Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଳମ୍ବିତ ରାତ୍ରିରେ ଟ୍ରକ ଚାଳକଙ୍କ ଠାରୁ ଟଙ୍କା ଲୁଟ୍ ଅଭିଯୋଗରେ ସାମ୍ବାଦିକ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଛିନତାଇ ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଜନୈକ ସାମ୍ବାଦିକ ଜଣକ ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନା ନିକଟରେ ଏକ ମାଲ ବୋଝେଇ ଟ୍ରକ ଚାଳକଙ୍କୁ ସାମ୍ବାଦିକ ପରିଚୟ ଦେଇ ଜୋର ଜବରଦସ୍ତ ଗାଡ଼ି କାଗଜପତ୍ର ମାଗିବା ସହ ବଟି ମାଗିଥିଲେ ଏବଂ ଟ୍ରକ ଚାଳକ ଏଥିରେ ଅମଙ୍ଗ ହେବାରୁ ତାଙ୍କ ନିକଟରୁ ଟଙ୍କା ଲୁଟିନେଇଥିଲେ।

ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସ୍ଥାନୀୟ ଜନସାଧାରଣ ଓ ପୋଲିସକୁ ମଧ୍ୟ ସାମ୍ବାଦିକଜଣଙ୍କ ଦୁର୍ବ୍ୟବହାର କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ସାମ୍ବାଦିକଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଆଇପିସି ଦଫା ୩୯୨, କେସ ନମ୍ବର ୩୪୪/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ପୋଲିସର ତ୍ଵରିତ ପଦକ୍ଷେପ ଯୋଗୁଁ ୩ ଲକ୍ଷରୁ ଊର୍ଦ୍ଧ୍ଵ ନିଖୋଜ ସାମଗ୍ରୀକୁ ଫେରିପାଇଲେ ଟ୍ରକ ଚାଳକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ୍ ର ଏକ ପ୍ରଶଂସନୀୟ କାର୍ଯ୍ୟ ଦେଖିବାକୁ ମିଳିଛି।  ତ୍ଵରିତ ପଦକ୍ଷେପ ଯୋଗୁଁ ଜାତୀୟ ରାଜପଥରେ ଟ୍ରକ୍ ରୁ ପଡି ଯାଇଥିବା ୩ ଲକ୍ଷରୁ ଅଧିକ ଟଙ୍କାର ଲୁଗା ସାମଗ୍ରୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଛି। ପରେ ଉକ୍ତ ଲୁଗା ସାମଗ୍ରୀକୁ ଉଦ୍ଧାର କରି ଟ୍ରକ୍ ଚାଳକଙ୍କୁ ପୋଲିସ ହସ୍ତାନ୍ତର କରିଛି। ଏ ନେଇ ଟାଙ୍ଗୀ ପୋଲିସ୍ କୁ ଟ୍ରକ୍ ଚାଳକ ଧନ୍ୟବାଦ ଜଣାଇଛି।

ସୂଚନା ଅନୁଯାୟୀ, ରଣପୁର ଅଂଚଳର ଜଣେ ଡ୍ରାଇଭର ଆଇଚର ଟ୍ରକ୍ ରେ ସାମଗ୍ରୀ ଭର୍ତ୍ତି କରି ଇଛାପୁରରୁ ଭୁବନେଶ୍ୱର ବାହାରିଥିଲା। ୧୬ ନଂ ଜାତୀୟ ରାଜପଥ ରେ ଆଇଚର ଟ୍ରକ୍ ଆସିବା ବେଳେ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କୋଚିଲା ଛକ ନିକଟରେ ଟ୍ରକ୍ ରୁ ୩ ଟି ଲୁଗା ପେଟି ଖସି ପଡିଥିଲା। ଟ୍ରକ୍ ରୁ ଲୁଗା ସାମଗ୍ରୀ ଖସିବା ପରେ ପଛରେ ଆସୁଥିବା ଅନ୍ୟ ଗାଡି ଚାଳକମାନେ ସମ୍ପୃକ୍ତ ଗାଡି ଡ୍ରାଇଭରକୁ ସୂଚନା ଦେଇଥିଲେ। ଏହାପରେ ଆଇଚର ଟ୍ରକ୍ ଡ୍ରାଇଭର ଚିଲିକା ଡ୍ରାଇଭର ମହାସଂଘକୁ ଯୋଗାଯୋଗ କରିଥିଲେ।

