Categories
ଜାତୀୟ ଖବର ବିଶେଷ ଖବର

ଦିଲ୍ଲୀ ବିଧାନସଭାରେ ଆପ ଦଳରୁ ତିନି ଏବଂ ବିଜେପିର ଜଣେ ବିଧାୟକଙ୍କ ସଂଖ୍ୟା ଖସିଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ମୋଟ 70 ଟି ଆସନରୁ ବର୍ତ୍ତମାନ 4ଟି ଆସନ ଖାଲିପଡିଲା। କାରଣ ଆଜି ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେସନରେ ଏହି ଘୋଷଣା କରିଛନ୍ତି ବାଚସ୍ପତି ରାମ ନିୱାସ ଗୋଏଲ। ସେ କହିଛନ୍ତି ଯେ, ବର୍ତ୍ତମାନ ବିଧାନସଭାର 4 ଟି ଆସନ ଖାଲି ହେଲା। ସେ ନେଇ ଭାରତ ନିର୍ବାଚନ କମିସନରଙ୍କୁ ଅବଗତ କରାଯାଇଛି।

ଖାଲି ପଡିଥିବା ମୋଟ 4 ଟି ଆସନରୁ ତିନୋଟି ଆମ ଆଦମୀ ପାର୍ଟିର ହୋଇଥିବା ବେଳେ 1 ଟି ବିଜେପି ଦଳର। ଫଳରେ ଆପ ଦଳ ବର୍ତ୍ତମାନ 59 ସଂଖ୍ୟାକୁ ଖସି ଆସିଥିବା ବେଳେ ବିଜେପି ମୋଟ 7 ଜଣ ସଦସ୍ୟ ରହିଲେ।

ଆପର ବିଧାୟକ ରାଜ କୁମାର ଆନନ୍ଦ ଏବଂ କରତାର ସିଂ ତନୱାରଙ୍କୁ ବିଧାନସଭା ସଦସ୍ୟ ଭାବେ ଅଯୋଗ୍ୟ କରାଯାଇଛି। ଏହି ଦୁଇ ଜଣ ଆପ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସେହି ଦୁଇଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ତାଙ୍କ ଆସନ ଖାଲି ରହିଲା ବୋଲି କୁହାଯାଇଛି।

ସେହିପରି ପୂର୍ବରୁ ରାମଭୀର ସିଂ ବିଧୁରୀ ଏବଂ ରାଜେନ୍ଦ୍ର ପାଲ ଗୌତମ ବିଧାୟକ ଭାବରେ ଇସ୍ତଫା ଦେଇଛନ୍ତି ଏବଂ ସେମାନଙ୍କୁ ଗ୍ରହଣ କରାଯାଇଛି। ରାଜପାଲ ଗୌତମ ଆପ ବିଧାୟକ ତଥା ମନ୍ତ୍ରୀ ଥିଲେ। ହେଲେ ସେ ମନ୍ତ୍ରୀ, ବିଧାୟକ ପଦରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି।

ସେହିପରି ବିଜେପିର ଶ୍ରୀ ବିଧୁରୀ ଲୋକସଭାରେ ଲଢେଇ କରି ଜିତିବା ପରେ ସେ ବିଧାନସଭାରୁ ଇସ୍ତଫା ଦେଇଛନ୍ତି।