Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀଗଣନା, ନିୟୋଜିତ ହେବେ ୨୧ ଟି ଟିମ୍

ସୀତାରାମ ଅଗ୍ରୱାଲ
ଚିଲିକା: ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକା ହ୍ରଦରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସିଛନ୍ତି ଲକ୍ଷାଧିକ ବିଦେଶୀ ପକ୍ଷୀ। ତେବେ ଆସନ୍ତାକାଲି ଅନୁଷ୍ଠାନିକ ଭାବେ ପକ୍ଷୀ ଗଣନା ଅନୁଷ୍ଠିତ ହେବ ବୋଲି ଆଜି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚନ୍ଦ୍ରାପୁଟ ସ୍ଥିତ ଆଦ୍ର ମୃତ୍ତିକା ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି।

ଆସନ୍ତାକାଲି ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ। ତେବେ ଟାଙ୍ଗି ଜୋନରେ ୮ଟି ,ବାଲୁଗାଁରେ ୬ ଟି,ସାତପଡ଼ାରେ ୪ଟି,ରମ୍ଭା ରେ ୨ଟି ଏବଂ ଚିଲିକାରେ ଏକ ଗୋଟି ଟିମ ନିୟୋଜିତ ରହିବେ।ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେବେ। ପ୍ରତିବର୍ଷ ଭଳି ଗଣନା କାର୍ଯ୍ୟରେ ଜିପିଏସ,ବାଇନାକୁଲାର ବ୍ୟବହାର କରାଯିବ।

ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ଏବଂ ବିଏନଏଚଏସ ସାମିଲ ହେବେ ବୋଲି ଜଣାପଡିଛି।

ସେହିପରି ଭାବେ ମୁମ୍ବାଇ ସ୍ଥିତ ବିଏନଏଚଏସ ର ଉପ ନିର୍ଦେଶକ ଡ଼ଃ ପି ସାଥିୟା ସେଲଭମ , ଆରସିସିଏଫ ବ୍ରହ୍ମପୁର ପ୍ରଶାନ୍ତ କୁମାର ମିଶ୍ର, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ରାମସ୍ୱାମୀ ପି, ଆଇଏଫଏସ ମଧ୍ୟ ପକ୍ଷୀଗଣନାରେ ଉପସ୍ଥିତ ରହିବେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଉକ୍ତ ତିନି ଅଧିକାରୀଙ୍କ ସମେତ ଏସିଏଫ ପ୍ରଶାନ୍ତ କୁମାର ପଣ୍ଡା , ସମସ୍ତ ପାଞ୍ଚ ଗୋଟି ରେଞ୍ଜର ରେଞ୍ଜ ଅଫିସର, ଓୟୁଏଟି ଛାତ୍ରଛାତ୍ରୀ, ପ୍ରଫେସର, ସାମାଜିକ କର୍ମୀ ଏବଂ ଅନ୍ୟ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ। ତେବେ କାଲି ରାତି ସୁଦ୍ଧା ପକ୍ଷୀଗଣନା ରିପୋର୍ଟ ହସ୍ତଗତ ହେବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ନବ ବର୍ଷରେ ବାଲୁଗାଁ ସହରବାସୀଙ୍କୁ ଏନଏସି ର ଭେଟି: ଉଦଘାଟିତ ହେଲା ସେଲଫି ପଏଣ୍ଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନୂତନ ବର୍ଷ ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ଦୁଇଟି ସ୍ୱାଗତ ଫଳକ ସହ ସେଲଫି ପଏଣ୍ଟ ଉନ୍ମୋଚନ ହୋଇଯାଇଛି।

ସୂଚନା ମୁତାବକ ଏସିଆ ମହାଦେଶର ବୃହତ୍ତମ ଲୁଣ ହ୍ରଦ ଚିଲିକା ତଟ ଦେଶରେ ଅବସ୍ଥିତ ବାଲୁଗାଁ ସହର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ତଥା ବ୍ୟସ୍ତବହୁଳ ସହର ଭାବେ ପରିଚିତ।ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସି ଦୀର୍ଘ ୪୦ ବର୍ଷ ହେବ ଏନଏସି ମାନ୍ୟତା ପାଇଥିଲେ ସୁଦ୍ଧା ଅଦ୍ୟାବଧି ସ୍ୱାଗତ ଫଳକଟିଏ ଅବା ସେଲଫି ପଏଣ୍ଟ ଦେଖିବାକୁ ମିଳୁନଥିଲା। ଏନଏସି ପକ୍ଷରୁ ହୋଲଡିଂ ଟ୍ୟାକ୍ସ, ୟୁଜର ଫି, ପାର୍କିଂ ଫି ଆଦି ନିୟମିତ ଆଦାୟ କରାଯାଉଥିଲେ ମଧ୍ୟ ତାହାର ସଦୁପଯୋଗ କେଉଁଠି କରାଯାଉଛି ତାହା ଜନସାଧାରଣଙ୍କ ଦୃଷ୍ଟି ଆଢୁଆଳରେ ରହୁଥିବା ଦେଖିବାକୁ ମିଳୁଛି।

ସ୍ଥାନୀୟ ବାସିନ୍ଦାଙ୍କ ସମେତ ଆଖପାଖ ଅଞ୍ଚଳ ହେଉ ଅବା ବାହାରୁ ଦୈନନ୍ଦିନ ଅନେକ ଲୋକଙ୍କ ଯିବାଆସିବା ଲାଗି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟଟକ ଋତୁରେ ଦେଶବିଦେଶରୁ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଯାହାକି ବାହାରୁ ଆସୁଥିବା ଲୋକମାନେ ବାଲୁଗାଁ ସହରର ଅବସ୍ଥିତି ଜାଣିବା କଷ୍ଟକର ହୋଇପଡୁଥିବା ବେଳେ ଆଜି ମୁକ୍ତା ଯୋଜନାରେ ସହର ସୀମା ତଥା ଦକ୍ଷିଣ ପାର୍ଶ୍ଵ ପ୍ରବେଶ ଦ୍ୱାର ସୋମନାଥ ବସ ଷ୍ଟାଣ୍ଡ ଓ ଉତ୍ତର ପାର୍ଶ୍ଵ ମାମୁଁ ଭଣଜା ପାଦଦେଶ ପୋଲିସ ଥାନା ଠାରେ ନବନିର୍ମିତ ଦୁଇ ଗୋଟି ସ୍ୱାଗତ ଫଳକ ସହ ଚିଲିକା କୁଳ ଜେଟି ଠାରେ ସେଲଫି ପଏଣ୍ଟ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।

ଏଥିସହିତ ବାଲୁଗାଁ-ବାଣପୁର ରେଲୱେ ଓଭର ବ୍ରିଜ ଉପରେ ଥିବା ବିଦ୍ୟୁତ ଖୁଣ୍ଟର ସୌନ୍ଦର୍ଯ୍ୟକରଣ ଲାଇଟ ଏବଂ ବିଜ୍ଞାପିତ ପରିଷଦର ପରିମଳ କାର୍ଯ୍ୟ ପାଇଁ ନୂତନ ଭାବେ ନିୟୋଜିତ ଗୋଟିଏ ଟ୍ରାକ୍ଟର ଓ ଦୁଇଟି ଟାଟା ଏସି ର ଶୁଭ ଉଦଘାଟନ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ପୌର ଯନ୍ତ୍ରୀ, ଜନ ସ୍ଵାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ବିଜେପିର ହେଲା ରୁଦ୍ଧ ଦ୍ଵାର ବୈଠକ, କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଦିନିକିଆ ଗସ୍ତରେ ଓଡ଼ିଶା ଆସି ଫେରିଯାଇଛନ୍ତି। ଫୋକସରେ ଥିଲା ପୁରୀ ଲୋକସଭା ଆସନ। ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁର ପଲଟନ ଠାରେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ନଡ୍ଡା ଏକ ରୁଦ୍ଧଦ୍ୱାର ବୈଠକ କରିଥିବା ଜଣାପଡିଛି। ଉକ୍ତ ବୈଠକ ଦଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା।

ବାଣପୁର କାର୍ଯ୍ୟକ୍ରମ ସାରିବା ପରେ ଏକାମୁହାଁ ହୋଇ ନାଚୁଣୀ ଅରବିନ୍ଦ ସ୍କୁଲ ପଡିଆରେ ଶ୍ରୀ ନଡ୍ଡା ପହଞ୍ଚିଥିଲେ। ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଭାଗ ନେଇ କର୍ମୀଙ୍କୁ ଶ୍ରୀ ନଡ୍ଡା ଗୁରୁମନ୍ତ୍ର ଦେଇଥିଲେ।

ଉକ୍ତ ବୈଠକରେ କେବଳ ପୁରୀ ଲୋକସଭାର ନିମନ୍ତ୍ରିତ ୪୦୦ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପୁରୀ ଲୋକସଭା ଅନ୍ତର୍ଗତ ୭ ଗୋଟି ବିଧାନସଭାର ସମସ୍ତ ମଣ୍ଡଳ ସଭାପତି, କୋର କମିଟି ସଦସ୍ୟ ଏବଂ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଅଧ୍ୟକ୍ଷ ଓ ପୌରାଞ୍ଚଳର କାଉନସିଲରମାନେ ଉକ୍ତ ବୈଠକରେ ଯୋଗ ଦେଇଥିଲେ।

ଆସନ୍ତା ୧୪ ମାସ କଠିନ ପରିଶ୍ରମ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ଦଳ ଛାଡିଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ଦଳରେ ଆଣିବା ପାଇଁ ସମ୍ପର୍କ କରିବା, ନିରନ୍ତର ପ୍ରବାସ କରିବା, ପ୍ରତିଦିନ ନୂଆ ନୂଆ କାର୍ଯ୍ୟକର୍ତ୍ତାଙ୍କୁ ଯୋଡିବା, ଭାଜପା ପ୍ରାର୍ଥୀଙ୍କ ଠାରୁ ହାରି ଯାଇଥିବା ପ୍ରାର୍ଥୀଙ୍କ ସହ ସମ୍ପର୍କ ବଢାଇବା ପାଇଁ ଚେଷ୍ଟା କରିବା ଆଦି ବହୁ କର୍ଣ୍ଣମନ୍ତ୍ର ପ୍ରଦାନ କରିଥିଲେ ଶ୍ରୀ ନଡ୍ଡା।

