ ମା’ମେଘମ୍ବାରି କଲ୍ୟାଣ ମଣ୍ଡପରେ ଏକ ସଭାର ଆୟୋଜନ କରିଥିଲେ ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଏହି ବୈଠକରେ ନିକଟରେ ପ୍ରଣୟନ ହୋଇଥିବା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର  କିପରି ସୁବିନିଯୋଗ ହୋଇପାରିବ ସେ ନେଇ ଚିଲିକା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ବାଣପୁର ବ୍ଲକର 15ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ତତ୍ୱାବଧାନରେ ଏହି ବୈଠକ କରାଯାଇଥିଲା।

ଏଥିରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ତୋରସିଂହ ପଞ୍ଚାୟତ ସମିତି ସଭ୍ୟ କୁମାର ଜଗତ ବଲ୍ଲଭ ମହାରଥା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ନେତାମାନେ ମା’ ଭଗବତୀ ମନ୍ଦିର ଗସ୍ତ କରି ମା’ଙ୍କ ଆଶୀର୍ବାଦ ନେଇଥିଲେ। ମା’ ଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ।

ଚିଲିକାର ଗୋଳିଆ ରାଜନୀତିକୁ ଆଖି ଆଗରେ ରଖି ଜିଲ୍ଲା ସଭାପତି ବଳବନ୍ତରାୟ କହିଥିଲେ ଆମର ଦଳ ହେଉଛି ବିଜେଡି ଓ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ତେଣୁ ସମସ୍ତ ଦଳୀୟ କର୍ମୀମାନଙ୍କୁ ଏକାଠି ରହି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା ଆମ ଓଡିଶା ନବୀନ ଓଡିଶା ଯୋଜନାରେ କେଉଁ କେଉଁ କାର୍ଯ୍ୟ ହେବ ଏବଂ ତାହାର ରୂପରେଖ କଣ ରହିବ ତାହାର ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ବିଧାୟକ ରାଜେନ୍ଦ୍ର ସାହୁ ପରୋକ୍ଷ ଭାବରେ ବିଗତ ଦିନରେ ଆପଣ ମାନେ ଚିଲିକାରୁ ବିଜେଡିର ବିଧାୟକ ପ୍ରାର୍ଥୀଙ୍କୁ ଦୁଇ ଦୁଇଥର ନିର୍ବାଚିତ କରିଛନ୍ତି ଏଥର ମଧ୍ୟ ଆପଣମାନେ ବିଜେଡି ପ୍ରାର୍ଥୀଙ୍କୁ ନିର୍ବାଚିତ କରନ୍ତୁ। ଦଳରେ ପ୍ରାର୍ଥୀ ନେଇ ଦ୍ଵନ୍ଦ ହେବା ସ୍ୱାଭାବିକ କଥା। ତେଣୁ ଆମର ନେତା ନବୀନ ବାବୁ ହିଁ ପ୍ରାର୍ଥୀ ଚୟନ କରିବେ। ଯିଏ ବି ପ୍ରାର୍ଥୀ ହେବ ଆମମାନଙ୍କର ଦାୟିତ୍ୱ ହେଉଛି ତାକୁ ଜିତେଇବା। ଆଗାମୀ ଦିନରେ ପୁଣି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କର୍ମୀମାନଙ୍କୁ ଶପଥ କରାଇଥିଲେ।

ସାଂସଦ ଶ୍ରୀ ମଙ୍ଗରାଜ ଆମ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମକୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଏବଂ ନବୀନଙ୍କ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ କହିଥିଲେ। 15 ନମ୍ବର ଜୋନରୁ ବିଜେଡି ର ନିର୍ବାଚନ ବିଗୁଲ ବାଜିଲା ବୋଲି କହିବା ସହ ଆଗକୁ ଚିଲିକାର ଅନ୍ୟ ପାଞ୍ଚଗୋଟି ଜୋନରେ ଏହି ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ ଏବଂ ନବୀନ ବାବୁଙ୍କ ଯୋଜନାକୁ ଲୋକାଭିମୁଖୀ କରିବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ।

ସେହିପରି ନାଚୁଣୀଠାରେ ଆଉ ଏକ ବୈଠକ କରାଯାଇଥିଲା। ଯେଉଁଥିରେ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ। ସେଠାରେ ମଧ୍ୟ ଏହି ନେତାମାନଙ୍କ ସହିତ ଚିଲିକାର ସମସ୍ତ ନେତା ଯୋଗଦେଇଥିଲେ। ସେଠାରେ ମଧ୍ୟ ପ୍ରଣବ ପ୍ରକାଶ ଦାସ ଦଳକୁ ସୁଦୃଢ କରିବା ପାଇଁ ନେତାମାନଙ୍କୁ ଆହ୍ବାନ ଦେଇଥିଲେ। ଆମର ନେତା ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ତାଙ୍କୁ ଜିତାଇବା ଆମର କାମ ବୋଲି ସେ କହିଥିଲେ।

ତେବେ ବହୁ ଦିନ ପରେ ଚିଲିକାକୁ ବିଜେଡିର ଟାଣୁଆ ନେତାମାନେ ଆସିଥିବା ବେଳେ  ଚିଲିକା ବିଧାୟକଙ୍କ ଧର୍ମପତ୍ନୀ ସ୍ଵାଗତିକା ଜଗଦ୍ଦେବ ଏବଂ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଉକ୍ତ ସମୟରେ ଦେଖିବାକୁ ମିଳିନଥିଲା। ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଫଳରେ ଆଗାମୀ ଦିନରେ ଚିଲିକାରୁ ଏହି ଦୁଇ ନେତା ଟିକେଟ ନ ପାଇବା ନେଇ ସନ୍ଦେହ ଉପୁଜିଛି।

ବିଦ୍ର- ଚିଲିକାର ବିଜେଡି ବୈଠକରେ କାହିଁକି ଯୋଗ ଦେଲେ ନାହିଁ ରଘୁନାଥ ସାହୁ ଏବଂ ସ୍ବାଗତିକା ଜଗଦ୍ଦେବ, ଜାଣିବା ପାଇଁ କ୍ଲିକ କରୁଥାଆନ୍ତୁ thesamikhsya.com/odia

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତୀୟ ନୌସେନା ପକ୍ଷରୁ ଆୟୋଜିତ ହେବ ଇଣ୍ଡିଆନ୍ ନେଭି କୁଇଜ୍ ପ୍ରତିଯୋଗିତା

ସୀତାରାମ ଅଗ୍ରୱାଲ

ଚିଲିକା: ଜି-୨୦ ଥୀଙ୍କ ଶିଖର ସମ୍ମିଳନୀର ଏକ ଅଂଶ ଭାବରେ, ଭାରତୀୟ ନୌସେନା ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ସ୍କୁଲ ପିଲାମାନଙ୍କ ପାଇଁ ‘ଇଣ୍ଡିଆନ୍ ନେଭି କୁଇଜ୍ (G20 THINQ)’ ନାମକ ଏକ ଜାତୀୟ ତଥା ଆନ୍ତର୍ଜାତୀୟ କୁଇଜ୍ ପ୍ରତିଯୋଗିତା ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ, ଜାତୀୟ ରାଉଣ୍ଡ ଏବଂ ଆନ୍ତର୍ଜାତୀୟ ରାଉଣ୍ଡରେ କରାଯିବ ବୋଲି ଯୋଜନା କରାଯାଇଛି।

ଜି-୨୦ ଅଧୀନରେ ଆନ୍ତର୍ଜାତୀୟ ରାଉଣ୍ଡ ଆୟୋଜନ କରାଯିବାର ଯୋଜନା ରହିଛି। କୁଇଜ୍ ପ୍ରିଲିମ ପ୍ରତିଯୋଗିତା ଅନଲାଇନ ଏବଂ ସେମି ଫାଇନାଲ୍ ଓ ଫାଇନାଲ୍ ପ୍ରତିଯୋଗିତା ମୁମ୍ବାଇର ଗେଟୱେ ଏଫ ଇଣ୍ଡିଆ ଠାରେ ଅନୁଷ୍ଠିତ ହେବ। ସର୍ବୋତ୍ତମ କୁଇଜ୍ ଟିମ ଗୁଡିକ, ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଠାରେ ହେବାକୁ ଥିବା ଆନ୍ତର୍ଜାତୀୟ ରାଉଣ୍ଡରେ ଭାଗ ନେଇ ଭାରତର ପ୍ରତିନିଧିତ୍ୱ କରିବେ।

ଆଗ୍ରହୀ ବିଦ୍ୟାଳୟଗୁଡ଼ିକ www.theindiannavyquiz.in ୱେବସାଇଟରେ ପଞ୍ଜୀକୃତ ହୋଇ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାର ରଘୁ ସାହୁଙ୍କୁ ବହିସ୍କାର ବଦଳରେ ମିଳିଲା ପୁରସ୍କାର, ଅଡୁଆରେ ବିଜେଡି କର୍ମି ଓ ନେତା

ଭୁବନେଶ୍ବର: ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିଜେଡି ବହିସ୍କାର କରିବା ପରିବର୍ତ୍ତେ ପୁରସ୍କାର ଦେଇଛି। କାରଣ ନିକଟରେ ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ସଂଗଠନର ସମୀକ୍ଷା ବୈଠକରେ ସେ ସାମିଲ ହୋଇଛନ୍ତି। ବଡ ନେତାଙ୍କ ଗହଣରେ ତାଙ୍କୁ ସ୍ଥାନ ମିଳିଛି। ଯାହା ତାଙ୍କ ପାଇଁ ବିଜେଡିର ବଡ ପୁରସ୍କାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

