Categories
ଆଞ୍ଚଳିକ

ବାଣପୁରରେ ରୋଡ ରୋମିଓଙ୍କ ଆତଙ୍କରାଜ, ଟାର୍ଗେଟରେ ଟ୍ୟୁସନ ଛାତ୍ରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ଦିନକୁ ଦିନ ବଢ଼ିଚାଲିଛି ଅସାମାଜିକ ଯୁବକ ତଥା ରୋଡ ରୋମିଓ ଏବଂ ବାଇକ ଚାଳକଙ୍କ ପ୍ରାଦୁର୍ଭାବ। ଉକ୍ତ ଯୁବକ ମାନେ ବିଶେଷ କରି ଘରୋଇ ଟ୍ୟୁସନ ପାଇଁ ଆସୁଥିବା ନାବାଳିକା ଛାତ୍ରୀମାନଙ୍କୁ ଟାର୍ଗେଟ କରୁଛନ୍ତି। ଏମାନେ ସହରର ବଜାର ସାହି, ତଳ ସାହି, ଭଗବତୀ ସାହି, ବିଷରପାଟଣା, କଲେଜ ଛକ, ପଲଟନ ପଡିଆ ଆଦି ଅଞ୍ଚଳରେ ଆତଙ୍କରାଜ ମଚାଉଛନ୍ତି।

ଉକ୍ତ ଅଞ୍ଚଳରେ ଏକାଧିକ ଘରୋଇ ଟ୍ୟୁସନ ଥିବା ଯୋଗୁଁ ଅସାମାଜିକ ଯୁବକଙ୍କ ଆଡ୍ଡା ସ୍ଥଳି ପାଲଟିଛି ଉକ୍ତ ଅଞ୍ଚଳ। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଟ୍ୟୁସନ ଛୁଟି ହେବା ସମୟରେ ପଇଁତରା ମାରନ୍ତି ଏହି ଯୁବକମାନେ। ଏପରିକି ଏମାନେ ବାଇକ ଷ୍ଟଣ୍ଟ ମଧ୍ୟ ଦେଖାଇବାକୁ ପଛାନ୍ତି ନାହିଁ। ବିକଟାଳ ଶବ୍ଦରେ ଦୃତ ଗତିରେ ବାଇକ ଚାଳନା କରୁଛନ୍ତି। ଫଳରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ନାବାଳିକା ଛାତ୍ରୀ ମାନଙ୍କୁ ପିଛା କରିବା ସହ ସେମାନଙ୍କ ସମ୍ମୁଖରେ କ୍ଷିପ୍ର ଗତିରେ ବାଇକ ଚାଳନା କରୁଛନ୍ତି। ତେବେ ଲୋକ ଲଜ୍ୟା ଭୟରେ ଛାତ୍ରୀ ମାନେ ଉକ୍ତ ଘଟଣା ପରିବାରବର୍ଗଙ୍କୁ କହୁଥିବା ବେଳେ ପୋଲିସ ନିକଟରେ ଅଭିଯୋଗ କରୁନାହାନ୍ତି। ତେବେ ଏହା ନିତିଦିନର ଘଟଣା ପାଲଟିଗଲାଣି ବାଣପୁର ସହରାଞ୍ଚଳରେ।

ଗତକାଲି ରାତିରେ ଏହାକୁ ନେଇ ଏକ ତୁମୁଳକାଣ୍ଡ ଘଟିଥିଲା ବାଣପୁର ବଜାର ସାହିରେ। ଟ୍ୟୁସନ ଛୁଟି ହେବା ସମୟରେ ଜନୈକ ନାବାଳିକା ଛାତ୍ରୀଙ୍କ ସାଇକେଲକୁ ଜଣେ ଯୁବକ ଜାଣିଶୁଣି ବାଇକରେ ଧକ୍କା ଦେଇଥିବାର ନାବାଳିକାଙ୍କ ଗ୍ରାମବାସୀ କହିଛନ୍ତି। ଫଳରେ ନାବାଳିକାଙ୍କ ପିତା ଓ ଯୁବକଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ଏପରିକି ହାତାହାତି ମଧ୍ୟ ହୋଇଥିବାର ଅଞ୍ଚଳବାସି କହିଛନ୍ତି।

ତେବେ ଏପରି ଘଟଣା ନିତିଦିନ ଘଟୁଥିବା ବେଳେ ରୋଡ ରୋମିଓଙ୍କୁ ସାବଡ଼ କରିବା ପାଇଁ ବାଣପୁର ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରୁ ବୋଲି ଦାବି ଜୋର ଧରିଛି। କିଛି ମାସ ତଳେ ବାଲୁଗାଁ ପୂର୍ବତନ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ଉଦ୍ୟମକ୍ରମେ ରୋଡ ରୋମିଓଙ୍କୁ ସାବଡ଼ କରିବା ପାଇଁ ଏକ ଅଭିଯାନ ବାଣପୁର ବାଲୁଗାଁ ଅଞ୍ଚଳରେ ଆରମ୍ଭ କରାଯାଇଥିଲା ଯାହାଦ୍ୱାରା ପୋଲିସ ଗୋଡ଼ାଇ ଗୋଡ଼ାଇ ଉକ୍ତ ଅସାମାଜିକ ଯୁବକଙ୍କୁ ଧରିବା ସହ ସେମାନଙ୍କ ବାଇକ ସିଜ କରି ମାମଲା ମଧ୍ୟ ରୁଜୁ କରିଥିଲା।

ତେବେ ଉକ୍ତ ଅଭିଯାନ ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳରେ ପୁନଶ୍ଚ ଆରମ୍ଭ କରିବା ପାଇଁ ନୂତନ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ‘ସମୀକ୍ଷା’ ଜରିଆରେ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ। ଅନୁରୂପ ଭାବେ ବିକଟାଳ ଶବ୍ଦ ଓ କ୍ଷିପ୍ର ଗତିରେ ବାଇକ ଚାଳନା ଦ୍ୱାରା ବରିଷ୍ଠ ନାଗରିକ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ଉକ୍ତ ବାଇକ ଚାଳକ ଙ୍କ ମଧ୍ୟରେ ୯୦ ପ୍ରତିଶତ ନାବାଳକ ଓ ଲାଇସେନ୍ସ ବିହୀନ। ଆଜିର ସମୟରେ ଯଦି ଜଣେ ଯୁବତୀ ଅବା ଛାତ୍ରୀ ନିର୍ଡରରେ ସନ୍ଧ୍ୟାରେ ଟ୍ୟୁସନ ରୁ ନିଜ ଘରକୁ ଯାଇପାରିବନି ତେବେ ଆମ ବ୍ୟବସ୍ଥାକୁ ସୁଧାରିବା ଅପରିହାର୍ଯ୍ୟ ହୋଇପଡିଛି। ବାଲୁଗାଁ ଏସଡିପିଓ ଏବଂ ବାଣପୁର ନୂତନ ଆଇଆଇସି ରମେଶ କୁମାର ଦେବତାଙ୍କୁ ଉକ୍ତ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବାଣପୁର ବାସି ନିବେଦନ କରିଛନ୍ତି।