ଭାଜପା ଏକ ବିଚାରଧାରା ଦଳ ଯେଉଁଠି ରାଷ୍ଟ୍ର ପ୍ରଥମ। ସମ୍ପ୍ରତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ୱକୁ ବିଶ୍ୱ ମାନୁଥିବା ବେଳେ ସମଗ୍ର ଦେଶରେ କୋଟି କୋଟି କାର୍ଯ୍ୟକର୍ତ୍ତା ନିସ୍ଵାର୍ଥପର ଭାବେ ଭାଜପା ପାଇଁ କାମ କରୁଛନ୍ତି। ପୁରୀ ଲୋକସଭାର ପ୍ରତିଟି ବିଜେପି କାର୍ଯ୍ୟକର୍ତ୍ତା ଜନସାଧାରଣଙ୍କ ଘରକୁ ଘର ଯାଇ ପ୍ରଧାନମନ୍ତ୍ରୀଙ୍କ ସୁଶାସନ ବିଷୟରେ ଅବଗତ କରାଇବା ସହ ଭାଜପା ପାଇଁ ଭୋଟଭିକ୍ଷା କରନ୍ତୁ ବୋଲି ଶ୍ରୀ ନଡ୍ଡା କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କ ଦିନିକିଆ ଓଡିଶା ଗସ୍ତ, ରାଜ୍ୟ ସରକାରଙ୍କୁ ମାରିଲେ ତୀର

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ପାର୍ଟୀର ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ କନ୍ଧମାଳ ଲୋକସଭାର ତୁମୁଡିବନ୍ଧ ଓ ପୁରୀ ଲୋକସଭାର ବାଣପୁରଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ।

ଜୟ ଜଗନ୍ନାଥ, ଜୟ ମାଁ ଭଗବତୀ, ଜୟ ମାଁ କାଳୀ ବୋଲି କହି ଜନସଭାକୁ ଶ୍ରୀ ନଡ୍ଡା ସମ୍ବୋଧନ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ବିଜେଡି ସରକାର କାହିଁକି ସୁରକ୍ଷିତ ରଖୁନାହାନ୍ତି ? ରତ୍ନଭଣ୍ଡାରର ଅସଲି ଚାବି କେଉଁଠି ଓ କେମିତି ହଜିଲା ? ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନକଲି ଚାବି ଧରି ବୁଲୁଛନ୍ତି । ନିଜେ ରାଜ୍ୟ ସରକାର ଅସଲି କି ନକଲି ଜଣା ପଡୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଜବାବ୍ ରଖିବା ଉଚିତ୍ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ଓଡିଶାରେ ଏକ ନୂତନ ଓଡିଆ ବିଶ୍ୱବିଦ୍ୟାଳୟ ଖୋଲିବାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମହୋଦୟ । ଘୋଷଣାକୁ ୪ ବର୍ଷ ପୁରଣ ହୋଇ ୫ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଏହା ସମ୍ଭବ ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି କୁଆଡେ ଗଲା ? ଗୋଟିଏ ପଟେ ନବୀନ ପଟ୍ଟନାୟକ ନିଜ ପ୍ରତିଶୃତିକୁ ପୂରଣ କରିବାରେ ବିଫଳ ହୋଇଥିବାବେଳେ ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ଆଇଆଇଏମ, ଆଇଜର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଏମ୍ସ ମେଡିକାଲ ପ୍ରତିଷ୍ଠା କରାଇଛନ୍ତି ।

ନୟାଗଡସ୍ଥିତ ଚିନିକଳକୁ ପୁନଃ କାର୍ଯ୍ୟକ୍ରମ କରିବାର ଘୋଷଣା କରିଥିଲେ ସୁଦ୍ଧା ବର୍ତମାନ ମଧ୍ୟ ଏହା ସମ୍ଭବ ହୋଇପାରିଲା ନାହିଁ । ଏପରିକି ସେଠାକାର କର୍ମଚାରୀମାନଙ୍କୁ ଦରମା ଦିଆଗଲା ନାହିଁ କି ଆଖୁ ଚାଷୀଙ୍କୁ ତାଙ୍କ ବକେୟା ଟଙ୍କା ଦିଆଗଲା ନାହିଁ । ଓଡିଶା ସରକାରଙ୍କୁ କିଏ ପରିଚାଳିତ କରୁଛି, ତାହା ଜଣା ପଡୁନାହିଁ । ଏହା କିପରି ସରକାର ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ମତ ରଖି ଶ୍ରୀ ନଡ୍ଡା କହିଛନ୍ତି ଯେ, ଓଡିଶାରେ ରାଜନୀତିରେ ଅପରାଧୀକରଣ ଚରମ ସୀମାରେ ପହଂଚିଛି । ଓଡିଶାରେ ଆଜି ମହିଳା ଉତ୍ପୀଡନ ସମସ୍ତ ସୀମା ଅତିକ୍ରମ କରିଛି । ମହିଳା ବିରୋଧୀ ହିଂସା ଦ୍ୱିଗୁଣିତ ହୋଇଛି । ମହିଳା ଓ ଶିଶୁ ଅପହରଣ ଏବଂ ଚାଲାଣରେ ଓଡିଶା ଆଜି ସର୍ବାଗ୍ରେ ରହିଛି । ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଚାଲିଛି ।

ଓଡିଶା ପୋଲିସ ଉପରେ ଅପରାଧୀମାନଙ୍କ ପ୍ରଭାବ ଓ ଆକ୍ରମଣ ବୃଦ୍ଧି ପାଉଛି । ଓଡିଶା ପୋଲିସ ନିଜକୁ ସୁରକ୍ଷିତ ରଖିବାରେ ଅସମର୍ଥ ଥିବାବେଳେ ରାଜ୍ୟବାସୀ କେମିତି ସୁରକ୍ଷିତ ରହିବେ ? ଏମିତି ଅପାରଗ ରାଜ୍ୟ ସରକାରଙ୍କ ଶାସନ କ୍ଷମତାରେ ରହିବାର କୈାଣସି ଅଧିକାର ନାହିଁ । ରାଜ୍ୟର ସଠିକ୍ ବିକାଶ ପାଇଁ ଓଡିଶାରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାରକୁ ଲୋକସଭାଠାରୁ ଆରମ୍ଭ କରି ବିଧାନସଭାରେ ପଦ୍ମ ଫୁଲରେ ଚିହ୍ନରେ ମୋହର ମାରୀ ବିଜେପିକୁ ଶାସନ କ୍ଷମତା ପ୍ରଦାନ କରିବାକୁ ଶ୍ରୀ ନଡ୍ଡା ଆହ୍ୱାନ କରିଛନ୍ତି ।

ବିଜେଡି ସରକାରକୁ ଘେରିବାକୁ ଯାଇ ଶ୍ରୀ ନଡ୍ଡା କହିଛନ୍ତି ଯେ, ମୋଦି ସରକାର ଆୟୁଷ୍ମାନ ଭାରତ ଯୋଜନାରେ ୫୫ କୋଟି ଦେଶବାସୀଙ୍କୁ ମାଗଣା ସ୍ୱସ୍ଥ୍ୟ ସେବା ଯୋଗାଇ ଦେଉଥିବାବେଳେ, ଓଡିଶାବାସୀଙ୍କ ପାଇଁ ବାଧକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଓଡିଶାର ଗରୀବ ଜନସାଧାରଣଙ୍କ କଣ ଦୋଷ ରହିଯାଇଛି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ ଏବଂ ଏଥି ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ବିକାଶକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବାର କାର୍ଯ୍ୟ କରୁଛନ୍ତି ମୋଦି ସରକାର । ପକ୍କା ଘର, ଶୈାଚାଳୟ, ପାଇପ ଯୋଗେ ପାନୀୟ ଜଳ, ମାଗଣା ରୋଷେଇ ଗ୍ୟାସ ସଂଯୋଗୀକରଣ, କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ସଏଲ ହେଲ୍‌ଥ କାର୍ଡ, ପିଏମ ଫସଲ ବୀମା ଯୋଜନା, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୮୭ଟି ଏକଲବ୍ୟ ବିଦ୍ୟାଳୟର ସ୍ଥାପନା ଭଳି ଅନେକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରାଇଛନ୍ତି । ରାଷ୍ଟ୍ରୀୟ ରାଜପଥ ଓ ରେଳପଥର ବିକାଶ ତ୍ୱରାନ୍ୱିତ ହୋଇଛି ।

ପୁରୀ, ଭୁବନେଶ୍ୱର ସମେତ ରାଜ୍ୟର ଅନେକ ରେଳ ଷ୍ଟେସନର ଉନ୍ନତିକରଣ ହୋଇଛି । ପୁରୀଠାରେ ନୂତନ ଜଗନ୍ନାଥ ଷ୍ଟାଡିୟମ ଏବଂ ଜଗନ୍ନାଥ ମେଡିକାଲ କଲେଜର ନିର୍ମାଣ କରାଯାଉଛି । ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ସ୍ଥାପନା କରାଯାଉଛି । ପ୍ରାୟ ୮୦୦୦ କୋଟି ବ୍ୟୟରେ କୋଷ୍ଟାଲ ରାଜପଥ ନିର୍ମାଣ ହେଉଛି । ଅନ୍ୟ ପଟେ ରାଜ୍ୟରେ ବିଜେଡି ସରକାର ଚଂଚକତା କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘରର ଆଖ୍ୟା ଦେଇଛନ୍ତି । ଏହା କେଉଁ ଭଳି ରାଜନୀତି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ରୋଜଗାର ମେଳ ଜରିଆରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି । ନୂତନ ଶିକ୍ଷା ନୀତି ଜରିଆରେ ଗରୀବ ଛାତ୍ରଛାତ୍ରୀମାନେ ନିଜ ନିଜ ମାତୃଭାଷାରେ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା ଲାଭ କରିପାରିବେ । ଦେଶରେ ପ୍ରାୟ ୭୦୦୦୦ ନୂତନ ଷ୍ଟାର୍ଟ ଅଫ୍ ଆରମ୍ଭ ହୋଇଥିବାବେଳେ ଏଥି ମଧ୍ୟରୁ ୧୦୦ରୁ ଉର୍ଦ୍ଧ୍ୱ କେବଳ ୟୁନିକର୍ଣ୍ଣ ରହିଛି । କେମିକାଲ ରପ୍ତାନୀରେ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଷ୍ଟିଲ ଉତ୍ପାଦନ ଏବଂ ମୋବାଇଲ ନିର୍ମାଣରେ ମଧ୍ୟ ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇଛି । ଅଟୋମୋବାଇଲ ଶିଳ୍ପ କ୍ଷେତ୍ରରେ ୪ର୍ଥ ଏବଂ ଫାର୍ମାସିଉଟିକାଲ୍ସ କ୍ଷେତ୍ରରେ ଉତ୍କୃଷ୍ଟ ସ୍ଥାନ ହାସଲ କରିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଠ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ସୁକେଶୀ ଓରାମ, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ସ୍ୱାଗତ ଜଣାଇଥିଲେ ।

