Categories
ଆଜିର ଖବର ରାଜ୍ୟ ଖବର

ଭଞ୍ଜ ଭୂମିରୁ ବାହାରୁ ଥିବା ପିଲାମାନେ ବିଶ୍ଵ ସମସ୍ୟାର ସମାଧାନ କରିବେ: ଧର୍ମେନ୍ଦ୍ର ପ୍ରଧାନ

ଡ଼ିହପଢାଳ/ଭଞ୍ଜନଗର: ଶିଶୁ ମନ୍ଦିର ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ। ଭାରତୀୟ ପଦ୍ଧତି ଓ ମୂଲ୍ୟବୋଧ ଆଧାରିତ ଶିକ୍ଷା, ଗୁଣାତ୍ମକ ଶିକ୍ଷା ଏବଂ ସାଧାରଣ ଲୋକଙ୍କ ପାଇଁ ଶିକ୍ଷା ପ୍ରଦାନ ସହ ଏକ ନୂଆ ପିଢ଼ି ଗଢ଼ିବାରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୂମିକା ସବୁଠୁ ବଡ଼ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗୁରୁବାର କଳା, ସାହିତ୍ୟ ଓ ସଂସ୍କୃତିର ଭୂମି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଡ଼ିହପଢାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ଭବନ ଉଦଘାଟନ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ନିଜ ଧର୍ମ ଓ ରାଷ୍ଟ୍ରକୁ ଭଲପାଇବା ତଥା ଏହାପାଇଁ ଆନୁଗତ୍ୟ ଦେଖାଇବାରେ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ସବୁବେଳେ ଆଗରେ ରହିଆସିଛନ୍ତି। ଓଡ଼ିଶାରେ ପ୍ରାୟ ୬୧ ହଜାର ସ୍କୁଲ ଥିବାବେଳେ ସେଥିମଧ୍ୟରୁ ଶିଶୁ ମନ୍ଦିରର ସଂଖ୍ୟା ହେଉଛି ପ୍ରାୟ ୧ ହଜାର। ଓଡ଼ିଶାରେ ୭୬ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲରେ ପାଠ ପଢୁଥିବା ବେଳେ ଶିଶୁ ମନ୍ଦିରରେ ପ୍ରାୟ ୩ ଲକ୍ଷ ୭୦ ହଜାର ପିଲା ପାଠ ପଢୁଛନ୍ତି। ଗଞ୍ଜାମର ନୀଳକଣ୍ଠ ନଗର ଶିଶୁ ମନ୍ଦିର ରାଜ୍ୟର ଅଗ୍ରଣୀ ବିଦ୍ୟାଳୟ ଭାବେ ଉଭା ହୋଇଛି । ତେବେ ଶିଶୁ ମନ୍ଦିର ପାଖରେ ଏକ ଯାଦୁ ଅଛି। ପିଲାମାନେ ଏହି ଠାରୁ ପାଠ ପଢି କେବଳ ଡିଗ୍ରୀ ଓ ସାର୍ଟିଫିକେଟ୍ ପାଉନାହାନ୍ତି। ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରି ସମାଜରେ ଜଣେ ଜଣେ ଉତ୍ତମ ନାଗରିକ ହେଉଛନ୍ତି। ଏହି ଶିକ୍ଷା ରୂପକ ମନ୍ଦିରରୁ ପାଠ ପଢୁଥିବା ପିଲାମାନେ ସମାଜରେ ଜଣେ ସଫଳ ଓ ଦାୟିତ୍ୱବାନ ନାଗରିକ ଭାବେ ପରିଚିତ ହେଉଛନ୍ତି, ଯାହା ଆମ ପାଇଁ ଗର୍ବର ବିଷୟ।

୧୯୯୦ରୁ ସ୍ଥାପିତ ଡ଼ିହପଢାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୫ ବର୍ଷ ଧରି ଉପାନ୍ତ ଅଞ୍ଚଳରେ ନିରନ୍ତର ଶିକ୍ଷା ପ୍ରଦାନ କରିଚାଲିଛି । ଭାରତୀୟ ଶିକ୍ଷା ପ୍ରଣାଳୀରେ ଲୋକମାନଙ୍କୁ ଯୋଡିବା ପାଇଁ ଭଞ୍ଜ ମାଟିରେ ପ୍ରତିଷ୍ଠିତ ଏହି ଶିଶୁ ମନ୍ଦିରରୁ ପାଠ ପଢି ଅନେକ ଛାତ୍ରଛାତ୍ରୀ ଆଇଆଇଟି ଓ ଏନଆଇଟିରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି ତ ଅନେକ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଅନେକ ଛାତ୍ରଛାତ୍ରୀ ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି, ଯାହା ପ୍ରଶଂସନୀୟ। ବଣମଲ୍ଲିଙ୍କୁ ଲୋକଲୋଚନକୁ ଆଣିବାରେ ଏହି ଶିଶୁ ମନ୍ଦିର ଅଗ୍ରଣୀ ଭୂମିକା ନେଇଛି। ଏହି ବିଦ୍ୟା ମନ୍ଦିରର ବିକାଶ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି ।

ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଓଡ଼ିଶା ସମେତ ଦେଶରେ ଜାତୀୟ ଶିକ୍ଷା ନୀତି – ୨୦୨୦ ଲାଗୁ ହୋଇଛି । ନିଜ ପାଇଁ ନୁହେଁ, ଜାତି, ସମାଜ ଏବଂ ଆମ ସଂସ୍କୃତିର ଉତ୍ଥାନ ପାଇଁ ନିରନ୍ତର କାମ କରିବାର ବିଚାର ଏହି ଶିକ୍ଷା ନୀତିରେ ଅନ୍ତର୍ନିହିତ ଅଛି। ଏହି ବିଚାର ଉତ୍ପନ୍ନ ହୋଇଛି ବିଦ୍ୟା ଭାରତୀ, ଶ୍ରୀଅରବିନ୍ଦ ସ୍କୁଲ, ସତ୍ୟସାଇ ସ୍କୁଲ ଓ ଚିନ୍ମୟ ମିଶନ ଭଳି ଅନୁଷ୍ଠାନମାନଙ୍କରୁ।

ଏହି ଅବସରରେ ଶ୍ରୀ ପ୍ରଧାନ ଭାରତକୁ ସାମାଜିକ ଓ ଆର୍ଥିକ ସ୍ତରରେ ପରାଧୀନ ରଖିବା ପାଇଁ ଟି.ବି.ମାକାଉଲେ ପ୍ରଚଳନ କରିଥିବା ଶିକ୍ଷା ପଦ୍ଧତି, ଷଡଯନ୍ତ୍ର ଏବଂ ଶିକ୍ଷା ପ୍ରଣାଳୀକୁ ବଜାୟ ରଖିଥିବା ଦେଶର ମହାପୁରୁଷଙ୍କ ଉପରେ ଆଲୋକପାତ କରିଥିଲେ ।  ସେ ଆହୁରି କହିଥିଲେ ୱିଲିଅମ ସେକ୍‌ସପିୟର ଙ୍କ କାବ୍ୟଠୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ “ବୈଦେହୀଶ ବିଳାସ” କେଉଁ ଗୁଣରେ କମ ନଥିଲା। ଏହା ଭାରତୀୟତା ମୂଳ ଚରିତ୍ର । ଏହିପରି ଅନେକ ମହାପୁରୁଷଙ୍କ କାରଣରୁ ବ୍ରିଟିଶମାନେ ଭାରତୀୟ ଶିକ୍ଷା ପ୍ରଣାଳୀକୁ ନଷ୍ଟ କରିପାରିନଥିଲେ। ଏହି ପରମ୍ପରାକୁ ବଜାୟ ରଖି ଭାରତୀୟ ଶିକ୍ଷା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ  ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାକୁ ସମୃଦ୍ଧ କରିବାକୁ ପଡ଼ିବ । ଭଞ୍ଜ ସାହିତ୍ୟକୁ ବଞ୍ଚାଇବା ପାଇଁ ପଡିବ । ୨୦୩୬ ସୁଦ୍ଧା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରୁଥିବା ବେଳେ ଗଞ୍ଜାମ ଓ ଓଡ଼ିଶାକୁ ବିକଶିତ କରିବା ପାଇଁ ହେବ । ଏହି ଭଞ୍ଜ ଭୂମିରୁ ବାହାରୁ ଥିବା ପିଲାମାନେ ବିଶ୍ଵ ସମସ୍ୟାର ସମାଧାନ କରିବେ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ‘ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା’ ବୁଲିଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଚାଷ ହେଉଛି ସମ୍ବଲପୁରର ଅର୍ଥନୀତି। କୃଷି ହିଁ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ। ସମ୍ବଲପୁରର ଜନସାଧାରଣ ବିଶେଷ ଭାବରେ ‘ଅନ୍ନଦାତା’ଙ୍କ ପାଖରେ ଆଧୁନିକ କୃଷି ଯନ୍ତ୍ରପାତି ପହଞ୍ଚାଇବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା’ର ଆୟୋଜନ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

‘ସୁଶାସନ ଦିବସ’ ଅବସରରେ ସମ୍ବଲପୁର ଜିଲ୍ଲାର ଅଇଁଠାପାଲି ଠାରେ “ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା, କୃଷି ମହୋତ୍ସବ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪-୨୫” ରେ ଯୋଗଦେଇ ଶ୍ରୀ ପ୍ରଧାନ ଚାଷୀମାନଙ୍କୁ ଆଧୁନିକ କୃଷି ଉପକରଣ ପ୍ରଦାନ କରିଛନ୍ତି । ବିଭିନ୍ନ ରକମର ଚାଷ କରୁଥିବା ଚାଷୀ, ଓ ସଂସ୍ଥାମାନଙ୍କୁ ପୁରସ୍କୃତ କରିବା ସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମ୍ବଲପୁର ସମେତ ଓଡ଼ିଶାର ଚାଷ ଓ ଚାଷୀଙ୍କୁ ଅଧିକରୁ ଅଧିକ ସଶକ୍ତ କରିବା ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ପ୍ରୟାସ କରଛନ୍ତି । ରାଜ୍ୟରେ ବିଜେପି ସରକାର ହେବା ପରେ ଚାଷୀମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି ।

ଓଡ଼ିଶାର ଚାଷୀମାନଙ୍କର ହିତ ପାଇଁ କ୍ୱିଣ୍ଟାଲ ପିଛା କେନ୍ଦ୍ର ସରକାରଙ୍କ ଧାନର ଏମଏସପି ୨୩୦୦ ଟଙ୍କା ଉପରେ ଅଧିକ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନର ଶୁଭାରମ୍ଭ ହୋଇଛି । ସମ୍ବଲପୁର ଜିଲ୍ଲାରେ ଅଧିକ ଧାନ କିଣାଯିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସୁଭଦ୍ରା ଯୋଜନାରେ ମାଆ ଭଉଣୀମାନଙ୍କୁ ସିଧାସଳଖ ଡିବିଟି ସାହାଯ୍ୟରେ ଆର୍ଥିକ ସହାୟତା ମିଳିବା ଦ୍ୱାରା ସେମାନେ ସଶକ୍ତ ହେଉଛନ୍ତି । ଏ ସବୁ ଦ୍ୱାରା ଆନୁମାନିକ ୫୫୦ କୋଟି ଟଙ୍କା ସମ୍ବଲପୁର ଜିଲ୍ଲାକୁ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ ସରକାର ଦେଉଛନ୍ତି ।

ଚାଷ ସମେତ ସମ୍ବଲପୁରରେ ବୁଣାକାର ଓ ଅନ୍ୟାନ୍ୟ ଶିଳ୍ପସମୂହ ଅଛି । ସମ୍ବଲପୁରକୁ ଆଧୁନିକ ଅର୍ଥନୀତି ଭାବେ ଗଢିତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ସୁନ୍ଦର, ସମୃଦ୍ଧ ଏବଂ ସମ୍ପନ୍ନ ସମ୍ବଲପୁର ତିଆରି କରିବା ଆମର ଲକ୍ଷ୍ୟ ରହିଥିବା ବେଳେ ଚାଷ ଏହାର ମୂଳଦୂଆ ଭାବେ କାମ କରିବ । ଚାଷୀ, ମହିଳା, ଯୁବ, ପଛୁଆ ବର୍ଗର ଲୋକମାନେ ଏ ସବୁ କ୍ଷେତ୍ରରେ ନେତୃତ୍ୱ ନେବେ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ ଓ ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର

‘ସୁଶାସନ ଦିବସ’ ଅବସରରେ ସମ୍ବଲପୁରରେ ଟିବି ପୀଡିତଙ୍କୁ ପୁଷ୍ଟି କିଟ୍ ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର:  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ତଥା ସୁଶାସନ ଦିବସ ଏବଂ ପବିତ୍ର ବଡ ଦିନରେ ସମ୍ବଲପୁର ଜିଲ୍ଲାର ସରକାରୀ ସ୍ତରରେ ପଞ୍ଜିକୃତ ହୋଇଥିବା ଟିବି ପୀଡ଼ିତ ଭାଇ ଭଉଣୀମାନଙ୍କୁ ମାସିକ ପୁଷ୍ଟି କିଟ୍ ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଟିବି ମୁକ୍ତ ପାଇଁ ଶପଥ ପାଠ କରାଇବା ସହ ୨୦୨୫ ଡିସେମ୍ବର ସୁଦ୍ଧା ସମ୍ବଲପୁର ଜିଲ୍ଲାକୁ ଟିବି ମୁକ୍ତ କରିବା ପାଇଁ ସଂକଳ୍ପ ନେବାକୁ ସେ ଆହ୍ୱାନ କରିଛନ୍ତି।

ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଟିବି ବା ଯକ୍ଷ୍ମା ଏକ ସଂକ୍ରାମକ ରୋଗ ନୁହେଁ। ପରିବେଶ ପ୍ରଦୂଷଣ, ଦାରିଦ୍ର‌୍ୟ ଓ ସଚେତନତା ଅଭାବରୁ ଲୋକମାନେ ଏହି ରୋଗର ଶୀକାର ହୋଇଥାନ୍ତି। ସମ୍ବଲପୁର ଜିଲ୍ଲାରେ ସରକାରୀ ପଞ୍ଜିକୃତ ହୋଇଥିବା ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ଅଛି ୧୪୩୫। ତନ୍ମଧ୍ୟରୁ ୧୧୮୫ ଜଣ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା କରାଯାଉଛି। ଅଧିକ ୨୫୦ ଜଣ ରୋଗୀ ଏହି ସଂଖ୍ୟାରେ ଯୋଡି ହୋଇଛନ୍ତି। ତେବେ ପୁଷ୍ଟିକର ଖାଦ୍ୟ, ଆଧୁନିକ ଚିକିତ୍ସା ଏବଂ ଜନ ଭାଗିଦାରୀ ବଳରେ ଟିବିର ସମ୍ପୂର୍ଣ୍ଣ ବିଲୋପ କରାଯାଇପାରିବ। ଏଥିପାଇଁ ରୋଗୀଙ୍କୁ ଧୈର୍ଯ୍ୟ ଧରି ସାହସର ସହ ଏହି ରୋଗର ମୁକାବିଲା କରିବାକୁ ପଡିବ। ସମ୍ବଲପୁର ସମେତ ସମଗ୍ର ଓଡ଼ିଶାକୁ ଟିବି ମୁକ୍ତ କରାଇବା ପାଇଁ ପଡିବ। ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସୁବଜ ପରିବେଶ ସୃଷ୍ଟି କରିବାକୁ ହେବ।

ସେ ଆହୁରି କହିଛନ୍ତି ଯେ ସମ୍ବଲପୁର ସମେତ ଓଡ଼ିଶାରେ ନିକ୍ଷୟ ମିତ୍ର ଏବଂ କମ ସମୟରେ ପ୍ରଭାବୀ ଉପଚାର ଭଳି ପଦକ୍ଷେପ ଯୋଗୁ ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ସମ୍ବଲପୁର ଜିଲ୍ଲାକୁ ଟିବି ମୁକ୍ତ କରିବା ପାଇଁ ଜନପ୍ରତିନିଧି ଓ କର୍ପୋରେଟ୍ ସଂସ୍ଥାମାନେ ଦାୟିତ୍ୱ ନେଉଛନ୍ତି। ଏହି ଟିବି ମୁକ୍ତ ଅଭିଯାନରେ ପୀଡିତ ଓ ସେମାନଙ୍କ ପରିବାରର ସେବା ପାଇଁ ସମାଜର ପ୍ରବୃଦ୍ଧ ବ୍ୟକ୍ତି, ଯୁବ ସଂଗଠନ, ସାମାଜିକ ସଂଗଠନ ଓ ନାଗରିକମାନେ ବି ବ୍ୟକ୍ତିଗତ ଭାବରେ ସାମିଲ ହୁଅନ୍ତୁ। ଯକ୍ଷ୍ମା ରୋଗୀଙ୍କ ସହ ସେମାନଙ୍କ ପରିବାରକୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତାର ଦାୟିତ୍ୱ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଶ୍ର ପ୍ରଧାନ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଏଥିପାଇଁ ପାରଦର୍ଶୀ ଭାବରେ ପୋର୍ଟାଲର ବ୍ୟବସ୍ଥା ସହ ବିଭିନ୍ନ ଯୋଜନା କରନ୍ତୁ। ଅନ୍ୟର ସେବା କରିବାର ମନୋଭାବ ରହିଲେ ହିଁ ଆମର ସମାଜକୁ ସୁସ୍ଥ କରିବାର ମୂଳ ଲକ୍ଷ୍ୟ ସାଧିତ ହୋଇପାରିବ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସମ୍ବଲପୁର ଏବଂ ଓଡ଼ିଶା ସମେତ ଭାରତକୁ ସଂପୂର୍ଣ୍ଣ ଭାବରେ ଟିବି ମୁକ୍ତ କରିବା ପାଇଁ “ଟିବି ମୁକ୍ତ ଭାରତ ଅଭିଯାନ”ରେ ସାମିଲ ହେବା ଏବଂ ଯକ୍ଷ୍ମା ରୋଗ ଦୂର କରିବା ପାଇଁ ଆମର ଯୋଗଦାନ ଦେବା। ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କ ପାଖରେ ପୀଡିତଙ୍କ ଆଶୁ ଆରୋଗ୍ୟ ଓ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଲାଭ ସହ ପାରିବାରିକ ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ

ଭୁବନେଶ୍ୱର/କଟକ:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ତଥା ସୁଶାସନ ଦିବସର ଅବ୍ୟବହିତ ପୂର୍ବରୁ ଐତିହାସିକ ସହର କଟକରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିବା ଆମର ସୌଭାଗ୍ୟ। କଟକରେ ଅଟଳଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପୂର୍ବତନ ମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ସ୍ୱର୍ଗତ ସମୀର ଦେ’ଙ୍କ ଇଚ୍ଛା ଥିଲା, ଯାହା ଆଜି ପୂରଣ ହୋଇଛି।

ସୁଶାସନ ଓ ଆର୍ଥିକ ବିକାଶର ପଥ ପ୍ରଦର୍ଶକ ଅଟଳୀଙ୍କର ଓଡ଼ିଶାର ବିକାଶ ପ୍ରତି ଅବଦାନ ଅତୁଳନୀୟ। ୧୯୯୯ ମସିହାର ମହାବାତ୍ୟାରେ ଓଡ଼ିଶାର ପୁନଃନିର୍ମାଣ ପାଇଁ ଅଟଳଜୀଙ୍କ ସମ୍ବେଦନଶୀଳ ଦୃଷ୍ଟିକୋଣ ଥିଲା ସ୍ୱତନ୍ତ୍ର। ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ, ଏହା ଥିଲା ଅଟଳଜୀଙ୍କର କାଳଜୟୀ ବାକ୍ୟ। ମହାବାତ୍ୟା ପ୍ରଭାବିତଙ୍କ ପାଇଁ ରିଲିଫ ହେଉ ଅଥବା ମୁଣ୍ଡ ଉପରେ ପକ୍କା ଘର ବା ଦୀର୍ଘମିଆଦି ଭିତ୍ତିଭୂମିର ବିକାଶ – ଏ ସବୁ ପାଇଁ ଅଟଳଜୀଙ୍କ ଯୋଗଦାନ ଚିରସ୍ମରଣୀୟ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଟକ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନର ଶତବାର୍ଷିକୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

କଟକ: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶାରେ ଶିକ୍ଷକ ଶିକ୍ଷାର ବିକାଶ ହେବ। ଶିକ୍ଷକମାନଙ୍କର ଆବଶ୍ୟକତା, ଯୁବକ ଯୁବତୀଙ୍କ ସ୍ୱାର୍ଥ ଓ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଦାୟିତ୍ୱ ନିଆଯିବ ବୋଲି ମଙ୍ଗଳବାର କଟକ ସ୍ଥିତ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ (ଆର୍‌ଏନ୍‌ଆଇଏଏସ୍‌ଇ)ର ଶତବାର୍ଷିକୀ ସମାରୋହରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରତିଷ୍ଠାନର ଶତବାର୍ଷିକୀ ପୂରଣ ହେବା ଅବସରରେ ଶୁଭେଚ୍ଛା ଜଣାଇବା ସହ  ଶ୍ରୀ ପ୍ରଧାନ କହିଛନ୍ତି ଯେ  ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ କରିବା ଲକ୍ଷ୍ୟରେ ୧୮୬୯ରେ କଟକ ନର୍ମାଲ ସ୍କୁଲ୍‌ ପ୍ରତିଷ୍ଠା ହେଲା। ପରେ ଏହାର ନାମ ବଦଳି କଟକ ଟ୍ରେନିଂ ସ୍କୁଲ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଟ୍ରେନିଂ କଲେଜ୍ ହୋଇଥିଲା। ତେବେ ୧୯୨୩ରୁ ଏହି କଲେଜ ରାଧାନାଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡ୍‌ଭାନ୍‌ସଡ୍‌ ଷ୍ଟଡି ଇନ୍ ଏଜୁକେସନ ନାମରେ ଦୀର୍ଘ ୧୦୦ ବ‌ର୍ଷ ଧରି ଅନେକ ଦକ୍ଷ ତଥା ପ୍ରଶିକ୍ଷିତ ଶିକ୍ଷକ ସୃଷ୍ଟି କରି ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ନିର୍ବାହ କରିଆସୁଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର କନିକା ଲାଇବ୍ରେରୀ ପରେ ଏହି ପ୍ରତିଷ୍ଠାନରେ ଥିବା ଲାଇବ୍ରେରୀ ଉଚ୍ଚକୋଟୀର । ଏହି ଅନୁଷ୍ଠାନରେ ବିଇଡି, ଏମଇଡି, ଏମଫିଲ୍ ଆଦି ପାଠ୍ୟକ୍ରମ ରହିଥିବା ବେଳେ ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଜ୍ୟ, ଦେଶ ତଥା ‌ଦେଶ ବାହାରେ କାର୍ଯ୍ୟ କରି ସୁନାମ ଆଣିଛନ୍ତି । ଏହି ଅନୁଷ୍ଠାନକୁ ଶହେ ବର୍ଷ ପୂରଣ ହେବା ଆମ ରାଜ୍ୟ ପାଇଁ ଏକ ଗୌରବମୟ ଉପଲବ୍ଧି ।

ଏହି ସମାରୋହରେ ଶ୍ରୀ ପ୍ରଧାନ ନାକ୍ ଅଧିସ୍ୱୀକୃତି ପାଇଁ ଆବେଦନ କରିବାକୁ ପ୍ରତିଷ୍ଠାନର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବା ସହ କହିଛନ୍ତି, ଏହି ଅନୁଷ୍ଠାନ ନାକ୍ ମାନ୍ୟତା ପାଇପାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଏଠାରେ ଶିକ୍ଷକଙ୍କ ତାଲିମ ପାଇଁ ନୂଆ ପାଠ୍ୟକ୍ରମ ସହ ଚାରିବର୍ଷିଆ ଇଣ୍ଟିଗ୍ରଟେଡ୍ ଟିଚର୍ ଏଜ୍ୟୁକେସନ ପ୍ରୋଗ୍ରାମ(ଆଇଟିଇପି) ବା ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିବ । ଅନ୍ତଃ-ବିଭାଗୀୟ ପାଠ୍ୟକ୍ରମ ପ୍ରଚଳନ ହୋଇପାରିବ ।

ପୂର୍ବ ସରକାର ଦାୟିତ୍ୱହୀନ କାରଣରୁ ଶିକ୍ଷକ ଅଭାବ ଓ ନିଯୁକ୍ତିର ବାହାନା ଦେଖାଇ ଏହି ପ୍ରତିଷ୍ଠାନକୁ ବନ୍ଦ କରି ଅନ୍ୟ କଲେଜ ସହ ମିଶାଇ ଦେବା ପାଇଁ ଯୋଜନା କରିଥିଲେ । ମାତ୍ର ପ୍ରତିବାଦ ହେବାରୁ ସରକାର ତାଙ୍କ ନିଷ୍ପତି ବଦଳାଇବା ପାଇଁ ବାଧ୍ୟ ହୋଇଥିଲେ । ଆମ ପିଲାମାନଙ୍କ ପାଖରେ ଦକ୍ଷତା ଅଛି, ଯାହା ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିବ । ଓଡ଼ିଆ ଛାତ୍ରଛାତ୍ରୀମାନେ କର୍ଣ୍ଣାଟକ, ଝାଡଖଣ୍ଡ ଓ ଛତିଶଗଡକୁ ଯାଇ ସେଠାରେ ବିଇଡି ପାଠ ପଢୁଥିବା ବେଳେ ଏଠାରେ କାହିଁକି ପୂର୍ବ ସରକାର ବିଇଡି ପାଠ୍ୟକ୍ରମକୁ ପ୍ରତ୍ସାହିତ କରିପାରିଲେ ନାହିଁ ? ବର୍ତ୍ତମାନ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଅଛି । ଆଗାମୀ ଦିନରେ ଦୁଇବର୍ଷିଆ କିମ୍ବା ଚାରିବର୍ଷିଆ ବିଇଡି ପାଠ ପଢିବା ପାଇଁ ଅଧିକ ଅନୁଷ୍ଠାନ ଖୋଲିବା ନିମନ୍ତେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ। ଓଡ଼ିଶାର ଭବିଷ୍ୟତ ସୁରକ୍ଷା ଓ ଯୁବକ ଯୁବତୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ନୀତି ପ୍ରଣୟନ କରିବା ନେଇ ମଧ୍ୟ ଆଲୋଚନା ହେବ ।

ଏକବିଂଶ ଶତାବ୍ଦୀରେ ଶିକ୍ଷାର ମହତ୍ତ୍ୱ ଯେତିକି ବଢ଼ିଛି, ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ତା’ ଠାରୁ ଯଥେଷ୍ଟ ବେଶି ବୃଦ୍ଧି ପାଇଛି । ଶିକ୍ଷକଙ୍କ ଆବଶ୍ୟକତା ପୂରଣ ନହେଲେ ସେମାନେ ସମ୍ଭବତଃ ଭଲ ଶିକ୍ଷାଦାନ କରିପାରିବେ ନାହିଁ । ଯେତେବେଳେ ଆମେ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ଲକ୍ଷ୍ୟ ପୂରଣ କରିବା ଦିଗରେ ଅଗ୍ରସର ହେଉଛେ, ସେ ସମୟରେ ଶିକ୍ଷାର ବିକାଶ ଏବଂ ଶିକ୍ଷାନୁଷ୍ଠାନର ଉନ୍ନତିକରଣକୁ ଆମକୁ ଗୁରୁତ୍ୱ ଦେବାକୁ ହେବ । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସମସ୍ତ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଆମର ଲକ୍ଷ୍ୟ ଓ ଦାୟିତ୍ୱ ।

