Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରେ ମା କାଳିଜାଈଙ୍କୁ କାହିଁକି ପୂଜାଅର୍ଚ୍ଚନା କଲେ ପାରିକୁଦ ରାଜା, କଣ ଟିକେଟ ଆଶା ?

ଚିଲିକା(ସୀତାରାମ ଅଗ୍ରୱାଲ): ବର୍ତ୍ତମାନ ସାରା ରାଜ୍ୟରେ ଚାଲିଛି ନିର୍ବାଚନ ବାତାବରଣ। କିଏ କେଉଁଠୁ, କେଉଁ ଦଳରୁ ଟିକେଟ ପାଇବ ସେ ନେଇ ଚାଲିଛି ଚର୍ଚ୍ଚା। ଟିକେଟ ପାଇଁ କିଏ ସମର୍ଥକଙ୍କୁ ନେଇ ଭୁବନେଶ୍ବରରେ ଡେରା ପକାଇଛି ତ କିଏ ନିଜ ନିର୍ବାଚନ ମଣ୍ଡଳିରେ ତୁମ୍ବି ତୋଫାନ କରିବାରେ ଲାଗିଛି। ସେହି ଆଶା ନିରାଶ ଭିତରେ ଏବେ ଚିଲିକା ଅଞ୍ଚଳର ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ଦେଓ ଲମ୍ପ ପ୍ରଦାନ କରିଛନ୍ତି।

ନିକଟରେ ସେ ପାରିକୁଦରେ ଥିବା ତାଙ୍କ ରାଜ ପରିବାରର ସହ ଜଡିତ ଲୋକମାନଙ୍କୁ ନେଇ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା କାଳିଜାଈଙ୍କୁ ଦର୍ଶନ କରିଛନ୍ତି। ଉଦ୍ଦେଶ୍ୟ ହେଲା ଏଥର ନିର୍ବାଚନରେ ସେ ଛିଡା ହେବେ। ସନ୍ତୋଷ ଚନ୍ଦ୍ର ବିଜେଡିରୁ ଟିକେଟ ପାଇବା ପାଇଁ ବଡ ଆଶା ବାନ୍ଧି ବସିଛନ୍ତି। ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଏଥର ଟିକେଟ ଦେଲେ ମୁଁ ନିଶ୍ଚିତ ଲଢେଇ କରିବି ଏବଂ ବିଜୟ ମଧ୍ୟ ହେବି। ଚିଲିକା ନିର୍ବାଚନ ମଣ୍ଡଳିରେ ତାଙ୍କର ସଂଗଠନ ନ ଥିଲେ ମଧ୍ୟ ସନ୍ତୋଷ କୁମାର ବଡ ଆଶା ବାନ୍ଧି ବସିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଯେ, ଚିଲିକାରେ ବର୍ତ୍ତମାନ ବିଜେଡିର କିଏ ପ୍ରାର୍ଥୀ ହେବେ ସେ ନେଇ କୌଣସି ନିଷ୍ପତି ହୋଇପାରୁ ନାହିଁ। ଦଳ ତରଫରୁ ଗୋଟିଏ ଗୋଟିଏ ତାଲିକା ଘୋଷଣା ହେଉଥିଲେ ମଧ୍ୟ ସେଥିରେ ଚିଲିକା ପ୍ରାର୍ଥୀଙ୍କ ନାମ ନାହିଁ। ଫଳରେ ସେହି ନିର୍ବାଚନ ମଣ୍ଡଳିର ଆଶାୟୀଙ୍କ ଆଶା ମଧ୍ୟ ବଢିବାରେ ଲାଗିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାର ଗୋଳିଆ ରାଜନୀତିରେ କଣ ପାରିକୁଦ ରାଜା ପାରିବେ ??