ଶ୍ରୀ ନଡ୍ଡା ସିଧା କନ୍ଧମାଳର ତୁମୁଡିବନ୍ଧ ଅଭିମୁଖେ ଗସ୍ତ କରି ସାଧାରଣ ସଭାରେ ଯୋଗ ଦେବା ସହିତ ଜଳେଶପଟ୍ଟା ଆଶ୍ରମରେ ନବନିର୍ମିତ କନ୍ୟାଶ୍ରମର ଉଦ୍‌ଘାଟନ କରିଥିଲେ । ଏହା ପରେ ପୁରୀ ଲୋକସଭାର ବାଣପୁରଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେବା ସହିତ ମାଁ ଭଗବତୀଙ୍କୁ ଦର୍ଶନ କରିଥିଲେ । ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀର ନାଚୁଣୀଠାରେ ଅନୁଷ୍ଠିତ କାର୍ଯ୍ୟକର୍ତା ବୈଠକରେ ଶ୍ରୀ ନଡ୍ଡା ଯୋଗ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଲିକା ଆସୁଛନ୍ତି ଜେ ପି ନଡ୍ଡା, ସୁରକ୍ଷା ପାଇଁ ୭ ପ୍ଲାଟୁନ ପୋଲିସ, ବାଣପୁର ବଜାର ବନ୍ଦ

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିଲାଗି ସାରା ଚିଲିକା ନିର୍ବାଚନମଣ୍ଡଳି ଚଳଚଞ୍ଚଳ। ବିଶେଷ କରି ବାଣପୁର ସାରା ବିଜେପି ପତାକାରେ ଛାଇ ଯାଇଥିବା ବେଳେ ସମସ୍ତ ଖୁଣ୍ଟରେ ଜେପି ନଡ୍ଡା ଏବଂ ଧର୍ମେନ୍ଦ୍ର ପ୍ରାଧନଙ୍କ କଟଆଉଟ ବୋର୍ଡ ଦେଖିବାକୁ ମିଳିଛି।

ଆଜି ଅପରାହ୍ନରେ ରାଷ୍ଟ୍ରୀୟ ମୁଖପାତ୍ର ଡ଼ା ସମ୍ବିତ ପାତ୍ର,ରାଜ୍ୟ ବିଜେପି ପ୍ରଭାରୀ ଡ଼ି ପୁରୁନ୍ଦେଶ୍ୱରୀ ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ସଭାସ୍ଥଳ, ହେଲିପ୍ୟାଡ଼ ଏବଂ ନାଚୁଣୀ ବୈଠକ ସ୍ଥଳ ଆଦି ପରିଦର୍ଶନ କରିବା ସହ ଭିତ୍ତିଭୂମି ପରଖିଥିଲେ। ଶ୍ରୀ ନଡ୍ଡା ଆସନ୍ତାକାଲି ହେଲିକପ୍ଟର ଯୋଗେ ଆସି ଅପରାହ୍ନ ୩.୩୦ ମିନିଟରେ ପଲଟନ ପଡିଆରେ ପହଞ୍ଚିବେ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଅନ୍ୟ ଏକ ହେଲିକାପ୍ଟରରେ ଆସି ଏହି ସଭାରେ ଯୋଗଦେବେ।

ନଡ୍ଡା ବାଣପୁର ପଲଟନ ପଡିଆରେ ଏକ ବିଶାଳ ସାଧରଣ ସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ନ ୫ ଘଟିକାରେ ମା’ ଭଗବତୀ ମନ୍ଦିର ଦର୍ଶନ କରିବେ। ଏହାପରେ ସଡ଼କପଥ ଯୋଗେ ନାଚୁଣୀ ଯାଇ ଅରବିନ୍ଦ ସ୍କୁଲ ପଡିଆ ମଧ୍ୟରେ ପୁରି ଲୋକସଭା ଅନ୍ତର୍ଗତ ୭ ଗୋଟି ନିର୍ବାଚନ ମଣ୍ଡଳିର ସମସ୍ତ ମଣ୍ଡଳ ସଭାପତି, ନିର୍ବାଚିତ ସଦସ୍ୟ ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବାର୍ତାଳାପ କରିବେ। ଏହାପରେ ସଡ଼କ ପଥ ଯୋଗେ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ଯାଇ ସେଠାରୁ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡିଛି।

ତେବେ ନଡ୍ଡାଙ୍କ ଗସ୍ତ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନଡ୍ଡାଙ୍କ ଗସ୍ତ ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ, ୫ ଡ଼ିଏସପି, ୯ ଇନ୍ସପେକ୍ଟର, ୧୭ ସବ ଇନ୍ସପେକ୍ଟର ଆଦି ନିୟୋଜିତ ହୋଇଥିବା ଡ଼ିଏସପି ଡ଼ିଆଇବି ଅତନୁ ରାଉତ କହିଛନ୍ତି।

ସେହିପରି ନଡ୍ଡା ଙ୍କ ସଭାପାଇଁ ୭ ଗୋଟି ସ୍ଥାନ ଯଥା ଟିକିରାଇ ପଡିଆ, ମାଟିଆପୋଖରୀ ପଡିଆ, ନନ୍ଦ କିଶୋର ମିଶ୍ର ଙ୍କ ଗୃହ ସମ୍ମୁଖ ପଡିଆ, ଗୁପ୍ତେଶ୍ୱର ମନ୍ଦିର ପଡିଆ, ସାନ ହନ୍ତୁଆଡ଼ ପଡିଆ, ପେଟ୍ରୋଲ ପମ୍ପ ପାର୍ଶ୍ଵବତୀ ପଡିଆ ଏବଂ ବାଲି ଡିପୋ ରେ ପାର୍କିଙ୍ଗ ବ୍ୟବସ୍ଥା ହୋଇଥିବା ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି। ଅନୁରୂପ ଭାବେ ନଡ୍ଡାଙ୍କ ଜେଡ ପ୍ଲସ ସିକ୍ୟୁରିଟି ଥିବାରୁ ତାଙ୍କ ମନ୍ଦିର ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ବାଣପୁର ବଜାର ବନ୍ଦ ରହିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଗସ୍ତରେ ଜେ.ପି ନଡ୍ଡା: ସଭାସ୍ଥଳ ଅନୁଧ୍ୟାନ କଲେ ଓଡ଼ିଶା ବିଜେପି ପ୍ରଭାରୀ ଡ଼ି. ପୁରୁନ୍ଦେଶ୍ୱରୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତା ୨୮ ତାରିଖ ବୁଧବାର ଦିନ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ପୁରୀ ଲୋକସଭାର ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ଉକ୍ତ ସଭାରେ ପୁରୀ ଲୋକସଭାର ସମସ୍ତ ୭ ଗୋଟି ନିର୍ବାଚନମଣ୍ଡଳିରୁ ୧୫ ହଜାରରୁ ଉର୍ଦ୍ଧ୍ଵ ବିଜେପି କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ତେବେ ସ୍ୱଳ୍ପ ଦିନ ମଧ୍ୟରେ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ସ୍ଥାନୀୟ ବିଜେପିର ଆଖିରୁ ନିଦ ହଜିଯାଇଛି। ସ୍ଥାନୀୟ ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଉକ୍ତ କାର୍ଯ୍ୟକ୍ରମର ମଙ୍ଗ ଧରିଥିବା ବେଳେ ପ୍ରତିଦିନ ତୁହାକୁ ତୁହା ମାଳମାଳ ବିଜେପି ନେତାଙ୍କ ପଲଟନ ପଡିଆ ଗସ୍ତ ଜାରି ରହିଛି। ଇତି ମଧ୍ୟରେ ବିଜେପି ପକ୍ଷରୁ ଉଭୟ ବାଣପୁର ଓ ଚିଲିକା ବ୍ଲକ କର୍ମୀଙ୍କ ଆନୁକୂଲ୍ୟରେ ପ୍ରସ୍ତୁତି ବୈଠକ ସରିଥିବା ବେଳେ କାର୍ଯ୍ୟକ୍ରମର ବ୍ଲୁ ପ୍ରିଣ୍ଟ ମଧ୍ୟ ସରିଛି। ଶ୍ରୀ ନଡ୍ଡା ଅପରାହ୍ନ ୩.୩୦ ମିନିଟ ସମୟରେ ବାଣପୁର ପହଞ୍ଚିବାକୁ ଥିବାବେଳେ ତାଙ୍କ ହେଲିପ୍ୟାଡ଼ ବ୍ଲକ ଅଫିସ ନିକଟରେ ସ୍ଥିରୀକୃତ ହୋଇଥିବାର ଜଣାପଡିଛି।