ସ୍କୁଲରେ ଡ୍ରପ ଆଉଟ ହାର ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଡ୍ରପ ଆଉଟ ହାରକୁ ହ୍ରାସ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରୟାସ କରୁଛନ୍ତି । ପରୀକ୍ଷାକୁ ଚାପମୁକ୍ତ କରିବା ପାଇଁ ପଡିବ। ଏହି ଲକ୍ଷ୍ୟରେ ‘ପରୀକ୍ଷା ପେ ଚର୍ଚ୍ଚା’ ମାଧ୍ୟମରେ  ପ୍ରଧାନମନ୍ତ୍ରୀ  ପରୀକ୍ଷା ସହ ଜଡ଼ିତ ଚାପକୁ ଦୂର କରିବା ଏବଂ ‘ଏଗଜାମ୍ ଓ୍ୱାରିୟର୍ସ’ଙ୍କ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ଆଲୋଚନା କରୁଛନ୍ତି। ଶ୍ରେଣୀଗୃହ, ଆବଶ୍ୟକ ଶିକ୍ଷକ ଓ ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ସୁବ୍ୟବସ୍ଥିତ କରି ଡ୍ରପ୍ ଆଉଟ କମାଇବା ପାଇଁ ଆମ ସରକାରଙ୍କ ପ୍ରଚେଷ୍ଟା ରହିବ।

ଏହି ଶତବାର୍ଷିକୀ ସମାରୋହରେ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ବିଧାୟକମାନେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାରାଦୀପରେ ‘ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ କାରଖାନା’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ପାରୀଦୀପ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାର ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ କରିବା ଲକ୍ଷ୍ୟରେ ସୋମବାର ପାରାଦୀପ ପ୍ଲାଷ୍ଟିକ ପାର୍କ ପରିସରରେ  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ପ୍ଲାଷ୍ଟିକ ବ୍ୟାଗ୍ ଉତ୍ପାଦନ କାରଖାନା’ ଉଦଘାଟିତ ହୋଇଯାଇଛି। ଏହି ପଦକ୍ଷେପ ଦ୍ୱାରା ପ୍ଲାଷ୍ଟିକ ବ୍ୟାଗ୍ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭର ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ଏ ସମ୍ପର୍କରେ ବିସ୍ତୁତ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପାରାଦୀପ ପ୍ଲାଷ୍ଟିକ ପାର୍କ ଧୀରେ ଧୀରେ ସମ୍ପ୍ରସାରିତ ହେଉଛି। ପାରାଦୀପ ଅଏଲ ରିଫାଇନାରୀରେ ଏକ ଆନ୍ସିଲାରୀ କ୍ଲଷ୍ଟର ତିଆରି କରିବାର ପୂର୍ବରୁ ମୂଳ ଉଦ୍ଦେଶ୍ୟ ରହିଥିଲା। ସେ ଦିଗରେ ପ୍ଲାଷ୍ଟିକ ପାର୍କରେ ପ୍ରାୟ ୧୬ଟି କାରଖାନା ଇଡକୋ ଓ ଇଣ୍ଡିଆନ ଅଏଲର ପ୍ଲାଷ୍ଟିକ ପାର୍କ କର୍ପୋରେସନରୁ ଜମି ନେଇଛନ୍ତି। ଏଥିମଧ୍ୟରୁ ୩ଟି କାରଖାନା କାର୍ଯ୍ୟକ୍ଷମ ହୋଇଛି। ତନ୍ମଧ୍ୟରୁ ଆଜି ଲୋକାର୍ପିତ ହୋଇଥିବା ଏହି ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ କାରଖାନା Energon Polymatics କମ୍ପାନୀ ଦ୍ୱାରା ସ୍ଥାପିତ ହୋଇଛି । ଏଠାରେ ପଲିପ୍ରପିଲିନ କାରଖାନାର କଞ୍ଚାମାଲକୁ ନେଇ ଏନରଗନ ପ୍ଲାଷ୍ଟିକ ବ୍ୟାଗ୍ ତିଆରି କରିବାର ଏକ ପ୍ରଡକ୍ଟ ଲାଇନ ତିଆରି କରିପାରିଥିବାରୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ଦ୍ୱାରା ପ୍ଲାଷ୍ଟିକ ବ୍ୟାଗ୍ ଉତ୍ପାଦନରେ ଓଡ଼ିଶା ଅଧିକ ଆତ୍ମନିର୍ଭର ହେବ। ପାରାଦୀପ ପ୍ଲାଷ୍ଟିକ ପାର୍କରେ ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ କାରଖାନାର ପ୍ରକ୍ରିୟାକରଣ କ୍ଷମତା ରହିଛି ମାସିକ ୫୦୦ ମେଟ୍ରିକ୍ ଟନ। ଏହି ସ୍ୱୟଂଚାଳିତ ପ୍ଲାଣ୍ଟରେ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ବ୍ୟାଗ୍ ତିଆରି ହେବ। ଏହି ବ୍ୟାଗ ତିଆରି ପାଇଁ ସିମେଣ୍ଟ, ଫର୍ଟିଲାଇଜର ଏବଂ ପେଟ୍ରୋକେମିକାଲ୍ସ ଶିଳ୍ପ ସହ ଆନୁସଙ୍ଗିକ ସୁବିଧା ରହିଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ। ଏହି ୟୁନିଟ୍ ଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲୋକମାନେ ନିଯୁକ୍ତି ପାଇବା ସହ ସ୍ଥାନୀୟ ଓ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଭାବରେ ଏହି ପ୍ଲାଷ୍ଟିକ ପାର୍କର କଳ୍ପନା କରିଥିଲେ । ଆଗାମୀ ଦିନରେ ଓଡ଼ିଶା ସରକାରଙ୍କ ସହଯୋଗରେ କେମିକାଲ୍ସ ଏବଂ ପେଟ୍ରୋକେମିକାଲରେ  ଇଣ୍ଡିଆନ ଅଏଲର Naphtha Cracker ଦ୍ୱାରା ପ୍ରାୟ ୬୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ବହୁ ଆକାଂକ୍ଷୀ ଯୋଜନା କରିବା ପାଇଁ ଯାଉଛି ।  ପୂର୍ବ ସରକାରର ଅସହଯୋଗ କାରଣରୁ ଏହି କାମ ବିଳମ୍ବ ହୋଇଛି । ଆଜିର ଡବଲ ଇଞ୍ଜିନ ସରକାର ସଠିକ୍ ପଦକ୍ଷେପ ନିଆଯାଉଛି । ଆଗାମୀ ଦିନରେ ରାଜ୍ୟରେ ପେଟ୍ରୋକେମିକାଲ କ୍ଷେତ୍ରରେ ଅଭିବୃଦ୍ଧି ହେବ । ଏହି ପଦକ୍ଷେପ କ୍ଷୁଦ୍ର ଓ ମଧ୍ୟମ ଏବଂ ବୃହତ ଶିଳ୍ପକୁ ବଳ ଦେବ ।  ପରିବହନ, ରେଳଶକ୍ତିକୁ ଗତି ମିଳିବା ସହ ଓଡ଼ିଶାର ପୁଞ୍ଜି ବଢିବ । ପାରାଦୀପ ପେଟ୍ରୋକେମିକାଲ ଆଧାରିତ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହେବ । ଏହାବ୍ୟତୀତ ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ଇଣ୍ଡିଆନ ଅଏଲ ୪,୩୮୨ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛି । ଇଣ୍ଡିଆନ ଅଏଲ ଓ  ଏମସିପିଆଇ ପ୍ରାଇଭେଟ ଲିମିଟେଡର ମିଳିତ ସହଭାଗୀତାରେ ଏହି ବୟନ ପାର୍କ ପ୍ରତିଷ୍ଠା ହେବ, ଯାହା ସ୍ୱାଗତଯୋଗ୍ୟ ।

ଶ୍ରୀ ପ୍ରଧାନ କହିଛନ୍ତି ଇଣ୍ଡିଆନ ଅଏଲର ପାରାଦୀପ ତୈଳ ବିଶୋଧନାଗାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ପାଇଁ ଅବଦାନ । ଏହାକୁ ବାଜପେୟୀଜୀ ଶୁଭ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ । ସେହି ସମୟରେ ଏଠାରେ ପେଟ୍ରୋଲିୟମ ଉତ୍ପାଦ ସହ ପେଟ୍ରୋକେମିକାଲ ଉତ୍ପାଦ ବାହାର କରିବା ପାଇଁ ଯୋଜନା ହୋଇଥିଲା । ପାରାଦୀପରେ ଶିଳ୍ପାୟନର ବିକାଶ ପାଇଁ ପ୍ରାୟ ୬୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ ହୋଇଛି।

ବର୍ତ୍ତମାନ ସମୟରେ ଆମ ଯୁବବର୍ଗଙ୍କୁ ଚାକିରି କରିବା ପାଇଁ ନୁହେଁ ବରଂ ଚାକିରି ଦେବା ପାଇଁ ପ୍ରୋତ୍ସାହିତ କରିବା ଦରକାର। ଓଡ଼ିଶାର ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ହେଲେ ଆମ ପାଖରେ ଥିବା ସମ୍ଭାବନାକୁ ସ୍ଥାନୀୟ ଲୋକଙ୍କ ସହ ଯୋଡିବାକୁ ପଡିବ। ପାରାଦୀପରେ ପ୍ରସ୍ତାବିତ ପେଟ୍ରୋକେମିକାଲ କମ୍ପଲେକ୍ସ ହେଉ କିମ୍ବା ଭଦ୍ରକ ଟେକ୍ସଟାଇଲ ପାର୍କ କିମ୍ବା ସ୍ୱଚ୍ଛ ଇନ୍ଧନ ହାଇଡ୍ରୋଜେନ୍ ଉତ୍ପାଦନର ଯୋଜନା, ଏ ସବୁ କ୍ଷେତ୍ରରେ ଓଡ଼ିଶାର ନୂଆ ପରିଚୟ ତିଆରି ହେବ। ‘ପୂର୍ବୋଦୟ ମିଶନ’ରେ ଓଡ଼ିଶା ବିଶେଷ ଭାବରେ ପାରାଦୀପରେ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବିଶେଷ ପ୍ରାଥମିକତା ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଏହି ସମାରୋହରେ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ଶିକ୍ଷା ବ୍ୟବସ୍ଥାର ପରମ୍ପରାକୁ ଆଗକୁ ବଢ଼ାଇଛି ଡିଏଭି- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ସ୍ତମ୍ଭ ଥିଲେ। ସମାଜ ନିର୍ମାଣ ପାଇଁ ସେ ଶିକ୍ଷାକୁ ଏକ ମାଧ୍ୟମ କରିଥିଲେ। ଡିଏଭି ଭାରତୀୟ ଶିକ୍ଷା ବ୍ୟବସ୍ଥାର ସମାନ ପରମ୍ପରାକୁ ଆଗକୁ ବଢ଼ାଇଛି। ଡିଏଭି ଗବେଷଣା ଆଜି ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ରାଷ୍ଟ୍ରୀୟ ନୀତିର ଏକ ଅଂଶ ହୋଇଛି ବୋଲି ରବିବାର ଭୁବନେଶ୍ୱର ଠାରେ ଷଷ୍ଠ ଡିଏଭି ୟୁନାଇଟେଡ୍ ଫେଷ୍ଟିଭାଲରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି, ଡିଏଭି ଏକ ଭଲ ମଣିଷ ତିଆରି କାରଖାନା। ଦେଶରେ ସ୍କୁଲ ଶିକ୍ଷା ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଡିଏଭି କାମ କରୁଛି। ଛାତ୍ରଛାତ୍ରୀଙ୍କ ପାଠପଢା, ବିଜ୍ଞାନ ପ୍ରତି ଆକର୍ଷଣ ବଢ଼ାଇବା, ଖେଳ ସହ ସାଂସ୍କୃତିକ ବ୍ୟକ୍ତିତ୍ଵ ତିଆରି କରିବାରେ ଡିଏଭି କାମ କରୁଛି। ବର୍ତ୍ତମାନ ଓଡ଼ିଶାରେ ୬୦ଟି ଡିଏଭି ସ୍କୁଲ ଚାଲୁଛି। ୨୦୩୬ ସୁଦ୍ଧା ଓଡ଼ିଶା ଯେତେବେଳେ ଭାଷା ଭିତ୍ତିକ ରାଜ୍ୟ ଭାବରେ ୧୦୦ ବର୍ଷ ପୂରଣ କରିବ, ସେତେବେଶେ ଓଡ଼ିଶାରେ ଡିଏଭି ସ୍କୁଲ ସଂଖ୍ୟା ୧୦୦ରେ ପହଞ୍ଚିବା ପାଇଁ ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଦ୍ୱାରା ଦୁର୍ଗମ ଅ଼୍ଚଳରେ ସାମାନ୍ୟ ଗରିବ ଘରର ପିଲା ମାନେ ଡିଏଭି ସ୍ତରର ପାଠପଢ଼ାର ସୁଯୋଗ ପାଇବେ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡରେ ଅଛୁ । ଆଗାମୀ ଦିନମାନଙ୍କରେ ଜ୍ଞାନ ପ୍ରଗତିର ମୂଳ ଆଧାର ହେବାକୁ ଯାଉଛି । ଆଗାମୀ ୨୫ ରୁ ୫୦ ବର୍ଷ ମଧ୍ୟରେ ଭାରତର ଯୁବଶକ୍ତି ଓ ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍ ଏକ ବଡ଼ ଭୂମିକା ଗ୍ରହଣ କରିବ । ଆଜି ଶିକ୍ଷା କ୍ଷେତ୍ରରେ ଡିଏଭିର ଏକ ବିଶାଳ ନେଟୱାର୍କ ରହିଛି । ଏଭଳି ସ୍ଥିତିରେ ଏକବିଂଶ ଶତାବ୍ଦୀ ପାଇଁ ସେମାନଙ୍କର ଦାୟିତ୍ୱ ଆହୁରି ଅଧିକ ହୋଇଛି । ଆଗାମୀ ଦିନରେ ଡିଏଭି ଜାତୀୟ ଶିକ୍ଷା ନୀତିକୁ ଅଧିକ ବ୍ୟବହାରିକ ଶୈଳୀରେ କାର୍ଯ୍ୟକାରୀ କରିବାର ଦାୟିତ୍ୱ ନେବ, ଏହା ମୋର ବିଶ୍ୱାସ । ଆଗାମୀ ୧୫ ରୁ ୨୦ ବର୍ଷ ମଧ୍ୟରେ ଆମର ଛାତ୍ରଛାତ୍ରୀମାନେ ବିକଶିତ ଭାରତର ନେତୃତ୍ୱ ନେବେ । ସେହି ସମୟରେ ସେମାନଙ୍କର ଆବଶ୍ୟକତା କ’ଣ ରହିବ ? ଗ୍ଲୋବାଲ ଅର୍ଡର କ’ଣ ହେବ ? ଟେକ୍ନୋଲୋଜି କ’ଣ ହେବ? ଏଭଳି ବିଷୟରେ ଚିନ୍ତା କରି ଆମକୁ ଆମର ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ପଡିବ । ସେମାନଙ୍କୁ କେବଳ ନିଯୁକ୍ତି ଅନ୍ୱେଷଣ ଭାବରେ ନୁହେଁ ବରଂ ନିଯୁକ୍ତି ଦାତା ବନାଇବାକୁ ହେବ ।

