ଉମାମହେଶ୍ବର ଦେବଙ୍କ ପୀଠରେ ଶମ୍ଭୁ ମିଳନ, ଅଧ ରାସ୍ତାରୁ ଫେରିଲେ ସିଂହନାଥ ଦେବ

Published: Apr 16, 2024, 11:56 am IST

ବାଲୁଗାଁ: ସୋମବାର ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ବର ଦେବଙ୍କ ପୀଠରେ ଷୋହଳତମ ଅଷ୍ଟଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ବ୍ୟାପି ମହାବିଷୁବ ସଂକ୍ରାନ୍ତି ଅବସରରେ ରବିବାର ଦିନ ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ବିଳମ୍ବିତ ରାତ୍ରରେ ବାଜା, ରୋଷଣୀ, ପାଟପଟୁଆରରେ ଆଖପାଖ ଅଞ୍ଚଳର ୧୬ ଦେବ ଦେବୀଙ୍କ ବିଜେ ପ୍ରତିମା ବିମାନରେ ଆଗମନ ହୋଇ ନିଜ ନିଜ ଆସ୍ଥାନରେ ବିରାଜମାନ ହୋଇଥିଲେ। ମାତ୍ର ମେଳଣ ପଡିଆକୁ ବିମାନ ଯିବା ସମୟରେ କୌଣସି ବିବାଦ ନେଇ ଉମାମହେଶ୍ବର ରାସ୍ତାରେ ବିଶୃଙ୍ଖଳା ଦେଖାଦେଇଥିଲା। ଯାହାଫଳରେ ସିଙ୍ଗେଶ୍ୱର ବିଜେ ସିଂହନାଥ ଦେବ ଅଧ ରାସ୍ତାରୁ ପ୍ରତ୍ୟାବର୍ତ୍ତନ କରିଥିବା ଦେଖିବାକୁ ମିଳିଥିଲା।

ପ୍ରାତଃ କାଳରେ ସକାଳ ଭୋଗ, ମଧ୍ୟାହ୍ନରେ ଭୋଗ ଲାଗି କରାଯାଇ ଅପରାହ୍ନରେ ହୋମ ପୂର୍ଣ୍ଣାହୁତି ହୋଇଥିଲା। ପରେ ସମସ୍ତ ବିଜେ ପ୍ରତିମାଙ୍କ ନିକଟରେ ମେଳଣ ଭୋଗ ଲାଗି କରି ମେଳଣ ପର୍ଵ ହୋଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଦେବ ଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।

ଉକ୍ତ ମେଳଣ ପର୍ବରେ ଶ୍ରୀ ଶ୍ରୀ ଉମାମହେଶ୍ବର ଦେବଙ୍କ ନିମନ୍ତ୍ରଣ କ୍ରମେ ଗବପଦର ବିଜେ ଶ୍ରୀ ଶ୍ରୀ ରାମେଶ୍ୱର ଦେବ, ବାଙ୍କନିଧି ଦେବ, ନିମିକ୍ଷେତା ବିଜେ ନୀଳକଣ୍ଠେଶ୍ୱର ଦେବ, ବଡ଼କୁଳ ବିଜେ ଚନ୍ଦ୍ରଶେଖର ଦେବ, ଦୋଳମୁଣ୍ଡାଇ ବିଜେ ବାଲୁଙ୍କେଶ୍ୱର ଦେବ, ମଙ୍ଗରାଜପୁର ବିଜେ ଗତିଶ୍ୱର ଦେବ, ରଘୁନାଥପୁର ବିଜେ ଗୁପ୍ତେଶ୍ଵର ଦେବ, ସାମନ୍ତରାପୁର ବିଜେ ଦଧିବାମନ ଦେବ, ପାଟଣା ସାହି ବିଜେ ଗୋପାଳଜିଉ ଦେବ, ବାଲୁଗାଁ ବିଜେ ରଘୁନାଥ ଦେବ, କୁଲାକୁଣ୍ଢେଇ ବିଜେ ରାଧା ଗୋବିନ୍ଦ ଦେବ, ପାଟଣା ସାହି ମା ଜାଗୁଳାଇ, ଗୁଣ୍ଡୁରିପୁରୁ ମା ଜାଗୁଳାଇ, ବାଲୁଗାଁ ବଜାର ମା ଚଣ୍ଡୀ ଠାକୁରାଣୀଙ୍କ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ।

ମେଳଣ ପର୍ଵ ସୁରୁଖୁରୁରେ ହୋଇଥିବା ବେଳେ ଦର୍ଶକଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ଟ୍ରଷ୍ଟି,ମନ୍ଦିର କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।

Related posts