ବାଲୁଗାଁ: ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ

Published: Nov 15, 2023, 7:01 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମରାଳ ମାଳିନୀ ନିଳାମ୍ବୁ ଚିଲିକା କୂଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର କଳା, ସଂସ୍କୃତି, ଭାସ୍କର୍ଯ୍ୟ,ଐତିହ୍ୟ ଓ କଳିଙ୍ଗ ବୀର ସାଧବ ପୁଅମାନଙ୍କ ମହାନ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣୀୟ କରିବାପାଇଁ ଆସନ୍ତା ୨୬ ତାରିଖରେ ବୋଇତ ବନ୍ଦାଣ ମହୋତ୍ସବ ସୁରୁଖୁରୁରେ ପାଳନ କରିବା ସହ ସଫଳ ରୂପାୟନ ପାଇଁ ଆଲୋଚନା କରାଯାଇଥିଲା।

ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ତତ୍ୱାଵଧାନରେ ପୁର୍ନବାର ଚଳିତ ବର୍ଷ ବହୁ ଧୁମଧାମରେ ବୋଇତ ବନ୍ଦାଣ ମହୋତ୍ସବ ପାଳିତ ହେବା ନେଇ ସର୍ବ ସନମତି ପ୍ରକାଶ କରିଛନ୍ତି।ଏଥିସହିତ ମସ୍ୟଜୀବୀ ସଙ୍ଘ ଏବଂ ଏନଏସି ପକ୍ଷରୁ ମିଳିତ ଭାବେ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜନ କରାଯାଉଥିବା ବେଳେ ବିଭିନ୍ନ ମହଲରୁ ସହଯୋଗ କରିବାପାଇଁ ଅଧ୍ୟକ୍ଷା ଶ୍ରୀମତୀ ପାଇକରାୟ ଅନୁରୋଧ କରିଛନ୍ତି।

ଅନୁଷ୍ଠିତ ବୈଠକରେ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ, ଏନଏସି ବିଜେଡି ସଭାପତି ଜୟନ୍ତ ସ୍ବାଇଁ, ଏମପି ପ୍ରତିନିଧି ଅକ୍ଷୟ ରଣସିଂହ, ବଣିକ ସଙ୍ଘ ସଭାପତି ରବି ନାରାୟଣ ନାୟକ, ମୋଟର ବୋଟ ସଙ୍ଘ ସଭାପତି ଲକ୍ଷ୍ମୀଧର ତରାଇ ଓ ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ, ସମାଜସେବୀ, ପୋଲିସ ପ୍ରଶାସନ, ଅଗ୍ନିଶମ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ ଓ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ।

Related posts