ଆଜି ସାରା ବିଶ୍ୱ ଯେଉଁ ପର୍ଯ୍ୟାବରଣ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛି ତାହାର ଉତ୍ତର ଭାରତୀୟ ଜୀବନଶୈଳୀ ଏବଂ ସ୍ୱାମୀ ଦୟାନନ୍ଦ ସରସ୍ୱତୀଜୀ କହିଯାଇଥିବା କଥାରେ ଅନ୍ତର୍ନିହିତ ।  ଆମକୁ ଆଜିର ସମୟ ଅନୁଯାୟୀ ଏହାକୁ କାର୍ଯ୍ୟକାରୀ କରିବାକୁ ହେବ ଏବଂ ଏହାକୁ ଆଧାର କରି ଶିକ୍ଷା ବ୍ୟବସ୍ଥା ଗଠନ କରିବାକୁ ପଡିବ । ଓଡ଼ିଶାରେ ଡିଏଭି ଶିକ୍ଷାର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଡିଏଭିର ମ୍ୟାନେଜମେଣ୍ଟ୍ ଘୋଷଣା କରିବା ସ୍ୱାଗତଯୋଗ୍ୟ । ନୂଆ ଯୁଗର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ତରଫରୁ ଯଥାସମ୍ଭବ ସହଯୋଗ ଯୋଗାଇ ଦିଆଯିବ ।

ଭୁବନେଶ୍ୱର ଭଳି ସାଂସ୍କୃତିକ ସହରରେ ଡିଏଭି ୟୁନାଇଟେଡ ଫେଷ୍ଟିଭାଲ ଆୟୋଜନ ହେବା ଖୁସିର ବିଷୟ । ଆଗାମୀ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ଏଭଳି ସମୟରେ ଡିଏଭି ୟୁନାଇଟେଡର ଏହି ଫେଷ୍ଟିଭାଲ ଭୁବନେଶ୍ୱରର ଜାତୀୟ ଓ ବିଶ୍ୱସ୍ତରୀୟ ଆକର୍ଷଣ ବୃଦ୍ଧିରେ ପ୍ରଭାବଶାଳୀ ସାବ୍ୟସ୍ତ ହେବ । ଡିଏଭି ୨୦୪୭ର ଭାରତ ଏବଂ ୨୦୩୬ର ଓଡ଼ିଶାର ଲକ୍ଷ୍ୟ ପୂରଣ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ସହ ଇଂରାଜୀକୁ ଅତିରିକ୍ତ ବିଷୟ ଭାବେ ଗ୍ରହଣ କରିବା ପାଇଁ ଡିଏଭିକୁ ପରାମର୍ଶ ଦେଇଛନ୍ତି । ସେହିପରି ଏହି ୟୁନାଇଟେଡ୍ ଫେଷ୍ଟିଭାଲର ପ୍ରଦର୍ଶନୀରେ ଶ୍ରୀ ପ୍ରଧାନ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବହୁ ବିଜେଡି ଓ କଂଗ୍ରେସ କର୍ମିଙ୍କ ବିଜେପିରେ ଯୋଗଦାନ

ଆଠଗଡ଼: ଚଷା ଚାଷୀର ଅଞ୍ଚଳ ଆଠଗଡ଼ ଅପାର ସମ୍ଭାବନାରେ ପରିପୂର୍ଣ୍ଣ। ଏହି ମାଟି କେବେ ଇଂରେଜମାନଙ୍କୁ ଭ୍ରୁକ୍ଷେପ କରିନାହିଁ । ଅନ୍ୟାୟ ଅତ୍ୟାଚାର ଆଗରେ ମଥା ନୁଆଇଁ ନାହିଁ । କିଛି ଲୋକଙ୍କ କାରଣରୁ ଆଜି ଆଠଗଡ଼ର ବିକାଶ ହୋଇନାହିଁ । ମାତ୍ର ବିଜେପିର ଡବଲ ଇଞ୍ଜିନ ସରକାରରେ ଆଠଗଡ଼କୁ ଭୟମୁକ୍ତ ଓ ବିକଶିତ ଅଞ୍ଚଳ କରିବା ପାଇଁ ଆମେ କଟିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଠଗଡ଼ରେ ଆୟୋଜିତ ମିଶ୍ରଣ ପର୍ବରେ ଅନେକ ସମର୍ଥକଙ୍କ ଦଳରେ ସ୍ୱାଗତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଠଗଡ଼ ଗଡଜାତ ଓ ସ୍ୱାଭିମାନୀ ଅଞ୍ଚଳ। ଆଠଗଡ ଓଡ଼ିଶାର ପ୍ରମୁଖ ପେଣ୍ଠସ୍ଥଳ । ଅନ୍ୟାୟ, ଅତ୍ୟାଚାରରେ ମୁଣ୍ଡ ନୁଆଉଁ ନଥିବା ଅଞ୍ଚଳ । ବିଜେପି ସରକାରରେ ଆଇନ କେଉଁ ବିଧାୟକଙ୍କ ନିର୍ଦ୍ଦେଶରେ ଚାଲିବ ନାହିଁ। ନ୍ୟାୟ ଗରିବ ଲୋକଙ୍କ ପାଇଁ ରହିବ । ଏଠାରେ କିଛି ଲୋକ ଔଷଧ ବିକଳରେ ତାଟିଆ କମୁଡ଼ିଛନ୍ତି। ଡବଲ ଇଞ୍ଜିନର ସରକାର ଏହି ଅଞ୍ଚଳରେ ଲୋକଙ୍କୁ ନ୍ୟାୟ ଦେବା ସହ ବିକାଶ ପାଇଁ ପ୍ରତିବଦ୍ଧ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ୟାଙ୍କରୁ ଋଣ ଅଣାଯାଇ ଆଠଗଡ଼ରେ କେନାଲ ଖୋଳା ହେଲା। ଏହାଦ୍ୱାରା ଓଡ଼ିଶାର ଋଣ ଭାର ବଢିଲା କିନ୍ତୁ ଏହି ଅଞ୍ଚଳର ଚାଷୀଙ୍କ ଜମିକୁ ପାଣି ମାଡିଲା ନାହିଁ । ମହାନଦୀରେ ଆଜି ପାଣି ନଷ୍ଟ ହେଉଛି। କିନ୍ତୁ ଯଦି ସେହି ପାଣିକୁ ସୁବ୍ୟବସ୍ଥିତ ରାଯାଇପାରିବ ତେବେ ଆଠଗଡ ଚାଷୀ ବିଲରେ ସୁନା ଫଳିବ। ଡବଲ ଇଞ୍ଜିନ ସରକାରରେ ଆଠଗଡ଼ର ଚାଷ ଓ ଚାଷୀଙ୍କ ସମସ୍ୟାର ସମାଧାନ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ମିଶନରେ କ୍ୟାପିଟାଲ ଜୋନ୍ ରିଙ୍ଗ ରୋଡର କଳ୍ପନା ହୋଇଛି । ଏଥିପାଇଁ ପ୍ରାୟ ୬୦୦୦ କୋଟି ଟଙ୍କାର ଖର୍ଚ୍ଚ ହେବ। ଏହାର ଅଧିକ ଲାଭ ଆଠଗଡ ପାଇବ। ପୂର୍ବ ସରକାରଙ୍କ ଏଥିରେ ସହଯୋଗ ନଥିଲା। ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ,ଏହି କାମରେ ପୂର୍ବ ସରକାର ଲାଗିଥିଲେ।

ମାତ୍ର ଉପରୋକ୍ତ ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଆଠଗଡରେ ଚାଷ ଓ ଶିଳ୍ପାୟନ ବଢିବ। ଓଡ଼ିଶାର ସବୁଠୁ ବିକଶିତ ହେବ ଅଞ୍ଚଳ ହେବ ଖୋର୍ଦ୍ଧାରୁ ଆଠଗଡ। ଖୋର୍ଦ୍ଧା ସବ ଡିଭିଜନ, କଟକ ସଦର ସବ ଡିଭିଜନ, ଆଠଗଡ ସବ ଡିଭିଜନ, ଢେଙ୍କାନାଳ ସବ ଡିଭିଜନ, ବାଙ୍କୀ ସବ ଡିଭିଜନର ବିକାଶ ହେବ। ଆଠଗଡ଼ ସମେତ ସମ୍ବଲପୁର, କଟକ, ଢେଙ୍କାନାଳ, ବାଙ୍କୀ, ଜଗତସିଂହପୁରର ସଡକ ଭିତ୍ତିଭୂମି ସୁଦୃଢ ହେବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ମିଶ୍ରଣ ପର୍ବରେ କଂଗ୍ରେସ ଏବଂ ବିଜେଡି ଦଳର ନେତା, ଜନପ୍ରତିନିଧି ଓ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ଓ ବିକାଶଶୀଳ କାର୍ଯ୍ୟକୁ ସ୍ୱୀକାର କରି ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ ଜଣାଇବା ସହ ଏହି ମିଶ୍ରଣ ପର୍ବ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ୍ କରିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆସିକା ସାଂସଦଙ୍କ ଦାବି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲ ଅନ୍ତର୍ଗତ ମଥୁରା ପଞ୍ଚାୟତ ମାରଦା ମନ୍ଦିର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଆସିକା ସାଂସଦ ଅନୀତି ପ୍ରିୟଦର୍ଶିନୀ ପଟ୍ଟନାୟକ ଦିଲ୍ଲୀ ସ୍ଥିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଗତକାଲି ଭେଟି ଏକ ଦାବିପତ୍ର ଉପସ୍ଥାପନ କରିଛନ୍ତି।

ଦିର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ।ଦିର୍ଘ ଦିନ ରୁ ହୋଇ ଆସୁଥିବା ଦାବି ଓ ସାଂସଦ ଙ୍କ ପ୍ରୟାସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଅବଗତ କରାଇଥିବାରୁ ପୋଲସରା ନାଗରିକ ମଞ୍ଚ ସଭାପତି ତଥା ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସମ୍ପାଦକ ମାନସ ରଞ୍ଜନ ତ୍ରୀପାଠୀ ସହିତ ବିଭିନ୍ନ ଅନୁଷ୍ଠାନ ଓ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ଆଗାମୀ ଦିନରେ ମାରଦା ମନ୍ଦିର ଠାରେ ଖୁବ ଶୀଘ୍ର ପ୍ରତିଷ୍ଠା ହେବାର ଆଶା ସଂଚାର ହୋଇଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦଙ୍କ ପ୍ରତିନିଧିମଣ୍ଡଳୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁଙ୍କୁ ଭେଟିଛନ୍ତି। ରାଜ୍ୟରେ ନୂତନ ବିମାନବନ୍ଦର ନିର୍ମାଣ, ନୂତନ ଟର୍ମିନାଲ ନିର୍ମାଣ, ବିମାନବନ୍ଦର ସମ୍ପ୍ରସାରଣ ଓ ସଂଯୋଗୀକରଣ, ଯାତ୍ରୀ ସୁବିଧା ଏବଂ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏହି ପ୍ରତିନିଧିମଣ୍ଡଳୀଙ୍କ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ବିଜେପି ସାଂସଦମାନଙ୍କ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ଦାବି ଗୁଡ଼ିକ ହେଉଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ ଭବନ ନିର୍ମାଣ, ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନବୀକରଣ, ପୁରୀରେ ନୂଆ ବିମାନବନ୍ଦର ପ୍ରତିଷ୍ଠା ସହ କଟକ ଚାରବାଟିଆ ଏୟାରଫିଲ୍ଡକୁ ପୂର୍ଣ୍ଣାଙ୍ଗ ବେସାମରିକ ବିମାନବନ୍ଦରରେ ପରିଣତ କରାଯାଉ। ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପର ସମ୍ପ୍ରସାରଣ ଓ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରିପର ନବୀକରଣ କରିବା ପାଇଁ ସାଂସଦମାନେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ‘ଉଡାନ ଯୋଜନା’ ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଥିବା ବେଳେ ଏହି ଯୋଜନାରେ  ଢେଙ୍କାନାଳର ବିରାସାଲ, ସମ୍ବଲପୁରର ହୀରାକୁଦ, ଗଞ୍ଜାମର ରଙ୍ଗେଇଲୁଣ୍ଡା, ଜଗତସିଂହପୁରର ପାରାଦୀପ, କଳାହାଣ୍ଡିର ଉତକେଲା, ଯାଜପୁରର କଳିଙ୍ଗନଗର, କେନ୍ଦୁଝରର ରାଇସୁଆଁ, ବରଗଡ଼ ଜିଲ୍ଲାର ପଦମପୁର ଓ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଏବଂ ରାଇରୁଙ୍ଗପୁର ଏୟାରପୋର୍ଟ ସାମିଲ କରିବା ପାଇଁ ପଦକ୍ଷେପ ନେବା ପାଇଁ ସାଂସଦ ପ୍ରତିନିଧିମଣ୍ଡଳ ଅନୁରୋଧ କରିଛନ୍ତି।