ଏହାପରେ ନାଚୁଣୀରେ ଶ୍ରୀ ନଡ୍ଡା ପୁରୀ ଲୋକସଭାର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ସଭାସ୍ଥଳ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ପରଖିବା ପାଇଁ ଆଜି ମଧ୍ୟାହ୍ନରେ ପଲଟନ ପଡିଆ ପହଞ୍ଚିଥିଲେ ଓଡ଼ିଶା ବିଜେପି ପ୍ରଭାରୀ ଡ଼ି. ପୁରୁନ୍ଦେଶ୍ୱରୀ। ତାଙ୍କ ସହ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ଲୋକସଭା ବିଜେପି ପ୍ରଭାରୀ ଅମିୟ ଦାସ ଆଦି ଉପସ୍ଥିତ ଥିଲେ।

ଡ଼ି. ପୁରୁନ୍ଦେଶ୍ୱରୀଙ୍କୁ ସମସ୍ତ ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ ଶ୍ରୀ ହରିଚନ୍ଦନ। ଏହା ପରେ ଏହି ଟିମ ହେଲିପ୍ୟାଡ଼ ସ୍ଥଳ ପରିଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ, ଡ଼ିଏସପି ଡ଼ିଆଇବି ଅତନୁ ରାଉତ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ଆଦି ସଭାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା, ଟ୍ରାଫିକ, ପାର୍କିଙ୍ଗ ଓ ବ୍ୟାରିକେଡ଼ ବ୍ୟବସ୍ଥା ଆଦି ବିଷୟରେ ଆୟୋଜକଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ସୂଚନା ଥାଉକି ୨୦୨୪ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ବିଜେପିର ଫୋକସ ରେ ଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁରୀ ଲୋକସଭାରୁ ପ୍ରବାସ ଆରମ୍ଭ କରିବେ। ତେବେ ନଡ୍ଡାଙ୍କ ଗସ୍ତକୁ ଆଉ ମାତ୍ର ଦିନଟିଏ ଥିବାବେଳେ ଚିଲିକା ବିଜେପି ଉତ୍ସବମୁଖର ହୋଇପଡିଛି। ଉକ୍ତ ଦିନ ନଡ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଷ୍ଟୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଏବଂ ଅନ୍ୟାନ୍ୟ ରାଜ୍ୟସ୍ତରୀୟ ତୁଙ୍ଗନେତା ବାଣପୁର ଆସିବେ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ପକ୍ଷୀ ଶୀକାର ଅଭିଯୋଗରେ କଲେଜ୍ ପଢୁଆ ନାବାଳକ ଛାତ୍ର ଗିରଫ

ସୀତାରାମ ଅଗ୍ରୱାଲ
ଚିଲିକା: ଚିଲିକାରେ ପକ୍ଷୀ ଶିକାର ଥମିବାର ନାଁ ନେଉନାହିଁ। ଶୀତ ଋତୁରେ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଚିଲିକା ଆସୁଥିବା ବେଳେ ଶିକାରୀମାନେ ସକ୍ରିୟ ହୋଇ ଉଠୁଛନ୍ତି। ବନ୍ୟପ୍ରାଣୀ ବିଭାଗର କଡା ପ୍ରହରା ସତ୍ତ୍ୱେ ଶିକାରୀମାନେ ଶିକାର କରିବାରେ ବ୍ୟସ୍ତ ରହିଛନ୍ତି। ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରତିଦିନ ଶିକାରୀଙ୍କୁ ଗିରଫ କରାଯାଉଥିବା ବେଳେ ଆଜି ଜଣେ ନାବାଳକ ଛାତ୍ର ପକ୍ଷୀ ଶିକାର ଅଭିଯୋଗରେ ଗିରଫ ହୋଇଛନ୍ତି।

ଆଜି ଶୀକାର କରି ଘରକୁ ଫେରୁଥିବା ବେଳେ ଏହି ନାବାଳକ ଶିକାରୀ ଜଣଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଛି। ଗିରଫ ଛାତ୍ର ଜଣକ +୨ ଶ୍ରେଣୀର ପ୍ରଥମ ବର୍ଷର ଛାତ୍ର ବୋଲି ଜଣା ପଡିଛି। ନାବାଳକ ଛାତ୍ର ଜଣକ ପକ୍ଷୀ ଶୀକାର କରି ବିକ୍ରି କରିବାକୁ ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ବନ୍ୟ ପ୍ରାଣୀ କର୍ମଚାରୀମାନେ ବାଣପୁର ଥାନା ବଉଳା ବନ୍ଧ ଗ୍ରାମ ନିକଟରୁ ଗିରଫ କରିଛନ୍ତି। ତାଙ୍କ ନିକଟରୁ ୩ ଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଛି।

ତେବେ ପକ୍ଷୀ ଶୀକାରକୁ ରୋକିବା ପାଇଁ ଶତ ଚେଷ୍ଟା କଲେ ମଧ୍ୟ ବନ୍ୟ ପ୍ରାଣୀ ବିଭାଗ ବିଫଳ ହୋଇଛି। ବନ୍ୟ ପ୍ରାଣୀ ବିଭାଗର କଡା ପ୍ରହରାକୁ ଖାତିର ନକରି ଶୀକାରୀମାନେ ବାରମ୍ବାର ପକ୍ଷୀ ଶୀକାର କରୁଛନ୍ତି। ତେଣୁ ବିଦେଶୀ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ସହ
ଶୀକାର ନ କରିବାକୁ ପରାମର୍ଶ ଦେଇଛନ୍ତି ରେଂଜର ଚୁଡାରାଣୀ ମୁର୍ମୁ।

Categories
ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି ୯ ଘଣ୍ଟା ପାଇଁ ବନ୍ଦ ରହିବ ବିଦ୍ୟୁତ ସରବରାହ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ନଅ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୧୩୨/୩୩ ନାଭାଲ ଗ୍ରୀଡ଼ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୮ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ଶ୍ରୀ ଦଳେଇ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍‌ର ସୋରଣ, ଜରିପଡ଼ା ଏବଂ କଳକଳେଶ୍ଵର ପଞ୍ଚାୟତକୁ ‌ ବାଦ୍‌ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

Categories
ଆଞ୍ଚଳିକ

ଚିଲିକାରେ ଡିଜେ ବ୍ୟାନ ମାମଲା: ସାମ୍ବାଦିକ ସମ୍ମିଳନୀ କଲା ସଂଘ, ଉପଜିଲ୍ଲାପାଳଙ୍କ ନାଁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ମା’ ଭଗବତୀ ବ୍ୟାଣ୍ଡ ଓ ସାଉଣ୍ଡ ସଂଘ ବାଲୁଗାଁ-ବାଣପୁର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ବୈଠକରେ ସଂଘ ସଭାପତି କବିରାଜ ସାହୁଙ୍କ ପୌରହିତ୍ୟରେ ବାଲୁଗାଁ ପୋଲିସ ସବଡିଭିଜନରେ ଡିଜେକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା ଫଳରେ ଜୀବିକା ଉଜୁଡୁଥିବା ସମ୍ପର୍କିତ ସମସ୍ୟା ବିଷୟରେ ଅବଗତ କରାଯାଇଥିଲା। ଡିଜେ ବନ୍ଦ କରିବା ଫଳରେ ନିଜର ବ୍ୟବସାୟରେ ପ୍ରବଳ କ୍ଷତି ସହିବା ସହ ପରିବାର ପୋଷଣ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଥିସହିତ ଋଣ ଆଣି ସଂସ୍ଥା କରିଥିବାବେଳେ ଡିଜେ ନ ବାଜିବାରୁ ଋଣ ଭାରରେ ବୁଡିରହିଛନ୍ତି। ଏହାକୁ ସଂଘମତ ଭାବେ ପୁନର୍ବାର ଡିଜେ ବଜାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଅବଗତ କରାଇଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ନମିଳିବାରୁ ବୈଠକରେ ବିଚାର ବିମର୍ଷ କରି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ଏସମ୍ପର୍କରେ ଅବଗତ କରାଇଥିବା ସଦସ୍ୟମଣ୍ଡଳୀ କହିଛନ୍ତି।

ଏନେଇ ସଂଘ ସଭାପତି ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରେ ଡିଜେ ବନ୍ଦ ହେବା ଦ୍ୱାରା ଆମେ ଆମର ଜୀବିକା ହରେଇଛୁ।ଚଳିବୁ କେମିତି ତା ଛଡା ଏତେ ଟଙ୍କା ବିନିଯୋଗ କରି ଏକ ସଂସ୍ଥା କରିଥିଲୁ ତାହାର ଭରଣ କିଏ ଦେବ ବୋଲି କହିଥିଲେ। ତତସହିତ ନିକଟରେ ଜିଲ୍ଲା ପ୍ରଶାସନ ଅନୁମତି ସତ୍ତ୍ୱେ ବାଲୁଗାଁ ପୋଲିସ ଲାଉଡ଼ସ୍ପିକର ଗାଡ଼ି ସିଜ କରିଦେଇଥିବାର ଅଭିଯୋଗ କରିଥିଲେ ଶ୍ରୀ ସାହୁ।

ତେବେ ଏ ନେଇ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ଯୋଗାଯୋଗ କରିବାରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଲାଉଡ଼ସ୍ପିକରରେ ଶବ୍ଦର ପରିଧି ମାପିବା ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ ଅଟେ। ଉକ୍ତଦିନ ସମ୍ପୃକ୍ତ ଗାଡ଼ିରେ ଉକ୍ତ ଯନ୍ତ୍ର ନଥିଲା ଏବଂ ଉଚ୍ଚ ଶବ୍ଦରେ ଲାଉଡ଼ସ୍ପିକର ବାଜିବାରୁ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ କ୍ରମେ ତାହା ଜବତ ହୋଇଥିବାର କହିଛନ୍ତି ଶ୍ରୀ ଦାସ।

