Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ୟୁନାଇଟେଡ କିଙ୍ଗଡମର ବିଦେଶ ସଚିବ ଡେଭିଡ ଲେମି

ନୂଆଦିଲ୍ଲୀ: ୟୁନାଇଟେଡ କିଙ୍ଗଡମର ବିଦେଶ ସଚିବ ଡେଭିଡ ଲେମିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି। ନୂତନ ନିଯୁକ୍ତି ପାଇଁ ଲେମିଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ୟୁକେରେ ସରକାର ଗଠନର ଏକ ମାସ ମଧ୍ୟରେ ଲେମିଙ୍କ ଭାରତ ଗସ୍ତକୁ ମଧ୍ୟ ପ୍ରଶଂସା କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ୟୁକେ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ସହ ହୋଇଥିବା କଥୋପକଥନକୁ ମନେ ପକାଇଥିଲେ। ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ସହଯୋଗକୁ ଗଭୀର କରିବା ଦିଗରେ ୟୁକେ ସରକାର ଅଗ୍ରାଧିକାର ଦେଉଥିବାରୁ ତାହାକୁ ପ୍ରଶଂସା କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

ଦ୍ୱିପାକ୍ଷିକ ସମ୍ପର୍କକୁ ସମ୍ପୂର୍ଣ୍ଣ ରୂପ ଦେବା ସହ ଅର୍ଥନୀତି, ପ୍ରତିରକ୍ଷା, ନିବେଶ, ନିରାପତ୍ତା, ଜଳବାୟୁ ପରିବର୍ତ୍ତନ ଏବଂ ଗୁରୁତ୍ୱପୂର୍ଣ୍ଣ ଓ ଅଭ୍ୟୁଥିତ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ୟୁକେର ଆଗ୍ରହ ସମ୍ପର୍କରେ ବିଦେଶ ସଚିବ ଡେଭିଡ ଲେମି ସୂଚନା ଦେଇଥିଲେ।

ନୂତନ ଏବଂ ଅଭ୍ୟୁଥିତ ଟେକ୍ନୋଲୋଜି ଆଧାରରେ ଟେକ୍ନୋଲୋଜି ସିକ୍ୟୁରିଟି ପଦକ୍ଷେପର ଶୁଭାରମ୍ଭ ପାଇଁ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ। ସେହିପରି ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଶୀଘ୍ର ପାରିସ୍ପରିକ ଆଲୋଚନାରେ ସମ୍ପୂର୍ଣ୍ଣ ରୂପ ଦେବାକୁ ମଧ୍ୟ ମୋଦୀ ଇଚ୍ଛା ପ୍ରକାଶ କରିଥିଲେ।

ଉଭୟ ପକ୍ଷର ସ୍ୱାର୍ଥ ସହ ଜଡ଼ିତ କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ମତ ବିନିମୟ କରିଥିଲେ।

ୟୁକେ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଶୀଘ୍ର ଭାରତ ଗସ୍ତରେ ଆସିବାକୁ ତାଙ୍କୁ ନିମନ୍ତ୍ରଣ ଜଣାଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ଠାରୁ ଟେଲିଫୋନ୍ କଲ୍‌ ପାଇ କଥା ହୋଇଛନ୍ତି।

ଭାରତରେ ସାଧାରଣ ନିର୍ବାଚନରେ ପୁନଃ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଲକ୍ସନ୍ ଶୁଭେଚ୍ଛା ଜଣାଇଥିଲେ।

ଭାରତ – ନ୍ୟୁଜିଲାଣ୍ଡ ସମ୍ପର୍କ ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଜନସାଧାରଣଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଉପରେ ଆଧାରିତ ବୋଲି ଉଲ୍ଲେଖ କରି ଉଭୟ ନେତା ଆଗାମୀ ବର୍ଷ ଗୁଡ଼ିକରେ ଦ୍ୱିପାକ୍ଷିକ ସହଯୋଗକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଦୁଇ ପକ୍ଷ ମଧ୍ୟରେ ନିକଟରେ ହୋଇଥିବା ଉଚ୍ଚସ୍ତରୀୟ ଯୋଗାଯୋଗ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରଗତି ଉପରେ ଆଲୋକପାତ କରି ସେମାନେ ବାଣିଜ୍ୟ ଏବଂ ଆର୍ଥିକ ସହଯୋଗ, ପ୍ରାଣୀସମ୍ପଦ, ଔଷଧ, ଶିକ୍ଷା, ମହାକାଶ ସମେତ ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ଲାଭଦାୟକ ଦ୍ୱିପାକ୍ଷିକ ସହଯୋଗକୁ ଆଗେଇ ନେବାକୁ ସହମତ ହୋଇଥିଲେ।

ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କ ହିତରକ୍ଷା ପ୍ରତି ଯତ୍ନବାନ ନେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଲକ୍ସନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ଦିଗରେ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ଲକ୍ସନ୍ ପ୍ରତିଶ୍ରୁତି ଦେଇଥିଲେ।

ଦୁଇ ନେତା ପରସ୍ପର ସହ ଯୋଗାଯୋଗରେ ରହିବାକୁ ସହମତି ପ୍ରକାଶ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜି- ୭ ସମ୍ମିଳନୀ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ଆପୁଲିଆ ଠାରେ ଜି- ୭ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ଋଷି ସୁନକଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ସୁନକ ଶ୍ରୀ ମୋଦୀଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଶୁଭେଚ୍ଛା ଜଣାଇଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ଦେଶର ମିଳିତ ପ୍ରତିବଦ୍ଧତାକୁ ଦୁଇ ନେତା ଦୋହରାଇଥିଲେ।

