Categories
ଆଞ୍ଚଳିକ

ବାଲୁଗାଁ: ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମରାଳ ମାଳିନୀ ନିଳାମ୍ବୁ ଚିଲିକା କୂଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର କଳା, ସଂସ୍କୃତି, ଭାସ୍କର୍ଯ୍ୟ,ଐତିହ୍ୟ ଓ କଳିଙ୍ଗ ବୀର ସାଧବ ପୁଅମାନଙ୍କ ମହାନ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣୀୟ କରିବାପାଇଁ ଆସନ୍ତା ୨୬ ତାରିଖରେ ବୋଇତ ବନ୍ଦାଣ ମହୋତ୍ସବ ସୁରୁଖୁରୁରେ ପାଳନ କରିବା ସହ ସଫଳ ରୂପାୟନ ପାଇଁ ଆଲୋଚନା କରାଯାଇଥିଲା।

ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ତତ୍ୱାଵଧାନରେ ପୁର୍ନବାର ଚଳିତ ବର୍ଷ ବହୁ ଧୁମଧାମରେ ବୋଇତ ବନ୍ଦାଣ ମହୋତ୍ସବ ପାଳିତ ହେବା ନେଇ ସର୍ବ ସନମତି ପ୍ରକାଶ କରିଛନ୍ତି।ଏଥିସହିତ ମସ୍ୟଜୀବୀ ସଙ୍ଘ ଏବଂ ଏନଏସି ପକ୍ଷରୁ ମିଳିତ ଭାବେ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜନ କରାଯାଉଥିବା ବେଳେ ବିଭିନ୍ନ ମହଲରୁ ସହଯୋଗ କରିବାପାଇଁ ଅଧ୍ୟକ୍ଷା ଶ୍ରୀମତୀ ପାଇକରାୟ ଅନୁରୋଧ କରିଛନ୍ତି।

ଅନୁଷ୍ଠିତ ବୈଠକରେ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ, ଏନଏସି ବିଜେଡି ସଭାପତି ଜୟନ୍ତ ସ୍ବାଇଁ, ଏମପି ପ୍ରତିନିଧି ଅକ୍ଷୟ ରଣସିଂହ, ବଣିକ ସଙ୍ଘ ସଭାପତି ରବି ନାରାୟଣ ନାୟକ, ମୋଟର ବୋଟ ସଙ୍ଘ ସଭାପତି ଲକ୍ଷ୍ମୀଧର ତରାଇ ଓ ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ, ସମାଜସେବୀ, ପୋଲିସ ପ୍ରଶାସନ, ଅଗ୍ନିଶମ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ ଓ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ସ୍ଵଚ୍ଛତା ଆଡ଼କୁ ପାଦେ: କଲେଜ ପରିସର ସଫା କଲେ ବାଲୁଗାଁ ଏନଏସି ଅଧ୍ୟାକ୍ଷାଙ୍କ ପ୍ରତିନିଧି ସନ୍ତୋଷ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଅନୁଷ୍ଠିତ ହୋଇଥିବା ଚିଲିକା ବୋଇତ ବନ୍ଦାଣ ମହୋତ୍ସବରେ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ। ଫଳରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ।

ତେବେ ମହୋତ୍ସବର ପରିସମାପ୍ତି ପରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା କୁଢ଼ କୁଢ଼ ଅଳିଆ ତଥା ଅଦରକାରୀ ବସ୍ତୁ। ଏତେ ବଡ଼ କାର୍ଯ୍ୟକ୍ରମର ସମାପ୍ତି ପରେ ପଡିଆରେ ଅଦରକାରୀ ବସ୍ତୁ ପଡିବା ସ୍ୱାଭାବିକ। ତେବେ ଏହା ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟଙ୍କ ନଜରରେ ପଡିବା ମାତ୍ରେ ସେ ଏହାର ପ୍ରତିକାର ଦିଗରେ କାମ ଆରମ୍ଭ କରିଦେଇଥିଲେ। ନିଜେ ସନ୍ତୋଷ ତାଙ୍କ କିଛି ସାଥିଙ୍କୁ ନେଇ ସାରା କଲେଜ ପଡିଆକୁ ସଫା କରିଥିବାର ଜଣାପଡିଛି। ଯାହାକି ସ୍ଵଚ୍ଛତାର ବାର୍ତ୍ତା ବହନ କରିଛି।

ସନ୍ତୋଷଙ୍କ କହିବା କଥା ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ନିଜ ଅଞ୍ଚଳକୁ ସଫା ରଖିବା ଦାଇତ୍ୱ ତାଙ୍କର। ତେଣୁ କାହା ସାହାଯ୍ୟକୁ ଆଶା ନକରି ନିଜେ ଆୟୋଜନ ସ୍ଥଳକୁ ସଫା କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ଓ ଏଥିରେ ସଫଳ ବି ହେଲେ। ସନ୍ତୋଷଙ୍କ ଉକ୍ତ କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ଚିଲିକା ବୋଇତ ବନ୍ଦାଣ ମହୋତ୍ସବ: ମଞ୍ଚକୁ ରଙ୍ଗୀନ କରିବେ ଓଲିଉଡ ଅଭିନେତ୍ରୀ ଏବଂ ଅଭିନେତା

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ବହୁ ପ୍ରସିଦ୍ଧ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ସ୍ଥଗିତ ଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହା ଧୁମଧାମରେ ପାଳନ ହେବ।  ବାଲୁଗାଁ ଏନଏସି ର ନବ ନିର୍ବାଚିତ ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ଉଦ୍ୟମକ୍ରମେ ଏହାକୁ ଆସନ୍ତାକାଲି ବୃହତ ଆକାରରେ ପାଳନ କରାଯିବ।

ତେବେ ଆସନ୍ତାକାଲି ଅପରାହ୍ନ ୪ ଘଟିକାରୁ ଉକ୍ତ ମହୋତ୍ସବର ଶୁଭାରମ୍ଭ ହେଉଥିବା ବେଳେ ଏହି ମହୋତ୍ସବରେ ସାଂସଦ, ରାଜ୍ୟର ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏତଦବ୍ୟତୀତ ଚଳିତ ବର୍ଷ ବାଲୁଗାଁ ବୋଇତ ବନ୍ଦାଣ ମହୋତ୍ସବରେ ଓଡ଼ିଶାର ବହୁ ଖ୍ୟାତନାମା ସିନେ ତାରକା, ହାସ୍ୟ ଅଭିନେତା ଏବଂ କଣ୍ଠଶିଳ୍ପୀ ଯୋଗଦେବେ ବୋଲି ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ମହୋତ୍ସବରେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ଯୋଗ ଦେଉଥିବା ବେଳେ ହାସ୍ୟ ଅଭିନେତାମାନଙ୍କ ମଧ୍ୟରେ ଶଙ୍କର, ରାଜୁ ଦାସ, ସୁନୀଲ, ଚିତ, ଆଲେକ୍ସ, ଚାନ୍ଦିନୀ ପ୍ରମୁଖ ଯୋଗ ଦେଉଛନ୍ତି। ସେହିଭଳି କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ସ୍ମିତା ପଣ୍ଡା, ଅଙ୍କିତା ପାତ୍ର, ଆଙ୍କର ବବୁଲ ଏବଂ ଗୁନୁ ବାବା ପ୍ରମୁଖ ଯୋଗ ଦେଇ ମହୋତ୍ସବକୁ ଅଧିକ ରଙ୍ଗୀନ କରିବେ।