ସେହିପରି ଭାବେ ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ଯୋଗାଯୋଗ କରାଯିବାରୁ ଜିଲ୍ଲା ପ୍ରଶାସନର ଅନୁମତି ପତ୍ର ବିନା ଡିଜେକୁ କୌଣସି ମତେ ବାଲୁଗାଁ ସବଡିଭିଜନରେ ଅନୁମତି ଦିଆଯିବ ନାହିଁ ବୋଲି ରୋକଠୋକ କହିଛନ୍ତି। କେବଳ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଡିଜେ ବାଜିପାରିବ ବୋଲି ଶ୍ରୀ ବାରିକ କହିଛନ୍ତି। ଏଥିସହିତ ଡିଜେ ବାଜିବା ସମୟରେ ଯଦି କୌଣସି ନାଗରିକଙ୍କ ସ୍ୱାସ୍ଥ୍ୟଜନିତ ଅଘଟଣ ଘଟେ, ଏଥିପ୍ରତି ଉତ୍ତରଦାୟୀ କିଏ ରହିବ ବୋଲି ଏସଡିପିଓ ଶ୍ରୀ ବାରିକ ସିଧାସଳଖ କହିଛନ୍ତି। ଯଦି ଉକ୍ତ ନିର୍ଦ୍ଦେଶନାମାରେ ଖିଲାପ ହୁଏ ତେବେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିବା ସହ ଏଥିପାଇଁ ସମ୍ପୃକ୍ତ ଥାନା ଅଧିକାରୀମାନେ ସତର୍କ ରହିଥିବା କହିଛନ୍ତି।

ତେବେ ଏ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ପଚାରିବାରୁ ସରକାରୀ ନିୟମ ମୁତାବକ ଡ଼ିଜେ ଅନୁମତି କାହାକୁ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ତତସହିତ ସାଉଣ୍ଡ ଲାଇଟ ମାଲିକମାନେ ସରକାରୀ ନିୟମ ମୁତାବକ ୬୫ ଡେସିବିଲ ମଧ୍ୟରେ ଲାଉଡ଼ସ୍ପିକର ବଜାଇପାରିବେ, କିନ୍ତୁ ଡିଜେ ବଜାଇପାରିବେ ନାହିଁ ବୋଲି କହିଛନ୍ତି।

ସୂଚନା ଥାଉକି ବାରମ୍ବାର ପୋଲିସର ଅନୁରୋଧ ସତ୍ତ୍ୱେ ବାଲୁଗାଁ ପୋଲିସ ସବଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଦିନ ହେଉ ଅବା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାର ଅଭିଯୋଗ ଆସିବା ଫଳରେ ଏନେଇ ବାଲୁଗାଁ ପୋଲିସ ସବଡିଭିଜନ ଅଧୀନରେ ଆସୁଥିବା ଚାରି ଗୋଟି ଥାନା ଅଞ୍ଚଳରେ ଡିଜେକୁ ବ୍ୟାନ କରାଯାଇଥିଲା। ଏଥିସହିତ ଡିଜେ ବଜାଇବା ପାଇଁ କିଛି ନିୟମାବଳୀ ଅନୁସରଣ କରିବାସହ ଉପଜିଲ୍ଲାପାଳଙ୍କ ଅନୁମତି ଅପରିହାର୍ଯ୍ୟ ହୋଇଥିବା ବେଳେ ଡିଜେ ମାଲିକମାନେ ଏହାକୁ ଖୁଲାମଖୁଲା ଉଲଙ୍ଘନ କରିବାରୁ ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ଭଳି ଅଭିଯୋଗମାନ ଆସିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଆରମ୍ଭ ହେଲା ଡ଼ଲଫିନ ଗଣନା କାର୍ଯ୍ୟ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକାରେ ଆଜି ସକାଳ ୬ ଟା ରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା। ଏହା ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଚିଲିକାର ବାଲୁଗାଁ ବଡକୂଳରୁ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇ ଗଣନା କରୁଛନ୍ତି। ପ୍ରତ୍ୟେକ ଟିମରେ ୫ ଜଣ ସଦସ୍ୟ ରହିଛନ୍ତି।

ଚିଲିକାରେ ମୋଟ ୧୮ ଟି ଦଳ ମୋଟର ବୋଟ୍ ରେ ଯାଇ ଜିପିଏସ ସିଷ୍ଟମ ଓ ବାଇନା କୁଲାର ମାଧ୍ୟ୍ୟମରେ ଡଲଫିନ୍ ଗଣନା କରୁଛନ୍ତି। ଚିଲିକାରେ ବିଶେଷତଃ ଇରାୱାଡି ବା ଶିଶୁମାର ଡଲଫିନ୍ ଦେଖାଯାଉଥିଵା ବେଳେ ବଟଲ୍ ନୋଜ୍ ଡଲଫିନ୍ ଗୁଡିକ ଚିଲିକାର ସମୁଦ୍ର ମୁହାଁଣ ଅଂଚଳରେ ଦେଖା ଯାଇଥାନ୍ତି। ଗତ ବର୍ଷ ଚିଲିକାରେ ମୋଟ ୧୬୭ ଗୋଟି ଡଲଫିନ୍ ଥିବା ଗଣନାରୁ ଜଣା ପଡିଥିଲା। ସମଗ୍ର ଚିଲିକାରେ କେତେ ଡ଼ଲଫିନ ଆସିଛନ୍ତି ତାହା ଗଣନା ପରେ ହିଁ ଜଣାପଡିବ।

ବନ୍ୟ ପ୍ରାଣୀ ବିଭାଗ ଏବଂ ସିଡିଏ କର୍ତ୍ତୃପକ୍ଷ ଚିଲିକାରେ ଡ଼ଲଫିନ ଗଣନା କରୁଥିବା ବେଳେ ଏଥିରେ ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀ, ସ୍ଵେଚ୍ଛାସେଵୀ, ଓୟୁଏଟି ଛାତ୍ରଛାତ୍ରୀ ଏବଂ ମଟରବୋଟ ଆସୋସିଏସନ ସାମିଲ ହୋଇଛନ୍ତି।

ଚଳିତ ବର୍ଷ ସମଗ୍ର ଚିଲିକାକୁ କେତେ ପ୍ରଜାତିର ଡ଼ଲଫିନ ଆସିଛନ୍ତି, ତାହାର ସ୍ପଷ୍ଟ ଚିତ୍ର ଗଣନା ପରେ ଆସିବ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୧ରେ ଚିଲିକାରେ ଡ଼ଲଫିନ ଗଣନା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆସନ୍ତା ୨୧ ତାରିଖରେ ଚିଲିକାରେ ଡ଼ଲଫିନ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ଗଣନା ସକାଳ ୬ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ। ଏଥିରେ ବାଲୁଗାଁ ବନ୍ୟ ପ୍ରାଣୀ ବିଭାଗ କର୍ମଚାରୀ, ସ୍ଵେଚ୍ଛାସେବୀ, ଓୟଏଟି ଛାତ୍ରଛାତ୍ରୀ ସମେତ ମୋଟର ବୋଟ ଆସୋସିଏସନ କର୍ମଚାରୀମାନେ ସାମିଲ ରହିବେ। ସମୁଦାୟ ୧୮ଟି ଟିମ ନିୟୋଜିତ ହୋଇଥିବା ବେଳେ ବାଲୁଗାଁ ବନ୍ୟ ପ୍ରାଣୀ ବିଭାଗର ୧୦ଟି ଓ ସାତପଡ଼ାର ୮ଟି ଟିମ ଯାହାକି ପ୍ରତି ଟିମରେ ୫ ଜଣ ସଦସ୍ୟ ରହିବାନେଇ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚିଲିକା ନୀଳ ଜଳରାଶିରେ ଇରାବାଡୀ ପ୍ରଜାତିର ଡ଼ଲଫିନ ଦେଖାଯାଉଥିବା ବେଳେ ସାତପଡ଼ା ମୁହାଁଣ ଅଂଚଳରେ ବଟର ରୋଜ ପ୍ରଜାତିର ଡ଼ଲଫିନ ଦେଖାଦେଇଥାନ୍ତି। ସୁତରାଂ ଗତବର୍ଷ ଚିଲିକାରେ ୧୬୪ଟି ଡ଼ଲଫିନ ଦେଖାଦେଇଥିବା ବେଳେ ଚଳିତ ବର୍ଷ ଜିପିଏସ ମାଧ୍ୟମରେ ଗଣନା କାର୍ଯ୍ୟ କରାଯିବ।

Categories
ଆଞ୍ଚଳିକ

ପର୍ଯ୍ୟଟକଙ୍କୁ ଉନ୍ନତ ସେବା ପ୍ରଦାନ ପାଇଁ ଚିଲିକାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ସୀତାରାମ ଅଗ୍ରୱାଲ
ଚିଲିକା: ଆଜି ପୂର୍ବାହ୍ନରେ ବଡ଼କୁଳ ପାନ୍ଥ ନିବାସ ଠାରେ ଇକୋ ଟୁରିଜିମ ଡେଭଲପମେଣ୍ଟ ସୋସାଇଟି ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ଅଧକ୍ଷତାରେ ହୋଇଥିବା ଉକ୍ତ ବୈଠକରେ ସ୍ଥାନୀୟ ଜିଲ୍ଲା ପରିଷଦ ପ୍ରତିନିଧି ପ୍ରଭାସ ସୁନ୍ଦରାୟ, ଡୁଙ୍ଗମାଳ ସରପଞ୍ଚ ଗଣେଶ୍ୱର ସ୍ୱାଇଁ, ବଡ଼କୁଳ ସରପଞ୍ଚ ପ୍ରହ୍ଲାଦ ବେହେରା, ଅଠରବାଟିଆ ସରପଞ୍ଚ ଦୀପକ କୁମାର ଜେନା, ମୋଟର ବୋଟ ସଭାପତି ବଳରାମ ରାଉତରାୟ, ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତରାୟ, ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ, ଓଟିଡ଼ିସି ପରିଚାଳକ ସବ୍ୟସାଚୀ କର, ଶାନ୍ତି କମିଟିର ସଭ୍ୟସଭ୍ୟା ଏବଂ ସ୍ଥାନୀୟ ଅଂଚଳର ବାସିନ୍ଦା ଉପସ୍ଥିତ ଥିଲେ।