୨. ନେତାମାନେ ରୋଡମ୍ୟାପ୍ ୨୦୩୦ର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ ଏବଂ ନିୟମିତ ଉଚ୍ଚସ୍ତରୀୟ ରାଜନୈତିକ ପରାମର୍ଶ, ପ୍ରତିରକ୍ଷା ଏବଂ ନିରାପତ୍ତା, ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ, ଗୁରୁତ୍ୱପୂର୍ଣ୍ଣ ଏବଂ ଉଚ୍ଚ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏବଂ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସମେତ ବ୍ୟାପକ ରଣନୈତିକ ଭାଗିଦାରୀର ସମସ୍ତ କ୍ଷେତ୍ରର ଅଗ୍ରଗତି ଉପରେ ଖୁସି ବ୍ୟକ୍ତ କରିଥିଲେ। ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାରେ ହୋଇଥିବା ଅଗ୍ରଗତିକୁ ନେଇ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ। ଉଭୟ ନେତା ପାରସ୍ପରିକ ହିତ ସମ୍ବନ୍ଧୀୟ ଆଞ୍ଚଳିକ ଏବଂ ବହୁପାକ୍ଷିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ।

୩. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବ୍ରିଟେନର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ଓ ଇଜିପ୍ଟ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଜିପ୍ଟ ରାଷ୍ଟ୍ରପତି ଅବଦଲ ଫତେହ ଅଲ ସିସିଙ୍କ ମଧ୍ୟରେ ୨୫ ଜୁନ୍‌ ୨୦୨୩ରେ ଅଲ-ଇତିହାଦିୟା ପ୍ୟାଲେସ୍‌ ଠାରେ ସାକ୍ଷାତ ଆଲୋଚନା ହୋଇଛି।

ଜାନୁଆରୀ ୨୦୨୩ରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଅଲ୍‌ ସିସି ଅତିଥି ଭାବେ ଯୋଗ ଦେବାକୁ ଦୁଇ ନେତା ଖୁସିର ସହିତ ସ୍ମରଣ କରିଥିଲେ ଏବଂ ଏହାପରେ ଭାରତ-ଇଜିପ୍ଟ ଦ୍ୱିପାକ୍ଷିକ ସମ୍ପର୍କ ତ୍ୱରାନ୍ୱିତ ହେବାକୁ ଉଭୟ ସ୍ୱାଗତ କରିଥିଲେ। ଦ୍ୱିପାକ୍ଷିକ ସହଯୋଗକୁ ଗତିଶୀଳ କରିବା ଲାଗି ଇଜିପ୍ଟ କ୍ୟାବିନେଟ୍‌ରେ ପ୍ରତିଷ୍ଠା କରାଯାଇଥିବା ‘ଇଣ୍ଡିଆ ୟୁନିଟ୍‌’ ବିଶେଷ ଉପଯୋଗୀ ହୋଇଥିବା ନେଇ ସେମାନେ ସହମତ ହୋଇଥିଲେ।

ଦୁଇ ଦେଶ ମଧ୍ୟରେ, ବିଶେଷ କରି ବାଣିଜ୍ୟ ଓ ନିବେଶ, ସୂଚନା ପ୍ରଯୁକ୍ତି, ପ୍ରତିରକ୍ଷା ଓ ସୁରକ୍ଷା, ଅକ୍ଷୟ ଶକ୍ତି, କୃଷି, ସ୍ୱାସ୍ଥ୍ୟ ସଂସ୍କୃତି ଓ ନାଗରିକ ସମ୍ପର୍କ ଭଳି କ୍ଷେତ୍ରରେ ସହଭାଗିତାକୁ ଆହୁରି ନିବିଡ଼ କରିବା ନେଇ ଦୁଇ ନେତା ଆଲୋଚନା କରିଥିଲେ।

ଜି-୨୦ରେ ଅଧିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଅଲ୍‌ ସିସି ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ଖାଦ୍ୟ ଓ ଇନ୍ଧନ ଅସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଆଲୋକପାତ କରିଥିଲେ ଏବଂ ଗ୍ଲୋବାଲ୍‌ ସାଉଥ୍‌ ବା ଅବିକଶିତ ତୃତୀୟ ବିଶ୍ୱ ରାଷ୍ଟ୍ର ପାଇଁ ଦୃଢ଼ ସ୍ୱର ଉତ୍ତୋଳନ କରିବା ଉପରେ ଜୋର ଦେଇଥିଲେ। ସେପ୍ଟେମ୍ବର ୨୦୨୩ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଅଲ ସିସିଙ୍କୁ ସ୍ୱାଗତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଇଚ୍ଛା ପ୍ରକଟ କରିଥିଲେ।

ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣି ଉଭୟ ରାଷ୍ଟ୍ର ମଧ୍ୟରେ ‘ରଣନୀତିକ ସହଭାଗିତା’ ପ୍ରତିଷ୍ଠା ନିମନ୍ତେ ଦୁଇ ନେତା ଏକ ରାଜିନାମାରେ ସ୍ୱାକ୍ଷର କରିଥିଲେ। କୃଷି, ପ୍ରତ୍ନତତ୍ତ୍ୱ ଓ ବିରଳ କିର୍ତ୍ତୀରାଜି ଏବଂ ପ୍ରତିଯୋଗିତା ମୂଳକ ଆଇନ କ୍ଷେତ୍ରରେ ତିନୋଟି ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା।

ଇଜିପ୍ଟ ପ୍ରଧାନମନ୍ତ୍ରୀ ମହାମହିମ ମୋସ୍ତାଫା ମାଡବୌଲୀ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଏନଏସଏ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।