କାରଣ ସେ ବିଗତ ଦିନରେ ବିଜେଡିର ବହୁ ନେତାଙ୍କୁ ଗାଳି କରିଥିଲେ, ପଞ୍ଚାୟତ ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀ ହାରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେଥିପାଇଁ ସମସ୍ତେ ଭାବି ଥିଲେ ତାଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ନେବ। ହେଲେ ତାହା ହେଲା ନାହିଁ । ବଂର ତାଙ୍କୁ ନିମନ୍ତ୍ରଣ କରି ଶଙ୍ଖ ଭବନରେ ବସାଇଲେ। ଯାହାକୁ ନେଇ ବହୁ ବିଜେଡି କର୍ମି ଏବଂ ନିର୍ବାଚିତ ପ୍ରତିନିଧ ଦଳର ଏପରି ପଦକ୍ଷେପକୁ ନାମପସନ୍ଦ କରିଛନ୍ତି।

ରଘୁନାଥ ଏକଦା ଏକ ସାମ୍ବାଦିକ ସମ୍ମିଳନୀ କରି ସାଂସଦ ପିନାକୀ ମିଶ୍ର, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କୁ ଗାଳି କରିଥିଲେ। ପରୋକ୍ଷରେ ନୁହେଁ ସିଧା ସେମାନଙ୍କ ନାଁ ଧରି ସେମାନେ ଦୁର୍ନିତିଗସ୍ତ ନେତା ବୋଲି କହିଥିଲେ। ସେମାନେ ପିସି କାରବାର କରୁଛନ୍ତି ବୋଲି କହିଥିଲେ। ଏହାର ଉଚିତ ଜବାବ ଦିଆଯିବ ବୋଲି ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ବାଲୁଗାଁରେ ଆୟୋଜିତ ବିଜେଡି ବୈଠକରେ କହିଥିଲେ। ହେଲେ ସେଥିରେ ମଧ୍ୟ କିଛି କିଛି ହେଲା ନାହିଁ।

ବିଜେଡିର ନେତାମାନଙ୍କୁ ଖୋଲମଖୁଲା ଗାଳି କରିବା, ସେମାନେ ଦୁର୍ନିତି ଗସ୍ତ ବୋଲି କହିବା, ସେହି ଦୁର୍ନିତିଗସ୍ତ ନେତାଙ୍କ ପାଇଁ ଚିଲିକାରେ ବିଜେଡି ହାରିବ ବୋଲି କହିବା ପରେ ମଧ୍ୟ ରଘୁନାଥଙ୍କୁ ବିଜେଡି କୋଳରେ ବସାଇଲା। ଫଳରେ କର୍ମିମାନେ ଭାବିଲେଣି ଯେ, ଦଳରେ ରହି ଦଳ ବିରୋଧୀ କାମ କଲେ ବୋଧହୁଏ ବିଜେଡି ଖୁସି ହେଉଛି। ବିଜେଡିକୁ ରଘୁନାଥ କି ପ୍ରକାରର ଗଦ ଶୁଙ୍ଘାଇଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯଦି ଚିଲିକାର ବିଜେଡି ରାଜନୀତିକୁ ନିରେକ୍ଷୀ ଦେଖାଯାଏ ତେବେ ବିଜେଡିରୁ ବହିସ୍କାର ହୋଇଥିଲେ ମଧ୍ୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସପକ୍ଷରେ ବହୁ କର୍ମି ଓ ନେତା ରହିଛନ୍ତି। ଏବେ ବି ସେମାନେ ବିଧାୟକଙ୍କୁ ସମର୍ଥନ କରୁଛନ୍ତି। ରଘୁନାଥଙ୍କୁ ବିରୋଧ କରୁଛନ୍ତି। ଯଦି ଆଗାମୀ ଦିନରେ ବିଜେଡି ରଘୁନାଥଙ୍କୁ ଟିକେଟ ଦିଏ, ତେବେ ବିରୋଧୀ ଗୋଷ୍ଠୀଙ୍କୁ ସେ କିପରି ସାଥୀରେ ନେବେ ଏବଂ ସେମାନେ ରଘୁନାଥଙ୍କୁ କିପରି ସାହାଯ୍ୟ କରିବେ ତାହା ସନ୍ଦେହ ଯୁକ୍ତ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାର ବରିଷ୍ଠ ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ନିଳାଦ୍ରୀପ୍ରସାଦ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡି ନେତା ପ୍ରଦୀପ କୁମାର ଜାନି, ନାରାୟଣ ସାହୁ, ପିତବାସ ନାୟକ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ରାଉତ, ରମେଶ ବେହେରା, ପବିତ୍ର ଜାନି, ଦିଗାମ୍ବର ସାମନ୍ତରାୟ, ସୁକଦେବ ଲେଙ୍କା ପ୍ରମୁଖ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଏହି ମିଶ୍ରଣ ପର୍ବ ଅବସରରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ଜିଲ୍ଲା ଉପସଭାପତି ବିଜୟ ବିଶ୍ୱାଳ, ଜିଲ୍ଲା ସାଧାରଣ ସଂପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ସଂପାଦକ ବିଦ୍ୟୁତ କୁମାର କାଣ୍ଡି, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ବେହେରା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଜିତେନ୍ଦ୍ର କୁମାର ଭୋଳ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ମିଶନ ଖୋର୍ଦ୍ଧା ଜିଲ୍ଲା, ଏଥର ଭୁବନେଶ୍ବର ଓ ଜଟଣୀ ଆସନ ଛଡାଇ ଆଣିବାକୁ ଯୋଜନା

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ଗରମ ହେବାରେ ଲାଗିଛି। ସେହି କ୍ରମରେ ବିଜେଡି ତାହାର ରଣନୀତି ଆରମ୍ଭ କରିବାରେ ଲାଗିଛି। ବିଭିନ୍ନ ସଂଗଠନର ନୂଆ କର୍ମକର୍ତ୍ତା ନିଯୁକ୍ତି ପରେ ଏବେ ଜିଲ୍ଲା ସ୍ତରୀୟ ସମୀକ୍ଷା ଆରମ୍ଭ ହୋଇଛି। ଗତକାଲି ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଂଗଠନ ମଜବୁତ ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା।

ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳିର ବିଧାୟକ ସୁଶାନ୍ତ ରାଉତଙ୍କ ଅଧକ୍ଷ୍ୟତାରେ ବସିଥିଲା ଏହି ବୈଠକ। ଏଥିରେ ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ବରର ସମସ୍ତ ବିଜେଡି ବିଧାୟକ ଏବଂ ନିର୍ବାଚିତ ପ୍ରତିନିଧି ଯୋଗଦେଇ ଆଗାମୀ ଦିନରେ ସଂଗଠନକୁ କିପରି ମଜବୁତ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ଥିବା ହଜାରେ ବୁଥକୁ ମଜବୁତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।

ଏଥିରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ନେତାମାନଙ୍କୁ ଆହୁରି ଦୃଢ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେଥିପାଇଁ ଦଳର କର୍ମିମାନେ ଏକାକାର ହୋଇ ସଂଗଠନକୁ ମଜବୁତ କରିବା ଆବଶ୍ୟକ ରହିଛି ବୋଲି ପ୍ରଣବ କହିଥିଲେ।

ତେବେ ଏହି ବୈଠକରେ ଆଗାମୀ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଧାନସଭା ଆସନ ଏବଂ ଭୁବନେଶ୍ବର ଲୋକସଭା ଆସନ ଯେପରି ବିଜେଡି ଅକ୍ତିଆର କରିବ ସେ ନେଇ ରଣନୀତି କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାର କେବଳ ଜଟଣୀ ବିଧାନସଭା ଆସନ ଏବଂ ଭୁବନେଶ୍ବର ଲୋକସଭା ଆସନ ବ୍ୟତିତ ଅନ୍ୟ ସବୁ ଆସନରେ ବିଜେଡି ଜିତିଛି। ଏଥର ଏହି ଦୁଇ ଆସନକୁ କିପରି ଛଡାଇ ଆଣାଯିବ ସେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଛି।

ଏହି ବୈଠକରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବିନ୍ଦ୍ର ଜେନା, ଖୋର୍ଦ୍ଧା ବିଜେଡି ସଭାପତି ବିଭୂତି ବଳବନ୍ତରାୟ, ସାଂସଦ ମାନସ ମଙ୍ଗରାଜ, ସାଂସଦ ମୁନ୍ନା ଖାଁ, ପୂର୍ବତନ ବିଧାୟକ ରଘୁ ସାହୁ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ନୀ ସ୍ବାଗତିକା ଜଗଦ୍ଦେବ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଲିକା ଓ ବାଣପୁର ବ୍ଲକର ୫-ଟି ବିଦ୍ୟାଳୟ ପରିଦର୍ଶନ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଓ ବାଣପୁର ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି ଚିଲିକା ଓ ବାଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଶ୍ରୀ ତରାଇ ୫-ଟି ଉପକ୍ରମରେ ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ସେଠାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ଯ ସମୀକ୍ଷା ସହ ଶିକ୍ଷା ବ୍ଯବସ୍ଥାର ଅନୁଧ୍ଯାନ କରିଥିଲେ।

ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷକମାନଙ୍କର ଉପସ୍ଥାନ,ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ଓ ମଧ୍ଯାହ୍ନ ଭୋଜନର ମାନ ଆଦି ନିରିକ୍ଷଣ କରିବା ସହ ୫-ଟି ମାଧ୍ୟମରେ ଉନ୍ନତମାନର ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ଗମ୍ଭାରୀମୁଣ୍ଡା ସ୍ଥିତ ସରକାରୀ ଆଦର୍ଶ ବିଦ୍ୟାଳୟ,ଅଲାଇଡିହ ୫-ଟି ବିଦ୍ୟାଳୟରେ ଇଂରାଜୀ ମାଧ୍ୟମ ଶିକ୍ଷାରେ ଛାତ୍ରଛାତ୍ରୀ ମାନେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ନିର୍ମାଣାଧିନ କୋଠା କାର୍ଯ୍ୟକୁ ଶିଘ୍ର ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ମହାରଣା ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ଭାବେ ଚିଲିକା ବ୍ଲକର କାଳୁପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଦଣ୍ଡପାଣି ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ ଅଧିକାରୀ। ଉକ୍ତ ଗସ୍ତ ସମୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ସମସ୍ତ ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ରହି ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ଯଥାସାଧ୍ୟ ପ୍ରସ୍ତାବ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ବିଧାୟକଙ୍କ ଏଣ୍ଟ୍ରି ପରେ ବଦଳିବ କି ରାଜନୀତି ପାଣିପାଗ!! ଅପେକ୍ଷାରେ ସବୁ ଦଳ

ସୀତାରାମ ଅଗ୍ରୱାଲ

ଚିଲିକା: ସାଧାରଣ ନିର୍ବାଚନ ଆଉ ମାତ୍ର ମାସ କେଇଟା ଥିବା ବେଳେ ଚିଲିକା ନିର୍ବାଚନ ମଣ୍ଡଳି ରାଜନୀତି ସମ୍ପୂର୍ଣ୍ଣ ଗୋଳିଆ ହୋଇଛି। ବିରୋଧି ବିଜେପିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ପ୍ରାୟତଃ ନିଶ୍ଚିତ ହୋଇସାରିଥିବା ବେଳେ ଶାସକ ବିଜେଡିର ଏ ପର୍ଯ୍ୟନ୍ତ ଅଙ୍କ ଛିଣ୍ଡିପାରି ନାହିଁ।

ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ନିଜ ନିର୍ବାଚନ ମଣ୍ଡଳିରୁ ବର୍ଷକ ପାଇଁ ଦୁରେଇ ରହିଛନ୍ତି। ଫଳରେ ଚିଲିକାରେ ଶାସକ ବିଜେଡି ଏକ ପ୍ରକାର ନେତୃତ୍ବ ହୀନ ହୋଇପଡିଛି। ବିଜେପିକୁ କାଉଣ୍ଟର କରିବା ପାଇଁ ବିଜେଡିର କୌଣସି ସ୍ଥାନୀୟ ନେତା ଫ୍ରଣ୍ଟଲାଇନକୁ ଆସିପାରୁ ନାହାଁନ୍ତି।

ଅନ୍ୟପକ୍ଷରେ ଏବେବି ଟିକେଟ ଆଶାୟୀ ଥିବା ପୂର୍ବତନ ରଘୁନାଥ ସାହୁ ଏକଲା ଚଲୋ ନିତିରେ ସଂଗଠନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ନିର୍ବାଚନ ମଣ୍ଡଳିର ପ୍ରତି ଛୋଟଛୋଟ କାର୍ଯ୍ୟକ୍ରମରେ ସାମିଲ ହୋଇ ଟିକେଟର ପ୍ରଥମ ଦାବିଦାର ବୋଲି ଦଳକୁ ସନ୍ଦେଶ ଦେବା ପାଇଁ ଚେଷ୍ଠା କରୁଛନ୍ତି। ଏପରିକି ରଘୁନାଥଙ୍କୁ ଯଦି ଦଳ ଟିକେଟ ନ ଦିଏ ତେବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବେ ବୋଲି ତାଙ୍କ ସମର୍ଥକ ମାନେ କହି ବୁଲିଲେଣି।

ଏପରି ପରିସ୍ଥିତିରେ ପଞ୍ଚାୟତ ଏବଂ ଏନଏସି ସ୍ତରର ନେତାମାନେ ମଧ୍ୟ ବିଧାୟକ ପ୍ରାର୍ଥୀ ହେବା ସ୍ବପ୍ନ ଦେଖିବା ଆରମ୍ଭ କଲେଣି। ଯାହାକି ସୋସିଆଲ ମିଡ଼ିଆ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇପଡୁଛି। ପାଖାପାଖି ଦଶ ବିଜେଡି ନେତା ବିଧାୟକ ଟିକେଟ ପାଇଁ ଆଶାୟୀ ରହିଛନ୍ତି। ଦିନକୁ ଦିନ ଏହି ତାଲିକା ମଧ୍ୟ ବଢିବାରେ ଲାଗିଛି।

ନୂଆ ଆଶାୟୀଙ୍କ ମଧ୍ୟରେ ଅଛନ୍ତି ବିଧାୟକଙ୍କ ପ୍ରତିନିଧି ତଥା କୁମାରାଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଏବଂ ବର୍ତ୍ତମାନ ସରପଞ୍ଚଙ୍କ ସ୍ୱାମୀ ମନୋଜ ପ୍ରଧାନ। ମନୋଜଙ୍କ ସମର୍ଥକମାନେ  ସୋସିଆଲ ମିଡିଆରେ କରୁଥିବା ପୋଷ୍ଟ ଗୁଡିକରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ସେ ମଧ୍ୟ ବିଧାୟକ ପ୍ରାର୍ଥୀ ବୋଲି ନିଜକୁ ପରୋକ୍ଷରେ ଦାବୀ କରିବାରେ ଲାଗିଛନ୍ତି।

ନିକଟରେ ବିଧାୟକ ଜଗଦ୍ଦେବଙ୍କ ଗ୍ରାଣ୍ଡ ଏଣ୍ଟ୍ରି କରିବା ପାଇଁ ଯେଉଁ ପ୍ରସ୍ତୁତି ବୈଠକ କରିଥିଲେ ସେଥିରେ ବିଜେଡିର ବହୁ ଆଗଧାଡ଼ିର ନେତା ତଥା ନିର୍ବାଚିତ ପ୍ରତିନିଧି ଅନୁପସ୍ଥିତ ଥିଲେ। ବିଶେଷ ସୂତ୍ର ମୁତାବକ ଅନୁପସ୍ଥିତ ନେତାମାନଙ୍କ ଉଦେଶ୍ୟ କିଛି ଅଲଗା ରହିଛି। ସେମାନେ ଏଥର ଚିଲିକାରେ ଆମଦାନୀ ନେତା ନୁହଁ ବରଂ ସ୍ଥାନୀୟ ନେତା ବିଜେଡିରୁ ବିଧାୟକ ହୁଅନ୍ତୁ ବୋଲି କର୍ମୀ ଏବଂ ନେତାମାନେ ଚାହୁଁଛନ୍ତି।

ଗୋଟିଏ ପଟେ ବିଜେପି ତାହାର ରଣନୀତି ପୁର୍ବରୁ ପ୍ରସ୍ତୁତ କରି ସଂଗଠନ ଜାରି ରଖିଥିବା ବେଳେ ଅନ୍ୟପକ୍ଷେ ବିଜେଡିର ନେତାମାନେ ପରସ୍ପର କନ୍ଦଳରେ ବ୍ୟସ୍ତ ଅଛନ୍ତି। ଯାହାକି ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି। ଏପରି ଗୋଳିଆ ସ୍ଥିତି ଦେଖି ଶାସକ ଦଳ କି ପ୍ରକାରର ଗୋଟି ଚାଳନା କରିବ ତାହା ଜଣାପଡି ନାହିଁ।

ତେବେ ସମସ୍ତଙ୍କ ନଜର ରହିଛି ଜୁଲାଇ ୨୮ ତାରିଖକୁ। କାରଣ ଉକ୍ତ ଦିନ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିଜ ନିର୍ବାଚନମଣ୍ଡଳିକୁ ଗ୍ରାଣ୍ଡ ଏଣ୍ଟ୍ରି ମାରିବେ। ଏଥିପାଇଁ ଚାଲିଛି ବିରାଟ ଆୟୋଜନ। ତେବେ ବିଧାୟକ ନିର୍ବାଚନ ମଣ୍ଡଳିକୁ ଆସିବା ପରେ ଅସଲି ରାଜନୈତିକ ଖେଳ ଆରମ୍ଭ ହେବ ବୋଲି ଜଣାପଡିଛି। ସେତେବେଳେ ଚିଲିକାରେ ବିଜେଡି ସ୍ଥିତିର ଆକଳନ କରି  ହେବ।

Categories
ଆଞ୍ଚଳିକ

ଦ୍ଵିତୀୟ ଦିନରେ ଚିଲିକାର ୨୭୦ ହେକ୍ଟର ଅଞ୍ଚଳ ହେଲା ଘେରିମୁକ୍ତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ପ୍ରକୃତିମୟୀ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଚିଲିକାରେ ବେଆଇନ ଘେରି ଉଛେଦ ଅଭିଯାନ ଜାରି ରହିଥିବା ବେଳେ ରବିବାର ଦ୍ଵିତୀୟ ଦିନରେ ପାଖାପାଖି ୨୭୦ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି। ଉକ୍ତ ଅଭିଯାନରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡଙ୍ଗୀ, ବାଲୁଗାଁ ପୋଲିସ କର୍ମଚାରୀ, ଚିଲିକା ମତ୍ସ୍ୟ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ ଓ ଟିମ ସାମିଲ ଥିଲେ।