ଓଟିଡିସି ପରିଚାଳକ ଶ୍ରୀ କର ବିଗତ ଦିନର ବିବରଣୀ ପାଠ କରିବା ସହ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ପ୍ରସ୍ତାବ ସମ୍ପର୍କିତ ସୂଚନା ଦେଇଥିଲେ। ଯାହାକି ସୁଲଭ ଶୌଚାଳୟ, ପ୍ରାଇଭେଟ ବୋଟ ଆସୋସିଏସନ ଟିକେଟ ଗୃହ ପାଇଁ ଜମି ଚିହ୍ନଟ, ଡଷ୍ଟବିନ ସ୍ଥାପନ ସହ ସୁପରିଚାଳନା, ପ୍ରତିବର୍ଷ ଆୟବ୍ୟୟର ଅଟକଳ ଉପସ୍ଥାପନ, ଚଳିତ ବର୍ଷ ପ୍ରାରମ୍ଭରୁ ବିଭିନ୍ନ ଦୋକାନୀ ଏବଂ ବୋଟ ସଂଘର ସହମତିରେ ଉନ୍ନୟନ ମୂଳକ କାର୍ଯ୍ୟ ନିମିତ୍ତ ଦୈନିକ ଦେୟ ଆଦାୟ, ଜେଟିରେ ଭାସମାନ ପୋଲ ପ୍ରତିଷ୍ଠା, ଓଟିଡିସି ପରିସର ସମେତ ଜେଟି ପରିସରକୁ ସିସି କ୍ୟାମେରା ପରିସରଭୁକ୍ତ,ପ୍ରତ୍ୟେକ ଡଙ୍ଗାର ଲାଇସେନ୍ସ, ଇନ୍ସୁରାନ୍ସ ଯାଞ୍ଚ ସହ ପର୍ଯ୍ୟଟକ ଏବଂ ଚାଳକଙ୍କୁ ଲାଇଫ ଜ୍ୟାକେଟ ବାଧ୍ୟତା ମୂଳକ ଆଦି ସମ୍ବନ୍ଧରେ ଗୁରୁତ୍ୱାରୋପ ଦେବାସହ ଏହାକୁ ପାଳନ କରିବା ଦିଗରେ ସର୍ବସହମତ ପ୍ରକାଶ ପାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ସମିତିସଭ୍ୟାଙ୍କୁ ଜାତିଆଣ ଆକ୍ଷେପ ମହଙ୍ଗା ପଡ଼ିଲା, ବନ୍ଧା ହେଲେ ଯୋଗାଣ ସହାୟକ

ସୀତାରାମ ଅଗ୍ରୱାଲ

ଚିଲିକା: ନିର୍ବାଚିତ ସମିତି ସଭ୍ୟାଙ୍କୁ ଜାତିଆଣ ଆକ୍ଷେପ ମାହାଙ୍ଗା ପଡିଛି। ଏହି ମାମଲାରେ ଯୋଗାଣ ସହାୟକ ବନ୍ଧା ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ଅଭିଯୋଗ ମୁତାବକ ଚିଲିକା ବ୍ଲକ ହାଟବରଡ଼ି ପଞ୍ଚାୟତର ଯୋଗାଣ ସହାୟକ ସଞ୍ଜୟ ଜେନା ଉକ୍ତ ପଞ୍ଚାୟତର ସମିତି ସଭ୍ୟା ମିନତୀ ବେହେରାଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ତେବେ ପିଡ଼ିଏସ ସାମଗ୍ରୀରେ ହେରଫେର ହେଉଥିବା ଜଣାପଡିବାରୁ ମିନତୀ ପୁର୍ବରୁ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ସଞ୍ଜୟ ଆକ୍ରୋଶମୂଳକ ଭାବେ ତାଙ୍କୁ ଦୁର୍ବ୍ୟବହାର ଏବଂ ଜାତିଆଣ ଆକ୍ଷେପ କରିଥିବା ମିନତୀ ଏତଲାରେ ଦର୍ଶାଇଛନ୍ତି।

ସେହିପରି ଭାବେ ବିଗତଦିନରେ ସଞ୍ଜୟ ମିନତୀଙ୍କ ସ୍ୱାମୀ ଶୁକଦେବ ବେହେରାଙ୍କ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ସହ ଗ୍ରାମର ଜଣେ ଦିବ୍ୟାଙ୍ଗ ଓ ନାବାଳିକାଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ଶୁକଦେବଙ୍କ ବିରୋଧରେ ଅପପ୍ରଚାର କରିଥିଲେ।  ସଞ୍ଜୟ ପୁର୍ବରୁ ଉକ୍ତ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ମଧ୍ୟ ଭିଡିଓ କରି ସୋସିଆଲ ମିଡିଆରେ ଅପପ୍ରଚାର କରିବା ସହ ଧମକ ଚମକ ଦେଇଥିବାର ଅଭିଯୋଗ କରିଛନ୍ତି ମିନତୀ। ମିନତୀଙ୍କ ଜୀବନକୁ ବିପଦ ଥିବାରୁ ଏବଂ ସମ୍ମାନ ହାନି ହୋଇଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ନିକଟରେ ଦାବି କରିଛନ୍ତି।

ଅପରପକ୍ଷରେ ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରିଥିବା ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ କହିଛନ୍ତି। ସଞ୍ଜୟଙ୍କ ବିରୁଦ୍ଧରେ କେସ ନମ୍ବର ୮୪୦/୨୨ ରେ ଏକ ଜାତିଆଣ ମାମଲା ରୁଜୁ ହେବା ସହ ବହୁ ଦିଗରେ ତଦନ୍ତ ଜାରି ରହିଥିବାର ଶ୍ରୀ ବିଶ୍ୱାଳ କହିଛନ୍ତି।

Categories
ଆଞ୍ଚଳିକ

ଚିଲିକା: ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ମହିଳା ସମାବେଶ, ଯୋଗଦେଲେ ହଜାର ହଜାର କର୍ମୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ମଧ୍ୟାହ୍ନରେ ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ବାଲୁଗାଁ ବିଜେଡି କାର୍ଯ୍ୟାଳୟ ପରିସରରେ ଚିଲିକା ବ୍ଲକ ସ୍ତରୀୟ ମହିଳା କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସମ୍ମିଳନୀରେ ଚିଲିକା ବିଜେଡି ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ପୂର୍ବତନ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠି, କୁମାଣ୍ଡଳ ସରପଞ୍ଚ ସାବିତ୍ରୀ ସୁନ୍ଦରାୟ, ସଙ୍ଗଠିକା ପ୍ରଭାତୀ ସେଠୀ, ବବିତା ସାହୁ, ଶର୍ମିଷ୍ଠା ମହାରଣା, ବରିଷ୍ଠ ବିଜେଡି କର୍ମୀ ରମେଶ ଚନ୍ଦ୍ର ମହାପାତ୍ର, ଅଜୟ ଖୁଣ୍ଟିଆ, ଭବାନୀ ଶଙ୍କର ବଳିଆରସିଂଙ୍କ ସମେତ ହଜାର ହଜାର ମହିଳା କର୍ମୀ ଯୋଗ ଦେଇଥିଲେ।

ସୂଚନା ଥାଉକି ବିଗତ ୧୫ ଦିନ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀରେ ଶ୍ରୀ ସାହୁଙ୍କ ନେତୃତ୍ୱରେ ତିନି ଗୋଟି କର୍ମୀ ସମ୍ମିଳନୀ କରାଯାଇଥିବା ବେଳେ ଆଜି ପୁଣି ବିଶାଳ ମହିଳା ସମାବେଶ କରି ଦଳୀୟ ବିରୋଧୀ ଗୋଷ୍ଠୀ ସମେତ ବିରୋଧୀ ଦଳଙ୍କୁ ଶ୍ରୀ ସାହୁ ଦୃଢ଼ କଡା ଜବାବ ଦେଇଥିବା ଦେଖିବାକୁ ମିଳିଛି। ଗତ ମାସ ୨୩ ତାରିଖରେ ବାଣପୁର ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ, ୩୦ ତାରିଖରେ ଚିଲିକା ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ, ଚଳିତ ମାସ ୪ ତାରିଖରେ ବାଣପୁର ବ୍ଲକ ବିଜେଡି ମହିଳା କର୍ମୀ ସମାବେଶ କରିଥିବା ବେଳେ ଆଜି ଚିଲିକା ବ୍ଲକ ବିଜେଡି ମହିଳା କର୍ମୀ ସମାବେଶ କରି ମହିଳା ସଶକ୍ତିକରଣ, ଗାଁକୁ କାମ ମା’ଙ୍କୁ ସମ୍ମାନ ଏବଂ ଏସଏଚଜି ମହିଳାମାନଙ୍କୁ ସ୍ୱାବଲମ୍ବୀ ଦିଗରେ ରାଜ୍ୟ ସରକାରଙ୍କ ତତ୍ପରତା ନେଇ ବିସ୍ତୃତ ଆଲୋଚନା କରିଥିଲେ।

ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାଧାରଣ ଜନତାଙ୍କ ସହ ଯୋଡି ହୋଇ ରହିବା ସହ ସଙ୍ଗଠନକୁ ସୁଦୃଢ କରିବା ଦିଗରେ ଆପ୍ରାଣ ଚେଷ୍ଟା ଜାରି ରହିବା ନେଇ ଶ୍ରୀ ସାହୁ କହିଥିଲେ। ଆଜିର ମହିଳା ସମାବେଶରେ ହଜାର ହଜାର ମହିଳା କର୍ମୀଙ୍କ ସମାବେଶ ପରିଲକ୍ଷିତ ହୋଇଥିଲା। ଚିଲିକା ବ୍ଲକର ମିଶନ ଶକ୍ତି ଦାୟିତ୍ୱରେ ଥିବା ଅଧିକାରୀମାନେ ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ଦୁର୍ନୀତିରେ ଲିପ୍ତ ରହି ମହିଳାମାନଙ୍କୁ ଲୁଟୁଥିବା ବେଳେ ପ୍ରଶାସନ ପକ୍ଷରୁ ଏନେଇ ଦୁର୍ନୀତି ଖୋରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସଏଚଜି ମହିଳାମାନେ ଶ୍ରୀ ସାହୁଙ୍କୁ ଅନୁରୋଧ କରିଥିଲେ।

ତେବେ ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଉଗ୍ରରୂପ ନେଉଥିବା ବେଳେ ବିଜେଡ଼ି ସଂଗଠନକୁ ସୁଦୃଢ କରିବା ଉଦ୍ଦେଶ୍ୟ ନେଇ ପୂର୍ବତନ ବିଧାୟକ ଶ୍ରୀ ସାହୁ ଉଦ୍ୟମ ଜାରି ରଖିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଆଞ୍ଚଳିକ

ତୃତୀୟ ଦିନରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ: ଆଜି ଘେରିମୁକ୍ତ ହେଲା ୧୧୫ ହେକ୍ଟର ଅଞ୍ଚଳ

ସୀତାରାମ ଅଗ୍ରୱାଲ

ଚିଲିକା: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରହିଛି। ଏକ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ଘେରି ଉଚ୍ଛେଦ ହୋଇଥିବା ବେଳେ ଆଜି ପୁଣି ଉକ୍ତ ଅଭିଯାନ ଚିଲିକା ମଧ୍ୟରେ ଜାରି ରହିଥିଲା।

ଆଜି ବଡ଼କୂଳ ଆଇଏନଏସ ଚିଲିକା ସୀମା ଠାରୁ ବାଲୁଗାଁ ପର୍ଯ୍ୟନ୍ତ ପ୍ରାୟ ୧୧୫ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଥିବା ବେଳେ ପାଖାପାଖି ୨ କୁଇଣ୍ଟାଲ ଜିରୋ ନେଟ ନଷ୍ଟ କରାଯାଇଛି। ଉକ୍ତ ଘେରି ଉଚ୍ଛେଦ ଅଭିଯାନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁ, ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ, ବଡ଼କୁଳ ଆରଆଇ ମଞ୍ଜୁଲତା ସାହୁ, ଚିଲିକା ଡ଼ିଏଫଓ (ମତ୍ସ୍ୟ) ଶଶାଙ୍କ ଶେଖର ସାହୁ ଓ ଟିମ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବଡ଼କୂଳ ଓଡ଼ି ଆର୍ଟ ପକ୍ଷରୁ ୮ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବଡ଼କୁଳ ସ୍ଥିତ ଓଡ଼ି ଆର୍ଟ ସମ୍ମିଳନୀ କକ୍ଷରେ ୮ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଚଳିତ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବରେ ବହୁ ମାନ୍ୟଗଣ ବ୍ୟକ୍ତି,ବିଭିନ୍ନ ପ୍ରାନ୍ତରୁ କଳାକାରମାନଙ୍କ କଳାକୃତି ପ୍ରଦର୍ଶନ ସାଙ୍ଗକୁ ନୃତ୍ୟ ଗୀତ ପରିବେଷଣ, ସୁଦୂର ଦକ୍ଷିଣ କୋରିଆର ପାର୍କୟନ ଓକ, ବିୟୋଙ୍ଗମୋ ଚୁଙ୍ଗ, ଆମେରିକା ବାସିନ୍ଦା ଅନ୍ନପୂର୍ଣ୍ଣା ପାଣ୍ଡେ ନିର୍ଦ୍ଦେଶିତ ଜୁନି ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ଅନେକ ଉଚ୍ଚ କୋଟିର କଳା ସଂସ୍କୃତି ପରିବେଷଣ ଦୈନନ୍ଦିନ ଜାରି ରହିବା ନେଇ ଓଡ଼ିଆର୍ଟ ପକ୍ଷରୁ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ପ୍ରାଚୀନ କଳା, ସଂସ୍କୃତିର ବିକାଶ ଏବଂ ସଂରକ୍ଷଣ ଦିଗରେ ବଡ଼କୁଳ ଓଡ଼ିଆର୍ଟ ଠାରେ ୨୦୧୭ ମସିହାରୁ ୧୬ ଟି କକ୍ଷ ସହିତ ୮ ଟି ଲନ ରେ ଅନେକ ପେଣ୍ଟିଙ୍ଗ,ପୁସ୍ତକ, ଲିପି,ପୋଥି,ଟେରା କୋଟା, ସେରାମିକ,କାଠ ଖୋଦେଇ,ସିଙ୍ଗ କାରୁକାର୍ଯ୍ୟ, ଧାନ ନିର୍ମିତ ମୂର୍ତ୍ତି, ତନ୍ତ, ହସ୍ତଶିଳ୍ପୀ, ରୁପା, ତାରକସି, ଢୋକରା, ଜଉ କଣ୍ଢେଇ ଆଦି ସ୍ଥାନିତ ରହିଛି। ଏହାକୁ ଲୋକପ୍ରିୟତା କରିବା ମୁଳ ଲକ୍ଷ୍ୟ ଥିବାବେଳେ ପ୍ରାଚୀନ ପରମ୍ପରାକୁ ଉଦଜିବିତ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ସୁଚାରୁରୂପେ ୮ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ପାଳନ କରିବାନେଇ ଆଲୋଚନା କରିଥିଲେ। ଯାହାକି ଏହି ମହୋତ୍ସବକୁ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଉଦଘାଟନ କରିବା ନେଇ ଓଡ଼ିଆର୍ଟ ପକ୍ଷରୁ ପ୍ରକାଶ ପାଇଛି।

ଏଥିସହିତ ଏହି ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ ସାଙ୍ଗକୁ ସଂଗ୍ରହାଳୟ କୁ ସାର୍ବଜନୀନ କରାଯାଇଥିବା ଓଡ଼ିଆର୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ କହିଛନ୍ତି।ଉକ୍ତ ବୈଠକରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ସ୍ବଦେଶ ପଟ୍ଟନାୟକ, ସଂସ୍ଥାପକ ପ୍ରସନ୍ନ କୁମାର ଦାଶ, ଅନୁଷ୍ଠାନ ଉପ ସଭାପତି ନିରଞ୍ଜନ ଦାଶ, ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ, ପ୍ରକଳ୍ପ ସଭ୍ୟ ନିଖିଳେଶ ପଣ୍ଡା, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବେଆଇନ ଘେରି ଉଚ୍ଛେଦ ଅଭିଯାନ: ଚିଲିକାରୁ ଆଜି ଘେରିମୁକ୍ତ ହେଲା ୧୦୫ ହେକ୍ଟର ଅଞ୍ଚଳ

ସୀତାରାମ ଅଗ୍ରୱାଲ

ଚିଲିକା: ମରାଳ ମ‍ାଳିନୀ ନିଳାମ୍ଵୁ ଚିଲିକାରେ ଶହ ଶହ ମତ୍ସ୍ୟଜୀବୀ ମାଛ ମାରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ହେଲେ ଚିଲିକାରେ କେତେକ ଅସାଧୁ ମାଫିଆ ଵେଆଇନ ଘେରି କରିବା ଯୋଗୁଁ ଚିଲିକାରେ ମାଛ ଉତ୍ପାଦନ କମ୍ ହେବା ସହ ଚିଲିକା ତାର ସୌନ୍ଦର୍ଯ୍ୟ ହରାଉଛି। ତେଣୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଚିଲିକାରେ ଘେରି ଉଚ୍ଛେଦ ଅଭିଯାନ ଜାରି ରଖିଛନ୍ତି।

ଏହି ପ୍ରରିପ୍ରେକ୍ଷୀରେ ଚିଲିକାରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ, ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ବାଲୁଗାଁ ପୋଲିସ ଓ ଚିଲିକା ତହସିଲ ପ୍ରଶାସନର ମିଳିତ ଉଦ୍ୟମରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା। ବାଲୁଗାଁ ଥାନା ଅନ୍ତର୍ଗତ ବାଲୁଗାଁ ଜେଟି ଠାରୁ କଳିଯୁଗେଶ୍ୱର ପାହାଡ଼ ପର୍ଯ୍ୟନ୍ତ ୧୦୫ ହେକ୍ଟର ଅଞ୍ଚଳ ଆଜି ଘେରିମୁକ୍ତ ହୋଇଛି।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସିଡିଏ ର ମିଳିତ ସହଯୋଗରେ ଘେରି ଉଚ୍ଛେଦ ଅଭିଯାନ ଚାଲିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା କରିଵା ପାଇଁ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା।

ଘେରି ଉଚ୍ଛେଦ ସମୟରେ ୭ କୁଇଣ୍ଟାଲ ଜିରୋ ନେଟ ପୋଲିସ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଚିଲିକା ତହସିଲଦାରଙ୍କ ଅଭିଯୋଗ କ୍ରମେ କେସ ନମ୍ବର ୨୭୬/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ପୋଲିସ। ଉକ୍ତ ଉଚ୍ଛେଦ ଅଭିଯାନରେ ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁ, ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ, ଚିଲିକା ଡ଼ିଏଫଓ (ମତ୍ସ୍ୟ) ଶଶାଙ୍କ ଶେଖର ସାହୁ ଓ ଟିମ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୂଳ ପାନ୍ଥନିବାସରୁ ଏକ ବେସରକାରୀ ଯାତ୍ରୀବାହୀ ଡଙ୍ଗା ୮ ଜଣ ଯାତ୍ରୀଙ୍କୁ ନେଇ ମା’ କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ଜଟିଆ ନାସି ଠାରେ ଘେରି ଜାଲ ଲାଗିଯିବାରୁ ଯାନ୍ତ୍ରୀକ ତୃଟି ଦେଖାଦେଇଥିଲା। ଯାହାଫଳରେ ଚିଲିକ‍ା ମଧ୍ୟରେ ଡଙ୍ଗାଟି ଫସି ରହିଥିଲା। ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ଯାତ୍ରୀ ଏ ନେଇ ବଡ଼କୂଳ ଓଟିଡିସି ପରିଚାଳକ ସବ୍ୟସାଚୀ କରଙ୍କୁ ଯୋଗାଯୋଗ କରିବାରେ ଓଟିଡିସି ଏବଂ ପ୍ରାଇଭେଟ ମୋଟର ବୋଟ ଆସୋସିଏସନ ପକ୍ଷରୁ ଉକ୍ତ ଡଙ୍ଗା ସମେତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅଣାଯାଇଥିବା ଶ୍ରୀ କର ସୂଚନା ଦେଇଛନ୍ତି।

ଖବର ପାଇ ବାଲୁଗାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଯାତ୍ରୀଙ୍କ ସହ ଆଲୋଚନା ପରେ ସମସ୍ତ ଯାତ୍ରୀ ପୁରୀ ବରହମପୁର ଅଞ୍ଚଳର ବୋଲି ଅଗ୍ନିଶମ ଅଧିକାରୀ ମୋହନ ଦଳେଇ ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକ ଋତୁ ସମେତ ବର୍ଷତମାମ ଚିଲିକାରେ ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ ଏହା ଯାତ୍ରୀଙ୍କୁ ନିରାଶ କରୁଥିବା ଦେଖାଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ନିକଟରେ ସଡକ ଦୁର୍ଘଟଣା, କ୍ରେନ ବୋଝଇ ଟ୍ରଲରକୁ ପିଟିଲା ଟ୍ରକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ଫାଣ୍ଡି 16 ନମ୍ବର ଜାତୀୟ ରାଜପଥ ହରିକୁଣ୍ଡବରଡ଼ି ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ସୂଚନା ମୁତାବକ ଆଜି ସକାଳୁ ବ୍ରହ୍ମପୁର ରୁ ଅନୁଗୁଳ ଅଭିମୁଖେ ଆଗ ପଛ ହୋଇ ଯାଉଥିବା ଏକ କ୍ରେନ ବୋଝେଇ ଟ୍ରଲର ଏବଂ କୋଇଲା ବୋଝେଇ ଟ୍ରକ ମଧ୍ୟରେ ହରିକୁଣ୍ଡବରଡ଼ି ଛକରେ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା କ୍ରେନ ବୋଝଇ ଟ୍ରଲର କୁ ପଛପଟୁ କୋଇଲା ବୋଝେଇ ଟ୍ରକ ଶକ୍ତ ଧକ୍କା ଦେଇଥିଲା।

ଫଳରେ ଟ୍ରଲରରୁ କ୍ରେନ ବାହାରି କୋଇଲା ବୋଝେଇ ଟ୍ରକର ଆଗ ପାର୍ଶ୍ୱରେ ପସି ଯାଇଥିଲା। ସୌଭାଗ୍ୟବଶତଃ ଉକ୍ତ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ପହଞ୍ଚି ଉଭୟ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା କୂଳରେ ଇକୋ ଟୁରିଜିମ ନେଇ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଓ ମାନସିଂହପୁର ପଞ୍ଚୟତ ଘୋଡାଦୌଡ଼ ଜେଟି ଚିଲିକା କୂଳରେ ଇକୋ ଟୁରିଜିମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଟୁରିଜିମ ପାଇଁ ମାନସିଂହପୁର ଓ ସୋରଣ ଅଞ୍ଚଳବାସୀ ବହୁ ଦିନରୁ ଲକ୍ଷ୍ୟ ରଖିଥିବା ସହ ପର୍ଯ୍ୟଟକ ଋତୁରେ ବିଦେଶାଗତ ପକ୍ଷୀଙ୍କୁ ସୁରକ୍ଷା ଦେବାପାଇଁ ଆଜି ମାନସିଂହପୁର ଅଧିନସ୍ଥ ଗୋପବନ୍ଧୁ ପାଠାଗାର ପରିସରରେ ସୋରଣ ସରପଞ୍ଚ ଶେଷଦେବ ବେହେରା, ମାନସିଂହପୁର ସରପଞ୍ଚ କାମିନୀ ବେହେରାଙ୍କ ନେତୃତ୍ୱରେ ବୈଠକ ହୋଇଥିଲା।

ଘୋଡାଦୌଡ଼ ଜେଟି ଚିଲିକା କୂଳକୁ ସବୁଜ ସୁନ୍ଦର କରିବା ଦିଗରେ ଅଞ୍ଚଳବାସୀ ପୂର୍ଣ ସହାୟତାର ହାତ ବଢାଇଥିବା ବେଳେ ସରକାରଙ୍କ ପକ୍ଷରୁ ସମ୍ପୁର୍ଣ୍ଣ ସହଯୋଗ ରହିବ ବୋଲି ଆଶା ପ୍ରକଟ କରିଛନ୍ତି।ଯାହାକି ଆଜି ସରକାରୀ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମବାସୀଙ୍କୁ ଆଗାମୀ ଦିନରେ ଟ୍ରେନିଙ୍ଗ ଦିଆଯିବା ସହ ଅନେକ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି।

ଉପସ୍ଥିତ ଥିବା ସରକାରୀ କର୍ମଚାରୀ ମାନେ ହେଲେ ଏସିଏଫ ସିଡ଼ିଏ ରଶ୍ମି ଚୌଧୁରୀ,ଟାଙ୍ଗି ୱାଇଲିଡି ଲାଇଫି ଚୂଡ଼ାମଣି ମୃମୁ,ଫିସିଙ୍ଗ କ୍ୟାଟ ଆଲିଆନସ୍ ତୟାସ ଆଧ୍ୟା,ଫିସିଙ୍ଗ କ୍ୟାଟ ଆଲିଆନସ୍ ପ୍ରାଥ ଦେ ପ୍ରମୁଖ ଯୋଗଦେଇ ଇକୋ ଟୁରିଜିମ ପ୍ରକ୍ରିୟା କରଣ ସମ୍ବନ୍ଧରେ ଆଲୋକପାତ କରିଥିଲେ।ଯାହାକି ଟୁରିଜିମ ହେଲେ ଅଞ୍ଚଳର ବିକାଶ ସହ ଅନେକ ବ୍ୟକ୍ତି ରୋଜଗାର କ୍ଷମ ହୋଇପାରିବେ ଓ ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧା ହେବାସହ ବିଦେଶାଗତ ପକ୍ଷୀଙ୍କୁ ସୁରକ୍ଷା ଦେଇପାରିବା ବୋଲି ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରଘୁନାଥ ସାହୁଙ୍କ ବାଣପୁର ବ୍ଲକ ‘ବିଜେଡି ମହିଳା ସମାବେଶ’: ଏଥର ଏହିମାନଙ୍କୁ କଲେ ଟାର୍ଗେଟ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଆଜି ପୁଣିଥରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ମହିଳା କର୍ମୀ ସମ୍ମିଳନୀ କରିଛନ୍ତି। ଯେଉଁଥିରେ ହଜାର ହଜାର ମହିଳା କର୍ମୀ ଯୋଗ ଦେଇଛନ୍ତି।

ବିଗତ ୧୦ ଦିନ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀରେ ତିନି ଗୋଟି କର୍ମୀ ସମ୍ମିଳନୀ କରି ବିରୋଧୀ ଗୋଷ୍ଠୀଙ୍କୁ ରଘୁନାଥ କଡା ଜବାବ ଦେଉଛନ୍ତି। ଗତ ମାସ ୨୩ ତାରିଖରେ ବାଣପୁର ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ, ୩୦ ତାରିଖରେ ଚିଲିକା ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ ଏବଂ ଆଜି ପୁଣି ବାଣପୁର ବ୍ଲକ ବିଜେଡି ବିଶାଳ ମହିଳା ସମାବେଶର ଆୟୋଜନ ରାମପୁର ରୋଡସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରଘୁନାଥ ସାହୁ କରିଛନ୍ତି।

ଆଜିର ମହିଳା ସମାବେଶରେ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଯୋଗଦେଇଥିବାର ଦେଖିବାକୁ ମିଳିଛି। ଲଗାତାର ପୃଥକ ପୃଥକ ବ୍ଲକ ୱାରୀ ପୁରୁଷ ଓ ମହିଳା କର୍ମୀ ସମ୍ମିଳନୀ କରି ବିରୋଧିଙ୍କୁ ଭାବିବା ପାଇଁ ରଘୁନାଥ ସାହୁ ବାଧ୍ୟ କରିଦେଇଛନ୍ତି।

ତେବେ ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଉଗ୍ର ହେଉଥିବା ବେଳେ ବିଜେଡ଼ି କର୍ମୀମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ରଘୁନାଥ ସାହୁ ପୁରା ଦମ ଲଗାଇଦେଇଛନ୍ତି।  ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସଭାପତିତ୍ୱରେ ପୂର୍ବତନ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠି, ସଙ୍ଗଠିକା ଲିଲି ବାଳା ସୁବୁଦ୍ଧି, ପ୍ରମୋଦ ବରାଳ, ବୈଜୟନ୍ତି ଖୁଣ୍ଟିଆ, ସସ୍ମିତା ପରିଡା, ଦେବେନ୍ଦ୍ର ସମାନ୍ତସିଂହର, ରମେଶ ଚନ୍ଦ୍ର ମହାପାତ୍ର ଆଦି ପୁରୁଖା କର୍ମୀମାନେ ଉପସ୍ଥିତ ଥିଲେ। ତେବେ ବାଣପୁର ବ୍ଲକର ମିଶନ ଶକ୍ତି ଦାୟିତ୍ୱରେ ଥିବା ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ ଏବଂ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ କାର୍ଯ୍ୟାନୁଷ୍ଠାନ ପାଇଁ ରଘୁନାଥ ସାହୁ ଦାବି କରିଥିବା ମଧ୍ୟ ସେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମଧ୍ୟ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ଵରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ଏକ ଶୋଭାଯାତ୍ରା କରଯାଇଥିଲା। ଯେଉଁଥିରେ ପୂର୍ବତନ ବିଧାୟକ ବିଜେପି ସହିତ ମିଶି ଦଳକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା। ତାଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି ଏହି ଶୋଭାଯାତ୍ରାରେ ଦାବୀ ହୋଇଥିଲା। ଏବଂ ବାଲୁଗାଁରେ ତାଙ୍କର କୁଶପୁତ୍ତଳିକା ଦାହ ମଧ୍ୟ କରାଯାଇଥିଲା।