ଏହା ଉପରେ ବିସ୍ତୁତ ସୂଚନା ଦେଇ ବିଜେପି ସାଂସଦଙ୍କ ପକ୍ଷରୁ ଦିଆଯାଇଥିବା ଦାବି ପତ୍ରରେ କୁହାଯାଇଛି ଯେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବଢୁଥିବା ଏୟାର ଟ୍ରାଫିକ ଏବଂ  ଘରୋଇ ଏବଂ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସଂଖ୍ୟା ବଢୁଥିବା କାରଣରୁ ନୂଆ ଘରୋଇ ଟର୍ମିନାଲ ବିଲଡିଂ-୩ ପାଇଁ ମଞ୍ଜୁର ଦିଆଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ । ପୂର୍ବ ଭାରତରେ ଏହି ବିମାନବନ୍ଦରର ଚାହିଦା ବୃଦ୍ଧି ପାଇବ ।  ଶିଳ୍ପ ସମୃଦ୍ଧ ସହର ଝାରସୁଗୁଡ଼ାରେ ଯାତ୍ରୀଙ୍କ ଯାତାୟତ ପାଇଁ ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଫେଜ୍ -୨ର ନବୀକରଣ କାମ ନିତାନ୍ତ ଜରୁରୀ। ବିମାନ ଚଳାଚଳ ଗବେଷଣା କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା କଟକର ଚାରବାଟିଆ ଏୟାରଫିଲ୍ଡ ଜନସାଧାରଣଙ୍କ ସ୍ୱାର୍ଥକୁ ପୂରଣ କରିବ । ରାଜ୍ୟର ପ୍ରମୁଖ ଶିଳ୍ପ ଓ ବାଣିଜ୍ୟିକ କେନ୍ଦ୍ର ଅନୁଗୁଳ ତାଳଚେରର ଖଣିଜ ଅଞ୍ଚଳ, କଳିଙ୍ଗନଗରର ଇସ୍ପାତ କେନ୍ଦ୍ର ଏବଂ ଦେଶର ସର୍ବବୃହତ ବନ୍ଦର ପାରାଦୀପ ନିକଟରେ ରହିଥିବା ବେଳେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ କ୍ୟାପିଟାଲ ରିଜିଅନ୍ ରିଙ୍ଗରୋଡ୍ କାମ ଚାଲୁଥିବା କାରଣରୁ ଏହି ପଦକ୍ଷେପ ଓଡ଼ିଶାର ଶିଳ୍ପ ବିକାଶରେ ସହାୟକ ହେବ।

ଶ୍ରୀଜଗନ୍ନାଥ ଧାମ ପୁରୀରେ ରାଜ୍ୟ ସମେତ ଦେଶ ବାହାରୁ ଲକ୍ଷାଧିକ ପର୍ଯ୍ୟଟନ ଓ ତୀର୍ଥଯାତ୍ରୀଙ୍କ ଆଗମନ ହେଉଛି। ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ତୀର୍ଥଯାତ୍ରୀମାନଙ୍କୁ ସିଧାସଳଖ ଏବଂ ନିରନ୍ତର ବିମାନସେବା ମିଳିପାରିବ। ସେହିପରି ଅନ୍ୟାନ୍ୟ ବିମାନବନ୍ଦରର ସମ୍ପ୍ରସାରଣ ଓ ନବୀକରଣ ଦ୍ୱାରା ମାନନୀୟ ପ୍ରଧାନମନ୍ତ୍ରୀଙ୍କ “ପୂର୍ବୋଦୟ” ମିଶନରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ବିମାନ ଯୋଗାଯୋଗ କ୍ଷେତ୍ରରେ ଏକ ବଡ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ। ରାଜ୍ୟର ଅର୍ଥନୀତି ଆହୁରି ମଜଭୂତ୍ ହେବା ସହ ରୋଜଗାର ସୁଯୋଗ, ପର୍ଯ୍ୟଟନ ଏବଂ ବାଣିଜ୍ୟ ବ୍ୟବସାୟରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ତିଆରି କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସ୍କୁଲ ଭିତ୍ତିଭୂମି ଓ ଉଚ୍ଚଶିକ୍ଷାର ଅଗ୍ରଗତି ସମ୍ପର୍କରେ ବିଗତ ୧୦ ବର୍ଷର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ 

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଅର୍ଥନୀତିରେ ପରିଣତ କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି। ଏହି ଦଶନ୍ଧି ଭାରତର ଶିକ୍ଷା କ୍ଷେତ୍ର ପାଇଁ ଏକ ପରିବର୍ତ୍ତନଶୀଳ ଯାତ୍ରା ଏବଂ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ ଏବଂ ଉନ୍ମୋଚନ କରୁଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି।

ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲ ଶିକ୍ଷା ଓ  ଉଚ୍ଚଶିକ୍ଷାର ଅଗ୍ରଗତି ସମ୍ପର୍କରେ ଶ୍ରୀ ପ୍ରଧାନ ଆଲୋକପାତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ସ୍କୁଲ ଭିତ୍ତିଭୂମି ମଜଭୂତ୍ ହେବା ସହ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁବିଧାରେ ବ୍ୟାପକ ବୃଦ୍ଧି ପାଇଛି । ବିଦ୍ୟାଳୟ ଭିତ୍ତିଭୂମି ଏବଂ ଡିଜିଟାଲ ଅନ୍ତର୍ଭୁକ୍ତୀକରଣରେ ଉନ୍ନତି ଠାରୁ ଆରମ୍ଭ କରି ନାରୀଶକ୍ତିର ସଶକ୍ତୀକରଣ ଏବଂ ଭାରତୀୟ ଭାଷାକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପ ଗୁଣାତ୍ମକ, ସର୍ବବ୍ୟାପୀ ଏବଂ ସାମଗ୍ରିକ ବିକାଶ ପ୍ରତି ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ ହୋଇଛି ।

ଏହାର ବିସ୍ତୁତ ସୂଚନା ଦେଇ ସେ କହିଛନ୍ତି ଯେ ୨୦୧୩-୧୪ରେ ଦେଶର ୫୩ ପ୍ରତିଶତ ସ୍କୁଲରେ ବିଜୁଳି ଥିବା ବେଳେ ୨୦୨୩-୨୪ରେ ୯୧.୮ ପ୍ରତିଶତ ସ୍କୁଲରେ ବିଜୁଳି ପହଞ୍ଚିଛି । କମ୍ପ୍ୟୁଟର, ପାଠାଗାର, ଖେଳ ପଡ଼ିଆ ଭଳି ମୌଳିକ ସୁବିଧାରେ ମଧ୍ୟ ଅଭୂତପୂର୍ବ ବୃଦ୍ଧି ଘଟିଛି । ୨୦୧୩-୧୪ରେ ମାତ୍ର ୭.୧% ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ ଥିବା ବେଳେ ୨୦୨୩-୨୪ରେ ୫୪% ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ କରାଯାଇଛି। ଏବେ ଶତ ପ୍ରତିଶତ ସ୍କୁଲରେ ବାଳିକା ଶୌଚାଳୟ ରହିଛି। ସ୍ୱଚ୍ଛତାର ମାନଦଣ୍ଡରେ ଆମେ ପ୍ରାୟ ୧୦୦% ଆଡକୁ ଅଗ୍ରସର ହେଉଛୁ। ୨୦୧୩-୧୪ ତୁଳନାରେ ବିଶେଷ ଆବଶ୍ୟକତା ଥିବା ପିଲାଙ୍କ ପାଇଁ ଅଧିକ ପ୍ରତିଶତ ସ୍କୁଲ ରହିଛି । ୨୦୧୩-୧୪ରେ ଏହା ୫୬.୮% ଥିବାବେଳେ ୨୦୨୩-୨୪ରେ ଏହା ୭୭%କୁ ବୃଦ୍ଧି ପାଇଛି । ଶିକ୍ଷା କ୍ଷେତ୍ରରେ ପ୍ରତିବନ୍ଧକକୁ ଦୂର କରିବା ଏବଂ ଭିନ୍ନକ୍ଷମ ପିଲାଙ୍କ ପାଇଁ ଶତ ପ୍ରତିଶତ ଉପଲବ୍ଧତା ଦିଗରେ ଆମେ କାର୍ଯ୍ୟ କରୁଛୁ । ଗତ ୧୦ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ପିଛା ପିଛା ଖର୍ଚ୍ଚ ୧୩୦% ବୃଦ୍ଧି ପାଇଛି। ୨୦୧୩-୧୪ ବଜେଟରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚର ପରିମାଣ ୧୦,୭୮୦ ଟଙ୍କା ଥିବା ବେଳେ ୨୦୨୧-୨୨ ବଜେଟରେ ଏହା ୨୫,୦୪୩ ଟଙ୍କାକୁ ବୃଦ୍ଧି ପାଇଛି ।

ଆଜିକାଲି ଭାରତର ସମସ୍ତ ଅନୁସୂଚିତ ଭାଷାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ଡିଜିଟାଲ ବହି ଉପଲବ୍ଧ ହୋଇଛି । ବିଗତ ୧୦ ବର୍ଷ ମଧ୍ୟରେ ସ୍କୁଲ ବୋର୍ଡରେ ଗୁଣାତ୍ମକ ଓ ମାତ୍ରାତ୍ମକ ଉନ୍ନତି ଘଟିଛି। ୨୦୧୩-୧୪ରେ ଦଶମ ଶ୍ରେଣୀର ପାସ୍ ହାର ୫୮% ଥିବା ବେଳେ ଆଜି ତାହା ୯୫.୫%କୁ ବୃଦ୍ଧି ପାଇଛି। ଦଶମ ଶ୍ରେଣୀର ପାସ୍ ଅନୁପାତରେ ୬୪% ବୃଦ୍ଧି ଘଟିଛି।   ଦଶମ ଶ୍ରେଣୀରେ ଛାତ୍ରୀଙ୍କ ପାସ୍ ଅନୁପାତରେ ୭୨% ବୃଦ୍ଧି ଘଟିଛି। ଗତ ୧୦ ବର୍ଷ ମଧ୍ୟରେ ମହିଳା ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ସେହିପରି ପିଏମ୍ ପୋଷଣରେ କେନ୍ଦ୍ର ସରକାରଙ୍କ ନିବେଶ ଯଥେଷ୍ଟ ବୃଦ୍ଧି ପାଇଛି । ଏହି ଯୋଜନାରେ  ୨୦୧୪-୨୦୨୪ ମଧ୍ୟରେ ୧.୦୪ ଲକ୍ଷ କୋଟିରୁ ଅଧିକ ଆବଣ୍ଟନ କରାଯାଇଛି, ଯାହା ପୂର୍ବ ଦଶନ୍ଧିରେ ୭୧,୫୨୫ କୋଟି ଟଙ୍କା ଥିଲା ।  ପ୍ରାଥମିକ ଓ ବାଲବାଟିକା ଶ୍ରେଣୀ ପାଇଁ ଭୋଜନର ସାମଗ୍ରୀ ମୂଲ୍ୟ ୫.୪୫ ଟଙ୍କାରୁ ୬.୧୯ ଟଙ୍କା କରାଯାଇଛି  ଏବଂ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ୮.୧୭ ଟଙ୍କାରୁ ୯.୨୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।  ଏହି ବୃଦ୍ଧି ଯୋଗୁଁ ୨୪-୨୫ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୪୨୫.୬୨ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବହନ କରିବେ ।

ଉଚ୍ଚ ଶିକ୍ଷା କ୍ଷେତ୍ର ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦୀ ସରକାରରେ ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନର ସଂଖ୍ୟା ୧୪% ବୃଦ୍ଧି ପାଇଛି । ୨୦୧୪-୧୫ ଶିକ୍ଷାବର୍ଷରେ ଉଚ୍ଚ ଶିକ୍ଷାନୁଷ୍ଠାନ ସଂଖ୍ୟା ୫୧,୫୩୪ ଥିବା ବେଳେ ୨୦୧୨-୨୩ରେ ଏହି ସଂଖ୍ୟା ରହିଛି ୫୮,୬୩୪  । ୨୦୧୪ରୁ ୨୦୨୪ ମଧ୍ୟରେ ୮ ଟି ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ୭ ଟି ନୂଆ ଆଇଆଇଟି, ୮ ଟି ନୂଆ ଆଇଆଇଏମ୍, ୨ଟି ଆଇଜର ଏବଂ ଆଇଆଇଏସସି, ଗୋଟିଏ ଲେଖାଁଏ ଏନଆଇଟି ଏବଂ ଆଇଆଇଇଏସଟି ଏବଂ ୧୬ଟି ତ୍ରିପଲ ଆଇଆଇଟି ସ୍ଥାପିତ ହୋଇଛି । ଗତ ୧୦ ବର୍ଷ ମଧ୍ୟରେ ମୋଟ ୪୨ଟି ନୂତନ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଛି ।

ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୩୦% ବୃଦ୍ଧି ଘଟିଛି । ପୂର୍ବରୁ ୨୦୧୪-୧୫ରେ ଏହି ସଂଖ୍ୟା ୩.୪୨ କୋଟି ଥିବା ବେଳେ ୨୦୨୨-୨୩ରେ ଏହା ୪.୪୬ କୋଟିକୁ ବୃଦ୍ଧି ପାଇଛି । ମହିଳା ନାମଲେଖା .୫୭ କୋଟିରୁ ୨.୧୮ କୋଟିକୁ ବୃଦ୍ଧି ପାଇଛି ତଥା ୩୮.୪% ଅଭୂତପୂର୍ବ ସଫଳତା ହାସଲ କରିଛି। ସେହିପରି ଷ୍ଟେମ୍ ପାଠ୍ୟକ୍ରମରେ ମହିଳା ନାମଲେଖା ୩୫.୧୪ ଲକ୍ଷରୁ ୪୩.୦୩ ଲକ୍ଷକୁ ବୃଦ୍ଧି ପାଇଛି, ଯାହା କି ୨୩% ବୃଦ୍ଧି ପାଇଛି।  ଶିଳ୍ପ-ଶିକ୍ଷା ସହଯୋଗ ବୃଦ୍ଧି ହୋଇଛି ।  ୬ଟି ରିସର୍ଚ୍ଚ ପାର୍କ ପ୍ରତିଷ୍ଠା, ୧୩ଟି ନୂଆ ଗବେଷଣା ପାର୍କ ନିର୍ମାଣାଧୀନ ରହିଛି । ଶିକ୍ଷା କ୍ଷେତ୍ରରେ ବୃଦ୍ଧି ଉପରେ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳିଛି । କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ ୨୦୨୫ରେ ୪୬ ଜଣ ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି । ୨୦୧୫ ତୁଳନାରେ ୩୧୮% ବୃଦ୍ଧି ହୋଇଛି।