ଦ୍ଵିତୀୟ ଦିନରେ ଚିଲିକା ବ୍ଲକ ଅନ୍ତର୍ଗତ ନଈରୀ, କୁମାଣ୍ଡଳ, ହାଟବରଡ଼ି ପର୍ଯ୍ୟନ୍ତ ପ୍ରାୟତଃ ୨୭୦ ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି। ସକାଳ ୭.୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଉକ୍ତ ଉଛେଦ ଅଭିଯାନ ଚାଲିଥିବା ବେଳେ ସମୁଦାୟ ୨୩ କୁଇଣ୍ଟାଲ ଜିରୋ ନେଟ ଉକ୍ତ ଅଞ୍ଚଳରୁ ଜବତ କରାଯାଇଥିବା ତହସିଲଦାର ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଚିଲିକାରୁ ଘେରି ଉଚ୍ଛେଦ ଅଭିଯାନ ଜାରି: ଆଜି ଘେରିମୁକ୍ତ ହେଲା ୬୦୦ ହେକ୍ଟର ଅଞ୍ଚଳ

ସୀତାରାମ ଅଗ୍ରୱାଲ

ଚିଲିକା: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରକୃତିମୟୀ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରହିଥିବା ବେଳେ ପ୍ରଥମ ଦିନରେ ପାଖାପାଖି ୬୦୦ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି।

ଉକ୍ତ ଅଭିଯାନରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡଙ୍ଗୀ, ଅତିରିକ୍ତ ତହସିଲଦାର ସମୀକ୍ଷା ପାଣି, ବାଲୁଗାଁ ପୋଲିସ କର୍ମଚାରୀ, ଚିଲିକା ମତ୍ସ୍ୟ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ ଓ ଟିମ ସାମିଲ ଥିଲେ। ପ୍ରଥମ ଦିନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ଜେଟି ଠାରୁ ବାଲୁଗାଁ ପର୍ଯ୍ୟନ୍ତ ପ୍ରାୟତଃ ୬୦୦ ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି। ସକାଳ ୭.୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଉକ୍ତ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ସମୁଦାୟ ୧୨ ହଜାର ଫୁଟ ଜିରୋ ନେଟ(୨୫ କୁଇଣ୍ଟାଲ) ଉକ୍ତ ଅଞ୍ଚଳରୁ ଜବତ କରାଯାଇଥିବା ତହସିଲଦାର ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଚିଲିକା ଉପକୂଳରେ ଦେବୀ ମନସା 

ଅଧ୍ୟାପକ ଡକ୍ଟର ସତ୍ୟ ଷଡ଼ଙ୍ଗୀ

ଆଜି ଶ୍ରାବଣ କୃଷ୍ଣ ପଞ୍ଚମୀ, ମନସା ପଞ୍ଚମୀ। ଦେବୀ ମନସାଙ୍କ ଆରାଧନା ଦିନ। ସୁପ୍ତେ ଜନାର୍ଦ୍ଦନେ କୃଷ୍ଣେ ପଞ୍ଚମ୍ୟାଂ ଭବନାଙ୍ଗଣେ /ପୂଜୟେତ୍ ମନସା ଦେବୀଂ ସ୍ନୁହୀ ବିଟପ ସଂସ୍ଥିତାମ୍। ଅର୍ଥାତ୍ ହରିଶୟନ ପରେ ପଞ୍ଚମୀ ତିଥିରେ କଣ୍ଟାସିଝୁ ଗଛ ମୂଳେ ସ୍ଥିତା ଦେବୀ ମନସାଙ୍କ ପୂଜା କରଣୀୟ। ଆପଣ କେବେ ଚିଲିକା ବ୍ଳକ୍ ହରିପୁର ପଞ୍ଚାୟତ ପରବଳ ନୂଆପାଟଣା ଗ୍ରାମକୁ ଯାଇଛନ୍ତି? ସେଠାକାର ଉତ୍ତରାୟଣୀ ମନ୍ଦିର ବେଢ଼ାରେ ଅଛି ମନସା ଦେବୀଙ୍କ ପ୍ରାଚୀନ ପ୍ରତିମା।

ଗୋଟିଏ ପଥରରେ ନିର୍ମିତ ମନସାଙ୍କ ବିଗ୍ରହର ମୁଖମଣ୍ଡଳ ଓ କପାଳ ଭାଗ ଅସ୍ପଷ୍ଟ ହେଲେ ହେଁ ଅନ୍ୟାନ୍ୟ ଅଂଶ ବିଶେଷ କ୍ଷୟପ୍ରାପ୍ତ ହୋଇନାହିଁ। ଦେବୀ ପ୍ରସ୍ଫୁଟିତ ସହସ୍ରଦଳ ପଦ୍ମ ଉପରେ ଲଳିତଆସନ ଭଙ୍ଗୀରେ ଅର୍ଥାତ୍ ବାମ ପୟର ଆଣ୍ଡୁବକ୍ର କରି ବସିଥିବା ପଦ୍ମ ଉପରେ ରଖିଲାବେଳେ ଦକ୍ଷିଣ ପୟର ନିମ୍ନକୁ ପ୍ରଲମ୍ବିତ ରଖି ଉପବେଶନ କରିଛନ୍ତି। ତାଙ୍କ ବାମ କୋଳରେ ତାଙ୍କ ପୁତ୍ର ଆସ୍ତିକ ନିଜ ବାମ ଭୁଜ ପାପୁଲିରେ ଦେବୀଙ୍କ ବାମ ଆଣ୍ଠୁରେ ଭରା ଦେଇ ଅର୍ଦ୍ଧଶାୟିତ ରହିଛନ୍ତି। ଆସ୍ତିକଙ୍କର ଦକ୍ଷିଣ ଭୁଜ ସ୍କନ୍ଧରୁ କହୁଣୀ ପର‌୍ୟ୍ୟନ୍ତ ଉପରକୁ ଉଠି ପୁନଶ୍ଚ ନିମ୍ନକୁ ଦୋଳାୟମାନ ଅବସ୍ଥାରେ ଶରୀରର ପୃଷ୍ଠଦେଶରେ ନ୍ୟସ୍ତ ଅଛି। ତାଙ୍କର ଦୁଇ ଚରଣ ଦେବୀଙ୍କ ଦକ୍ଷିଣ ଜାନୁ ଅତିକ୍ରମ କରିଛି, ମାତ୍ର ବାମ ପାଦ ଭାଙ୍ଗି ଯାଇଛି।

ଦ୍ୱିଭୁଜା ଦେବୀ କୌଣସି ଆୟୁଧ ଧାରଣ କରିନାହାନ୍ତି ବରଂ ପୁତ୍ରକୁ କୋଳାଗ୍ରତ କରିଥିବା ଦୃଶ୍ୟ ଅଙ୍କିତ। ଦେବୀଙ୍କ ଭୁଜରେ ବାହୁଟି, ବଳୟ, କଣ୍ଠରେ ହାର, କର୍ଣ୍ଣରେ କୁଣ୍ଡଳାକୃତି କର୍ଣ୍ଣପୂରକ ପ୍ରଭୃତି ଅଳଙ୍କାର ମଣ୍ଡିତ ହୋଇଛି। ଆସ୍ତିକ ବ୍ରହ୍ମଚାରୀ-ସୁଲଭ କୃଷ୍ଣାଜୀନ ପରିଧାନ କରିଥିବା ପରିଲକ୍ଷିତ ହୁଏ। ଦେବୀଙ୍କ ଦକ୍ଷିଣ ସ୍କନ୍ଧ ଊର୍ଦ୍ଧ୍ୱରେ କେଶକବରୀ ଓ ଦକ୍ଷିଣ କର୍ଣ୍ଣରେ କୁଣ୍ଡଳାକୃତି କର୍ଣ୍ଣଭୂଷଣ ଶୋଭମାନ।

ଦକ୍ଷିଣଭୁଜ ପୃଷ୍ଠଭୂମିରେ ଜଣେ ଅନୁଗତ କିମ୍ବା ଅନୁଗତା ହାତ ପାପୁଲିକୁ ସର୍ପଫଣାକୃତି କରି ନୃତ୍ୟ କଲାଭଳି ଦଣ୍ଡାୟମାନ। ପ୍ରସ୍ତରର ଦକ୍ଷିଣ ଭାଗରେ ବାଳକଙ୍କ ହସ୍ତପାପୁଲି ନିମ୍ନକୁ ମଧ୍ୟ ସେହିଭଳି ଅଙ୍କନ ରହିଛି। ବାଳକ ଆସ୍ତିକଙ୍କ ବକ୍ଷରେ ରୁଦ୍ରାକ୍ଷ ତୁଲ୍ୟ ମାଳା ଓ ହସ୍ତରେ ମଧ୍ୟ ତତ୍ତୁଲ୍ୟ କିଛି  ପରିଧେୟ ରହିଛି। ଉଭୟଙ୍କ ମୁଖମଣ୍ଡଳ ଓ ମସ୍ତକ ଶୀର୍ଷ ନଷ୍ଟ ହୋଇଥିବା ହେତୁ ତାହାର ବର୍ଣ୍ଣନା ପ୍ରାଞ୍ଜଳ ରୂପେ କରାଯାଇପାରୁନାହିଁ।

ତଥାପି ଦେବୀଙ୍କ ମସ୍ତକୋପରି ସର୍ପଫଣା ଓ ସ୍ନୁହୀ (କଣ୍ଟାସିଝୁ) ବୃକ୍ଷର କଣ୍ଟକିତ ଡାଳ ରହିଥିବା ଅନୁମେୟ। ପଦ୍ମ ତଳକୁ ଦେବୀଙ୍କର ପ୍ରଲମ୍ବିତ ଦକ୍ଷିଣପାଦର ବାମ ପାଶ୍ୱର୍ରେ ଦୁଇ ଜଣ ଉପାସକ ଦୃଶ୍ୟ ହେଉଛନ୍ତି ଓ ଦକ୍ଷିଣରେ ଫଣା ଟେକିଥିବା ଗୋଟିଏ ସର୍ପ ଅଙ୍କିତ ଅର୍ଥାତ୍ ସେମାନେ ସର୍ପ ପୂଜା କରୁଛନ୍ତି। ପ୍ରତିମା ଅତ୍ୟନ୍ତ ରମଣୀୟ, ସୌଷ୍ଠବପୂର୍ଣ୍ଣ ଓ କଳାତ୍ମକ।

