ଚିଲିକାରେ ମା କାଳିଜାଈଙ୍କୁ କାହିଁକି ପୂଜାଅର୍ଚ୍ଚନା କଲେ ପାରିକୁଦ ରାଜା, କଣ ଟିକେଟ ଆଶା ?

Published: Apr 18, 2024, 10:25 am IST

ଚିଲିକା(ସୀତାରାମ ଅଗ୍ରୱାଲ): ବର୍ତ୍ତମାନ ସାରା ରାଜ୍ୟରେ ଚାଲିଛି ନିର୍ବାଚନ ବାତାବରଣ। କିଏ କେଉଁଠୁ, କେଉଁ ଦଳରୁ ଟିକେଟ ପାଇବ ସେ ନେଇ ଚାଲିଛି ଚର୍ଚ୍ଚା। ଟିକେଟ ପାଇଁ କିଏ ସମର୍ଥକଙ୍କୁ ନେଇ ଭୁବନେଶ୍ବରରେ ଡେରା ପକାଇଛି ତ କିଏ ନିଜ ନିର୍ବାଚନ ମଣ୍ଡଳିରେ ତୁମ୍ବି ତୋଫାନ କରିବାରେ ଲାଗିଛି। ସେହି ଆଶା ନିରାଶ ଭିତରେ ଏବେ ଚିଲିକା ଅଞ୍ଚଳର ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ଦେଓ ଲମ୍ପ ପ୍ରଦାନ କରିଛନ୍ତି।

ନିକଟରେ ସେ ପାରିକୁଦରେ ଥିବା ତାଙ୍କ ରାଜ ପରିବାରର ସହ ଜଡିତ ଲୋକମାନଙ୍କୁ ନେଇ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା କାଳିଜାଈଙ୍କୁ ଦର୍ଶନ କରିଛନ୍ତି। ଉଦ୍ଦେଶ୍ୟ ହେଲା ଏଥର ନିର୍ବାଚନରେ ସେ ଛିଡା ହେବେ। ସନ୍ତୋଷ ଚନ୍ଦ୍ର ବିଜେଡିରୁ ଟିକେଟ ପାଇବା ପାଇଁ ବଡ ଆଶା ବାନ୍ଧି ବସିଛନ୍ତି। ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଏଥର ଟିକେଟ ଦେଲେ ମୁଁ ନିଶ୍ଚିତ ଲଢେଇ କରିବି ଏବଂ ବିଜୟ ମଧ୍ୟ ହେବି। ଚିଲିକା ନିର୍ବାଚନ ମଣ୍ଡଳିରେ ତାଙ୍କର ସଂଗଠନ ନ ଥିଲେ ମଧ୍ୟ ସନ୍ତୋଷ କୁମାର ବଡ ଆଶା ବାନ୍ଧି ବସିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଯେ, ଚିଲିକାରେ ବର୍ତ୍ତମାନ ବିଜେଡିର କିଏ ପ୍ରାର୍ଥୀ ହେବେ ସେ ନେଇ କୌଣସି ନିଷ୍ପତି ହୋଇପାରୁ ନାହିଁ। ଦଳ ତରଫରୁ ଗୋଟିଏ ଗୋଟିଏ ତାଲିକା ଘୋଷଣା ହେଉଥିଲେ ମଧ୍ୟ ସେଥିରେ ଚିଲିକା ପ୍ରାର୍ଥୀଙ୍କ ନାମ ନାହିଁ। ଫଳରେ ସେହି ନିର୍ବାଚନ ମଣ୍ଡଳିର ଆଶାୟୀଙ୍କ ଆଶା ମଧ୍ୟ ବଢିବାରେ ଲାଗିଛି।

Related posts