Categories
ଆଞ୍ଚଳିକ

ଚିଲିକା: ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଅଶୋକ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଅଶୋକ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ବାଣପୁର ସ୍ଥିତ ବାସଭବନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶ୍ରାଦ୍ଧବାର୍ଷିକୀରେ ଚିଲିକା ନିର୍ବାଚନମଣ୍ଡଳିର ବହୁ ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ, ସାମ୍ବାଦିକ, ପ୍ରଶାସନିକ ଅଧିକାରୀ ଏବଂ ଜନସାଧାରଣମାନେ ଯୋଗଦେଇ ଶ୍ରୀ ଦାସଙ୍କ ସ୍ମୃତିଚାରଣ କରିଥିଲେ। ସଭାଶେଷରେ ଅତିଥିମାନଙ୍କ ଦ୍ୱାରା ସ୍ୱର୍ଗତ ଶ୍ରୀ ଦାସଙ୍କ ସ୍ମୃତିରେ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା।

ସୂଚନା ଥାଉକି ୧୯୫୧ ମସିହା ଡିସେମ୍ବର ମାସ ୫ ତାରିଖରେ ବାଣପୁର ମାଟିର ବରପୁତ୍ର ସ୍ଵର୍ଗତ ବାମନ ଚରଣ ଦାସଙ୍କ କୋଳରୁ ଜନ୍ମିତ ଅଶୋକ ଚିଲିକା ଅଞ୍ଚଳରେ ଅନେକ ସଂଗଠନ ପାଇଁ କାର୍ଯ୍ୟ କରି ଜନ ସେବା କରୁଥିଲେ। ସେ ଅଞ୍ଚଳର ଅନେକ ସମାଜ ସେବା କାର୍ଯ୍ୟରେ ପ୍ରତ୍ୟେକ୍ଷ ଭାବେ ଜଡିତ ରହୁଥିଲେ। ଅଶୋକ ମଧ୍ୟ ଜଣେ ଜନପ୍ରିୟ ନେତା ଭାବେ ପରିଚିତ ଥିଲେ। ସେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବହୁ ବିକାଶ ମୂଳକ କାର୍ଯ୍ୟ କରିଥିଲେ। ଯାହା ଏବେ ବି ଲୋକଙ୍କ ମନରୁ ଲିଭିନି। ଅଶୋକ ଦାସ ୧୯୯୨ ମସିହାରୁ ୧୯୯୭ ମସିହା ପର୍ଯ୍ୟନ୍ତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବହୁ ପ୍ରଶଂସା ଲାଭ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ ନିନ୍ଦା, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଲା ଶାଳିଆ ପ୍ରେସ କ୍ଲବ

ବାଣପୁର: ଘରୋଇ ଟିଭି ଚ୍ୟାନେଲ ବଡ଼ ଖବରର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନିକଟରେ ଇଓଡବ୍ଲୁ ଗିରଫ କରିଛି। କିନ୍ତୁ ଏହି ଗିରଫଦାରୀକୁ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଶାଳିଆ ପ୍ରେସ କ୍ଲବ ନିନ୍ଦା କରିଛି। ଅର୍ଦ୍ଧେନ୍ଦୁଙ୍କୁ ଜାଣିଶୁଣି ଷଡଯନ୍ତ୍ର କରି ଗିରଫ କରାଯାଇଛି ବୋଲି ପ୍ରେସ କ୍ଲବର କର୍ମକର୍ତ୍ତାମାନେ କହିଛନ୍ତି।

ଏକ ଚୁକ୍ତିଭିତିକ ଟଙ୍କା ନେଣ ଦେଣ ବ୍ୟବସାୟକୁ ଅପରାଧର ରଙ୍ଗ ଦିଆଯାଇ ଜାଣିଶୁଣି ଜନୈକ ବ୍ୟବସାୟୀ ଇଓଡବ୍ଲୁ ରେ ଏତଲା ଦେବା ସନ୍ଦେହଜନକ ଏବଂ ଏହାପଛରେ ଏକ ବଡ଼ ଚକ୍ରାନ୍ତ ହୋଇଥିବାର ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି। ରାଜ୍ୟର କୋଣ ଅନୁକୋଣରୁ ଏହା ବିରୁଦ୍ଧରେ ଜନସାଧାରଣଙ୍କ ସ୍ୱର ଶାଣିତ ହେବାରେ ଲାଗିଥିବା ବେଳେ ଜଣେ ବରିଷ୍ଠ ସଚ୍ଚୋଟ ସାମ୍ବାଦିକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଯାଇ ଏହିପରି ରାତିଅଧିଆ ଗିରଫ କରିବା ଏବଂ ଗଳାକୁ ଧରି ଭିଡି ଭିଡି ନେବା ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଇଛି। ଗଣତନ୍ତ୍ର ପାଇଁ ଏହି କଳା ଦିବସ ବୋଲି ସାମ୍ବାଦିକ ମାନେ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଶାଳିଆ ପ୍ରେସ କ୍ଲବର ସଭାପତି ଅଜିତ ସାହୁଙ୍କ ନେତୃତ୍ୱରେ ବହୁ ସଦସ୍ୟମାନେ କଳା ବ୍ୟାଜ ପରିଧାନ କରି ଅର୍ଦ୍ଧେନ୍ଦୁ ଦାସଙ୍କୁ ନ୍ୟାୟ ପ୍ରଦାନ ଏବଂ ଉକ୍ତ ଷଡଯନ୍ତ୍ରର ତଦନ୍ତ ଦାବିରେ ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଅନୁରୂପ ଭାବେ ଶାଳିଆ ପ୍ରେସ କ୍ଲବ ଏ ସଂକ୍ରାନ୍ତରେ ସମାନ ଦାବିପତ୍ର ଚିଲିକା ତହସିଲଦାରଙ୍କୁ ପ୍ରଦାନ କରିବ ବୋଲି ସଂଘ ସଭାପତି ଶ୍ରୀ ସାହୁ କହିଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ବେଧଡକ ଚାଲିଛି ବେଆଇନ ଗୁଟଖା ବେପାର, ପ୍ରଶାସନ ନୀରବ

ସୀତାରାମ ଅଗ୍ରୱାଲ

ଚିଲିକା: ତମାଖୁର ଭୟାବହତା ନେଇ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ମେ ୩୧ ତାରିଖକୁ ପ୍ରତିବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ତମାଖୁ ଜନିତ ହୃଦରୋଗ ସମ୍ବନ୍ଧରେ ବାରମ୍ବାର ସଚେତନତା ସୃଷ୍ଟି କରାଯାଇଥିଲେ ମଧ୍ୟ ତମାଖୁ କିମ୍ବା ତମାଖୁ ଜନିତ ଦ୍ରବ୍ୟ ବିକ୍ରୟ ଓ କ୍ରୟ ନିୟନ୍ତ୍ରଣ ହୋଇପାରିନାହିଁ। ୨୦୧୩ ମସିହା ଠାରୁ ଗୁଟଖା ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କିନ୍ତୁ ଅଦ୍ୟାବଧି ୯ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହା ଉପରେ ଅଙ୍କୁଶ ଲାଗିପାରିନାହିଁ।

ବିଦ୍ୟାଳୟଠାରୁ ଆରମ୍ଭ କରି, ସ୍ୱାସ୍ଥ୍ୟ କେନ୍ଦ୍ର, ସରକାରୀ ଅବା ବେସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖୁଲମଖୁଲା ଗୁଟଖା ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି। ଦୋକାନ ସାମ୍ନାରେ ମାଳ ମାଳ ଗୁଟଖା ରଖି ବେପାରରେ ମସଗୁଲ ରହୁଛନ୍ତି ବେପାରୀ। ନାଁ ଅଛି କାହାକୁ ଡର ନାଁ କୌଣସି ଆଇନକୁ ସମ୍ମାନ।

କୋଟପା ଆଇନ ଧାରା ୬ ରେ ବିଦ୍ୟାଳୟ ଠାରୁ ୧୦୦ ମିଟର ଦୂରରେ ତମାଖୁ ବିକ୍ରି ନେଇ କଟକଣା ଜାରି କରାଯାଇଥିଲେ ସୁଦ୍ଧା ଗୁଟଖା ବେପାରିମାନେ ଏହାକୁ ଅଣଦେଖା କରୁଥିବାର ନଜିର ରହିଛି। ତମାଖୁ ସେବନରେ ଅଭ୍ୟସ୍ତ ବ୍ୟକ୍ତି ବିଶେଷ ଏହାର କୁପ୍ରଭାବ ଜାଣି ମଧ୍ୟ ଅଭ୍ୟାସରୁ ନିବୃତ୍ତ ହୋଇପାରୁନାହାନ୍ତି। ଏପରିକି ସଚେତନତା ଅଭାବରୁ ଅଧିକାଂଶ କିଶୋର, ଯୁବପିଢ଼ି କୁସଙ୍ଗରେ ପଡି ତମାଖୁ ସେବନ କରିଥାନ୍ତି।

ତମାଖୁ ସେବନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ତଥା କର୍କଟ, ଯକ୍ଷ୍ମା ଭଳି ମାରାତ୍ମକ ରୋଗର ମୂଳ ଉତ୍ସ ଜାଣି ମଧ୍ୟ ଦିନକୁଦିନ ଗୁଟଖା ବେପାର ବଢ଼ିବାରେ ଲାଗିଛି।