ଭାରତ ସରକାରଙ୍କ ଶିକ୍ଷା ନୀତିରେ ଭାରତୀୟ ଭାଷା ଓ ମାତୃଭାଷାକୁ ପ୍ରାଥମିକତା ଦିଆଯାଇଛି। ଆଜି ଆମର ପ୍ରବେଶିକା ପରୀକ୍ଷା ଆସାମୀ, ବଙ୍ଗାଳି, ଗୁଜରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲମ, ମରାଠୀ, ପଞ୍ଜାବୀ, ଓଡ଼ିଆ, ତାମିଲ, ତେଲୁଗୁ, ଉର୍ଦ୍ଦୁ ଏବଂ ଇଂରାଜୀ ଭଳି ୧୩ଟି ଭାଷାରେ ଅନୁଷ୍ଠିତ ହେଉଅଛି। ଏକାଡେମିକ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍, ସ୍ୱୟମ, ସମର୍ଥ, ସାଥୀ, ଏନଆଇଆରଏଫ ରାଙ୍କିଂ ଭଳି ପଦକ୍ଷେପର ଶୁଭାରମ୍ଭ ସହ ପୁସ୍ତକକୁ ପ୍ରୋତ୍ସାହନ ଓ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରେ ସ୍ମାର୍ଟ ଇଣ୍ଡିଆ ହାକାଥନର ଶୁଭାରମ୍ଭ ହୋଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନୂତନ ଏନସିଇଆରଟି ଅଡିଟୋରିୟମ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏନସିଇଆରଟି ଭାରତର ଗୌରବ ଏବଂ ଦେଶର ଶିକ୍ଷା ବ୍ୟବସ୍ଥାର ମୂଳଦୁଆ। ଏହା କେବଳ ଏକ ଅନୁଷ୍ଠାନ ନୁହେଁ ବରଂ ଦେଶର ଏକ ସାମୂହିକ ଶୈକ୍ଷିକ ଭଣ୍ଡାର। ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନସିଇଆରଟିର ୯୦୦ ସିଟ୍ କ୍ଷମତା ବିଶିଷ୍ଟ ନୂତନ ଅଡିଟୋରିୟମ ଏବଂ ଅନେକ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ତଥା ପଦକ୍ଷେପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନସିଇଆରଟି ଏବଂ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହା ଦ୍ୱାରା ସାରା ଦେଶରେ ବିଶେଷ କରି ଟାୟାର-୨ ଏବଂ ଟାୟାର-୩ ସହରରେ ଏନସିଇଆରଟି ପ୍ରକାଶନର ପୁସ୍ତକଗୁଡ଼ିକ ସୁଲଭ ମୂଲ୍ୟରେ ଶିକ୍ଷାର୍ଥୀଙ୍କ ପାଖରେ ପହଞ୍ଚିପାରିବ। ଏହି ଅବସରରେ ଶ୍ରୀ ପ୍ରଧାନ ଗୁଗୁଲ ଲର୍ଣ୍ଣିଂ ସେଣ୍ଟରକୁ ମଧ୍ୟ ଉଦଘାଟନ କରିଥିଲେ। ଏହି ପଦକ୍ଷେପ ଏଆଇ ସମେତ ଡିଜିଟାଲ ଉପକରଣରେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କ ଦକ୍ଷତା ବିକାଶରେ ସହାୟକ ହେବ। କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ପର୍ଯ୍ୟାପ୍ତ କମ୍ପ୍ୟୁଟର ଓ ନେଟୱାର୍କିଂ ସୁବିଧା ଥିବା ୪୦ ଜଣଙ୍କ ପାଇଁ ଏକ ଅତ୍ୟାଧୁନିକ ଲ୍ୟାବ୍ ଓ ପିଏମ ଇ ବିଦ୍ୟା ଟିଭି ଚ୍ୟାନେଲର ପ୍ରସାରଣ ପାଇଁ ୨୦୦ ଟି ୟୁଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ ନିଷ୍ଠା ସମନ୍ୱିତ ଶିକ୍ଷକ ପ୍ରଶିକ୍ଷଣ ମଡ୍ୟୁଲ, ନିଷ୍ଠା-ଇଟି, କୌଶଲ ଏବଂ ଏଜ୍ୟୁକେସନ ଲିଡରକୁ ଉନ୍ମୋଚନ କରିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏନସିଇଆରଟି ଏକ ଗବେଷଣା ବିଶ୍ୱବିଦ୍ୟାଳୟରେ ପରିଣତ ହେବା ପରେ ଏହା ଗୋଟିଏ ଛାତ ତଳେ ବିଷୟବସ୍ତୁ ବିକାଶ, ପାଠ୍ୟକ୍ରମ ଡିଜାଇନ୍, ଶିକ୍ଷାଗତ ପଦ୍ଧତି, ଅଭିନବ ଶିକ୍ଷାଗତ ଅଭ୍ୟାସ, ଶିକ୍ଷକ ଦକ୍ଷତା ବୃଦ୍ଧି ଏବଂ ଟେକ୍ନୋଲୋଜି ନିବେଶକୁ ସମନ୍ଵିତ କରି ଏକ ମେଲଟିଂ ପଟରେ ପରିଣତ ହେବାର ଇଚ୍ଛା ରଖିବା ଆବଶ୍ୟକ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏକବିଂଶ ଶତାବ୍ଦୀର ଶିକ୍ଷା ଓ ଲର୍ଣ୍ଣରଙ୍କ ପାଇଁ ଭାରତର ନୂତନ ପିଢ଼ିଙ୍କୁ ପ୍ରସ୍ତୁତ କରିବା ପାଇଁ ସେ ଏନସିଇଆରଟିର ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏନସିଇଆରଟି ଏବଂ ଫ୍ଲିପକାର୍ଟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଏନସିଇଆରଟି ପାଠ୍ୟପୁସ୍ତକର ଉପଲବ୍ଧତା ବୃଦ୍ଧି ପାଇବ ଏବଂ ଦେଶର କୋଣ ଅନୁକୋଣରେ ପୁସ୍ତକ ଗୁଡ଼ିକ ଶିକ୍ଷାର୍ଥୀଙ୍କ ଡୋରଷ୍ଟେପରେ ପହଞ୍ଚିପାରିବ। ନିଷ୍ଠା ଶିକ୍ଷକ ପ୍ରଶିକ୍ଷଣ ମଡ୍ୟୁଲ୍ ଏବଂ ଗୁଗୁଲ ଇଣ୍ଡିଆ ଦ୍ୱାରା ଅନୁଭୂତିମୂଳକ ଶିକ୍ଷା କେନ୍ଦ୍ର ଭଳି ପଦକ୍ଷେପ ଶିକ୍ଷକମାନଙ୍କ ଦକ୍ଷତାକୁ ସୁଦୃଢ଼ କରିବ ଏବଂ ଉଭୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ଯେ, ଫ୍ଲିପକାର୍ଟ ପୂର୍ବରୁ ଭାରତ ସରକାରଙ୍କ ଅଧୀନରେ ଥିବା ଏନସିଇଆରଟି ଏବଂ ଅନ୍ୟତମ ସର୍ବବୃହତ ଇ-କମର୍ସ ପ୍ଲାଟଫର୍ମ ଆମାଜନ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଲେଟର୍ ଅଫ୍ ଏନଗେଜମେଣ୍ଟ(ଏଲଓଇ) ସ୍ୱାକ୍ଷରିତ ହୋଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଅଣ ଗେଜଟେଡ୍‌ ବନସେବା ସଂଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଓଡିଶା ଅଣ ଗେଜଟେଡ୍‌ ବନସେବା ସଂଘର ସାଧାରଣ ପରିଷଦ ବୈଠକରେ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ରାଜ୍ୟର ବନାଞ୍ଚଳ ସୁରକ୍ଷାରେ ବନ କର୍ମଚାରୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲ କ୍ଷେତ୍ରଫଳ ଦୃଷ୍ଟିରୁ ଓଡିଶା ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ବନ କର୍ମଚାରୀମାନେ ଜଙ୍ଗଲ ସୁରକ୍ଷାରେ ନିଷ୍ଠାର ସହ କାର୍ଯ୍ୟ କରୁଥିବାରୁ ରାଜ୍ୟର ଜଙ୍ଗଲ ଘନତ୍ବକୁ ସୁରକ୍ଷା ଦେବା ସମ୍ଭବ ହୋଇପାରିଛି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ୨୦୭୦ ସୁଦ୍ଧା ଅଙ୍ଗାରକାମ୍ଳମୁକ୍ତ ରାଷ୍ଟ୍ର ହେବାର ସଂକଳ୍ପ ନେଇ ଆଗକୁ ବଢୁଛି । ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକ ଅଭିନବ କାର୍ଯ୍ୟକ୍ରମ – ଏକ ପେଡ ମାଆ କେ ନାମ ଆରମ୍ଭ କରାଯାଇଛି। ଏହା ଭବିଷ୍ୟତ ପିଢି ପାଇଁ ଜଙ୍ଗଲ ସୃଷ୍ଟି ଓ ପରିବେଶ ସୁରକ୍ଷାରେ ବେଶ ସହାୟକ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପରିବେଶ ସନ୍ତୁଳନ ରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ନାରୀ ନେତ୍ରୀଙ୍କ ପାଇଁ ଦିନିକିଆ କର୍ମଶାଳାକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନାରୀଶକ୍ତି ହେଉଛି ଶକ୍ତି, ନମ୍ରତା ଏବଂ ଆଶାର ପ୍ରତୀକ। ଭାରତୀୟ ସଭ୍ୟତାରେ ମହିଳାମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ସହ ଉତ୍ତମ ବ୍ୟବହାର କରିବାର ଅନ୍ତର୍ନିହିତ ମୂଲ୍ୟବୋଧ ରହିଛି ବୋଲି ଶୁକ୍ରବାର ନୂଆଦିଲ୍ଲୀରେ ୟୁଜିସି ଦ୍ୱାରା ଆୟୋଜିତ ମହିଳା ନେତ୍ରୀମାନଙ୍କ ପାଇଁ ଦିନିକିଆ କର୍ମଶାଳାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି କର୍ମଶାଳାର ବିଷୟବସ୍ତୁ ରହିଥିଲା ‘ମହିଳା ନେତୃତ୍ୱ: ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଏକାଡେମିକ ଉତ୍କର୍ଷତା’। ଏହି ଅବସରରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତିର ପରିକଳ୍ପନା, ଶିକ୍ଷାର ପ୍ରତ୍ୟେକ ସ୍ତରରେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱରୋପ କରିଥିଲେ । ମହିଳାମାନେ କିପରି ଉଚ୍ଚଶିକ୍ଷାରେ ଆଗକୁ ବଢୁଛନ୍ତି ଏବଂ ସେମାନଙ୍କ ନେତୃତ୍ୱକୁ ଆଗକୁ ନେବା ପାଇଁ ପ୍ରେରିତ କରିବା ଦିଗରେ ଏହି କର୍ମଶାଳା ଏକ ମାଧ୍ୟମ ହେବ ବୋଲି ସେ କହିଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଉଭା ହେଉଥିବା ନୂତନ ବିଶ୍ୱ ବ୍ୟବସ୍ଥା ଜ୍ଞାନ ଦ୍ୱାରା ପରିଚାଳିତ ହେବ । ବର୍ତ୍ତମାନ ସମୟରେ ମହିଳାମାନେ ଅନେକ ବାଧାବିଘ୍ନକୁ ସାମ୍ନା କରି ଆଗକୁ ବଢୁଛନ୍ତି । ଷ୍ଟେମ ଶିକ୍ଷା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଛି । ସବୁ କ୍ଷେତ୍ରରେ ମହିଳାଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଜରୁରୀ । ଗତ ୧୦ ବର୍ଷ ମଧ୍ୟରେ ମୋଦୀ ସରକାର ମହିଳାଙ୍କ ବିକାଶରୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶରେ ପରିବର୍ତ୍ତନ ଆଣିବା ଦିଗରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ଦିଗରେ ନାରୀ ଶକ୍ତି ଅଧିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ମହିଳାଙ୍କ ସମାନତା ଓ ସଶକ୍ତୀକରଣ ହିଁ ଆମ ସମାଜ ଓ ରାଷ୍ଟ୍ରକୁ ସଶକ୍ତ କରିପାରିବ ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମହିଳା ସଶକ୍ତୀକରଣର ଏକ ଭାରତୀୟ ମଡେଲ ସୃଷ୍ଟି କରିବା ଉପରେ ଗୁରୁତ୍ୱରାପ କରିଥିଲେ । ସେ କହିଥିଲେ ଆମକୁ ମହିଳାଙ୍କ ପାଇଁ ଏପରି ଏକ ମଡେଲ ସୃଷ୍ଟି କରିବାକୁ ହେବ, ଯେଉଁ ମଡେଲ ଦ୍ୱାରା ମହିଳାମାନେ ସ୍ୱଇଚ୍ଛା ଅନୁସାରେ ସବୁ ନିଷ୍ପତି ନିଜେ ନେଇପାରିବେ । ତେବେ ଆଜିର କର୍ମଶାଳାରେ ହୋଇଥିବା ଆଲୋଚନା ଏବଂ ଅନେକ ବ୍ୟକ୍ତିବିଶେଷଙ୍କ ଅଭିଜ୍ଞତା ଆଦାନ ପ୍ରଦାନରେ ଏକ ରୋଡ୍ ମ୍ୟାପ୍ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ ଶିକ୍ଷା ଓ ବିକାଶ ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମଦାର ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ୍ ଫାଇନାଲ୍ ଉଦଘାଟିତ

ଭୁବନେଶ୍ୱର: ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣର ଗ୍ରାଣ୍ଡ ଫାଇନାଲ୍ ଆଜି ଉଦଘାଟିତ ହୋଇଛି। ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର, ୫୧ଟି ଅନୁଷ୍ଠାନ ମଧ୍ୟରେ ଏକ ନୋଡାଲ୍ ଏଜେନ୍ସି ଭାବରେ ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ହେଉଛି ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯାହାକି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଆନୁକୂଲ୍ୟରେ ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍ ସେଲ୍ ଏବଂ ଏଆଇସିଟିଇ ଦ୍ୱାରା ଆୟୋଜିତ ହେଉଛି।