ପୁରାଣଗୁଡ଼ିକରେ ଦେବୀ ମନସାଙ୍କ ପରିଚୟ ଦେଇ କୁହାଯାଇଛି ଯେ ସେ “କଶ୍ୟପଙ୍କ ଔରସରେ କଦ୍ରୁଙ୍କ ଗର୍ଭଜାତ କନ୍ୟା। ଏ ଅନନ୍ତ ବା ବାସୁକି ନାଗଙ୍କ ଭଉଣୀ। ଏହାଙ୍କର ଅନ୍ୟ ନାମ ଜରତ୍କାରୀ। ଜରତ୍କାରୁ ଋଷି ଏହାଙ୍କୁ ବିବାହ ହୋଇଥିଲେ। ଆସ୍ତୀକ ଋଷି ଏହି ଦମ୍ପତିର ସନ୍ତାନ। ଏ ସର୍ପମାନଙ୍କଠାରୁ ମନୁଷ୍ୟକୁ ରକ୍ଷା କରିବା ଦେବୀ ରୂପେ ପୂଜିତା ହୁଅନ୍ତି। ଏହାଙ୍କର ପ୍ରିୟ ବୃକ୍ଷ କଣ୍ଟାସିଝୁ।” ପୁନଶ୍ଚ ଆସ୍ତିକଙ୍କ ସମ୍ପର୍କରେ ପୁରାଣରେ କଥିତ ଅଛି: “ମହର୍ଷି ଜରତ୍କାରୁ ଏହାଙ୍କର ପିତା। ସର୍ପରାଜ ବାସୁକୀଙ୍କ ଭଗିନୀ ଜରତ୍କାରୀ ମାତା। ପାଣ୍ଡୁ କୁଳୋଦ୍ଭବ ମହାରାଜ ଜନ୍ମେଜୟଙ୍କ ସର୍ପଯଜ୍ଞ ସମୟରେ ଏଇ ଆସ୍ତିକ ମାତୁଳବଂଶକୁ ରକ୍ଷା କରିଥିଲେ, ତେଣୁ ଆସ୍ତିକ ନାମ ସ୍ମରଣ କଲେ ସର୍ପ ଭୟ ନିବାରିତ ହୁଏ ବୋଲି ପୁରାଣର ମତ।”

ଦେବୀ ମନସାଙ୍କ ପୂଜା ଉପାସନାର ପ୍ରସାରରେ ବଙ୍ଗଳା ଭାଷାରେ ରଚିତ ଲୋକପ୍ରିୟ କାବ୍ୟର ବିଶେଷ ଭୂମିକା ରହିଛି। କାବ୍ୟର ବିଷୟବସ୍ତୁ ହେଲା:

ଚମ୍ପକ ନଗରୀର ବିଭବଶାଳୀ ଶିବଭକ୍ତ ଚାନ୍ଦ ସୌଦାଗର ମନସାଦେବୀଙ୍କୁ ଅବଜ୍ଞା କରିବା ଫଳରେ ଦେବୀଙ୍କ କୋପରୁ ତାଙ୍କର ଛଅ ପୁଅ ପ୍ରାଣ ହରାଇଲେ। ‘ସପ୍ତଡିଙ୍ଗା’ ନାମକ ତାଙ୍କ ବୋଇତ ସମୁଦ୍ରରେ ବୁଡ଼ିଗଲା। ତାଙ୍କ ପୁତ୍ର ଲକ୍ଷ୍ମୀଧର ବାସର ଘରେ ସର୍ପାଘାତରେ ମୃତ୍ୟୁ ବରଣ କଲା, ମାତ୍ର ତାର ଧର୍ମପତ୍ନୀ ବେହୁଲା ସ୍ୱାମୀର ଶବକୁ କଦଳି ପାଟୁକାରେ ବାହିବାହି ଦେବପୁରରେ ପହଞ୍ଚିଲା ଓ ସେଠାରେ ନୃତ୍ୟ ଜରିଆରେ ଦେବତାଙ୍କୁ ତୁଷ୍ଟ କରି ସ୍ୱାମୀଙ୍କୁ ଫେରି ପାଇଲା। ପୁତ୍ରବଧୂ ବେହୁଲାଙ୍କ ତ୍ୟାଗ, ସାଧନାରେ ପ୍ରଭାବିତ ହୋଇ ଚାନ୍ଦ ସୌଦାଗର ପରିଶେଷରେ ମନସା ଦେବୀଙ୍କୁ ପୂଜା କଲେ।

ଓଡ଼ିଶାରେ ଆସ୍ତିକ-ମନସା ଉପାସନା:

ମନସା ମୂଳତଃ ଜନଜାତିର ଦେବୀ ଭାବରେ ପୂଜା ପାଉଥିଲେ। ପରବର୍ତ୍ତୀ କାଳରେ ମହାଭାରତ ପ୍ରଭୃତିରେ ତାଙ୍କୁ ସନାତନ ଧର୍ମ ପରିସରରେ ଅନ୍ତର୍ଭୁକ୍ତ କରାଯାଇଥିବା ପରିଲକ୍ଷିତ ହୁଏ। ସର୍ପାଘାତରୁ ରକ୍ଷା ପାଇବା ନିମନ୍ତେ ଦେବୀ ମନସାଙ୍କର ଉପାସନା ଆସାମ, ବଙ୍ଗ ତଥା ଓଡ଼ିିଶାରେ ବେଶ୍ ପ୍ରଚଳିତ ଥିଲା।

ଓଡ଼ିଶାର ବିଭିନ୍ନ ସ୍ଥାନରୁ ତାଙ୍କର ପ୍ରତିମା ମିଳୁଛି। ଓଡ଼ିଆ ପଞ୍ଜିକାରେ ମନସାପଞ୍ଚମୀ ତିଥି ସୂଚୀତ ହୋଇଥାଏ। ଡକ୍ଟର ଡୋନାଲ୍ଡସନ୍ ତାଙ୍କ ପୁସ୍ତକରେ ଶେରଗଡ଼, ପାଇକପଡ଼ା, କାକଟପୁର, ଅଡ଼ଶପୁର, ବେରବୋଇ, ଯାଜପୁର ପ୍ରଭୃତି ସ୍ଥାନରେ ଥିବା ୧୮ଟି ଆସ୍ତିକ-ଜରତ୍କାରୀ ବା ଆସ୍ତିକ-ମନସା ପ୍ରତିମୂର୍ତ୍ତିର ଫଟୋଚିତ୍ର ଦେଇଛନ୍ତି, ଯେଉଁଥିରେ ଦେବୀଙ୍କ ସହ ତାଙ୍କ ପୁତ୍ର ଆସ୍ତିକ ମଧ୍ୟ ସ୍ଥାନ ପାଇଛନ୍ତି। ରାଜ୍ୟ ସଂଗ୍ରହାଳୟ ଓ କେନ୍ଦୁଲି ସଂଗ୍ରହାଳୟରେ ମଧ୍ୟ ଗୋଟିଏ ଗୋଟିଏ ଜରତ୍କାରୀ-ଆସ୍ତିକ ମୂର୍ତ୍ତି ରହିଛି।

ଚିଲିକା ବ୍ଳକ ଅନ୍ତର୍ଗତ ପରବଳ ଗ୍ରାମରୁ ଆବିଷ୍କୃତ ଏହି ମନସା-ଆସ୍ତିକ ପ୍ରତିମା ପ୍ରମାଣ ଦିଏ ଯେ ବର୍ତ୍ତମାନ ସାଧାରଣ ଭାବରେ ଦୃଶ୍ୟମାନ ହେଉନଥିଲେ ମଧ୍ୟ ଏକଦା ଚିଲିକାର ପଶ୍ଚିମ ଉପକୂଳ ଅଞ୍ଚଳରେ ଜରତ୍କାରୀ-ଆସ୍ତିକ ଅର୍ଥାତ୍ ମନସାଦେବୀଙ୍କ ଉପାସନା ଆଦୃତ ଥିଲା। ମୂର୍ତ୍ତିଟି ଆୟତନ ଦୃଷ୍ଟିରୁ କୌଣସି ମନ୍ଦିର ଗାତ୍ରର ଅଂଶ ବିଶେଷ ହୋଇଥାଇ ପାରେ, ମାତ୍ର ଏଥିପାଇଁ ଆଖପାଖରେ ଅନୁସନ୍ଧାନ ଜାରି ରଖିବାକୁ ପଡ଼ିବ। ପୁଣି ସମ୍ପୃକ୍ତ ଅଞ୍ଚଳରୁ ଆଉ ମନସା ପ୍ରତିମା ମିଳିନାହିଁ। ଏ ଦୁଇଟି ମଧ୍ୟରୁ କୌଣସି ଗୋଟିଏ ଦିଗରେ ନୂତନ ତଥ୍ୟ ମିଳିବା ପର‌୍ୟ୍ୟନ୍ତ କୁହାଯାଇପାରେ ଯେ ଚିଲିକାର ଏହି ଉପକୂଳ ଅଞ୍ଚଳରେ ମନସା-ଉପାସନା ପ୍ରଚଳିତ ଥିଲା।