ସମ୍ପ୍ରତି ଚିଲିକା ନିର୍ବାଚନ ମଣ୍ଡଳୀରେ ଗୁଟଖା ଅଭ୍ୟସ୍ତ ଅନେକ ମୁଖ କର୍କଟ ଏବଂ ଯକ୍ଷ୍ମା ରୋଗରେ ପୀଡିତ ହୋଇ ବିଭିନ୍ନ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବେଳେ କେତେକ ମୃତ୍ୟୁମୁଖରେ ମଧ୍ୟ ପଡିଛନ୍ତି। ତମାଖୁ ବର୍ଜନ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (ଡବ୍ଲ୍ୟୁ ଏଚ ଓ) ପକ୍ଷରୁ ପ୍ରତି ବର୍ଷ ମେ ୩୧ ରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯିବା ସହ ସଚେତନତା ବାର୍ତ୍ତା ଦିଆଯାଇଥାଏ। ଏପରିକି ଦେଶ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ତମାଖୁ ନିଷେଧ ପାଇଁ ସଚେତନତା କରାଯାଉଥିଲେ ମଧ୍ୟ ଏସବୁ କେବଳ ସରକାରୀ କାଗଜ କଲମରେ ସୀମିତ ମାତ୍ର।

ପ୍ରଶାସନ ପକ୍ଷରୁ ତମାଖୁ ବିକ୍ରି ଉପରେ ଠିକ ଭାବେ ଧରପଗଡ଼ ହେଉନଥିବାରୁ ଦିନକୁଦିନ ଗୁଟଖା ବେପାର ବଢ଼ିବାରେ ଲାଗିଛି। ରାଜ୍ୟରେ କୋଟପା ଆଇନ ସହ କେନ୍ଦ୍ର ଖାଦ୍ୟ ସୁରକ୍ଷା ଓ ମାନବ ପ୍ରାଧିକରଣ ଆଇନ ଲାଗୁହୋଇଥିଲେ ମଧ୍ୟ ଏହାର ବିକ୍ରି ଉପରେ କଟକଣା କାର୍ଯ୍ୟକାରୀ ହୋଇପାରୁନାହିଁ। ଯାହାଫଳରେ ତମାଖୁ ସେବନକାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ ନକଲି ତମାଖୁ ପ୍ରସ୍ତୁତକାରି ସଂସ୍ଥା ବିଭିନ୍ନ ନାମରେ ଗୁଟଖା ପ୍ରସ୍ତୁତ କରି ବଜାରରେ ବ୍ୟବସାୟୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବିକ୍ରି କରୁଛନ୍ତି।

ଏଥିସହିତ ବ୍ୟବସାୟୀମାନେ ଏସବୁ ନକଲି ଗୁଟୁଖା ବିକି ଭଲ ଦିପଇସା ରୋଜଗାର କରୁଥିବା ସାଧାରଣରେ ଆଲୋଚନା ହେଉଛି। ଯାହାଫଳରେ ବେପାରୀ ମାଲାମାଲ ହେବା ସାଙ୍ଗକୁ ଅଞ୍ଚଳରେ ତମାଖୁ ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ, ବାଣପୁର ଅଞ୍ଚଳରେ ଅବାଧ ଗୁଟଖା ବିକ୍ରି ଉପରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ପାଇଁ ବୁଦ୍ଧିଜୀବୀ ମହଲରୁ ଅନୁରୋଧ କରାଯାଇଛି।

ନୂତନ ଖୋର୍ଦ୍ଧା ଜିଲ୍ଲାପାଳ ଓ ସିଡ଼ିଏମଓ ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବାବେଳେ ବିଭାଗୀୟ ଅଧିକାରୀମାନେ ଏହା ଉପରେ ଦୃଷ୍ଟି ନଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଥାଉକି ଚଳିତ ବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସରେ ‘ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ'(ଏନଟିସିପି) କୁ ସଫଳତାର ସହ ଭାବେ ଲାଗୁ କରି ସାରା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ ମଧ୍ୟ ପାଇଛି।

Categories
ଆଞ୍ଚଳିକ ସଂସ୍କୃତି

ଚିଲିକା ସ୍ଥିତ ବଡ଼କୁଳ ପାନ୍ଥନିବାସ ଠାରେ ଉଦଘାଟିତ ହେଲା ରଜ ଉତ୍ସବ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ସ୍ଥିତ ବଡ଼କୁଳ ପାନ୍ଥନିବାସ ଠାରେ ଗଣ ପର୍ବ ରଜ ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ପାନ୍ଥନିବାସ ପ୍ରବନ୍ଧକ ସବ୍ୟସାଚୀ କରଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ଉତ୍ସବକୁ ବଡ଼କୁଳ ସରପଞ୍ଚ ପ୍ରହଲ୍ଲାଦ ବେହରା ଓ ଡୁଙ୍ଗମାଳ ସରପଞ୍ଚ ଗଣେଶ୍ୱର ସ୍ୱାଇଁ ମିଳିତ ଭାବେ ଉଦଘାଟନ କରିଥିବାବେଳେ ସ୍ଥାନୀୟ ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ଓଟିଡିସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ନୌବିହାର ପାଇଁ ବଡ଼କୁଳ ପାନ୍ଥନିବାସ କୁ ଦେଶ ବିଦେଶରୁ ସଦାସର୍ବଦା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପାନ୍ଥନିବାସରେ ରଜ ଉତ୍ସବର ଆୟୋଜନ କରାଯାଇଛି। ରଜ ପର୍ବ ଉପଲକ୍ଷେ ରଜ ପାନ,ବିଭିନ୍ନ କିସମର ପିଠା ଓ ମିଠା ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ପର୍ଯ୍ୟଟକଙ୍କୁ ଯୋଗାଇ ଦେଇଥାଏ ପାନ୍ଥନିବାସ।

ଏଥିସହିତ ରଜ ଦୋଳିର ମଜା ନେବାପାଇଁ ପାନ୍ଥନିବାସ ପରିସରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରଜଦୋଳିର ମଧ୍ୟ ବ୍ୟବସ୍ଥା କରାଯାଇଛି। ଶ୍ରୀ କରଙ୍କ ସୂଚନା ମୁତାବକ ଏହି ଗଣପର୍ବ ୨୦୧୫ ମସିହାରୁ ଏଠାରେ ପାଳିତ ହୋଇଆସୁଥିବା ବେଳେ ଗତ ଦୁଇ ବର୍ଷ କରୋନା କଟକଣା ନିମନ୍ତେ ବନ୍ଦ ଥିଲା।ମାତ୍ର ଚଳିତ ବର୍ଷ କରୋନା ର ପ୍ରକୋପ କମିବାପରେ ପୁଣି ପାରମ୍ପରିକ ଭାବେ ଏହି ଉତ୍ସବ ପାଳନ କରାଯାଇଛି। ଏହି ପର୍ଵ ଦୀର୍ଘ ତିନି ଧରି ପାଳନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡ଼ିକୁ ପିଟିଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ପରିବାର

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ହସ୍ତଗତ ହୋଇଛି। ତେବେ ସୌଭାଗ୍ୟବଶତଃ ଗାଡ଼ିରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ସୁରକ୍ଷିତ ଥିବା ବେଳେ ଗାଡ଼ିଟି ଭାଙ୍ଗି ରୁଜି ଯାଇଛି।

ଖବର ମୁତାବକ ପୂର୍ବତନ ବିଧାୟକଙ୍କ ଗାଡିଟି ସଂନ୍ଧ୍ୟାରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଯେଉଁଥିରେ ତାଙ୍କ ପୁତ୍ର, ଝିଅ ଏବଂ ନାତୁଣୀ ଯାତ୍ରା କରୁଥିଲେ। ତେବେ ହରିକୁଣ୍ଡବରଡ଼ି ଢ଼ାବା ନିକଟରେ ଗାଡିଟି ଛିଡା ହୋଇଥିବା ବେଳେ ହଠାତ ପଛପଟୁ ସମାନ ଦିଗରେ ଯାଉଥିବା ଏକ ଟ୍ରଲର ଟି ଧକ୍କା ଦେଇଥିଲା।

ତେବେ ସୌଭାଗ୍ୟବଶତଃ ଗାଡ଼ି ଭିତରେ ଥିବା ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ପରିବାରବର୍ଗଙ୍କ କୌଣସି କ୍ଷତି ହୋଇନଥିବା ବେଳେ ଗାଡ଼ିଟି ଭାଙ୍ଗି ରୁଜି ଯାଇଛି। ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ଟ୍ରଲର ଚାଳକଙ୍କୁ ଅଟକ ରଖିଛନ୍ତି।

ତେବେ ଏ ନେଇ ପୂର୍ବତନ ବିଧାୟକଙ୍କ ପ୍ରତିକ୍ରିୟା ନିଆଯାଇଥିବା ବେଳେ ତାଙ୍କ ପରିବାର ବର୍ଗ ସୁରକ୍ଷିତ ଥିବାରୁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି, ୧୯ ଟି ବିଦ୍ୟାଳୟକୁ ମିଳିଲା ସ୍ଥାୟୀ ପଟ୍ଟା

ସୀତାରାମ ଅଗ୍ରୱାଲ

ଚିଲିକା: ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଚିଲିକା ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ବାଲୁଗାଁ ଏନଏସିର ସମୁଦାୟ ୩୯୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରି ତନ୍ମଧ୍ୟରୁ ୩୫ ଗୋଟି ଅଭିଯୋଗର ତୁରନ୍ତ ଫଇସଲା କରିଥିଲେ। ୩୯୧ ଗୋଟି ଅଭିଯୋଗ ମଧ୍ୟରୁ ୩୮୧ ଟି ବ୍ୟକ୍ତିଗତ ଏବଂ ୧୦ ଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିବା ଜଣାପଡିଛି।

ଅନ୍ୟ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ୨ ଜଣ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଏବଂ ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା। ଦୁଇ ଜଣ ଭିନ୍ନକ୍ଷମଙ୍କୁ ଗୋଟାଏ ଲେଖାଏଁ ଟ୍ରାଇ ସାଇକେଲ ଓ ହୁଇଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ୧୯ ଗୋଟି ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଥିଲା।

ସେହିପରି ଭାବେ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଚିଲିକା ବ୍ଲକର ସତର ଗୋଟି ପଞ୍ଚାୟତକୁ ୧୭ ଟି ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି।

ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ବିଡିଓ ଡ଼ା ସୁଷମା ବାରିକ, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁର ବିଭିନ୍ନ ଖାଦ୍ୟ ଦୋକାନଗୁଡିକ ଉପରେ ଅଚାନକ ଚଢାଉ, ହେଲା କାର୍ଯ୍ୟାନୁଷ୍ଠାନ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବିଭିନ୍ନ ଖାଦ୍ୟ ଦୋକାନୀମାନେ ଅପମିଶ୍ରିତ ଏବଂ ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ଏ ନେଇ ସିଡ଼ିଏମଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଏହାକୁ ଗୁରୁତର ସହ ନେଇଛନ୍ତି ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ।

ସିଡ଼ିଏମଓଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସଂନ୍ଧ୍ୟାରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଡେଜିଗନେଟେଡ଼ ଅଧିକାରୀ ସତ୍ୟଜିତ ପଟେଲଙ୍କ ନେତୃତ୍ୱରେ ବାଣପୁର-ବାଲୁଗାଁ ଅଞ୍ଚଳର ୨୫ ଗୋଟି ହୋଟେଲ, ରେସ୍ତୁରା ଏବଂ ଫାଷ୍ଟ ଫୁଡ ଦୋକାନ ଗୁଡିକରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ପାଖାପାଖି ୪୦ କେଜି ବାସି ଖାଦ୍ୟ, ଖାଦ୍ୟ ରଙ୍ଗ ଏବଂ ନିମ୍ନମାନର ଖାଦ୍ୟ ଆଦିକୁ ନଷ୍ଟ କରାଯାଇଥିଲା। ତତସହିତ ୮ ହାଜର ୫୦୦ ଟଙ୍କାର ଜରିମାନା ମଧ୍ୟ ଆଦାୟ ହୋଇଥିବାର ଜଣାପଡିଛି।

ସେହିପରି ଭାବେ ସମସ୍ତ ଦୋକାନୀମାନଙ୍କୁ ନିଜ ନିଜ ଦୋକାନରେ ସ୍ୱଛତା ବଜାୟ ରଖିବା ସହ ଉନ୍ନତ ମାନର ଖାଦ୍ୟ ବିକ୍ରି ପାଇଁ ତାଗିଦ କରିଥିଲେ ଉକ୍ତ ଅଧିକାରୀ। ତେବେ ଉକ୍ତ ଚଢ଼ାଉ ଦେଖି ବହୁ ଖାଦ୍ୟ ଦୋକାନି ଦୀର୍ଘ ସମୟ ଯାଏଁ ସେମାନଙ୍କ ଦୋକାନକୁ ବନ୍ଦ ରଖିଥିବାର ଦେଖାଯାଇଥିଲା।

ତେବେ ଏହିପରି ଛଦ୍ମ ଚଢ଼ାଉ ଆଗକୁ ମଧ୍ୟ ନିୟମିତ ବ୍ୟବଧାନରେ ଜାରି ରହିବ ବୋଲି ସିଡ଼ିଏମଓ କହିଛନ୍ତି।

Categories
ଆଞ୍ଚଳିକ

ଚିଲିକା: ଗାଁ ଗାଁରେ ବଢିଚାଲିଛି ମଦ ବିକ୍ରି, ଅବକାରୀ ବିଭାଗର କାମ କରୁଛନ୍ତି ମହିଳା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରାଞ୍ଚଳ ଠୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅବାଧରେ ବେଆଇନ ମଦ କାରବାର ଚାଲିଥିବାର ଅଭିଯୋଗ ହେଉଛି। କିନ୍ତୁ ପୋଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ ସେପରି ଆଖି ଦୃଷ୍ଟିଆ ଚଢ଼ାଉ କରାଯାଉନାହିଁ। ଯେଉଁଠି ଶହ ଶହ ଲିଟର ଦେଶୀ ଓ ବିଦେଶୀ ମଦ କାରବାର ଚାଲିଛି, ଅକାଳେ ସକାଳେ ୫ ଲିଟର, ୧୦ ଲିଟର ମଦ ଜବତ କରୁଛି ଉଭୟ ବିଭାଗ।

ମଦ ଲାଗି ବହୁ ପରିବାର ଭାଙ୍ଗିଯାଉଥିବା ବେଳେ ଏକାଧିକ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି। ବିଶେଷ କରି ନିର୍ବାଚନ ପରଠାରୁ ବାଣପୁରର ଗାଁ ଗାଁ ରେ ଅହେତୁକ ଭାବେ ବେଆଇନ ମଦ କାରବାର ବୃଦ୍ଧି ହେଇଛି। ନିକଟରେ ଦୁଇ ଦୁଇ ଥର ନିଜ ଗ୍ରାମକୁ ମଦମୁକ୍ତ କରିବା ଦାବିରେ ଦୁଇ ଗୋଟି ନିର୍ଦ୍ଦିଷ୍ଟ ଗ୍ରାମର ଶତାଧିକ ମହିଳାମାନେ ବାଣପୁର ଥାନା ଘେରାଉ କରିଥିଲେ ଏବଂ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଇଥିଲେ। ଏଥିରୁ ବାରି ହେଉଛି କେଉଁ ପରିମାଣରେ ବାଣପୁର ଗ୍ରାମାଞ୍ଚଳରେ ବେଆଇନ ମଦ କାରବାର ଚାଲିଛି।

ଗ୍ରାମବାସୀମାନେ ମଦ କାରବାରକୁ ନେଇ ଅତିଷ୍ଠ ହେଉଥିବା ବେଳେ ମଦ ଧରିବା ପାଇଁ ରହିଥିବା ଅବକାରୀ ବିଭାଗ ଏସବୁରେ ବିଫଳ ହେଉଛି। ବେଆଇନ ମଦ ଏବଂ ନିଶା ଜାତୀୟ ଦ୍ରବ୍ୟ ଉପରେ ଚଢାଉ କରିବା ସହ ବେପାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅବକାରୀ ବିଭାଗର ମୁଖ୍ୟ କାର୍ଯ୍ୟ। କିନ୍ତୁ ଟାଙ୍ଗୀ ରେଞ୍ଜ ଅବକାରୀ ଅଞ୍ଚଳରେ ଯେପରି ଅବକାରୀ ବିଭାଗ ଏକ ରକମର ସୁପ୍ତ ଅବସ୍ଥାରେ ଅଛି।

ବାଲୁଗାଁ ଅବକାରୀ ଥାନା ଦାଇତ୍ୱ ଜଣେ ଏଏସଆଇଙ୍କ ହାତରେ ନ୍ୟସ୍ତ ଥିବା ବେଳେ ତାଙ୍କ କ୍ଷମତା ସୀମିତ। ଏନଡ଼ିପିଏସ କେଶ ରୁଜୁ କରିବା ତାଙ୍କ କ୍ଷମତା ବାହାରେ। ତେଣୁ ଅକାଳେ ସକାଳେ ସ୍ୱଳ୍ପ ଲିଟର ମଦ ଧରିବା ଧର୍ମକୁ ଆଖିଠାର ସଦୃଶ।

ପୁର୍ବରୁ ବାଲୁଗାଁ ଅବକାରୀ ଥାନାରେ ଜଣେ ଦକ୍ଷ ଏସଆଇ ନିୟୋଜିତ ଥିଲେ, ଯିଏକି ମଦ କାରବାରକୁ ବହୁ ପରିମାଣରେ ରୋକ ଲଗାଇବାରେ ସଫଳ ଥିଲେ। ଏପରିକି ଉକ୍ତ ଅଧିକାରୀ ବାଲୁଗାଁରୁ ବ୍ରାଉନ ସୁଗାର ଓ ଗଞ୍ଜେଇ ମଧ୍ୟ ଠାବ କରିଥିଲେ। ତେଣୁ ବାଲୁଗାଁ ଅବକାରୀ ଥାନାରେ ଜଣେ ସ୍ଥାୟୀ ଓ ଦକ୍ଷ ଅଧିକାରୀ ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଛି।

ସେହିପରି ଭାବେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ମଧ୍ୟ ବାଲୁଗାଁ-ବାଣପୁରରେ କେତେବେଳେ ବି ରେଡ଼ କରିବାର ଦେଖାଯାଉନାହିଁ। କହିବାକୁ ଗଲେ ବାଣପୁର ବାଲୁଗାଁ ଅଞ୍ଚଳରେ ଅବକାରୀ ବିଭାଗ ଏକ ରକମର କୋମାରେ ଅଛି।

ଅନୁରୂପ ଭାବେ ପୋଲିସ ପ୍ରଶାସନ ମଧ୍ୟ ଉକ୍ତ ସମସ୍ୟାକୁ ଗୁରୁତର ସହ ନେବା କଥା।  ପୁର୍ବରୁ ବାଣପୁର ଥାନାରେ କର୍ମଚାରୀ ଅଭାବ ଥିଲା। କିନ୍ତୁ ନୂତନ ଏସପି ଯୋଗଦେବା ପରଠାରୁ ଥାନାରେ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇଛି। ପାଟ୍ରୋଲିଂ ଗାଡ଼ି ଆସିଛି। ଏପିଆର ଫୋର୍ସ ଆସିଛନ୍ତି। ୧୧୨ ଗାଡ଼ି ମହଜୁଦ ଅଛି। ଏତେ ସବୁ ସାଧନ ଥାଇ ମଧ୍ୟ ଯଦି ବେଆଇନ ମଦ ବିକ୍ରି ରୋକାଯାଇପାରୁନି, ତେବେ ଏହା ନିଶ୍ଚିତ ଦୁଃଖର ବିଷୟ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧୀନରେ ଥିବା ଅବକାରୀ ବିଭାଗ ଏବଂ ଖୋର୍ଦ୍ଧା ଏସପିଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର: ଅଭିଯୋଗ ଶୁଣିବାରେ ବିଫଳ ବାଣପୁର ଓ ଚିଲିକା ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ସୋସିଆଲ୍ ମିଡିଆ ତାର କାୟାବିସ୍ତାର କରିବାରେ ଲାଗିଛି। ଯାହାଫଳରେ ସାଧାରଣ ଜନତା ସୋସିଆଲ ମିଡିଆକୁ ପ୍ରାଧାନ୍ୟ ଦେଉଛନ୍ତି। ଟ୍ଵିଟର, ଫେସବୁକ ଅବା ହ୍ଵାଟ୍ସଆପ ଜରିଆରେ କୋଣ ଅନୁକୋଣରୁ ସମସ୍ତ ସୂଚନା ସାଙ୍ଗକୁ ଦୁନିଆର ଖବର କ୍ଷଣିକ ମଧ୍ୟରେ ଏବେ ପ୍ରତିଟି ଲୋକ ପାଖରେ ପହଞ୍ଚି ପାରୁଛି।

ଗତବର୍ଷ ଅକ୍ଟୋବର ମାସରେ ଖୋର୍ଦ୍ଧା ଜିଲ୍ଲାରେ ନୂତନ କରି ଜିଲ୍ଲାପାଳ ଭାବେ ଯୋଗଦେଇଥିବା ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ, ସରକାରଙ୍କ ୫-ଟି ନିୟମକୁ ପ୍ରଥମେ ପ୍ରାଧାନ୍ୟ ଦେଇଥିଲେ ଏବଂ ଅକ୍ଟୋବର ୨୩ ତାରିଖରେ ସୋସିଆଲ୍ ମିଡିଆ ଟୁଇଟର ସହ ଜିଲ୍ଲାର ସମସ୍ତ ତହସିଲ, ବ୍ଲକ, ପୌରାଞ୍ଚଳ ଏବଂ ଅନ୍ୟ ଗୁରୁତ୍ୱ ବିଭାଗକୁ ମିଶାଇ ସମୁଦାୟ ୩୭ ଗୋଟି ନୂତନ ଆକାଉଣ୍ଟକୁ ଯୋଡ଼ିଥିଲେ।

ଉଦ୍ଦେଶ୍ୟ ଥିଲା ଟ୍ୱିଟର ଜରିଆରେ ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ ଏବଂ ସମାଧାନ ଦିଗରେ ସମସ୍ତ ବିଭାଗ କାର୍ଯ୍ୟ କରିବେ। ତତ ସହିତ ସମସ୍ତ ସରକାରୀ ତଥା ଜନହିତକର କାର୍ଯ୍ୟକ୍ରମ ଗୁଡିକର ସୂଚନା ଉକ୍ତ ଆକାଉଣ୍ଟରେ ପୋଷ୍ଟ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ ଜିଲ୍ଲାପାଳ। ଯାହାଫଳରେ ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସୁସମ୍ପର୍କ ଗଢି ଉଠିବା ସହିତ ସରକାରୀ କର୍ମଚାରୀ ମାନେ ନିଜର କାର୍ଯ୍ୟକୁ ତ୍ଵରିତ କରିପାରିବେ।

କିନ୍ତୁ ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ହେଉଥିବାର ଦେଖିବାକୁ ମିଳୁଛି। ବାଣପୁର ବ୍ଲକ, ଚିଲିକା ବ୍ଲକ, ବାଣପୁର ଏନଏସି, ବାଲୁଗାଁ ଏନଏସି, ଚିଲିକା ତହସିଲ ଓ ବାଣପୁର ତହସିଲର ଟ୍ୱିଟର ଆକାଉଣ୍ଟ ଏକ ପ୍ରକାର ନିଷ୍କ୍ରିୟ ହୋଇପଡିଛି।

ପ୍ରଶାସନ ତରଫରୁ ଟୁଇଟର ଆକାଉଣ୍ଟରେ କୌଣସି ତଥ୍ୟ ବା ପ୍ରସ୍ତାବ ଅପଡେଟ୍ କରାଯାଉ ନାହିଁ, ଯାହା ଫଳରେ ଫଲୋଅରଙ୍କ ସଂଖ୍ୟା ବଢୁନାହିଁ। ଏହା ସହ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିଜ ନିଜ ବିଭାଗର ଟୁଇଟର ଆକାଉଣ୍ଟରେ କୌଣସି ପ୍ରକାର ସୂଚନା ପୋଷ୍ଟ କରୁନାହାଁନ୍ତି। ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏପରିକି ଜନସାଧାରଣ ଟୁଇଟରରେ ବାରମ୍ବାର ବିଭିନ୍ନ ବିଷୟରେ ଅଭିଯୋଗ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳୁନାହିଁ। ଗୋଟେ ପକ୍ଷରେ ଜିଲ୍ଲାପାଳ ଖୋଦ ଟୁଇଟରରେ ଜନସାଧାରଣଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ସହ ତାହାକୁ ସମାଧାନ କରିବା ପାଇଁ ଧ୍ୟାନ ଦେଉଥିବା ବେଳେ ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ଫୁ କରି ଉଡ଼ାଇଦେଉଛି। ଯାହାଫଳରେ ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ କାର୍ଯ୍ୟକାରୀ କରିଥିବା ‘ ଓସ୍ୱାସ’ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି।

ସୂଚନା ଥାଉକି ବାଣପୁର ତହସିଲର ଟ୍ୱିଟର ଆକାଉଣ୍ଟରେ ଶେଷ ଅପଡେଟ ଏପ୍ରିଲ ୩ ରେ ହୋଇଥିବା ବେଳେ ଚିଲିକା ତହସିଲର ଗତବର୍ଷ ଡ଼ିସେମ୍ବର ୩ ରେ ହୋଇଥିଲା। ସେହିପରି ଭାବେ ବାଣପୁର ବ୍ଲକର ଗତବର୍ଷ ଡ଼ିସେମ୍ବର ୧୮ ତାରିଖ, ଚିଲିକା ବ୍ଲକର ମଇ ୬ ତାରିଖ, ବାଣପୁର ଏନଏସି ର ମଇ ୫ ତାରିଖ ଏବଂ ବାଲୁଗାଁ ଏନଏସି ର ମାର୍ଚ୍ଚ ୧୮ ତାରିଖରେ ଶେଷ ଟ୍ୱିଟର ଅପଡେଟ କରାଯାଇଥିଲା।

ଅନୁରୂପ ଭାବେ ବାଣପୁର ତହସିଲ ଟ୍ୱିଟର ଆକାଉଣ୍ଟରୁ ଶେଷ ଥର ପାଇଁ ଜନସାଧାରଣଙ୍କ ଅଭିଯୋଗର ଉତ୍ତର ମାର୍ଚ୍ଚ ୧୩ ତାରିଖରେ ଏବଂ ଚିଲିକା ତହସିଲ ଟ୍ୱିଟର ଆକାଉଣ୍ଟରୁ ଗତବର୍ଷ ଡିସେମ୍ବର ୧୦ ତାରିଖରେ ଦିଆଯାଇଥଲା।

ସେହିପରି ଭାବେ ବାଣପୁର ବ୍ଲକର ମାର୍ଚ୍ଚ ୫ ତାରିଖ, ବାଣପୁର ଏନଏସି ର ଗତବର୍ଷ ଡ଼ିସେମ୍ବର ୧୦ ତାରିଖ, ବାଲୁଗାଁ ଏନଏସି ର ଗତବର୍ଷ ଫେବୃଆରୀ ୭ ତାରିଖରେ ଶେଷ ଥର ପାଇଁ ଜନସାଧାରଣଙ୍କ ଅଭିଯୋଗର ଉତ୍ତର ଦିଆଯାଇଥିବା ବେଳେ ଚିଲିକା ବିଡ଼ିଓଙ୍କ ଆକାଉଣ୍ଟରୁ ଜମାବି ଉତ୍ତର ଦିଆଯାଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ସଡକ ଦୁର୍ଘଟଣାରେ ଆଖି ବୁଜିଲେ ସାମ୍ବାଦିକ ତଥା ଆଇନଜୀବୀ ବିକାଶ ନାୟକ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଙ୍କୁଲା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ସାମ୍ବାଦିକ ତଥା ଆଇନଜୀବୀଙ୍କ ପ୍ରାଣହାନୀ ଘଟିଛି।

ସୂଚନା ଅନୁଯାୟୀ, ବାଲୁଗାଁ ଅଂଚଳର ଆଇନଜୀବୀ ତଥା ସାମ୍ବାଦିକ ବିକାଶ ନାୟକ ଆଜି କୋଣସି ଏକ କାମ ପାଇଁ ନିଜ ବାଇକ ଯୋଗେ ବାଲୁଗାଁରୁ ଟାଙ୍ଗୀ ଅଭିମୁଖେ ଯାଉଥିଲେ। ସେତେବେଳେ ପୁରୁଣା ଜାତୀୟ ରାଜପଥର ଆଙ୍କୁଲା ଛକ ନିକଟରେ ଏକ ଚିଙ୍ଗୁଡ଼ି ବୋଝେଇ କଣ୍ଟେନରଟି ଆସି ବିକାଶଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଁଚି ଶବକୁ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା କଣ୍ଟେନର କୁ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଉକ୍ତ ଖବର ଦ୍ୱାରା ବାଲୁଗାଁ, ବାଣପୁର, ନାଚୁଣି ଓ ଟାଙ୍ଗି ଅଞ୍ଚଳର ସାମ୍ବାଦିକ ଓ ଆଇନଜୀବୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

Categories
ଆଞ୍ଚଳିକ

ଚିଲିକାରେ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଯାଞ୍ଚ, ୩୨ ଡ଼ିଏଲ ବାତିଲ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ଆରଟିଓ ଏବଂ ପୋଲିସର ଚଢ଼ାଉ ଜାରି ରହିଛି। ଶନିବାର ପୂର୍ବାହ୍ନରେ ଆରଟିଓ ଏବଂ ବାଣପୁର-ବାଲୁଗାଁ ପୋଲିସ ମିଳିତ ଭାବେ ବାଇପାସ ଠାରେ ଦୀର୍ଘ ସମୟ ଧରି ବିଭିନ୍ନ ଯାନବାହାନ ଯାଞ୍ଚ କରିଥିଲେ। ହେଲମେଟ, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର, ସିଟ ବେଲ୍ଟ, ମାଲ ବୁହା ଗାଡ଼ିରେ ଯାତ୍ରୀ ନେବା, ଟ୍ରିପଲ ରାଇଡିଙ୍ଗ ଆଦି ଯାଞ୍ଚ କରାଯାଇଥିଲା।

ଉକ୍ତ ଚଢ଼ାଉରେ ଭୁବନେଶ୍ୱର ଆରଟିଓ -୧ ର କନିଷ୍ଠ ମୋଟରଜାନ ନିରୀକ୍ଷିକା ପଦ୍ମଜା ମହାନ୍ତି, ଟ୍ରାଫିକ ଇନ୍ସପେକ୍ଟର ରଞ୍ଜନ କୁମାର ଦୋରା, ବାଣପୁର ଥାନା ଏଏସଆଇ ପ୍ରଶାନ୍ତ ବେହେରା, ବାଲୁଗାଁ ଥାନା ଏସଆଇ ଶ୍ରୀନିବାସ ସାମନ୍ତ ଏବଂ ଅନ୍ୟ ଆରଟିଓ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ। ତେବେ ଟ୍ରାଫିକ ନିୟମ ଖିଲାପ ବାବଦକୁ ଆଜି ୮୯ ଗୋଟି ଇ ଚାଲାଣ କଟାଯାଇଥିବା ବେଳେ ୩୨ ଗୋଟି ଡ଼ିଏଲ ବାତିଲ ହୋଇଥିବା ର ସୂଚନା ଦେଇଛନ୍ତି ସୁଶ୍ରୀ ମହାନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ମୃତ ଡ଼ଲଫିନ ଉଦ୍ଧାର

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସନ୍ଧ୍ୟାରେ ଚିଲିକାରୁ ଏକ ଡ଼ଲଫିନର ମୃତଦେହ ଉଦ୍ଧାର ହୋଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ଠାରେ ଅବସ୍ଥିତ ସ୍ୱସ୍ତି ଚିଲିକା ରିସୋର୍ଟର ଜେଟି ନିକଟସ୍ଥ ଚିଲିକା ହ୍ରଦ ଭିତରେ ଏକ ୫ ଫୁଟ ଲମ୍ବର ମୃତ ଡ଼ଲଫିନ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଯୁବକ ମାନେ ସଙ୍ଗେ ସଙ୍ଗେ ଚିଲିକା ପାଣି ଭିତରେ ପଶି ମୃତ ଡ଼ଲଫିନକୁ ବାହାରକୁ ଆଣିଥିଲେ। ପରେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନରସିଂହ ବେହେରାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନରସିଂହ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ଗୌରାଙ୍ଗ ପ୍ରଧାନଙ୍କ ସହ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ ଡଲଫିନକୁ ଉଦ୍ଧାର କରି ରମ୍ଭା ନେଇଯାଇଛନ୍ତି।

ତେବେ ଡଲଫିନ୍ ଟିର ମୃତ୍ୟୁ କିପରି ହେଲା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସ୍ପଷ୍ଠ ଜଣାପଡ଼ିବ ବୋଲି ରେଞ୍ଜର ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଅନ୍ୟପଟେ ଗତ କିଛି ମାସ ତଳେ ଏହି ସ୍ଥାନରୁ ଦୁଇଟି ମୃତ ଡ଼ଲଫିନ ଉଦ୍ଧାର ହୋଇଥିବା ବେଳେ ରମ୍ଭା ନିକଟରେ ଗୋଟିଏ ମୃତ ଡ଼ଲଫିନ ଚିଲିକା ହ୍ରଦରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଚିଲିକା ହ୍ରଦରେ ବହୁ ସଂଖ୍ୟକ ଡ଼ଲଫିନ ରହୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଯାହା ଫଳରେ ବିଭିନ୍ନ କାରଣରୁ ଡ଼ଲଫିନ ମାନେ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହାକୁ ନେଇ ଏବେ ପରିବେଶବିତ୍ ମାନଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚିଲିକାର ବିଭିନ୍ନ ବରଫ କଳ ଉପରେ ଚଢ଼ାଉ

ସୀତାରାମ ଅଗ୍ରୱାଲ

ଚିଲିକା: ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ ବଜାରରେ ଥଣ୍ଡା ମୃଦୁ ପାନୀୟ ଜଳର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବରଫ କଳ ଗୁଡିକରେ ସ୍ୱଚ୍ଛତା ଅବଲମ୍ବନ ହେଉନଥିବା ଏବଂ ଅପମିଶ୍ରଣ ହେଉଥୁବାର ଅଭିଯୋଗ ହେବା ପରେ ଆଜି ମଧ୍ୟାହ୍ନରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଡେଜିଗନେଟେଡ୍ ଅଧିକାରୀ ସତ୍ୟଜିତ୍ ପଟେଲ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଓ ବାଲୁଗାଁ ଅଞ୍ଚଳର ବିଭିନ୍ନ ବରଫ କଳରେ ଚଢ଼ାଉ କରିଥିଲେ।

ନାଚୁଣୀର ଗୋଟାଏ ଏବଂ ବାଲୁଗାଁର ଚାରି ଗୋଟି ବରଫ କଳରେ ଚଢ଼ାଉ କରାଯାଇଥିଲା। ତେବେ ସମସ୍ତ ବରଫ ଗୁଡ଼ିକ ବିଭିନ୍ନ ବ୍ୟବସାୟ ଉପଯୋଗୀ ହୋଇଥିବା ବେଳେ ଏହା ଘରୋଇ ବ୍ୟବହାର ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଜଣାପଡିଛି।

ତତସହିତ ଶ୍ରୀ ପଟେଲ ସମସ୍ତ ବରଫ କଳର ପାରିପାର୍ଶ୍ଵିକ ଅବସ୍ଥିତି, ପରିସରରେ ସ୍ଵଚ୍ଛତା ଆଦି ଯାଞ୍ଚ କରିବା ସହ ପାଣି ଏବଂ ବରଫର ମାନ ମଧ୍ୟ ଯାଞ୍ଚ କରିଥିଲେ।

ପରିଶେଷରେ ଶ୍ରୀ ପଟେଲ ବିଭିନ୍ନ ବରଫ କଳରୁ ବରଫ ଏବଂ ବରଫ ପାଇଁ ବ୍ୟବହାର ହେଉଥିବା ପାଣିର ଚାରି ଗୋଟି ନମୁନା ସଂଗ୍ରହ କରି ପରୀକ୍ଷା ଲାଗି ପଠାଇଥିବା ବେଳେ ସମସ୍ତ ବରଫ କଳ ମାଲିକମାନଙ୍କୁ କଳ ପରିସରରେ ସ୍ୱଚ୍ଛତା ବଜାୟ ରଖିବା ସହ ଅପମିଶ୍ରିତ ବରଫ ବିକ୍ରି ନକରିବା ନେଇ ତାଗିଦ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଡଙ୍ଗା ବୁଡି ଘଟଣା: ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ସୀତାରାମ ଅଗ୍ରୱାଲ
ଚିଲିକା: ଭାରତୀୟ ନୌସେନା, ଚିଲିକା, ଓଟିଡିସି, ବାଲୁଗାଁ ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ମିଳିତ ଭାବେ ଚିଲିକାରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ। ନିଖୋଜ ହେବାର ୧୯ ଘଣ୍ଟା ପରେ ନିଖୋଜ ବ୍ୟକ୍ତିଙ୍କ ପତ୍ତା ମିଳିଛି।

ଚିଲିକାର ବଡକୂଳ ନିକଟସ୍ଥ ଖାରିବନ୍ଧରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଶରୀର। ଚିଲିକା ଭିତରେ ଏକାଧିକ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ମୃତ ଦେହଟି ବାଲୁଗାଁ ପୋଲିସ ଏବଂ ଓଡ୍ରାଫ ଟିମଙ୍କ ନଜରରେ ପଡିଥିଲା। ତେବେ ଏହା ଖାରିବନ୍ଧ ନିକଟରେ ଭାସୁଥିବାର ଦେଖିବାକୁ ମିଳିଥିଲା।

ବର୍ତ୍ତମାନ ମୃତ ଶରୀରକୁ ଚିଲିକାରୁ ଉଦ୍ଧାର କରାଯାଇଛି ବୋଲି ବାଲୁଗାଁ ଏସଡିପିଓ ସୂଚନା ଦେଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ବାଲୁଗାଁ ନିକଟବର୍ତ୍ତୀ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ହେଲା ତ୍ୱରାନ୍ୱିତ, ପଦାରେ ପଡ଼ିଲା ସ୍ଥାନୀୟ ପ୍ରଶାସନର ବିଫଳତା

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ଅପରାହ୍ନରେ ଚିଲିକାରେ ଡ଼ଙ୍ଗାବୁଡି ଘଟଣାରେ ୧୧ ଯାତ୍ରୀ ଉଦ୍ଧାର ହୋଇଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଜଣକ ବାଲୁଗାଁ ନିକଟବର୍ତ୍ତୀ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ ଯିଏ କି ମା’ କାଳିଜାଇ ପୀଠରେ ଅବସ୍ଥିତ ଥିବା ଏକ ଦୋକନରେ ସହକାରୀ କର୍ମଚାରୀ ଥିବା ଜଣାପଡିଛି। ତେବେ ଗତକାଲି ରାତିତମାମ ସ୍ଥାନୀୟ ବୋଟ ଆସୋସିଏସନର କର୍ମକର୍ତ୍ତା, ଅଗ୍ନିଶମ ବାହିନୀ ଏବଂ ଓଟିଡ଼ିସି କର୍ମଚାରୀମାନେ ଚିଲିକା ଭିତରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଜାରି ରଖିଥିବା ବେଳେ ଆଜି ସକାଳୁ ଆଇଏନଏସ ଚିଲିକା ସର୍ଚ୍ଚ ଅପେରସନ ଆରମ୍ଭ କରିଛି।

ବର୍ତ୍ତମାନ ବାଣପୁର ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଦୁଇ ଗୋଟି ଟିମ ପୁନଶ୍ଚ ଚିଲିକାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବାର ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଭାବେ ଗୋଟାଏ ଓଡ୍ରାଫ ଟିମ ମଧ୍ୟ ଉକ୍ତ କାର୍ଯ୍ୟରେ ନିୟୋଜିତ ହୋଇଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ କହିଛନ୍ତି। ହେଲେ କାଳବୈଶାଖୀ ସମୟରେ କିପରି ବୋଟ ବୁକିଙ୍ଗ କରାଯାଉଛି ବୋଲି ମା’ କାଳିଜାଇ ମୋଟର ବୋଟ ଆସୋସିଏସନର ସମ୍ପାଦକ କୃଷ୍ଣ ଚନ୍ଦ୍ର ବେହରାଙ୍କୁ ପଚାରିବାରୁ କାଲି ଶେଷ ବୁକିଙ୍ଗ ଦିନ ଗୋଟାଏ ବେଳେ ହୋଇଥିଲା ଏବଂ ତାହାପରେ ବୁକିଙ୍ଗ ବନ୍ଦ କରାଯାଇଥିଲା।

ହେଲେ କାଳବୈଶାଖୀ ସମୟରେ ଡ଼ଙ୍ଗା ଚଳାଚଳ ଗାଇଡଲାଇନ ବିଷୟରେ ସଂଘକୁ ସ୍ଥାନୀୟ ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିବାର କହିଛନ୍ତି ଶ୍ରୀ ବେହେରା। ତେବେ ଏଠି ପ୍ରଶ୍ନ ଉଠୁଛି ତହସିଲଦାର କିପରି ଏତେ ଗୁରୁତ୍ୱପୂର୍ଣ ପ୍ରସଙ୍ଗକୁ ପୁର୍ବରୁ ଧ୍ୟାନ ଦେଲେନାହିଁ? ଚିଲିକାରେ ପ୍ରତିବର୍ଷ ଗ୍ରୀଷଦିନେ ଏପରି ଡ଼ଙ୍ଗାବୁଡ଼ି ଘଟଣା ଘଟୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଆଗୁଆ ପଦକ୍ଷେପ କଣ ପାଇଁ ନେଲାନାହିଁ?

ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ଥାନୀୟ ତହସିଲଦାର ବୋଟ ଆସୋସିଏସନ ସହିତ ଏ ବାବଦରେ କୌଣସି କଥା ହୋଇନଥିବାର କହିଛନ୍ତି ସମ୍ପାଦକ କୃଷ୍ଣ ଚନ୍ଦ୍ର ବେହେରା। ସୌଭାଗ୍ୟବଶତଃ ଗତକାଲି ପୋଲିସ ଠିକ ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ୧୧ ଜଣ ଯାତ୍ରୀଙ୍କୁ ଜୀବନ୍ତ ଉଦ୍ଧାର କରିଥିବାରୁ ସ୍ଥାନୀୟ ପ୍ରଶାସନ ପାଇଁ ତାହା ବଡ଼ ଆଶ୍ବସ୍ତିକର ବିଷୟ ହୋଇଛି।

କିନ୍ତୁ ଏତେ ସବୁ ଘଟିଗଲା ପରେ ମଧ୍ୟ ସ୍ଥାନୀୟ ତହସିଲଦାର ଘଟଣାକୁ ହାଲୁକାରେ ନେବା ସାଧାରଣରେ ନାପସନ୍ଦ କରାଯାଇଛି। ଗୋଟାଏ ପଟେ ଖୋର୍ଦ୍ଧା ଜିଲ୍ଲାପାଳ ଜିଲ୍ଲାର ଉନ୍ନତି ତଥା ଜିଲ୍ଲାବାସିଙ୍କ ସୁରକ୍ଷା ପାଇଁ ଦିନ ରାତି କାର୍ଯ୍ୟ ଜାରି ରଖିଥିବା ବେଳେ ଅପରପକ୍ଷେ ସ୍ଥାନୀୟ ପ୍ରଶାସନର ଖାମଖିଆଲ ନିତି ଲାଗି ଜନସାଧାରଣ ବିପଦ ମୁଖରେ ପଡ଼ୁଛନ୍ତି।

ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଡଙ୍ଗା ବୁଡି ଘଟଣା: ନିଖୋଜ ଯାତ୍ରୀଙ୍କ ମିଳିଲା ପରିଚୟ, ଉଦ୍ଧାର କାର୍ଯ୍ୟ ଜାରି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନ ୪ ଟା ସମୟରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଚିଲିକାରେ ମା’ କାଳିଜାଇ ପୀଠରୁ ଦର୍ଶନ କରି ଫେରୁଥିବା ବେଳେ ଏକ ଯାତ୍ରୀବାହୀ ଡ଼ଙ୍ଗା ଓଲଟି ଯାଇଥିଲା। ଯାହା ଫଳରେ ଜଣେ ଯାତ୍ରୀ ନିଖୋଜ ଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛନ୍ତି। ନିଖୋଜ ବ୍ୟକ୍ତି ବାଲୁଗାଁ ନିକଟବର୍ତ୍ତୀ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ ଯିଏ କି ମା’ କାଳିଜାଇ ପୀଠରେ ବ୍ୟବସାୟ କରୁଥିବା ଜଣାପଡିଛି। ବ୍ୟବସାୟ ସାରି ଉକ୍ତ ଡଙ୍ଗାରେ ଫେରୁଥିଲେ।

ଏହି ଡଙ୍ଗାରେ ୮ ଜଣ ଯାତ୍ରୀଙ୍କୁ ମିଶାଇ ମୋଟ ୧୧ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୭ ଜଣ ପୁରୁଷ ଥିଲେ। ସମସ୍ତ ଯାତ୍ରୀ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ଅଟନ୍ତି। ତେବେ ଏପର୍ଯ୍ୟନ୍ତ ରାଜକିଶୋର ନିଖୋଜ ଥିବା ବେଳେ ଅନ୍ୟ ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ପ୍ରାପ୍ତ ସୂଚନା ମୁତାବକ ବାଲେଶ୍ଵର ରେମୁଣା ଅଞ୍ଚଳର ୮ଜଣ ଯାତ୍ରୀ ପୂର୍ବାହ୍ନରେ ଚିଲିକା ବୁଲିବାକୁ ଆସିଥିଲେ। ମା କାଲିଯାଇ ଦର୍ଶନ ସାରି ଫେରୁଥିବାବେଳେ ହଠାତ କାଳବୈଶାଖୀରେ ଡଙ୍ଗାଟି ପାଣି ମଧ୍ୟରେ ବୁଡିଯାଇଥିଲା। ଉପସ୍ଥିତ ବୁଦ୍ଧି ଖଟାଇ କିଛି ଯାତ୍ରୀ ପୋଲିସକୁ ସହାୟତା ପାଇଁ ଯୋଗାଯୋଗ କରିଥିଲେ।

ଖବରପାଇ ଏସଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ, ବାଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ଏକ ଡଙ୍ଗା ସାହାଯ୍ୟରେ ଚିଲିକା ମଧ୍ୟକୁ ଯାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଯାତ୍ରୀ ସମେତ ଡଙ୍ଗା ଚାଳକ ଏବଂ ସହ ଚାଳକଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପଢନ୍ତୁ ଯାତ୍ରୀମାନଙ୍କ ନାମ ଓ ଠିକଣା:

୧- ମଧୁସୂଦନ ମହାଳିକ (୨୫)

୨- ବିମ୍ବାଧର ସେନାପତି (୬୩)

୩- ଭବାନୀ ପଣ୍ଡା (୩୩)

୪- ଜ୍ୟୋତିସ୍ମିତା ସେନାପତି (୨୯)

୫- ପ୍ରୀତିସ୍ମିତା ସେନାପତି (୨୨)

୬- ଜ୍ୟୋସ୍ନା ସେନାପତି (୫୩)

୭- ଏଲିନା ପାଣିଗ୍ରାହୀ (୩୮)

୮- ପୀୟୂଷ ପାଣିଗ୍ରାହୀ (୧୪)

ବାଲେଶ୍ୱର ରେମୁଣା ଅଞ୍ଚଳର ଉପରୋକ୍ତ ୮ ଯାତ୍ରୀ

୯- ଭାସ୍କର ସାହୁ (୬୦)- ଗଞ୍ଜାମ ଜିଲ୍ଲା

୧୦- ରାଜକିଶୋର ଖୁଣ୍ଟିଆ (୪୦) ନିଖୋଜ- ବାଲୁଗାଁ କୋଦପୁର

୧୧- ରାଜକିଶୋର ବେହେରା (୪୮)- ଡଙ୍ଗା ଚାଳକ
୧୨- ରାମଚନ୍ଦ୍ର ବେହେରା (୨୨)- ଡଙ୍ଗା ସହ ଚାଳକ

Categories
ଆଞ୍ଚଳିକ

“ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ”: ଚିଲିକାରେ ୧୮୦ ଟି ଗାଈଙ୍କୁ ମାଗଣା ଟିକା ଓ ଔଷଧ ବଣ୍ଟନ କଲା ରୋଟାରି କ୍ଲବ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି “ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ” ଉପଲକ୍ଷେ ବାଲୁଗାଁ “ପ୍ରାଣୀ ସମ୍ବଳ ବିକାଶ ବିଭାଗ  ସହଯୋଗରେ “ବାଣପୁର-ବାଲୁଗାଁ ରୋଟାରୀ କ୍ଳବ” ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ଖାରିବନ୍ଧ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିରର ଆୟୋଜନ କରାଯାଇଛି। ଏହି ଚିକିତ୍ସା ଶିବିରରେ ପ୍ରାୟ ୧୮୦ ଟି ଗାଈଙ୍କୁ ମାଗଣା ଟିକା ଓ ଔଷଧ ପ୍ରଦାନ କରାଯାଇଛି।

ଏହି ଅବସରରେ ଏକ ସାଧାରଣ ସଭା କରାଯାଇଥିଲା। କ୍ଳବର ପୂର୍ବତ୍ତନ ସଭାପତି ରବିନାରାୟଣ ନାୟକ ତାଙ୍କ ବକ୍ତବ୍ୟରେ ଅଗ୍ରଣୀ ସମାଜ ପାଇଁ ପଶୁଧନର ବିକାଶର ପ୍ରୟୋଜନ ତଥା ପରିପୁଷ୍ଠ ଖାଦ୍ୟ ସମସ୍ୟା ଏବଂ ସେଥି ନିମନ୍ତେ ଜୈବିକ ଖତର ଆବଶ୍ୟକତାକୁ ଉପଲବ୍ଧି କରି ପଶୁଧନ ସମ୍ବଳର ବିକାଶ ନିତ୍ୟାନ୍ତ ପ୍ରୟୋଜନ ମନେହୁଏ ବୋଲି କହିଥିଲେ। ଏହା ସହିତ ଦେଶ ବା ରାଜ୍ୟର ଅର୍ଥନୈତିକ ସ୍ଥିତି ହେଉ କିମ୍ବା ମନୁଷ୍ୟ ସ୍ବାବଲମ୍ବୀ ହେବା ନିମିତ୍ତ ପଶୁଧନ ବିକାଶରେ ଯେଉଁ ପଶୁ ଚିକିତ୍ସକ ମାନେ ଉଦ୍ୟମରତ ଅଛନ୍ତି, ସେମାନେ ନିଶ୍ଚିତ ଧନ୍ୟବାଦର ପାତ୍ର ବୋଲି କହିଥିଲେ।

ସେହିପରି ସଭାପତି ଗୋପାଳଚନ୍ଦ୍ର ନାୟକ ଆଜି ଭଳି ଏକ ମହତ୍ତ୍ବପୂର୍ଣ୍ଣ ଦିବସରେ ପଶୁ ପାଳନକାରୀ ଏବଂ ଡାକ୍ତର ବନ୍ଧୁଙ୍କ ଗହଣରେ ରୋଟାରୀ କ୍ଳବ ବାଣପୁର – ବାଲୁଗାଁ ନିଜକୁ ସାମିଲ କରାଇ ଗୌରାବାନ୍ଵିତ ଅନୁଭବ କରୁଅଛି ବୋଲି କହିଥିଲେ।

ପ୍ରାଣା ଚିକିତ୍ସକ ଡାକ୍ତର ଦେବାଶିଷ ଦାସ ଏବଂ ଡାକ୍ତର ସମାପିକା ମହାପାତ୍ର ଚାଷୀ ମାନଙ୍କ ପାଇଁ ସରକାରଙ୍କ ଥିବା ପ୍ରୋତ୍ସାହନ ତଥା ଅନ୍ୟାନ୍ୟ ସୁବିଧା ଉପରେ ଆଲୋକ ପାତ କରିଥିଲେ।

ଅଗ୍ରଣୀ ଚାଷୀ ଖାରିବନ୍ଧ ଗ୍ରାମର କୃଷ୍ଣଚନ୍ଦ୍ର ରାଉତରାୟ, ପାରିକଂସାରୀ ଗ୍ରାମର ପ୍ରଶନ୍ନ କୁମାର ସାମନ୍ତରାୟ ସେମାନଙ୍କ ଅଭିଜ୍ଞତା ବିଷୟ କହିଥିଲେ।

ଏହି ଅବସରରେ ଉଭୟ ଡାକ୍ତରଙ୍କ ସହିତ ପ୍ରାଣୀଧନ ନିରିକ୍ଷକ ସଂଗ୍ରାମ କେଶରୀ ପାଇକରାୟ ଏବଂ ସହାୟକ ଶଙ୍କର ମହାପାତ୍ର ଓ ତାପସ କୁମାର ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଏବଂ ଉଭୟ ଅଗ୍ରଣୀ ଚାଷୀଙ୍କ ସହିତ ହାଟବରଡିହ ଗ୍ରାମର ଦୂର୍ଗା ଦେବୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।

ଶେଷରେ ସଂପାଦକ ସଚ୍ଚିଦାନନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଳବର ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ ଓ ଧୀରେନ୍ଦ୍ରନାଥ ପାତ୍ରଙ୍କ ସମେତ ସଭ୍ୟ
ସୁନୀଲ କୁମାର ପାତ୍ର, ରବିନ୍ଦ୍ରନାଥ ପ୍ରଧାନ, ହିମାଂଶୁ କୁମାର ପାତ୍ର, ଗଗନ ବିହାରୀ ବେହେରା, ସନ୍ତୋଷ କୁମାର ପାତ୍ର ପ୍ରମୂଖ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଚିଲିକାରେ ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷା ଦେଲେ ୩୩୭୮ ପରୀକ୍ଷାର୍ଥୀ, ୨୩୦ ଅନୁପସ୍ଥିତ

ସୀତାରାମ ଅଗ୍ରୱାଲ

ଚିଲିକା: ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୧୪୦୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ବାଣପୁର ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୧୯୭୮ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବାର ଜଣାପଡିଛି। କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ଅଫଲାଇନ ପରୀକ୍ଷା ହୋଇନଥିଲା। ଦୀର୍ଘ ସମୟ ବ୍ୟବଧାନ ପରେ ଅଫଲାଇନ ପରୀକ୍ଷା ଦେଉଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା।

ପରୀକ୍ଷା କେନ୍ଦ୍ରରେ କୌଣସି ବିଶୃଙ୍ଖଳା ନହେବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଚିଲିକା ବ୍ଲକ ରେ ୧୫୦୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ପ୍ରଥମ ଦିନ ପରୀକ୍ଷାରେ ୧୦୮ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ।

ସେହିପରି ଭାବେ ବାଣପୁର ବ୍ଲକରେ ୨୧୦୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ପ୍ରଥମ ଦିନ ପରୀକ୍ଷାରେ ୧୨୨ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ପରୀକ୍ଷା କେନ୍ଦ୍ର ଗୁଡିକରେ କପି ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ ହୋଇଥିବାର ଚିଲିକା ବିଇଓ ନଳିନୀ କାନ୍ତ ମହାନ୍ତି ଏବଂ ବାଣପୁର ବିଇଓ ସନାତନ ଜାଲି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିଲିକା ଗସ୍ତ କଲେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି: ଦେଖିଲେ ନୌସେନାର ସମରାଭ୍ୟାସ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ଗସ୍ତରେ ଆସି ଭୁବନେଶ୍ୱର ଫେରି ଯାଇଛନ୍ତି ଓଡ଼ିଶାର ବହୁ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି। ଓଟିଡିସି ପକ୍ଷରୁ ୪ ଟି ସ୍ୱତନ୍ତ୍ର ବସରେ ସକାଳୁ ବିଧାନସଭାରୁ ସମସ୍ତେ ଚିଲିକା ଅଭିମୁଖେ ବାହାରିଥିଲେ। ପୂର୍ବାହ୍ନରେ ବଡ଼କୁଳ ପାନ୍ଥନିବାସ ପହଞ୍ଚିବା କ୍ଷଣି ସେଠାରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ଓ ଆଇଏନଏସ ଚିଲିକା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଏହାପରେ ଆଇଏନଏସ ଚିଲିକାର ସ୍ୱତନ୍ତ୍ର ବୋଟରେ ମା’ କାଳିଜାଇଙ୍କ ଦର୍ଶନ ପାଇଁ ଯାଇଥିଲେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନେ। ଦର୍ଶନ ସାରି ଆଇଏନଏସ ଚିଲିକା ବେସ କ୍ୟାମ୍ପରେ ପହଞ୍ଚିଥିଲେ ସମସ୍ତେ। ନୌସେନା ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନୌସେନାରେ ତାଲିମରତ ପ୍ରଶିକ୍ଷାର୍ଥୀଙ୍କ ସହ ସାକ୍ଷାତ କରିଥିଲେ ମନ୍ତ୍ରୀ ବିଧାୟକ ଓ ବାଚସ୍ପତି। ପ୍ରଶିକ୍ଷାର୍ଥୀଙ୍କ ସମରାଭ୍ୟାସ ଦେଖିବା ପରେ ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ଅତିଥିଙ୍କୁ ଉପହାର ପ୍ରଦାନ କରାଯାଇଥିଲା ଏବଂ ବିଦାୟ ଦିଆଯାଇଥିଲା।

ସନ୍ଧ୍ୟାରେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି ଭୁବନେଶ୍ୱର ଫେରିଯାଇଛନ୍ତି। ତେବେ ସେମାନଙ୍କ ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଏସପି ସୁରେଶ କୁମାର ଦାସ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ସମେତ ବହୁ ସରକାରୀ ଏବଂ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ନିର୍ବାଚନ ବେଳେ ନକଲି ଖାଉଟି କାର୍ଡ ଦେଇ ନେଲେ ଭୋଟ, ଜିତିଲା ପରେ ମିଳୁନି ରାସନ ସାମଗ୍ରୀ