ଦେଶବ୍ୟାପୀ ଉଦ୍ଘାଟନ ପୂର୍ବରୁ, ଆଇଆଇଟି ଭୁବନେଶ୍ୱରରେ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକରଙ୍କ ଦ୍ୱାରା ସ୍ଥାନୀୟ ଭାବେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିଲା। ଏହି ଅବସରରେ, ସହକାରୀ ଇନୋଭେସନ୍ ନିର୍ଦ୍ଦେଶକ, ଶିକ୍ଷା ମନ୍ତ୍ରାଳୟର ଇନୋଭେସନ୍ ସେଲ୍ ଶ୍ରୀ ଦୀପନ ସାହୁ; ଡିନ୍ (ଛାତ୍ର ବ୍ୟାପାର), ଆଇଆଇଟି ଭୁବନେଶ୍ୱରପ୍ରଫେସର ରାଜେଶ ରୋଶନ ଦାଶ; ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ଯ୍ୟ; ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗୀ ଉଦ୍ୟାନର ସିଇଓ ଡକ୍ଟର ଶୁଭଙ୍କର ପତି ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଫେସର କରମଲକର ତାଙ୍କ ମୂଖ୍ୟ ଅଭିଭାଷଣରେ ଯେ କୌଣସି କ୍ଷେତ୍ରରେ ସଫଳତା ପାଇଁ ଯୋଗାଯୋଗ, ସହଯୋଗ ଏବଂ ସମାଲୋଚନାକାରୀ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରିଥିଲେ। “ଏହି ପରି ହାକାଥନ୍ ଛାତ୍ରମାନଙ୍କୁ ଏହି କୌଶଳ ହାସଲ କରିବାରେ ସାହାଯ୍ୟ କରିବ, ଯାହା ସେମାନଙ୍କୁ ସେମାନଙ୍କର ବୃତ୍ତିଗତ ଜୀବନରେ ଏବଂ ବାସ୍ତବ ଜୀବନର ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ । ଏହି କାର୍ଯ୍ୟକ୍ରମ ଆୟୋଜନ କରି ଆଇଆଇଟି ଭୁବନେଶ୍ୱର ଏକାଡେମୀ, ଶିଳ୍ପ ଏବଂ ସରକାରଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଉଦ୍ୟୋଗୀ ମାନସିକତାକୁ ବୃଦ୍ଧି କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛି।” ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଆଇଆଇଟି ଭୁବନେଶ୍ୱର ଏହାର ସ୍ନାତକ ଏବଂ ପିଏଚଡି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପାଠ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗର ଚିନ୍ତାଧାରା ସହିତ ପରିଚିତ କରାଉଛି। ଏହା ଛାତ୍ରମାନଙ୍କୁ ସେମାନଙ୍କ କ୍ଷେତ୍ରରେ ଉପଯୁକ୍ତ ସମସ୍ୟା ବାଛିବାରେ ସକ୍ଷମ କରିବ ଯାହାର ସମାଧାନ ବ୍ୟବସାୟିକରଣ ପାଇଁ ସୁବିଧାଜନକ ହେବ । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଜ୍ଞାନର ଉତ୍ପାଦନ ଭଳି ଧନ ଉତ୍ପାଦନ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଭଳି ପଦକ୍ଷେପ ଦ୍ୱାରା ଏହା ସମ୍ଭବପର ହୋଇପାରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ।

ଏହି ଅବସରରେ ଦୀପନ୍ ସାହୁ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୪ ର ମହତ୍ତ୍ୱ ଏବଂ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଆଇଆଇଟି ଭୁବନେଶ୍ୱର ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୪ ର ସଫ୍ଟୱେର୍ ସଂସ୍କରଣ ଆୟୋଜନ କରୁଛି। ଆଗାମୀ ୩୬ ଘଣ୍ଟା ମଧ୍ୟରେ କୋଡିଂ ଏବଂ ପ୍ରୋଗ୍ରାମିଂରେ ନିଜର ଦକ୍ଷତା ପ୍ରଦର୍ଶନ କରିବାକୁ ଏହି ମେଗା ଇଭେଣ୍ଟରେ ୧୮୦ ଟି ଅଂଶଗ୍ରହଣକାରୀଙ୍କ ସହ ଦେଶର ୨୬ ଟି ଦଳ ଅଂଶଗ୍ରହଣ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳ ମାନସିକତା ସୃଷ୍ଟି କରିବା ଏବଂ ସେମାନଙ୍କୁ ବାସ୍ତବ ଜୀବନର ସମସ୍ୟାର ଅନୁସନ୍ଧାନ କରିବା, ସହଯୋଗୀ ମନୋବୃତ୍ତିରେ ଦଳବଦ୍ଧ ଭାବେ କାର୍ଯ୍ୟ କରିବା ଏବଂ ଟେକ୍ନୋଲୋଜି ସାହାଯ୍ୟରେ ସମାଧାନ ବାହାର କରିବା ପାଇଁ ତତ୍ପର ହେବା ।

କାର୍ଯ୍ୟକ୍ରମର ଆରମ୍ଭରେ ଡକ୍ଟର ଶୁଭଙ୍କର ପତି ଅତିଥିବୃନ୍ଦ ଏବଂ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ସେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୪ ବିଷୟରେ ପରିଚୟ ଦେଇଥିଲେ । ପ୍ରଫେସର ରାଜେଶ ରୋଶନ ଦାଶ ତାଙ୍କ ଅଭିଭାଷଣରେ ଛାତ୍ରମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାକୁ ତଥା ସମସ୍ୟାର ସମାଧାନ ପାଇଁ ଅଭିନବ ଉପାୟ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଯୋଗ ଦେଇ ଶ୍ରୀ ବାମଦେବ ଆଚାର୍ଯ୍ୟ ଗବେଷଣା ଏବଂ ନବସୃଜନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ଏହି ପରି ଘଟଣା ଛାତ୍ରଛାତ୍ରୀମାନଙ୍କୁ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ଭଳି ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ।

ଦେଶର ବିଭିନ୍ନ ପ୍ରାନ୍ତରୁ ୨୬ ଟି ଟିମ୍ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି ଏବଂ ଆଗାମୀ ୩୬ ଘଣ୍ଟା ମଧ୍ୟରେ କୋଡିଂ ଏବଂ ପ୍ରୋଗ୍ରାମିଂରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବେ । ଏହି ଦଳଗୁଡିକ ପାଞ୍ଚଟି ଜଟିଳ ସମସ୍ୟା ବିବୃତ୍ତି ପାଇଁ ଅଭିନବ ସମାଧାନର ବିକାଶ ପାଇଁ ଏକ ଉଚ୍ଚ-ଷ୍ଟକ୍ ଚ୍ୟାଲେଞ୍ଜରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସମସ୍ୟା ବିବୃତ୍ତିଗୁଡ଼ିକ ହେଉଛି: ‘ନିରନ୍ତରତା ପାଇଁ ନବାଚର: ଘରୋଇ ଉପକରଣ (ରେଫ୍ରିଜରେଟର, ଏୟାର କଣ୍ଡିସନର, ୱାଶିଂ ମେସିନ୍ ଏବଂ ମରୁଭୂମି ଏୟାର କୁଲର୍) ରେ ସ୍ମାର୍ଟ ରିସୋର୍ସ ସଂରକ୍ଷଣ (ଶକ୍ତି ଏବଂ ଜଳ) ; ଟେଲିଗ୍ରାମ, ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ ଭିତ୍ତିକ ଡ୍ରଗ୍ କାରବାର ପଛରେ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବା ପାଇଁ ସଫ୍ଟୱେର୍ ସମାଧାନ; ଏକ କ୍ରିପ୍ଟୋକରେନ୍ସି କାରବାରର ଶେଷ ରିସିଭର୍ ଚିହ୍ନଟ କରିବାକୁ ସଫ୍ଟୱେର୍ ସମାଧାନ; ରିଅଲ୍-ଟାଇମ୍ ବିପର୍ଯ୍ୟୟ ସୂଚନା ଏକୀକରଣ ସଫ୍ଟୱେର୍; ଉନ୍ନତ ଉତ୍ପାଦନ ଏବଂ ଗୁଣବତ୍ତା ନିୟନ୍ତ୍ରଣ ପାଇଁ ଏଆଇ/ଏମଏଲ କିମ୍ବା କୌଣସି ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଆଲୁମିନିୟମ୍ ୱାୟର ରଡର ଭୌତିକ ଗୁଣର ଭବିଷ୍ୟ ଆକଳନ ଆଦି। ସେମାନଙ୍କୁ ଏନଡିଆରଏଫ, ଏନସିବି, ଏମଓଇ-ଇନୋଭେସନ ସେଲ, ଗୋଦରେଜ ଏବଂ ନାଲକୋ ର ମୂଲ୍ୟାଙ୍କନକାରୀମାନେ ବିଚାର କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପୁସ୍ତକ ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା-ସଂଚୟନ’ ଉନ୍ମୋଚିତ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ମଙ୍ଗଳବାର ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହୋଇଥିବା ମହାନ ଶିକ୍ଷାବିତ୍ ତଥା ହିନ୍ଦୀ ସାହିତ୍ୟିକ ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ଉପରେ କେନ୍ଦ୍ରୀତ ପୁସ୍ତକ ‘ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା-ସଂଚୟନ’ ଉନ୍ମୋଚିତ ହୋଇଯାଇଛି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରସିଦ୍ଧ ଲେଖକ ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ମହାନ ବ୍ୟକ୍ତିତ୍ୱ ଓ ଚିନ୍ତାଧାରାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଦିଗରେ ସାହିତ୍ୟ ଏକାଡେମୀର ଏହି ପୁସ୍ତକ ଏକ ସାର୍ଥକ ପ୍ରୟାସ ଏବଂ ତାଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ଅଟେ । ଜଣେ ପ୍ରକୃତ ଦେଶଭକ୍ତ, କର୍ମଠ ନେତା ଏବଂ ଜଣେ ପ୍ରଖ୍ୟାତ ବିଦ୍ୱାନ ଭାବରେ ବିଷ୍ଣୁକାନ୍ତ ଶାସ୍ତ୍ରୀ ଭାରତରେ ସାଂସ୍କୃତିକ ଜାତୀୟତାବାଦକୁ ଦିଗଦର୍ଶନ ଦେଇଥିଲେ ।

୩୦ ବର୍ଷ ପୂର୍ବେ ଆଦରଣୀୟ ଶାସ୍ତ୍ରୀଜୀଙ୍କ ମାର୍ଗଦର୍ଶନରେ ମୁଁ ଗଣତନ୍ତ୍ରର ମନ୍ଦିର ‘ସଂସଦ’କୁ ଯାଇ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ବୁଝିବାର ସୁଯୋଗ ପାଇଥିଲି, ଯାହା ମୋର ସୌଭାଗ୍ୟ । ସେ ଜଣେ ଦେଶଭକ୍ତ ଭାବରେ ଶ୍ରୀରାମ ଜନ୍ମଭୂମି ଏବଂ ଧାରା ୩୭୦ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

ସ୍ୱାମୀ ବିବେକାନନ୍ଦଙ୍କଠାରୁ ଆରମ୍ଭ କରି ବିଷ୍ଣୁକାନ୍ତ ଶାସ୍ତ୍ରୀଜୀଙ୍କ ପର୍ଯ୍ୟନ୍ତ, ଏହି ମହାନ ବ୍ୟକ୍ତିତ୍ୱମାନେ ଯେଉଁ ଭାରତୀୟତାର ମୂଳ ଉପରେ ଯୋର୍ ଦେଇଥିଲେ, ତାହାକୁ ସାକାର କରିବାର ମାର୍ଗ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ପ୍ରଣୟନ ହୋଇଥିବା ‘ଜାତୀୟ ଶିକ୍ଷା ନୀତି -୨୦୨୦’ ଅଟେ ।

“ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ରଚନା-ସଂଚୟନ” ପୁସ୍ତକ ଉନ୍ମୋଚନ ଅବସରରେ ପୁସ୍ତକକୁ ସମ୍ପାଦନ କରିଥିବା ଡ. ପ୍ରେମ ଶଙ୍କର ତ୍ରିପାଠୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀକୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାରେ ଖୋଲିବ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଓଡ଼ିଶାରେ ୮ଟି ଏବଂ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଏହି ନୂଆ ବିଦ୍ୟାଳୟ ମଞ୍ଜୁର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଭାରତ ସରକାର ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ସମ୍ପ୍ରସାରଣ ପାଇଁ ପ୍ରାୟ ୫୮୭୨ କୋଟି ଟଙ୍କା ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରାୟ ୨୩୫୯ କୋଟି ଟଙ୍କା ଖର୍ଚ୍ଚ କରିବେ।  ଏହା ଦ୍ୱାରା ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ। ପ୍ରତିଷ୍ଠା ହେବାକୁ ଥିବା ସ୍ଥାନରେ ଶିକ୍ଷାର ଭିତ୍ତିଭୂମିର ବିକାଶ ହେବ। ଛାତ୍ରଛାତ୍ରୀ ବିଶେଷ ଭାବରେ ଏସସି, ଏସଟି ଓ ଓବିସି ବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ। ବିଦ୍ୟାଳୟ ସ୍ତରରେ ଶିକ୍ଷାର ମାନରେ ଉନ୍ନତି ହେବ। ଛାତ୍ରଛାତ୍ରୀଙ୍କ ମାନସିକ, ଶାରିରୀକ, କ୍ରିଟିକାଲ ଥିଙ୍କିଂ ସହ ବୌଦ୍ଧିକ କ୍ଷମତା ବିକଶିତ ହେବ। ସ୍ଥାନୀୟ ଅଞ୍ଚଳରେ ଅନେକ ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡ଼ିଶାର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ଅନୁଗୋଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକ, ଢେଙ୍କାନାଳର କାମାକ୍ଷାନଗର, ଖୋର୍ଦ୍ଧା ଜିଲ୍ଲାର ଆଇଟିବିପି ଖୋର୍ଦ୍ଧା, କୋରାପୁଟ ଜିଲ୍ଲାର ଜୟପୁର, ବଲାଙ୍ଗୀର ଜିଲ୍ଲାର ରେଲଓ୍ୱେ ଟିଟିଲାଗଡ଼ ଓ ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ହେବାର ନିଷ୍ପତି ଦ୍ୱାରା ସ୍ଥାନୀୟ ଲୋକମାନଙ୍କର ଥିବା ଦୀର୍ଘ ଦିନର ଆଶା ଓ ଆପେକ୍ଷା ପୂରଣ ହେବାକୁ ଯାଉଛି। ଓଡ଼ିଶାରେ ଶିକ୍ଷାର ବିକାଶ ଓ  ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ଏହି ନିର୍ଣ୍ଣୟ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସାଙ୍କେତିକ ଭାଷା ପାଇଁ ପିଏମ ଇ-ବିଦ୍ୟା ଡିଟିଏଚ ଚ୍ୟାନେଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀ ଭିତ୍ତିକ ପାଠ୍ୟଖସଡା ତଥା ଯୋଗାଯୋଗ ଦକ୍ଷତା କ୍ଷେତ୍ରରେ ସହାୟକ ହେବା ଲକ୍ଷ୍ୟରେ ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭାରତୀୟ ସାଙ୍କେତିକ ଭାଷା (ଆଇଏସଏଲ) ପାଇଁ ପିଏମ ଇ-ବିଦ୍ୟା ଡିଟିଏଚ ୨୪ ଘଣ୍ଟିଆ ଚ୍ୟାନେଲ ନମ୍ବର -୩୧ର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ସ୍ୱତନ୍ତ୍ର ଆବଶ୍ୟକତା କରୁଥିବା ପିଲାମାନଙ୍କ ଶିକ୍ଷାକୁ ବିଶେଷ ପ୍ରାଥମିକତା ଦେଇଛି। ଏହି ପଦକ୍ଷେପ ବହୁ ସର୍ବସ୍ପର୍ଶୀ ଓ ସମାବେଶୀ ଶିକ୍ଷା ବ୍ୟବସ୍ଥାରେ  ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ଭାରତୀୟ ସାଙ୍କେତିକ ଭାଷାର ଗୁରୁତ୍ୱ ଉପରେ ଆଲୋକପାତ କରି ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଯୋଗାଯୋଗ ପାଇଁ ଶବ୍ଦ ଏକମାତ୍ର ମାଧ୍ୟମ ନୁହେଁ ; ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବାରେ ବିକଳ୍ପ ରୂପ ତଥା ସାଙ୍କେତିକ ଭାଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭାରତରେ ଶ୍ରବଣହୀନ ଜନସଂଖ୍ୟାକୁ ସମର୍ଥନ କରିବା ପାଇଁ ଅଧିକରୁ ଅଧିକ ଲୋକ ଭାରତୀୟ ସାଙ୍କେତିକ ଭାଷା  ଶିଖିବାର ପରିକଳ୍ପନା କରି ଏହାକୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ବିକଶିତ କରିବା ଦରକାର । ଏହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରେ ସହାୟକ ହେବ।