ସର୍ପାଘାତରୁ ରକ୍ଷା ପାଇବା ବା ଆରୋଗ୍ୟ ଲାଭ କରିବା ବ୍ୟତୀତ ମନସାଦେବୀଙ୍କ ଉପାସନାର ଅନ୍ୟ ଗୋଟିଏ ଦୃଷ୍ଟିକୋଣକୁ ବିଚାର କରାଯାଇପାରେ। ସମ୍ବାଦପତ୍ରରୁ ଜଣାଯାଏ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳରେ ରହୁଥିବା ବଙ୍ଗଦେଶୀ ମତ୍ସ୍ୟଜୀବୀ ସମ୍ପ୍ରଦାୟ କନ୍ୟା ସଂକ୍ରାନ୍ତିରେ ନୌକା ଦୁର୍ଘଟଣାରୁ ରକ୍ଷା ନିମନ୍ତେ ଦେବୀ ମନସାଙ୍କ ପୂଜାର୍ଚ୍ଚନା କରନ୍ତି। ମନସା ମଙ୍ଗଳ ବା ପଦ୍ମା ପୁରାଣ ବର୍ଣ୍ଣିତ ଚାନ୍ଦ ସୌଦାଗରଙ୍କ ବୋଇତ ଦୁର୍ଘଟଣାଗ୍ରସ୍ତ ହେବା ସ୍ମୃତି ହୁଏତ ଏହା ପୃଷ୍ଠଭୂମିରେ ରହିଛି। ସେହିପରି ନୌବାଣିଜ୍ୟ, ନୌବାହିନୀ ଓ ମତ୍ସ୍ୟ ଉତ୍ପାଦନର ପ୍ରଧାନ ପେଣ୍ଠ ଚିଲିକା ଉପକୂଳର ଅଧିବାସୀ ମଧ୍ୟ ମନସାଦେବୀଙ୍କ ଉପାସନା କରୁଥିବା ଅମୂଳକ ନହୋଇପାରେ।

କୋଟବିଦ୍ୟାଧରପୁର, ବାଣପୁର- ୭୫୨୦୩୧, ଖୋର୍ଦ୍ଧା , ଯୋଗାଯୋଗ- ୯୪୩୮୩୬୦୫୧୬ 

Categories
ଆଜିର ଖବର ରାଜ୍ୟ ଖବର

୨୮ ରେ ଚିଲିକାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗ୍ରାଣ୍ଡ ଏଣ୍ଟ୍ରି: ଆଜିଠୁ ଆରମ୍ଭ ହେଲା ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତା ୨୮ ତାରିଖ ଦିନ ଚିଲିକାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଶକ୍ତି ପ୍ରଦର୍ଶନ କରିବେ। ସେହି ଉପଲକ୍ଷେ ବଡପୋଖରିଆ ସ୍ଥିତ ନିଜ ବାସଭବନରେ ଆଜି ତାହାର ରୂପରେଖ ପ୍ରସ୍ତୁତି ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ଚିଲିକା ନିର୍ବାଚନମଣ୍ଡଳୀର ବିଜେଡି ନେତା ଉତ୍ପଳ ପାଇକରାୟ, ପ୍ରଭାସ ସୁନ୍ଦରାୟ, ମନୋଜ ପ୍ରଧାନଙ୍କ ସମେତ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ଵ ଆଗଧାଡିର କର୍ମୀମାନେ ଯୋଗ ଦେଇଥିଲେ। ନେତା ଓ ନେତ୍ରୀମାନେ ବୈଠକରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିର ଜଣେ ଯୋଦ୍ଧା ଭାବରେ ଅଭିହିତ କରିବା ସହ ତାଙ୍କର ଗୁଣଗାନ କରିଥିଲେ।

ଜୁଲାଇ ୨୮ ତାରିଖରେ ବିଧାୟକ ନିର୍ବାଚନ ମଣ୍ଡଳୀକୁ ଗ୍ରାଣ୍ଡ ଏଣ୍ଟ୍ରି କରିବାକୁ ଥିବାବେଳେ ସମସ୍ତ ନେତୃବୃନ୍ଦ ଉକ୍ତଦିନ ପ୍ରବଳ ଜନସମାଗମ କରିବାକୁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ବିଧାୟକ। ବିଧାୟକଙ୍କ ଶକ୍ତି ପ୍ରଦର୍ଶନକୁ ବିଜେଡି ଦଳ ଏବଂ ମୁଖ୍ୟମନ୍ତ୍ରୀ ଦେଖି ବିଧାୟକଙ୍କୁ ଆଜିବି କର୍ମୀମାନେ ଭଲପାଉଛନ୍ତି ବୋଲି ଅନୁଭବ କରିବେ।

ବିଧାୟକ ଜଗଦ୍ଦେବଙ୍କର ଦକ୍ଷତା ଦେଖି ତାଙ୍କୁ ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିବା ପାଇଁ ବେଗୁନିଆରେ ଦାଇତ୍ୱ ଦେଇଥିଲେ। ପୁଣି ୨୦୧୯ ରେ ବିଜେପିର ଗଡ଼ ବୋଲାଉଥିବା ଚିଲିକା ନିର୍ବାଚନମଣ୍ଡଳୀକୁ ଲଢ଼ିବା ପାଇଁ ପଠାଇଥିଲେ। ତେଣୁ ଆଗକୁ ବଢ଼ିବା ଲାଗି ବିଧାୟକଙ୍କୁ କୌଣସି ଶକ୍ତି ରୋକି ପାରିବ ନାହିଁ ବୋଲି ସମସ୍ତ ନେତୃବୃନ୍ଦ ସଭାରେ ମତବ୍ୟକ୍ତ କରିଥିଲେ।

ପ୍ରକାଶ ଥାଉକି ବାଣପୁର ପଞ୍ଚାୟତ ନିର୍ବାଚନ ସମୟରେ ବ୍ଲକ ଅଫିସ ସମ୍ମୁଖରେ ଜନତାଙ୍କୁ ଗାଡ଼ି ମଡାଇଦେବା ଅଭିଯୋଗରେ ବିଧାୟକ ଜଗଦ୍ଦେବଙ୍କୁ ବିଜେଡିରୁ ନିଲମ୍ବନ ଓ ସୁପ୍ରିମକୋର୍ଟ ଦ୍ୱାରା ଏକ ବର୍ଷ ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀକୁ ଯିବା ଏବଂ ସଭା ସମିତି କରିବା ଉପରେ ରୋକ ଲଗାଯାଇଥିଲା। ଉକ୍ତ ଦିନଠାରୁ ବିଧାୟକ ଜଗଦ୍ଦେବ ନିର୍ବାଚନ ମଣ୍ଡଳୀକୁ ଯାଉନାହାନ୍ତି।

ଆସନ୍ତା ୨୪ ତାରିଖରେ ସୁପ୍ରିମକୋର୍ଟର କଣ୍ଟ ପୂରଣ ହେଉଥିବାବେଳେ ବିଧାୟକଙ୍କ ଗ୍ରାଣ୍ଡ ଏଣ୍ଟ୍ରିକୁ କର୍ମୀମାନେ ଚାହିଁ ବସିଛନ୍ତି। କର୍ମୀମାନଙ୍କର ବିଧାୟକଙ୍କ ପ୍ରତି ଆଜିବି ଅତୁଟ ସମର୍ଥନ ଅଛି ଏବଂ ତାହା ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡିଛନ୍ତି ବିଧାୟକ ଓ ବିଜେଡି ନେତୃବୃନ୍ଦ।

ତେବେ ଉକ୍ତ ଦିନ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ଦିଆଯାଇଥିବା କାର୍ଯ୍ୟଗୁଡିକର ଶୁଭ ମଧ୍ୟ ଦିଆଯିବା କାର୍ଯ୍ୟକ୍ରମ ଥିବା ବିଧାୟକ ବୈଠକରେ କହିଛନ୍ତି। ତେବେ ଆଶ୍ଚର୍ଯ୍ୟ ବିଧାୟକଙ୍କ ଘନିଷ୍ଠ ବୋଲାଉଥିବା ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ତୋରସିଂହ ପଞ୍ଚାୟତ ସମିତିସଭ୍ୟ ଜଗତ ବଲ୍ଲଭ ମହାରଥା ଏବଂ ପୂର୍ବତନ ବାଣପୁର ବ୍ଲକ ଅଧ୍ୟକ୍ଷ ମାନସ ପ୍ରଧାନ ଆଦି ଉକ୍ତ ବୈଠକରେ ଅନୁପସ୍ଥିତ ଥିଲେ। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ପଞ୍ଚାୟତ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ଶ୍ରମିକ, ଜଣେ ମୃତ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକ ସୋରଣ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜବେଷ୍ଟସ ସେଡ୍ ନିର୍ମାଣ ବେଳେ ଅଘଟଣ ଘଟିଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇପଡିଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳରେ ସୋରଣ ଗ୍ରାମ ପଞ୍ଚାୟତ ପରିସରରେ ବିଶ୍ରାମ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିଲା। ବିଶ୍ରାମ ଗୃହ ନିର୍ମାଣ ପାଇଁ ଲୁହା ଜିଆଇ ପାଇପ୍ ର ଫ୍ରେମ୍ ତିଆରି କରିବା ବେଳେ ଗୋଟିଏ ୨୦ ଫୁଟ ଲମ୍ବର ପାଇପ୍ କୁ ୱେଲଡିଂ ମିସ୍ତ୍ରୀ ଓ ହେଲପର ମିଶି ଉପରକୁ ଟେକି ଧରି ୱେଲଡିଂ କରୁଥିଲେ। ଏହି ସମୟରେ ଉପର ଦେଇ ଯାଇଥିବା ୧୧୦୦ ଭୋଲଟ୍ ର ହାଇ ଭୋଲଟେଜ୍ ତାର ଜିଆଇ ପାଇପ୍ ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ।