ଭୁବନେଶ୍ବର: ଦୋଳ ଉତ୍ସବ ବେଳେ ପାରିକୁଦ ରାଜା ସନ୍ତୋଷ କୁମାର ଦେବ ଘୋଷଣା କଲେ ଯେ ସେ ଚିଲିକାରୁ ବିଜେଡି ପ୍ରାର୍ଥୀ ହେବାକୁ ଆଗ୍ରହୀ ଅଛନ୍ତି। ଏମିତି ତ ସେହି ନିର୍ବାଚନ ମଣ୍ଡଳୀ ପାଇଁ ବହୁ ନେତା ବିଧାୟକ ପ୍ରାର୍ଥୀ ହେବେ ବୋଲି ସ୍ବପ୍ନ ଦେଖିବାରେ ଲାଗିଛନ୍ତି। ହେଲେ ହଠାତ ପରିକୁଦ ରାଜା କାହିଁକି ଆଗ୍ରହୀ ହେଲେ। ଏହା ଭିତରେ କିଛି ଗୁପ୍ତ ରହସ୍ୟ ରହିଛି କି ? ବର୍ତ୍ତମାନ ଚିଲିକା ରାଜନୀତି ଯାହା ସେଥିରେ ରାଜା ସାହେବ କଣ ସେ ପାରିବେ ?

ଏହିପରି ବିଭିନ୍ନ ପ୍ରଶ୍ନ ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀରେ ଘୁରିବାରେ ଲାଗିଛି। ଅନେକ ସେହି ପାରିକୁଦ ରାଜା କିଏ, ସେ କେଉଁଠି ରୁହନ୍ତି ବୋଲି ଅନ୍ୟମାନଙ୍କୁ ପଚାରିବାରେ ଲାଗିଛନ୍ତି। କାରଣ ପାରିକୁଦ ରାଜାଙ୍କର ବାଲୁଗାଁ ବାଣପୁର ବା ଚିଲିକା ନିର୍ବାଚନ ମଣ୍ଡଳୀରେ କୌଣସି ପରିଚିତି ନାହିଁ। ସେ ସମସ୍ତଙ୍କ ପାଇଁ ଚିହ୍ନା ମୁହଁ ନୁହଁନ୍ତି। ତାଙ୍କର ବଂଶଧରଙ୍କ ରାଜ ଶାସନରେ ଚିଲିକା ନିର୍ବାଚନ ମଣ୍ଡଳୀ ଆସୁ ନ ଥିଲା। ତାଙ୍କ ପୂର୍ବପୁରୁଷ ରାଜାମାନଙ୍କ ଶାସନ କିପରି ତାହା କେହି ଜାଣନ୍ତି ନାହିଁ।

ଏପରି କ୍ଷେତ୍ରରେ ରାଜା ସାହେବ ଚିଲିକାର ଗୋଳିଆ ରାଜନୀତିରେ କାହିଁକି ପଶିବେ ତାହା ବୁଝି ହେଉ ନାହିଁ। ବର୍ତ୍ତମାନ ଚିଲିକାର ରାଜନୀତି ତଥା ବିଜେଡିର ପରିସ୍ଥିତି ଭଲ ନାହିଁ। ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଦ୍ରୋହୀ ବିଜେଡି ଭାବେ ଉଭା ହୋଇଛନ୍ତି। ସେ କେତେକ କର୍ମିଙ୍କୁ ଧରି ନାଚିବାରେ ଲାଗିଛନ୍ତି। ଏପଟେ ବିଧାୟକ ପ୍ରଶାନ୍ତ ଜଗଦେବ ତାଙ୍କ ଧର୍ମପତ୍ନୀଙ୍କ ମାଧ୍ୟମରେ ନିଜର ପତିୟାରାକୁ ଜାହିର କରିବାରେ ଲାଗିଛନ୍ତି।

ଏପରି ଛକା ପଞ୍ଚା ଭିତରେ ରାଜା ସାହେବ କେଉଁ ଆଡୁ ଚିଲିକା ଡଙ୍ଗାର ମଙ୍ଗ ଧରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚିଲିକାରେ ତାଙ୍କର ନା ପତିୟାରା ନା ଲୋକ ପ୍ରିୟତା ରହିଛି। ନା ସେ କେବେ ରାଜନୈତିକ ମଞ୍ଚକୁ ଓହ୍ଲାଇଛନ୍ତି ନା ସେ କେବେ ସମାଜସେବା କରିବାକୁ ଆଗେଇ ଆସିଛନ୍ତି। ଏପରିକି ରାଜା ସାହେବଙ୍କୁ ଚିଲିକାର ଗାଁ ଗହଳି ଲୋକ କଥା ଛାଡନ୍ତୁ, ସହରର ଉଚ୍ଚ ଶିକ୍ଷିତ ବ୍ୟକ୍ତି ମଧ୍ୟ ଜାଣନ୍ତି ନାହିଁ।

ହେଲେ ରାଜା ସାହେବ କାହିଁକି ଏପରି ଘୋଷଣା କଲେ ବୋଲି ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରିଛି। ତେବେ ତଥ୍ୟ ଅନୁସାରେ ଏହା ପଛରେ ବିଜେଡିର କେତେକ କୁଚକ୍ରି ଗୋଷ୍ଠୀ ଅଛନ୍ତି ବୋଲି ଅନୁମାନ କରାଯାଇଛି। ଏହି ଗୋଷ୍ଠୀ ନା ରଘୁ ସାହୁଙ୍କୁ ସମର୍ଥନ କରନ୍ତି ନା ପ୍ରଶାନ୍ତ ଜଗଦେବଙ୍କୁ। ଏହି ଦୁଇ ଜଣଙ୍କୁ ଛାଡି ଆଉ ଜଣେ ତୃତୀୟ ଲୋକ ଅନୁସନ୍ଧାନରେ ଏହି ଗୋଷ୍ଠୀ ଅଛନ୍ତି।

ସେଥିପାଇଁ ସେମାନେ ମିଳିମିଶି ରାଜା ସାହେବଙ୍କ ମୁଣ୍ଡରେ ନଡିଆ ଭାଙ୍ଗି ଦେଇଛନ୍ତି। ହେଲେ ଚିଲିକା ରାଜନୀତିରେ ରାଜା ସାହେବ ସଫଳ ହେବା ସମ୍ଭାବନା ଆଦୌ ନାହିଁ ବୋଲି କହିଲେ ଭୁଲ ହେବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ଛିଡା ହେବେ ପାରିକୁଦ ରାଜା, ନିଜଆଡୁ କଲେ ଘୋଷଣା

ସୀତାରାମ ଅଗ୍ରୱାଲ

ଚିଲିକା: ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ପାରିକୁଦ ରାଜା ସନ୍ତୋଷ କୁମାର ଦେବ। ଦୋଳ ଉତ୍ସବ ଉପଲକ୍ଷେ ରାଜପ୍ରାସାଦରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ନିଜ ଆଡୁ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଯଦି ବିଜେଡି ଦଳ ଚାହିଁବ, ଯଦି ନବୀନବାବୁ ଚାହିଁବେ ତେବେ ମୁଁ ଲଢେଇ କରିବି। ନବୀନବାବୁଙ୍କ ଯେଉଁ ଶହେ ବର୍ଷର ସ୍ବପ୍ନ ରହିଛି ତାହାକୁ କେବଳ ଆମେ ଯୁବକମାନେ କରିବୁ ବୋଲି ରାଜା କହିଛନ୍ତି।

ତାଙ୍କ ରାଜ ପ୍ରାସାଦରେ ଥିବା ସମର୍ଥକମାନେ ମଧ୍ୟ ଏହାକୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି। ରାଜା ସାହେବ ଚିଲିକାର ମତ୍ସ୍ୟଜୀବୀଙ୍କୁ ବହୁତ ସାହାଯ୍ୟ କରୁଛନ୍ତି। ସେମାନଙ୍କ ସମର୍ଥନ ରହିବ ବୋଲି ସେମାନେ ଦାବୀ କରିଛନ୍ତି।

ବର୍ତ୍ତମାନ ରାଜା ସାହେବ ପାରିକୁଦରେ ଥିବା ବିରାଟ ରାଜପ୍ରସାଦ ଛାଡି ବର୍ତ୍ତମାନ ବାଲୁଗାଁରେ ରହୁଛନ୍ତି। ତେବେ ଚିଲିକା ନିର୍ବାଚନ ମଣ୍ଡଳୀର ବର୍ତ୍ତମାନ ଯାହା ସ୍ଥିତି ରହିଛି ସେଥିରେ ରାଜା ସାହେବ କିପରି ମୁକାବିଲା କରିବେ ତାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।