ଚିଲିକା: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସହଯୋଗରେ ଦୁବାଇରୁ ଫେରିଲା ଶ୍ରମିକଙ୍କ ମୃତ ଦେହ

Published: Oct 15, 2023, 6:56 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବିଧାନସଭା ଅନ୍ତର୍ଗତ ସିଙ୍ଗେଶ୍ୱର ପଞ୍ଚାୟତ ସ୍ଥିତ ପାଟ୍ଟସାଣିପୁର ଗ୍ରାମର ବାସିନ୍ଦା ଲକ୍ଷ୍ମୀଧର ସାହୁ ହୃଦଘାତ ଜନିତ ସମସ୍ୟାରେ ପୀଡିତ ହୋଇ ଗତ ୧୦ ତାରିଖ ଦିନ ଦୁବାଇରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପରିବାର ଲୋକ ଏହି ଖବର ଶୁଣି ମର୍ମାହତ ହୋଇଥିଲେ।

ତେବେ ଲକ୍ଷ୍ମୀଧରଙ୍କ ପରିବାରବର୍ଗ ଅତ୍ୟନ୍ତ ଗରିବ ଥିବାରୁ ଦୁବାଇରୁ ତାଙ୍କ ମର ଶରୀର ନିଜ ଗ୍ରାମକୁ ଆଣିବା ପାଇଁ ତାଙ୍କ ପରିବାରବର୍ଗଙ୍କ ପାଖେ ଆବଶ୍ୟକ ସାଧନ ନ ଥିଲା। ଏହି ବିଷୟରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଜାଣିବା ପରେ, ସେ ବିଦେଶ ମନ୍ତ୍ରୀ ଏସ. ଜୟ ଶଙ୍କରଙ୍କ ସହିତ ଯୋଗାଯୋଗ କରି ଲକ୍ଷ୍ମୀଧରଙ୍କ ଶବ ଦୁବାଇରୁ ଚିଲିକା ଆଣିବାର ସମସ୍ତ ବ୍ୟବସ୍ଥା କରିଥିଲେ।

ଗତ କାଲି ବିଳମ୍ବିତ ରାତିରେ ଲକ୍ଷ୍ମୀଧରଙ୍କ ଶବ ଚିଲିକାରେ ପହଂଚିଲା ପରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି ସମ୍ବିତ ପାତ୍ର। ସମ୍ବିତଙ୍କ ଉକ୍ତ କାର୍ଯ୍ୟକୁ ଚିଲିକାବାସୀ ପ୍ରଶଂସା କରିଥିବା ବେଳେ, ସେ ସଦାସର୍ବଦା ଚିଲିକା ବାସୀଙ୍କ ସେବା ପାଇଁ ସମର୍ପିତ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Related posts