ମୃତକ ୱେଲଡିଂ ମିସ୍ତ୍ରୀ ହେଲେ ସୋରଣ ଗ୍ରାମର ରସାନନ୍ଦ ମୁଦୁଲି (୧୮)। ଅନ୍ୟ ଗୁରୁତର ଜଣକ ହେଲେ ତାରୁ ଖାଁ (୨୦)। ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।

ମୃତକ ଯୁବଙ୍କ ଶବକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ଆସୁଛନ୍ତି ପ୍ରଶାନ୍ତ ଜଗଦ୍ଦେବ, ହୋଇଛି ବଡ ଆୟୋଜନ, ୟୁଟର୍ଣ୍ଣ କରିବ ରାଜନୀତି

ଭୁବନେଶ୍ବର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ ତାଙ୍କ ଚିଲିକା ନିର୍ବାଚନ ମଣ୍ଡଳୀକୁ ପ୍ରବେଶ କରିବେ। ସେଥିପାଇଁ ଆୟୋଜନ ହୋଇଛି ଏକ ବିରାଟ କାର୍ଯ୍ୟକ୍ରମ। କୋର୍ଟ କଟକଣା କରିଥିବାରୁ ସେ ଦୀର୍ଘ ମାସ ଧରି ଚିଲିକା ଯାଇପାରି ନାହାଁନ୍ତି। ଏବେ ଏହି କଟକଣା ଚଳିତ ଜୁଲାଇ ୨୪ ତାରିଖର ଶେଷ ହେଉଛି।

ସେଥିପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜୁଲାଇ ୨୮ ତାରିଖରେ ଚିଲିକା ନିର୍ବାଚନ ମଣ୍ଡଳିରେ ପ୍ରବେଶ କରିବେ। ସେଦିନ ବିଧାୟକଙ୍କୁ ପ୍ରାୟ ୫ ହଜାର ମୋଟରସାଇକଲେ ଶୋଭାଯାତ୍ରାରେ ନିଆଯିବ। ଏଥିସହିତ ପାଇକମାନଙ୍କ ଦ୍ବାରା ଏକ ବଡ ପାଇକ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି।

ଏହି ଶୋଭାଯାତ୍ରା ୨୮ ତାରିଖ ଶୁକ୍ରବାର ଦିନ ହେବ। ସେଦିନ ଏହି ଶୋଭାଯାତ୍ରା ବାଲୁଗାଁର ଐତିହାସିକ ମାମୁଁଭଣଜା ପାହାଡରୁ ଆରମ୍ଭ ହୋଇ ବାଣପୁରର ଐତିହାସିକ ପଲଟନ ପଡିଆରେ ଶେଷ ହେବ।

ତେବେ ଏହି ବିରାଟ ପଟୁଆରର ଆୟୋଜନ କରିଛି ଏକ ପାଇକ ମହାସଂଘ। ସେଦିନ ସଂଘର କର୍ମକର୍ତ୍ତାମାନେ ପାଇକ ବେଶରେ ପାଇକ ଆଖଡା କରି ପ୍ରଶାନ୍ତଙ୍କୁ ଶୋଭାଯାତ୍ରାରେ ନେବେ।

ବାଣପୁର ପଲଟନ ପଡିଆରେ ଶୋଭାଯାତ୍ରା ଶେଷ ହେବା ପରେ ସେଠାରେ ଏକ ପାଇକ ଆଖଡାର ଆୟୋଜନ ମଧ୍ୟ ହେବ। ଏଥିସହିତ ସେଠାରେ ସ୍ବାଗତ ସମ୍ବର୍ଦ୍ଧନା ସଭାର ମଧ୍ୟ ଆୟୋଜନ କରାଯିବ। ଏହି ଶୋଭାଯାତ୍ରା ସଭାରେ ପ୍ରଶାନ୍ତଙ୍କର ହଜାର ହଜାର ସମର୍ଥକ ମଧ୍ୟ ସାମିଲ ହେବେ।

ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଶାନ୍ତଙ୍କ ଦୀର୍ଘ ଦିନର ଅନୁପସ୍ଥିତ ଯୋଗୁଁ ସେଠାକାର ରାଜନୀତି ମଧ୍ୟ ଗୋଳିଆ ହୋଇ ଯାଇଛି। ନାଉରୀ ନ ଥାଇ ଚିଲିକାରେ ଡଙ୍ଗା ଚଳାଇବା ପରି ଅବସ୍ଥା ହୋଇପଡିଛି। କର୍ମିମାନେ କଣ କରିବେ, କାହାକୁ ଗୁହାରୀ କରିବେ ସେ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପକ୍ଷରେ ପ୍ରଶାନ୍ତଙ୍କ ଦୀର୍ଘ ଅନୁପସ୍ଥିତକୁ ଦେଖି କେତେକ ନେତା ମନେ ମନେ ବିଧାୟକ ପ୍ରାର୍ଥୀ ହେବା ପାଇଁ ସ୍ବପ୍ନ ଦେଖିବାରେ ଲାଗିଛନ୍ତି। ହେଲେ ଜଗଦ୍ଦେବ ପ୍ରବେଶ ପରେ ସେଥିରେ ଭଟ୍ଟା ପଡିବା ସହିତ ଚିଲିକା ରାଜନୀତିର ମୋଡ ବଦଳିଯିବ ବୋଲି ଆଶା କରାଯାଉଛି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ଚଢା ଦରରେ ବିକ୍ରି ହେଉଛି ପରିବା, ଖାଉଟି ହନ୍ତସନ୍ତ, ପ୍ରଶାସନର ନାହିଁ ଲଗାମ

ସୀତାରାମ ଅଗ୍ରୱାଲ

ଚିଲିକା: ଶ୍ରାବଣ ମାସ ଆସିବାକୁ ଆଉ ଦିନ କେଇଟା ବାକି ଅଛି। ହେଲେ ଏହା ପୂର୍ବରୁ ପରିବା ଦର ଆକାଶ ଛୁଆଁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ବଜାରରେ ପରିବା ଦର ନାହିଁ ନଥିବା ମୂଲ୍ୟରେ ବିକ୍ରି ହେଉଛି। ଖାଉଟିମାନେ କେଉଁ ପରିବା କେତେ ପରିମାଣର ନେବେ ଦ୍ଵନ୍ଦରେ ପଡୁଥିବା ଦେଖାଯାଇଛି।

ଆଗରୁ କେବଳ ଟମାଟ ଦର ୧୨୦ ଟଙ୍କା ଥିବାବେଳେ ଏବେ ପ୍ରାୟ ସବୁ ପନିପରିବା ଦର ଆକାଶଛୁଆଁ। ବଜାରରେ ପୋଟଳ ୧୦୦ ଟଙ୍କା, ବିନସ ୨୦୦ ଟଙ୍କା, କଲରା ୮୦ ଟଙ୍କା, ଜହ୍ନି ୮୦ଟଙ୍କା, ବାଇଗଣ ୬୦ ଟଙ୍କା ଥିବାବେଳେ ମଧ୍ୟବିତ୍ତ ପରିବାର ବଜାରରୁ ପରିବା କିଣିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।

ପରିବା ବ୍ୟବସାୟୀଙ୍କ କହିବା ମୁତାବକ ସ୍ଥାନୀୟ ଫସଲ ନ ଥିବା କାରଣରୁ, ମାତ୍ର ଶତକଡା ୨୫ ଭାଗ ପନିପରିବା ସ୍ଥାନୀୟ ଫସଲରୁ ଆସୁଛି। ତେଣୁ ଲୋକଙ୍କ ଚାହିଦା ଅନୁଯାୟୀ ପନିପରିବା ନିମନ୍ତେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପାଇଁ ଚଳିତ ବର୍ଷ ଚାଷୀମାନେ ପରିବା ଫସଲ କରିପାରି ନାହାନ୍ତି। ତେଣୁ ଆଗାମୀ ଦିନରେ ବର୍ଷାହେଲେ ପରିବା ଦର କମିବାର ଆଶା ରଖିଛନ୍ତି ବ୍ୟବସାୟୀ।

ସେପଟେ ପନିପରିବା ଦର ଉପରେ ପ୍ରଶାସନ କୌଣସି ଅଙ୍କୁଶ ଲଗାଇବାର ନିୟମ ନ ଥିବାରୁ ଲାଭଖୋର ବ୍ୟବସାୟୀ ମାନେ ଏହାର ଫାଇଦା ନେଉଛନ୍ତି ବୋଲି ଗ୍ରାହକ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଟାପୁରେ ନୌବିହାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ଘୋଷ ଯାତ୍ରା

ସୀତାରାମ ଅଗ୍ରୱାଲ
ବାଲୁଗାଁ: ପବିତ୍ର ରଥଯାତ୍ରା ଅବସରରେ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ଚିଲିକା ଟାପୁରେ ନୌବିହାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବାନୁମାନ ଅନୁସାରେ ୧୭୩୧ ମସିହାରେ ଜବନମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ କଙ୍କଣ ଶିଖରୀରେ ୪ ମାସ ୧୬ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାସ କରିଥିଲେ। ୨୦୧୪ ମସିହାରେ ଶ୍ରୀକ୍ଷେତ୍ର ପୁରୀରୁ ନନ୍ଦିଘୋଷ ରଥର ଚକ ଆଣି ଏଠାରେ ସ୍ଥାପନ କରିବା ପରଠୁ ଅର୍ଥାତ ନଅ ବର୍ଷ ଧରି ଚିଲିକାର ନୀଳ ଜଳରାଶିରେ ରଥ ଯାତ୍ରା ପାଳନ କରାଯାଉଛି।

ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ବିଧି ବିଧାନ ପରମ୍ପରା ଅନୁଯାୟୀ ଏଠାରେ ନୀତି କାନ୍ତି ସମ୍ପନ୍ନ ହେବା ପରେ, ତିନି ଠାକୁର ମନ୍ଦିରରୁ ବାହାରି ପହଣ୍ଡି ହେଇ କାଠ ଡଙ୍ଗାରେ ନିର୍ମିତ ରଥରେ ହୋମ ଯଜ୍ଞ ପରେ ରଥାରୂଢ ହୋଇ ଚିଲିକା ମଝିରେ ଥିବା କଙ୍କଣ ଶିଖରୀ ଟାପୁ ଚାରିପଟେ ଭ୍ରମଣ କରି ଭୋଗ ମଣ୍ଡପରେ ବିରାଜ କରିଥିଲେ। ଜଗନ୍ନାଥଙ୍କ ଭକ୍ତ ତଥା ଆଦ୍ୟ ସେବକ କୁମାଣ୍ଡଳପାଟଣାର ହାଡିବନ୍ଧୁ ପଟ୍ଟନାୟକ ଛେରା ପହଁରା କରିଥିଲେ। ସ୍ଥାନୀୟ ନଈରୀ ଓ ଆଖପାଖ ଅଞ୍ଚଳର ଭକ୍ତମାନଙ୍କ ସହଯୋଗରେ ଏହି ଅନନ୍ୟ ରଥ ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଘଣ୍ଟ କାହାଳି, ହୁଳହୁଳିରେ ଫାଟି ପୁରା ଟାପୁ ଫାଟି ପଡୁଥିବା ବେଳେ ହଜାର ହଜାର ଭକ୍ତଙ୍କ ଗହଣରେ ଆଧ୍ୟାତ୍ମିକ ପରିବେଶରେ ପ୍ରଭୁଙ୍କ ଚିଲିକା ମଧ୍ୟରେ ପରିକ୍ରମା କରୁଥିଲେ।

ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ମାତ୍ର ଅହେତୁକ ଭକ୍ତଙ୍କ ସମାଗମରେ ଡଙ୍ଗାର ଆବଶ୍ୟକ ମୁତାବକ ନଥିବାରୁ ବହୁ ଭକ୍ତ ନିରାଶରେ ଫେରୁଥିବା ଦେଖିବାକୁ ମିଳିଥିଲା।

Categories
ଆଞ୍ଚଳିକ

ଚିଲିକାରେ ମାଟ୍ରିକ ପ୍ରତିଭା ମେଧା ସମ୍ୱର୍ଦ୍ଧନା ସମାରୋହ

ସୀତାରାମ ଅଗ୍ରୱାଲ

ଚିଲିକା: ରବିବାର ପୂର୍ବାହ୍ନରେ ଚିଲିକା ଭଗବାନ ମହତ୍ଵ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଅଂଳାଡ଼ିହ ଦଣ୍ଡପାଣି ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସଭାପତି ପ୍ରମୋଦ କୁମାର ସ୍ବାଇଁ ଏବଂ ସମ୍ପାଦକ କୁନା ମହତ୍ଵଙ୍କ ମିଳିତ ଆବାହକତ୍ୱରେ ଚଳିତ ବର୍ଷର ମାଟ୍ରିକ ପ୍ରତିଭା ମେଧା ସମ୍ୱର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସଭାପତି ଶ୍ରୀ ସ୍ବାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଚିଲିକା ଜେଏମଏଫସି କୋର୍ଟର ବିଚାରପତି ବିକାଶ ଗୋଏଲ ମୁଖ୍ୟ ଅତିଥି, ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟବକ୍ତା, ସମାଜ ସେବିକା ସ୍ୱାଗତିକା ଜଗଦେବ ଉଦ୍ଘଘାଟକ, ପ୍ରାକ୍ତନ ଚିକିତ୍ସା ଅଧିକାରୀ ଡ଼ଃ ମଧୁସୂଦନ ସେନାପତି ସମ୍ମାନିତ ବକ୍ତା, ସରପଞ୍ଚ ଲିପାଲିନୀ ମହାପାତ୍ର, ବାଙ୍କୋଇସ୍ଥିତ ଅନଙ୍ଗ ନରେନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ମୁଖ୍ୟ ଡଃ ସୁକାନ୍ତ ବେହେରା, ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘର ସଦସ୍ୟ ଆଶିଷ ପତି, ଚିଲିକା ବ୍ଲକ୍ ଓଷ୍ଟା ସଭାପତି ବିଜୟ ପାତ୍ର, ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷାଧିକାରୀ ବୈକୁଣ୍ଠ ନାଥ ପାଇକରାୟ, ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,ପରିଚାଳନା କମିଟି ସଭାପତି ବୃନ୍ଦାବନ ସାହୁ, ସମାଜସେବୀ ସୁଧାକର ମହାପାତ୍ର, ପ୍ରଧାନ ଶିକ୍ଷକ ଗୋପୀନାଥ ପ୍ରଧାନ ସୁଦର୍ଶନ ପରିଡ଼ା, ଶଙ୍କର୍ଷଣ ବେହେରା ଓ ସାଧନ କେନ୍ଦ୍ର ସଂଯୋଜକ ବିଶ୍ବଭୂଷଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ବାଲେଶ୍ଵର ମହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନଙ୍କ ଆତ୍ମାର ସଦଗତି ନିମିତ୍ତ ୧୦୧ ଦ୍ଵୀପ ପ୍ରଜ୍ବଳନ କରି ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ବ୍ଲକ୍ ଟପ୍ପର ଶୁଭଲକ୍ଷ୍ମୀ ଶତୃଶଲ୍ୟଙ୍କୁ ମୁଖ୍ୟ ଅତିଥି ମୁକୁଟ ପରିଧାନ କରାଇବା ପରେ ସମସ୍ତ ୧୬ ଟି ବିଦ୍ୟାଳୟର ଏ-୧ ଗ୍ରେଡର ୧୭ ଜଣ ବିଦ୍ୟାର୍ଥୀଙ୍କୁ ପ୍ରତିଭା ସମ୍ମାନ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଡ଼ଃ ସୁକାନ୍ତ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଓ ସଭାପତି ଶ୍ରୀ ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସମ୍ପାଦକ କୁନା ମହତ୍ଵ ଓ ସଂଯୋଜକ ମୃତ୍ୟୁଞ୍ଜୟ ରଥ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ।ପରିଶେଷରେ ଟ୍ରଷ୍ଟି ସୁରେଶ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଦଣ୍ଡପାଣି ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମୀ ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଚିଲିକା ବିଇଓ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ବାଣପୁର ବିଇଓ ସନାତନ ଜାଲୀ

ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଇଓ ସନାତନ ଜାଲି ଚିଲିକା ବିଇଓ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। କାର୍ଯ୍ୟାଭାର ଗ୍ରହଣ କରିବା ପରେ ତାଙ୍କୁ ବ୍ଲକର ସମସ୍ତ ଏବିଇଓ, ସିଆରସିସି ଓ ଅଫିସ୍ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ।

ସୂଚନା ଥାଉକି ଗତ ମେ ମାସ ୩୧ ତାରିଖରେ ଚିଲିକା ପୂର୍ବତନ ବିଇଓ ନଳିନୀ କାନ୍ତ ମହାନ୍ତି ଅବସର ଗ୍ରହଣ କରିବା ପରେ ଉକ୍ତ ପଦବିଟି ଖାଲି ପଡିଥିଲା। ତେବେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରେଇ ବାଣପୁର ବିଇଓ ଶ୍ରୀ ଜାଲିଙ୍କୁ ଚିଲିକା ବିଇଓ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିବା ପରେ ସେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ବଜ୍ରାଘାତରେ ଚାରି ଛାତ୍ର ଗୁରୁତର 

ସୀତାରାମ ଅଗ୍ରୱାଲ

ଚିଲିକା: ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ କଳକଳେଶ୍ୱର ପଞ୍ଚାୟତର ତାରିମି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରାଘାତରେ ଚାରି ଜଣ ଛାତ୍ର ଆହତ ହୋଇଥିବା ଖବର ହସ୍ତଗତ ହୋଇଛି।

ଖବର ମୁତାବକ ଅପରାହ୍ନ ପାଖାପାଖି ତିନି ଘଟିକା ସମୟରେ ଉକ୍ତ ଗ୍ରାମର ଭାଟପୋଖରା ସାହିରେ ଖରା ଛୁଟି ଉପଲକ୍ଷେ କିଛି ଛାତ୍ର ଭୋଜି କରୁଥିଲେ। ତେବେ ହଠାତ ସେହି ସମୟରେ ଉକ୍ତ ଅଞ୍ଚଳରେ ଅଦିନିଆ କାଳବୈଶାଖୀ ବଜ୍ରପାତ ହୋଇଥିଲା ଏବଂ ଉକ୍ତ ଛାତ୍ରମାନେ ଏହାର ଶିକାର ହୋଇଥିଲେ। ଯାହା ଫଳରେ ଚାରି ଜଣ ଛାତ୍ର ଆହତ ହୋଇଛନ୍ତି।

ଆହତ ଛାତ୍ରମାନେ ହେଲେ ଶୁଭମ ଚମ୍ପତ୍ତି, ଦିନେଶ ସାହୁ, ସୁନୀଲ ସାହୁ ଏବଂ ଜିଜ୍ଞାଂଶୁ ସାହୁ। ସମସ୍ତଙ୍କ ବୟସ ୧୬-୨୨ ମଧ୍ୟରେ ହେବ। ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହଯୋଗରେ ସେମାନଙ୍କୁ ତୁରନ୍ତ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତିନିଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଡାକ୍ତର ସେମାନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି।

ତେବେ ସେମାନଙ୍କୁ ସରକାରୀ ସହାୟତାରେ ଚିକିତ୍ସା କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି।