Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ପୁଣି ଚିନ୍ତା ବଢାଇଲା କରୋନା ଭୂତାଣୁର ନୂଆ ପ୍ରତିରୂପ: ଉଚ୍ଚସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ବିଶ୍ୱସ୍ତରରେ କରୋନା ଭୂତାଣୁର କେତେକ ନୂଆ ପ୍ରତିରୂପ ଚିହ୍ନଟ ହେବାକୁ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ବିଶ୍ୱସ୍ତରରେ ଏବଂ ଭାରତରେ ବର୍ତ୍ତମାନର କୋଭିଡ ସ୍ଥିତି, ସଂକ୍ରମିତ ହେଉଥିବା ନୂଆ କରୋନା ଭୂତାଣୁ ପ୍ରତିରୂପ ଏବଂ ଜନ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଆଦି ବିଷୟ ଏହି ବୈଠକରେ ସମୀକ୍ଷା କରାଯାଇଛି।

ଉଚ୍ଚ ସ୍ତରୀୟ ବୈଠକରେ ନୀତି ଆୟୋଗ ସଦସ୍ୟ ଡକ୍ଟର ବିନୋଦ ପଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଅମିତ ଖାରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ସୁଧାଂଶୁ ପନ୍ତ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବେହଲ, ବାୟୋଟେକ୍ନୋଲୋଜି ବିଭାଗ ସଚିବ ରାଜେଶ ଏସ. ଗୋଖଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପୂଣ୍ୟ ସଲିଳା ଶ୍ରୀବାସ୍ତବ ପ୍ରମୁଖ ଯୋଗ ଦେଇଥିଲେ।

ବିଶ୍ୱସ୍ତରରେ ସାର୍ସ-କୋଭ-୨ ଭୂତାଣୁର ନୂଆ ପ୍ରତିରୂପ ବିଏ.୨.୮୬ (ପିରୋଲା) ଏବଂ ଇଜି.୫ (ଏରିସ)ର ସଂକ୍ରମଣ ସମେତ ବିଶ୍ୱରେ କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ତଥ୍ୟ ପ୍ରଦାନ କରିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ତଥ୍ୟ ଅନୁଯାୟୀ, ୫୦ରୁ ଅଧିକ ଦେଶରେ ଇଜି.୫ (ଏରିସ) ଚିହ୍ନଟ ହୋଇଛି ଏବଂ ବିଏ.୨.୮୬ (ପିରୋଲା) ଚାରିଟି ଦେଶରେ ଚିହ୍ନଟ କରାଯାଇଛି।

ବୈଠକରେ ସୂଚନା ଦିଆଯାଇଥିଲା ଗତ ୭ ଦିନ ମଧ୍ୟରେ ବିଶ୍ୱସ୍ତରରେ ୨,୯୬,୨୧୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ ଲୋକ ରହୁଥିବା ଭାରତରେ ଗତ ଏକ ସପ୍ତାହ ମଧ୍ୟରେ ମାତ୍ର ୨୨୩ ଜଣ ସଂକ୍ରମିତ (ବିଶ୍ୱରେ ନୂଆ ସଂକ୍ରମିତଙ୍କ ୦.୦୭୫%) ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ସଚିବ କହିଥିଲେ, ଦେଶବ୍ୟାପୀ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହେବାର ଦୈନିକ ହାରାହାରୀ ସଂଖ୍ୟାକୁ ୫୦ ତଳେ ରଖିବାରେ ସଫଳତା ମିଳିଛି। ସେହିପରି ସାପ୍ତାହିକ ସଂକ୍ରମଣ ହାରକୁ ୦.୨% ସ୍ତରରେ ରଖିବାରେ ଭାରତ ସଫଳ ହୋଇଛି। ଭାରତରେ ପ୍ରସାରିତ ହେଉଥିବା ବିଭିନ୍ନ କରୋନା ଭୂତାଣୁ ପ୍ରତିରୂପ ଜିନ୍‌ ଅନୁଶୀଳନ ବା ଜିନୋମ୍‌ ସିକୁଏନ୍ସିଂ ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା।

ସବିଶେଷ ଆଲୋଚନା ଓ ସମୀକ୍ଷା ପରେ ଡକ୍ଟର ପି.କେ. ମିଶ୍ର କହିଥିଲେ ଯେ, ଦେଶରେ କୋଭିଡ-୧୯ ସ୍ଥିତି ସ୍ଥିର ରହିଛି ଏବଂ ଜନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି। ତେବେ ରାଜ୍ୟମାନେ ଆଇଏଲଆଇ/ଏସଏଆରଆଇ (ଥଣ୍ଡା, ସର୍ଦ୍ଦି, ଶ୍ୱାସରୋଗ ଜନିତ ଅସୁସ୍ଥତା) ପୀଡ଼ିତ ଲୋକଙ୍କ ଉପରେ ଧ୍ୟାନ ଦେବା, କୋଭିଡ-୧୯ ପରୀକ୍ଷା ପାଇଁ ଯଥେଷ୍ଟ ନମୁନା ପଠାଇବା ସହିତ ସମ୍ପୂର୍ଣ୍ଣ ଜିନ ଅନୁଶୀଳନ ଏବଂ ବିଶ୍ୱସ୍ତରରେ ନୂଆ କରୋନା ଭୂତାଣୁ ପ୍ରତିରୂପ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

Categories
ବିଶେଷ ଖବର

କୋଭିଡ-୧୯ ର ମୁକାବିଲା ଲାଗି ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟାର ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ନିକଟରେ ସମଗ୍ର ଭାରତରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ-୧୯ ସ୍ଥିତିର ଆକଳନ ଲାଗି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ଅଧ୍ୟକ୍ଷତା କରିଥିଲେ ଯେଉଁଠାରେ ବଢୁଥିବା କୋଭିଡ-୧୯କୁ ପ୍ରତିହତ ଲାଗି ସ୍ୱାସ୍ଥ୍ୟ ଭିତ୍ତିଭୂମି ଯଥା ଲଜିଷ୍ଟିକ୍ସ, ଔଷଧ, ଟିକାକରଣ ଅଭିଯାନର ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ବୈଠକରେ କ୍ୟାବିନେଟ୍‍ ସଚିବ ରାଜୀବ ଗୌବା, ନୀତି ଆୟୋଗର ସଦସ୍ୟ ଡକ୍ଟର ବିନୋଦ ପଲ, ଅର୍ଥ ସଚିବ ଟି.ଭି.ସୋମନାଥନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ଫାର୍ମାସ୍ୟୁଟିକାଲ ସଚିବ ଏସ. ଅପର୍ଣ୍ଣା, ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂଶଲ, ଆୟୁଷ ସଚିବ ରାଜେଶ କୋଟେଚା, ଡିଏଚଆର ସଚିବ ଏବଂ ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ଭାଲ, ବାୟୋଟେକ୍ନୋଲୋଜି ସଚିବ ରାଜେଶ ଏସ ଗୋଖଲେ ଏବଂ ସୂଚନା ଏବଂ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା ପ୍ରମୁଖ ଯୋଗ ଦେଇଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣଙ୍କ ଦ୍ୱାରା ବିଶ୍ୱର କୋଭିଡ-୧୯ ପରିସ୍ଥିତି ଉପରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ସେ ଦର୍ଶାଇଥିଲେ ଯେ ଭାରତରେ କୋଭିଡ -୧୯ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ୮ ଟି ରାଜ୍ୟ (କେରଳ, ଦିଲ୍ଲୀ, ମହାରାଷ୍ଟ୍ର, ହରିଆନା, ଉତ୍ତରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଏବଂ ରାଜସ୍ଥାନ) ରେ ଅଧିକାଂଶ ମାମଲା ଦେଖାଦେଇଛି। ଆହୁରି ମଧ୍ୟ ଦେଶରେ ଚାଲିଥିବା ପରୀକ୍ଷଣର ସ୍ଥିତି ସହିତ ପଜିଟିଭ ସଂଖ୍ୟା ବୃଦ୍ଧି ଉପରେ ଆଲୋକପାତ କରାଯାଇଥିଲା। ଏହି ୮ଟି ରାଜ୍ୟ ମଧ୍ୟରେ ସକ୍ରିୟ ମାମଲାଗୁଡ଼ିକର ବିସ୍ତୃତ ବିଶ୍ଳେଷଣ ଉପସ୍ଥାପିତ ହୋଇଥିଲା ଏବଂ ହାରାହାରି ୯୨% ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଥିବା ଦର୍ଶାଯାଇଥିଲା।

ଏହି ଉପସ୍ଥାପନାରେ ଜାନୁୟାରୀ ୨୦୨୩ ଠାରୁ ବିଭିନ୍ନ ପ୍ରକାରର ଜେନୋମ୍ ସିକ୍ୱେନ୍ସିଂର ଏକ ସୂଚନା ମଧ୍ୟ ପ୍ରଦାନ କରାଯାଇଥିଲା ଏବଂ ଭାରତରେ ଦେଖାଯାଉଥିବା ଭାରିଏଣ୍ଟ ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଥିଲା। ଟୀକାକରଣର ସ୍ଥିତି ଉପରେ ଆଲୋଚନା କରାଯାଇଥିଲା, ତା’ପରେ ଦେଶରେ ଔଷଧ ଉପଲବ୍ଧତା ଏବଂ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, କାର୍ଯ୍ୟକ୍ଷମ ଭିତ୍ତିଭୂମିର ମୂଲ୍ୟାଙ୍କନ ପାଇଁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା ଏବଂ ଅଂଶଗ୍ରହଣକାରୀମାନଙ୍କୁ ମକ୍ ଡ୍ରିଲର ସ୍ଥିତି ଉପସ୍ଥାପନ କରାଯାଇଥିଲା । ଏହାବାଦ୍‍ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମର ବ୍ୟୟ ଏବଂ ଔଷଧ ଏବଂ ଟିକା ଲାଗି ଆବଶ୍ୟକ କଞ୍ଚାମାଲ ପାଇଁ ବଜେଟ୍ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା ।

ସ୍ୱାସ୍ଥ୍ୟ ସଚିବ ଏହା ମଧ୍ୟ ସୂଚନା ଦେଇଥିଲେ ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୌଣସି ପୂର୍ବ ଅନୁମୋଦନ ବିନା ଉତ୍ପାଦନକାରୀଙ୍କଠାରୁ ଆବଶ୍ୟକ କୋଭିଡ ଟିକା କ୍ରୟ ପାଇଁ ପଦକ୍ଷେପ ନେଇପାରନ୍ତି । ରାଜ୍ୟଗୁଡିକରେ ଅବସ୍ଥିତ ଘରୋଇ ହସ୍ପିଟାଲଗୁଡିକ ମଧ୍ୟ ର୍ନିମାତାଙ୍କଠାରୁ ଏହିପରି ଟିକା କ୍ରୟ କରିପାରିବେ । ଥରେ କିଣାଯାଇଥିବା ଏହି ଟିକାଗୁଡ଼ିକ ବିଦ୍ୟମାନ କୋଭିଡ ଟୀକାକରଣ ନିର୍ଦ୍ଦେଶାବଳୀ ଅନୁଯାୟୀ ଦିଆଯାଇପାରେ ।

ବିସ୍ତୃତ ଉପସ୍ଥାପନା ପରେ ଡକ୍ଟର ପି.କେ ମିଶ୍ର ସ୍ଥାନୀୟ ଅଞ୍ଚଳରେ ବଢୁଥିବା ମାମଲାର ପରିଚାଳନା ପାଇଁ ଉପ-ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପଲବ୍ଧ ହେବା ଜରୁରୀ ଅଟେ ଏବଂ ରାଜ୍ୟମାନଙ୍କ ସହିତ ପରାମର୍ଶରେ ଏହା ନିଶ୍ଚିତ ହୋଇପାରିବା ଉପରେ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ବଢୁଥିବା ସ୍ଥିତିକୁ ଆଧାର କରି ରାଜ୍ୟଗୁଡିକୁ ମାର୍ଗଦର୍ଶନ କରିବା ପାଇଁ ଉପଦେଶଗୁଡିକ ମୂଲ୍ୟାଙ୍କନ କରାଯିବା ଉଚିତ ଏବଂ ସେହି ଅନୁଯାୟୀ ଅପଡେଟ୍‍ କରାଯିବା ଉଚିତ୍‍ ।

ଆହୁରି ମଧ୍ୟ, ଉପସ୍ଥିତ ବ୍ୟକ୍ତିମାନେ ବିଚାର ଆଲୋଚନା କରିଥିଲେ ଯେ ବଢୁଥିବା ହଟସ୍ପଟ୍ ଚିହ୍ନଟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ ଏବଂ ରାଜ୍ୟଗୁଡିକ ଆଇଏଲଆଇ / ଏସ୍‍ଏଆରଆଇ ମାମଲାର ଧାରା ଉପରେ ନଜର ରଖିବା, କୋଭିଡ୍ -୧୯ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ନମୁନା ପଠାଇବା ଏବଂ ସବୁଗୁଡିକର ଜେନୋମ୍ ସିକ୍ୱେନ୍ସିଙ୍ଗ୍ କରିବା ଉଚିତ୍‍ ।

ଡକ୍ଟର ପି.କେ. ମିଶ୍ର କହିଛନ୍ତି ଯେ ଟେଷ୍ଟ-ଟ୍ରାକ-ଟ୍ରିଟ-ଟୀକାକରଣ ଏବଂ କୋଭିଡ ଉପଯୁକ୍ତ ଆଚରଣ ପାଳନ ପାଇଁ ସମୟ ପରୀକ୍ଷିତ ପଞ୍ଚସୂତ୍ରୀ ରଣନୀତି ଲାଗୁ କରାଯିବା ଆବଶ୍ୟକ ଏବଂ କୋଭିଡ ଉପଯୁକ୍ତ ଆଚରଣର ସମ୍ବନ୍ଧରେ ଗୋଷ୍ଠି ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ନାଗରିକମାନଙ୍କୁ ଆତ୍ମସନ୍ତୋଷରୁ ସତର୍କ କରାଇବା ଆବଶ୍ୟକ ।

କୋଭିଡ -୧୯ ପରିସ୍ଥିତି ଉପରେ କଡା ସଜାଗ ରହିବାକୁ ଏବଂ କୋଭିଡ-୧୯ ବ୍ୟାପିବାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।