ଚିଲିକା ଡ୍ରାଇଭର ମହାସଂଘ ଟାଙ୍ଗି ପୋଲିସର ହୋଇଥିଲା ଦ୍ୱାରସ୍ଥ। ତୁରନ୍ତ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ୨ ଟି ସହାୟତରେ ସମ୍ପୃକ୍ତ ଅଂଚଳକୁ କରିଥିଲେ ନାକା ବନ୍ଦି। ପରେ ଲୁଗା ଗାଣ୍ଠିକୁ ପୋଲିସ୍ ଉଦ୍ଧାର କରିଥିଲା।

ଉଦ୍ଧାର ହୋଇଥିବା ଲୁଗା ପଟାର ମୁଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି। ସମ୍ପୃକ୍ତ ଗାଡି ଚାଳକଙ୍କୁ ଟାଙ୍ଗୀ ଥାନାରେ ସମସ୍ତ ଲୁଗା ପଟା ହସ୍ତାନ୍ତର କରାଯାଇଛି। ଏନେଇ ଓଡ଼ିଶା ଡ୍ରାଇଭର ମହାସଙ୍ଘ ଟାଙ୍ଗୀ ପୋଲିସକୁ ଧନ୍ୟବାଦ ଜଣାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସୁବୁଦ୍ଧିପାଟଣା ଛକରେ ସଡକ ଦୁର୍ଘଟଣା, ଗୁରୁତର ଅବସ୍ଥାରେ ଟ୍ରକ ଚାଳକଙ୍କୁ କରାଗଲା ଉଦ୍ଧାର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଟ୍ରକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ ରାଉରକେଲା କଇଡ଼ାରୁ ଆଇରନ ନେଇ ଏକ ଟ୍ରକ (ଓଡ଼ି-୦୯-ସି-୪୫୧୫) ବ୍ରହ୍ମପୁର ଗୋପାଳପୁର ଅଭିମୁଖେ ଯାଉଥିଲା। ସୁବୁଦ୍ଧିପାଟଣା ଛକ ନିକଟରେ ଟ୍ରକଟିର ଚକା ଫାଟିଯିବାରୁ ଟ୍ରକ ଚାଳକ ଗାଡିକୁ ସେଠାରେ ଠିଆ କରିଥିଲେ। ତେବେ ଭୋର ୫ ଘଟିକା ସମୟରେ ଭୁବନେଶ୍ୱର ଆଡୁ ଆନ୍ଧ୍ର ପ୍ରଦେଶ ଯାଉଥିବା ଏକ ବାଲି ବୋଝେଇ ଟ୍ରକଟି (ଏପି-୩୧-ଟିଜି-୯୫୬୯) ଭାରସାମ୍ୟ ହରାଇ ପୂର୍ବରୁ ଛିଡା ହୋଇଥିବା ଆଇରନ ବୋଝେଇ ଟ୍ରକଟିକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ବାଲି ବୋଝେଇ ଟ୍ରକ ଚାଳକ ଟ୍ରକ ମଧ୍ୟରେ ଚାପି ହୋଇ ରହିଥିଲେ।

ଖବର ପାଇ ଦୁର୍ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକ ଚାଳକଙ୍କୁ ଗ୍ୟାସ କଟର ଜରିଆରେ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି କରିଥିଲେ। ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ମଧ୍ୟ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗାଡି ଚାଳକଙ୍କୁ ଉଦ୍ଧାର କରିବାରେ ଲାଗିପଡିଥିଲେ। ତେଣୁ ବହୁ ଚେଷ୍ଟା ପରେ ଚାଳକଙ୍କୁ ଗାଡି ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ଏହାପରେ ନାଭାଲ ଫାଣ୍ଡି ପୋଲିସ ଜାତୀୟ ରାଜପଥରୁ ଟ୍ରାଫିକ କ୍ଳିଅର କରୁଥିବାର ଦେଖାଯାଇଛି।