ଯୋଗାଯୋଗକୁ ସୁଗମ କରିବା ପାଇଁ ଶ୍ରୀ ପ୍ରଧାନ ଶୁଭାରମ୍ଭ ହୋଇଥିବା ଚ୍ୟାନେଲ ୩୧କୁ ଏକ ସେତୁ ବୋଲି ଅଭିହିତ କରିବା ସହ ଏହାକୁ  ଲୋକପ୍ରିୟ କରିବା ଏବଂ ଭାରତୀୟ ସଂକେତିକ ଭାଷା ପାଇଁ ବିଶ୍ୱର ପ୍ରବେଶ ଦ୍ୱାର ଭାବରେ ସମଗ୍ର ଭାରତରେ ଏହାର ଉପଲବ୍ଧି ସୁନିଶ୍ଚିତ କରିବାକୁ ସେ ଷ୍ଟେକହୋଲଡରମାନଙ୍କୁ ନିବେଦନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ପଦକ୍ଷେପ ସାମ୍ବିଧାନିକ ଅଧିକାର ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଛି, ଯାହା ସମସ୍ତ ନାଗରିକଙ୍କ ପାଇଁ ଶିକ୍ଷା ଏବଂ ସମ୍ବଳର ସମାନ ଉପଲବ୍ଧତାକୁ ସୁନିଶ୍ଚିତ କରିବ । ଭାରତୀୟ ସାଙ୍କେତିକ ଭାଷା ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପିତ କରିବା, ବୃହତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଭାରତକୁ ଅଧିକ ସମାବେଶୀ ଭବିଷ୍ୟତ ଆଡକୁ ନେବାର କ୍ଷମତା ରଖିଛି ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ବଧିର ପିଲାଙ୍କୁ ଏକ ଶୈକ୍ଷିକ ବାତାବରଣ ଦେବା ଲାଗି ଭାରତୀୟ ସାଙ୍କେତିକ ଭାଷାକୁ ଉନ୍ନତ କରାଯାଉଛି । ଜାତୀୟ ଶିକ୍ଷା ନୀତି ଅନୁସାରେ ଭାରତୀୟ ସାଙ୍କେତିକ ଭାଷା ବା ଆଇଏସଏଲକୁ ସାରା ଦେଶରେ ପ୍ରଚଳନ କରାଯିବ। ବଧିର ପିଲାଙ୍କ ପଢିବା ଲାଗି ବି କେନ୍ଦ୍ର ଓ ରାଜ୍ୟ ପାଠ୍ୟ ଖସଡାରେ ବିଭିନ୍ନ ଉପକରଣ ସାମିଲ କରାଯାଇଛି। ଭାରତୀୟ ସାଙ୍କେତିକ ଭାଷା ବା ଆଇଏସଏଲକୁ ବିଦ୍ୟାଳୟର ଏକ ଭାଷାଭିତିକ ପାଠ୍ୟକ୍ରମ ଭାବରେ ସାମିଲ କରିବାକୁ ଲକ୍ଷ୍ୟ ରଖି ଏହି ପିଏମ ଇ-ବିଦ୍ୟା ଚ୍ୟାନେଲ ଲୋକାର୍ପଣ କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ପାଠ୍ୟ ଖସଡାର ବଧିର ଛାତ୍ରଛାତ୍ରୀ, ଶିକ୍ଷକ, ପ୍ରଶିକ୍ଷକ, ନିଯୁକ୍ତି ପ୍ରଶିକ୍ଷଣର ବିଭିନ୍ନ ଅଂଶୀଦାରଙ୍କ ଲାଗି ଏହି ଚ୍ୟାନେଲ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଇଂରାଜୀ, ହିନ୍ଦୀ ପରି ଆଇଏସଏଲ ବା ଏହି ସାଙ୍କେତିକ ଭାଷାକୁ ଏକ ଭାଷାର ମାନ୍ୟତା ଦେବା ଲାଗି ଏହି ଡିଟିଏଚ ଚ୍ୟାନେଲ ପ୍ରମୁଖ ଭୂମିକା ନିଭାଇବ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ ବଧିର ପିଲା, ସ୍ୱତନ୍ତ୍ର ପ୍ରଶିକ୍ଷକ, ଆଏସଏଲ ସ୍ୱୀକୃତିପ୍ରାପ୍ତ ବ୍ୟାଖ୍ୟାକାର ଓ ଅନେକ ବଧିର ଅନୁଷ୍ଠାନର ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ବୁଧବାର ପିଏମ ଇ-ବିଦ୍ୟା ଡିଟିଏଚକୁ ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ବୁଧବାର ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଙ୍କେତିକ ଭାଷାର ପିଏମ ଇ-ବିଦ୍ୟା ଡିଟିଏଚ ଚ୍ୟାନେଲ ନମ୍ବର ୩୧କୁ ଲୋକାର୍ପଣ କରିବେ। କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ବହୁ ସଂଖ୍ୟାରେ ବଧିର ପିଲା, ସ୍ୱତନ୍ତ୍ର ପ୍ରଶିକ୍ଷକ, ଆଏସଏଲ ସ୍ୱୀକୃତିପ୍ରାପ୍ତ ବ୍ୟାଖ୍ୟାକାର ଓ ଅନେକ ବଧିର ଅନୁଷ୍ଠାନର ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ନେବେ।

ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ବଧିର ପିଲାଙ୍କୁ ଏକ ଶୈକ୍ଷିକ ବାତାବରଣ ଦେବା ଲାଗି ଭାରତୀୟ ସାଙ୍କେତିକ ଭାଷାକୁ ଉନ୍ନତ କରାଯାଉଛି। ଏନଇପି ବା ଜାତୀୟ ଶିକ୍ଷାନୀତିର ପାରା ୪.୨୨ ଅନୁସାରେ ଭାରତୀୟ ସାଙ୍କେତିକ ଭାଷା ବା ଆଇଏସଏଲକୁ ସାରା ଦେଶରେ ପ୍ରଚଳନ କରାଯିବ। ବଧିର ପିଲାଙ୍କ ପଢିବା ଲାଗି ବି କେନ୍ଦ୍ର ଓ ରାଜ୍ୟ ପାଠ୍ୟ ଖସଡାରେ ବିଭିନ୍ନ ଉପକରଣ ସାମିଲ କରାଯାଇଛି। ତେବେ ସ୍ଥଳ ବିଶେଷରେ ସ୍ଥାନୀୟ ଭାଷାକୁ ଗୁରୁତ୍ୱ ବି ଦିଆଯିବ ବୋଲି କୁହାଯାଇଛି।

ଭାରତୀୟ ସାଙ୍କେତିକ ଭାଷା ବା ଆଇଏସଏଲକୁ ବିଦ୍ୟାଳୟର ଏକ ଭାଷା ଭିତିକ ପାଠ୍ୟକ୍ରମ ଭାବରେ ସାମିଲ କରିବାକୁ ଲକ୍ଷ୍ୟ ରଖି ଏହି ପିଏମ ଇ-ବିଦ୍ୟା ଚ୍ୟାନେଲ ଲୋକାର୍ପଣ କରାଯିବ। ଉଭୟ କେନ୍ଦ୍ର ଓ ରାଜ୍ୟ ପାଠ୍ୟ ଖସଡାର ବଧିର ଛାତ୍ରଛାତ୍ରୀ, ଶିକ୍ଷକ, ପ୍ରଶିକ୍ଷକ, ନିଯୁକ୍ତି ପ୍ରଶିକ୍ଷଣର ବିଭିନ୍ନ ଅଂଶୀଦାରଙ୍କ ଲାଗି ଏହି ଚ୍ୟାନେଲ ବହୁ ଗୁରୁତ୍ୱପୂର୍ଣ ଭୂମିକା ନିଭାଇବ। ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀ ଭିତିକ ପାଠ୍ୟଖସଡା ତଥା ଯୋଗାଯୋଗ ଦକ୍ଷତା କ୍ଷେତ୍ରରେ ଏହି ଚ୍ୟାନେଲ କାମ କରିବ। ଇଂରାଜୀ, ହିନ୍ଦୀ ପରି ଆଇଏସଏଲ ବା ଏହି ସାଙ୍କେତିକ ଭାଷାକୁ ଏକ ଭାଷାର ମାନ୍ୟତା ଦେବା ଲାଗି ଏହି ଡିଟିଏଚ ଚ୍ୟାନେଲ ପ୍ରମୁଖ ଭୂମିକା ନିଭାଇବ।

Categories
ଆଜିର ଖବର ରାଜ୍ୟ ଖବର

ଖରୀଆର ରୋଡ ନଗର ଅଧ୍ୟକ୍ଷାଙ୍କ ଦିଲ୍ଲୀ ଗସ୍ତ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ

ଭୁବନେଶ୍ଵର: ଖରୀଆର ରୋଡ ନଗର ଅଧ୍ୟକ୍ଷାଙ୍କ ଦିଲ୍ଲୀ ଗସ୍ତ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ନଗର ଅଧ୍ୟକ୍ଷା ସୋନିଆ ଜୈନ ଏବଂ ସମାଜ ସେବୀ ସୋମନାଥ ଅଗ୍ରୱାଲ ଦିଲ୍ଲୀକୁ ଏକ ବୈଠକରେ ଯୋଗ ଦେବା ପାଇଁ ଯାଇଥିଲେ।

ଏହାର ସୁଯୋଗ ନେଇ ଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଖରୀଆର ରୋଡ ଠାରେ ଏକ କଲେଜ୍ ସ୍ଥାପନ ପାଇଁ ଦାବୀ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମହୋଦଧି ଦିବସରେ ଅଫିସିଆଲ୍ ପୋଷ୍ଟର ଉନ୍ମୋଚିତ

ପୁରୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନ ଠାରେ ମହୋଦଧି ଦିବସର ଅଫିସିଆଲ୍ ପୋଷ୍ଟର ଉନ୍ମୋଚିତ କରିଛନ୍ତି। ପୁରୀ ସ୍ୱର୍ଣ୍ଣାଭ ବେଳାଭୂମି ଠାରେ ଡିସେମ୍ବର ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ମହୋଦଧି ଦିବସ ପାଳିତ ହେବ। ପୁରୀ ଜିଲ୍ଲା ସ୍ବେଛାସେବୀ ସଙ୍ଗଠନ ସାମୁଖ୍ୟ ଦି ବେଲ୍ ତରଫରୁ ଏହି ଦିବସ ଆୟୋଜିତ ହେଉଛି।

ଏହି ଦିବସକୁ ଲୋକାଭିମୁଖି କରିବା ପାଇଁ ଆନ୍ତଃରାଷ୍ଟ୍ରୀୟ ବିଚ୍ ସ୍ପୋର୍ଟସ କାର୍ଣ୍ଣିଭାଲ ୨୦୨୪ ଆୟୋଜିତ ହେବ। ଏଥିପାଇଁ ଏହି ଦିବସ ର ଅଫିସିଆଲ୍ ପୋଷ୍ଟରକୁ କେନ୍ଦ୍ରୀୟ ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମୃଦୁଲା ପ୍ରଧାନ ତାଙ୍କ ତ୍ରିମୂର୍ତ୍ତି ମାର୍ଗର ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଠାରେ ଉନ୍ମୋଚନ କରିଛନ୍ତି।

ଏହି ଉନ୍ମୋଚନ ପର୍ବରରେ ମହୋଦଧି ଉତ୍ସବର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର, ପଣ୍ଡିତ ମହେଶ ସାହୁ, କୃଷ୍ଣଚନ୍ଦ୍ର ଦାଶ,ସତ୍ୟ ରଞ୍ଜନ ଦାଶ ଉପସ୍ଥିତି ଥିଲେ। ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ୧୦ ଟି ରାଷ୍ଟ୍ରର ପ୍ରତିନିଧି ଯୋଗ ଦେବେ। ଇଣ୍ଡୋ ଶ୍ରୀଲଙ୍କା ଲଇଫ୍ ସେଭିଂ ସ୍ପୋର୍ଟସ ଚମ୍ପିୟନସିପ ମୁଖ୍ୟ ଆକର୍ଷଣ ହେବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ପୁରୀ ଠାରେ ସୂଚନା ଦେଇଛନ୍ତି।