ସୀତାରାମ ଅଗ୍ରୱାଲ

ଚିଲିକା: ନିର୍ବାଚନ ପୂର୍ବରୁ ରାସନ କାର୍ଡ ଦେଇ ଭୋଟ ନେଇଥିବା ଅଭିଯୋଗ ହୋଇଛି। କିନ୍ତୁ ନିର୍ବାଚନ ଫଳାଫଳ ପରେ ସେହି ରାସନ କାର୍ଡ ଆଉ କାର୍ଯ୍ୟକ୍ଷମ ହେଉନାହିଁ। ଏବଂ ପ୍ରାର୍ଥୀ ଜିତିବା ପରେ ହିତାଧିକାରୀଙ୍କ ଠାରୁ ଉକ୍ତ କାର୍ଡକୁ ଛଡେଇ ନେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ତେଣୁ ଏହା ନକଲି କାର୍ଡ ଥିଲା ବୋଲି କୁହାଯାଉଛି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତରୁ ଏପରି ସାଙ୍ଘାତିକ ଅଭିଯୋଗ ଆସିଛି। ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଧାକର ମହାପାତ୍ରଙ୍କ ନାମରେ ଏପରି ଅଭିଯୋଗ କରିଛନ୍ତି ବଡପୋଖରୀଆ ପାଟଣା ଗ୍ରାମର ସାଧନା ପ୍ରଧାନ ଓ ଅହଲ୍ୟା ଦେଇ।

ସେମାନଙ୍କ ଅଭିଯୋଗ ମୁତାବକ ନିର୍ବାଚନ ତିନି ମାସ ପୁର୍ବରୁ ସାଧନା ଓ ଅହଲ୍ୟାଙ୍କୁ ସରପଞ୍ଚ ଲିପାଲୀନ ମହାପାତ୍ରଙ୍କ ସ୍ୱାମୀ ସୁଧାକର ଦୁଇ ଗୋଟି ରାସନ କାର୍ଡ ବଣ୍ଟନ ଖାତା ଦେଇଥିଲେ। ଯାହାର ନମ୍ବର ୧୯୦୭୦୫୧୨୨୭୮ ଏବଂ ୧୯୦୭୦୫୧୨୨୭୧ ଥିଲା। ସେହି ଅନୁସାରେ ଡ଼ିସେମ୍ବର ଏବଂ ଜାନୁଆରୀ ମାସରେ ଉପରୋକ୍ତ କାର୍ଡ ଦେଖାଇ ବିନା ଫିଙ୍ଗରପ୍ରିଣ୍ଟରେ ଉକ୍ତ ଦୁଇ ହିତାଧିକାରୀ ଚାଉଳ ନେଇଆସୁଥିଲେ।

କିନ୍ତୁ ନିର୍ବାଚନ ଜିତିଲା ପରେ ସେମାନଙ୍କୁ ତୃତୀୟ ଥର ରାସନ ସାମଗ୍ରୀ ଦେବାକୁ ଯୋଗାଣ ସହାୟକ ରୋକଠୋକ ମନା କରିଦେଇଥିଲେ। ଏବଂ ହିତାଧିକାରୀଙ୍କ ଠାରୁ ଉକ୍ତ ରାସନ ବଣ୍ଟନ କାର୍ଡ ମଧ୍ୟ ନେଇଯାଇଥିଲେ।

ତେବେ ଏ ନେଇ ସେମାନେ ସରପଞ୍ଚଙ୍କ ସ୍ୱାମୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଉକ୍ତ ରାସନ ସାମଗ୍ରୀ ସେ ତାଙ୍କ ହାତରୁ ଦେଉଥିଲେ ଏବଂ ଏବେ ଆଉ ଦେବେନାହିଁ। ଉକ୍ତ ହିତାଧିକାରୀ କହିବା କଥା କେବେଳ ତାଙ୍କ ଗ୍ରାମରେ ପୂର୍ବତନ ସରପଞ୍ଚ ୧୦ ଗୋଟି ଜାଲ ରାସନ କାର୍ଡ ବାଣ୍ଟିଛନ୍ତି। ଯଦି ତଦନ୍ତ ହୁଏ ତେବେ ସାରା ପଞ୍ଚାୟତରେ ଶତାଧିକ ଜାଲ ରାସନ କାର୍ଡ ବାହାରିବ। ଉକ୍ତ କାର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟୋ ଥାଇ ବିଜେଡି ସମର୍ଥିତ ସରପଞ୍ଚ ନକଲି ରାସନ କାର୍ଡ ବାଣ୍ଟିଥିବାର ସେମାନେ ଅଭିଯୋଗ କରିଛନ୍ତି।

ଗତ ୫ ତାରିଖ ଦିନ ଉପରୋକ୍ତ ହିତାଧିକାରୀ ମାନେ ଚିଲିକା ବିଡ଼ିଓଙ୍କ ଉଦ୍ଦେଶ୍ୟରେ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ଏହାର ତଦନ୍ତ ପାଇଁ ଏକ ଅଭିଯୋଗ ପତ୍ର ଦେଇଛନ୍ତି। ତେବେ ଏ ନେଇ ଚିଲିକା ବିଡ଼ିଓ ଡ଼ା ସୁଷମା ବାରିକଙ୍କୁ ପଚାରିବାରୁ ଉକ୍ତ ଘଟଣା ଏଯାବତ ସେ ଜାଣିନଥିବାର କହିଛନ୍ତି। ଚଣ୍ଡେଶ୍ୱର ପଞ୍ଚାୟତ ପିଇଓ ଝରଣା ରଥଙ୍କୁ ପଚାରିବାରୁ କାର୍ଡ ହିସାବରେ ହିତାଧିକାରୀଙ୍କ ଫିଙ୍ଗରପ୍ରିଣ୍ଟ ନେଇ ଆମେ ଚାଉଳ ଦେଉଛୁ ବୋଲି କହିଛନ୍ତି।

ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କାଙ୍କୁ ପଚାରିବାରୁ ସେ ଏହାର ତଦନ୍ତ ଆଜିଠାରୁ ଆରମ୍ଭ କରିବେ ବୋଲି କହିଛନ୍ତି ଏବଂ ପ୍ରାଥମିକ ଅନୁସନ୍ଧାନରେ ଉକ୍ତ ରାସନ କାର୍ଡର ବଣ୍ଟନ ଖାତା ନମ୍ବର ନକଲି ଥିବା କହିଛନ୍ତି। ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ସରପଞ୍ଚଙ୍କ ସ୍ୱାମୀ ସୁଧକାର ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ସଠିକ ଉତ୍ତର ଦେଇପାରିନାହାନ୍ତି।

ତେବେ ଉକ୍ତ ଘଟଣା ପ୍ରଘଟ ହେଲାପରେ ସାରା ପଞ୍ଚାୟତରେ ହଇଚଇ ସୃଷ୍ଟି ହୋଇଛି ଏବଂ ଜନଆକ୍ରୋଶ ବଢ଼ିବାରେ ଲାଗିଛି। ସଦ୍ୟ ତଥ୍ୟ ଅନୁଯାୟୀ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ୮ ୱାର୍ଡ ମେମ୍ବର ଏବଂ ଜନସାଧାରଣ ପିଇଓ, ଯୋଗାଣ ସହାୟକଙ୍କ ନିଲମ୍ବନ ଦାବି କରିଛନ୍ତି ଏବଂ ଜାଲ ରାସନ କାର୍ଡ ତିଆରିରେ ଯିଏ ଯିଏ ସାମିଲ ଅଛନ୍ତି ସେମାନଙ୍କୁ ବିରୁଦ୍ଧରେ ଆଇପିସି ଦଫା ୪୨୦ ମୁତାବକ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ ବୋଲି ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଯଦି ସାତ ଦିନ ମଧ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ପ୍ରତିକାର କରାନଯାଏ, ତେବେ ନାଏବ ସରପଞ୍ଚ, ୮ ୱାର୍ଡ ମେମ୍ବର ଏବଂ ଜନସାଧାରଣ ମାନେ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଧରଣା ଦେବେ ଏବଂ ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ବଡବିଲ ଯାଉଥିବା ମାଛ ବୋଝେଇ ପିକ୍ ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ: ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ

କେଉଁଝର: କେଉଁଝର ଜିଲା ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ରିମୁଳି ନିକଟରେ ଏକ ବଡ ସଡକ ଦୁର୍ଘଟଣା ଘଟିଯାଇଛି। ଟ୍ରକ୍ ପଛରେ ପିଟି ହୋଇ ଗୋଟିଏ ମାଛ ବୋଝେଇ ପିକ୍ ଅପ୍ ଭ୍ୟାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକଙ୍କ ନାମ କୈଳାସ ଚନ୍ଦ୍ର ସାହୁ (୩୨) ଏବଂ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଦାଣ୍ଡ ସାହିରେ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ଟାଙ୍ଗୀ ଥାନା କାଳୁପଡା ଘାଟରୁ ୨ ରୁ ୩ ଜଣ ମାଛ ବେପାରୀଙ୍କ ମାଛ ବୋଝେଇ କରି ଏକ ପିକ୍ ଅପ୍ ଭ୍ୟାନ ବଡବିଲକୁ ଯାଉଥିଲା। ଭୋର୍ ସମୟରେ ପିକ୍ ଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡରେ ବ୍ରେକ୍ ଡାଉନ୍ ହୋଇ ଛିଡା ହୋଇ ଥିବା ଏକ ଟ୍ରକ୍ ପଛେରେ ପିଟି ହୋଇଥିଲା। ଦୁର୍ଘଟଣ‍ାର ତିବ୍ରତା ଅଧିକ ଥିବାରୁ ଗାଡିଟି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ଘଟଣା ସ୍ଥଳରେ ପିକ୍ ଅପ୍ ଚାଳକ କୈଳାସ ଚନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଥିଲା।

ତେବେ ଦୁର୍ଘଟଣାଗ୍ରସ୍ତ ଗାଡିରୁ ସ୍ଥାନୀୟ ଲୋକେ ସମସ୍ତ ମାଛ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍ ମାଛର ଆନୁମାନିକ ମୁଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି। ସ୍ଥାନୀୟ କେଉଁଝର ପୋଲିସ୍ ଘଟଣା ସ୍ଥଳରେ ପହଂଚି ଗାଡି ଜବତ କରିବା ସହ ଶବ ଜବତ କରି ତଦନ୍ତ ଚଳାଇଛି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ମାଛ ବ୍ୟବସାୟୀ କମିଟି ଗଭୀର ଶୋକ ବ୍ୟକ୍ତ କରିଛି।